ଆର୍ଥିକ ଓ ସାମାଜିକ ସ୍ଥିତି ଆଧାରରେ ଶିକ୍ଷାସେବା ଜରୁରୀ

ଓଡ଼ିଶାରେ ମାଧ୍ୟମିକ ସ୍ତରରେ ପାଠ ଛାଡ଼ି ଦେଉଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ଅଧିକ ରହୁଛି। ପ୍ରାୟ ୨୭.୩ ଭାଗ ଛାତ୍ରଛାତ୍ରୀ ମାଧ୍ୟମିକ ସ୍ତରରେ ପାଠପଢ଼ା ଛାଡ଼ି ଚାଲିଯାଉଛନ୍ତି। ରାଜ୍ୟରେ ପୂର୍ବତନ ସରକାର ନିର୍ବାଚନ ଆସିବା ପୂର୍ବରୁ ଏପରି ପ୍ରକ୍ରିୟାକୁ ବନ୍ଦ କରିବା ପାଇଁ ନବମ, ଦଶମ, ଏକାଦଶ ପିଲାମାନଙ୍କ ପାଇଁ ମାସିକ ଆର୍ଥିକ ସହାୟତା ଘୋଷଣା କରିଥିଲେ। ଏହା ନିର୍ବାଚନ ଉଦ୍ଦେଶ୍ୟରେ କରାଯାଇଥିବା ସେତେବେଳେ ସମସ୍ତେ ଉପଲବ୍ଧି କରିଥିଲେ।

Representative Image

  • Published: Thursday, 09 January 2025
  • , Updated: 09 January 2025, 03:35 PM IST

ରବି ଦାସ

ଓଡ଼ିଶାରେ ମାଧ୍ୟମିକ ସ୍ତରରେ ପାଠ ଛାଡ଼ି ଦେଉଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ଅଧିକ ରହୁଛି। ପ୍ରାୟ ୨୭.୩ ଭାଗ ଛାତ୍ରଛାତ୍ରୀ ମାଧ୍ୟମିକ ସ୍ତରରେ ପାଠପଢ଼ା ଛାଡ଼ି ଚାଲିଯାଉଛନ୍ତି। ରାଜ୍ୟରେ ପୂର୍ବତନ ସରକାର ନିର୍ବାଚନ ଆସିବା ପୂର୍ବରୁ ଏପରି ପ୍ରକ୍ରିୟାକୁ ବନ୍ଦ କରିବା ପାଇଁ ନବମ, ଦଶମ, ଏକାଦଶ ପିଲାମାନଙ୍କ ପାଇଁ ମାସିକ ଆର୍ଥିକ ସହାୟତା ଘୋଷଣା କରିଥିଲେ। ଏହା ନିର୍ବାଚନ ଉଦ୍ଦେଶ୍ୟରେ କରାଯାଇଥିବା ସେତେବେଳେ ସମସ୍ତେ ଉପଲବ୍ଧି କରିଥିଲେ। ରାଜ୍ୟରେ ପ୍ରକୃତରେ ସ୍କୁଲ୍ ଶିକ୍ଷାର ବିକାଶ ପାଇଁ ଓ ଛାତ୍ରଛାତ୍ରୀମାନଙ୍କୁ ସରକାରୀ ସ୍କୁଲରେ ଗୁଣାତ୍ମକ ଶିକ୍ଷାଦେବା ଦିଗରେ ସରକାର ପ୍ରକୃତରେ କୌଣସି ପଦକ୍ଷେପ ନେଇ ନପାରିବାରୁ ସରକାରୀ ସ୍କୁଲଗୁଡ଼ିକରେ ପିଲାସଂଖ୍ୟା କମିବା ସମୟରେ ବେସରକାରୀ ତଥାକଥିତ ଇଂରାଜୀ ମାଧ୍ୟମ ବିଦ୍ୟାଳୟଗୁଡ଼ିକରେ ପିଲାସଂଖ୍ୟା ଦୃତଗତିରେ ବୃଦ୍ଧି ପାଇ ଚାଲିଛି। ଏହିସବୁ ବେସରକାରୀ ସ୍କୁଲରେ ଅଧ୍ୟୟନ ପାଇଁ ଛାତ୍ରଛାତ୍ରୀଙ୍କୁ ନାମ ଲେଖାଇବା ସହିତ ଟିଉସନ୍ ଫି ବାବଦରେ ମାସିକ ମୋଟା ଅଙ୍କର ଅର୍ଥ ଆଦାୟ କରାଯାଉଥିବା ସମସ୍ତେ ଜାଣନ୍ତି।

ଅପରପକ୍ଷରେ ସରକାରୀ ସ୍କୁଲଗୁଡ଼ିକରେ ଗୁଣାତ୍ମକ ଶିକ୍ଷା ନମିଳିବା ଫଳରେ ସାମାଜିକ ଓ ଆର୍ଥିକ ଦୃଷ୍ଟିରୁ ଗରିବ ଶ୍ରେଣୀର ଲୋକମାନେ ମାଧ୍ୟମିକ ଶିକ୍ଷା ଦିଗରେ ଆଗ୍ରହ ପ୍ରକାଶ ନକରି ମଜୁରୀ ଖଟିବାକୁ ଅଧିକ ପସନ୍ଦ କରୁଥିଲେ। ଏହି ସମସ୍ୟା ଯୋଗୁ ସରକାରୀ ପ୍ରାଥମିକ ସ୍କୁଲଗୁଡ଼ିକରେ ପିଲା ନହେବାରୁ ରାଜ୍ୟ ସରକାର ବହୁ ପ୍ରାଥମିକ ସ୍କୁଲ୍ ବନ୍ଦ କରିଦେଲେ ବା ପାଖ ସ୍କୁଲରେ ମିଶାଇଦେଲେ। ଯଦିଓ ଏହା ଶିକ୍ଷା ଅଧିକାର ଆଇନର ବିରୁଦ୍ଧାଚରଣ କରୁଥିଲା। ଶିଶୁ ଅବସ୍ଥାରେ ଗାଁଠାରୁ ୨ କି.ମି ଭିତରେ ପାଠପଢ଼ିବାର ଅଧିକାରକୁ ଶିକ୍ଷା ଅଧିକାର ଆଇନରେ ସ୍ୱୀକୃତ କରାଯାଇଥିଲା। ଶିକ୍ଷା ଅଧିକାର ଆଇନରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ କୌଣସି ଛାତ୍ରଛାତ୍ରୀଙ୍କୁ ଫେଲ୍ କରାଯିବ ନାହିଁ ବୋଲି ବ୍ୟବସ୍ଥା ଥିଲା। ମଧ୍ୟାହ୍ନ ଭୋଜନ ସହିତ ଫେଲ୍ ବ୍ୟବସ୍ଥା ନଥିବାରୁ ଯେଉଁ ପିଲାମାନେ ସ୍କୁଲକୁ ଯାଉଥିଲେ ସେମାନେ ମାଧ୍ୟମିକ ସ୍ତରରେ ପାଠ ପଢ଼ିବା ପାଇଁ ସେତିକି ଆଗ୍ରହ ଦେଖାଇଲେ ନାହିଁ। ସେଥିପାଇଁ ଓଡ଼ିଶାରେ ଗୋଟିଏ ପକ୍ଷରେ ଗୁଣାତ୍ମକ ଶିକ୍ଷାର ଅଭାବ ଏବଂ ଅନ୍ୟ ପକ୍ଷରେ ନବମ ଶ୍ରେଣୀରୁ ପାଠ ଉପରେ ପରୀକ୍ଷା ହୋଇ ପାସ୍ ଫେଲ୍ ସ୍ଥିର ହେବାରୁ ମାଧ୍ୟମିକ ଶିକ୍ଷାରୁ ପାଠ ଛାଡ଼ିବା ସଂଖ୍ୟା ଓଡ଼ିଶାରେ ବଢ଼ି ଚାଲିଥିଲା। ଏହାଦ୍ୱାରା ସାମାଜିକ ଓ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଶ୍ରେଣୀମାନେ ଅଧିକ କ୍ଷତିଗ୍ରସ୍ତ ହେଲେ। ଗୋଟିଏ ପକ୍ଷରେ ଘରୋଇ ଶିକ୍ଷା ଅନୁଷ୍ଠାନର ପ୍ରତିଯୋଗିତା ଓ ଅନ୍ୟପକ୍ଷରେ ସରକାରୀ ଶିକ୍ଷାନୁଷ୍ଠାନ ଗୁଡ଼ିକର ଅବସ୍ଥା ଦୃଷ୍ଟିରୁ ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ଏକ ବଡ଼ ଅସମାନତା ବଢ଼ିବଢ଼ି ଚାଲିଛି।

ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ପୂର୍ବ ସରକାର ନିର୍ବାଚନ ପୂର୍ବରୁ ଆରମ୍ଭ କରିଥିବା ମାସିକ ଖର୍ଚ୍ଚ ବ୍ୟବସ୍ଥାକୁ ବନ୍ଦ କରି କେବଳ ଆଦିବାସୀ ଛାତ୍ରଛାତ୍ରୀମାନଙ୍କ ପାଇଁ ମାଧ୍ୟମିକ ସ୍ତରରେ ହାତଖର୍ଚ୍ଚ ସ୍ୱରୂପ ମାସିକ ୫,୦୦୦ ଟଙ୍କା ପ୍ରଦାନ ପାଇଁ ନିଷ୍ପତି ନେଇଛନ୍ତି। ଏହା ନିଶ୍ଚିନ୍ତ ଭାବରେ ସ୍ୱାଗତଯୋଗ୍ୟ। କିନ୍ତୁ ସେହିଭଳି ଯୋଜନା ଦଳିତ ଓ ପଛୁଆ ବର୍ଗର ଗରିବ ଶ୍ରେଣୀ ପାଇଁ ଲାଗୁ କରାଗଲେ ତାହା ସବୁ ଶ୍ରେଣୀର ସ୍ୱାର୍ଥକୁ ରକ୍ଷା କରିପାରିବ। କିନ୍ତୁ ତା’ଠାରୁ ବଡ଼ କଥା ହେଉଛି ସରକାରୀ ସ୍କୁଲଗୁଡ଼ିକର ଶିକ୍ଷାଦାନର ଗୁଣାତ୍ମକମାନ ବୃଦ୍ଧି କରିବା। ଏହି ଲକ୍ଷ୍ୟ ପ୍ରକୃତରେ ହାସଲ ହେବ ଯେତେବେଳେ ସରକାର ନିଷ୍ପତି କରିବେ ଯେ, ସରକାରୀ ଅଧିକାରୀ ଏପରିକି ଜିଲ୍ଲାପାଳଙ୍କ ପିଲାମାନେ ମଧ୍ୟ ସରକାରୀ ସ୍କୁଲରେ ପାଠ ପଢ଼ିବେ। କାରଣ ଓଡ଼ିଶାରେ ଯେତେବେଳେ ବେସରକାରୀ ଶିକ୍ଷା ବ୍ୟବସ୍ଥା ବସ୍ତୁତଃ ନଥିଲା ସେତେବେଳେ ସରକାରୀ ବିଦ୍ୟାଳୟଗୁଡ଼ିକରେ ସରକାରୀ ଅଧିକାରୀ ଓ ସାଧାରଣ ଲୋକମାନଙ୍କର ପିଲାମାନେ ଏକାଠି ପାଠ ପଢୁଥିଲେ। ସେତେବେଳେ ଆର୍ଥିକ ଅବସ୍ଥା ଖରାପ ଥିଲେ ମଧ୍ୟ ବିଦ୍ୟାଳୟଗୁଡ଼ିକର ଶିକ୍ଷାର ମାନ ଭଲ ଥିଲା। ସରକାରୀ ଅଧିକାରୀମାନେ ସ୍କୁଲଗୁଡ଼ିକର ବାସ୍ତବ ଅସୁବିଧା ଜାଣିପାରି ସେଗୁଡ଼ିକ ଦୂର କରିବା ପାଇଁ ବ୍ୟବସ୍ଥା କରୁଥିଲେ। କିନ୍ତୁ ନୂଆ ବ୍ୟବସ୍ଥାରେ ସରକାରୀ ଅଧିକାରୀମାନଙ୍କ ପିଲାମାନେ ସ୍କୁଲ ସ୍ତରରେ ସାଧାରଣ ବର୍ଗର ପିଲାମାନଙ୍କ ସହିତ ପାଠପଢ଼ିବା ପ୍ରାୟ ବନ୍ଦ କରିଦେଇଛନ୍ତି।

କେନ୍ଦ୍ର ସରକାର ଏବେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ କୌଣସି ପିଲା ଫେଲ୍ ନକରିବା ବ୍ୟବସ୍ଥାକୁ ଉଠାଇ ଦେଇଛନ୍ତି। ପଂଚମ ଶ୍ରେଣୀରେ ଛାତ୍ରଛାତ୍ରୀଙ୍କୁ ଫାଇନାଲ୍ ପରୀକ୍ଷା ଦେବା ପାଇଁ କୁହାଯାଇଛି। ସେହିପରି ଅଷ୍ଟମ ଶ୍ରେଣୀରେ ମଧ୍ୟ ଏକ ଫାଇନାଲ୍ ପରୀକ୍ଷା ପାଇଁ କୁହାଯାଇଛି। ସରକାର ଏହି ନିଷ୍ପତି ନେବା ପଛରେ ଯୁକ୍ତି ହେଲା ଯେ, ପ୍ରାଥମିକ ଶ୍ରେଣୀ ଉତ୍ତୀର୍ଣ୍ଣ ହେଉଥିବା ବହୁ ଛାତ୍ରଛାତ୍ରୀ ସାଧାରଣ ମିଶାଣ-ଫେଡ଼ାଣ ଓ ଭଲ ଭାବରେ ପାଠ ବହି ପଢ଼ିବାର ଦକ୍ଷତା ହାସଲ କରିପାରୁନାହାନ୍ତି। ଅର୍ଥାତ୍ ଉଭୟ ସଂଖ୍ୟା ଓ ଭାଷାରେ ସେମାନେ ଅତିମାତ୍ରାରେ ଦୁର୍ବଳ ରହୁଛନ୍ତି। ତେଣୁ ପଂଚମ ଶ୍ରେଣୀରେ ଓ ଅଷ୍ଟମ ଶ୍ରେଣୀରେ ଯଦି ଫାଇନାଲ୍ ପରୀକ୍ଷାରେ ସେମାନେ ଉତ୍ତୀର୍ଣ୍ଣ ହୁଅନ୍ତି ତେବେ ମାଧ୍ୟମିକ ସ୍ତରରେ ଗୁଣାତ୍ମକ ଶିକ୍ଷା ସମ୍ଭବ ହେବ। ଏହା ପଛରେ ଯୁକ୍ତି ଥିଲେ ମଧ୍ୟ ମାଧ୍ୟମିକ ସ୍ତରରେ ଯେଉଁସବୁ ସରକାରୀ ବା ସରକାରୀ ସାହାଯ୍ୟ ପ୍ରାପ୍ତ ସ୍କୁଲସବୁ ଗଢ଼ି ଉଠିଛି ସେଗୁଡ଼ିକରେ ଆବଶ୍ୟକ ଛାତ୍ରଛାତ୍ରୀ ମିଳିବେ କି?

ମାଧ୍ୟମିକ ଶିକ୍ଷା ପରେ ଉଚ୍ଚଶିକ୍ଷା ପାଇଁ ଦେଶରେ ଯେଉଁସବୁ ବ୍ୟବସ୍ଥା ରହିଛି ସେଥିରେ ଅଧ୍ୟୟନ କରିବା ନିମନ୍ତେ ଯୋଗ୍ୟତା ଛଡ଼ା ଉପଯୁକ୍ତ ଆର୍ଥିକ ସ୍ଥିତି ମଧ୍ୟ ଜରୁରୀ ହୋଇପଡ଼ିଛି। ମାଧ୍ୟମିକ ସ୍ତରରେ ସାମାଜିକ ଦୃଷ୍ଟିରୁ ଓ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଶ୍ରେଣୀ ଅଧ୍ୟୟନ କରିବା କଷ୍ଟସାଧ୍ୟ ହୋଇଥିବା ସମୟରେ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଦଳିତ, ଆଦିବାସୀ ଓ ପଛୁଆ ବର୍ଗଙ୍କ ପାଇଁ ସ୍ଥାନ ସଂରକ୍ଷିତ ରହିଥିଲେ ମଧ୍ୟ ଆର୍ଥିକ ଦୁର୍ବଳତା ହେତୁ ଅନେକ ଛାତ୍ରଛାତ୍ରୀ ପଢ଼ିବାରୁ ବଂଚିତ ହେଉଛନ୍ତି। ଉଚ୍ଚଶିକ୍ଷା ପାଇଁ ଋଣ କଥା କୁହାଯାଉଥିଲେ ମଧ୍ୟ ବାସ୍ତବରେ ନାମ ଲେଖିବା ପରେ ହିଁ ଏହିସବୁ ଦିଗରେ ଉଦ୍ୟମ କରାଯାଇପାରୁଛି। ଆଇଆଇଟି, ମେଡିକାଲ୍ ଓ ବଡ଼ କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟଗୁଡ଼ିକରେ ପ୍ରତିବର୍ଷ ନାମଲେଖା ଫି’ ବଢ଼ି ବଢ଼ି ଚାଲୁଛି। ସେହି କାରଣରୁ ଅନେକ ଦିନ ମଜୁରିଆ ଓ ସାମାଜିକ ଦୃଷ୍ଟିରୁ ଦୁର୍ବଳ ଶ୍ରେଣୀ ସେହି ଅର୍ଥ ମଧ୍ୟ ଯୋଗାଡ କରିପାରୁ ନାହାନ୍ତି। ନିକଟରେ ଜଣେ ଦିନ ମଜୁରିଆର ପୁଅ ଆଇଆଇଟି ଧାନବାରେ ଆସନ ପାଇଥିଲେ ମଧ୍ୟ ସିଟ୍ ସଂରକ୍ଷିତ ରଖିବା ପାଇଁ ୧୭,୫୦୦ ଟଙ୍କା ଦେବାକୁ ଥିବା ସର୍ତ୍ତ ପୂରଣ ନକରିବାରୁ ନାମ ଲେଖାଇ ପାରିଲେନାହିଁ। ଏହି ଘଟଣାଟି ସୋସିଆଲ୍ ମିଡ଼ିଆରେ ବହୁ ଚର୍ଚ୍ଚିତ ହେଲା ପରେ ସୁପ୍ରିମ କୋର୍ଟ ନିଜର କ୍ଷମତା ପ୍ରୟୋଗ କରି ସେହି ଦଳିତ ଛାତ୍ରର ନାମଲେଖା ପାଇଁ ଆଇଆଇଟିକୁ ନିର୍ଦ୍ଦେଶ ଦେଇଥିଲେ।

କେନ୍ଦ୍ର ସରକାର ଆତ୍ମନିର୍ଭର ଭାରତ ଅଭିଯାନରେ ପ୍ରତ୍ୟେକ ଶିକ୍ଷାନୁଷ୍ଠାନ ସ୍ୱୟଂ ସମ୍ପୂର୍ଣ୍ଣ ହେବା ପାଇଁ ଚାପ ଦେଉଥିବାରୁ ଆଇଆଇଟି ସମେତ ବଡ଼ ବଡ଼ ଶିକ୍ଷାନୁଷ୍ଠାନରେ ଟିଉସନ୍ ଫି’ ୯୦,୦୦୦ ଟଙ୍କାରୁ ବଢ଼ି ୩ ଲକ୍ଷ ଟଙ୍କାରେ ପହଂଚିଲାଣି। ସରକାର ଯୁକ୍ତି କରୁଛନ୍ତି ଯେ, ଦୁର୍ବଳ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ପାଇଁ ବିଦ୍ୟାଲକ୍ଷ୍ମୀ ସ୍କିମରେ ବିନା ସୁଧରେ ଋଣ ଦିଆଯାଉଛି। କିନ୍ତୁ ଏହି ବୃତ୍ତି ବଳରେ ଜଣେ ଦୁର୍ବଳ ଶ୍ରେଣୀର ଛାତ୍ରଛାତ୍ରୀ ହୁଏତ କଲେଜରେ ନାମ ଲେଖାଇ ପଢ଼ିପାରେ। ମାତ୍ର ସେ ସେହି ସବୁ ଅନୁଷ୍ଠାନରେ ଜଣେ ସ୍ୱାଭାବିକ ଛାତ୍ର ବା ଛାତ୍ରୀ ଭାବରେ ଚଳିବା ପାଇଁ ଯେଉଁ ଆର୍ଥିକ ଆବଶ୍ୟକତା ରହିଛି ତାହା ସେଥିରେ ପୂରଣ ହୁଏ ନାହିଁ। ଏହାଛଡ଼ା ଦେଖାଯାଉଛି ଯେ, ଏହିସବୁ ବଡ଼ ବଡ଼ ଜାତୀୟ ଶିକ୍ଷାନୁଷ୍ଠାନରେ ସାମାଜିକ ଦୃଷ୍ଟିରୁ ଦୁର୍ବଳ ଶ୍ରେଣୀ ବୃତ୍ତି ବା ଅନ୍ୟ ସହାୟତାରେ ଅଧ୍ୟୟନ କରୁଥିଲେ ମଧ୍ୟ ସମାଜର ଆଗୁଆ ଶ୍ରେଣୀର ଛାତ୍ରଛାତ୍ରୀ ସେମାନଙ୍କୁ ସମାନ ଭାବରେ ବିଚାର କରନ୍ତି ନାହିଁ। ସେଥିପାଇଁ କେତେକ ଛାତ୍ରଛାତ୍ରୀ ବିଭିନ୍ନ ଚାପର ସମ୍ମୁଖୀନ ହୋଇ ଆତ୍ମହତ୍ୟା କରୁଥିବାର କାହାଣୀ ବରାବର ପ୍ରକାଶିତ ହେଉଛି। ଟିଉସନ୍ ଫି’ ଓ ହଷ୍ଟେଲ୍ ଫି’ ଅନୁଷ୍ଠାନଗୁଡ଼ିକ ବରାବର ବଢ଼ାଉଥିବାରୁ ସାମାଜିକ ଓ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଶ୍ରେଣୀ ସମାନ ଶିକ୍ଷାଲାଭ ଅଧିକାରରୁ ବଂଚିତ ହେଉଛନ୍ତି।

ବାସ୍ତବରେ ଉପରୋକ୍ତ କାରଣ ପାଇଁ ସାମାଜିକ ଦୃଷ୍ଟିରୁ ଓ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଶ୍ରେଣୀ ଆସନରେ ସଂରକ୍ଷଣ ବ୍ୟବସ୍ଥା ସତ୍ତ୍ୱେ କେବଳ ଋଣ ନେଇ ପଢ଼ିବା କଷ୍ଟକର ହୋଇପଡ଼ିଛି। ବିଶେଷ ଭାବରେ ଆଇଆଇଟି ଓ ଆଇଆଇଏମ୍ ପରି ପ୍ରତିଷ୍ଠାବାନ୍ ଅନୁଷ୍ଠାନଗୁଡ଼ିକରେ ନାମ ଲେଖାଇବା ପାଇଁ ଦୁର୍ବଳ ଶ୍ରେଣୀର ଛାତ୍ରଛାତ୍ରୀମାନେ ଭୟ କରୁଛନ୍ତି। ଯେଉଁମାନେ କୌଣସି ପ୍ରକାର ନାମ ଲେଖାଇ ଅଧ୍ୟୟନ କରୁଛନ୍ତି, ସେମାନଙ୍କ ଭିତରୁ କେତେକ ଆର୍ଥିକ ଅସୁବିଧା ହେତୁ ଅଧାରୁ ପାଠଛାଡ଼ି ପଳାଇଯିବା ଘଟଣା ମଧ୍ୟ ଦେଖିବାକୁ ମିଳୁଛି। କେନ୍ଦ୍ର ସରକାରଙ୍କ ମାନବ ସମ୍ବଳ ବିଭାଗର ତଥ୍ୟ ଅନୁସାରେ ୨୦୧୭-୧୮ରେ ୨୪୬୧ ଜଣ ଛାତ୍ରଛାତ୍ରୀ ଆଇଆଇଟି ଅଧାରୁ ପାଠଛାଡ଼ି ଚାଲି ଯାଇଛନ୍ତି। ଲୋକସଭାରେ ଏହି ପ୍ରସଙ୍ଗ ଗତ ବର୍ଷ ଉଠିଥିବା ସମୟରେ ସରକାର ଉତ୍ତର ଦେଇଥିଲେ ଯେ ଦଳିତ, ଆଦିବାସୀ ଓ ପଛୁଆବର୍ଗର ପ୍ରାୟ ୧୩,୫୦୦ ଛାତ୍ରଛାତ୍ରୀ କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟ, ଆଇଆଇଟି ଓ ଆଇଆଇଏମରୁ ଗତ ପାଂଚ ବର୍ଷ ଭିତରେ ପାଠ ଅଧାରୁ ଛାଡ଼ି ବିଦାୟ ନେଇଛନ୍ତି।

ବାସ୍ତବିକ ଦେଶର ଶିକ୍ଷା କ୍ଷେତ୍ରରେ ସମସ୍ତଙ୍କୁ ସମାନ ସୁଯୋଗ ଆଉ ଅଧିକାର ଦେବା ପାଇଁ ବିଦ୍ୟାଳୟ ଶିକ୍ଷା ଠାରୁ ଉଚ୍ଚଶିକ୍ଷା ପର୍ଯ୍ୟନ୍ତ କିପରି ବ୍ୟବସ୍ଥା ହେବା ଦରକାର ତାହା ଚିନ୍ତା କରାଯିବା ଉଚିତ୍। ଓଡ଼ିଶା ଭଳି ରାଜ୍ୟ ଯେଉଁଠାରେ ଖଣିଜ ସମ୍ପଦରୁ ପ୍ରଚୁର ରାଜସ୍ୱ ରାଜ୍ୟ ସରକାର ପାଉଛନ୍ତି ଓ ସେହିସବୁ ଖଣିଜ ଅଂଚଳ ଯେଉଁ ଜିଲ୍ଲାଗୁଡ଼ିକରେ ରହିଛି ସେହିସବୁ ଜିଲ୍ଲାରେ ଆଦିବାସୀ, ଦଳିତ ଓ ପଛୁଆ ବର୍ଗର ଲୋକ ମୁଖ୍ୟତଃ ବସବାସ କରୁଛନ୍ତି। ବାସ୍ତବିକ ଏହି ସମ୍ପଦଭରା ଭୂମି ଉପରେ ସେମାନେ ଶହଶହ ବର୍ଷ ଧରି ଅବସ୍ଥାନ କରିଥିବାରୁ ଖଣିଜ ସମ୍ପଦରୁ ମିଳୁଥିବା ପ୍ରଚୁର ଆୟରୁ ଏହି ଶ୍ରେଣୀଗୁଡ଼ିକର ପ୍ରକୃତ ବିକାଶ ପାଇଁ ସେମାନଙ୍କର ସମସ୍ତ ଶିକ୍ଷା ବ୍ୟବସ୍ଥା ରାଜ୍ୟ ସରକାର ବନ୍ଦୋବସ୍ତ କରିବା ଆବଶ୍ୟକ। ଏହି ଶ୍ରେଣୀର ଲୋକମାନେ ସାମାଜିକ ଓ ଆର୍ଥିକ ଦୃଷ୍ଟିରୁ ଅତ୍ୟନ୍ତ ଦୁର୍ବଳ ହୋଇଥିବାରୁ ସେମାନଙ୍କର ପ୍ରକୃତ ବିକାଶ ପାଇଁ ଶିକ୍ଷା ହିଁ ଏକମାତ୍ର ମାଧ୍ୟମ। ମୋହନ ଚରଣ ମାଝୀଙ୍କ ପରି ଜଣେ ଆଦିବାସୀ ମୁଖ୍ୟମନ୍ତ୍ରୀ ଏହି ଦାୟିତ୍ୱ ବହନ କରିପାରିଲେ ତାହା ରାଜ୍ୟ ପାଇଁ ନୂଆ ଦିଗ ଆଣିବ।

ମୋ- ୮୦୧୮୦୯୪୪୫୫

Related story