ପୌରାଣିକ ସମୟର କଥା। ଶ୍ରୀକୃଷ୍ଣଙ୍କ ପତ୍ନୀ ସତ୍ୟଭାମା ଦ୍ରୌପଦୀଙ୍କୁ ପଚାରିଲେ ତୁମେ କିପରି ଭାବରେ ତୁମର ପାଞ୍ଚ ପତିଙ୍କୁ ନିଜର ବଶ କରି ରଖି ପାରିଛ ଓ ସେମାନେ ସମସ୍ତେ ଆପଣଙ୍କୁ କାହିଁକି ଏତେ ସମ୍ମାନ କରନ୍ତି? ଏହାର ରହସ୍ୟ କଣ?
ଏମିତି ପ୍ରଶ୍ନରେ ଦ୍ରୌପଦୀ କ୍ଷୁବ୍ଧ ହୋଇ କହିଲେ, ମୁଁ ସେମାନଙ୍କୁ ବଶ ବା ନିୟନ୍ତ୍ରଣ କରି ନାହଁ। ବରଂ ମୁଁ ମୋ ଦାୟିତ୍ୱ କର୍ତ୍ତବ୍ୟ ଓ ଦକ୍ଷତା ପ୍ରମାଣିତ କରି ସେମାନଙ୍କ ହୃଦୟରେ ସମ୍ମାନର ଅଧିକାରୀ ହୋଇ ପାରିଛି। ଆପଣ ଜାଣନ୍ତି, ଇନ୍ଦ୍ରପ୍ରସ୍ଥ ରାଜଭବନରେ ମୁଁ ହିଁ ପ୍ରଥମ ବ୍ୟକ୍ତି ଯିଏ ପ୍ରଥମେ ଶଯ୍ୟା ତ୍ୟାଗ କରେ ଏବଂ ସର୍ବ ଶେଷରେ ଶଯ୍ୟାକୁ ଯାଏ। ମୁଁ ରାଜ ଭବନର ପ୍ରତ୍ୟେକ କର୍ମଚାରୀଙ୍କ ନାମ ଜାଣେ। ଇନ୍ଦ୍ରପ୍ରସ୍ଥର ପ୍ରତ୍ୟେକ ଆୟ ଏବଂ ବ୍ୟୟର ହିସାବ ରଖେ। ମହାରାଜ ଯୁଧିଷ୍ଠିରଙ୍କ ଦ୍ୱାରା ନିଯୁକ୍ତ କୋଡ଼ିଏ ହଜାରରୁ ଊର୍ଦ୍ଧ୍ୱ ଗବେଷଣାତ୍ମକ ଓ ରଚନାତ୍ମକ କାର୍ଯ୍ୟରେ ନିଯୁକ୍ତ ପ୍ରତ୍ୟେକ ବ୍ୟକ୍ତିଙ୍କ ପ୍ରତ୍ୟକ୍ଷ ସଂସ୍ପର୍ଶରେ ରହି କାର୍ଯ୍ୟ ତଦାରଖ ମଧ୍ୟ କରେ। ଇନ୍ଦ୍ରପ୍ରସ୍ଥର ପ୍ରତ୍ୟେକ କାର୍ଯ୍ୟରେ ମୁଁ ଜଡ଼ିତ ରୁହେ। ମୁଁ ମୋର ଦାୟିତ୍ୱ ଓ କର୍ତ୍ତବ୍ୟ ସୂଚାରୁ ରୂପେ ପାଳନ କରି ସେମାନଙ୍କ ହୃଦୟରେ ସମ୍ମାନର ଅଧିକାରୀ ହୋଇ ପାରିଛି।
ଏହି ଘଟଣାଟି ଏଠାରେ ଉଲ୍ଲେଖ କରିବାର ଅର୍ଥ ହେଲା ଯେ ଆଜି ମହିଳା ସଶକ୍ତିକରଣର ବାସ୍ତବ ଅର୍ଥ ଦିଗଭ୍ରଷ୍ଟ ହୋଇଛି।
ମହିଳାଟିଏ ଶକ୍ତିର ଭଣ୍ଡାର। ତାଙ୍କୁ ସଶକ୍ତ କରିବ କିଏ? ପୁରୁଷ ହେଉ ବା ସମାଜ ହେଉ କିମ୍ବା ସରକାର, କୌଣସି ବାହ୍ୟ ଶକ୍ତି ତାଙ୍କୁ ସଶକ୍ତ କରି ପାରିବେ ନାହିଁ ଯେ ପର୍ଯ୍ୟନ୍ତ ମହିଳାଟିଏ ନିଜ ଅନ୍ତର୍ନିହିତ ଶକ୍ତିକୁ ନିଜେ ଆବିଷ୍କାର କରି ତାହାକୁ ସଠିକ ମାର୍ଗରେ ପରିଚାଳିତ ନ କରି ପାରିଛି।
ସ୍ୱାମୀ ବିବେକାନନ୍ଦଙ୍କୁ ଥରେ ପଚରା ଯାଇଥିଲା ବିଧବା ବିବାହ ସମ୍ପର୍କରେ ଆପଣଙ୍କ ମତ କଣ? ସେ କହିଥିଲେ ମୁଁ ସେ କଥା ସ୍ଥିର କରିବାକୁ କିଏ? ବିଧବାର ଜୀବନ ବଞ୍ଚିଥିବା ସେହି ମହିଳାଙ୍କୁ ପଚାର ସେ କଣ ଚାହାନ୍ତି। ତାଙ୍କର ମତ କଣ? ମହିଳାଙ୍କୁ ଉପଯୁକ୍ତ ଶିକ୍ଷା, ବୌଦ୍ଧିକ ବିକାଶ ଓ ସମ୍ମାନ ମିଳିଲେ ସେମାନେ ନିଜର ଭବିଷ୍ୟତ ନିଜେ ସ୍ଥିର କରି ପାରିବେ।
ସରକାରୀ ଓ ବେସରକାରୀ ସ୍ତରରେ ଅନେକ ମହିଳା କଲ୍ୟାଣକାରୀ ଯୋଜନା, ଶିକ୍ଷା, ସ୍ଵାସ୍ଥ୍ୟ,ଜନ୍ମଠାରୁ ମୃତ୍ୟୁ ଯାଏ ଅନେକ ସୁବିଧା ସୁଯୋଗ ଦିଆ ଯାଉଥିଲେ ମଧ୍ୟ ଏବେ ମଧ୍ୟ ନିଷ୍ପତ୍ତି ନେବା ପ୍ରକ୍ରିୟାରେ ମହିଳା ବର୍ଗ ଅନେକ ପଛୁଆ ରହିଛନ୍ତି। ଏହାର କାରଣ ହେଲା ଆଜି ପର୍ଯ୍ୟନ୍ତ ଆମର ପୁରୁଷ କୈନ୍ଦ୍ରିକ ସମାଜରେ ମହିଳାଙ୍କ ବୌଦ୍ଧିକ ବିକାଶ ସହିତ ସେମାନଙ୍କ ପାଇଁ ସମ୍ମାନର ଏକ ଅନୁକୂଳ ପରିବେଶ ସୃଷ୍ଟି ହୋଇ ପାରିନାହିଁ। କିଛି ବ୍ୟକ୍ତିଙ୍କ ନିମ୍ନ ମାନସିକତା, ନୈତିକ ମୂଲ୍ୟବୋଧର ଅଭାବ ସହିତ ମହିଳାମାନଙ୍କ ଅଜ୍ଞତା ଏଥିପାଇଁ ଅନେକାଂଶରେ ଦାୟୀ।
୧୯୬୩ ମସିହାରେ ଆମେରିକୀୟ ଲେଖକ ଫ୍ରିଡା ବିଟ୍ଟିଙ୍କ ଦ୍ଵାରା ରଚିତ ପୁସ୍ତକ "ଫେମିନାଇନ ମିଷ୍ଟିକ୍" ପାଶ୍ଚାତ୍ୟ ମହିଳାଙ୍କ ପାଇଁ ନାରୀ ସ୍ୱାଧୀନତାର ଏକ ମାର୍ଗଦର୍ଶକ ରୂପେ ବହୁଳ ଭାବରେ ଆଦୃତ ହୋଇଥିଲା। ସେ ପୁସ୍ତକ ଅନୁସାରେ ନାରୀ ସ୍ୱାଧୀନତାର ସଂଜ୍ଞାରେ ପାଶ୍ଚାତ୍ୟ ମହିଳାମାନେ ଏତେ ମାତ୍ରାରେ ପ୍ରଭାବିତ ହେଲେ ଯେ ନିଜର ଅଧିକାର ବିଷୟରେ ସଚେତନ ହେଲେ, ସ୍ୱାବଲମ୍ବୀ ହେଲେ ଏବଂ ସ୍ୱାର୍ଥପର ହୋଇ ଧୀରେ ଧୀରେ ଉତ୍ସୃଙ୍ଖଳ ହେବାକୁ ଲାଗିଲେ। ଫଳତଃ ପରିବାରିକ ଅଶାନ୍ତିର ହାର ବୃଦ୍ଧି ହେବାରେ ଲାଗିଲା। ଘରୋଇ ହିଂସା ଓ ଛାଡ଼ପତ୍ର ଇତ୍ୟାଦି ଏତେ ମାତ୍ରାରେ ବଢ଼ିବାକୁ ଲାଗିଲା ଯେ, ଫ୍ରିଡା ବିଟ୍ଟି ବାଧ୍ୟ ହୋଇ ଏହାର ସଂଶୋଧିତ ପୁସ୍ତକ ପୁନର୍ବାର ପ୍ରକାଶିତ କଲେ। ଏବଂ ସେଥିରେ ସେ ଲେଖିଲେ ଯେ ସ୍ୱାଧୀନତା କେବେହେଲେ ମାନବିକତାଠାରୁ ଅଲଗା ହୋଇ ପାରିବନି।
ତେଣୁ ବାସ୍ତବ ଅର୍ଥରେ ସଶକ୍ତ ଅର୍ଥ ନୁହେଁ ସ୍ୱାଧୀନତା ବା ସ୍ୱାଧୀନତାର ଅର୍ଥ ନୁହେଁ ଉତ୍ସୃଙ୍ଖଳତା। ପରିବାରଠାରୁ ଦୂରେଇ ଯିବା ସ୍ୱାଧୀନତା ନୁହେଁ। ବରଂ ନିଜ ଭିତରର କୁସଂସ୍କାର ଅପରିପକ୍ୱ ମାନସିକତା ରୂପକ ଅନ୍ଧକାରକୁ ଜ୍ଞାନ ବା ଶିକ୍ଷା ରୂପକ ଆଲୋକରେ ଦୂରୀଭୂତ କରି ଏକ ଶୃଙ୍ଖଳିତ ଏବଂ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ସୃଷ୍ଟି କରି ନିଜ ପରିବାର,ସମାଜ, ଜାତି ରାଜ୍ୟ ତଥା ଦେଶର ଗଠନମୂଳକ କାର୍ଯ୍ୟରେ ନିୟୋଜିତ କରିବା ହେଲା ବାସ୍ତବ ସଶକ୍ତିକରଣ।
ଆମ ଚାରି ପାର୍ଶ୍ୱରେ ପ୍ରତି ମୁହୂର୍ତ୍ତରେ ସମସ୍ତ ସାମାଜିକ, ରାଜନୈତିକ ଓ ଅର୍ଥନୈତିକ ପରିବର୍ତ୍ତନ ସଂପର୍କରେ ସଚେତନ ରହିଲେ କୁସଂସ୍କାର ଜନିତ ଅନ୍ଧକାର ଦୂର ହେବ ଏବଂ ଆତ୍ମ ସ୍ୱାଭିମାନର ସହିତ ଏକ ନିର୍ଦ୍ଧଷ୍ଟ ଲକ୍ଷ୍ୟ ପୂରଣ ଦିଗରେ ଏକ ସୁନ୍ଦର ରାସ୍ତା ଦେଖାଯିବ।
ଯେ ପର୍ଯ୍ୟନ୍ତ ଗ୍ରାମୀଣ ସ୍ତରରେ ମହିଳାମାନେ ଏ ବିଷୟରେ ସଚେତନ ନ ହୋଇଛନ୍ତି, ଯେ ପର୍ଯ୍ୟନ୍ତ ଆମ ଅର୍ଥନୈତିକ ବଜେଟର ଏକ ଟଙ୍କାର ବ୍ୟୟ ବରାଦ ବିଷୟରେ ସବିଶେଷ ବିବରଣୀ ବିଷୟରେ ଅବଗତ ନ ହୋଇଛନ୍ତି ସେ ପର୍ଯ୍ୟନ୍ତ ମହିଳାମାନଙ୍କର ଅର୍ଥନୈତିକ ଅଭିବୃଦ୍ଧି କେବଳ ସ୍ଵପ୍ନ ହୋଇ ରହିବ।
ଅର୍ଥନୈତିକ ଅଭିବୃଦ୍ଧି ଦ୍ୱାରା ସ୍ୱାବଲମ୍ବୀ ମହିଳାମାନଙ୍କ ଆତ୍ମବଳ ବୃଦ୍ଧି ପାଏ। ଆତ୍ମ ସ୍ୱାଭିମାନର ସହିତ ଯେତେବଳେ ମହିଳାଟିଏ ନିଜ ପରିବାରର ନିଷ୍ପତ୍ତି ନେବାରେ ଭାଗିଦାରୀ ହୋଇପାରେ ସେତେବେଳେ ତାକୁ ତାର ସମ୍ମାନ ମିଳେ। ସମ୍ମାନର ସହିତ ବଞ୍ଚିବା ଶିଖିଲେ ମାନସିକ ସ୍ତରରେ ଦୃଢ଼ ହୁଏ। ଆଉ ଆମେ ସମସ୍ତେ ଜାଣୁ ଯେ ମାନସିକ ସ୍ତରରେ ଦୃଢ଼ ଜଣେ ମହିଳା ସବୁ ଅସମ୍ଭବକୁ ସମ୍ଭବ କରିପାରେ।
ଏକଥା ମଧ୍ୟ ମନେ ରଖିବାକୁ ପଡିବ ଯେ ସମ୍ମାନ ପାଇବାକୁ ହେଲେ ସମ୍ମାନ ଦେବାକୁ ପଡ଼େ।
ଗାନ୍ଧିଜୀଙ୍କ ମତରେ ଦୃଢ଼ ଅଥଚ ନମ୍ର ଭାବରେ ନିଜର ଅଧିକାରକୁ ସାବ୍ୟସ୍ତ କରିବା ହିଁ ବାସ୍ତବ ସଶକ୍ତିକରଣ।
ଘର ପରିବାରରୁ ଛୋଟ ଶିଶୁରୁ ବୟସ୍କ ପର୍ଯ୍ୟନ୍ତ ପ୍ରତ୍ୟେକ ମୁହୂର୍ତ୍ତର ସଦ ଉପଯୋଗ କରି ବାହ୍ୟ ଓ ଅନ୍ତଃ ଶୁଦ୍ଧିକରଣ ସହିତ ସଚେତନ ରହି ନିଜର ପ୍ରତିଟି କାର୍ଯ୍ୟ ତଥା ବାକ୍ୟକୁ ରୁଦ୍ଧିମନ୍ତ କରି ଶିଖିଲେ ବ୍ୟକ୍ତିତ୍ଵ ବିକଶିତ ହୁଏ। ଉଜ୍ଜ୍ୱଳ ବ୍ୟକ୍ତିତ୍ଵ ସବୁବେଳେ ନମସ୍ୟ, ସେଠି ନାରୀ ପୁରୁଷର ଭେଦଭାବ ନ ଥାଏ।
ଏହି ପ୍ରସଙ୍ଗରେ ମହିଳାଙ୍କୁ ସମ୍ମାନର ସର୍ବୋଚ୍ଚ ଶିଖରରେ ରଖି ଗାନ୍ଧୀ ମତରେ ମହିଳାମାନେ କେବେହେଲେ ଦୁର୍ବଳ ଶ୍ରେଣୀଭୁକ୍ତ ନୁହନ୍ତି। ସେ କୁହନ୍ତି "ନାରୀଟିଏ ଅଭୂତପୂର୍ବ ସହନଶୀଳତା, ତ୍ୟାଗ, ନମ୍ରତା, ବିଶ୍ୱାସ ଓ ବୃହତ୍ତର ଜ୍ଞାନର ମୂର୍ତ୍ତିମନ୍ତ ପ୍ରତୀକ ଏବଂ ନୈତିକବଳକୁ ଯଦି ମନୁଷ୍ୟର ଶକ୍ତି ଭାବେ ଗ୍ରହଣ କରାଯାଏ ତେବେ ଜଣେ ମହିଳା ପୁରୁଷଠାରୁ ବହୁ ଗୁଣ ଊର୍ଦ୍ଧ୍ୱରେ ଥାଏ, କାରଣ ଜଣେ ମହିଳା ତାର ଚରିତ୍ରକୁ ହିଁ ତାର ଅଳଙ୍କାର ବୋଲି ବିବେଚନା କରିଥାଏ"।
ପୁରାଣ ଯୁଗରୁ ଆଜିର ସମୟକୁ ଅନୁଧ୍ୟାନ କଲେ ଜଣାଯାଏ, ଯେଉଁ ମହିୟସୀ ମହିଳାମାନେ ନିଜକୁ ପ୍ରମାଣିତ କରି ପାରିଛନ୍ତି ସେହିମାନଙ୍କୁ ଆମର ପୁରୁଷ ପ୍ରଧାନ ସମାଜ ମଥାନତ ସମ୍ମାନ ଦେଇଛନ୍ତି।
ତେଣୁ ଆଜି ସମୟ ଆସିଛି, ଦାବି କରିବା ନାହିଁ, ନିଜକୁ ପ୍ରମାଣିତ କରିବା। ପ୍ରକୃତ ସଶକ୍ତିକରଣର ଅର୍ଥ ବୁଝିବା। ଅନ୍ଧବିଶ୍ୱାସ, କୁସଂସ୍କାର ଓ ଅପରିପକ୍ୱ ମାନସିକତାରୁ ନିଜକୁ ମୁକ୍ତ କରି ସ୍ୱାଧୀନତାର ପ୍ରକୃତ ଅର୍ଥକୁ ହୃଦୟଙ୍ଗମ କରିବା। ନିଜର ମାତୃଭାଷା, ସଂସ୍କୃତି ଓ କଳା ପରମ୍ପରାକୁ ସମ୍ମାନ ଦେବା ସହିତ ନିଜ ପରିବାର, ସମାଜ, ଜାତି, ରାଜ୍ୟ ତଥା ଦେଶର ସମ୍ମାନକୁ ଅକ୍ଷତ ରଖିବା ଦିଗରେ ବ୍ରତୀ ହେବା।
ନିଜର ଅଧିକାରକୁ ସ୍ୱାଭିମାନର ସହିତ ହାସଲ କରି ନିଜର ଜ୍ଞାନ ଓ ଦକ୍ଷତା ବଳରେ ନିଜ ପରିବାର ତଥା ଦେଶର ଗଠନମୂଳକ କାର୍ଯ୍ୟରେ ପୁରୁଷର ସହଭାଗୀ ହେବା।
ଡଃ ରୀନା ରାଉତରାୟ
ଫୋ- ୯୪୩୮୨୭୨୧୫୨
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।