ଡି ଶୁଭମ୍
ଓଡ଼ିଶାରେ ଏବେ ନୂଆ ସରକାର। ଲୋକଙ୍କ ମନରେ ଅନେକ ନୂତନ ଆଶା ଓ ଆକାଂକ୍ଷା। ଇତିମଧ୍ୟରେ ସରକାର ଏକ ବର୍ଷ ପୂରଣ କରିଛନ୍ତି। ତେବେ ନୂଆ ସରକାର ଜନତାଙ୍କ ସ୍ୱପ୍ନକୁ କେତେଦୂର ସାକାର କରିପାରୁଛନ୍ତି ସେକଥା ସମୟ କହିବ। କିନ୍ତୁ ଏହାରି ମଧ୍ୟରେ ସରକାରଙ୍କ ଆଗରେ କୃଷି ଓ କୃଷକଙ୍କ ବିକାଶ ଦିଗରେ ଅନେକ କିଛି କାର୍ଯ୍ୟ ରହିବ ବୋଲି ଆମର ଆଶା ଓ ବିଶ୍ୱାସ। ନୂଆ ସରକାରଙ୍କ ଫୋକସରେ ଥିବା ଚାଷୀକୁଳ ବର୍ତ୍ତମାନ ନୂଆ ଯୋଜନାକୁ ଅପେକ୍ଷା କରି ରହିଛନ୍ତି। ତେବେ ଚାଷୀ କୁଳର ବିକାଶ ପାଇଁ ନୂତନ ସରକାରଙ୍କୁ କୃଷି ସମ୍ପର୍କିତ କିଛି ପ୍ରସ୍ତାବ ଏଠାରେ ଉଲ୍ଲେଖ କରୁଛି।
ସରକାରଙ୍କ ତରଫରୁ ସ୍ୱତନ୍ତ୍ର ଭାବରେ ଓଡ଼ିଶାରେ କୃଷି ଆୟୋଗ ଗଠନ କରାଯାଇ ବରିଷ୍ଠ ପ୍ରଶାସନିକ ଅଧିକାରୀ, ସଫଳ ଚାଷୀ ତଥା ପଲିସି ମେକରମାନଙ୍କୁ ଏହି କମିଟିରେ ସ୍ଥାନ ଦିଆଯାଉ। ଏହା କୃଷି କ୍ଷେତ୍ରରେ ଗବେଷଣା ଓ ଉନ୍ନତି ଦିଗରେ ଅଧିକ କାର୍ଯ୍ୟ କରିବା ଆବଶ୍ୟକ। ଚାଷୀମାନଙ୍କର ବିଭିନ୍ନ ସମସ୍ୟା ସରକାରଙ୍କ ପାଖରେ ପହଁଚାଇବା ପାଇଁ ଏହି ଆୟୋଗ ସ୍ୱତନ୍ତ୍ର ବ୍ୟବସ୍ଥା କରିବ। ଯାହା କୃଷକମାନଙ୍କର ଅଭିବୃଦ୍ଧି ଦିଗରେ ସାହାଯ୍ୟ କରିବ। ଏହି ଆୟୋଗ ଚାଷୀଙ୍କ ସର୍ବାଙ୍ଗୀନ ବିକାଶ ଦିଗରେ ବିଭିନ୍ନ କାର୍ଯ୍ୟପନ୍ଥା ଗ୍ରହଣ କରିବା ସହ ଗାଁମାନଙ୍କରେ ସ୍ୱତନ୍ତ୍ର ଅଭିଯୋଗ ପ୍ରକୋଷ୍ଠ କରି ଏହି ସମସ୍ୟାକୁ ସମାଧାନ କରାଇବା ଦରକାର।
ସାମ୍ପ୍ରତିକ ସମୟରେ ଜୈବିକ ହାଟର ଆବଶ୍ୟକତା ଓ ଗୁରୁତ୍ୱ ଅନେକ ବୋଲି ଆମକୁ ବିଚାର କରିବାକୁ ହେବ। କାରଣ ଯଦି ସ୍ୱତନ୍ତ୍ର ଜୈବିକ ହାଟ ଟିଏ ପ୍ରତି ଗାଁ କି ବ୍ଲକରେ ହୁଅନ୍ତା ତେବେ ଚାଷୀ ତାର ଉତ୍ପାଦ ସଠିକ ମୂଲ୍ୟରେ ବିକିପାରନ୍ତା। ଏବେ ସପିଂ ମଲରେ ଜୈବିକ ପନିନରିବା ମିଳୁଛି, ତେବେ ଆମ ଗାଁମାନଙ୍କରେ କ’ଣ ପାଇଁ ଏହା ହୋଇପାରିବନି? ଆମ ରାଜ୍ୟରେ ଜୈବିକ ହାଟର ଅଧିନିୟମ ଆସିବା ଆବଶ୍ୟକ। ଯାହାକୁ ଆମେ ସ୍ୱତନ୍ତ୍ର ଅର୍ଗାନିକ ମାର୍କେଟ ରୁଲ୍ ବା ନିୟମ ବୋଲି କହିପାରିବା। ଗାଁ ଗାଁରେ ଜୈବିକ ହାଟର ବ୍ୟବସ୍ଥା ହେବା ସରକାର। ଚାଷୀ ସେଠି ନିଜର ଫସଲକୁ ଲୋକଙ୍କୁ ବିକିପାରନ୍ତା ଓ ଲୋକମାନେ ସଠିକ ଜୈବିକ ପନିପରିବା ପାଇପାରନ୍ତେ। ତେବେ ଏହା ପୂର୍ବରୁ ଚାଷୀମାନେ ଜୈବିକ ଚାଷର ପ୍ରାମାଣିକରଣ କରିବା ଅନିବାର୍ଯ୍ୟ। ସୁତରାଂ ଜୈବିକ ଚାଷର ନାରା ଘରେ ଘରେ ପହଁଚୁ। ରାଜ୍ୟ ସରକାର ଏ ଦିଗରେ ଧ୍ୟାନ ଦେବାକୁ ଅନୁରୋଧ। ଏହା ସହ ପ୍ରତି ଜିଲ୍ଲାରେ ଆବଶ୍ୟକ ସଂଖ୍ୟକ ଶୀତଳ ଭଣ୍ଡାର କରିବାକୁ ଏକ ଯୋଜନା ପ୍ରସ୍ତୁତ କରାଯାଉ। ଏହା ସହ ଏକ କୃଷକ କର୍ମଶାଳା ମିଶନ୍ ଓ କୃଷକ ଉନ୍ନୟନ ସଂସ୍ଥା ଗଠନ କରାଯାଉ।
ରାଜ୍ୟ ସରକାର ଆଣିବାକୁ ଯାଉଥିବା ବଜେଟରେ କୃଷି ଷ୍ଟାର୍ଟ ଅପ୍ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ଅନୁରୋଧ। କାରଣ କୃଷି ଓ ଏଗ୍ରିଟେକ୍ ଷ୍ଟାର୍ଟ ଅପ୍ ସଂଖ୍ୟା ଓଡ଼ିଶାରେ ଆଶାତୀତ ଭାବରେ ବୃଦ୍ଧି ପାଇବାରେ ଲାଗିଛି। ସଠିକ ସମୟରେ କିପରି ଆର୍ଥିକ ଅନୁଦାନ ମିଳିବା ସହ ବଜାର ସଂଯୋଗୀକରଣ ଦିଗରେ ସରକାର ଚିନ୍ତା କରିବା ଆବଶ୍ୟକ। ଏହା ସହ ପ୍ରତ୍ୟେକ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ପିଲାଙ୍କ ମଧ୍ୟରେ ଷ୍ଟାର୍ଟ ଅପକୁ ନେଇ ସୃଜନଶୀଳତାର ବିକାଶ କରିବକୁ ହେବ। ଏଥିପାଇଁ ସ୍ୱତନ୍ତ୍ର କର୍ମଶାଳା ଆୟୋଜନ କରି ପିଲାମାନଙ୍କ ମଧ୍ୟରେ ଏହି ଅନ୍ତର୍ନିହିତ ପ୍ରତିଭାର ବିକାଶ କରିବାକୁ ହେବ। ସରକାରଙ୍କ ପ୍ରଚେଷ୍ଟାରେ ଆହୁରି କିପରି ଅଧିକ କୃଷି ଉଦ୍ୟୋଗକୁ ଯୋଜନାରେ ସାମିଲ କରାଯାଇ ସବସିଡ଼ି ଦିଆଯାଇପାରିବ ସେ ଦିଗରେ ଗଠନମୂଳକ ପଦକ୍ଷେପ ନିଆଯିବା ଜରୁରୀ।
ଆମ ରାଜ୍ୟରେ ବିଦ୍ୟାଳୟ ପାଠ୍ୟକ୍ରମରେ କୃଷିକୁ ଅନ୍ତର୍ଭୁକ୍ତ କରାଯାଉ। ପିଲାମାନଙ୍କୁ କେବଳ ବିଦ୍ୟାଳୟ ନୁହେଁ ଅଭିଭାବକମାନେ ମଧ୍ୟ ଏଥିପାଇଁ ଦୃଷ୍ଟି ଦିଅନ୍ତୁ। ଚାଷର ବିଭିନ୍ନ କାର୍ଯ୍ୟକ୍ରମକୁ ଟିଭିରେ ପିଲାଙ୍କୁ ଦେଖାନ୍ତୁ। ଖବରକାଗଜରେ କୃଷି ପୃଷ୍ଠାକୁ ପିଲାମାନଙ୍କୁ ପଢ଼ିବାକୁ ଦିଅନ୍ତୁ। କେବଳ ନାଚ, ଗୀତ, ଭାଷଣ, ଚିତ୍ରାଙ୍କନ ନୁହେଁ ବରଂ କୃଷି ଶିକ୍ଷାକୁ ପ୍ରାଥମିକତା ଦିଆଯାଇ ବିଦ୍ୟାଳୟରେ ଅନ୍ତର୍ଭୁକ୍ତ କରାଯାଉ। ପିଲା ଛୋଟ ବେଳୁ କୃଷି କଣ ଜାଣୁ। ଚାଷ ଜମିକୁ ଯାଉ। ଚାଷୀଙ୍କ ସହ ମିଶୁ। ଚାଷ କରିବାର କୌଶଳ ବି ଜାଣୁ। ଆମ ମାଟି ବି କଥା କହିପାରେ, ସେ ସ୍ୱତନ୍ତ୍ରତାକୁ ଅନୁଭବ କରୁ।
ଓଡ଼ିଶାରେ ଗ୍ରାମାଂଚଳମାନଙ୍କର ସ୍ଥାନୀୟ ପ୍ରତିନିଧିମାନେ ଏ ଦିଗରେ ନିଜର ସ୍ୱତନ୍ତ୍ର ପ୍ରଚେଷ୍ଟା ଆରମ୍ଭ କରିବା ଆବଶ୍ୟକ। କୃଷି ବିଜ୍ଞାନ କେନ୍ଦ୍ରର ସହାୟତା ତଥା କୃଷି ବୈଜ୍ଞାନିକମାନଙ୍କର ଉପଦେଶକୁ ପାଥେୟ କରି ଓଡ଼ିଶାରେ କୃଷି ପର୍ଯ୍ୟଟନର ସ୍ୱପ୍ନକୁ ପୂରଣ କରିବା ଦିଗରେ ସମସ୍ତଙ୍କର ମଳିତ ସହଯୋଗ ଆବଶ୍ୟକ। ଆମ ଚାଷୀ କୁଶଳୀ ଆଉ କର୍ମଠ। ତେଣୁ ଯଦି ଆମେ ନିଜ ମନୋବଳକୁ ଦୃଢ଼ କରି ଏ ଦିଗରେ ଆଗେଇବା ନିଶ୍ଚୟ ଭାବେ କୃଷି ପର୍ଯ୍ୟଟନର ସ୍ୱପ୍ନ ସାକାର ହେବ। ଗ୍ରାମାଂଚଳର ଲୋକପ୍ରତିନିଧି, ସ୍ଥାନୀୟ ବାସିନ୍ଦା, ସରକାରୀ ଓ ବେସରକାରୀ ସଂସ୍ଥା, କୃଷି ଷ୍ଟାର୍ଟ ଅପ୍ ପରି ସବୁ ସ୍ତରରରେ ପ୍ରୟାସ ଆରମ୍ଭ କରାଯିବା ଦରକାର। ଏକ ନୂତନ ଓ ସ୍ୱତନ୍ତ୍ର ଖସଡ଼ା ପ୍ରସ୍ତୁତ କରି ଗଠନ ହୋଇଥିବା ନୂଆ ସରକାର ଏ ଦିଗରେ ସ୍ୱତନ୍ତ୍ର ପଦକ୍ଷେପ ନେଲେ ଓଡ଼ିଶା ସାରା ଦେଶରେ ଏକ ନୂଆ ପରିଚୟ ସୃଷ୍ଟି କରିପାରିବ।
ପରିବେଶୀୟ ଗ୍ରାମର ପରିକଳ୍ପନା ଓଡ଼ିଶାରେ ଆରମ୍ଭ କରାଯିବା ଅତ୍ୟନ୍ତ ଜରୁରୀ। ଜଳବାୟୁ ପରିବର୍ତ୍ତନ ଯାଗୁଁ ଏବେ ଆମେ ଋତୁ ମଧ୍ୟରେ ତଫାତ ଜାଣିବାରେ କଷ୍ଟ ଅନୁଭବ କରୁଛୁ। ଏମିତିକି ବର୍ଷା ଦିନରେ ଅତ୍ୟଧିକ ବର୍ଷା ଯୋଗୁଁ ମୃତ୍ତିକା କ୍ଷୟ ଯୋଗୁଁ ଚାଷ ଜମି ପ୍ରଭାବିତ ହୋଇଥାଏ। ପାହାଡ଼ିଆ ଜମିର ପାଖେପାଖେ ଏମାନେ ବଂଚିବାର ରାହା ଖୋଜିଥାନ୍ତି। ଏସବୁ କାରଣର ଏକ ପ୍ରକୃଷ୍ଟ ସମାଧାନ ଭାବରେ ଆମେ ପରିବେଶୀୟ ଗ୍ରାମକୁ ନେଇପାରିବା। ବିଭିନ୍ନ ପ୍ରକାର ବୈଜ୍ଞାନିକ ଜ୍ଞାନକୌଶଳ ଉପଯୋଗ କରି ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ସେମାନଙ୍କ ପାରମ୍ପରିକ ଚାଷ ପଦ୍ଧତି ସହ ସେଠାରେ ସବୁଜିମା ଆଉ ସୁନା ଫଳାଯାଇପାରେ। ଏହା ବ୍ୟତୀତ ଏହି ସବୁ ଗ୍ରାମରେ ସୌର ଶକ୍ତିକୁ ବ୍ୟବହାର କରାଯାଇଥାଏ। ଯାହା ଫଳରେ ପରିବେଶର ହାନି ପ୍ରଭାବକୁ ସହଜରେ ଏଡ଼ାଇ ଦିଆଯାଇପାରେ। ଏହା ଗ୍ରାମୀଣ ପରିବେଶରେ ଶକ୍ତି ସଂଚୟ କରିବା ସହ ଏକ ସବୁଜ ପରିବେଶ ଗଠନ ଦିଗରେ ଅଗ୍ରସର ହେବାକୁ ଖୋରାକ ଯୋଗାଏ। ରାଜ୍ୟ ସରକାରଙ୍କ ତରଫରୁ ଏ ଦିଗରେ ସ୍ୱତନ୍ତ୍ର ଫଣ୍ଡ୍ ବା ପାଣ୍ଠିର ବ୍ୟବସ୍ଥା କରି କାର୍ଯ୍ୟକାରୀ କରାଯାଉ।
ଭୁବନେଶ୍ୱର, ମୋ-୯୪୩୮୪୬୭୦୭୯
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।