Representative Photo
ଡ. ରୀନା ରାଉତରାୟ
ସେଦିନ ସକାଳେ ନିକଟରେ ବିବାହ କରିଥିବା ଝିଅଟିଏ ତାର ଦାଦାଙ୍କ ସହିତ ଆସିଥିଲା। ବିବାହ ପରେ ଶାଶୁ ଘରେ ତା’ର ସ୍ଵାମୀ ଓ ଶାଶୁଙ୍କ ବ୍ୟବହାର ଅତ୍ୟନ୍ତ କଷ୍ଟଦାୟକ ବୋଲି ଅଭିଯୋଗ କରି କରୁଣ ଭାବରେ କଇଁକଇଁ ହୋଇ କାନ୍ଦୁଥିଲା। ଶାରୀରିକ ଓ ମାନସିକ ନିର୍ଯାତନାର ଶିକାର ଥିଲା ଝିଅଟି। କାରଣ କ’ଣ ବୋଲି ପଚାରିଲି। କିନ୍ତୁ ସଠିକ୍ କିଛି ବୁଝି ପାରିଲିନି। ମୋତେ ମଧ୍ୟ ବହୁତ ଦୁଃଖ ଲାଗିଲା। ତଥାପି ତା'ଠୁ ତାର ସ୍ଵାମୀର ଫୋନ୍ ନମ୍ୱର୍ ରଖିଲି। କହିଲି, ହଉରେ ମାଆ! ମୁଁ ତୋ ସ୍ୱାମୀକୁ ଫୋନ୍ କରି କାଲି ଡାକୁଛି। ତୁ ବି ଆସେ। ଦୁହିଁଙ୍କୁ ପଚାରି ବୁଝିବା। ପ୍ରକୃତରେ କ’ଣ ବୁଝାମଣା ଅସୁବିଧା ରହୁଛି ତୁମ ଦୁହିଁଙ୍କ ମଧ୍ୟରେ।
ଦୁଇ ଦିନ ପରେ ତା’ର ସ୍ଵାମୀ ତାଙ୍କ ଭାଇକୁ ଏବଂ ଝିଅଟି ତାର ଦାଦାକୁ ଧରି ପୃଥକ ଭାବରେ ଆସିଲେ। ଯୁବକଟି ଅତ୍ୟନ୍ତ ଭଦ୍ର ଦିଶୁଥାଏ। ବହୁତ ସମୟ ଧରି ଉଭୟଙ୍କୁ ପଚାରିଲି। ଯୁବତୀ ଜଣକ ଖାଲି କହୁଥାଏ ସେମାନେ ମୋତେ ବାନ୍ଧି ପକାନ୍ତି। ମାରନ୍ତି। ଯୁବକଟି ମୁଁହ ତଳକୁ କରି ବସିଥାଏ। ବିରକ୍ତ ହୋଇ ପଚାରିଲି, କ’ଣ ପାଇଁ ତାକୁ ତୁମ ଘରେ ଏପରି ବ୍ୟବହାର କରୁଛ?
ଧୀର ଭାବରେ ସେମିତି ମୁଣ୍ଡ ତଳକୁ କରି ମୋତେ ତାର ମୋବାଇଲରେ ଥିବା ଏକ ଭିଡିଓ ଦେଖାଇଲା। ସେ ଭିଡ଼ିଓରେ ଝିଅଟିର ଭୟଙ୍କର ରୂପ ଦେଖି ମୁଁ ତାଜୁବ ହୋଇ ଗଲି। ସେଥିରେ ସେ ତାର ଶାଶୁର ଚୁଟି ଧରି ଟାଣି ଟାଣି ଘରୁ ବାହାରକୁ ଘୋଷାଡ଼ି ଘୋଷାଡ଼ି ଆଣୁଛି। ତା’ର ସ୍ଵାମୀ ଛଳଛଳ ଆଖିରେ କହିଲା, ସେ ଆମ ଘରକୁ ବୋହୂ ହୋଇ ଆସିଲା ଦିନରୁ ମୋ ସହିତ ଝଗଡ଼ା ଯେ ତୁମ ମାଆ ଆମ ସହିତ ରହିବେ ନାହିଁ। ମୋର ବିଧବା ମାଆ ଆଜ୍ଞା। ତାକୁ ମୁଁ ନେଇ କୋଉଠି ଛାଡ଼ିବି? ମୁଁ ନ ଥିଲା ବେଳେ ସେ ମୋ ମାଆକୁ ଏମିତି ବାଡ଼ାବାଡ଼ି କରି ଘରୁ ବାହାରି ଯାଆ ବୋଲି କୁହେ। ଆମ ପଡ଼ିଶା ଜଣେ ଏ ଭିଡିଓ କରି ମୋ ପାଖକୁ ପଠାଇଥିଲା। ମୁଁ ସେଦିନ ଅଫିସରୁ ଫେରି ତାକୁ ଏ କଥା ପାଇଁ ରାଗିବାରୁ ସେ ନିଜର ଲୁଗା ପଟାକୁ ନିଜେ କାଢ଼ି ଫୋପାଡ଼ି ଦେଇ ଗାଁ ଦାଣ୍ଡରେ ଖାଲି ସାୟା ବ୍ଲାଉଜ ପିନ୍ଧି ଚିତ୍କାର କରି ଆମ ମାଆପୁଅ ଦୁହେଁ ମାରି ପକାଉଛୁ ବୋଲି ଚିତ୍କାର କରି କାନ୍ଦିଲା। ସେ ଭିଡିଓ ବି ଗାଁ ଲୋକ କରିଛନ୍ତି ମ୍ୟାଡମ୍ ଦେଖନ୍ତୁ।
ସେତେବେଳକୁ ସେ ଝିଅ ଚିତ୍କାର କରି ମୋ ସାମନାରେ ତା’ର ସ୍ୱାମୀକୁ ଅତ୍ୟନ୍ତ କଦର୍ଯ୍ୟ ଭାଷାରେ ଗାଳି ଗୁଲଜ କରିବାକୁ ଆରମ୍ଭ କଲା, ତୁ’ କାହିଁକି ଏ ଭିଡିଓ ସବୁ କରିଛୁ ବୋଲି।
ସେ ଝିଅକୁ ଭୀଷଣ ବିରକ୍ତ ହେଲି। ବୁଝାଇଲି ବି ବହୁତ। ତା ପରବର୍ତ୍ତୀ ସମୟରେ ଅନେକ କିଛି ତ ଘଟିଲା ଦୁହିଁଙ୍କୁ ଜୀବନରେ। ଯାହା ଆପଣମାନେ ସହଜରେ ଅନୁମାନ କରି ପାରୁଥିବେ। ବିବାହ ବିଚ୍ଛେଦ। ଯୁବକଟିର ମୁହଁରେ ଦେଖିଥିବା ଅସହାୟତା ଜନିତ ମାନସିକ ଯନ୍ତ୍ରଣା ମୋତେ ବହୁତ ଗୁଡ଼ିଏ ଦୃଷ୍ଟିକୋଣକୁ ବିଚାରକୁ ନେବାକୁ ବାଧ୍ୟ କଲା।
ଏହି ଘଟଣାକୁ ଉଲ୍ଲେଖ କରିବାର ମୋର ଉଦେଶ୍ୟ ହେଲା ପାରିବାରିକ ହିଂସା କହିଲେ ସାଧାରଣତଃ ଆମ ମନରେ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାରର ଚିତ୍ର ଆସେ ଏବଂ ପୁରୁଷଙ୍କୁ ଦୋଷୀ ଭାବରେ ଦେଖୁଥାଉ। କିନ୍ତୁ ବାସ୍ତବତା ଏତେ ସରଳ ନୁହେଁ। ପାରିବାରିକ ହିଂସା ଏକ ଲିଙ୍ଗ ନିରପେକ୍ଷ ସମସ୍ୟା, ଯେଉଁଠି ପୁରୁଷ ଓ ମହିଳା ଉଭୟେ ନିଜ ନିଜ ସ୍ଥିତିରେ ପୀଡ଼ିତ।
ଏହା ସତ୍ୟ ଯେ ମହିଳା ମାନେ ବିଶ୍ୱରେ ଅନେକ ସ୍ଥାନରେ ପାରିବାରିକ ହିଂସାର ସବୁଠୁ ବେଶୀ ଶିକାର ଅଟନ୍ତି। କିନ୍ତୁ ବାହାରକୁ ଆସୁଥିବା ସମସ୍ତ ଘଟଣାକୁ କେବଳ ଏକପାଖିଆ ଭାବରେ ବିଚାରକୁ ନେଲେ ବାସ୍ତବ ଘଟଣାର ରୂପରେଖ ଭିନ୍ନ ହୋଇଯାଏ। ପୁରୁଷମାନେ ମଧ୍ୟ ପରିବାରରେ ହିଂସା, ନିର୍ଯାତନା ଓ ମାନସିକ ଯନ୍ତ୍ରଣାର ସମ୍ମୁଖୀନ ହୋଇଥାଆନ୍ତି। କିନ୍ତୁ ସମାଜ ପ୍ରାୟତଃ ତାହାକୁ ଅଣଦେଖା କରେ।
ପାରିବାରିକ ହିଂସାକୁ ସାଧାରଣତଃ ମହିଳାଙ୍କ ବିରୋଧରେ ହୋଇଥିବା ଶାରୀରିକ, ମାନସିକ, ଆର୍ଥିକ ଓ ଯୌନ ଉତ୍ପୀଡ଼ନ ବୋଲି ବୁଝାଯାଏ। ଏହି କାରଣରୁ ପାରିବାରିକ ହିଂସାରୁ ମହିଳାଙ୍କୁ ସୁରକ୍ଷା ଆଇନ ୨୦୦୫ (Protection of Women from Domestic Violence Act, 2005) ମୂଳତଃ ମହିଳାଙ୍କୁ ସୁରକ୍ଷା ପ୍ରଦାନ କରୁଥିବା ଏକ ଆଇନ। କିନ୍ତୁ ଏ କଥା ମଧ୍ୟ ସତ୍ୟ ଯେ ପୁରୁଷମାନେ ମଧ୍ୟ ପାରିବାରିକ ହିଂସାର ଶିକାର ହେଉଛନ୍ତି, କିନ୍ତୁ ତାଙ୍କର ଯନ୍ତ୍ରଣା ଅଧିକାଂଶ ସମୟରେ ଦୃଶ୍ୟମାନ ବା ପ୍ରମାଣିତ ହୋଇପାରେନି।
ଭାରତୀୟ ସମାଜରେ ପୁରୁଷଙ୍କୁ ସଦା ସର୍ବଦା ରକ୍ଷକ, ଭୋକ୍ତା, ଶକ୍ତିଶାଳୀ ବୋଲି ବିବେଚିତ କରି ଆସିଛି। ଓଡ଼ିଶାରେ ସମାଜରେ ପରିବାରକୁ ଚଳାଇବା, ନିଷ୍ପତ୍ତି ନେବା, ସ୍ତ୍ରୀ, ସନ୍ତାନ, ପିତାମାତା, ସମଗ୍ର ପରିବାରକୁ ସୁରକ୍ଷା ଦେବାରେ ପୁରୁଷର ପ୍ରାଥମିକ ଭୂମିକା ବୋଲି ଧରାଯାଏ। ପରିବାରର ଖର୍ଚ୍ଚ, ପିଲାଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, ଦାୟିତ୍ୱ ମଧ୍ୟ ପୁରୁଷଙ୍କ କାନ୍ଧରେ ଥାଏ। ଅନେକ ପରିବାରରେ ପତ୍ନୀ ବା ଶଶୁର ଘର ପକ୍ଷରୁ ପୁରୁଷଙ୍କୁ ମାଡ଼, ହିଂସା, ଅପମାନ ସହିବାକୁ ପଡ଼େ।
NCRB ୨୦୨୨ ତଥ୍ୟ ଅନୁସାରେ ପାରିବାରିକ ବିବାଦରେ ୨୫ ପ୍ରତିଶତ ପୁରୁଷ ମାନସିକ ଓ କେବେ କେବେ ଶାରୀରିକ ନିର୍ଯାତନାର ଶିକାର ହୁଅନ୍ତି। ‘ପୁରୁଷ କାନ୍ଦିଲେ ଲଜ୍ଜା’, ଏହି ମାନସିକ ଚାପରେ ସେମାନେ ଚିନ୍ତା, ଅବସାଦଗ୍ରସ୍ତ, ଏକାକିତ୍ଵର କ୍ଷତି ସହ୍ୟ କରିବାକୁ ବାଧ୍ୟ ହୁଅନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂସ୍ଥା (WHO) ରିପୋର୍ଟ କହୁଛି, ଭାରତରେ ପ୍ରତିବର୍ଷ ୧,୦୦,୦୦୦ରୁ ଅଧିକ ପୁରୁଷ ଆତ୍ମହତ୍ୟା କରନ୍ତି, ଯାହା ନାରୀଙ୍କ ତୁଳନାରେ ଦୁଇ ଗୁଣା।
ପୁରୁଷ ହୋଇ ଅତ୍ୟାଚାରିତ?! ଏହି ସାମାଜିକ ପ୍ରଶ୍ନ ସେମାନଙ୍କୁ ଅଧିକ ଅପମାନିତ ବୋଧ ହୁଏ। ସାମାଜିକ ସମର୍ଥନର ଅଭାବ ପୁରୁଷଙ୍କ ଯନ୍ତ୍ରଣାକୁ ଗୌଣ କରିଦିଏ। ‘ପୁରୁଷ କାନ୍ଦେ ନାହିଁ’, ‘ପୁରୁଷ ଦୁର୍ବଳ ନୁହେଁ’, ଏହି ସବୁ ଆମ ସମାଜର ବଦ୍ଧମୂଳ ଧାରଣା।
ସେହି କାରଣରୁ ଯେତେବେଳେ ସେମାନେ ନିଜେ ପିଡ଼ିତ ହୋଇଥାନ୍ତି, ସମାଜ, ଆଇନ, ମିଡ଼ିଆ ସମସ୍ତେ ନୀରବ ରୁହନ୍ତି। ଏହି ନୀରବତା ପୁରୁଷମାନଙ୍କ ଯନ୍ତ୍ରଣାକୁ ଆହୁରି ଗଭୀର କରେ।
ଭାରତୀୟ ନ୍ୟାୟ ସଂହିତା (BNS), ୨୦୨୩ ଧାରା ୮୫ର ଯୌତୁକ ନିର୍ଯ୍ୟାତନା ଓ ପାରିବାରିକ ହିଂସା ଆଇନ ମହିଳା ସୁରକ୍ଷା ପାଇଁ ସୃଷ୍ଟି, କିନ୍ତୁ କେବେ କେବେ ଭୁଲ୍ ମାମଲାରେ ପୁରୁଷ ପାଇଁ ଅତ୍ୟନ୍ତ କଷ୍ଟ ଦାୟକ ପରିସ୍ଥିତି ସୃଷ୍ଟି କରିଥାଏ।
NCRB (୨୦୨୧) ରିପୋର୍ଟ ଅନୁସାରେ ପ୍ରାୟ ୨୦% ଧାରା ୮୫ର କେଶ୍ ପରେ ମିଥ୍ୟା ବୋଲି ପ୍ରମାଣିତ ହୋଇଥାଏ। ବିଶେଷ କରି ବିବାହ ବିଚ୍ଛେଦ ପରେ ସନ୍ତାନକୁ ପାଖରେ ରଖି ଲାଳନ ପାଳନର ଅଧିକାର ପୁରୁଷଙ୍କୁ ମିଳି ନାହିଁ। ପରିବାରଠୁ ବିଚ୍ଛେଦଠାରୁ ପିଲାଙ୍କୁ ହରାଇବାର ବେଦନା ମଧ୍ୟ ଅତ୍ୟନ୍ତ କଷ୍ଟକର ହୁଏ।
ଏହି ପରିପ୍ରେକ୍ଷୀରେ ପୁରୁଷଙ୍କ ମାନସିକ, ଶାରୀରିକ ଓ ଆର୍ଥିକ ସଙ୍ଘର୍ଷ ଜନିତ ଯନ୍ତ୍ରଣାରେ ସମାଜର ନୀରବତାର କାରଣ ଅନେକ। ‘ପୁରୁଷ କେବେ ପିଡ଼ିତ ନୁହେଁ’, ସମାଜରେ ଏହିପରି ଏକ ଭ୍ରାନ୍ତ ଧାରଣା ବଳବତ୍ତର ହୋଇ ରହିଛି।
ଓଡ଼ିଶାରେ ରାଜ୍ୟ ମହିଳା କମିଶନଙ୍କ (OSCWs) ପାଖକୁ ଆସୁଥିବା ମାମଲାର ୯୫% ହେଉଛି ‘ପତି କିମ୍ବା ଶାଶୁ ଶ୍ୱଶୁରଙ୍କ ବିରୋଧରେ। ଓଡ଼ିଶା ପୋଲିସ କ୍ରାଇମ୍ ରେକର୍ଡ ବ୍ୟୁରୋ ୨୦୨୩ ଅନୁସାରେ ମହିଳାଙ୍କ ବିରୋଧରେ ୨୫,୦୦୦ରୁ ଅଧିକ ପାରିବାରିକ ହିଂସା ସମ୍ବନ୍ଧୀୟ କେଶ୍ ରେଜିଷ୍ଟର ହୋଇଥିଲା। ଅପରପକ୍ଷେ ଓଡ଼ିଶାରେ ପୁରୁଷଙ୍କ ଅଧିକାର ସମ୍ବନ୍ଧୀୟ ସଂଗଠନମାନଙ୍କ ପାଖରେ ୨୦୨୨-୨୩ରେ ପ୍ରାୟ ୧୨୦୦ ରୁ ଅଧିକ ପୁରୁଷ ଅଭିଯୋଗ କରିଥିଲେ ଯେ ସେମାନେ ମାନସିକ, ଆର୍ଥିକ ଓ ଭାବନାତ୍ମକ ଉତ୍ପୀଡ଼ନର ଶିକାର ହୋଇଛନ୍ତି।
ଭାରତୀୟ ନ୍ୟାୟ ସଂହିତା (BNS), ୨୦୨୩ ଧାରା ୮୫ର ଯୌତୁକ ନିର୍ଯ୍ୟାତନା ଆଇନର ଅପବ୍ୟବହାର ଜନିତ ଅପିଲ କେସ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ପ୍ରତିବର୍ଷ ୮୦୦ରୁ ୧୦୦୦ ପର୍ଯ୍ୟନ୍ତ ପଞ୍ଜିକରଣ କରାଯାଉଛି।
ଓଡିଶା ପୁରୁଷ ସହାୟତା କେନ୍ଦ୍ର ୨୦୨୨ ସର୍ଭେ ଅନୁଯାୟୀ ୬୦% ପୁରୁଷ ପତ୍ନୀମାନଙ୍କ ଦ୍ୱାରା ଅଶାଳୀନ ଗାଳି ଗୁଲଜ ପରି ମାନସିକ ନିର୍ଯ୍ୟାତନାର ଶିକାର ହୋଇଥାନ୍ତି। ଅତ୍ୟଧିକ ଡିମାଣ୍ଡ, ପୂରା ମାସକ ଦରମା ଦେବା ପାଇଁ ବାଧ୍ୟ କରିବା ନତୁବା ମିଥ୍ୟା ଭରଣପୋଷଣର ଧମକପୂର୍ଣ୍ଣ କେସ ଏସବୁର ଅଂଶ ବିଶେଷ ଅଟେ। ଓଡ଼ିଶା ଫ୍ୟାମିଲି କୋର୍ଟର ପାଖାପାଖି ଶତକଡ଼ା ୩୦ ଭାଗ କେସ ଅତ୍ୟଧିକ ଭରଣପୋଷଣ ଦାବୀ ସହିତ ସମ୍ବନ୍ଧିତ।
ପ୍ରମାଣ ଖୁବ କମ୍ ମିଳେ, କାରଣ ପୁରୁଷମାନେ ଅଭିଯୋଗ କରିବାରେ ବା ପ୍ରମାଣ ସଂଗ୍ରହ କରି ରଖିବାକୁ ଲଜ୍ଜା/ଭୟ କରନ୍ତି। ଓଡ଼ିଶା ସ୍ୱାସ୍ଥ୍ୟ ବିଭାଗ, ୨୦୨୧ ରିପୋର୍ଟ ଅନୁଯାୟୀ ପୁରୁଷଙ୍କ ଆତ୍ମହତ୍ୟା ହାର ମହିଳାଙ୍କଠାରୁ ୨.୫ ଗୁଣା ଅଧିକ। ଏବଂ ଏହାର ମୁଖ୍ୟ କାରଣ ହେଲା ପାରିବାରିକ କଳହ ବା ମନାନ୍ତର। ଓଡ଼ିଶାରେ ୨୦୨୩ରେ ୪,୫୦୦ରୁ ଅଧିକ ପୁରୁଷ ପରିବାରିକ ଚାପରୁ ଆତ୍ମହତ୍ୟା କରିଥିଲେ।
ନ୍ୟାସନାଲ କ୍ରାଇମ୍ ରେକର୍ଡ ବ୍ୟୁରୋ (NCRB) ୨୦୨୨ ରିପୋର୍ଟ ଅନୁଯାୟୀ, ଓଡ଼ିଶାରେ ସ୍ତ୍ରୀଙ୍କ ଅଭିଯୋଗରେ ପତି ବା ପତିଙ୍କ ପରିବାର ବିରୁଦ୍ଧରେ ୬୦୦୦ରୁ ଅଧିକ କେସ୍ ଦାଖଲ ହୁଏ, କିନ୍ତୁ ଅଭିଯୁକ୍ତ ହାର ୧୦% ରୁ ମଧ୍ୟ କମ୍।
ଏହାରୁ ପ୍ରମାଣ ମିଳେ, ଅନେକାଂଶ ପୁରୁଷମାନେ ମିଥ୍ୟା ମାମଲାରେ ଫସି ଆର୍ଥିକ, ସାମାଜିକ ଓ ମାନସିକ ଯନ୍ତ୍ରଣାର ଶିକାର ହୋଇଥାନ୍ତି।
ଦିଲ୍ଲୀର ସେଭ୍ ଇଣ୍ଡିଆନ ଫ୍ୟାମିଲି ଫାଉଣ୍ଡେସନ (SIF) ୨୦୨୩ର ସର୍ଭେ ଅନୁସାରେ ୭୨% ପୁରୁଷ ମାନସିକ ନିର୍ଯାତନାର ଶିକାର ହୋଇଥିବା ବେଳେ ୨୩% ପୁରୁଷ ଘରେ ଶାରୀରିକ ହିଂସାରେ ପୀଡ଼ିତ।
ଓଡ଼ିଶାରେ କେତେକ କେସ୍ ଷ୍ଟଡିରୁ ଦେଖାଯାଇଛି ଯେ ମିଥ୍ୟା ଯୌତୁକ ନିର୍ଯ୍ୟାତନା ମାମଲାରେ ଚାରିରୁ ପାଞ୍ଚ ବର୍ଷ ଧରି କୋର୍ଟକୁ ଦୌଡ଼ି ଦୌଡ଼ି ପୁରୁଷମାନେ ପରିବାର, ଚାକିରି, ସମାଜ ସବୁ ହରାଇଥାନ୍ତି। ଦୈନନ୍ଦିନ ବାଦବିବାଦ, ଅପମାନ, ସନ୍ତାନଙ୍କୁ ଅଲଗା କରିଦେବା ଏବଂ ଚରିତ୍ର ସଂହାର ଜନିତ ପୀଡ଼ା ଓ ଯନ୍ତ୍ରଣାକୁ ମଧ୍ୟ ବିଚାରକୁ ନେବା ସହିତ ସେମାନଙ୍କ ପ୍ରତି ସମ୍ବେଦନଶୀଳ ରହିବା ପାଇଁ ବ୍ୟାପକ ସଚେତନତା ସୃଷ୍ଟି କରିବା ସହିତ ଲିଙ୍ଗ ନିରପେକ୍ଷ ଆଇନ ଓ ଆଲୋଚନା ହେବା ନିତ୍ୟାନ୍ତ ଆବଶ୍ୟକ।
ଆଇନରେ ସମାନତା ପୂର୍ବକ, ପାରିବାରିକ ହିଂସା ଆଇନରେ ଲିଙ୍ଗ ନିରପେକ୍ଷ ସଂସ୍କାର ଅଣାଯିବା ଆଜିର ଆହ୍ୱାନ ହୋଇଛି। ପୁରୁଷମାନଙ୍କ ପାଇଁ ମାନସିକ ସ୍ଵାସ୍ଥ୍ୟ ସେବା, ଆଇନଗତ ସହାୟତା କେନ୍ଦ୍ର ପ୍ରତିଷ୍ଠାକୁ ସମାନ ଗୁରୁତ୍ଵ ଦିଆଯିବା, ପୁରୁଷଙ୍କ ପାଇଁ ଚବିଶ ଘଣ୍ଟିଆ ହେଲ୍ପ ଲାଇନର ସୁବିଧା ଏବଂ ଓଡ଼ିଶା ମହିଳା କମିଶନ ପରି ପୁରୁଷଙ୍କ ଅଭିଯୋଗ କେନ୍ଦ୍ର ବା ପୁରୁଷ କମିଶନ ଗଠନର ଆବଶ୍ୟକତା ରହିଛି।
ଏଫ୍.ଆଇ.ଆର୍ ପୂର୍ବରୁ ଦମ୍ପତିଙ୍କୁ ଆବଶ୍ୟକ ପରାମର୍ଶ (କପଲ୍ କାଉନ୍ସେଲିଂ) ଦେବା ଏବଂ ପାରିବାରିକ ହିଂସା ଏକ ଲିଙ୍ଗ-ନିରପେକ୍ଷ ସମସ୍ୟା ବୋଲି ଜଣାଇବା ପାଇଁ ସଚେତନତା ଅଭିଯାନ ଆରମ୍ଭ କରିବା। ପରିବାର ପରାମର୍ଶ କେନ୍ଦ୍ରମାନଙ୍କରେ ମିଥ୍ୟା ମାମଲା ପ୍ରମାଣିତ ହେଲେ, ସମାନ ଶାସ୍ତି ହେବା ଉଚିତ। ସନ୍ତାନର ଦାୟିତ୍ଵ ବହନ ନିୟମ ପୁନର୍ବିଚାର କରି ପିତାଙ୍କୁ ମଧ୍ୟ ସନ୍ତାନଙ୍କ ସହିତ ସମାନ ଅଧିକାର ଦେବା।
ମାନସିକତାରେ ପରିବର୍ତ୍ତନ ଆଣିବାକୁ ଗଣମାଧ୍ୟମ, ଶ୍ୱେତପତ୍ର, ଚଳଚ୍ଚିତ୍ର, ଡକ୍ୟୁମେଣ୍ଟାରୀ ସିନେମା ମାଧ୍ୟମରେ ପୁରୁଷଙ୍କ ମାନସିକ ଶାରୀରିକ ଯନ୍ତ୍ରଣା ପାଇଁ ସମ୍ବେଦନଶୀଳ ହେବାକୁ ବ୍ୟାପକ ସଚେତନତା ସୃଷ୍ଟି କରାଯିବ ଆବଶ୍ୟକ।
କେବଳ ମହିଳାମାନେ ଯେ ପାରିବାରିକ ହିଂସାର ଶିକାର ହୁଅନ୍ତି ତାହା ଭାବିବା ଭୁଲ୍। ପୁରୁଷମାନେ ମଧ୍ୟ ପରିବାର, ସମାଜ ଓ ଆଇନର ଶୃଙ୍ଖଳରେ ପଡ଼ି ଯନ୍ତ୍ରଣାସିକ୍ତ ଜୀବନ ଯାପନ କରୁଛନ୍ତି। ସେମାନଙ୍କ ଯନ୍ତ୍ରଣାକୁ ମଧ୍ୟ ବିଚାରକୁ ନେଇ ସ୍ୱୀକୃତି ଦେବା, ସହାନୁଭୂତି ଦେବା ଓ ତାହାର ସମାଧାନ ଖୋଜିବା ଆଜିର ସମାଜର ଆବଶ୍ୟକତା।
ପାରିବାରିକ ହିଂସା କେବଳ ମହିଳା କିମ୍ବା ପୁରୁଷଙ୍କ ସମସ୍ୟା ନୁହେଁ। ଏହା ଏକ ମାନବିକ ସମସ୍ୟା।
ଫୋ- ୯୪୩୮୨୭୨୧୫୨
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1756197993.jpg)