Advertisment

ନିର୍ବାଚନ ପ୍ରକ୍ରିୟା ବିଶ୍ୱସନୀୟ ହେବା ଜରୁରୀ

ଜନପ୍ରତିନିଧିତ୍ୱ ଆଇନ, ୧୯୫୦ ଅନୁସାରେ, ଜଣକ ନାମ ଭୋଟର ତାଲିକାରେ ଦୁଇଥର ରହିବା କଥା ନୁହେଁ। ଏହା ବୈଷୟିକ ଦୃଷ୍ଟିରୁ ଏକ ଉଲ୍ଲଂଘନ। ଏପରି ତ୍ରୁଟିଗୁଡ଼ିକ ଉଦ୍ଦେଶ୍ୟମୂଳକ ଭାବେ କରାଯାଇଥାଉ ବା ନଥାଉ, ଏହା ନିଶ୍ଚୟ ଆଇନ୍ ଉଲ୍ଲଂଘନ।

author-image
Janakish Badapanda
voter id

Voter Id Photograph: (Internet)

ଜାନକୀଶ ବଡ଼ପଣ୍ଡା

ଆମ ଦେଶର ନିର୍ବାଚନ ପ୍ରକ୍ରିୟାର ବିଶ୍ୱସନୀୟତା ଉପରେ ପ୍ରଶ୍ନଚିହ୍ନ ଲାଗିଆସିଛି। ଭୋଟର ତାଲିକାରେ ଅବାଞ୍ଛିତ ବ୍ୟକ୍ତିଙ୍କ ନାମ ରଖାଯାଇଥିବାର ଅଭିଯୋଗ ହେଉଛି। ଏବେ ନିର୍ବାଚନ କମିସନଙ୍କ ପକ୍ଷରୁ ଦେଶବ୍ୟାପୀ ସ୍ୱତନ୍ତ୍ର ସଘନ ସଂଶୋଧନ (ସାର୍) ପ୍ରକ୍ରିୟା ଚଳାଇ ମତଦାନ ସୂଚୀକୁ ବିଶୁଦ୍ଧ ଓ ତ୍ରୁଟିଶୂନ୍ୟ କରିବାର ପ୍ରୟାସ କରାଯାଉଛି। ବିହାରରେ ଚଳିତ ବିଧାନସଭା ନିର୍ବାଚନ ଅବ୍ୟବହିତ ପୂର୍ବରୁ ‘ସାର୍’ ପ୍ରକ୍ରିୟା ସମାପ୍ତ ହେବା ଉଲ୍ଲେଖନୀୟ। ଏହାକୁ କାର୍ଯ୍ୟକାରୀ କରାଇବା ଏତେ ସହଜ ଓ ସରଳ ନଥିଲା। ବିଭିନ୍ନ ରାଜନୈତିକ ଦଳ, ସଙ୍ଗଠନ ଏବଂ ଶେଷରେ ସୁପ୍ରିମକୋର୍ଟଙ୍କ କଡ଼ା ସମାଲୋଚନାର ସମ୍ମୁଖୀନ ହୋଇଥିଲେ ଭାରତୀୟ ନିର୍ବାଚନ କମିଶନ (ଇସି)। ଏହାକୁ ସଫଳତାର ସହିତ ସମାପ୍ତ କଲା ପରେ ଏବେ ସମଗ୍ର ଦେଶରେ ‘ସାର୍’ ମାଧ୍ୟମରେ ମତଦାତା ସୂଚୀ ବିଶୁଦ୍ଧିକରଣ କରିବାକୁ ଘୋଷଣା କରିଛନ୍ତି। ବିହାର ପରେ, ଦ୍ୱିତୀୟ ଦଫାରେ ୯ଟି ରାଜ୍ୟରେ ସଂଶୋଧନ ଆରମ୍ଭ କରାଯାଇଛି, ଯାହାକୁ  ସାର୍-୨ କୁହାଯାଉଛି। ଏହି ପ୍ରକ୍ରିୟାକୁ କାଗଜବିହୀନ, ଲୋକ-ଅନୁକୂଳ ଏବଂ ପ୍ରକ୍ରିୟାଗତ ଭାବରେ ଦୃଢ଼ ପଦକ୍ଷେପ ବୋଲି ‘ଇସି’ଙ୍କ ପକ୍ଷରୁ କୁହାଯାଇଛି।

Advertisment

ଭାରତୀୟ ଜନତା ପାର୍ଟି ଏହି ସ୍ୱତନ୍ତ୍ର ସଘନ ସଂଶୋଧନକୁ ସ୍ୱାଗତ କଲାବେଳେ ପଶ୍ଚିମ ବଙ୍ଗ, ତାମିଲନାଡୁ, କେରଳ ଇତ୍ୟାଦି ରାଜ୍ୟର ସରକାରୀ ଦଳ ଇସିଆଇଙ୍କ ପଦକ୍ଷେପ ଉପରେ ପକ୍ଷପାତିତା ତଥା ଭାଜପା ନିର୍ଦ୍ଦେଶରେ ଏହା କରୁଥିବାର ଅଭିଯୋଗ ଆଣୁଛନ୍ତି। ପଶ୍ଚିମ ବଙ୍ଗ ରାଜ୍ୟ ଭାଜପା ପକ୍ଷରୁ ଅନୁପ୍ରବେଶକାରୀ ବାଙ୍ଗଳାଦେଶୀଙ୍କୁ ‘ଚିହ୍ନଟ କର, ତାଲିକାରୁ ବାଦ୍ ଦିଅ, ଫେରାଇ ଦିଅ’ ଲେଖାଥିବା ପ୍ଲାକାର୍ଡ଼ ପ୍ରଦର୍ଶନ କରାଯାଉଛି। ତୃଣମୂଳ କଂଗ୍ରେସ ଓ ଭାଜପା ରାଜରାସ୍ତାରେ ପରସ୍ପରକୁ ଦୋଷ ଦେଉଥିଲା ବେଳେ ତାମିଲନାଡୁର ଶାସକ ଦଳ ଡିଏମକେ ସର୍ବୋଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଛନ୍ତି। ତାଙ୍କର ଯୁକ୍ତି ହେଲା ଯେ, ଏହି ପ୍ରକ୍ରିୟା ଭୋଟରଙ୍କ ରାଜନୀତିକ ମତ ପ୍ରକାଶରେ ବାଧକ ହେବ, ନିରପେକ୍ଷ ମତଦାନ ସମ୍ଭବ ହେବନି। ବିହାରରେ ପ୍ରଥମ ଥାକ ସଂଶୋଧନ ହେବାପରେ ଏକାବେଳକେ ୧୨ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଦ୍ୱିତୀୟ ଥାକ ସଂଶୋଧନ କେବଳ ଭୋଟରଙ୍କୁ ବାଉଳା କରିବ, ଅନିଶ୍ଚିତତା ମଧ୍ୟକୁ ଠେଲିଦେବ ଏବଂ ଅନେକଙ୍କୁ ତାଲିକାରୁ ବାଦ କରିଦେବ। ବିଏଲ୍ଓମାନଙ୍କୁ ନିର୍ବାଚନ କମିଶନ ବ୍ୟବହାର କରିବାକୁ ଦେଇଥିବା ଫର୍ମ ଆଇନତଃ ଅବୈଧ। ଏଭଳି ଯୁକ୍ତି ଶୁଣିବା ପରେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆଦେଶକୁ ଦେଶବାସୀ ଅପେକ୍ଷା କରିଛନ୍ତି। 

ଭାରତ ହେଉଛି ବିଶ୍ୱର ସର୍ବବୃହତ୍ ଗଣତନ୍ତ୍ର; ଯେଉଁଠି ପ୍ରାୟ ଏକଶହ କୋଟି ମତଦାତା ନିଜର ଗାଣତାନ୍ତ୍ରିକ ଅଧିକାର ଜାହିର୍ କରନ୍ତି। ଏଣୁ, ଭାରତରେ ଡିଜିଟାଲ୍ ପଦ୍ଧତିରେ ମତଦାତାଙ୍କ ସୂଚୀ ବା ‘ଭୋଟର ତାଲିକା’କୁ ସାଇତି ରଖିବା କେବଳ ଅନିବାର୍ଯ୍ୟ ନୁହେଁ ବରଂ ଅତ୍ୟାବଶ୍ୟକ। ଭୋଟର ତାଲିକା ଏବେ ବନ୍ଧେଇକରା ଖାତା ମଧ୍ୟରେ ଆବଦ୍ଧ ରାଜ୍ୟ-ୱାରୀ ସ୍ଥିର ତାଲିକା ନୁହେଁ; ବରଂ ଏହା ଏକ ଗତିଶୀଳ ଜାତୀୟ ମୂଳତଥ୍ୟ (ଡାଟାବେସ୍) - ଯାହାର ସଠିକତା ଭାରତରେ କାର୍ଯ୍ୟକାରୀ ହେଉଥିବା ନିର୍ବାଚନ ପ୍ରକ୍ରିୟାର ଅଖଣ୍ଡ ବିଶ୍ୱାସନୀୟ଼ତାକୁ ଦର୍ଶାଇବା ଆବଶ୍ୟକ। ତଥାପି, ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କ ସତର୍କତା ସତ୍ତ୍ୱେ, ମତଦାତା ସୂଚୀ ଗଙ୍ଗୋତ୍ରୀ ଭଳି ପବିତ୍ର ଓ ବିଶୁଦ୍ଧ ହୋଇ ପାରିନାହିଁ, ଜଣେ ମତଦାତାଙ୍କ ନାମ ଏକାଧିକ ବାର ତାଲିକାରେ ରହି ଆସିଛି।

Advertisment

ଯେଉଁମାନେ ନିଜର ସ୍ଥାୟୀ ବାସସ୍ଥାନ ଛାଡ଼ି ପ୍ରବାସରେ ରହୁଛନ୍ତି, ସେମାନଙ୍କ କ୍ଷେତ୍ରରେ ଏଭଳି ସମସ୍ୟା ଦେଖାଯାଏ; ଯାହାକୁ ଠକେଇ ନୁହେଁ ବରଂ ପ୍ରକ୍ରିୟାଗତ ତ୍ରୁଟି କହିହେବ। ତଥାପି ଏହା ବ୍ୟବସ୍ଥା ପ୍ରତି ଲୋକଙ୍କ ବିଶ୍ୱାସହାନୀର କାରଣ ହୁଏ। ଦେଶର ଜଣେ ଜଣାଶୁଣା ବ୍ୟକ୍ତି ପ୍ରଶାନ୍ତ କିଶୋରଙ୍କ ଉଦାହରଣ ନେଲେ, କଥାଟା ବୁଝାପଡ଼ିବ। ସେ ଜଣେ ସଚେତନ ମତଦାତା ତଥା ନିର୍ବାଚନ ରଣନୀତିକାର ରହିବ ସହ ନବଗଠିତ ଜନସୁରାଜ ପାର୍ଟିର ପ୍ରତିଷ୍ଠାତା। ଅଥଚ, ତାଙ୍କର ନାମ ବିହାର ଏବଂ ପଶ୍ଚିମବଙ୍ଗ ଉଭୟ ରାଜ୍ୟର ଭୋଟର ତାଲିକାରେ ରହିଛି; ଯାହା ନିଶ୍ଚିତ ଭାବେ ଏକ ତ୍ରୁଟି। ପଶ୍ଚିମବଙ୍ଗରେ ଏପର୍ଯ୍ୟନ୍ତ ‘ସାର୍’ ଆରମ୍ଭ ହୋଇନଥିବା ବେଳେ ବିହାରରେ ସରି ଯାଇଛି। ତଥାପି ବିହାର ମତଦାତା ସୂଚୀରେ ତାଙ୍କର ନାମ ରହିଲା କିପରି? କମିସନ କାହିଁକି ଜାଣି ପାରିଲେନି ଯେ, ପଶ୍ଚିମବଙ୍ଗ ଭୋଟର ସୂଚୀରେ ପ୍ରଶାନ୍ତଙ୍କ ନାମ ବହୁ ପୂର୍ବରୁ ରହିଛି! ଏହା ‘ସାର୍’  ପ୍ରକ୍ରିୟାର ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଇଛି ଏବଂ ଭୋଟର ଡାଟାବେସ୍ ଉପରେ ଲୋକଙ୍କ ବିଶ୍ୱାସକୁ ଦୁର୍ବଳ କରିଛି।

ଜନପ୍ରତିନିଧିତ୍ୱ ଆଇନ, ୧୯୫୦ ଅନୁସାରେ, ଜଣକ ନାମ ଭୋଟର ତାଲିକାରେ ଦୁଇଥର ରହିବା କଥା ନୁହେଁ। ଏହା ବୈଷୟିକ ଦୃଷ୍ଟିରୁ ଏକ ଉଲ୍ଲଂଘନ। ଏପରି ତ୍ରୁଟିଗୁଡ଼ିକ ଉଦ୍ଦେଶ୍ୟମୂଳକ ଭାବେ କରାଯାଇଥାଉ ବା ନଥାଉ, ଏହା ନିଶ୍ଚୟ ଆଇନ୍ ଉଲ୍ଲଂଘନ। ସ୍ଥାନାନ୍ତରଣ କାରଣରୁ ଅନେକ ନିରୀହ ପ୍ରବାସୀ ନାଗରିକ ଅନିଚ୍ଛାକୃତ ଭାବରେ ଆଇନର ଉଲ୍ଲଂଘନ କରିଥାନ୍ତି। ଏଣୁ ଇସିଙ୍କ ପକ୍ଷରୁ ‘ସାର୍-୨’ ମାଧ୍ୟମରେ ଦୃଢ଼, ନିର୍ଭରଯୋଗ୍ୟ ଏବଂ ତ୍ରୁଟିମୁକ୍ତ ମତଦାତା ସୂଚୀ ପ୍ରସ୍ତୁତି ପାଇଁ ଡିଜିଟାଲ୍ ଢାଞ୍ଚା ମଧ୍ୟରେ ଏକ ବ୍ୟବସ୍ଥିତ, ପ୍ରଯୁକ୍ତିବିଦ୍ୟା-ଚାଳିତ ସଂଶୋଧନ ବ୍ୟବସ୍ଥା ଜରୁରୀ ମନେହୁଏ। 

ଜନ ପ୍ରତିନିଧିତ୍ୱ ଆଇନର ଧାରା ୨୨ (ଖ) ଅନୁଯାୟୀ ଯଦି ଜଣେ ଭୋଟର ଗୋଟିଏ ନିର୍ବାଚନମଣ୍ଡଳୀର ପରିସୀମା ମଧ୍ୟରେ ବାସସ୍ଥାନ ପରିବର୍ତ୍ତନ କରନ୍ତି, ତେବେ ନିର୍ବାଚନ ପଞ୍ଜିକରଣ ଅଧିକାରୀ (ଇଆରଓ) ତାଲିକାର କେବଳ ନିର୍ଦ୍ଦିଷ୍ଟ ସ୍ଥାନରେ ସଂଶୋଧନ କରିବା ଉଚିତ। ଯେତେବେଳେ ଜଣେ ଭୋଟର ଅନ୍ୟ ଯେ କୌଣସି ନିର୍ବାଚନମଣ୍ଡଳୀକୁ ସ୍ଥାନାନ୍ତରିତ ହୁଅନ୍ତି, ଧାରା ୨୩ (୨) ଅନୁସାରେ ନୂତନ ତାଲିକାରେ ଅନ୍ତର୍ଭୁକ୍ତ ହୋଇ ପାରନ୍ତି। ଇଆରଓ ଯଦି ଆବେଦନକାରୀଙ୍କ ପଞ୍ଜିକୃତ ହେବା ପାଇଁ ଆବେଦନକୁ ବିଚାର କଲା ପରେ ତାଙ୍କର ଯୋଗ୍ୟତାକୁ ନେଇ ସନ୍ତୁଷ୍ଟ ହୁଅନ୍ତି, ତେବେ ନୂତନ ତାଲିକାରେ ଆବେଦନକାରୀଙ୍କ ନାମ ଅନ୍ତର୍ଭୁକ୍ତିକରଣ ନିର୍ଦ୍ଦେଶ ଦେବାପାଇଁ  ସେ ବାଧ୍ୟ। ଏହି ୨୩ (୨) ଧାରା ଅନୁସାରେ ଯଦି ଆବେଦନକାରୀ ପୂର୍ବରୁ ଅନ୍ୟ ନିର୍ବାଚନମଣ୍ଡଳୀର ତାଲିକାରେ ପଞ୍ଜିକୃତ ହୋଇସାରିଛନ୍ତି, ତେବେ ସମ୍ପୃକ୍ତ ଇଆରଓ ସେହି ନିର୍ବାଚନମଣ୍ଡଳୀର ଅଧିକାରୀଙ୍କୁ ଜଣାଇବାକୁ ପଡ଼େ। ଏହା ପରେ ପୂର୍ବ ତାଲିକାରୁ ଆବେଦନକାରୀଙ୍କ ନାମ କାଟିଦିଆ ଯାଏ।

ଏହି ଆଇନର ଧାରା ୧୭ ଏବଂ ୧୮ ଅନୁସାରେ ଜଣେ ଭୋଟର ଏକାଧିକ ସ୍ଥାନରେ ପଞ୍ଜୀକୃତ ହୋଇ ପାରିବେ ନାହିଁ। ଅର୍ଥାତ, କୌଣସି ବ୍ୟକ୍ତିଙ୍କୁ ଗୋଟିଏରୁ ଅଧିକ ନିର୍ବାଚନ ମଣ୍ଡଳୀରେ କିମ୍ବା ଗୋଟିଏ ନିର୍ବାଚନ ମଣ୍ଡଳୀରେ ଏକାଧିକ ଥର ତାଲିକାଭୁକ୍ତ କରାଯାଇପାରିବ ନାହିଁ। ନିର୍ବାଚନ ଆଇନ ଅନୁଯାୟୀ ଉଲ୍ଲଂଘନ ଏକ ଅପରାଧ। ତଥାପି, ଜଣକର ନାମ ଏକାଧିକ ସ୍ଥାନରେ ଦେଖିବାକୁ ମିଳେ। ଏପରି ପ୍ରାୟତଃ ସେତେବେଳେ ଘଟେ ଯେତେବେଳେ ଜଣେ ଭୋଟରଙ୍କ ନାମ ନୂତନ ବାସସ୍ଥାନରେ ଯୋଡ଼ାଯାଏ କିନ୍ତୁ ପୂର୍ବ ବାସସ୍ଥାନରୁ ଏକକାଳୀନ ବାଦ ଦିଆଯାଇନଥାଏ। ମୂଳତଃ, ଏହି ଜନପ୍ରତିନିଧିତ୍ୱ ଆଇନକୁ ସଠିକ ଭାବେ କାର୍ଯ୍ୟକାରୀ କରିବା ନିର୍ବାଚନ ପଞ୍ଜିକରଣ ଅଧିକାରୀ (ଇଆରଓ) ମାନଙ୍କର ପ୍ରାଥମିକ ଦାୟିତ୍ୱ। ସେମାନେ ସ୍ଥାନାନ୍ତର କ୍ଷେତ୍ରରେ, ଅନ୍ତର୍ଭୁକ୍ତିକରଣ ଏବଂ ବାଦକରଣ ସଠିକ୍, ତୁରନ୍ତ ଏବଂ ଏକକାଳୀନ ଭାବରେ କାର୍ଯ୍ୟକାରୀ କରନ୍ତି। ଜଣକର ଏକାଧିକ ଥର ପଞ୍ଜିକରଣ ରୋକାଯିବା ତଥା ଜାତୀୟ ନିର୍ବାଚନ ଡାଟାବେସର ବିଶ୍ୱସନୀୟତା, ସ୍ୱଚ୍ଛତା ଏବଂ ଅଖଣ୍ଡତା ସୁନିଶ୍ଚିତ କରିବା ପାଇଁ ଏହି ପ୍ରକ୍ରିୟା ଗୁରୁତ୍ୱପୂର୍ଣ୍ଣ।

ନିର୍ବାଚନ କମିଶନ ଫର୍ମ ୮ରେ ବାସସ୍ଥାନ ପରିବର୍ତ୍ତନ ଏବଂ ଭୋଟର ବିବରଣୀ ସଂଶୋଧନ ସମ୍ବନ୍ଧୀୟ ଉପରୋକ୍ତ ବ୍ୟବସ୍ଥାଗୁଡ଼ିକୁ ଏକତ୍ରିତ କରିଛନ୍ତି I ଫଳରେ ସ୍ଥାନାନ୍ତର କିମ୍ବା ସଂଶୋଧନ ପାଇଁ ଏହା ବ୍ୟବହୃତ ହୁଏ। ମତଦାତାମାନେ ନିଜର ଠିକଣା ପରିବର୍ତ୍ତନକୁ ଲିପିବଦ୍ଧ କରିବା ପାଇଁ ଯେଉଁ ଅନୁରୋଧ କରିଥାନ୍ତି, ତାହା ଚାରୋଟି ବର୍ଗରେ ଆସିପାରେ- ପ୍ରଥମ: ଗୋଟିଏ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସମାନ ମତଦାନ କେନ୍ଦ୍ର, ଦ୍ୱିତୀୟ: ନିର୍ବାଚନ ମଣ୍ଡଳୀରେ କୌଣସି ପରିବର୍ତ୍ତନ ନାହିଁ କିନ୍ତୁ ମତଦାନ କେନ୍ଦ୍ରରେ ପରିବର୍ତ୍ତନ, ତୃତୀୟ: ସମାନ ରାଜ୍ୟ ମଧ୍ୟରେ ନିର୍ବାଚନ ମଣ୍ଡଳୀରେ ପରିବର୍ତ୍ତନ, ଏବଂ ଚତୁର୍ଥ: ଉଭୟ ନିର୍ବାଚନ ମଣ୍ଡଳୀ ଏବଂ ରାଜ୍ୟରେ ପରିବର୍ତ୍ତନ। ଜଣେ ମତଦାତାଙ୍କର ଦୁଇଥର ନାମ ରହିବାର ସରଳ କାରଣ ରହିଛି ଚତୁର୍ଥ ପ୍ରକାର ଉଦାହରଣ ଥିବା କ୍ଷେତ୍ରରେ, ଯେଉଁଠାରେ ଜଣେ ଭୋଟର ଅନ୍ୟ ରାଜ୍ୟକୁ ସ୍ଥାନାନ୍ତରିତ ହୋଇ ସେଠାରେ ନିଜର ନାମ ପଞ୍ଜିକରଣ କରାଇ ନିଅନ୍ତି। ନୂତନ ପଞ୍ଜିକରଣ କଲାବେଳେ ନୂତନ ଭୋଟର ଫଟୋ ପରିଚୟ ପତ୍ରରେ ପୂର୍ବର କ୍ରମିକ ସଂଖ୍ୟା ରହିପାରେ କିମ୍ବା ଏକ ନୂତନ କ୍ରମିକ ସଂଖ୍ୟା ମିଳିପାରେ। ଏହି ପରିସ୍ଥିତିରେ ପୁରୁଣା କ୍ରମିକ ସଂଖ୍ୟାକୁ ବାଦ କରିବାରେ ବିଫଳତା ପାଇଁ ସମ୍ପୃକ୍ତ ଇଆରଓ ହିଁ ଦାୟି। କାରଣ, ସେ ଜାତୀୟ ଭୋଟର ତାଲିକାରେ ଦୋହରା ପଞ୍ଜିକରଣ ରୋକିବା ପାଇଁ ନୀତିଗତ ଭାବେ ତୁରନ୍ତ ସମନ୍ୱୟ କରିବା ଜରୁରୀ ଥିଲା। ଅନ୍ୟ ଏକ କାରଣ ହେଉଛି ଯେ, ଜଣେ ଭୋଟର ତାଲିକାରେ ନୂତନ ଅନ୍ତର୍ଭୁକ୍ତି ପାଇଁ ଆବେଦନ କଲାବେଳେ ପୂର୍ବ ତଥ୍ୟ ଲୁଚାଇ ରଖନ୍ତି।

ଭୋଟର ତାଲିକା ପ୍ରସ୍ତୁତି ପାଇଁ ପୁଣେର ସେଣ୍ଟର ଫର୍ ଡେଭଲପମେଣ୍ଟ ଅଫ୍ ଆଡଭାନ୍ସଡ୍ କମ୍ପ୍ୟୁଟିଂ (ସି-ଡାକ୍) ଦ୍ୱାରା ପରିଚାଳିତ ଏକ ସମ୍ପୂର୍ଣ୍ଣ ଡିଜିଟାଲ୍, ଦେଶବ୍ୟାପୀ ବ୍ୟବସ୍ଥାର ମେରୁଦଣ୍ଡ ହେଉଛି ‘ଇସିଆଇ ନେଟ। ପ୍ରାୟ ଏକଶହ କୋଟି ଭୋଟରଙ୍କ ତଥ୍ୟ ସହିତ ଏହି ‘ଇସିଆଇ ନେଟ’ ବିଶ୍ୱର ସର୍ବବୃହତ ଗତିଶୀଳ ଡାଟାବେସ୍ ମଧ୍ୟରୁ ଅନ୍ୟତମ ବୋଲି କୁହାଯାଏ। ଏହି ବ୍ୟବସ୍ଥାରେ ପ୍ରତ୍ୟେକ ଭୋଟରଙ୍କୁ ଏକ ୧୦ ଅଙ୍କ ବିଶିଷ୍ଟ ଅନନ୍ୟ କ୍ରମିକ ସଂଖ୍ୟା ଦ୍ୱାରା ଚିହ୍ନଟ କରାଯାଏ, ଯାହାକୁ ଆମେ ଇପିଆଇସି ନମ୍ବର ବା ଭୋଟର ଫଟୋ ପରିଚୟ ସଂଖ୍ୟା କହିଥାଉ। ଏହା ପ୍ରତି ବ୍ୟକ୍ତିଙ୍କ ପାଇଁ ଅଲଗା ଏବଂ ଜଣେ ଚାହିଁଲେ, ଏହି କ୍ରମିକ ସଂଖ୍ୟାରୁ ଭୋଟରଙ୍କ ତଥ୍ୟ ଯାଞ୍ଚ କରି ପାରିବେ। ‘ଇସିଆଇ ନେଟ’ ନକଲି ଲୋକଙ୍କୁ ଚିହ୍ନଟ କରିପାରିବ, ଅସଙ୍ଗତି ଥିଲେ ତାହାକୁ ଦର୍ଶାଇ ପାରିବ ଏବଂ ପ୍ରାଧିକୃତ ଯାଞ୍ଚ ମାଧ୍ୟମରେ ସଂଶୋଧନକୁ ସହଜ କରିପାରିବ। ସମ୍ପୂର୍ଣ୍ଣ ଇତିହାସ ଜାଣିବା ପାଇଁ ଭୋଟରମାନଙ୍କ ସଦ୍ୟତମ ସଂଶୋଧିତ ତଥ୍ୟଗୁଡିକୁ ଅନ୍ତର୍ଭୁକ୍ତ କରିବା ପାଇଁ ଏହାକୁ ଅଧିକ ବ୍ୟାପକ ତଥା ବିସ୍ତାରିତ କରାଯିବା ମନେହୁଏ।

ନିର୍ବାଚନ କମିସନଙ୍କୁ ଏବଂ ସି-ଡାକ୍ ବ୍ୟବସ୍ଥାକୁ ବାସ୍ତବରେ ସଠିକ ଅନୁସନ୍ଧାନ ଏବଂ ଯାଞ୍ଚ କରିବା ପାଇଁ ଏକାଧିକ ଆପ୍ଲିକେସନ୍ ମଧ୍ୟରେ ସମନ୍ୱୟ ସ୍ଥାପନକରି ପାରିଥିବା କାରଣରୁ କୃତଜ୍ଞତା ଜଣାଇବା ଉଚିତ ହେବ। ଏମାନେ ଏଭଳି ସମ୍ମାନ ପାଇବାକୁ ଯୋଗ୍ୟ। ନକଲି ଭୋଟରମାନଙ୍କୁ ଦକ୍ଷତାର ସହିତ ଚିହ୍ନଟ କରିବାକୁ ଏମାନେ ସକ୍ଷମ। ତଥାପି, ଜଣେ ଭୋଟରଙ୍କ ନାମ ଏକାଧିକବାର ରହିଥିଲେ ତାହାର ଯାଞ୍ଚ ଓ ସମୀକ୍ଷା କରି ଜଣେ କେବଳ ଥରଟିଏ ପାଇଁ ଯେଭଳି ଭୋଟର ତାଲିକାରେ ସ୍ଥାନିତ ହୋଇ ପାରିବେ, ସେଥିପାଇଁ ସ୍ୱୟଂଚାଳିତ ଭାବରେ ଏକ ସତର୍କତା ବ୍ୟବସ୍ଥା କରା ଯାଇପାରିନାହିଁ। ଏପରି ଉପକରଣ ଏବଂ ବ୍ୟବସ୍ଥା ଉପଲବ୍ଧ କରିବା ସହିତ, ନକଲି ତଥ୍ୟଥିବା ନଥିପତ୍ର ଗୁଡ଼ିକୁ ବିଲୋପ କରିବା ଆବଶ୍ୟକ ହେଉଛି। ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ପତ୍ର କାଗଜ-ଆଧାରିତ କିମ୍ବା କାଗଜବିହୀନ ହେଉ ପଛକେ, ସବୁଠୁ ଆହ୍ୱାନପୂର୍ଣ୍ଣ କଥାଟି ହେଲା ମୂଳତଥ୍ୟ ରହିଥିବା ଡାଟାବେସର ସଠିକତା ଏବଂ ପ୍ରଶାସନିକ ତତ୍ପରତା। ଏସବୁକୁ ଡିଜିଟାଲ୍ ଢାଞ୍ଚାରେ ଚିହ୍ନଟ ଏବଂ ବିଲୋପ ତୁରନ୍ତ କରାଯିବା ଉଚିତ।

ଶେଷରେ, ଏକାଧିକବାର ଜଣେ ଭୋଟରଙ୍କ ନାମ ତାଲିକାଭୁକ୍ତ ହେବା ଘଟଣା ସେତେବେଳେ ଘଟିଥାଏ, ଯେବେ  ପୁରୁଣା ନଥିପତ୍ର ସଂଶୋଧନ କରାନଯାଇ ଓ ଭୁଲ ତଥ୍ୟକୁ ନହଟାଇ ସମାନ କିମ୍ବା ଭିନ୍ନ ଇପିଆଇସି ନମ୍ବର ସହିତ ପ୍ରକାଶିତ ହୁଏ। ଯଦି, ଭୋଟର ଚିହ୍ନଟ ପତ୍ର ଆଧାର ସହିତ ସମ୍ପର୍କିତ କରାଯାଆନ୍ତା, ଏଭଳି ପୁନରାବୃତ୍ତି ସମସ୍ୟା କୌଣସି ପ୍ରଯୁକ୍ତିଗତ କାରଣରୁ ସମ୍ଭବ ହୁଅନ୍ତାନାହିଁ। କେବଳ ପ୍ରଶାସନିକ ତ୍ରୁଟି ରହିଲେ, ଜଣେ ଏକାଧିକ ଥର ତାଲିକାଭୁକ୍ତ ହୋଇ ପାରନ୍ତେ। ନିର୍ବାଚନ ପ୍ରକ୍ରିୟାରେ ପ୍ରଶାସନିକ ଅଧିକାରୀ, ଯନ୍ତ୍ରପାତି ଏବଂ ପ୍ରଯୁକ୍ତି ବିଦ୍ୟା ମଧ୍ୟରେ ସମୟୋଚିତ ସମନ୍ୱୟ ଏବଂ ଦାୟିତ୍ୱ ବିଫଳ ହେଲେ, ଏଭଳି ତୃଟି ଦେଖାଯାଏ; ଯାହାକୁ ସୁଧାରିବା ଆବଶ୍ୟକ।
ଆମ ମତରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ-୨ ଏକ ଅମଲାତାନ୍ତ୍ରିକ ରୀତିରେ ପରିଚାଳିତ ଏବଂ ସମ୍ପନ୍ନ ହେବା ଅନୁଚିତ। ପ୍ରଶାସନିକ ଏବଂ ପ୍ରକ୍ରିୟାଗତ ଆଳସ୍ୟକୁ ସହ୍ୟ କରିବା ଆଉ ସମ୍ଭବ ନୁହେଁ। ପ୍ରଯୁକ୍ତିଗତ କୌଶଳ ପରିଚାଳିତ ‘ଇସିଆଇ ନେଟ୍’ ବହୁଦିନ ପୂର୍ବରୁ ସମ୍ଭାବନା ସୃଷ୍ଟି କରିଛି ଏବଂ ସ୍ୱାଧୀନଭାବେ ତାଲିକାକୁ ତ୍ରୁଟିଶୂନ୍ୟ ଯାଞ୍ଚ କରିବା ପାଇଁ ବିଶ୍ୱସନୀୟ ପ୍ରମାଣିତ ହୋଇ ସାରିଛି। ଏହି ସର୍ବ-ଭାରତୀୟ ଡାଟାବେସ୍ ଆଧାର ସହିତ ବିଭିନ୍ନ ଆପ୍ଲିକେସନ୍ ନିର୍ବିଘ୍ନରେ ସମନ୍ୱିତକରି ଆହୁରି ଅଧିକ କାର୍ଯ୍ୟକ୍ଷମ  କରାଯିବା ଉଚିତ।

ସ୍ୱତନ୍ତ୍ର ସଘନ ସଂଶୋଧନ-୨ ଆରମ୍ଭ ହେବା ପୂର୍ବରୁ ନିର୍ବାଚନୀ ତଥ୍ୟଗୁଡିକରୁ ଜମି ଯାଇଥିବା ମଇଳା ସଫା କରାଯିବା, ନକଲି ଭୋଟରଙ୍କୁ ଚିହ୍ନଟ କରାଯିବା ଏବଂ ଯାଞ୍ଚକଲା ପରେ ହଟାଇ ଦିଆଯିବା ଆବଶ୍ୟକ। କୃତ୍ରିମ ବୁଦ୍ଧିମତା ସମ୍ପନ୍ନ ପ୍ରଯୁକ୍ତିବିଦ୍ୟାର ଉପଯୁକ୍ତ ବ୍ୟବହାର କରାଗଲେ ଏକ ବୈପ୍ଲବିକ ପରିବର୍ତ୍ତନ ଆସିବ। ବ୍ୟବସ୍ଥା ଉପରେ ଲୋକଙ୍କ ବିଶ୍ୱାସ ବଢ଼ିବା ସହିତ ଏହା ଅଧିକ ସ୍ୱଚ୍ଛ ହେବ। ‘ଇସିଆଇ ନେଟ୍’କୁ ଏକ ଅଧିକ ନିର୍ଭରଯୋଗ୍ୟ ସାର୍ବଜନୀନ ଉପଯୋଗୀ ବନ୍ଧୁ ଭାବରେ ବିବର୍ତ୍ତିତ କରିବା ପାଇଁ ଉଦ୍ୟମ ହେବା ଆବଶ୍ୟକ। ଏହା ବିବାଦରହିତ, ସହଜ ଏବଂ ସ୍ୱଚ୍ଛ ହେବା ଜରୁରୀ।

ସ୍ୱତନ୍ତ୍ର ସଘନ ସଂଶୋଧନ ଏଭଳି ଏକ ସ୍ୱଚ୍ଛ, ସ୍ୱୟଂ-ସଂଶୋଧନକାରୀ ମତାମତ ପ୍ରଣାଳୀ ଆଧାରିତ ହେବା ଆବଶ୍ୟକ ଯେପରି କାହାକୁ ଭୋଟଚୋରି ଅଭିଯୋଗ ଆଣିବାକୁ ପଡ଼ିବନି। ତାହା ପରେ, ପୁଣିକେବେ ସ୍ୱତନ୍ତ୍ର ସଘନ ସଂଶୋଧନ କରିବାକୁ ପଡିବନି; ବରଂ ଅନାବଶ୍ୟକ ହୋଇଯିବ ଏବଂ ଭୋଟର ତାଲିକା ଚିରସ୍ଥାୟୀ ଭାବରେ ସଠିକ ଏବଂ ଯାଞ୍ଚଯୋଗ୍ୟ ରହିବ। କେବଳ ସେତେବେଳେ ଭାରତ 'ରୀତି ଅନୁଯାୟୀ ଯାଞ୍ଚ'ରୁ 'ଡିଜାଇନ୍ ଦ୍ୱାରା ଯାଞ୍ଚ' ଆଡ଼କୁ ଗତି କରିପାରିବ। 

ଫୋ- ୯୪୩୮୨୯୯୦୩୭

Election Election Commission Eci Election Commission Of India