ଆର୍ଥିକ ଅସମାନତାର ବିପଜ୍ଜନକ ଚିତ୍ର

ଦେଶରେ ଆର୍ଥିକ ବୈଷମ୍ୟର ଏକ ବଡ଼ କାରଣ ହେଉଛି ସରକାରଙ୍କ ଗରିବ ବିରୋଧୀ ତଥା ଧନୀ ସପକ୍ଷବାଦୀ ଟିକସ ବ୍ୟବସ୍ଥା।

  • ଭାଲଚନ୍ଦ୍ର ଷଡ଼ଙ୍ଗୀ

ବିଶ୍ୱର ଆର୍ଥିକ ବିକାଶ ଉପରେ ଚର୍ଚ୍ଚା କରିବାକୁ ପ୍ରତିବର୍ଷ ଜାନୁଆରୀ ଶେଷ ସପ୍ତାହରେ ସ୍ୱିଜରଲାଣ୍ଡର ଡାଭୋସଠାରେ “ବିଶ୍ୱ ଅର୍ଥନୈତିକ ମଞ୍ଚ”ର ବାର୍ଷିକ ଅଧିବେଶନ ଆୟାଜିତ ହୋଇଥାଏ। ଦୀର୍ଘ ଚାରି ଦିନ ଧରି ଅନୁଷ୍ଠିତ ହେଉଥିବା ଏହି ଅଧିବେଶନରେ ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟ କିମ୍ବା ପ୍ରତିନିଧିଙ୍କ ସମେତ କର୍ପୋରେଟ୍ ଦୁନିଆର ବଡ଼ ବଡ଼ ହସ୍ତୀମାନେ ଯୋଗଦେଇ ବିଶ୍ୱର ଆର୍ଥିକ ବିକାଶ ନେଇ ମତର ଆଦାନ ପ୍ରଦାନ କରିଥାନ୍ତି। ପ୍ରତିବର୍ଷ ଏହି ସମାବେଶର ଠିକ୍ ପୂର୍ବରୁ ଏହାର ଦୃଷ୍ଟି ଆକର୍ଷଣ କରିବାକୁ ଆର୍ନ୍ତଜାତୀୟ ସ୍ୱେଚ୍ଛାସେବୀ ସଂସ୍ଥା ‘ଅକ୍ସଫାମ୍’ ପକ୍ଷରୁ ବିଶ୍ୱର ଆର୍ଥିକ ପରିସ୍ଥିତି ସମ୍ପର୍କିତ ଏକ ରିପୋର୍ଟ ପ୍ରକାଶ ପାଇଥାଏ। ଗତ କିଛି ବର୍ଷ ଧରି ବିଶ୍ୱରେ ଆୟର ଅସମାନତା ସମ୍ପର୍କରେ ପ୍ରକାଶ ପାଉଥିବା ଏହି ରିପୋର୍ଟ ସବୁ ଚହଳ ସୃଷ୍ଟି କରିବା ସହିତ ବିଭିନ୍ନ ଦେଶ ଆର୍ଥିକ ବିକାଶ ସମ୍ପର୍କରେ ରହିଥିବା ଗୋଲାପୀ ଚିତ୍ରକୁ ଏକରକମ ପଦାରେ ପକାଇ ଦେଇଆସିଛି। ବିଶେଷ କରି ଭାରତ ପରି ଆର୍ଥିକ ଭାବେ ଏକ ଉଦୀୟମାନ ଶକ୍ତି ଭାବେ ମୁଣ୍ଡ ଟେକୁଥିବା ଦେଶମାନଙ୍କରେ ବୃଦ୍ଧି ପାଉଥିବା ଆର୍ଥିକ ଅସମାନତାକୁ ଉଜାଗର କରିବାରେ ଏବଂ ତା ଉପରେ ଚର୍ଚ୍ଚା ପାଇଁ ଖୋରାକ ଯୋଗାଇବାରେ ଏହି ରିପୋର୍ଟ ଏକରକମ ସଫଳ ହୋଇଛି କହିଲେ ଅତ୍ୟୁକ୍ତି ହେବନାହିଁ।

ଡାଭୋସ୍ ଅଧିବେଶନ ପୂର୍ବରୁ ‘ଅକ୍ସଫାମ୍’ ତାର ସଦ୍ୟ ପ୍ରକାଶିତ ଆର୍ଥିକ ଅସମାନତା ରିପୋର୍ଟରେ ଆର୍ଥିକ ଅସମାନତାରେ ବିଶ୍ୱର ବିଶେଷ କରି ଭାରତର ଏକ ଭୟାନକ ଚିତ୍ର ପ୍ରଦାନ କରିଛି। ଏଥିରେ କୁହାଯାଇଛି ଯେ ୨୦୨୧ ମସିହାରେ ଭାରତର ୧୦୦ ଜଣ ସର୍ବାଧିକ ଧନୀ ଲୋକଙ୍କ ସମ୍ପତ୍ତିର ପରିମାଣ ୫୭.୩ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। କୋଭିଡ଼ ମହାମାରୀ ଫଳରେ ଦେଶର ସାଧାରଣ ଜନତାଙ୍କ ଆୟରେ ବ୍ୟାପକ ହ୍ରାସ ଦେଖାଯାଇଥିବା ବେଳେ ଭାରତର ବିଲିୟନେୟାରମାନଙ୍କ (୧୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ମାଲିକ) ସମ୍ପତ୍ତି ୩୦ ଲକ୍ଷ କୋଟି ବୃଦ୍ଧି ପାଇଛି। ଅବଶ୍ୟ ଏହି ବୃଦ୍ଧିର ବଡ଼ ଭାଗଟି ବର୍ତ୍ତମାନର କେନ୍ଦ୍ର ସରକାରଙ୍କ ନିକଟତମ ଶିଳ୍ପପତ୍ତି ରୂପେ ପରିଚିତ ଗୌତମ ଆଦାନୀ ଓ ମୁକେଶ ଆମ୍ବାନୀଙ୍କ ସମ୍ପତ୍ତିରେ ହୋଇଥିବା ଆକାଶଛୁଆଁ ବୃଦ୍ଧି ଲାଗି ହିଁ ସମ୍ଭବ ହୋଇପାରିଛି। ଗତ ଏକ ବର୍ଷ ମଧ୍ୟରେ ବିଶ୍ୱର ୨୪ଶ ଓ ଭାରତର ଦ୍ୱିତୀୟ ବଡ଼ ଧନୀ ରୂପେ ପରିଚିତ ଆଦାନୀଙ୍କ ସମ୍ପତ୍ତିରେ ଆଠ ଗୁଣ ବୃଦ୍ଧି ପାଇଥିବା ବେଳେ ଭାରତର ସର୍ବାଧିକ ଧନୀ ରୂପେ ପରିଚିତ ମୁକେଶ ଆମ୍ବାନୀଙ୍କ ସମ୍ପତ୍ତି ଦୁଇ ଗୁଣ ହୋଇଛି।

ଏକ ଅଧ୍ୟୟନ ମୁତାବକ ଦେଶର ବିଲିୟନେୟାରମାନଙ୍କ ମୋଟ ସମ୍ପତ୍ତିର ପରିମାଣ ଗତବର୍ଷର କେନ୍ଦ୍ରୀୟ ବଜେଟ୍ ଠାରୁ ବି ଅଧିକ। ଦେଶରେ ଗତ ବର୍ଷକ ମଧ୍ୟରେ ବିଲିୟନେୟାରଙ୍କ ସଂଖ୍ୟାରେ ୩୯% ବୃଦ୍ଧି ଘଟି ୪୦ ଜଣ ନୂଆ ବିଲିୟନେୟାର ସୃଷ୍ଟି ହୋଇଛନ୍ତି। ୨୦୨୦ରେ ସେମାନଙ୍କ ସଂଖ୍ୟା ୧୦୨ ଥିବା ବେଳେ ୨୦୨୧ରେ ତାହା ୧୪୨କୁ ବୃଦ୍ଧି ପାଇଛି। ଆମେରିକା ଓ ଚୀନ ପରେ ବିଲିୟନେୟାରଙ୍କ ସଂଖ୍ୟାରେ ଭାରତ ବର୍ତ୍ତମାନ ତୃତୀୟ ସ୍ଥାନରେ ରହିଛି। ଫ୍ରାନ୍ସ, ସ୍ୱିଡ଼େନ ଓ ସ୍ୱିଜରଲାଣ୍ଡର ବିଲିୟନେୟରଙ୍କ ମିଳିତ ସଂଖ୍ୟା ଠାରୁ ବି ଭାରତରେ ଅଧିକ ବିଲିୟନେୟାର ରହିଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟର କଥା, ଦେଶରେ ବେରୋଜଗାରୀର ହାର ଉଚ୍ଚରେ (୧୫%) ଥିବା ବେଳେ ଏବଂ ସ୍ୱାସ୍ଥ୍ୟସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇଯାଇଥିବା ବେଳେ ଦେଶରେ ବିଲିୟନେୟାରଙ୍କ ସଂଖ୍ୟାରେ ଅସ୍ୱାଭାବିକ ବୃଦ୍ଧି ହୋଇଛି।

ଦେଶ ସ୍ୱାଧୀନ ହେବା ସମୟରେ ଦେଶର ୧% ଧନୀ ଲୋକଙ୍କ ପାଖରେ ୨୦% ସମ୍ପତ୍ତି ଥିବା ବେଳେ ତାହା ବୃଦ୍ଧି ପାଇଁ ଆଜି ଏକ ବିପଜ୍ଜନକ ସ୍ତରରେ ପହଂଚିଛି। ୧୯୮୦ ଦଶକରୁ ଏହି ବିଷମତା ବୃଦ୍ଧି ପାଇବା ସହିତ ୧୯୯୧ ମସିହାରେ ଦେଶରେ ଆର୍ଥିକ ଉଦାରୀକରଣ ନୀତି ଲାଗୁ ହେବା ପରେ ଏହା ଅତି ଦୃତଗତିରେ ବଢ଼ିବାରେ ଲାଗିଛି।

ଅକ୍ସଫାମ୍ ରିପୋର୍ଟରୁ ଜଣାପଡ଼ିଛି ଯେ ଦେଶର ୫୦% ସର୍ବାଧିକ ଗରିବ ଲୋକଙ୍କ ହାତରେ ମୋଟ ଜାତୀୟ ସମ୍ପତ୍ତିରେ ମାତ୍ର ୬% ରହିଛି। ସେହିପରି ଦେଶର ଜନସଂଖ୍ୟାର ୭୦% ରୂପେ ପରିଚିତ ୯୫.୩ କୋଟି ଭାରତୀୟଙ୍କ ସମ୍ପତ୍ତିର ଚାରିଗୁଣରୁ ଅଧିକ ସମ୍ପତ୍ତି କେବଳ ୧% ସର୍ବାଧିକ ଧନୀ ଭାରତୀୟଙ୍କ ହାତରେ ରହିଛି। ଗତ ମହାମାରୀ ସମୟରେ (ମାର୍ଚ୍ଚ ୨୦୨୦ରୁ ନଭେମ୍ବର ୨୦୨୧) ଦେଶର ୮୪% ଲୋକଙ୍କ ଆୟ ହ୍ରାସ ପାଇଥିବା ବେଳେ ୪.୬ କୋଟି ଭାରତୀୟ ଅତ୍ୟଧିକ ଗରିବୀ ମଧ୍ୟକୁ ଠେଲି ହୋଇ ଯାଇଛନ୍ତି। ଏହି ସଂଖ୍ୟା ବିଶ୍ୱରେ ଗତବର୍ଷ ନୂଆଁ କରି ସୃଷ୍ଟି ହୋଇଥିବା ଗରିବ ଲୋକଙ୍କ ପ୍ରାୟ ଅର୍ଦ୍ଧେକ। ଅପର ପକ୍ଷରେ ସେହି ଅବଧି ମଧ୍ୟରେ ଭାରତୀୟ ବିଲିୟନେୟାରଙ୍କ ସମ୍ପତ୍ତି ୨୩.୧୪ ଲକ୍ଷ କୋଟିରୁ ୫୩.୧୬ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି।

ବିଶ୍ୱ ସ୍ତରରେ ମଧ୍ୟ ୧୦ ଜଣ ସବୁଠାରୁ ଧନୀ ବ୍ୟକ୍ତିଙ୍କ ସମ୍ପତ୍ତି ଗତ ଏକ ବର୍ଷ ମଧ୍ୟରେ ଦୁଇଗୁଣା ହୋଇଛି। ୨୦୨୦ରେ ଏହା ୫୨ ଲକ୍ଷ କୋଟି ଥିବା ବେଳେ ୨୦୨୧ ମସିହାରେ ତାହା ୧୧୧ ଲକ୍ଷ କୋଟିକୁ ବୃଦ୍ଧି ପାଇଛି। ସେମାନଙ୍କ ସମ୍ପତ୍ତି ଦୈନିକ ହାରାହାରି ପ୍ରାୟ ୯,୬୦୦ କୋଟି ଟଙ୍କା ହାରରେ ବୃଦ୍ଧି ହୋଇଛି। ସେମାନଙ୍କ ପାଖରେ ବର୍ତ୍ତମାନ ବିଶ୍ୱର ସର୍ବାଧିକ ଗରିବ ରୂପେ ପରିଚିତ ପ୍ରାୟ ୩୧୦ କୋଟି ଲୋକଙ୍କ ସମ୍ପତ୍ତିର ଛଅ ଗୁଣ ସମ୍ପତ୍ତି ରହିଛି। ଅନ୍ୟପକ୍ଷରେ କୋଭିଡ଼୍ ମହାମାରୀ ଯୋଗୁଁ ବିଶ୍ୱରେ ଗତବର୍ଷ ୧୬ କୋଟି ଲୋକ ଉତ୍କଟ ଦାରିଦ୍ର୍ୟ ମଧ୍ୟକୁ ଠେଲି ହୋଇଯାଇଛନ୍ତି।

ଅକ୍ସଫାମର ରିପୋର୍ଟରେ ଏହି ଭୟଙ୍କର ଆର୍ଥିକ ଅସମାନତାକୁ “ଅସମାନତା ହତ୍ୟାକରେ” ବୋଲି ଶୀର୍ଷକ ଦିଆଯାଇଥିବା ବେଳେ ଏଥିଯୋଗୁଁ ବିଶ୍ୱରେ ଦୈନିକ ୨୧,୦୦୦ ଲୋକ ଅର୍ଥାତ୍ ପ୍ରତି ଚାରି ସେକେଣ୍ଡରେ ଜଣେ ପ୍ରାଣ ହରାଉଛନ୍ତି ବୋଲି କୁହାଯାଇଛି। ସେହିପରି ବିଶ୍ୱର ଗରିବ ଦେଶମାନଙ୍କରେ ସ୍ୱାସ୍ଥ୍ୟସେବାରୁ ବଂଚିତ ହୋଇ ପ୍ରତିବର୍ଷ ୫.୬ ନିୟୁତ ଲୋକ ଏବଂ ୨.୧ ନିୟୁତ ଲୋକ ଖାଦ୍ୟାଭାବରୁ ପ୍ରାଣ ହରାଉଛନ୍ତି। ଉପରୋକ୍ତ ମୃତ୍ୟୁଗୁଡ଼ିକ ସମ୍ପୂର୍ଣ୍ଣ ଭାବେ ମଣିଷକୃତ ଏବଂ ଉପଯୁକ୍ତ ସରକାରୀ ନୀତି ଅବଲମ୍ବନ କରି ସେସବୁକୁ ଏଡ଼ାଯାଇ ପାରିଥାନ୍ତା।

ଅକ୍ସଫାମର ରିପୋର୍ଟ ଦେଶରେ ସାମାଜିକ କ୍ଷେତ୍ର ବିଶେଷ କରି ସ୍ୱାସ୍ଥ୍ୟସେବାର ନୈରାଶ୍ୟଜନକ ସ୍ଥିତିକୁ ଉଜାଗର କରିଛି। ଦେଶରେ ସାମାଜିକ କ୍ଷେତ୍ରରେ ସରକାରୀ ବିନିଯୋଗ ଗତ କିଛି ବର୍ଷ ଧରି ଲଗାତାର ହ୍ରାସ ପାଉଥିବା ବେଳେ ୨୦୨୧ରେ ତାହା ପୂର୍ବବର୍ଷର ୧.୫%ରୁ ୦.୬%କୁ ହ୍ରାସ ପାଇଥିବା ଜଣାପଡ଼ିଛି। ଦେଶର ସ୍ୱାସ୍ଥ୍ୟସେବା ବଜେଟରେ ବିଗତ ବର୍ଷର ସଂଶୋଧିତ ହିସାବ ତୁଳନାରେ ଗତବର୍ଷ ବଜେଟରେ ବ୍ୟୟବରାଦ ୧୦% ହ୍ରାସ ପାଇଥିବା ବେଳେ ଶିକ୍ଷା କ୍ଷେତ୍ରରେ ବ୍ୟୟବରାଦ ବି ପୂର୍ବବର୍ଷ ତୁଳନାରେ ୬% ହ୍ରାସ ପାଇଛି। ସେହିପରି ମହିଳା ଓ ଶିଶୁ ବିକାଶ କ୍ଷେତ୍ରରେ ବ୍ୟୟବରାଦ ବି ଦେଶର ବିଲିୟନେୟରମାନଙ୍କ ତାଲିକାର ତଳପଟୁ ୧୦%ଙ୍କ ଆୟର ଅର୍ଦ୍ଧେକ ରହିଥିବା ଜଣାପଡ଼ିଛି।

ତେବେ ଭାରତରେ ଆର୍ଥିକ ବୈଷମ୍ୟର ଏହି ଚିତ୍ରଟି ନୂଆ ନୁହେଁ। ଦେଶ ସ୍ୱାଧୀନ ହେବା ସମୟରେ ଦେଶର ୧% ଧନୀ ଲୋକଙ୍କ ପାଖରେ ୨୦% ସମ୍ପତ୍ତି ଥିବା ବେଳେ ତାହା ବୃଦ୍ଧି ପାଇଁ ଆଜି ଏକ ବିପଜ୍ଜନକ ସ୍ତରରେ ପହଂଚିଛି। ୧୯୮୦ ଦଶକରୁ ଏହି ବିଷମତା ବୃଦ୍ଧି ପାଇବା ସହିତ ୧୯୯୧ ମସିହାରେ ଦେଶରେ ଆର୍ଥିକ ଉଦାରୀକରଣ ନୀତି ଲାଗୁ ହେବା ପରେ ଏହା ଅତି ଦୃତଗତିରେ ବଢ଼ିବାରେ ଲାଗିଛି। ନବ ଉଦାର ଆର୍ଥିକ ନୀତି ଦେଶରେ ଧନୀ ଓ ଗରିବଙ୍କ ମଧ୍ୟରେ ଆର୍ଥିକ ବୈଷମ୍ୟ ବୃଦ୍ଧିର ସବୁଠାରୁ ବଡ଼ କାରଣ ଭାବେ ଦେଖାଦେଇଛି। ଯଦି ୨୦୧୦ ଓ ୨୦୧୭ ମଧ୍ୟରେ ତୁଳନା କରାଯିବ ତାହେଲେ ଏହି ସମୟ ମଧ୍ୟରେ ଦେଶର ଧନୀମାନଙ୍କ ସମ୍ପତ୍ତିରେ ୧୩% ବୃଦ୍ଧି ଘଟିଛି। ବର୍ତ୍ତମାନ ଏଭଳି ଅସ୍ୱାଭାବିକ ବୃଦ୍ଧି ପାଇବା ଆମର ଆର୍ଥିକ ନୀତିର ବିଫଳତାକୁ ହିଁ ଦର୍ଶାଉଛି।

ଦେଶରେ ଧନୀ ଓ ଗରିବଙ୍କ ଆୟ ଓ ସମ୍ପତ୍ତିରେ ଏଭଳି ଦୃତ ବୈଷମ୍ୟ ପଛରେ ସାଧାରଣତଃ ପାଞ୍ଚୋଟି କାରଣକୁ ଚିହ୍ନିତ କରାଯାଇପାରେ। ପ୍ରଥମତଃ ଦେଶରେ ସମ୍ବଳର ଅସମାନ ବଣ୍ଟନ ବା ମାଲିକାନା। ଜମି, ଜଙ୍ଗଲ ପରି ଉତ୍ପାଦନର ଉପକରଣ ବା ସମ୍ପତ୍ତି ଉପରେ ଲୋକଙ୍କ ଅଧିକାର ଦେବାକୁ ଅତିତରେ ଭୂସଂସ୍କାର ଆଇନ ଓ ଜଙ୍ଗଲ ଅଧିକାର ଆଇନ ପ୍ରଣୟନ କରାଯାଇଥିଲେ ମଧ୍ୟ ଏସବୁ ଆଇନ ଲୋକଙ୍କୁ ସେସବୁ ସମ୍ବଳ ଉପରେ ମାଲିକାନା ଦେବାରେ ବିଫଳ ହୋଇଛି। ଫଳସ୍ୱରୂପ ଚାଷରେ ନିୟୋଜିତ ଅଧିକାଂଶ ଲୋକ ଆଜି ବି ଭୂମିହୀନ ରହିଥିବା ବେଳେ ଜଙ୍ଗଲ ଉପରେ ନିର୍ଭରଶୀଳ ଅଧିକାଂଶ ଲୋକଙ୍କର ତା’ରି ଉପରେ କୌଣସି ମାଲିକାନା ବା ଅଧିକାର ନାହିଁ। ବରଂ ବିକାଶ ନାଁରେ ସରକାରମାନଙ୍କ ଦ୍ୱାରା କରାଯାଉଥିବା ବଳପୂର୍ବକ ବିସ୍ଥାପନ ସମାଜର ଅଧିକରୁ ଅଧିକ ଲୋକଙ୍କୁ ସେମାନଙ୍କ ସମ୍ବଳ ଓ ଚଳନ୍ତି ଜୀବୀକାର ବଞ୍ଚôତ କରିବାରେ ଲାଗିଛି।

ଦେଶରେ ଆର୍ଥିକ ଅସମାନତାର ଦ୍ୱିତୀୟ କାରଣ ହେଉଛି କୃଷି କ୍ଷେତ୍ରରେ ବୃଦ୍ଧି ପାଉଥିବା ସଙ୍କଟ। ନବ ଉଦାର ଅର୍ଥନୀତିରେ ବୃହତ୍ତ କମ୍ପାନୀଙ୍କ ସ୍ୱାର୍ଥରେ କୃଷି ସମେତ ସବୁ ରକମର ଛୋଟ ଉତ୍ପାଦନ ଉପରେ ଆକ୍ରମଣ ବଢ଼ିଛି। କୃଷି ଓ କୃଷକର ସ୍ଥିତିରେ ଉନ୍ନତି ପରିଲକ୍ଷିତ ହେଲେ ସେଥିରେ ନିୟୋଜିତ କୃଷି ଶ୍ରମିକମାନେ ଯେ ଉପକୃତ ହେବେ ତାର କୌଣସି ନିଶ୍ଚିତତା ନାହିଁ। କିନ୍ତୁ କୃଷି ଯଦି ସଙ୍କଟରେ ପଡ଼େ ତାହେଲେ ସେଥିରେ ନିୟୋଜିତ କୋଟି କୋଟି କୃଷି ଶ୍ରମିକଙ୍କ ସ୍ଥିତି ଯେ ଖରାପ ହେବ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ। ସରକାର ଶିଳ୍ପ ପାଇଁ କ୍ରମାଗତ ଭାବେ ବିପୁଳ ପୁଞ୍ଜି ବିନିଯୋଗ କରୁଥିବା ବେଳେ କୃଷିରେ କିନ୍ତୁ ପୁଞ୍ଜିନିବେଶ ଲଗାତାର ହ୍ରାସ କରୁଛନ୍ତି। ଦେଶର ପ୍ରାୟ ୬୦ ଭାଗ ଲୋକ ନିର୍ଭର କରୁଥିବା କୃଷି ପ୍ରତି ସରକାରୀ ଅବହେଳାର ପରିଣାମ ସ୍ୱରୂପ କୃଷିରେ ସଙ୍କଟ ବଢୁଛି। ଫଳସ୍ୱରୂପ ଏଥିରେ ନିୟୋଜିତ ଲୋକଙ୍କ ଆୟ ଲଗାତାର ଭାବେ ହ୍ରାସ ପାଉଛି। କୃଷି ସଙ୍କଟ କାରଣରୁ ହିଁ ଦେଶର କୃଷି ମଜୁରୀରେ ସ୍ଥାଣୁତା ଆସିବା ଫଳରେ କୃଷିକ୍ଷେତ୍ରରୁ ଅନ୍ୟ କ୍ଷେତ୍ରକୁ ଶ୍ରମିକଙ୍କ ପଳାୟନ ବୃଦ୍ଧି ପାଇଛି। ଅନ୍ୟପଟେ କୃଷି ସଙ୍କଟ ଯୋଗୁଁ ଗ୍ରାମାଞ୍ଚଳର କ୍ଷୁଦ୍ର ଓ ନାମମାତ୍ର ଚାଷୀ ସହରକୁ କାମ ପାଇଁ ପଳାୟନ କରିବା ଫଳରେ ଏବଂ ସେଠାରେ ଅତିରିକ୍ତ କାମ ନଥିବାରୁ ସେମାନଙ୍କୁ ବେକାରୀ ଓ ଅର୍ଦ୍ଧ ବେକାରୀଙ୍କ ସଂରକ୍ଷିତ ବାହିନୀରେ ସାମିଲ ହେବାକୁ ପଡ଼ୁଛି। ଯାରି ଫଳରେ ସହରରେ ମଜୁରୀ ବୃଦ୍ଧି ଘଟୁନାହିଁ କି ସହରର ଆୟର ବଣ୍ଟନ ବି ହ୍ରାସ ପାଉଛି।

ସରକାର ଧନୀମାନଙ୍କ ଉପରେ ପ୍ରତ୍ୟକ୍ଷ ଟିକସର ପରିମାଣକୁ ବଢ଼ାଇ ଗରିବମାନଙ୍କ ଉପରେ ଥିବା ପରୋକ୍ଷ ଟିକସକୁ କମାଇବାକୁ ପଦକ୍ଷେପ ନେଇଥିଲେ ସମାଜରେ ଆର୍ଥିକ ଅସମାନତା ଅନେକ ପରିମାଣରେ କମିଯାଇ ପାରିଥାନ୍ତା। କିନ୍ତୁ ସରକାର ଏହାର ବିପରୀତ ଧନୀ ଏବଂ କର୍ପୋରେଟ୍‌ମାନଙ୍କ ଟିକସକୁ ଲଗାତାର କମାଉଥିବା ବେଳେ ଗରିବ ଲୋକଙ୍କ ଉପରେ ଅନାବଶ୍ୟକ ଭାବେ ଟିକସର ବୋଝ ଲଦିବା ଦେଖାଯାଇଛି। ଏହି କାରଣରୁ ରିପୋର୍ଟରେ ଦେଶର ସୁପର ଧନୀଙ୍କ ଉପରେ ସମ୍ପତ୍ତି ଟିକସ ଲଗାଇବାକୁ ପରାମର୍ଶ ଦିଆଯାଇଛି।

ତୃତୀୟତଃ ଦେଶରେ ଦରବୃଦ୍ଧି ତୁଳନାରେ ମଜୁରୀର ଲଗାତାର ହ୍ରାସ। ଗତ ଶତାବ୍ଦୀର ୩୦ ଦଶକରେ ବିଶ୍ୱର ଅର୍ଥନୀତିର ମାନ୍ଦାବସ୍ଥା ସମୟରେ ସରକାରମାନେ ମାନ୍ଦାବସ୍ଥାରୁ ମୁକୁଳିବା ପାଇଁ ସମାଜର ଶ୍ରମିକମାନଙ୍କ ମଜୁରୀର ବୃଦ୍ଧି ଉପରେ ଗୁରୁତ୍ୱ ଦେଇଥିଲେ। କାରଣ ଏହା ଜରିଆରେ ବଜାରରୁ କମ୍ପାନୀଙ୍କ ଶିଳ୍ପଜାତ ଦ୍ରବ୍ୟ କ୍ରୟ କରିବାକୁ ଲୋକଙ୍କ କ୍ରୟଶକ୍ତିରେ ବୃଦ୍ଧିର ଆବଶ୍ୟକତା ଥିଲା। ଏହିକ୍ରମରେ ଭାରତ ସମେତ ବିଶ୍ୱର ବିଭିନ୍ନ ଦେଶରେ ଶ୍ରମିକମାନଙ୍କ ପାଇଁ ସର୍ବନିମ୍ନ ମଜୁରୀ ଆଇନ ପ୍ରଣୟନ ହୋଇଥିଲା। କିନ୍ତୁ ଜଗତୀକରଣ ପରେ ଭାରତ ସମେତ ଅନେକ ବିକାଶଶୀଳ ଦେଶରେ ବିଦେଶୀ ପୁଞ୍ଜିକୁ ଆକୃଷ୍ଟ କରିବା ପାଇଁ ଜାଣିଶୁଣି ମଜୁରୀକୁ ନ ବଢ଼ାଇ ସ୍ଥିର ରଖାଗଲା। ନିୟମିତ ନିଯୁକ୍ତି ବଦଳରେ ଅଧିକାଂଶ ପଦବୀରେ ଠିକା କିମ୍ବା ଆଉଟସୋରସିଂରେ ନିଯୁକ୍ତ ଦିଆଗଲା। କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ଶ୍ରମ ଆଇନ ସଂଶୋଧନର ଉଦ୍ଦେଶ୍ୟଟି ବି ସେଇୟା। ଶ୍ରମର ସ୍ୱାର୍ଥରେ ତିଆରି ହୋଇଥିବା ଶ୍ରମ ଆଇନ ସବୁକୁ ପୁଞ୍ଜପତ୍ତିଙ୍କ ସ୍ୱାର୍ଥରେ ଦୁର୍ବଳ କିମ୍ବା ଅକାମୀ କରାଗଲା। ପରିଣାମ ସ୍ୱରୂପ ସମାଜର ଶ୍ରମଜୀବୀ ଜନତାଙ୍କ ଆୟ କମିବା ସହିତ ସେମାନେ ଅଧିକରୁ ଅଧିକ ଦାରିଦ୍ର୍ୟ ଭିତରକୁ ଠେଲି ହେବାରେ ଲାଗିଲେ।

ଚତୁର୍ଥତଃ ନବ ଉଦାର ଅର୍ଥନୀତିରେ ସରକାର ପୁଞ୍ଜିର ସ୍ୱାର୍ଥରେ ବିଭିନ୍ନ ସେବାର ଯେଉଁ ଘରୋଇକରଣ କଲେ ତାହା ବି ଆର୍ଥିକ ବିଷମତା ପାଇଁ ଅନେକ ପରିମାଣରେ ଦାୟୀ। ଅକ୍ସଫାମ୍ ରିପୋର୍ଟରେ ବି ସରକାର ଶିକ୍ଷା, ସ୍ୱାସ୍ଥ୍ୟସେବା ଆଦି ସାର୍ବଜନିନ ସେବାମାନଙ୍କରେ ବ୍ୟୟବରାଦ ହ୍ରାସ କରି ଅସମାନତାକୁ ବଢ଼ାଉଥିବା କଥା କୁହାଯାଇଛି। ଶିକ୍ଷା, ସ୍ୱାସ୍ଥ୍ୟସେବା, ପାନୀୟ ଜଳ ଆଦି ମୌଳିକ ସେବାମାନଙ୍କର ଘରୋଇକରଣ ଫଳରେ ଲୋକେ ନିଜ ପକେଟରୁ ଯେଉଁ ଅଧିକରୁ ଅଧିକ ଖର୍ଚ୍ଚ କଲେ ତାର ପ୍ରଭାବରେ ସେମାନଙ୍କ ଖର୍ଚ୍ଚଭାର ବଢ଼ି ଶେଷରେ ଦାରିଦ୍ର୍ୟକୁ ବଢ଼ାଇଲା।

ଦେଶରେ ଆର୍ଥିକ ବୈଷମ୍ୟର ଆଉ ଏକ ବଡ଼ କାରଣ ହେଉଛି ସରକାରଙ୍କ ଗରିବ ବିରୋଧୀ ତଥା ଧନୀ ସପକ୍ଷବାଦୀ ଟିକସ ବ୍ୟବସ୍ଥା। ପୃଥିବୀର ଅନ୍ୟ ଉନ୍ନତ ଦେଶମାନଙ୍କ ତୁଳନାରେ ଆମ ଦେଶରେ ଧନୀ ଲୋକଙ୍କ ଉପରେ ଟିକସର ପରିମାଣ ବହୁତ କମ୍। ଆମର ଏଠି ଧନୀ ଲୋକଙ୍କ ଉପରେ ଲଗାଯାଉଥିବା ସମ୍ପତ୍ତି ଟିକସ କିମ୍ବା ଉତ୍ତରାଧିକାର ଟିକସର ବ୍ୟବସ୍ଥା ନାହିଁ। ଉନ୍ନତ ଦେଶମାନଙ୍କରେ ପ୍ରତ୍ୟକ୍ଷ କରର ହାର ଅଧିକ ଏବଂ ପରୋକ୍ଷ କରର ହାର ବହୁତ କମ୍ ଥିବା ବେଳେ ଆମ ଦେଶରେ ଚିତ୍ରଟି ତାର ସମ୍ପୂର୍ଣ୍ଣ ଓଲଟା। ସରକାର ଧନୀମାନଙ୍କ ଉପରେ ପ୍ରତ୍ୟକ୍ଷ ଟିକସର ପରିମାଣକୁ ବଢ଼ାଇ ଗରିବମାନଙ୍କ ଉପରେ ଥିବା ପରୋକ୍ଷ ଟିକସକୁ କମାଇବାକୁ ପଦକ୍ଷେପ ନେଇଥିଲେ ସମାଜରେ ଆର୍ଥିକ ଅସମାନତା ଅନେକ ପରିମାଣରେ କମିଯାଇ ପାରିଥାନ୍ତା। କିନ୍ତୁ ସରକାର ଏହାର ବିପରୀତ ଧନୀ ଏବଂ କର୍ପୋରେଟ୍‌ମାନଙ୍କ ଟିକସକୁ ଲଗାତାର କମାଉଥିବା ବେଳେ ଗରିବ ଲୋକଙ୍କ ଉପରେ ଅନାବଶ୍ୟକ ଭାବେ ଟିକସର ବୋଝ ଲଦିବା ଦେଖାଯାଇଛି। ଏହି କାରଣରୁ ରିପୋର୍ଟରେ ଦେଶର ସୁପର ଧନୀଙ୍କ ଉପରେ ସମ୍ପତ୍ତି ଟିକସ ଲଗାଇବାକୁ ପରାମର୍ଶ ଦିଆଯାଇଛି। ଅଧ୍ୟୟନ କରି କୁହାଯାଇଛି ଯେ ଯଦି ଦେଶର ସୁପର ଧନୀଙ୍କ ଉପରେ ମାତ୍ର ୧% ସମ୍ପତ୍ତି କର ଲଗାଯିବ ତାହେଲେ, ଦେଶରେ କୋଭିଡ଼ ଟୀକାକରଣର ସମ୍ପୂର୍ଣ୍ଣ ଖର୍ଚ୍ଚ (ପ୍ରାୟ ୫୦ ହଜାର କୋଟି ଟଙ୍କା)କୁ ଭରଣା କରାଯାଇପାରିବ। ସେହିପରି ଯଦି ଦେଶର ୯୮ ଜଣ ସର୍ବାଧିକ ଧନୀ ଲୋକଙ୍କ ସମ୍ପତ୍ତି ଉପରେ ମାତ୍ର ୪% ସମ୍ପତ୍ତି କର ଲଗାଯିବ ତାହେଲେ ଦେଶର ଦୁଇ ବର୍ଷର ସ୍ୱାସ୍ଥ୍ୟସେବା ବାବଦରେ ସମ୍ପୂର୍ଣ୍ଣ ଖର୍ଚ୍ଚକୁ ଭରଣା କରିହେବ।

ଆର୍ଥିକ ବୈଷମ୍ୟରେ ଏଭଳି ବୃଦ୍ଧି କେବଳ ଭାରତ ନୁହେଁ, ସାରା ବିଶ୍ୱ ପାଇଁ ନିଶ୍ଚିତ ରୂପେ ଚିନ୍ତାଜନକ। ଭାରତର ଆର୍ଥିକ ବିକାଶର ଲାଭ ସମସ୍ତଙ୍କୁ ମିଳିବା ପରିବର୍ତ୍ତେ ମାତ୍ର କିଛି ହାତ ଗଣତି ଲୋକ ତାର ସୁଫଳ ପାଇବା ଅତ୍ୟନ୍ତ ବିପଜ୍ଜନକ। ଏହା କୌଣସି ଭାବେ ଏକ ସୁସ୍ଥ ଏବଂ ସମ୍ପନ୍ନ ଅର୍ଥବ୍ୟବସ୍ଥାର ଲକ୍ଷଣ ନୁହେଁ। ବରଂ ଏକ ଦୁର୍ବଳ ଅର୍ଥ ବ୍ୟବସ୍ଥାକୁ ସୂଚାଉଛି ବୋଲି କୁହାଯାଇପାରେ। ସମାଜରେ ଯେଉଁମାନେ କଠିନ ପରିଶ୍ରମ କରନ୍ତି, ଫସଲ ଉତ୍ପାଦନ କରନ୍ତି, ଭିତ୍ତିଭୂମିର ନିର୍ମାଣ କରୁଛନ୍ତି ଏବଂ କାରଖାନାରେ କାମ କରୁଛନ୍ତି ସେମାନେ ନିଜର ସର୍ବନିମ୍ନ ଆବଶ୍ୟକତାରୁ ବଂଚିତ ହେବେ ଏବଂ ଆଉ କିଛି ହାତଗଣତି ଲୋକଙ୍କ ସମ୍ପତ୍ତି ଓ ଆୟରେ ବେତାହାସା ବୃଦ୍ଧି ହେବ, ଏହି ବ୍ୟବସ୍ଥା ଯେ ବେଶୀ ଦିନ ଚାଲିବ ନାହିଁ, କମ୍ ସେ କମ୍ ଅକ୍ସଫାମର ସଦ୍ୟ ପ୍ରକାଶିତ ରିପୋର୍ଟ ଆମକୁ ଏହି ବାର୍ତ୍ତା ଦେଇଛି।

ଫୋନ୍ ନଂ ୯୪୩୭୧୬୬୩୯୧

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।