/odisha-reporter/media/post_attachments/uploadimage/library/16_9/16_9_0/IMAGE_1757662670.jpg)
Election Commission Of India
ଜାନକୀଶ ବଡ଼ପଣ୍ଡା
ଚଳିତ ବର୍ଷ ଜୁନ୍ ୨୪ ତାରିଖରେ ଭାରତର ନିର୍ବାଚନ କମିଶନ (ଇସିଆଇ) ଭୋଟର ତାଲିକାର ଶୁଦ୍ଧତାକୁ ସୁରକ୍ଷିତ ରଖିବା ପାଇଁ ତଥା ନିଜର ସାମ୍ବିଧାନିକ ଦାୟିତ୍ୱ ନିର୍ବାହ ନିମନ୍ତେ ନିର୍ଦ୍ଦେଶନାମା ଜାରିକରି ଦେଶବ୍ୟାପୀ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ଆୟୋଜନ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ। ଏହା ନିର୍ବାଚନମୁଖୀ ବିହାର ରାଜ୍ୟରୁ ଆରମ୍ଭ ହେବ ବୋଲି ଘୋଷଣା କରି କହିଥିଲେ ଯେ, ଏଥିରେ ପ୍ରାୟ ୮ କୋଟି ଭୋଟରଙ୍କ ନାମ ତାଲିକା ଯାଞ୍ଚ କରାଯିବ। ପ୍ରଥମେ ଅନୁମାନ କରାଯାଉଥିଲା ଯେ ବିହାର ପରେ ଆସାମ, ପଶ୍ଚିମବଙ୍ଗ, ତାମିଲନାଡୁ, କେରଳ ଏବଂ ପୁଡୁଚେରୀରେ ହିଁ ସଂଶୋଧନ ପ୍ରକ୍ରିୟା ଚାଲିବ। ତେବେ, ଏବେ ଏସଆଇଆରକୁ ଦେଶବ୍ୟାପୀ ଅଭିଯାନରେ ପରିଣତ କରିବା ଲାଗି କମିଶନ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଏହି ଏସଆଇଆର ପ୍ରକ୍ରିୟାରେ ପ୍ରାରମ୍ଭିକ ସଂଶୋଧନ ପରେ ଡ୍ରାଫଟ୍ ତାଲିକା ପ୍ରକାଶ ପାଇବ ଏବଂ ଏହା ପରେ ଦାବି ଓ ଆପତ୍ତି ପାଇଁ ଏକ ମାସ ସମୟ ଦିଆଯିବ।
ବିହାରରେ ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାର ପ୍ରଥମ ପର୍ଯ୍ୟାୟ ଶେଷ ହେବା ପରେ ପ୍ରକାଶିତ ପରିବର୍ତ୍ତନୀୟ (ଡ୍ରାଫ୍ଟ) ଭୋଟର ତାଲିକାରେ ୬୫ ଲକ୍ଷ ଭୋଟରଙ୍କ ନାମ ବାଦ ଦିଆଯାଇଥିବାର ଦେଖିବାକୁ ମିଳିଥିଲା। ହିସାବ କଲେ ପ୍ରତି ନିର୍ବାଚନ ମଣ୍ଡଳୀରେ ହାରାହାରି ପ୍ରାୟ ୨୭,୦୦୦ ଭୋଟରଙ୍କ ନାମ ବାଦ ଦିଆଯାଇଥିଲା। ତଥ୍ୟ ଅନୁଯାୟୀ, ବାଦ ପଡ଼ିଥିବା ୬୫ ଲକ୍ଷ ଭୋଟରଙ୍କ ମଧ୍ୟରୁ ୨୨ ଲକ୍ଷ ଭୋଟର ମୃତ ବୋଲି ଜଣାପଡ଼ିଛି। ୩୬ ଲକ୍ଷ ଲୋକ ନିଜର ରାଜ୍ୟ ବିହାରରେ ଆଉ ରହୁ ନାହାନ୍ତି। ଏମାନେ ସ୍ଥାୟୀ ଭାବରେ ପ୍ରବାସୀ ହୋଇସାରିଛନ୍ତି କିମ୍ବା ସେମାନଙ୍କ ବିଷୟରେ ଖବର ନାହିଁ। ୭ ଲକ୍ଷ ଲୋକ ଦେଶର ଅନ୍ୟାନ୍ୟ ସ୍ଥାନର ଭୋଟର ତାଲିକାରେ ପଞ୍ଜୀକୃତ ହୋଇଛନ୍ତି। ଯଦି ଏହି ସମସ୍ତ କାରଣରୁ ୬୫ ଲକ୍ଷ ଭୋଟରଙ୍କ ନାମ ବାଦ ଦିଆଯାଇଛି, ତେବେ ସଠିକ ତଦାରଖ କରାଯାଇ ସେହି ନାମଗୁଡ଼ିକୁ ସାର୍ବଜନୀନ କରାଯିବା ଆବଶ୍ୟକ। ଦୁର୍ଭାଗ୍ୟବଶତଃ, ନିର୍ବାଚନ କମିଶନ ଏପରି ସ୍ୱଚ୍ଛତା ରକ୍ଷା କରିନଥିଲେ। ଯଦିଓ କମିଶନ ଏକ ପ୍ରେସ୍ ଇସ୍ତାହାର ଜାରିକରି ଦାବି କରିଥିଲେ ଯେ ବୁଥ୍-ସ୍ତରୀୟ ଲିପିବଦ୍ଧ ତାଲିକାକୁ ସମସ୍ତ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳଗୁଡ଼ିକୁ ଦିଆଯାଇଛି, କିନ୍ତୁ ପ୍ରଦତ୍ତ ତାଲିକାରେ ବାଦ ପଡ଼ିଥିବାର ଭୋଟରଙ୍କ ନାମ ଓ ସେମାନଙ୍କୁ ବାଦ ଦିଆଯିବାର କାରଣ ସମ୍ପର୍କରେ ସୂଚନା ନଥିଲା। ଫଳରେ, ଯୋଗ୍ୟ ଭୋଟରମାନଙ୍କୁ ଭୋଟଦାନରୁ ବଞ୍ଚିତ କରାଯାଇଛି କି ନାହିଁ ତାହା ଯାଞ୍ଚ କରିବା ସମ୍ଭବପର ନଥିଲାI ପ୍ରାସଙ୍ଗିକ ତଥ୍ୟର ଅଭାବ ରହିଲେ ବ୍ୟବସ୍ଥା ଉପରେ ବିଶ୍ୱାସ କମିଯାଏ। ଏଣୁ, ଏହି ସଂଶୋଧନ ପ୍ରକ୍ରିୟା ସିଧାସଳଖ ଭାବେ ନିର୍ବାଚନ ଫଳାଫଳକୁ ପ୍ରଭାବିତ କରିବା ପାଇଁ ଉଦ୍ଦିଷ୍ଟ ବୋଲି ଧାରଣାକୁ ଜନ୍ମ ଦେଲା।
ଦେଶବ୍ୟାପୀ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ଆୟୋଜନ ଏକ ନିୟମିତ ପ୍ରଶାସନିକ ନିଷ୍ପତ୍ତି ନୁହେଁ। ଦେଶର ପ୍ରାୟ ୧୦୦ କୋଟି ଭୋଟରଙ୍କୁ ନେଇ ନିର୍ବାଚନ କମିଶନ ହଠାତ୍ ଏହି ବିଶାଳ କାର୍ଯ୍ୟ କରିବା ପାଇଁ କାହିଁକି ହଠାତ୍ ପ୍ରେରିତ ହୋଇଥିଲେ, ଲୋକଙ୍କର ତାହା ଜାଣିବାର ଅଧିକାର ଅଛି। ଏଣୁ ପ୍ରଶ୍ନ ଉଠିଲା ଯେ, ଭୋଟର ତାଲିକାରେ ବଡ଼ ଧରଣର ବିସଙ୍ଗତି କିମ୍ବା ଗୁରୁତର ତ୍ରୁଟିର କେଉଁ ପ୍ରମାଣ ଥିଲା ଯେ, ନିର୍ବାଚନ କମିଶନ ବିଧାନସଭା ନିର୍ବାଚନ ହେବାକୁ ଥିବା ବିହାରରୁ ହିଁ ଦେଶବ୍ୟାପୀ ସ୍ୱତନ୍ତ୍ର ସଘନ ସଂଶୋଧନ ଆରମ୍ଭ କରିବାକୁ ବାଧ୍ୟ ହେଲେ? ବର୍ଷା ଋତୁରେ ବିହାରର ଅନେକ ଅଞ୍ଚଳରେ ବନ୍ୟାଜଳରେ ବୁଡ଼ିଯାଉଥିବା ବେଳେ ସଘନ ସଂଶୋଧନ କେତେଦୂର ବାସ୍ତବବାଦୀ ପ୍ରଶାସନିକ ପଦକ୍ଷେପ?
ସୁପ୍ରିମକୋର୍ଟରେ ଦାଖଲ କରିଥିବା ସତ୍ୟପାଠରେ କମିଶନ କହିଛନ୍ତି ଯେ ଅନେକ ରାଜନୈତିକ ଦଳ ଭୋଟର ତାଲିକାର ତ୍ରୁଟିକୁ ନେଇ ସେମାନଙ୍କ ଚିନ୍ତା ପ୍ରକଟ କରିଥିଲେ। ତାହାର ନିରପେକ୍ଷ ମୂଲ୍ୟାଙ୍କନ ପରେ କମିଶନ ମତ ଦେଇଥିଲେ ଯେ ଦେଶବ୍ୟାପୀ ସ୍ୱତନ୍ତ୍ର ସଘନ ସଂଶୋଧନ କରାଯିବା ଆବଶ୍ୟକ। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ଯେ, କମିଶନଙ୍କ ୮୦୦ ପୃଷ୍ଠାର ସତ୍ୟପାଠରେ ‘ସ୍ୱାଧୀନ ଓ ନିରପେକ୍ଷ ମୂଲ୍ୟାଙ୍କନ’ ସମ୍ବନ୍ଧିତ ସୂଚନା ନଥିଲା, ଯାହା ଆଧାରରେ କମିଶନ ଦେଶର ପ୍ରତ୍ୟେକ ଭୋଟରଙ୍କୁ ଭୋଟ ଦେବା ପାଇଁ ସେମାନଙ୍କର ଯୋଗ୍ୟତା ପ୍ରମାଣ କରିବାକୁ ଚାହିଁଥିଲେ। କର୍ତ୍ତୃପକ୍ଷଙ୍କ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତି ଓ ତାହାର କାରଣ ବିଷୟରେ ଯେ କୌଣସି ଗଣତନ୍ତ୍ରରେ ନାଗରିକମାନଙ୍କର ଜାଣିବାର ଅଧିକାର ରହିଛି। ତାହା ସହିତ, ବରଂ ନାଗରିକଙ୍କୁ ପ୍ରଭାବିତ କରୁଥିବା ନିଷ୍ପତ୍ତି କାହିଁକି ନିଆଯାଇଛି ତାହା ମଧ୍ୟ ଜାଣିବାର ଅଧିକାର ଅଛି। ସ୍ୱାଧୀନ ମୂଲ୍ୟାଙ୍କନର ପଦ୍ଧତି ଏବଂ ନିଷ୍କର୍ଷକୁ ନଜଣାଇ କମିଶନଙ୍କ ପକ୍ଷରୁ ନାଗରିକଙ୍କ ସୂଚନା ଅଧିକାରର ମୌଳିକତାକୁ ଉଲ୍ଲଂଘନ କରାଯାଇଥିବାର ଅଭିଯୋଗ ଆସିଲା। ପ୍ରମାଣ ବିନା ସ୍ୱତନ୍ତ୍ର ସଘନ ସଂଶୋଧନର ଯୁକ୍ତି ଅସ୍ପଷ୍ଟ ମନେହେଲା। ଏହାକୁ ସ୍ୱେଚ୍ଛାଚାରିତା କୁହାଗଲା ଏବଂ କମିଶନଙ୍କ କାର୍ଯ୍ୟପନ୍ଥା ଗ୍ରହଣ କରିବାର ନିଷ୍ପତ୍ତି ସରକାରଙ୍କ ଅଦୃଶ୍ୟ ଚାପ କାରଣରୁ ହେଉଥିବାର ଆଶଙ୍କାକୁ ବଢ଼ାଇଲା।
ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତ କରିବା ପାଇଁ ତାଲିକାକୁ ସଂଶୋଧନ କରିବାପାଇଁ ଯଦିଓ କମିଶନଙ୍କ ବ୍ୟାପକ ଅଧିକାର ରହିଛି, କେବଳ ୨୦୦୩ରେ ପ୍ରସ୍ତୁତ ଭୋଟର ତାଲିକା ଆଧାରରେ ପଞ୍ଜୀକୃତ ଲୋକଙ୍କୁ ନାଗରିକତ୍ୱ ପ୍ରମାଣପତ୍ର ପ୍ରଦାନ କରିବାର ନିଷ୍ପତ୍ତି ନିଶ୍ଚୟ ଏକ ବିତର୍କ ସୃଷ୍ଟି କରିଛି। କମିଶନଙ୍କ ଯୁକ୍ତି ହେଉଛି ଯେ ରାଜ୍ୟରେ ଶେଷ ସ୍ୱତନ୍ତ୍ର ସଘନ ସଂଶୋଧନ ୨୦୦୩ ମସିହାରେ କରାଯାଇଥିଲା ଏବଂ ତାଲିକାରେ ସ୍ଥାନ ପାଇଥିବା ସମସ୍ତ ବ୍ୟକ୍ତି ଭାରତୀୟ ନାଗରିକ ଯୋଗ୍ୟତା ମାନଦଣ୍ଡ ପୂରଣ କରିଥିଲେ। ଏଣୁ ଏକ ସ୍ୱାଭାବିକ ପ୍ରଶ୍ନ ଉଠିଥିଲା ଯେ, ୨୦୦୩ ମସିହାରେ କମିଶନ କ’ଣ ଭୋଟରମାନଙ୍କୁ ନାଗରିକତ୍ୱ ପ୍ରମାଣ କରିବା ପାଇଁ କିଛି ଦଲିଲ ଦାଖଲ କରିବାକୁ କହିଥିଲେ କି? ବାସ୍ତବରେ ନାଗରିକତ୍ୱ ପ୍ରମାଣ କରିବା ପାଇଁ କାଗଜପତ୍ର ଦାଖଲ କରିବା ପାଇଁ କମିଶନଙ୍କ ଜିଦ୍ ସନ୍ଦେହର ସୂତ୍ରପାତ କଲା ଯେ ସ୍ୱତନ୍ତ୍ର ସଘନ ସଂଶୋଧନ ହେଉଛି ଜାତୀୟ ନାଗରିକ ପଞ୍ଜିକରଣକୁ ପଛଦ୍ୱାର ଦେଇ କାର୍ଯ୍ୟକାରୀ କରିବାର ଏକ ପଦକ୍ଷେପ।
କମିଶନଙ୍କ ଯୁକ୍ତି ଯେ, ୨୦୨୫ ମସିହାରେ ନିଆ ଯାଉଥିବା ପଦକ୍ଷେପ ୨୦୦୩ ମସିହାରେ ନିଆଯାଇଥିବା କାର୍ଯ୍ୟର କେବଳ ପ୍ରତିଫଳନ। କିନ୍ତୁ, ଦୁର୍ଭାଗ୍ୟବଶତଃ ଏହା ପ୍ରମାଣିତ କରିବା ପାଇଁ ୨୦୦୩ ମସିହାରେ ବିହାରରେ କରାଯାଇଥିବା ଭୋଟର ତାଲିକାର ସଘନ ସଂଶୋଧନ ପାଇଁ ଜାରି ହୋଇଥିବା ନିର୍ଦ୍ଦେଶାବଳୀ ନିଖୋଜ ହୋଇଯାଇଛି। ପ୍ରାସଙ୍ଗିକ ଦଲିଲ୍ ପତ୍ରଗୁଡ଼ିକ କମିଶନଙ୍କ ୱେବସାଇଟରେ ଉପଲବ୍ଧ ନାହିଁ। ଏପରିକି, କମିଶନଙ୍କ ଦ୍ୱାରା ସୁପ୍ରିମ୍ କୋର୍ଟରେ ଦାଖଲ କରାଯାଇଥିବା ସତ୍ୟପାଠ ସହିତ ସେଗୁଡ଼ିକୁ ସଂଲଗ୍ନ କରାଯାଇ ନାହିଁ। ଯେତେବେଳେ ସାମ୍ବାଦିକମାନେ ଏହି ରେକର୍ଡଗୁଡ଼ିକର କପି ମାଗିଲେ କମିଶନଙ୍କ ଅଧିକାରୀମାନେ କହିଥିଲେ ଯେ ସେସବୁ ପ୍ରଦାନ କରାଯାଇ ପାରିବ ନାହିଁ।
ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନରେ ସ୍ୱଚ୍ଛତା ସୁନିଶ୍ଚିତ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କାରଣ ଜଣେବ୍ୟକ୍ତି ନାଗରିକତା ପ୍ରମାଣ କରିବାରେ ବିଫଳ ହେବା ଫଳରେ ତ ଭୋଟଦାନ ଅଧିକାର ହରାଇବେ, କିନ୍ତୁ ତାହା ସହିତ ସମ୍ବନ୍ଧିତ ଏହାର ଅନେକ ଗୁରୁତର ପରିଣାମ ରହିଥିବାରୁ କମିଶନ ଅଧିକ ସତର୍କତା ଅବଲମ୍ବନ କରିବା ଉଚିତ ହୋଇଥାଆନ୍ତା। ନିର୍ବାଚନ ଅଧିକାରୀମାନଙ୍କର ବ୍ୟାପକ କ୍ଷମତା ଅଛି, ଯେଉଁଥିରେ ନାଗରିକତା ଆଇନ-୧୯୫୫ ଅନୁଯାୟୀ ଅନୁପ୍ରବେଶ କରିଥିବା ସନ୍ଦିଗ୍ଧ ବିଦେଶୀ ନାଗରିକଙ୍କ ତାଲିକାକୁ ଉପଯୁକ୍ତ କର୍ତ୍ତୃପକ୍ଷଙ୍କ ନିକଟକୁ ପଠାଇବା ମଧ୍ୟ ଅନ୍ତର୍ଭୁକ୍ତ।
ବିରୋଧୀ ଦଳମାନେ ସମଗ୍ର ଦେଶର ଭୋଟର୍ ତାଲିକାରେ ଗମ୍ଭୀର ସମସ୍ୟା ରହିଥିବା ଦାବି କରିଥିବା ବେଳେ କୌଣସି ରାଜନୈତିକ ଦଳକୁ ଲାଭ ପହଞ୍ଚାଇବା ପାଇଁ ଜାଲିଆତି ଓ ହେରଫେର କରାଯାଇଥିବାର କୌଣସି ସ୍ପଷ୍ଟ ପ୍ରମାଣ ଦେଇପାରି ନାହାନ୍ତି। ବିହାରରେ ସ୍ୱତନ୍ତ୍ର ସଘନ ସଂଶୋଧନ ସମୟରେ ବାଦ ଦିଆଯାଇଥିବା ଭୋଟରଙ୍କ ତାଲିକାର ବିଶ୍ଳେଷଣରୁ ଜଣାପଡ଼ିଛି ଯେ ଇସଲାମୀ ନାଗରିକଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ବାଦ ଦିଆଯାଇଥିବାର କୌଣସି ସ୍ପଷ୍ଟ ପ୍ରମାଣ ନାହିଁ। ବାଦ ପଡ଼ିଥିବା ନାମ ମଧ୍ୟରୁ ମାତ୍ର ୧୮.୪ ପ୍ରତିଶତ ଲୋକ ଇସଲାମୀ ଥିଲାବେଳେ ବିହାରରେ କରାଯାଇଥିବା ଜାତି ଜନଗଣନା ରିପୋର୍ଟ ୨୦୨୨ରେ ରେକର୍ଡ କରାଯାଇଥିବା ତଥ୍ୟ ଅନୁଯାୟୀ ରାଜ୍ୟରେ ସେମାନଙ୍କର ଜନସଂଖ୍ୟା ଅଂଶ ଥିଲା ମାତ୍ର ୧୭.୭ ପ୍ରତିଶତ।
ବିଶ୍ଳେଷଣ ଅନୁସାରେ, ବିହାର ଭୋଟର ତାଲିକାରୁ ବାଦ ଦିଆଯାଇଥିବା ମୁସଲମାନ ଏବଂ ଅଣ-ମୁସଲମାନଙ୍କ ମଧ୍ୟରେ କୌଣସି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ନଥିଲା। ଉଦାହରଣ ସ୍ୱରୂପ, ବାଦ ଦିଆଯାଇଥିବା ତାଲିକା ମଧ୍ୟରୁ ୪୪ ପ୍ରତିଶତ ଥିଲେ ମୁସଲମାନ ଭୋଟର। କାରଣ ସେମାନେ ସ୍ଥାୟୀ ଭାବରେ ସ୍ଥାନାନ୍ତରିତ ହୋଇଥିଲେ, ଯାହା ଅଣ-ମୁସଲମାନଙ୍କ ମଧ୍ୟରେ ମଧ୍ୟ ପ୍ରାୟ ସମାନ ସଂଖ୍ୟକ ରହିଥିଲା। ମୃତ ଓ ଅନ୍ୟବର୍ଗ ଅଧୀନରେ ବାଦ ଦିଆଯାଇଥିବା ତାଲିକାରେ ଧାର୍ମିକ ଭିତ୍ତିରେ କୌଣସି ପ୍ରଭେଦ ନଥିଲା।
ତାଲିକାରୁ ବାଦ ଦିଆଯାଇଥିବା ମୁସଲମାନ ଏବଂ ଅଣ-ମୁସଲମାନଙ୍କ ଲିଙ୍ଗଭିତ୍ତିକ ବିଭାଜନ ମଧ୍ୟ କୌଣସି ଉଲ୍ଲେଖନୀୟ ପରିବର୍ତ୍ତନ ଦେଖାଇଲା ନାହିଁ। ବାଦ ହୋଇଥିବା ମୁସଲିମ ଭୋଟରଙ୍କ ମଧ୍ୟରୁ ୫୬ ପ୍ରତିଶତ ମହିଳା ଥିଲେ, ଯାହା ଅଣ-ମୁସଲିମଙ୍କ ମଧ୍ୟରେ ୫୫ ପ୍ରତିଶତ ଥିଲା। ବାଦ ପଡ଼ିଥିବା ଭୋଟରଙ୍କ ବୁଥ୍-ୱାରି ବିଶ୍ଳେଷଣରୁ ଜଣାପଡ଼ିଛି ଯେ ୮୨,୪୦୦ରୁ ଅଧିକ ବୁଥ୍ ମଧ୍ୟରୁ ପ୍ରାୟ ୪୯୦ଟିରେ ସମସ୍ତ ବାଦ ପଡ଼ିଥିବା ଭୋଟର ମୁସଲମାନ ଥିଲେ। ତଥାପି, ୧୦ଟି ବୁଥର ଏକ ଯାଞ୍ଚରୁ ଜଣାପଡ଼ିଥିଲା ଯେ ଏହି ବୁଥର ପ୍ରାୟ ସମସ୍ତ ଭୋଟର ଆରମ୍ଭରୁ ମୁସଲମାନ ଥିଲେ - ଅର୍ଥାତ୍ ସମସ୍ତ ବିଲୋପ ହୋଇଥିବା ମୁସଲମାନଙ୍କ ସଂଖ୍ୟାରେ ପ୍ରାୟ ଅସଙ୍ଗତି ନଥିଲା।
ବାଦ ପଡ଼ିଥିବା ଭୋଟରଙ୍କ ମଧ୍ୟରୁ ପ୍ରାୟ ୬୫ ପ୍ରତିଶତ କିଶନଗଞ୍ଜ ଜିଲ୍ଲାର ମୁସଲମାନ ଥିଲେ - ଯାହା ଥିଲା ସମଗ୍ର ରାଜ୍ୟରେ ସର୍ବାଧିକ। ଉଲ୍ଲେଖନୀୟ ଯେ, ୨୦୧୧ ଜନଗଣନାରେ କିଶନଗଞ୍ଜର ଜନସଂଖ୍ୟାର ୬୮ ପ୍ରତିଶତ ମୁସଲମାନ ଥିଲେ, ଯାହା ବାଦ ପଡ଼ିଥିବା ଭୋଟରଙ୍କ ଅଂଶ ସହିତ ଏକକ ଭାବରେ ସମନ୍ୱିତ ଥିଲା। କିଶନଗଞ୍ଜ ପଛକୁ ପୂର୍ଣ୍ଣିଆ, ଆରାରିଆ ଏବଂ କଟିହାର ଜିଲ୍ଲାରେ ବାଦ ପଡ଼ିଥିବା ଭୋଟରଙ୍କ ମଧ୍ୟରେ ମୁସଲମାନଙ୍କ ଅଂଶ ୩୦ ପ୍ରତିଶତରୁ ଅଧିକ ଥିଲା। ଜିଲ୍ଲାୱାରୀ ବିଶ୍ଳେଷଣରୁ ଜଣାପଡ଼ିଛି ଯେ ମୁସଲିମଙ୍କ ଭୋଟ ବିଲୋପ ସେମାନଙ୍କର ଜନସଂଖ୍ୟା ଅଂଶ ସହିତ ବ୍ୟାପକ ଭାବରେ ସମାନ ଥିଲା।
ଏହି ବିଶ୍ଲେଷଣ ପ୍ରସିଦ୍ଧ ଇଂରାଜୀ ଖବରକାଗଜ ‘ଦି ହିନ୍ଦୁ’ ପକ୍ଷରୁ କରାଯାଇ ଥିବାରୁ ଏହାକୁ ଏକ ବିଶ୍ୱାସନୀୟ ତଥ୍ୟ ଭାବେ ଗ୍ରହଣ କରାଯାଉଛି। ତଥାପି ନିର୍ବାଚନ କମିଶନଙ୍କ ପକ୍ଷରୁ ଏଭଳି କଠୋର, ମହତ୍ୱାକାଂକ୍ଷୀ ଓ କଷ୍ଟସାଧ୍ୟ ପଦକ୍ଷେପ କୌଣସି ପୂର୍ବ ସୂଚନା କିମ୍ବା ପରାମର୍ଶ ଗ୍ରହଣ ନକରି ଅତ୍ୟନ୍ତ ଗୋପନୀୟ ଭାବରେ କାର୍ଯ୍ୟକାରୀ କରାଯିବା ଗ୍ରହଣୀୟ ନୁହେଁ। ତଥାପି, କମିଶନ ଦୃଢ଼ତା ସହିତ ଘୋଷଣା କରିଛନ୍ତି ଯେ ବିହାରରୁ ଆରମ୍ଭ ହେଉଥିବା ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ ସମଗ୍ର ଦେଶରେ କରାଯିବ। ଗତ ୧୦ ତାରିଖରେ ବିଭିନ୍ନ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀମାନଙ୍କ ସହିତ ପ୍ରସ୍ତୁତି ଏବଂ ସମୀକ୍ଷା ବୈଠକ କରିଥିଲେ ନିର୍ବାଚନ କମିଶନ। ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ସମଗ୍ର ପ୍ରକ୍ରିୟା ଉପରେ ନଜର ରଖିଥିବା ଏକ ଭଲ ଖବର। ବିରୋଧୀ ଦଳର ସଂସଦୀୟ ନେତା ଭୋଟଚୋରି ଭଳି ଅଭିଯୋଗ ଆଣି ଭାରତର ନିର୍ବାଚନ କମିଶନ ଭଳି ସାମ୍ବିଧାନିକ ଅନୁଷ୍ଠାନଙ୍କ ଭାବମୂର୍ତ୍ତି ଉପରେ କାଳିମା ଲେପନ କରିଥିବାରୁ ନିର୍ବାଚନ କମିଶନ ଅଧିକ ସ୍ୱଚ୍ଛତାର ସହିତ ଏଭଳି ପ୍ରକ୍ରିୟାର ବିଶ୍ୱସନୀୟତା ଉପରେ ପ୍ରଶ୍ନଚିହ୍ନ ନଆସିବା ପାଇଁ ମଧ୍ୟ ଉଦ୍ୟମ କରିବା ଉଚିତ।
ଫୋ- ୯୪୩୮୨୯୯୦୩୭
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
