Bookshelf
ଦେବ ରଞ୍ଜନ
ଭୁବନେଶ୍ଵରରେ ଆନୁମାନିକ ଜନସଂଖ୍ୟା ହେବେ ୧୩ ଲକ୍ଷ। ଏଥିରୁ ଧରିନିଅନ୍ତୁ ଓଡ଼ିଆ ପଢ଼ି ପାରୁଥିବା ଲୋକଙ୍କ ସଂଖ୍ୟା ହେବ ଅତିକମରେ ୮ ଲକ୍ଷ। ହୁଏତ ଏହାଠାରୁ ଅଧିକ ମଧ୍ୟ ହେବେ। ସେ ମଧ୍ୟରୁ ଉତ୍ତମ ଭାବରେ ଓଡ଼ିଆ ବହି ପଢ଼ି ପାରୁଥିବା ଲୋକଙ୍କ ସଂଖ୍ୟା ନିଶ୍ଚିତ ଭାବରେ ଏକ ଲକ୍ଷ ହେବେ। ହୁଏତ ଏହାଠାରୁ ଅଧିକ ମଧ୍ୟ ହୋଇପାରନ୍ତି।
ଏହି ଏକ ଲକ୍ଷ ଲୋକଙ୍କ ପଢ଼ିବା କ୍ଷୁଧାକୁ ମେଣ୍ଟାଇବା ଲାଗି ଭୁବନେଶ୍ଵର ସହର ମଧ୍ୟରେ ରହିଛି କେତେ ଗୋଟି ଓଡ଼ିଆ ବହି ଦୋକାନ? ମାତ୍ର ଗୋଟିଏ। ଭୋକ ମେଣ୍ଟାଇବା ଓ ଉତ୍ତମ ଖାଦ୍ୟ ଖାଇବା ଲାଗି ରହିଛି କେତେ ଗୋଟି ଦୋକାନ ଓ ରେଷ୍ଟରାଣ୍ଟ? ଅସଂଖ୍ୟ। ଏହି ବିଷମତା କ’ଣ ପାଇଁ?
ଏଠାରେ ଆମେ ପାଠ୍ୟପୁସ୍ତକ ମିଳୁଥିବା ପୁସ୍ତକ ଦୋକାନ ସମ୍ପର୍କରେ ଆଲୋଚନା କରୁନାହେଁ। ପାଠ୍ୟପୁସ୍ତକ ଦୋକାନ ପ୍ରତ୍ୟେକ ସ୍କୁଲ ଓ କଲେଜ ନିକଟରେ ରହିଛି। ଏଥିରେ ଖାତା, ପେନ, ପେନସିଲ, ସ୍କୁଲ ଓ କଲେଜ ପାଠ୍ୟ ପୁସ୍ତକ ଓ ସ୍କୁଲ ଦ୍ଵାରା ବରାଦ ହେଉଥିବା ଅନେକ ଜିନିଷ ମିଳିଥାଏ।
ସ୍କୁଲ କଲେଜ ବହି ମିଳୁଥିବା ଦୋକାନରେ ଓଡ଼ିଆ ପ୍ରକାଶକଙ୍କ ଦ୍ଵାରା ପ୍ରକାଶିତ ଗଳ୍ପ, କବିତା, ନାଟକ, ଉପନ୍ୟାସ, ପ୍ରବନ୍ଧ, ଭ୍ରମଣ କାହାଣୀ ଓ ଆତ୍ମଜୀବନୀ ପୁସ୍ତକ ମିଳିନଥାଏ ଅଥବା ବହୁତ କମ ରହିଥାଏ। କାରଣ ସେହି ସୀମିତ ସ୍ଥାନରେ ସେ ବା କାହିଁକି ‘ଆଜୁରୁ ବାଜୁରୁ ବହି ରଖିବେ’!
ଗଳ୍ପ, କବିତା, ନାଟକ, ଉପନ୍ୟାସ ଇତ୍ୟାଦି ପୁସ୍ତକ ମିଳୁଥିବା ଦୋକାନର ସଂଖ୍ୟା ଭୁବନେଶ୍ଵରରେ ଆଜି ଗୋଟିଏ, ପୁରୁଣା ବସ ଷ୍ଟାଣ୍ଡ ନିକଟରେ ଜୀବିତ ରହିଛି। ଅର୍ଥାତ ଭୁବନେଶ୍ଵରର ୮ ଲକ୍ଷ ଓଡ଼ିଆ ପାଠକ ଅଥବା ଏକ ଲକ୍ଷ ଉତ୍ତମ ପାଠକଙ୍କ ଆବଶ୍ୟକତାକୁ କେବଳ ଏକମାତ୍ର ପୁସ୍ତକ ଦୋକାନ ପୂରଣ କରୁଛି। ଏହାକୁ ଆବଶ୍ୟକତା କୁହାଯିବ ନା ବ୍ୟବସାୟଗତ ବାଧ୍ୟତା?
ମୋ ଜାଣିବାରେ ଭୁବନେଶ୍ଵର ସହରରେ ନବେ ଦଶକରେ ବାଣୀ ବିହାର ମଧ୍ୟରେ, ବାଣୀ ବିହାର ଛକରେ, ମାଷ୍ଟର କାଣ୍ଟିନ ଛକରେ, ପୁରୁଣା ବସ ଷ୍ଟାଣ୍ଡ ଓ ପୁରୁଣା ଭୁବନେଶ୍ଵର ଅଞ୍ଚଳରେ ଗଳ୍ପ କବିତା ଉପନ୍ୟାସ ତଥା ଓଡ଼ିଆ ପତ୍ରପତ୍ରିକା ମିଳୁଥିବା ଦୋକାନ ଥିଲା। ଏତଦବ୍ୟତୀତ, ଭୁବନେଶ୍ଵର ଷ୍ଟେସନର ପ୍ରବେଶ ଦ୍ଵାରା ନିକଟରେ ମଧ୍ୟ ଏକ ଦୋକାନ ଥିଲା। ଆଜି ପୁରୁଣା ବସ ଷ୍ଟାଣ୍ଡ ଦୋକାନକୁ ବାଦ ଦେଲେ ବାକି ସମସ୍ତ ଦୋକାନ ବନ୍ଦ ହୋଇଯାଇଛି। ବହି କିଣି ପଢୁଥିବା ପାଠକଙ୍କ ଅଭାବ ହେତୁ ଅନେକ ବହି ଦୋକାନ ବନ୍ଦ ହୋଇଗଲା।
ଭୁବନେଶ୍ଵର ସହରରେ ଏକ ‘ପୁସ୍ତକ ଆନ୍ଦୋଳନ’ ନାମରେ ଭ୍ରାମ୍ୟମାଣ ପୁସ୍ତକ ଭଣ୍ଡାର ଥିଲା। ସହରର ବିଭିନ୍ନ ସ୍ଥାନରେ ସେମାନେ ବିଭିନ୍ନ ଭାଷାର ପୁସ୍ତକର ପ୍ରଦର୍ଶନୀ ଓ ବିକ୍ରି କରୁଥିଲେ। ତାହା ମଧ୍ୟ ପାଠକ ଅଭାବରୁ ବନ୍ଦ ହୋଇଗଲାଣି।
ପୁସ୍ତକ ଆମକୁ ଆମର ଅଜଣା ଲେଖକ/ଲେଖିକାଙ୍କ ଭାବନା ସହିତ ପରିଚୟ ସୃଷ୍ଟି କରେ। ପୁସ୍ତକ ଆମକୁ କଳ୍ପନା କରିବାରେ ସାହାଯ୍ୟ କରେ। ଏହା ଅତୀତ ସହିତ ଆମକୁ ଯୋଡ଼ିଥାଏ। ପୃଥିବୀ ତଥା ପୃଥିବୀ ବାହାରର ବିଷୟ ସହିତ ପରିଚିତ କରାଏ। ପୁସ୍ତକ କ’ଣ ନଦିଏ ଏହା କହିବା କଷ୍ଟ। ଏଥିଲାଗି ଆବଶ୍ୟକ ହୁଏ ଯେ ଆମେ ଆମର ଆଖି ଓ କାନ ଖୋଲା ରଖିଥିବା ଆବଶ୍ୟକ।
ମଣିଷ ନିଜକୁ ନିଜର ଭୌଗୋଳିକ କ୍ଷେତ୍ର ଓ ପରମ୍ପରା ମଧ୍ୟରେ ସଙ୍କୁଚିତ ନୁହେଁ, ବ୍ୟାପକ କରିପାରିଲେ ନିଜ ମଧ୍ୟରେ ରହିଥିବା ଅନ୍ଧତ୍ଵ ଦୂର କରିପାରିବ। କୌଣସି ବିଚାରର ଅଥବା କୌଣସି ସଂଘ, ସଂସ୍ଥା, ନେତା କି ଧାର୍ମିକ ବାବାଙ୍କ ଅନ୍ଧ ଭକ୍ତ ନହୋଇ ସେମାନଙ୍କୁ ନିଜ ଦୃଷ୍ଟିଭଙ୍ଗୀରେ ବିଶ୍ଳେଷଣ କରିବ। ବିଶ୍ଳେଷଣର ଆଗ୍ରହ ରଖିବ। ନିଜେ ଅନେକ ବିଷୟରେ ଚିନ୍ତା କରିପାରିବ। ନିଜ ମଧ୍ୟରେ ରହିଥିବା ଶିଥିଳତାକୁ ଭାଙ୍ଗିବ। ଏହା ସେ କରିପାରିବ ଯେ ଯଦି ସେ ନିୟମିତ ପାଠକ ହୋଇପାରିବ।
କିନ୍ତୁ ଆଜିର ସମୟରେ ପୁସ୍ତକ ଦୋକାନ ବନ୍ଦ ହେବା ପଛରେ ଏକମାତ୍ର କାରଣ ହେଉଛି ପାଠକର ଅଭାବ। ଏହି ଅଭାବ କେବଳ କ’ଣ ଭୁବନେଶ୍ଵରରେ ଅଛି?
କଟକ ଏକ ପୁରାତନ ସହର। ଏଠାରେ ଅନେକ ଓଡ଼ିଆ ପ୍ରକାଶକ ଓଡ଼ିଆ ପୁସ୍ତକର ବ୍ୟବସାୟ କରିଆସୁଛନ୍ତି। ସେମାନଙ୍କର ମୁଖ୍ୟ କାର୍ଯ୍ୟାଳୟ କଟକ ସହରରେ ଅଛି। ସମସ୍ତଙ୍କର ନିଜସ୍ଵ ଦୋକାନ ରହିଛି। ସେହି ଦୋକାନରେ କେବଳ ନିଜ ପ୍ରକାଶିତ ପୁସ୍ତକ ମିଳୁଛି। ସେହି କଟକ ସହରର ଅନ୍ୟ ପ୍ରକାଶକଙ୍କ ପୁସ୍ତକ ସେଠାରେ ମିଳୁନାହିଁ। ପୁସ୍ତକର ନାମ ଓ ଲେଖକ/ଲେଖିକାଙ୍କ ନାମ ଜାଣିଥିଲେ ଏଠାରେ ଯଥେଷ୍ଟ ନୁହେଁ। ଆପଣଙ୍କୁ ପ୍ରକାଶକଙ୍କ ନାମ କହିଲେ ସେମାନେ ପ୍ରକାଶକଙ୍କ ଠିକଣା ହୁଏତ ଠିକରେ କହିଦେଇପାରନ୍ତି। କିନ୍ତୁ ସେହି ପୁସ୍ତକ ପାଇବାକୁ ହେଲେ ଆପଣଙ୍କୁ ସେହି ନିର୍ଦ୍ଦିଷ୍ଟ ପ୍ରକାଶକଙ୍କ ପାଖକୁ ଯିବାକୁ ପଡ଼ିବ।
ପୂର୍ବରୁ କଟକ ସହରର ବାଦାମବାଡ଼ି ମଧ୍ୟରେ ଓ ଏଲଆଇସି ଅଫିସ ନିକଟରେ ଏକ ପୁସ୍ତକ ଦୋକାନ ଥିଲା। ଏଠାରେ କଟକର ସମସ୍ତ ପ୍ରକାଶକଙ୍କ ଦ୍ଵାରା ପ୍ରକାଶିତ ପୁସ୍ତକ ଅନ୍ତତଃ ଗୋଟିଏ ସ୍ଥାନରେ ମିଳୁଥିଲା। ସେଠାରେ ମଧ୍ୟ ପାଠକ ମରୁଡ଼ି କାରଣରୁ ଦୋକାନ ବନ୍ଦ ହୋଇଗଲା।
ମୋର କାର୍ଯ୍ୟ ପାଇଁ ଓଡ଼ିଶାର ଅନେକ ସହର ମୁଁ ନବେ ଦଶକରୁ ଯାଉଛି। ମୋ ଦେଖିବାରେ ବରଗଡ଼ ସହରର ସରକାରୀ ବସ ଷ୍ଟାଣ୍ଡ ମଧ୍ୟରେ ଏକ ବିରାଟ ପୁସ୍ତକ ଦୋକାନ ଥିଲା ଯାହା ଆଜି ବନ୍ଦ ହୋଇଯାଇଛି। ସମ୍ବଲପୁର ସହର ମଧ୍ୟରେ ଅବସ୍ଥିତ ଗଙ୍ଗାଧର ମେହେର କଲେଜ (ଏବେ ବିଶ୍ୱବିଦ୍ୟାଳୟର ମାନ୍ୟତା ପାଇଛି) ସାମ୍ନା ଏକ କ୍ୟାବିନରେ ଓଡ଼ିଶାର ଅନେକ ପତ୍ରପତ୍ରିକା, ସାହିତ୍ୟ ପୁସ୍ତକ ମିଳୁଥିଲା। ଏହିଠାରେ ମୋତେ କୁମାର ହସନଙ୍କ ଅନୁବାଦ ପୁସ୍ତକ ଓ କବିତା ବହି ମିଳିଥିଲା। କିନ୍ତୁ ଗଲା ବର୍ଷ ଦେଖିଲି ଯେ ସେ ଦୋକାନ ଆଉ ସେଠାରେ ନାହିଁ।
ବାଲେଶ୍ଵର ସହରର ଫକିର ମୋହନ କଲେଜ ସାମ୍ନାରେ ଏକ ପୁସ୍ତକ ଦୋକାନ ଥିଲା ଯେଉଁଠି ଫକିର ମୋହନଙ୍କ ଠାରୁ କବି ବ୍ରଜନାଥ ରଥଙ୍କ ଯାଏଁ ଅନେକ ଓଡ଼ିଆ ଲେଖକ ଓ କବିଙ୍କ ବହି ନିଶ୍ଚିତ ମିଳୁଥିଲା। ଏହି ପୁସ୍ତକ ଦୋକାନର ବିଶେଷତ୍ଵ ଥିଲା ଯେ ପ୍ରତ୍ୟେକ ଲେଖକ/ପ୍ରକାଶକ ନିଜର ପୁସ୍ତକ ଏଠାରେ ବିକ୍ରି ପାଇଁ ରଖୁଥିଲେ। ପରେ ବିକ୍ରି ହୋଇଥିବା ପୁସ୍ତକର ୩୦ ପ୍ରତିଶତ ମୂଲ୍ୟ ରଖି ବାକି ଟଙ୍କା ପୁସ୍ତକ ଦୋକାନୀ ପ୍ରକାଶକଙ୍କୁ ଫେରାଇ ଦେଉଥିଲେ। ତେଣୁ ଲେଖକ ଓ ପ୍ରକାଶକଙ୍କ ମଧ୍ୟରେ ଆଗ୍ରହ ଥିଲା। ମାତ୍ର ପାଠକ ଅଭାବ କାରଣରୁ ସେହି ପୁସ୍ତକ ଦୋକାନ ଏବେ କେବଳ ପାଠ୍ୟ ପୁସ୍ତକ ରଖୁଛନ୍ତି। ସୀମିତ ସ୍ଥାନ ହେତୁ ଅନ୍ୟ ପୁସ୍ତକ ରଖିବା ବନ୍ଦ କରିଦେଇଛନ୍ତି।
ଏହି ପାଠକ ଅଭାବରୁ ମୋ ଦେଖିବାରେ ପୁରୀର ଷ୍ଟେସନ ଭିତରେ ଓ ଗୁଣ୍ଡିଚା ମନ୍ଦିର ସାମ୍ନାରେ ଚାଲିଥିବା ପୁସ୍ତକ ଦୋକାନ ଆଜି ବନ୍ଦ ହୋଇଯାଇଛି। ଅଥଚ ଏଠାରେ ଦିନେ ପୂଜା ସଂଖ୍ୟାରେ ବାହାରୁଥିବା ସାହିତ୍ୟ ପତ୍ରିକା ସନ୍ଧ୍ୟାରେ ଆସି ପହଞ୍ଚିଲେ ତା’ ପରଦିନ ସରିଯାଉଥିଲା। ପତ୍ରିକା ଆସିଲା କି ନାହିଁ ଅନେକ ଲୋକ ପଚାରି ଯାଉଥିଲେ। ଆଜି ସେ ସବୁ ବନ୍ଦ ହୋଇଯାଇଛି।
ଜୟପୁର ବସ ଷ୍ଟାଣ୍ଡ ମଧ୍ୟରେ ଥିବା ଦୋକାନରେ ଏବେ କେବଳ ଖବରକାଗଜ ଓ କାଁ ଭାଁ ପତ୍ରିକା ମିଳୁଛି। କୋରାପୁଟ ଗୋଲେଇ ଛକର ପୁସ୍ତକ ଦୋକାନର ସେହି ଅବସ୍ଥା। ବ୍ରହ୍ମପୁର ସରକାରୀ ବସ ଷ୍ଟାଣ୍ଡ ନିକଟରେ ଅନେକ ନୂଆ ଓ ପୁରୁଣା ବହି ଦୋକାନ ଥିଲା। ସେଠାରୁ ମୁଁ ଶ୍ରମିକ ଆନ୍ଦୋଳନର କିଛି ବହି ପାଇଥିଲି। ଆଜି ସେ ସବୁ ଦୋକାନ ହୋଟେଲ ଅଥବା ଷ୍ଟେସନାରୀ ଦୋକାନରେ ପରିଣତ ହୋଇଛି।
ସମଗ୍ର ଓଡ଼ିଶାରେ ଆଜି ଓଡ଼ିଆ ପାଠକ ସଂଖ୍ୟାରେ ବିରାଟ ମରୁଡ଼ି ଦେଖାଯାଇଛି। ହୁଏତ ଏହାକୁ ଦୁର୍ଭିକ୍ଷ ମଧ୍ୟ କୁହାଯିବ। କେଉଁ ସ୍ତରରେ ପୁସ୍ତକ ପ୍ରତି ଆଗ୍ରହ ନାହିଁ। କାଁ ଭାଁ ଇଂରାଜୀ ପୁସ୍ତକ କିଣି ପଢ଼ିବାର ଅଭ୍ୟାସ କେତେକଙ୍କର ରହିଛି। ଓଡ଼ିଆ ପୁସ୍ତକ କିଣି ପଢ଼ିବାର ସଂସ୍କୃତି ଆଜି ଓଡ଼ିଆ ଭାଷାର ଲୋକେ ସଂପୂର୍ଣ୍ଣ ଭୁଲିଯାଇଛନ୍ତି।
ପୁସ୍ତକ ଲେଖିବା ଯେ ଏକ କାମ ଓ ଏହାର ବି କିଛି ମୂଲ୍ୟ ରହିଛି ତାହା ଆମର ସମାଜ ଏବେ ବି ସ୍ଵୀକାର କରିନାହିଁ। ଏହା ଆମ ଘରର ମହିଳାଙ୍କ କାର୍ଯ୍ୟ ସଦୃଶ - ଅଣମାନ୍ୟତାପ୍ରାପ୍ତ, ମୂଲ୍ୟହୀନ, ଅବସର ବିନୋଦନ କାର୍ଯ୍ୟରେ ପରିଣତ ହୋଇଛି। ଏହାକୁ ନା ପାଠକ ବୁଝୁଛନ୍ତି ନା ପ୍ରକାଶକ ବା ବିତରକ।
ମୋର ଜଣେ ବନ୍ଧୁ ୨୦୨୨ ମସିହାରୁ ଓଡ଼ିଆ ଭାଷାରେ ପ୍ରକାଶିତ ପୁସ୍ତକର ତାଲିକା କରିଆସୁଛନ୍ତି। ତାଙ୍କର କହିବା ହେଲା ଯେ ପ୍ରତି ବର୍ଷ ଓଡ଼ିଆ ଭାଷାରେ ଏକ ହଜାର ପୁସ୍ତକ ପ୍ରକାଶ ପାଉଛି। କେଉଁ ବର୍ଷ ଏହା ଅଧିକ ମଧ୍ୟ। ତେବେ ସେହି ସମସ୍ତ ପୁସ୍ତକ ମିଳୁଛି କେଉଁଠି?
ସତ କଥା ହେଉଛି ଯେ ଅନେକ ପ୍ରକାଶକ ଏବେ ୩୦/୪୦ଟି ବହି ଛାପିଦେଇ ଚୁପ ରହୁଛନ୍ତି। ପୁସ୍ତକ ଉନ୍ମୋଚନ ପରେ ଆଉ ସେହି ପୁସ୍ତକ ମିଳୁନାହିଁ। ପ୍ରକାଶକ ରାଜା ରାମମୋହନ ଲାଇବ୍ରେରୀ ମଧ୍ୟରେ ସରକାର କେଉଁଭଳି ୩୦୦ ପୁସ୍ତକ କିଣିନେବେ ସେଥିପ୍ରତି ଆଗ୍ରହୀ ହେଉଛନ୍ତି। ଯଦି ପୁସ୍ତକ ନିର୍ବାଚିତ ହେଲା ତେବେ ଅଧିକ ପୁସ୍ତକ ଛପାଯାଉଛି। ନହେଲେ ପୁସ୍ତକର ଉନ୍ମୋଚନ ଦିନ ହିଁ ଏହାର ବିସର୍ଜନ ଘଟୁଛି।
ଓଡ଼ିଆ ପୁସ୍ତକର ଲେଖକ/ଲେଖିକାଙ୍କ ମଧ୍ୟରୁ ଅଧିକାଂଶ ଚାକିରିଆ ଅଥବା ପେନସନ ପ୍ରାପ୍ତ ବୟସ୍କ ବ୍ୟକ୍ତି। ସେମାନେ ପ୍ରକାଶକଙ୍କୁ ଅର୍ଥ ଦେଇ ପୁସ୍ତକ ପ୍ରକାଶ କରୁଛନ୍ତି। ଏହାର ଉନ୍ମୋଚନ ସମୟରେ ଲେଖକ/ ଲେଖିକା ନିଜ ଜାଣିଥିବା ଅନ୍ୟ ଲେଖିକା/ ଲେଖକଙ୍କୁ ଡାକିଥାନ୍ତି। ଲେଖକ ନିଜ ଡାକିଥିବା ଲୋକଙ୍କୁ ଖଣ୍ଡିଏ ଖଣ୍ଡିଏ ନିଜ ପୁସ୍ତକ ବାଣ୍ଟିବା ଭିତରେ ପୁସ୍ତକ ସରିଯାଏ। ତାହା ବଜାରର ମୁହଁ ଦେଖିପାରେ ନାହିଁ। କେହି ପ୍ରତିବାଦ କରନ୍ତି ନାହିଁ ଯେ ମାଗଣା କାହିଁକି ଦେଉଛ। ଏହା ଅତି ଖରାପ ପରମ୍ପରା ଯାହା ବର୍ଷ ବର୍ଷ ହେଲା ଜାରିରହିଛି। ଉନ୍ମୋଚନ ପରେ ପୁସ୍ତକ ଆଉ ମିଳୁନାହିଁ।
ପ୍ରକାଶକଙ୍କ ବିରୁଦ୍ଧରେ କିନ୍ତୁ ଅଭିଯୋଗ ଅଛି ଯେ ସେ ଲେଖକ/ଲେଖିକାଙ୍କ ଠାରୁ ୨୦୦ରୁ ୩୦୦ ବହିର ଅର୍ଥ ନେଇ ଅଳ୍ପ ଛାପୁଛନ୍ତି। ଯଦି ଲେଖକ/ଲେଖିକା ବେଶ ନାମ କରିଛନ୍ତି ତେବେ ତାଙ୍କ ବହି ହୁଏତ ଅଧିକ ଛପାଯାଉଛି। ଲେଖନ, ପ୍ରକାଶନ ଓ ବିତରଣ ବ୍ୟବସ୍ଥା ସଂପୂର୍ଣ୍ଣ ଭାବରେ ପାରସ୍ପରିକ ବିଶ୍ଵାସ ଓ ସମ୍ମାନ ମଧ୍ୟରେ ଚାଲିଛି। ଏହା ମୋ ମତରେ ଠିକ ବି। କିନ୍ତୁ ବିଶ୍ଵାସ ଆଜିକାଲି ଅଧିକ ମାତ୍ରାରେ ଧୋକ୍କାରେ ପରିଣତ ହେଉଛି।
ଯଦିଓ ପୁସ୍ତକ ଉନ୍ମୋଚନର ଖବର ପ୍ରକାଶିତ ହେଉଛି ଓ ଖବରକାଗଜର ପୁସ୍ତକ ତାଲିକାରେ ଏହା ସ୍ଥାନିତ ହେଉଛି କିନ୍ତୁ ରାଜ୍ୟର କେଉଁ କେଉଁ ଅଞ୍ଚଳରେ ପୁସ୍ତକ ମିଳିବ ସେ ସ୍ଥାନ ସମ୍ପର୍କରେ କୌଣସିଠାରେ ଉଲ୍ଲେଖ ରହୁନାହିଁ। ଅର୍ଥାତ ପୁସ୍ତକ କେବଳ ଏକ ଖବର ହୋଇରହିଯାଉଛି। ଖବରକାଗଜମାନେ ପ୍ରାପ୍ତି ସ୍ଥାନ ଦର୍ଶାଉଥିଲେ ହୁଏତ ଅଧିକ କିଛି ପୁସ୍ତକ ବିକ୍ରି ହୋଇପାରନ୍ତା।
ପୁସ୍ତକ ଯେତେ ଭଲ ହୋଇଥିଲେ ବି ଏହାର ସମୀକ୍ଷା କରିବା ଓଡ଼ିଆ ଭାଷାରେ ଆଦୌ ଦେଖାଯାଉନାହିଁ। ଏହାର କାରଣ ମଧ୍ୟ ହେଉଛି ପାଠକଙ୍କ ସଂଖ୍ୟା କମ। ନିୟମିତ ପ୍ରକାଶ ପାଉଥିବା ଓଡ଼ିଆ ପତ୍ରିକା ନାହିଁ ବା ବହୁତ କମ ଅଛି। ସମୀକ୍ଷାର ମାନସିକତାର ଅଭାବ ମଧ୍ୟ ଓଡ଼ିଆ ସାହିତ୍ୟରେ ରହିଛି। ତେଣୁ ପୁସ୍ତକର ଯେଉଁଭଳି ପ୍ରସାର ହେବା କଥା ତାହା ହେଉନାହିଁ।
ଓଡ଼ିଆ ପାଠକ କମିବା ପଛରେ ଆଜିର ଟିଭି ସିରିଏଲ, ମୋବାଇଲ ଫୋନ ଓ ରିଲ ଦାୟୀ ବୋଲି ଯାହା କୁହାଯାଉଛି ତାହା ଭୁଲ। ହୁଏତ ଅଧିକ ଲୋକ ସେଥିପ୍ରତି ଆକୃଷ୍ଟ ହୋଇଥାଇପାରନ୍ତି। କିନ୍ତୁ ସେମାନଙ୍କୁ ଯଦି ମାସକ ଲାଗି ମୋବାଇଲ ଛଡ଼ାଇ ନିଆଯିବ ତେବେ ସେମାନେ ଯେ ଘରର ଥାକରେ ରହିଥିବା ପୁସ୍ତକକୁ ଖୋଜିବେ ତାହା ନୁହେଁ। କରୋନା ଲକଡାଉନ ସମୟରେ ଲୋକେ ଘରେ ବସିଥିଲେ। ପୁସ୍ତକର ବିକ୍ରି ବଢ଼ି ଯାଇଥିଲା କି? ଅନଲାଇନ ବ୍ୟବସାୟ ଚାଲିଥିଲା। ଲୋକେ ଚାହିଁଥିଲେ ପୁସ୍ତକ କିଣିପାରିଥାନ୍ତେ।
ଏହା ସ୍ଵୀକାର କରିବାକୁ ହେବ ଯେ ଓଡ଼ିଆ ଶିକ୍ଷିତ ବର୍ଗ ମଧ୍ୟରେ ଅନୁସନ୍ଧିତ୍ସା କମିବାରେ ଲାଗିଛି। ଅଧିକ ବିଷୟରେ ଜାଣିବାର ଆଗ୍ରହ ନାହିଁ। ଅର୍ଥ ରୋଜଗାର କରିବା ଓ ଖର୍ଚ୍ଚ କରିବାର ବଜାରୀ ମାନସିକତା କବଜା କରିନେଇଛି। ହୋଟେଲ ଓ ପର୍ଯ୍ୟଟନ ସଂସ୍କୃତି ବଢ଼ିଛି। ସେଲେବ୍ରିଟି ହେବାର ଆଗ୍ରହ ବଢିଛି। କିନ୍ତୁ ବହି କିଣିବା ସଂସ୍କୃତି ଲୋପ ପାଉଛି। ନିଜ ବିଷୟରେ ଓ ନିଜର ପଡ଼ୋଶୀ ବିଷୟରେ ମଧ୍ୟ ଜାଣିବାର ଆଗ୍ରହ ରହୁନାହିଁ। ନିଜେ ନୂଆ କିଛି ଭାବିବାର ସାହସ ନାହିଁ। କୌଣସି ଜାଣିନଥିବା ମଣିଷ ସମ୍ପର୍କରେ ଜାଣିବା ଓ ତାହା ସହିତ ସମ୍ପର୍କ ସ୍ଥାପନର ଆଗ୍ରହ କମିଯାଉଛି। ହୁଏତ ଏହିଭଳି ଅନେକ କାରଣ ରହିଛି।
ଓଡ଼ିଆ ସାହିତ୍ୟରେ ଏବେ ଆସିଥିବା ମରୁଡ଼ି ପଛରେ ରହିଥିବା କାରଣ ସମ୍ପର୍କରେ ଆମେ ସମସ୍ତେ ଭାବିବା ଆବଶ୍ୟକ। ଏହାକୁ ଦୂର କରିବା ଜରୁରୀ। ପଢ଼ିବା ଓ ପୁସ୍ତକର ସମୀକ୍ଷା କରିବା ଦ୍ଵାରା ପୁଣି ସେହି ସ୍ଥିତି ଆସିପାରିବ ଯାହାକୁ ଆମେ ଛାଡ଼ିଆସିଛେ।
ମୋବାଇଲ- ୯୪୩୭୭୬୨୨୭୨
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Bookshelf_1755848102.jpg)