ଶିକ୍ଷିତ ଭଦ୍ରଲୋକଙ୍କ ହାତରେ ଐତିହ୍ୟ ଓ ଗଣତନ୍ତ୍ର

ସୁଧାଂଶୁ ରଞ୍ଜନ ଦାସ

ଆଜି ସମାଜରେ ଯେତେ ପ୍ରକାରର ଭ୍ରଷ୍ଟାଚାର, ଅନୀତି, ବେରୋଜଗାର, ଦରଦାମ ବୃଦ୍ଧି ଓ ଅରାଜକତା ହେଉଛି ସେଥିପାଇଁ ସମାଜରେ ଥିବା ବୁଦ୍ଧିଜୀବୀ ଓ ଧୋବଧଉଳିଆ ଶିକ୍ଷିତ ଭଦ୍ରଲୋକମାନେ ହିଁ ଅନେକାଂଶରେ ଦାୟୀ। ସେମାନଙ୍କ ଭିତରୁ ଅଧିକାଂଶ ଆଜି ନିଜ ପରିବାର ଛଡ଼ା ଅନ୍ୟ କୌଣସିଥିରେ ମୁଣ୍ଡ ପୂରାଇବାକୁ ଚାହୁଁନାହାନ୍ତି। ନିଜେ ବଞ୍ଚିଲେ ବାପାର ନାଁ ଉପାୟ ଅବଲମ୍ବନ କରି ସମାଜର ଏହି ଭଦ୍ରଲୋକମାନେ ତାଙ୍କ ନିଜ ଇଲାକାରେ ଘଟୁଥିବା ଅନେକ ଅସାମାଜିକ ଘଟଣା, ଅରାଜକତା ଓ ଅନୀତିକୁ ଦେଖି ନଦେଖିଲା ଭଳି ରହିଥାନ୍ତି। ଏହି ଭଦ୍ରଲୋକମାନଙ୍କର ନିଷ୍କ୍ରିୟତା ଯୋଗୁଁ  ସାମାଜିକ, ରାଜନୈତିକ ଓ ସାଂସ୍କୃତିକ ଗତିବିଧି ଆଜି ଅଧାପାଠୁଆ, ଅସାମାଜିକ ଓ ଦୁଷ୍ଟ ଚରିତ୍ରର ଲୋକଙ୍କ ଦ୍ୱାରା ନିୟନ୍ତ୍ରିତ ହେଉଥିବାର ଜଣାପଡ଼େ।

ପୁରୀର ଶ୍ରୀଜଗନ୍ନାଥ ମନ୍ଦିରରେ ଥିବା ଅଧିକାଂଶ ମନ୍ଦିରର ଭିତର ପାର୍ଶ୍ୱ କାନ୍ଥରେ ଅତି ଉଚ୍ଚ କୋଟୀର ଓଡ଼ିଶୀ ଚିତ୍ର କରାଯାଇଥିଲା। ଏହି ଅମୂଲ୍ୟ ଓଡ଼ିଶୀ ଚିତ୍ର ଶହଶହ ବର୍ଷ ଧରି ମନ୍ଦିରର ଶୋଭା ବର୍ଦ୍ଧନ କରୁଥିଲା। ବିଗତ ପନ୍ଦର ବର୍ଷ ଭିତରେ ଏହି ଓଡ଼ିଶୀ ଚିତ୍ରକୁ ଲିଭାଇ ଅତି ନ୍ୟୁନମାନର ଚିତ୍ର ମନ୍ଦିର କାନ୍ଥରେ କରାଯାଇଥିବାର ଦେଖିବାକୁ ମିଳେ। ଯଦି ପୁରୀ ସହରରେ ରହୁଥିବା କଳାପ୍ରେମୀ, ଚିତ୍ରକାର ଓ ବୁଦ୍ଧିଜୀବୀ ଏହି ଓଡ଼ିଶୀ ଚିତ୍ରର ବିକୃତୀକରଣକୁ ଆରମ୍ଭରୁ ରୋକିଥାନ୍ତେ ଆଜି ଏହି କଦାକାର ଚିତ୍ରଗୁଡ଼ିକ ଦେଖିବାକୁ ମିଳିନଥାନ୍ତା। ଓଡ଼ିଶୀ ମୂରାଲ ଯେତେ ପୁରୁଣା ହୋଇଥାଏ ଏହାର ମହତ୍ୱ ସେତେ ଅଧିକ ହୋଇଥାଏ। ଯଦି କୌଣସି ଜାଗାରେ ଏହି ଚିତ୍ର ଲିଭିଯାଇଥିଲା ତେବେ ଏହାକୁ ବରିଷ୍ଠ  ଚିତ୍ରଶିଳ୍ପୀଙ୍କ ଦ୍ୱାରା ନିଖୁଣ ଭାବରେ ମରାମତି କରାଯାଇ ପାରିଥାନ୍ତା। ଖାଲି ପୁରୀ ନୁହେଁ, ଓଡ଼ିଶାର ଅନେକ ମନ୍ଦିରରେ ଶିକ୍ଷିତ ଲୋକଙ୍କର ଅବହେଳା ଓ ସାମାଜିକ ଯୋଗଦାନ ଅଭାବରୁ କଳାର ବିକୃତୀକରଣ ଦେଖିବାକୁ ମିଳେ। ଏକଦା ଶହଶହ ଯୁବ କଳାକାର ମନ୍ଦିର ଚିତ୍ରଗୁଡ଼ିକୁ ଦେଖି ପ୍ରେରଣା ପାଉଥିଲେ ଏବଂ ନିଜର ଚିତ୍ରଶୈଳୀକୁ ସୁଧାରିବାକୁ ଚେଷ୍ଟା କରୁଥିଲେ। ଉନ୍ନତ ଓଡ଼ିଶୀ ଚିତ୍ରଶିକ୍ଷା କରିବା ପାଇଁ ମନ୍ଦିର କାନ୍ଥରେ ଥିବା ଚିତ୍ର ଏକ ମାଧ୍ୟମ ଥିଲା।

କଟକର ଟାଉନ ହଲ ଓ ସହିଦ ଭବନରେ ଓଡ଼ିଶାର ଅନେକ ସାଂସ୍କୃତିକ, ସାମାଜିକ ଓ ରାଜନୈତିକ କାର୍ଯ୍ୟକ୍ରମ ହେଉଥିଲା। ଏକଦା ଟାଉନ ହଲରେ ସ୍ୱାଧୀନତା ସଂଗ୍ରାମୀମାନଙ୍କର ସଭା ଆୟୋଜନ କରଯାଉଥିଲା। ସ୍ୱାଧୀନତା ପରେ ମଧ୍ୟ ଜାତୀୟ ସ୍ତରର ଅନେକ ନେତା ଟାଉନ ହଲରେ କଟକବାସୀଙ୍କୁ ସମ୍ବୋଧିତ କରିଛନ୍ତି। ସହିଦମାନଙ୍କ ସ୍ମୃତିରେ ବନିଥିବା ସହିଦ ଭବନ ଓ ଟାଉନ ହଲକୁ ଆଜି ଦେଖିଲେ ଲାଗେ ସତେ ଯେପରି ଏଗୁଡିକ ଶ୍ରୀହୀନ ହୋଇଯାଇଛି। ସ୍ଥାନୀୟ ଶିକ୍ଷିତ ସମାଜର ସହଯୋଗର ଅଭାବରୁ ଓଡ଼ିଶାର ଅନେକ ଐତିହାସିକ ପୀଠ ଓ ଧାର୍ମିକ ସ୍ଥାନ ଅତ୍ୟନ୍ତ ଅବହେଳିତ ଅବସ୍ଥାରେ ଥିବାର ଦେଖାଯାଏ। ଓଡ଼ିଶାର ସାଂସ୍କୃତିକ ରାଜଧାନୀ କଟକ ବୁଦ୍ଧିଜୀବୀମାନଙ୍କର ପୀଠସ୍ଥଳୀ। କିନ୍ତୁ ଓଡ଼ିଶାର ଗର୍ବ ବାରବାଟୀ ଦୁର୍ଗକୁ ଦେଖିଲେ ଲାଗେ ସତେ ଯେପରି ବୁଦ୍ଧିଜୀବିମାନଙ୍କର ଓଡ଼ିଶାର ଐତିହ୍ୟ ପ୍ରତି କୌଣସି ଶ୍ରଦ୍ଧା ନାହିଁ।

ଆଜି ବାରବାଟୀ ଦୁର୍ଗର ଚାରିପାର୍ଶ୍ୱରେ ଥିବା ଖାଇ ଦଳରେ ପରିପୂର୍ଣ ହୋଇଛି। ଏହାର ଏକମାତ୍ର ଦୁର୍ଗ ଫାଟକ ଆଜି ଧ୍ୱଂସର ଅପେକ୍ଷାରେ ଅଛି। ଦୁର୍ଗର ପାଚେରୀକୁ ସୁରକ୍ଷା କରିବା ଜାଗାରେ ନୂତନ ଢାଞ୍ଚା ତିଆରି ଚାଲିଛି। ବାରବାଟୀ ଦୁର୍ଗରେ ଥିବା ପ୍ରତ୍ୟେକ ପ୍ରସ୍ତର ଖଣ୍ଡକୁ ସୁରକ୍ଷିତ ରଖିଲେ ଏହା ଓଡ଼ିଶାର ଯୁବପିଢ଼ିଙ୍କ ମନରେ ଗର୍ବ ଓ ଆତ୍ମ ବିଶ୍ୱାସ ଭରିଦେଇପାରିବ। ବାରବାଟୀ ଦୁର୍ଗର ବର୍ତ୍ତମାନ ସ୍ଥିତିର ଚିତ୍ର କୌଣସି ଗଣମାଧ୍ୟମ ବିସ୍ତୃତ ଭାବରେ ଦେଇପାରିନାହାନ୍ତି। ବାରବାଟୀ ଦୁର୍ଗର ଆକାର, ଖାଇର ଲମ୍ବା ଓ ଚୌଡ଼ା, ଦୁର୍ଗ ଜବରଦଖଲ ହୋଇଥିବା ଜମିର ଆକାର, ରାଣୀ ପୋଖରୀର ଆକାର ଓ ଦୁର୍ଗରେ କେଉଁ ଐତିହାସିକ ସ୍ଥଳଗୁଡିକ ବିଲୁପ୍ତ ହେବାକୁ ଯାଉଛି ଏହାର କୌଣସି ଚିତ୍ର ଲୋକଙ୍କ ପାଖରେ ପହଂଚି ପାରୁନାହିଁ। ଦୁର୍ଗ ନଷ୍ଟ ହେବାଦ୍ୱାରା ଏହା ଯୁବପିଢ଼ିଙ୍କ ଉପରେ କି ପ୍ରଭାବ ପକାଇବ ଏହାର ବିଶ୍ଳେଷଣ ହେଉନାହିଁ। ଯଦି କଟକ ନଗରରେ ବୁଦ୍ଧିଜୀବୀ ଓ ଶିକ୍ଷିତ ଭଦ୍ରଲୋକେ ସକ୍ରୀୟ ହୋଇଥାନ୍ତେ ତେବେ ବାରବାଟୀ ଦୁର୍ଗର ଅନେକ ଐତିହାସିକ କିର୍ତ୍ତୀ ଆଜିମଧ୍ୟ ସୁରକ୍ଷିତ ରହିଥାନ୍ତା।

ରାସ୍ତା ଅବରୋଧ କରି ଦୋକାନ କରିବା, ଖୋଲା ନାଳ, ଫୁଟ ପାଥ ଉଭାନ ହୋଇଯିବା,  ରାସ୍ତା ବାରମ୍ବାର ଖୋଳା ହେବା, ଜାଇକା କାମ ସମ୍ପୂର୍ଣ ନହେବା, ଖେଳ ସଂସ୍କୃତିର ବିଲୋପ ହେବା, ଅପରାଧ ବଢିବା, ଭେଜାଲ ଖାଦ୍ୟର ବୃଦ୍ଧି ଓ ଶିକ୍ଷା ଅନୁଷ୍ଠାନଗୁଡିକର ବ୍ୟବସାୟୀକରଣ ଇତ୍ୟାଦି ସାମାଜିକ ସମସ୍ୟାର ମୂଳକାରଣ ହେଲା ବୁଦ୍ଧିଜୀବୀ ଓ ଶିକ୍ଷିତ ସାହିବାସିନ୍ଦାମାନଙ୍କର ନିଷ୍କ୍ରିୟତା। ଶିକ୍ଷିତ ସମାଜର ନିଷ୍କ୍ରିୟତା ଫଳରେ  କଟକର ଦୁଇ ପାର୍ଶ୍ୱରେ ଥିବା ମହାନଦୀ ଓ କାଠଯୋଡ଼ିର  ଶଯ୍ୟା ପୋତି ହୋଇ ଏହା କଟକ ନଗରର ଲକ୍ଷଲକ୍ଷ ଲୋକଙ୍କ ପାଇଁ ବିପଦ ସୃଷ୍ଟି କରିଛି।

ଆଜି ଅଧକାଂଶ ବୁଦ୍ଧିଜୀବୀ ଓ ଭଦ୍ରଲୋକ ନିଜ ଡ୍ରଇଂ ରୁମ ଓ ମଂଚ ଉପରେ ବସି ସମାଜର ଅନେକ ଗମ୍ଭୀର ସମସ୍ୟା ଉପରେ ତର୍କବିତର୍କ କରି ନିଜର ମୂଲ୍ୟବାନ ସମୟ ନଷ୍ଟ କରିଥାନ୍ତି କିନ୍ତୁ ନିଜ ଇଲାକାରେ ଥିବା ନଦୀ, ପୋଖରୀ, କୂଅ, ଖେଳପଡିଆ, ଧାର୍ମିକପୀଠ, ବିଦ୍ୟାଳୟ, ପାଠାଗାର ଓ ସ୍ଥାନୀୟ କ୍ଳବଗୁଡିକର ଅବନତିକୁ ରୋକିବା ପାଇଁ ମିଳିତ ପଦକ୍ଷେପ ନେଇ ପାରନ୍ତି ନାହିଁ। କାଦୁଅକୁ ଯିବାର ନାହିଁ କି ଗୋଡ଼ ଧୋଇବାର ନାହିଁ ଏହି ମାନସିକତାକୁ ନେଇ ବଞ୍ଚିରହିବା ଦ୍ୱାରା ସେମାନେ ନିଜର ଓ ଆଗାମୀ ଯୁବପିଢ଼ିର ଅନେକ କ୍ଷତି  କରିଥାନ୍ତି।

ସମାଜରେ ଶିକ୍ଷିତ ଭଦ୍ରଲୋକଙ୍କର ନିଷ୍କ୍ରିୟତାର ସୁଯୋଗ ନେଇ ଅନେକ ଅଧାପାଠୁଆ ଓ ଅଯୋଗ୍ୟ ଲୋକ ଲୋକ ନିଜର ଶାରୀରିକ ଶକ୍ତି ଓ ଧନବଳରେ ନିର୍ବାଚନରେ ପ୍ରାର୍ଥୀ ହେବାକୁ ସାହସ କରିଥାନ୍ତି। ଅନେକ ଜାଗାରେ ସେମାନେ ନିର୍ବାଚନରେ ଜିତି ବି ଥାନ୍ତି। ପରେ ଯେତେବେଳେ ରାସ୍ତା ମରାମତି ହୁଏ ନାହିଁ କିମ୍ବା ନର୍ଦମା ସଫା ହୁଏ ନାହିଁ ସେତେବେଳେ ଏହି ବୁଦ୍ଧିଜୀବୀ ଓ ଭଦ୍ରଲୋକମାନେ  ବାହୁନିଥାନ୍ତି। ଅର୍ଥ ଓ ଲୋକ ବଳ ଅଭାବରୁ ଶିକ୍ଷିତ ଭଦ୍ରଲୋକମାନଙ୍କ ପାଇଁ ନିର୍ବାଚନ ଜିତିବା ଯଦିଓ କଷ୍ଟକର ସେମାନଙ୍କ ନିଷ୍କ୍ରିୟତା ଗଣତନ୍ତ୍ରର କ୍ଷତି କରିବା ସଂଗେ ସଂଗେ ଆର୍ଥିକ ଓ ସାମାଜିକ ପରିବେଶର ଅବନତି କରିଥାଏ। ଏହି ବିପର୍ଯୟରୁ ରକ୍ଷା ପାଇବା ପାଇଁ ଗୋଟିଏ ମାତ୍ର ଉପାୟ ଥାଏ।  ହାରଜିତକୁ ଗୁରୁତ୍ୱ ନଦେଇ ଏହି ଶିକ୍ଷିତ ଭଦ୍ରଲୋକମାନେ ନିଜ ଏରୁଣ୍ଡି ବନ୍ଧ ଡେଇଁ  ନିର୍ବାଚନ ପ୍ରକ୍ରିୟାରେ ସାମିଲ ହେବା ଦରକାର। ନିର୍ବଚନରରେ ଛିଡ଼ା ହୋଇଥିବା ଭଲ ପ୍ରାର୍ଥୀଙ୍କୁ ସେମାନେ ସମର୍ଥନ କରିବା ସଂଗେ ସଂଗେ ନିଜ ଇଲାକାର ଅନେକ ସାମାଜିକ, ସାଂସ୍କୃତିକ ଓ ଆର୍ଥିକ ସମସ୍ୟା ବିଷୟରେ ଲୋକ ସଚେତନତା ସୃଷ୍ଟି କରିପାରିବେ। ଏହି ଶିକ୍ଷିତ ଭଦ୍ରଲୋକମାନେ ନିର୍ବାଚନ ପ୍ରଚାର କରି ହାରିଗଲେ ମଧ୍ୟ  ଏହା ଗଣତନ୍ତ୍ରର ସୁରକ୍ଷା କରିବାରେ ସାହାଯ୍ୟ କରିଥାଏ। ଲୋକସଭା କିମ୍ବା ବିଧାନସଭା ନିର୍ବାଚନରେ ଭଦ୍ରଲୋକମାନେ ନ ତିଷ୍ଠିଲେ ମଧ୍ୟ ଏମାନେ କାଉନସିଲର ନିର୍ବାଚନ ଜିତିବାକୁ ଚେଷ୍ଟା କରିପାରିବେ। ଗଣତନ୍ତ୍ରର ସୁରକ୍ଷା ପାଇଁ ଗଣମାଧ୍ୟମ ଓ ଶିକ୍ଷିତ ଭଦ୍ରଲୋକମାନେ ତତ୍ପର ହେଲେ ଏହା ରାଜ୍ୟରେ ଉନ୍ନତ ସାମାଜିକ, ଆର୍ଥିକ ଓ ସାଂସ୍କୃତିକ ପରିବେଶ ସୃଷ୍ଟି କରିବା ସଂଗେ ସଂଗେ ପ୍ରାକୃତିକ ପରିବେଶର ମଧ୍ୟ ଉନ୍ନତି କରିପାରିବ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।