ପଞ୍ଚାନନ କାନୁନ୍ଗୋ
ଯୋଜନା ପରେ ଯୋଜନାମାନ ଦେଶରେ ଓ ରାଜ୍ୟରେ କାର୍ଯ୍ୟକାରୀ ହୋଇଆସିଛି। ଅନେକ ଅର୍ଥ ବ୍ୟୟ ହୋଇଛି। ସ୍ୱାଧୀନତା ପରର ପାଞ୍ଚ ଦଶନ୍ଧିରେ କିଛି ଯେ ଉତ୍ପାଦନମୁଖୀ ଓ ବିକାଶମୂଳକ କାର୍ଯ୍ୟ ନ ହୋଇଛି ତା’ ନୁହେଁ। ଅନେକ ଉତ୍ଥାନ ପତନ ଓ ବିପର୍ଯ୍ୟୟ ସତ୍ତ୍ୱେ ରାଜ୍ୟର ଆର୍ଥିକ ସ୍ଥିତିରେ ଉନ୍ନତି ଘଟଛି। ରାଜ୍ୟରେ ଶାସନ କରୁଥିବା ବିଜୁ ଜନତା ଦଳ ଓ ତା’ର ନେତା ନିରବଚ୍ଛିନ୍ନ ଭାବେ ଦୀର୍ଘ ୨୨ ବର୍ଷ ଧରି ଶାସନ କ୍ଷମତାରେ ରହି ସ୍ଥିର ଶାସନ ଚଳାଇ ଆସିଛନ୍ତି। ପ୍ରଥମ ଅବସ୍ଥା ଅର୍ଥାତ୍ ୨୦୦୦ରୁ ୨୦୦୪ ପର୍ଯ୍ୟନ୍ତ ରାଜ୍ୟର ଆର୍ଥିକ ସ୍ଥିତି ଉଜୁଡ଼ି ଯାଇଥିଲା। ଏକେତ ୧୯୯୯ର ମହାବାତ୍ୟାରେ ରାଜ୍ୟର ୧୬ଟି ଜିଲ୍ଲାରେ ଅନେକ କ୍ଷୟକ୍ଷତି ଘଟିଥିଲା। ରାଜ୍ୟଟି ଋଣଯନ୍ତାରେ ପଡ଼ି ଛଟପଟ ହେଉଥିଲା। ଯଦିଓ ଋଣଭାର ଏତେ ଅଧିକ ନଥିଲା ଓ ମାତ୍ର ୧୮,୧୦୦ କୋଟି ଟଙ୍କା ଥିଲା ତଥାପି ରାଜ୍ୟର ମୋଟ ଆୟର ଏକ ମୁଖ୍ୟ ଅଂଶ ଋଣ ପରିଶୋଧ ବାବଦକୁ ଚାଲି ଯାଉଥିଲା। କର୍ମଚାରୀ, ଶିକ୍ଷକ, ଅଧ୍ୟାପକଙ୍କ ପ୍ରତିମାସର ଦରମା ଦେବାକୁ ଋଣ କରିବାକୁ ପଡ଼ୁଥିଲା। ବର୍ଷକର ୩୬୫ ଦିନରୁ ୩୬୪ ଦିନ ରାଜ୍ୟକୁ ୱେଜ୍ ଆଣ୍ଡ୍ ମିନ୍ସ ଓ ଓଭର ଡ୍ରାଫ୍ଟ ଉପରେ ନିର୍ଭର କରିବାକୁ ହେଉଥିଲା। ରାଜସ୍ୱ ନିଅଣ୍ଟ ଖୁବ୍ ଅଧିକ ଥିଲା। ପାଖାପାଖି ୨୮୦୦ କୋଟି ଟଙ୍କାରେ ପହଂଚିଥିଲା। କେବଳ ଯାହା କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନାକୁ ନେଇ ରାଜ୍ୟରେ କିଛି କାର୍ଯ୍ୟ ହେଉଥିଲା, ହେଲେ ଆର୍ଥିକ ଅବସ୍ଥା ଏବେ ଖୁବ୍ ସୁଧୁରିଛି। ରାଜ୍ୟର ନିଜସ୍ୱ ଆୟ ପରିମାଣ ବୃଦ୍ଧି ଘଟୁଛି। ଗତ ୨୦୨୧ ମସିହାରେ ରାଜ୍ୟ ସରକାର ନିଜ ଆକଳନଠାରୁ ମଧ୍ୟ ଅଧିକ ରାଜସ୍ୱ ସଂଗ୍ରହ କରିପାରିଛନ୍ତି। ବିଶେଷତଃ ଖଣିଜ ପଦାର୍ଥରୁ ମିଳିଥିବା ବିଭିନ୍ନ ରାଜସ୍ୱ ଆୟ ଖୁବ୍ ବଢ଼ିବାରେ ଲାଗିଛି।
ଖଣିଜ ପଦାର୍ଥର ବେଆଇନ କାର୍ଯ୍ୟ ପାଇଁ ଖଣି ମାଲିକମାନଙ୍କ ଉପରୁ ୨୭ ହଜାର କୋଟି ଟଙ୍କା ୨୦୧୭ ଡିସେମ୍ବର ୩୧ ସୁଦ୍ଧା ଆଦାୟ ହେବାର ଥିଲା। ସେଥିରୁ ପାଖାପାଖି ୧୨,୦୦୦ କୋଟି ଟଙ୍କା ମିଳିଛି। ପାରାଦ୍ୱିପସ୍ଥିତ ତୈଳ ବିଶୋଧନାଗାରରୁ ପାଖାପାଖି ୩୦୦୦ କୋଟି ଟଙ୍କା ଟିକସ ବାବଦରେ ମିଳିଛି। କେନ୍ଦ୍ର ପ୍ରବର୍ତ୍ତିତ ଆଇନ ଫଳରେ ରାଜ୍ୟ ସରକାର ସେସ୍ ଭାବରେ ନିର୍ମାଣ କାର୍ଯ୍ୟରୁ ପ୍ରତି ବର୍ଷ ପାଖାପାଖି ୨୦୦୦ କୋଟି ଟଙ୍କା ପାଇଥାନ୍ତି। ଅନେକ ଅର୍ଥ ସରକାରଙ୍କ ତହବିଲକୁ ନ ହେଲେ ମଧ୍ୟ ଖଣିଥିବା ଜିଲ୍ଳାମାନଙ୍କ ପାଖରେ ପାଖାପାଖି ୩ ହଜାର କୋଟି ଟଙ୍କା ସଂଗ୍ରହ ହୋଇ ରହିଛି ଓ ପ୍ରତିବର୍ଷ ଏ ବାବଦରେ ଆୟ ମିଳିଥାଏ। ଏହି ସବୁ ଆୟ ଅନେକ ଭାବରେ ରାଜ୍ୟର ବାର୍ଷିକ ବଜେଟରେ ଚାପ ଲାଘବ କରେ। ରାଜ୍ୟ ମୁଖ୍ୟ ଫସଲ ଧାନ ଉତ୍ପାଦନ ମଧ୍ୟ ବୃଦ୍ଧି ପାଇଛି। ମୋଟାମୋଟି ଭାବେ ଦେଖିଲେ ୨୦୨୧ର ରାଜ୍ୟ ଆୟ ଭଲ ଅଛି ଓ ୨୦୨୨ରେ ବୃଦ୍ଧି ଘଟିବ।
ଏକ ପକ୍ଷରେ ଆୟ ବୃଦ୍ଧି ଘଟିବା ଏବଂ ବ୍ୟୟ ବୃଦ୍ଧି ଘଟିବା ସହିତ ତୃଟିପୂର୍ଣ୍ଣ ଅର୍ଥନୀତି ହେତୁ ରାଜ୍ୟରେ ଗରିବୀ, ପୁଷ୍ଟିହୀନତା ରକ୍ତଶୂନ୍ୟତା ଆଦି ଅପରିବର୍ତ୍ତିତ ଅବସ୍ଥାରେ ରହିଛି। ବରଂ ଅନେକ ଭାବରେ ବିକାଶ ଧାରାକୁ ଆକ୍ରାନ୍ତ କରୁଛି। ସମଗ୍ର ଭାରତରେ ଚିହ୍ନିତ ହୋଇଥିବା ୧୧୫ଟି ପଛୁଆ ଜିଲ୍ଲା ମଧ୍ୟରେ ଓଡ଼ିଶାର ୫ଟି ଜିଲ୍ଲା ଅନ୍ତର୍ଭୁକ୍ତ ଓ ଉପର ୩୫ଟି ମଧ୍ୟରେ ସ୍ଥାନିତ ଥିବାର ଦେଖାଯାଇଛି। ଏହି ପଛୁଆ ଜିଲ୍ଲାଗୁଡ଼ିକ ମୁଖ୍ୟତଃ ସେହି ଜିଲ୍ଲା ଯେଉଁଠାରେ ଆନୁଷ୍ଠାନିକ ପ୍ରସବହାର କମ୍, ଡ୍ରପ ଆଉଟ୍ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଅଧିକ, ବିଦ୍ୟୁତ ସଂଯୋଗ ପରିବାର ସଂଖ୍ୟା କମ୍, ପରିମଳ ବ୍ୟବସ୍ଥା ସଠିକ୍ ନୁହେଁ, ପୁଷ୍ଟିହୀନତା ଅଧିକ, ମାତୃ ଓ ଶିଶୁ ମୃତ୍ୟୁହାର ଅଧିକ, ଗାଁକୁ ପକ୍କା ସଡ଼କ ଅବା ଭଲ ପାନୀୟ ଜଳ ମିଳେନାହିଁ। ଏହି ସମସ୍ତ ଅବ୍ୟବସ୍ଥାକୁ ଲକ୍ଷ୍ୟ କରି ଏପରି ନିର୍ଣ୍ଣୟ ହୋଇଛି।
ଏଥିସହିତ ଜୀବନ ଧାରଣର ମାନ ନିର୍ଣ୍ଣୟ କଲେ ଅବା ରୋଜଗାରର ସ୍ଥାୟିତ୍ୱ ଓ ଆୟକୁ ନେଇ ଦେଖିଲେ ଆଞ୍ଚଳିକ ବୈଷମ୍ୟ ଖୁବ୍ ଅଧିକ ବୃଦ୍ଧି ପାଇବା ଦେଖାଯାଉଛି। ଅନେକ ଜିଲ୍ଲା ଏହି ୫ଟି ସହିତ ଯୋଡ଼ି ହୋଇଯିବ। ଅନେକ ଜିଲ୍ଲାର ଚାଷଜମିର ଦୁଇଫସଲି ପାଇଁ ଜଳସେଚନରୁ ବ୍ୟବସ୍ଥା ୧୫%ରୁ ଅଧିକ ନୁହେଁ। ଚାଷରୁ ଆୟ ଖୁବ୍ କମ୍। ସରକାରୀକୃତ ଆର୍ଥିକ ବୈଷମ୍ୟ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଗୋଟିଏ ବର୍ଗର ଲୋକ ସମୁଦାୟ ଲୋକସଂଖ୍ୟାର ମାତ୍ର ୫% ଅବସରକାଳୀନ ଭତ୍ତା ୨ ହଜାର ଟଙ୍କାରୁ ଅଧିକ ପାଉଥିବାବେଳେ ପାଖାପାଖି ୮୦% ଲୋକ ମାସିକ ମାତ୍ର ୩୦୦ ଟଙ୍କା ବାର୍ଦ୍ଧକ୍ୟ ଭତ୍ତା ପାଇଥାନ୍ତି। ଗୋଟିଏ ବର୍ଗର ଲୋକ ମାସିକ ୭୦ ହଜାର ଟଙ୍କାରୁ ଉର୍ଦ୍ଧ୍ୱ ଅବସରକାଳୀନ ଭତ୍ତା ପାଇଥାନ୍ତି। ସାମାଜିକ ନିରାପତ୍ତାରେ ବୈଷମ୍ୟ, ଆୟରେ ବୈଷମ୍ୟ, ସୁଯୋଗରେ ବୈଷମ୍ୟ, ଖର୍ଚ୍ଚରେ ବୈଷମ୍ୟ ବିକାଶ ପ୍ରତିବନ୍ଧକ ଭାବେ ଦେଖାଦେଉଛି।
ବିକାଶର ଯେଉଁ ଚିତ୍ର ଉପସ୍ଥାପନ କରାଯାଉଛି ସେ ସମସ୍ତ ‘ଗୋଦର ଗୋଡ଼ରେ ମାଉଁସ ଲାଗିବା’ ପରି ପ୍ରତ୍ୟେୟ ହେଉଛି। ଗୋଟିଏ ଗୋଷ୍ଠୀର ଆର୍ଥିକ ଉନ୍ନତି ଘଟୁଛି। ସମଗ୍ର ଲୋକ ସଂଖ୍ୟାର ମାତ୍ରା ୧୦% ଲୋକେ ପାଖାପାଖି ୫୦%ରୁ ଅଧିକ ରାଜ୍ୟ ସଂପତ୍ତିର ମାଲିକ ହୋଇଥିଲାବେଳେ ୫୦% ଲୋକଙ୍କ ପାଖରେ ମାତ୍ର ୧୫%ରୁ କମ୍ ସଂପତ୍ତି ରହିଛି। ଅନ୍ୟ ମଧ୍ୟବିତ୍ତ ୪୦% ଲୋକଙ୍କ ପାଖରେ ୩୫% ପାଖାପାଖି ସଂପତ୍ତି ରହିଛି।
ଅର୍ଥନୈତିକ ଗତି ସଂପର୍କରେ ସଚେତନ ଥାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତା୨୦.୨.୨୦୦୪ରେ ଆଞ୍ଚଳିକ ବୈଷମ୍ୟ ସଂପର୍କରେ ଅନୁଧ୍ୟାନ କରିବା ନିମନ୍ତେ ଜଷ୍ଟିସ୍ ଏସ୍.କେ. ମହାନ୍ତିଙ୍କ ଅଧ୍ୟକ୍ଷତାରେ ଗୋଟିଏ କମିଶନ ଗଠନ କରିଥିଲେ। ଏହି କମିଶନରେ ସଦସ୍ୟଭାବେ ଡଃ. ପି.କେ. ପତି, ପ୍ରଫେସର ପ୍ରସନ୍ନ ତ୍ରିପାଠୀ, ପ୍ରଫେସର ପି.ସି. ମହାପାତ୍ର ପ୍ରମୁଖ ସଦସ୍ୟ ରହିଥିଲେ। ଖୁବ୍ ବିଷଦ ଭାବେ ଅନୁଧ୍ୟାନ କରି ଉକ୍ତ କମିଶନ ମେ ୨୦୦୮ରେ ତଥ୍ୟ ଉପସ୍ଥାପନ କରିଥିଲେ। ମାନବ ବିକାଶ କ୍ଷେତ୍ରରେ ଗଜପତି ଜିଲ୍ଲା, ମାଲିକାନାଗିରି, ରାୟଗଡ଼ା, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ ଓ ମୟୂରଭଞ୍ଜ ଜିଲ୍ଳା ଅତି ଖରାପ ସ୍ଥିତିରେ ଥିବାବେଳେ, ସୋନପୁର, ଯାଜପୁର, ପୁରୀ, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, ଭଦ୍ରକ, କଟକ, ଜଗତସିଂହପୁର ଅବସ୍ଥା ଖୁବ୍ ଭଲ ଥିଲା। ଆଜି ମଧ୍ୟ ସେହି ସ୍ଥିତିରେ ବିଶେଷ କିଛି ପରିବର୍ତ୍ତନ ଘଟିନାହିଁ। ଏହି ସବୁ ଜିଲ୍ଲାର ସ୍ଥିତି ଏବେବି ଅତି ଖରାପ ଥିବାର ଜଣାଯାଏ। ବଲାଙ୍ଗୀର, କଳାହାଣ୍ଡି, ନୂଆପଡ଼ା ଜିଲ୍ଲାରୁ ଦାଦନଶ୍ରମିକ ସଂଖ୍ୟା ବଢ଼ିବାରେ ଲାଗିଛି। ଗଞ୍ଜାମ ଓ ଗଜପତି ଜିଲ୍ଲାରେ କାମ ନପାଇ ଅନ୍ୟତ୍ର ବିଶେଷତଃ ଗୁଜରାଟକୁ ଶ୍ରମିକ ଯାଉଥିବା ଆହୁରି ଖରାପ ଅବସ୍ଥାକୁ ଚାଲିଯାଇଛି। ପରିସ୍ଥିତି ଅନୁସାରେ, ମାଲକାନାଗିରି, କୋରାପୁଟ, କନ୍ଧମାଳ, ନବରଙ୍ଗପୁର, ଦେବଗଡ଼, ମୟୂରଭଞ୍ଜ, ରାୟଗଡ଼ା, କେଉଁଝର, ମୟୂରଭଞ୍ଜ ଆଦି ଅତି ଖରାପ, ବୌଦ୍ଧ, ସୋନପୁର, ଗଜପତି, କଳାହାଣ୍ଡି, ସୁନ୍ଦରଗଡ଼ ଆଦି ଖରାପ ଅବସ୍ଥାରେ ଥିବା ଏହି କମିଶନଙ୍କ ତଥ୍ୟରେ ରହିଥିଲା। ସବୁଠାରୁ ବଡ଼ ପ୍ରଣିଧାନ ଯୋଗ୍ୟ କଥା ହେଉଛି ବଡ଼ବଡ଼ ଖଣି ଥାଇ (ଟାଟା) ମୟୂରଭଞ୍ଜର ଅନେକ ବ୍ଲକର ଅଧିବାସୀଙ୍କ ଆର୍ଥିକ ଅବସ୍ଥା ଖରାପ। ସେହିପରି ସୁନ୍ଦରଗଡ଼ ଓ କେଉଁଝରର ଖଣିଜ ପଦାର୍ଥ ନେଇ ବଡ଼ କଳକାରଖାନା ଗଢ଼ି ଉଠିଥିଲାବେଳେ ଏଠିକାର ଅଧିବାସୀଙ୍କର ଆର୍ଥିକ ସ୍ଥିତି ଦିନକୁ ଦିନ ଖରାପ ହେବାର ଦେଖାଯାଉଛି। ସେଦିନ (୨୦୦୮ରେ) ପ୍ରକାଶିତ କମିଶନଙ୍କ ମତାମତ ଏବେର ୨୦୨୨ ମସିହାରେ ବିଶେଷ କିଛି ଫରକ ପଡ଼ିବ ନାହିଁ। ଏହା ଅବଶ୍ୟ ସତ୍ୟ ଯେ ରାସ୍ତାଘାଟର ଅନେକ ଉନ୍ନତି ଘଟିଛି। ବିପର୍ଯ୍ୟୟ ଘଟିଛି ସ୍ୱାସ୍ଥ୍ୟ ସେବାରେ ଶିକ୍ଷା ବ୍ୟବସ୍ଥାରେ। ଆୟର ତାରତମ୍ୟ ବୃଦ୍ଧି ପାଉଛି, ବେକାରୀ ବୃଦ୍ଧି ପାଉଛି। ଦାଦନ ଖଟିବାକୁ ଲୋକେ ଅଧିକରୁ ଅଧିକ ସଂଖ୍ୟାରେ ଯାଉଛନ୍ତି।
ଆର୍ଥିକ ସ୍ୱଚ୍ଛଳତା ଥିବାବେଳେ ଏହିସବୁ ଦିଗ ପ୍ରତି ଦୃଷ୍ଟିରଖି ସମସ୍ତ ପ୍ରକାରର ବୈଷମ୍ୟ ଦୂରକରିବା ପାଇଁ ସରକାରୀ ସଂକଳ୍ପ ହେବ ବୋଲି ଆଶା କରାଯାଏ। ସେଥିପାଇଁ ଯୋଜନା ପ୍ରସ୍ତୁତ ହେବା ଦରକାର। ଫଳତଃ ସବୁବର୍ଗର ବିଶେଷତଃ ତଳସ୍ତରରେ ଥିବା ୫୦% ଲୋକଙ୍କର ଆୟବୃଦ୍ଧି ଘଟିବା ସହିତ ତାରତମ୍ୟ ହ୍ରାସ ପାଇବ ବୋଲି ଆଶା କରାଯାଏ।
ଫୋ- ୯୪୩୮୩୬୦୮୪୯