Representative Image Photograph: (Internet)
ଡ. ରୀନା ରାଉତରାୟ
ପରିବେଶ ସମ୍ପର୍କୀୟ ଏକ ଆଲୋଚନା ଚକ୍ରରେ ଗ୍ରାମାଞ୍ଚଳରୁ ଆସିଥିବା ଜଣେ ଯୁବତୀଙ୍କର ପ୍ରଶ୍ନ ଥିଲା- ଆମ ଅଞ୍ଚଳରେ ଝିଅମାନଙ୍କୁ ଖୁବ୍ କମ୍ ବୟସରେ ଵିଵାହ କରି ଦିଆ ଯାଉଛି। ଏହା ଆମର ଜଳବାୟୁ ବା ପରିବେଶ ଉପରେ କିପରି ପ୍ରଭାଵ ପକାଏ?
ଶୁଣିବାକୁ ଖୁବ୍ ସହଜ ପ୍ରଶ୍ନ ଥିଲେ ମଧ୍ୟ ସେ ସମ୍ବେଦନଶୀଳ ପ୍ରଶ୍ନରେ ଅନେକ ଆହ୍ୱାନ ରହିଥିଲା। ପ୍ରକୃତପକ୍ଷେ ଜଳବାୟୁ ପରିବର୍ତ୍ତନର ପ୍ରଭାଵ ହିଁ ଗ୍ରାମାଞ୍ଚଳରେ ଝିଅମାନଙ୍କୁ ଅଳ୍ପ ବୟସରେ ଵିଵାହ କରାଇବାକୁ ବାଧ୍ୟ କରେ।
ପରିବେଶ ଅସନ୍ତୁଳିତ ହେବା ଯୋଗୁଁ ଅସମୟ ବାତ୍ୟା, ବନ୍ୟା ଓ ମରୁଡ଼ି ସମସ୍ୟା ସୃଷ୍ଟି ହୋଇ ସ୍ଥାନୀୟ ଅଧିବାସୀଙ୍କ କୃଷି ଜନିତ ମୁଖ୍ୟ ଆୟକୁ ଭୀଷଣ ଭାବେ କ୍ଷତି ଗ୍ରସ୍ତ କରାଇଥାଏ। ଫଳତଃ ଅଭାବର ସମ୍ମୁଖୀନ ହୋଇ ଗରିବ ଚାଷୀ ପରିବାର ଭିଟାମାଟି ଛାଡ଼ି ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯିବାକୁ ବାଧ୍ୟ ହୁଅନ୍ତି।
ବଢିଲା ଝିଅକୁ ସାଙ୍ଗରେ ନେଇ ଏକ ଅନିଶ୍ଚିତ ଭବିଷ୍ୟତକୁ ବାହରି ଯିବା ସୁରକ୍ଷିତ ମନେ ନ କରି ଅପ୍ରାପ୍ତ ବୟସରେ ବାହା ଦେଇ ଚିନ୍ତା ମୁକ୍ତ ହୁଅନ୍ତି। ଦାଦନ ଶ୍ରମିକ ନାମରେ ନାବାଳିକା ଓ ଯୁବତୀ ଚାଲାଣ ମଧ୍ୟ ଏହାର ଅନ୍ୟ ଏକ କାରଣ।
ଜଳବାୟୁ ପରିବର୍ତ୍ତନର ପ୍ରଭାବ ଯୋଗୁଁ ନଦୀ ଶୁଖି ଯାଇଥାଏ, ସ୍ଥାନୀୟ ଭୂତଳ ଜଳସ୍ତର କମି ଯାଏ, ଦୂଷିତ ହୁଏ। ଜଙ୍ଗଲରୁ ଗଛ କଟା ଯାଇ ଜଙ୍ଗଲ ନିପାତ ହୁଏ।
ତେଣୁ ଦୈନଦିନ ବ୍ୟବହାର ପାଇଁ ଜାଳେଣୀ କାଠ ଓ ପାନୀୟ ଜଳ ସଂଗ୍ରହରେ ଛୋଟ ଛୋଟ ଝିଅ ମାନେ ବହୁ ଦୂର ଦୁରାନ୍ତରକୁ ଯାଇ ଥାଆନ୍ତି। ସ୍କୁଲ ଯାଇ ପାଠ ପଢ଼ିବା ସେମାନଙ୍କ ପାଇଁ ସ୍ୱପ୍ନ ହୋଇ ଯାଏ। ପାଠ ନ ପଢ଼ି ବେଶୀ ବୟସ୍କ ଝିଅ ମାନଙ୍କୁ ଵିଵାହ କରାଇବା ପାଇଁ ଯୌତୁକ ଦେଇ ନ ପାରିବାର ଭୟରେ ଅସହାୟ ପିତାମାତା ତାଙ୍କ ନାବାଳିକା ଝିଅ ମାନଙ୍କୁ ଅଳ୍ପ ବୟସରେ ଵିଵାହ କରାଇବାକୁ ବାଧ୍ୟ ହୁଅନ୍ତି।
ତେଣୁ ଆଜି ଆମେ ଯେତେବେଳେ ପରିବେଶ ସଙ୍କଟ, ଜଳବାୟୁ ପରିବର୍ତ୍ତନ, ଅନିୟନ୍ତ୍ରିତ ଖଣିଜ ଖନନ, ଜଙ୍ଗଲ କଟା କିମ୍ବା ନଦୀ ଦୂଷଣ ଉପରେ କଥା ହୁଏ, ସେତେବେଳେ ଏହାକୁ ସାଧାରଣତଃ ପ୍ରକୃତିର ସମସ୍ୟା ବୋଲି ଧରି ନିଅଯାଏ। କିନ୍ତୁ ଏହି ସମସ୍ୟାର ସବୁଠୁ ଗଭୀର ଓ ନୀରବ ପ୍ରଭାବ କାହା ଉପରେ ପଡ଼ୁଛି, ତାହା ଆମେ ଗମ୍ଭୀର ଭାବେ ଭାବୁନାହିଁ। ବାସ୍ତବ ସତ୍ୟ ହେଉଛି, ପ୍ରକୃତି ଯେତେ ଆହତ ହେଉଛି, ସେହି ଆଘାତର ପ୍ରଥମ ଓ ଗଭୀର ପ୍ରତିଫଳନ ମହିଳାମାନଙ୍କ ଜୀବନରେ ଦେଖାଯାଉଛି।
ଏହି ପରିପ୍ରେକ୍ଷୀରେ ‘ଇକୋ–ନାରୀବାଦ’ ଆମକୁ ଏକ ନୂଆ ଦୃଷ୍ଟିକୋଣ ଦେଉଛି। ପ୍ରକୃତି ଧ୍ୱଂସ ଓ ନାରୀ ଦମନ ଦୁହେଁ ଏକେ ମନସ୍ତତ୍ତ୍ୱର ଫଳ। ଏହା ନାରୀବାଦ ସପକ୍ଷରେ ଯୁକ୍ତି ନୁହେଁ ବରଂ ଦୈନିକ ଜୀବନର ଅନୁଭବ ଓ ଗବେଷଣାରୁ ଜନ୍ମ ନେଇଥିବା ଏକ ସତ୍ୟ। ଏହି ଧାରଣାକୁ ବିଶ୍ୱସ୍ତରରେ କ୍ୟାରୋଲିନ ମର୍ଚ୍ଚାଣ୍ଟ, ମାରିଆ ମିସ୍ ଓ ବନ୍ଦନା ଶିବାଙ୍କ ଭଳି ଚିନ୍ତକମାନେ ଗଭୀର କରିଛନ୍ତି। ସେମାନେ ଦେଖାଇଛନ୍ତି ଯେ ‘ବିକାଶ’ ନାମରେ ହେଉଥିବା ଅନେକ କାର୍ଯ୍ୟ ପ୍ରକୃତି ଓ ନାରୀ ଦୁହିଙ୍କୁ କ୍ଷତିଗ୍ରସ୍ତ କରୁଛି।
ବିଶ୍ୱବ୍ୟାଙ୍କ ଓ ଜାତିସଂଘର ଅଧ୍ୟୟନରୁ ଜଣାଯାଏ ଯେ ଜଳ ଅଭାବ ବଢ଼ିଲେ ଝିଅମାନଙ୍କ ଶିକ୍ଷା ସବୁଠୁ ପ୍ରଥମେ ପ୍ରଭାବିତ ହୁଏ, କାରଣ ପାଣି ଆଣିବାର ଓ ଜାଳେଣୀ କାଠ ସଂଗ୍ରହର ଦାୟିତ୍ୱ ସିଧାସଳଖ ସେମାନଙ୍କ ଉପରେ ପଡ଼େ। ଏହା ପରିବେଶ ସଙ୍କଟର ଏକ ଅଦୃଶ୍ୟ ସାମାଜିକ ମୂଲ୍ୟ।
କନ୍ଧମାଳ, କୋରାପୁଟ, ମାଲକାନଗିରିର ଆଦିବାସୀ ମହିଳାମାନେ ଜଙ୍ଗଲକୁ କେବଳ ସମ୍ପଦ ଭାବେ ନୁହେଁ, ମାଆ ଭାବେ ଦେଖନ୍ତି।
ସେମାନଙ୍କ ପାରମ୍ପରିକ ବୀଜ ସଂରକ୍ଷଣ,ଜୈବ ଚାଷ ଓ ଔଷଧୀୟ ଜ୍ଞାନ ଆଜିର ଆଧୁନିକ ପରିବେଶ ନୀତିରେ ପ୍ରାୟ ଅନୁପସ୍ଥିତ।
ଏହିଠାରେ ପ୍ରଶ୍ନ ଉଠେ, ମହିଳାମାନେ ଯଦି ପରିବେଶ ସଂକଟର ସବୁଠାରୁ ପୀଡ଼ିତ, ତେବେ ନୀତି ନିର୍ଦ୍ଧାରଣରେ ତାଙ୍କ ସ୍ୱର କାହିଁକି ନାହିଁ?
ଲୋ–କାର୍ବନ୍ ଜୀବନର ଓଡ଼ିଶୀ ମଡେଲ୍ ହେଲା ଓଡ଼ିଶାର ହସ୍ତତନ୍ତ କେବଳ ପରମ୍ପରା ନୁହେଁ,ଏହା ଏକ ପରିବେଶ ମିତ୍ର ଅର୍ଥନୀତି।
ସମ୍ବଲପୁରୀ, ବୋମକାଇ, କୋଟପାଡ଼, କଟକି, ବରହମ୍ ପୁରୀ ଇତ୍ୟାଦି ଶାଢୀ ବୁଣା ପଛରେ ମହିଳାଙ୍କ ଶ୍ରମ, ସମୟ ଓ ପ୍ରକୃତି ସହ ସମନ୍ଵୟ ରହିଛି। ଯେଉଁଠି ଫାଷ୍ଟ ଫ୍ୟାସନ୍, ପାଣି, ବିଦ୍ୟୁତ ଓ ରାସାୟନିକ ଦ୍ରବ୍ୟର ବ୍ୟବହୃତ ହୁଏ, ସେଠି ହସ୍ତତନ୍ତ ନିମ୍ନ କାର୍ବନ୍ ନିଷ୍କରଣର ଏକ ଉଦାହରଣ। କିନ୍ତୁ ଏହି ଚିରସ୍ଥାୟୀ ମଡେଲ୍ ନୀତି ଆଲୋଚନାରେ ପ୍ରାୟ ଦ୍ୱିତୀୟ ସ୍ଥାନରେ ରହିଯାଏ।
ଭାରତର ପରିବେଶ ଆନ୍ଦୋଳନର ଇତିହାସ ଦେଖିଲେ ସ୍ପଷ୍ଟ ହୁଏ ଯେ ନାରୀମାନେ କେବଳ ପୀଡିତ ନୁହେଁ, ସେମାନେ ପ୍ରତିରୋଧର ନେତୃତ୍ୱ ମଧ୍ୟ ଦେଇଛନ୍ତି। ଚିପ୍କୋ ଆନ୍ଦୋଳନରେ ଗାଁର ନାରୀମାନେ ଗଛକୁ ଆଲିଙ୍ଗନ କରି ଜଙ୍ଗଲ କଟାକୁ ରୋକିଥିଲେ। ସେହି ଆନ୍ଦୋଳନ ପ୍ରମାଣ କରିଥିଲା ଯେ ପ୍ରକୃତି ସୁରକ୍ଷା ମାନେ କେବଳ ପରିବେଶ ନୁହେଁ, ଜୀବିକା ଓ ସମ୍ମାନର ପ୍ରଶ୍ନ।
ଓଡ଼ିଶାରେ ‘ଇକୋ ନାରୀବାଦ’ କୌଣସି ତତ୍ତ୍ୱ ନୁହେଁ, ଏହା ଜୀବନ୍ତ ଅନୁଭବ। ନିୟମଗିରି ପାହାଡ଼କୁ ନେଇ ଡ଼ଙ୍ଗରିଆ କନ୍ଧ ନାରୀମାନଙ୍କ ସଂଘର୍ଷ ଦେଖାଇଦେଇଛି ଯେ ପାହାଡ଼ କେବଳ ଖଣିଜ ଭଣ୍ଡାର ନୁହେଁ, ଏହା ଜୀବନ, ଆସ୍ଥା ଓ ଭବିଷ୍ୟତର ଆଧାର।
ସେହିପରି ଚିଲିକା ଅଞ୍ଚଳରେ ମତ୍ସ୍ୟଜୀବୀ ମହିଳାମାନେ ଜଳ ପ୍ରଦୂଷଣ ଓ ଅତ୍ୟଧିକ ବ୍ୟାପାରିକ ମାଛଧରା ବିରୋଧରେ ଆଜି ମଧ୍ୟ ସ୍ୱର ଉଠାଉଛନ୍ତି। ସେମାନଙ୍କ ପାଇଁ ପରିବେଶ ସୁରକ୍ଷା ମାନେ ଖାଲି ପରିବେଶ ନୁହେଁ, ପେଟର ଭାତ।
ପରିବେଶ ସଂକଟ କେବଳ ଗଛ ଲଗାଇବା, କାଟିବା ବା ତଥ୍ୟ, ନୀତି କିମ୍ବା ବିଶ୍ୱସ୍ତରୀୟ ଲକ୍ଷ୍ୟ ନୁହେଁ; ଏହା ମାଟିରେ ବଞ୍ଚୁଥିବା ଲୋକଙ୍କ ଜୀବନର ସତ୍ୟ, ଦୈନନ୍ଦିନ ଜୀବନର ଦୁଃଖ।
ଗ୍ରାମୀଣ ମହିଳା, ଆଦିବାସୀ, କୃଷକ ଓ କାରିଗରମାନଙ୍କ ସ୍ୱରରେ ଜଳବାୟୁ ପରିବର୍ତ୍ତନ, ଜଳ ସଂକଟ, ଜଙ୍ଗଲ ହ୍ରାସ ଓ ଜୀବିକା ସଙ୍କଟର ଅନୁଭୂତି ଲୁଚି ରହିଛି। ଯେତେବେଳେ ମାଟି, ଜଳ, ଜଙ୍ଗଲ ଓ ଦୈନନ୍ଦିନ ଜୀବନରୁ ଉଠୁଥିବା ସ୍ୱରକୁ ଶୁଣାଯାଏ, ପରିବେଶ ଆଲୋଚନା ବାସ୍ତବରେ ପରିବର୍ତ୍ତନଶୀଳ ହୁଏ।
ମାଟିର ସତ୍ୟ ଓ ମାଟିର ମଣିଷଙ୍କ ସ୍ୱର ଯେପର୍ଯ୍ୟନ୍ତ ନୀତି ନିର୍ଦ୍ଧାରଣ ଓ କାର୍ଯ୍ୟଧାରାର ମୁଖ୍ୟ ଆଧାର ହେବ ନାହିଁ, ସେପର୍ଯ୍ୟନ୍ତ ଏହାର ସ୍ଥାୟୀ ସମାଧାନ ସମ୍ଭବ ନୁହେଁ। ପ୍ରକୃତିର ଅଭିଭାବକ, ଗ୍ରାମୀଣ ମହିଳା ମାଆମାନଙ୍କ ସ୍ୱରକୁ ନିର୍ଣ୍ଣୟ ପ୍ରକ୍ରିୟାର କେନ୍ଦ୍ରରେ ଯେ ପର୍ଯ୍ୟନ୍ତ ଅର୍ନ୍ତଭୁକ୍ତ ନ କରା ଯାଇଛି ସେ ପର୍ଯ୍ୟନ୍ତ ଜଳବାୟୁ ନ୍ୟାୟ (Climate Justice) ଅପୂର୍ଣ୍ଣ ରହିବ। Climate Justice can't exist without gender Justice.
ଓଡ଼ିଶାରେ ଯୋଜନାର ଅଭାବ ନାହିଁ, ଜଳ ସଂରକ୍ଷଣ, ଜଙ୍ଗଲ ସୁରକ୍ଷା,ମହିଳା ସଶକ୍ତିକରଣ। କିନ୍ତୁ ପ୍ରଶ୍ନ ହେଉଛି, ଏହି ଯୋଜନା ତିଆରି ସମୟରେ ଗାଁର ଲୋକଙ୍କ ସହ କେତେ ଆଲୋଚନା ହୁଏ?
ପାହାଡ, ଜଙ୍ଗଲ ଓ ନଦୀ ଆଖପାଖର ଅଧିବାସୀଙ୍କ ପାରମ୍ପାରିକ ଜ୍ଞାନ କୌଶଳ ଓ ଅଭିଜ୍ଞତାକୁ କେତେଦୂର ସ୍ଥାନିତ କରାଯାଏ?
ଯଦି ନୀତି ମାଟିର ସତ୍ୟକୁ ଅନୁସରଣ କରେନାହିଁ, ସେ ନୀତି କାଗଜରେ ଭଲ ଦେଖାଯାଏ, କିନ୍ତୁ ବାସ୍ତବ ଜୀବନରେ କାମ କରେନାହିଁ। ପରିବେଶ ସୁରକ୍ଷା ଦିଗରେ ଯଦି ସତରେ ଚିନ୍ତା କରିବା ତେବେ ତେବେ ତାହା ଶୀତ ତାପ ନିୟନ୍ତ୍ରିତ ଅଫିସ ରୁମ୍ ରୁ ନୁହେଁ,ମାଟିରୁ ଆରମ୍ଭ ହେଉ।
ମାଟିର ସ୍ୱର ଶୁଣିବା- ଏହା ଦୟା ନୁହେଁ, ଏହା ନ୍ୟାୟ।
ଫୋ- ୯୪୩୮୨୭୨୧୫୨
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/12/31/eco-feminism-2025-12-31-13-36-22.jpg)