ଡ଼ଃ ରୀନା ରାଉତରାୟ
ଏକ ରାଷ୍ଟ୍ରର ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧି ପାଇଁ, ମହିଳାମାନଙ୍କ ସର୍ବାଙ୍ଗୀନ ବିକାଶର ଗୁରୁତ୍ଵକୁ ହୃଦୟଙ୍ଗମ କରି ପ୍ରତ୍ୟେକ ସରକାର ସଦାସର୍ବଦା ବିଭିନ୍ନ ମହିଳା କଲ୍ୟାଣକାରୀ ଯୋଜନାମାନ ପ୍ରଚଳନ କରି ଆସୁଛନ୍ତି।
ଏହି ପରିପ୍ରେକ୍ଷୀରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୪ତମ ଜନ୍ମଦିନ ଅବସରରେ ଓଡ଼ିଶାର ମହିଳାମାନଙ୍କ ପାଇଁ ‘ସୁଭଦ୍ରା ଯୋଜନା’ର ଶୁଭାରମ୍ଭ ହୋଇଯାଇଛି। ଏହି ଯୋଜନା ଅନ୍ତର୍ଗତ କାର୍ଯ୍ୟକ୍ରମରେ ପ୍ରଥମ ଦିନ ୨୫ ଲକ୍ଷ ମହିଳାଙ୍କ ବ୍ୟାଙ୍କ ଜମା ଖାତାକୁ ପାଞ୍ଚ ହଜାର ଟଙ୍କା ଲେଖାଏଁ ପଠାଯାଇଛି।
ସୁଭଦ୍ରା ଯୋଜନା ଅନୁଯାୟୀ ୨୧ ବର୍ଷରୁ ଅଧିକ ଏବଂ ୬୦ ବର୍ଷରୁ କମ ସମସ୍ତ ଆର୍ଥିକ ଅନଗ୍ରସର ମହିଳା ଏହି ଯୋଜନାର ଅନ୍ତର୍ଭୁକ୍ତ ହୋଇପାରିବେ। ପ୍ରତି ଯୋଗ୍ୟ ମହିଳା ହିତାଧିକାରୀଙ୍କୁ ଆସନ୍ତା ୫ ବର୍ଷ ପର୍ଯ୍ୟନ୍ତ ବାର୍ଷିକ ୧୦,୦୦୦ ଲେଖାଏଁ ସମୁଦାୟ ୫୦ ହଜାର ଟଙ୍କା ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାରଣକୁ ପଠଯିବ। ଏହି ଯୋଜନାର ସମସ୍ତ ପ୍ରକ୍ରିୟାକୁ ଦେୟମୁକ୍ତ କରାଯାଇଛି। ପ୍ରାୟ ଏକ କୋଟି ମହିଳା ଏହି ଯୋଜନାର ଉପକୃତ ହୋଇ ପାରିବେ।
ଅନେକଙ୍କ ମନରେ ଅନେକ ପ୍ରଶ୍ନ ଉଠିଛି। ବର୍ଷକୁ ଦୁଇଟି କିସ୍ତିରେ ପାଞ୍ଚ ହଜାର ଲେଖାଏଁ ଆର୍ଥିକ ସହାୟତା ରାଶି ଦ୍ୱାରା ମହିଳାମାନେ କିଭଳି ଭାବରେ ସ୍ୱାବଲମ୍ବୀ ହୋଇ ପାରିବେ? ଏକକାଳୀନ ପଚାଶ ହଜାର କିମ୍ୱା ଅନ୍ତତଃ ଥରକୁ ଦଶ ହଜାର ଟଙ୍କା ଲେଖାଏଁ ଦେଇଥିଲେ ହୁଏ ତ କିଛି କାମରେ ଆସି ଥାଆନ୍ତା। ଏ ନେଇ ଭିନ୍ନଭିନ୍ନ ମତ ଓ ଆଶଙ୍କା ପ୍ରକାଶ ପାଇଛି, ଯାହା ସ୍ଵାଭାବିକ।
ପୂର୍ବରୁ ମଧ୍ୟ ମିଶନ ଶକ୍ତି, ସ୍ଵୟଂ ସହାୟକ ଗୋଷ୍ଠୀ, ଓରମାସ ଇତ୍ୟାଦି ପରି ଅନେକ ମହିଳା କଲ୍ୟାଣକାରୀ ଯୋଜନାମାନ ପ୍ରଣୟନ କରି ମହିଳାମାନଙ୍କୁ ରୋଜଗାରକ୍ଷମ କରିବାର ଚେଷ୍ଟା ଜାରି ରହିଛି।
ସ୍ଵୟଂ ସହାୟକ ଗୋଷ୍ଠୀ ଗଠନ କରି ବିଭିନ୍ନ ସଞ୍ଚୟ ଯୋଜନାର ମହିଳାମାନେ ବାର୍ଷିକ ୫୦ ହଜାରରୁ ଏକ ଲକ୍ଷ କିମ୍ଵା ତତୋଧିକ ଅର୍ଥ ରାଶି ପାଇଥାନ୍ତି। ସେଥି ମଧ୍ୟରୁ କିଛି ମହିଳା ସେଇ ଅର୍ଥ ରାଶି ବିନିଯୋଗ କରି ଛୋଟଛୋଟ ବ୍ୟବସାୟ ପ୍ରତିଷ୍ଠାନ କରି ଆଜି ବେଶ ସ୍ୱଚ୍ଛଳ ଜୀବନ ଯାପନ କରୁଛନ୍ତି। ଆଉ ଅନେକ ମହିଳା ସେହି ଅର୍ଥ ରାଶିକୁ ପରିବାରର ଅନ୍ୟ ସଦସ୍ୟଙ୍କ ଅକାରଣ ସୌଖିନ ବସ୍ତୁ କ୍ରୟରେ ବିନିଯୋଗ କରି ପୁନଶ୍ଚ ଆର୍ଥିକ ପରାଧୀନ ହୋଇ ଦୁସ୍ଥ ଅବସ୍ଥାରେ ପଡ଼ି ରହିଛନ୍ତି।
ଯେଉଁଥିପାଇଁ ବୋଧହୁଏ ସରକାର ତାହାକୁ ହୃଦୟଙ୍ଗମ କରି ପୁନଶ୍ଚ ସୁଭଦ୍ରା ପରି ଆଉ ଏକ ଯୋଜନାର ପରିକଳ୍ପନା କରି ଏକ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରିବାର ସଂକଳ୍ପ ନେଇଛନ୍ତି। ଏହା ଏକ ବହୁତ ଦରକାରୀ ପଦକ୍ଷେପ।
ନିକଟରେ ଏକ ସମ୍ବେଦନଶୀଳ ଖବରଟି ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିଲା। ଭୁବନେଶ୍ୱର ସହର ଉପାରନ୍ତରେ ୧୦ ହଜାର ଟଙ୍କା ହାତ ଉଧାରି ନେଇଥିବା ଜଣେ ମହିଳା ଦୁଇ ଲକ୍ଷ ଟଙ୍କା ପରିଶୋଧ କରି ସାରିବା ପରେ ମଧ୍ୟ ଋଣ ଦେଇଥିବା ଘରୋଇ ସଂସ୍ଥାଟି ଅକଥନୀୟ ନିର୍ଯାତନା ଦେଇଥିଲେ ବୋଲି ଅଭିଯୋଗ କରିଥଲେ ପୀଡ଼ିତା।
ସହରାଞ୍ଚଳର ବସ୍ତି ହେଉ ବା ଗ୍ରାମାଞ୍ଚଳରେ ମହିଳାମାନେ ଦୁଇ ହଜାର ଟଙ୍କା ହାତ ଋଣ ନେଇ ଦୈନିକ ୨୦୦ ଟଙ୍କା ସୁଧ ଶୁଝିବା କେତେ କଷ୍ଟ ତାହା ସେହି ମହିଳା ହିଁ କହି ପାରିବେ। ଏହି କାରଣରୁ ବିନା ସୁଧ ବା ଫେରସ୍ତର ସର୍ତ୍ତ ନ ଥାଇ ପଚାଶ ହଜାର ଅର୍ଥ ରାଶିର ସହାୟତା, ନିଷ୍ଠାପର ଭାବେ ସ୍ୱାବଲମ୍ବୀ ହେବାକୁ ଇଚ୍ଛା ରଖିଥିବା ମହିଳାଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଅଟେ।
ସାଧାରଣତଃ ଗ୍ରାମୀଣ ମହିଳାମାନେ ଖୁବ୍ କମ୍ ପୁଞ୍ଜି ବିନିଯୋଗ କରି ଛୋଟିଆ ଛୋଟିଆ ବ୍ୟବସାୟ ମାନ କରିଥାନ୍ତି ଓ କମ୍ ପୁଞ୍ଜି ଲଗାଇ କରିଥିବା ବ୍ୟବସାୟ ସେମାନଙ୍କୁ ସଫଳତା ଦେଇଥାଏ। କାରଣ ଗାଁ ବା ସହର ତଳି ସ୍ଥାନମାନଙ୍କରେ ପ୍ରଥମରୁ ବଡ଼ ପୁଞ୍ଜି ବିନିଯୋଗରେ ବ୍ୟବସାୟ ପ୍ରତିଷ୍ଠାନ ପାଇଁ ପର୍ଯ୍ୟାପ୍ତ ଭିତ୍ତିଭୂମି ସହିତ ପାରିପାର୍ଶ୍ୱିକ ପରିବେଶ ପରିସ୍ଥିତି, ବୈଷୟିକ ଜ୍ଞାନ ଇତ୍ୟାଦିର ସୁବିଧା ସୁଯୋଗ ନ ଥାଏ।
ଦ୍ୱିତୀୟତଃ ଋଣ ନେଇ ବଡ଼ ପୁଞ୍ଜି ବିନିଯୋଗରେ ବ୍ୟବସାୟ କରି ପ୍ରଥମ ଭାଗ ସଙ୍ଘର୍ଷର ଶାରୀରିକ ଓ ମାନସିକ ଚାପକୁ ସହ୍ୟ କରି ପାରିବାର କ୍ଷମତା ବା ପାରିବାରିକ ସହଯୋଗ ନ ଥିବାରୁ ସେମାନେ ହତାଶ ହୋଇ ପଡ଼ନ୍ତି। ବ୍ୟବସାୟ କ୍ଷତିଗ୍ରସ୍ତ ହୁଏ ଏବଂ ଶେଷରେ ତାହା ବନ୍ଦ ହୋଇ ଯାଏ।
ଏହି ସବୁ ଦିଗକୁ ଗୁରୁତ୍ଵ ଦେଲେ କମ୍ ପୁଞ୍ଜି ବିନିଯୋଗ କରି ଛୋଟ ଛୋଟ ଉଦ୍ୟୋଗ କରିବା ପାଇଁ ସେମାନଙ୍କୁ ପ୍ରୋତ୍ସାହିତ କରିବା ନିହାତି ଆବଶ୍ୟକ, ଯାହା ବାସ୍ତବରେ ସ୍ୱାବଲମ୍ବୀ ହେବାରେ ସାହାଯ୍ୟ କରିଥାଏ।
ଏଠି ଆର୍ଥିକ ସ୍ତରରେ ସ୍ୱାବଲମ୍ବୀ ହେବା ପାଇଁ ଅର୍ଥ ରାଶିର ପରିମାଣ ନୁହେଁ ,ସମ୍ପୃକ୍ତ ମହିଳାଟି ନିଜେ ସ୍ୱାବଲମ୍ବୀ ହେବାର ମାନସିକତା ସହିତ ପରିବାର ବର୍ଗଙ୍କ ସହଯୋଗ ଓ ପ୍ରେରଣା ଏଵଂ ସରକାରୀ କଳର ନିୟମିତ ସମୀକ୍ଷା ଓ ଆବଶ୍ୟକ ସ୍ଥଳେ ସୁଲଭ ମୂଲ୍ୟରେ ଆନୁସଙ୍ଗିକ ଉପକରଣ, କଞ୍ଚାମାଲ ଯୋଗାଣ ଇତ୍ୟାଦିର ଆବଶ୍ୟକତା ରହିଛି।
ସେହି ଦୃଷ୍ଟିକୋଣରୁ ସୁଭଦ୍ରା ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ମିଳୁଥିବା ପାଞ୍ଚ ହଜାର ଆର୍ଥିକ ସହାୟତା ରାଶିର ସଦୁପଯୋଗ କରି କୌଣସି ଏକ ଛୋଟ ବ୍ୟବସାୟ ଆରମ୍ଭ କଲେ ପରେ ପର୍ଯ୍ୟାୟ କ୍ରମେ ଜମା ହେଉଥିବା ଅର୍ଥରାଶିକୁ ବ୍ୟବସ୍ଥିତ ଢଙ୍ଗରେ ବ୍ୟୟ କଲେ ବ୍ୟବସାୟକୁ ଆଗେଇ ନେବାରେ ସାହାଯ୍ୟ କରି ପାରିବ।
ମହିଳାମାନେ ନିଜର ଦକ୍ଷତା ଏବଂ ସ୍ଥାନୀୟ ଚାହିଦାକୁ ଆଧାର କରି ଛୋଟିଆ ବ୍ୟବସାୟଟିଏ ଆରମ୍ଭ କଲେ ପରବର୍ତ୍ତୀ ସମୟରେ ସରକାରୀ ସହଯୋଗରେ ସେମାନଙ୍କୁ ବିନା ବନ୍ଧକରେ ବ୍ୟାଙ୍କରୁ ଋଣ ସହାୟତ ଯୋଗାଇ ଦିଆଗଲେ ବ୍ୟବସାୟଟି ଆଗକୁ ବଢ଼ିବାରେ ସାହାଯ୍ୟ ହୋଇପାରିବ।
ଏହିପରି ସୂକ୍ଷ୍ମ ପୁଞ୍ଜି ନିବେଶ ଓ କ୍ଷୁଦ୍ର ଋଣ ନୀତିକୁ ଆଧାର କରି ବୈପ୍ଲବିକ ପରିବର୍ତ୍ତନ ଆଣିଥିବା ବାଂଲାଦେଶର ମହମ୍ମଦ ୟୁନୁସ୍ ଏଥିପାଇଁ ନୋବେଲ ପୁରସ୍କାର ବିଜେତା ହୋଇ ପାରିଥିଲେ। ଏହାର ଉପଯୋଗିତାକୁ ପ୍ରମାଣିତ ଓ ପ୍ରତିପାଦନ କରି ବାଂଲାଦେଶ ପରି ଏକ ଦରିଦ୍ର ଦେଶ ଆଜି ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ଯଥେଷ୍ଟ ଉନ୍ନତି ଆଣି ପାରିଛି।
ସେହି ପରି ଆମ ଦେଶରେ ମଧ୍ୟ କୋଭିଡ ସମୟରେ ରାସ୍ତା କଡ଼ ବ୍ୟବସାୟୀମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ସ୍ୱନିଧି (SVANidhi) ଯୋଜନାରେ ୧୦,୦୦୦ ଟଙ୍କାର ଆର୍ଥିକ ସହାୟତା ରାଶି ବହୁ ଗରିବ ବ୍ୟବସାୟୀଙ୍କ ଜୀବନ ଜୀବିକା ପୁନରୁଦ୍ଧାର କରିବାରେ ବିଶେଷ ସହାୟକ ହୋଇ ପାରିଥିଲା।
ସାଧାରଣତଃ ଆର୍ଥିକ ଅନଗ୍ରସର ବର୍ଗର ବ୍ୟକ୍ତି, ବିଶେଷ କରି ମହିଳାମାନେ ସୁଧ କାରବାର କରୁଥିବା ସ୍ଥାନୀୟ ମହାଜନ ହୁଅନ୍ତୁ କିମ୍ଵା ବ୍ୟାଙ୍କ କର୍ମଚାରୀ ହୁଅନ୍ତୁ, ଉଧାର କିମ୍ଵା ଋଣ ପାଇଁ କେଉଁ ପରି ମାନସିକ ନିର୍ଯ୍ୟାତନାର ଶିକାର ହୁଅନ୍ତି ତାହା ପ୍ରାୟ ସମସ୍ତଙ୍କୁ ଜଣା।
ଏହା ସହିତ ଅଭାବି ଅସହାୟ ବର୍ଗର ମହିଳା ଯେଉଁମାନଙ୍କ ପାଇଁ ବ୍ୟାଙ୍କରୁ ଋଣ ଆଣିବା ପାଇଁ ସର୍ବନିମ୍ନ ଆବଶ୍ୟକୀୟ କାଗଜ ପତ୍ର ଯୋଗାଡ଼ କରିବା ଅସମ୍ଭବ ସେମାନଙ୍କ ପାଇଁ ଏହି ସ୍ୱଳ୍ପ ପୁଞ୍ଜି ଖୁବ୍ ଦରକାରୀ। ତେଣୁ ଏହି ପରିପ୍ରେକ୍ଷୀରେ ବିନା ସୁଧରେ ପ୍ରଥମ କିସ୍ତିରେ ପାଞ୍ଚ ହଜାର ଟଙ୍କା ଏବଂ ୫ ବର୍ଷ ମଧ୍ୟରେ ୫୦ ହଜାର ଟଙ୍କାର ସଠିକ୍ ଉପଯୋଗ କରି ପାରିଲେ ମହିଳାଟିଏ ସ୍ୱାବଲମ୍ବୀ ହେବାରେ କୌଣସି ଅସୁବିଧା ନାହିଁ।
କିନ୍ତୁ ସେଥିପାଇଁ ସରକାରଙ୍କୁ କିଛି ବିଧି ବ୍ୟବସ୍ଥାକୁ ଦୃଷ୍ଟିକୁ ଆଣିବାକୁ ପଡ଼ିବ। ତାହାର ସମାଧାନ କଲେ ଏହି ସୁଦୂର ପ୍ରସାରୀ ଯୋଜନାଟି ନିଶ୍ଚୟ ଆଶାନୁରୂପକ ସଫଳ ହୋଇ ପାରିବ।
୧. ମହିଳାମାନଙ୍କୁ ସ୍ୱାବଲମ୍ବୀ ହୋଇ ଘରେ ଘରେ ମହିଳା ଉଦ୍ୟୋଗୀ ସୃଷ୍ଟି କରିବା ପାଇଁ ତୃଣମୂଳ ସ୍ତରରେ ବ୍ୟାପକ ସଚେତନତା ଅଭିଯାନ ଆରମ୍ଭ କରିବା।
୨.ମହିଳାମାନଙ୍କୁ ଆତ୍ମନିର୍ଭର କରିବାର ପ୍ରଥମ ଓ ପ୍ରଧାନ ପଦକ୍ଷେପ ହେଲା, ପରିବାରର ରାସନ୍ କାର୍ଡଟି ଘରର ମହିଳାଙ୍କ ନାମରେ ପଞ୍ଜିକରଣ ହେବା। ତଦ୍ୱାରା ମହିଳାଙ୍କର ଆତ୍ମସମ୍ମାନ ଓ ଆତ୍ମାବିଶ୍ୱାସ ଦୃଢ଼ ହେବା ସହିତ କିଛି ମାତ୍ରାରେ ନିଷ୍ପତ୍ତି ନେବାର ଅଧିକାର ଆସିବ।
୩. କ୍ଷୁଦ୍ର, ଅଣୁ ଓ ମଧ୍ୟମ ବ୍ୟବସାୟ ବା ଶିଳ୍ପ ପ୍ରତିଷ୍ଠାନ ପାଇଁ ଆବଶ୍ୟକୀୟ କଞ୍ଚାମାଲ ଓ ଭିତ୍ତିଭୂମି ସହିତ ଅତି କମ୍ ସୁଧରେ ଓ ବିନା କୌଣସି ବନ୍ଧକରେ ବ୍ୟାଙ୍କରୁ ଋଣ ଯୋଗାଇ ଦେବା।
୪. ସମସ୍ତ ଅତ୍ୟାବଶ୍ୟକ ସୁବିଧା ସହଯୋଗ ଏକକ ଝରକା ବା single window ମାଧ୍ୟମରେ ସମାଧାନ କରାଯାଉ। ଯେମିତି କି ଉଦ୍ୟମ ପଞ୍ଜିକରଣ, ଷ୍ଟାର୍ଟ ଅପ୍ ପଞ୍ଜିକରଣ, କଞ୍ଚାମାଲ କିମ୍ୱା ଉପକରଣ, ଯନ୍ତ୍ରପାତି ଇତ୍ୟାଦିର ସହଜ ଉପଲବ୍ଧ, ଉତ୍ପାଦିତ ଦ୍ରବ୍ୟ ସାମଗ୍ରୀର ବଜାରୀକରଣର ଯୋଗାଯୋଗ (ଲିଙ୍କ) ଏବଂ ଡିଜିଟାଲ ପଦ୍ଧତିରେ ଦେଣନେଣର (digital transaction) ପ୍ରୟୋଗାତ୍ମକ ଉପଯୋଗ ଏବଂ ବୈଷୟିକ ଜ୍ଞାନ କୌଶଳର ପ୍ରଶିକ୍ଷଣକୁ ସମାନ୍ତରାଳ ଭାବରେ ପ୍ରୋତ୍ସାହନ ଦିଆ ଯିବା ଉଚିତ୍।
୫. ସହାୟତା ଟଙ୍କା ମିଳିବା, ଛୋଟ ବ୍ୟବସାୟ ଆରମ୍ଭ କରି ସାରିଥିବା ମହିଳାମାନଙ୍କୁ ବ୍ୟାଙ୍କରୁ ବିନା ବନ୍ଧକରେ, କମ୍ ସୁଧରେ ଆର୍ଥିକ ସହାୟତା ମିଳିବା ଇତ୍ୟାଦି ପ୍ରକ୍ରିୟାର ସରଳୀକରଣ କରାଯିବା ନିତ୍ୟାନ୍ତ ଆବଶ୍ୟକ। ଅନେକ ସମୟରେ ମହିଳାମାନଙ୍କୁ ଆତ୍ମନିର୍ଭର କରିବାରେ ସାହାଯ୍ୟ ଓ ସହଯୋଗ କରୁଥିବା ସ୍ୱେଚ୍ଛାସେବୀ ଅନୁଷ୍ଠାନମାନଙ୍କୁ ମଧ୍ୟ ଏହି ପ୍ରକ୍ରିୟାକରଣ ଖୁବ୍ ଜଟିଳ ମନେ ହୁଏ। ସାଧାରଣ ଗ୍ରାମୀଣ ମହିଳାଟିର ଅବସ୍ଥା ଅନୁମେୟ।
୬. ସବୁଠାରୁ ବଡ଼ ଦିଗଟି ହେଲା, ମହିଳାଙ୍କର ଆତ୍ମନିର୍ଭର ହେବାର ଇଚ୍ଛା, ଆଗ୍ରହ ଓ ନିଷ୍ଠା।
ଯାହାକୁ ଲକ୍ଷ୍ୟ ରଖି ଏହି ଯୋଜନାର ଶୁଭ ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମହିଳାମାନଙ୍କୁ ପ୍ରଶ୍ନ ଥିଲା ଯେ ‘ଆପଣମାନେ ଏହି ଟଙ୍କା ନେଇ ଶାଢ଼ୀ କିଣିବେନି ତ?’
ତାଙ୍କର ଏହି ପ୍ରଶ୍ନରେ ଖୁବ୍ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ରହିଛି। ତାହାକୁ ଗୁରୁତର ସହିତ ବିଚାରକୁ ନେଇ ତୃଣମୂଳ ସ୍ତରରେ ମହିଳାମାନଙ୍କ ବ୍ୟବସାୟିକ ପ୍ରକ୍ରିୟାକରଣରେ ନିୟମିତ ସମୀକ୍ଷା କରି ଆବଶ୍ୟକୀୟ ସାହାଯ୍ୟ ସହଯୋଗ ଯୋଗାଇ ଦିଆଗଲେ ଏକ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି ହୋଇପାରିବା ବେଶୀ ଦୂର ନୁହେଁ।
ନ ହେଲେ କାଳକାଳ ଧରି ମହିଳାମାନଙ୍କୁ ବ୍ୟବହାର କରି ନିର୍ବାଚନ ସମୟରେ ବିଭିନ୍ନ ରାଜନୈତିକ ଦଳ ମହିଳା କାର୍ଡ ଖେଳି ତାଙ୍କର ଲକ୍ଷ୍ୟ ହାସଲ କରି ଚାଲିଥିବେ, କିନ୍ତୁ ବାସ୍ତବରେ ତୃଣମୂଳ ସ୍ତରରେ ମହିଳାମାନଙ୍କ ଆର୍ଥିକ ସ୍ଥିତି ଯଥା ପୂର୍ବଂ ତଥା ପରଂ ହୋଇ ରହିଥିବ।
ଅଧ୍ୟକ୍ଷା , ମହିଳା ଆତ୍ମ ନିର୍ଭର ଅଭିଯାନ