Advertisment

ଇତିହାସର ବିକୃତିକରଣ

ଭାରତ ବିଶ୍ୱର ପ୍ରାଚୀନ ଜୀବନ୍ତ ରାଷ୍ଟ୍ର। ଆଧୁନିକ ଅନୁସନ୍ଧାନରୁ ଜଣାଯାଏ ସିନ୍ଧୁ ସଭ୍ୟତା ମିଶର ସଭ୍ୟତାଠାରୁ ୨୨ ହଜାର ବର୍ଷର ପୁରାତନ। ବହୁକାଳୁ ଏଠାରେ ଏକ ସଭ୍ୟତା ବିଦ୍ୟମାନ ଅଛି। ଏଣୁ ଭାରତର ଇତିହାସ ଲେଖନୀର ପରମ୍ପରା ଅତ୍ୟନ୍ତ ପ୍ରାଚୀନ। କିନ୍ତୁ ଆଶ୍ଚର୍ଯ୍ୟର କଥା ଊନ୍ନବିଂଶ ଶତାବ୍ଦୀରେ ବିକଶିତ ୟୁରୋପର ଇତିହାସକାର ଓ ବିଦ୍ୱାନମାନେ ଭ୍ରମାତ୍ମକ ପ୍ରଚାର କରିଛନ୍ତି ଯେ ଭାରତରେ ଇତିହାସ ଲେଖାର ଦୃଷ୍ଟି ଓ ଅବଧାରଣା ନଥିଲା କିମ୍ବା ଭାରତର କୌଣସି ଇତିହାସ ନାହିଁ।

Remnants Of Ancient India

Remnants Of Ancient India

Advertisment

ସର୍ବେଶ୍ୱର ବେହେରା

ଭାରତୀୟମାନଙ୍କ ମଧ୍ୟରେ ହୀନମଣ୍ୟ ଭାବ ଉଦ୍ରେକ କରିବା ତଥା ଭାରତୀୟ ଇତିହାସକୁ ବିକୃତ କରିବା ପାଇଁ ବ୍ରିଟିଶ ଇତିହାସକାର ଓ ୟୁରୋପୀୟ ବିଦ୍ୱାନମାନେ ଭାରତ ସମ୍ବନ୍ଧରେ ଭ୍ରମାତ୍ମକ ପ୍ରଚାର ସହିତ ଆଧାରହୀନ ତଥ୍ୟ ଉପସ୍ଥାପନ କରିଛନ୍ତି।

Advertisment

ଭାରତ ବିଶ୍ୱର ପ୍ରାଚୀନ ଜୀବନ୍ତ ରାଷ୍ଟ୍ର। ଆଧୁନିକ ଅନୁସନ୍ଧାନରୁ ଜଣାଯାଏ ସିନ୍ଧୁ ସଭ୍ୟତା ମିଶର ସଭ୍ୟତାଠାରୁ ୨୨ ହଜାର ବର୍ଷର ପୁରାତନ। ବହୁକାଳୁ ଏଠାରେ ଏକ ସଭ୍ୟତା ବିଦ୍ୟମାନ ଅଛି। ଏଣୁ ଭାରତର ଇତିହାସ ଲେଖନୀର ପରମ୍ପରା ଅତ୍ୟନ୍ତ ପ୍ରାଚୀନ। କିନ୍ତୁ ଆଶ୍ଚର୍ଯ୍ୟର କଥା ଊନ୍ନବିଂଶ ଶତାବ୍ଦୀରେ ବିକଶିତ ୟୁରୋପର ଇତିହାସକାର ଓ ବିଦ୍ୱାନମାନେ ଭ୍ରମାତ୍ମକ ପ୍ରଚାର କରିଛନ୍ତି ଯେ ଭାରତରେ ଇତିହାସ ଲେଖାର ଦୃଷ୍ଟି ଓ ଅବଧାରଣା ନଥିଲା କିମ୍ବା ଭାରତର କୌଣସି ଇତିହାସ ନାହିଁ।

ଜେମ୍ସ ମିଲ (୧୭୭୩-୧୮୩) ନାମକ ବିଦ୍ୱାନ ଉଲ୍ଲେଖ କରିଛନ୍ତି ଯେ ଭାରତରେ ମୁସଲମାନମାନଙ୍କ ଆକ୍ରମଣ ପୂର୍ବରୁ କୌଣସି ଇତିହାସ ନଥିଲା। ସେମାନଙ୍କ ଭୂଗୋଳ, ତିଥି ବର୍ଣ୍ଣନା ତଥା ଇତିହାସ ଦିଶାଭ୍ରଷ୍ଟ, ବିକୃତ ଓ ଅସଙ୍ଗତ ଥିଲା। ହିନ୍ଦୁ ଐତିହାସିକମାନେ କେହି ନଥିଲେ। ଲର୍ଡ଼ ମ୍ୟାକଲେ (୧୮୦୦-୧୮୯୫) ଭାରତର ଇତିହାସକୁ ଦିଗଭ୍ରଷ୍ଟ ଇତିହାସ ବୋଲି ବର୍ଣ୍ଣନା କରିଥିଲେ। କାର୍ଲ ମାର୍କ୍ସ ଭାରତରେ କୌଣସି ଇତିହାସ ଥିଲା ବୋଲି ସ୍ୱୀକାର କରିନାହାନ୍ତି। ଯଦି କିଛି ଇତିହାସ ଅଛି ତାହା କେବଳ ଆକ୍ରମଣକାରୀ ମାନଙ୍କର। ଲୁଇ ଡିକିନ୍ସନ (୧୮୬୨-୧୯୩୨) ଉଲ୍ଲେଖ କରିଛନ୍ତି ଯେ ଭାରତରେ କୌଣସି ହିନ୍ଦୁ ଇତିହାସକାର ନଥିଲେ। ଇଂଲଣ୍ଡର ଜୁଲିୟସ ଏଙ୍ଗଲିସ୍ ଭାରତର ଇତିହାସକୁ କଳ୍ପନା ବିଳାସ ଓ ଭ୍ରମାତ୍ମକ ପରମ୍ପରା ରୂପେ ବର୍ଣ୍ଣନା କରିଛନ୍ତି। ଆର୍ଥର ଏନ୍ଥେନୀ ମ୍ୟାକଡୋନାଲଡ଼ (୧୮୫୪-୧୯୩୦) ଭାରତୀୟ ସାହିତ୍ୟ ଅତ୍ୟନ୍ତ ଦୁର୍ବଳ ଥିଲା ବୋଲି ଉଲ୍ଲେଖ କରିଛନ୍ତି। ଅଷ୍ଟ୍ରିୟାର ପ୍ରସିଦ୍ଧ ପ୍ରାଚ୍ୟବିଦ୍ ମୋରିନ୍ ଇଣ୍ଟରନିଟନ (୧୮୬୩-୧୯୩୭) ଉଲ୍ଲେଖ କରିଛନ୍ତି ଯେ ଭାରତୀୟମାନେ ଉପନ୍ୟାସ, ପୁରାଣ ଓ କାଳ୍ପନିକ ବର୍ଣ୍ଣନା ଆଦି ଉଲ୍ଲେଖ କରିଛନ୍ତି, କୌଣସି ଇତିହାସ ନୁହେଁ। ଏହିପରି ବର୍ଣ୍ଣନା ଜନ ପୋଥଫୁଲ, ଫଲୀଟ (୧୮୪୭-୧୯୧୭), ମାଉଣ୍ଟ ଷ୍ଟୁଆଟ ଏଲିଫିଣ୍ଟନ (୧୭୭୯-୧୮୫୯), କୋବେଲ-ବିଶେଣ୍ଟ ଆର୍ଥର ସ୍ମିଥ (୧୮୪୩-୧୯୨୦) ପ୍ରମୁଖ ମଧ୍ୟ କରିଛନ୍ତି।

Advertisment

ଏଠାରେ ଉଲ୍ଲେଖନୀୟ ଯେ କେତେକ ଅଜ୍ଞାନୀ ଇଂରେଜ ଲେଖକମାନେ ବେଦକୁ ଗାଈଆଳ ସଙ୍ଗୀତ ତଥା ବ୍ରାହ୍ମଣମାନଙ୍କର ଜଡ଼ବୁଦ୍ଧି କହିଛନ୍ତି। ସେମାନେ ଉପନିଷଦକୁ ମହତ୍ୱହୀନ ତଥା ପୁରାଣକୁ ପୁରୁଣାପନ୍ଥୀ କଥା ରୂପେ ଅଭିହିତ କରିଛନ୍ତି। ଏହିପରି ରାମାୟଣ ଓ ମହାଭାରତକୁ ମଧ୍ୟ କାଳ୍ପନିକ କହିଛନ୍ତି।

କିନ୍ତୁ ସତ୍ୟ ସମସ୍ତେ ଜାଣନ୍ତି। ଊନ୍ନବିଶ ଶତାବ୍ଦୀର ଉତ୍ତରାର୍ଦ୍ଧରେ ସ୍ୱାମୀ ବିବେକାନନ୍ଦ ଓ ତାଙ୍କର ଶିଷ୍ୟା ଭଗିନୀ ନିବେଦିତା ନିଜର ଭାଷଣ, ଲେଖା ତଥା ଗ୍ରନ୍ଥଗୁଡ଼ିକରେ ଇଂରେଜମାନଙ୍କ ଦ୍ୱାରା ପ୍ରଚାରିତ ବିକୃତିକୁ କଠୋର ଭାଷାରେ ଭର୍ତ୍ସନା କରିଛନ୍ତି। ସୃଷ୍ଟିର ଆଦ୍ୟକାଳୁ, ପ୍ରାଚୀନ କାଳରେ ଭାରତରେ ବହୁ ଇତିହାସକାରମାନେ ଇତିହାସ ରଚନା କରିଛନ୍ତି। ସେତେବେଳେ ୟୁରୋପରେ ଅନ୍ଧକାର ଯୁଗ ଥିଲା। ବହୁ ପୂର୍ବରୁ ଭାରତରେ ଦିବ୍ୟ ପ୍ରକାଶ ଥିଲା। ଦେଶରେ ନୈତିକ, ସାମାଜିକ ତଥା ସାଂସ୍କୃତିକ ଚେତନା ଜାଗ୍ରତ ଥିଲା। ଜନୈକ ପ୍ରସିଦ୍ଧ ବିଦ୍ୱାନ ପ୍ରାଚୀନ ଭାରତକୁ ଚାରି ଯୁଗ ଅନୁସାରେ ତାତ୍କାଳିକ ଇତିହାସକାରମାନଙ୍କ ନାମ ବର୍ଣ୍ଣନା କରିଛନ୍ତି। ଯୁଗାନୁସାରେ ସତ୍ୟ ଯୁଗରେ ଦେବଗୁରୁ ବୃହସ୍ପତି, ଦେବର୍ଷି ନାରଦ, ମନୁ, ମହର୍ଷି କଣ୍ୱ ପ୍ରସିଦ୍ଧ ଥିଲେ। ତ୍ରେତା ଯୁଗରେ ମହର୍ଷି ବାଲ୍ମୀକି ତଥା ଯାଜ୍ଞବଳ୍କ୍ୟ ଥିଲେ। ଦ୍ୱାପରରେ ପରାଶର, ଭୀଷ୍ମ, କୃଷ୍ଣ ଦ୍ୱୈପାୟନ (ମହର୍ଷି ବେଦବ୍ୟାସ), ବୈଶମ୍ଫାୟନ, ଲୋମହର୍ଷଣ, ଶୌନକ, ଦେବଳ ଆଦି ଥିଲେ। କଳି ଯୁଗର ପ୍ରାରମ୍ଭରେ ଗୌତମ, ତିତ୍ତିର, ବାତ୍ସାୟନ, ଚରକ, କୌଟିଲ୍ୟ, ପାଣିନୀ, କାତ୍ୟାୟନ, ପତଞ୍ଜଳି, ଦୁର୍ଗ, ବାଣଭଟ୍ଟ, ରାଜଶେଖର, କହ୍ଲଣ, ବିହ୍ଲଣ ପ୍ରମୁଖ ଥିଲେ। କୌଟିଲ୍ୟଙ୍କ ଅର୍ଥଶାସ୍ତ୍ରରେ ଅତୀତର ୧୧୨ ଜଣ ଲେଖକମାନଙ୍କ ନାମ ଉଲ୍ଲେଖ ଅଛି। କାଶ୍ମୀରର ସୁପ୍ରସିଦ୍ଧ ଇତିହାସକାର କହ୍ଲଣ ରାଜତରଙ୍ଗିଣୀ କାବ୍ୟରେ ୧୧ ଜଣ ଇତିହାସକାରଙ୍କ କୃତୀ ଉଲ୍ଲେଖ କରିଛନ୍ତି। ସେହିପରି କାଳିଦାସ ଓ ବାଣଭଟ୍ଟଙ୍କ ଗ୍ରନ୍ଥ ତତ୍କାଳୀନ ଭାରତ ଇତିହାସର ସୁପ୍ରସିଦ୍ଧ ଗ୍ରନ୍ଥ। ଏହା ସତ୍ୟ ଯେ ପ୍ରାଚୀନ ଇତିହାସର ଅନେକ ଇତିହାସ ପୁସ୍ତକ ଆଜି ଉପଲବ୍ଧ ନାହିଁ।

ସଂକ୍ଷେପରେ କହିବାକୁ ଗଲେ ଭାରତର ଇତିହାସ ଅକ୍ଷୟ ସାଧନାର ଭଣ୍ଡାର। ପୁରାତତ୍ତ୍ୱ ସାମଗ୍ରୀ ଗୁଡ଼ିକରେ ଭାରତର ପ୍ରାଚୀନତା, ବିଶାଳତା, ସଭ୍ୟତା ଓ ସଂସ୍କୃତି ସମ୍ବନ୍ଧରେ ଉଲ୍ଲେଖ ଅଛି। ଉଦାହରଣ ରୂପେ ହରପ୍ପା ମହେଞ୍ଜୋଦାରୋ, ଲୋଥଲ, ରୋପଡ଼, କାଳୀବଙ୍ଗା, ପାଣ୍ଡୁରାଜାର ଆଦି ଖୋଦେଇରୁ ଭାରତର ପ୍ରାଚୀନତା ଓ ସଭ୍ୟତା ସମ୍ବନ୍ଧରେ ତଥ୍ୟ ମିଳେ। ହଜାର ହଜାର ଅଭିଲେଖ, ଶିଳାଲେଖ, ସୁନା, ଚାନ୍ଦି, ତମ୍ବାର ଅସଂଖ୍ୟ ମୁଦ୍ରା, ଅନେକ ପ୍ରାଚୀନ ସ୍ମାରକୀ, ଭବନ, ତାମ୍ରପାତ୍ର, ଦାନପତ୍ର, ସମର୍ପଣ ପତ୍ର ଆଦିରେ ଏହା ଉପଲବ୍ଧ ଅଛି।

ଏହିପରି ସାହିତ୍ୟରେ ବେଦ, ବ୍ରାହ୍ମଣ, ଅରଣ୍ୟକ ଗ୍ରନ୍ଥ, ଉପନିଷଦ, ବେଦାଙ୍ଗ, ସ୍ମୃତିଗୁଡ଼ିକ ତଥା ପୁରାଣ ଗୁଡ଼ିକ ମହଜୁଦ ଅଛି। ବିଶାଳ ସଂସ୍କୃତ ବାଙ୍ମୟ, ଜୈନ ତଥା ବୌଦ୍ଧ ସାହିତ୍ୟ, ନେପାଳ ରାଜବଂଶାବଳୀ, ଭାରତର ଅକ୍ଷୟ ସାଧନ ଆଦି ଅନେକ ଭଣ୍ଡାର ଅଛି। ଭାରତୀୟ ଇତିହାସରେ ଏତେ ସାମଗ୍ରୀ ମହଜୁଦ ଅଛି, ଯାହାକୁ ଅଧ୍ୟୟନ କରିବା ଗୋଟିଏ ଜନ୍ମରେ ଯଥେଷ୍ଟ ନୁହେଁ।

ଭାରତୀୟ ଇତିହାସ ସାଧନାରେ ପ୍ରାଚୁର୍ଯ୍ୟ ଅଛି। ସ୍ୱାମୀ ବିବେକାନନ୍ଦ କହିଛନ୍ତି, ‘ବିଶାଳ ସାହିତ୍ୟ କାବ୍ୟ ପଣି-ସିନ୍ଧୁ, ଦର୍ଶନ ଶାସ୍ତ୍ର ଗୁଡ଼ିକ ଓ ବିଭିନ୍ନ ଶାସ୍ତ୍ର ଗୁଡ଼ିକର ପ୍ରତ୍ୟେକ ପଙ୍‌କ୍ତିର ଶ୍ରବଣ, ବିଶିଷ୍ଟ ରାଜବଂଶୀମାନଙ୍କର ବଂଶାବଳୀ ଏବଂ ଜୀବନ ଚରିତ୍ରଗୁଡ଼ିକ ସହସ୍ର ଗୁଣ ଅଧିକ ଚିତ୍ର ପ୍ରଦାନ କରୁଛି।’ ସେ ଏହି ଇତିହାସ ଓ ପୁରାଣକୁ ପଞ୍ଚମ ବେଦ ରୂପେ ସ୍ୱୀକାର କରିଥିଲେ।

ଆଡ଼ଭୋକେଟ, ଖଟବିନସାହି, କଟକ, ମୋ-୯୪୩୭୦୧୬୩୮୪

Britain Indian History
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe