ଏନକାଉଣ୍ଟର ହତ୍ୟା- ଯାହାର କେବେ ବିଚାର ହୁଏ ନାହିଁ 

ଦେବ ରଞ୍ଜନ ମିଥ୍ୟା ଏନକାଉଣ୍ଟର କିଛି ନଥାଏ। ଦେଶର ସମ୍ବିଧାନ ଅନୁସାରେ ସମସ୍ତ ଏନକାଉଣ୍ଟର ବେଆଇନ। ସେଥିଲାଗି ତ ପୁଲିସର ଏଫ.ଆଇ.ଆର.ରେ ଏହାକୁ ଏନକାଉଣ୍ଟର କୁହାନଯାଇ ‘ଗୁଳି ବିନିମୟ’ କୁହାଯାଇଥାଏ। କାରଣ ପୁଲିସ ଜାଣିଥାନ୍ତି ଯେ ସେଭଳି ହତ୍ୟାକୁ ଦେଶର ଆଇନ କୌଣସି ସ୍ୱୀକୃତି ଦେଉନାହିଁ। ତଥାପି ଦେଶରେ ଏନକାଉଣ୍ଟର ହୁଏ। ଏ କ୍ଷେତ୍ରରେ ଲେଖାଯାଉଥିବା ଏଫ.ଆଇ.ଆର.ରେ କୌଣସି ଅନୁସନ୍ଧାନ ପୂର୍ବରୁ କେସର ପରିସମାପ୍ତି କରିଦିଆଯାଇଥାଏ। ମୃତ ଶରୀର ମିଳିବା ସ୍ଵୀକାର କରାଯାଇଥାଏ। କିନ୍ତୁ ହତ୍ୟା ମକଦ୍ଦମା […]

dhana and jay

Debendra Prusty
  • Published: Thursday, 12 January 2023
  • , Updated: 12 January 2023, 09:51 PM IST
  • ଦେବ ରଞ୍ଜନ

ମିଥ୍ୟା ଏନକାଉଣ୍ଟର କିଛି ନଥାଏ। ଦେଶର ସମ୍ବିଧାନ ଅନୁସାରେ ସମସ୍ତ ଏନକାଉଣ୍ଟର ବେଆଇନ। ସେଥିଲାଗି ତ ପୁଲିସର ଏଫ.ଆଇ.ଆର.ରେ ଏହାକୁ ଏନକାଉଣ୍ଟର କୁହାନଯାଇ ‘ଗୁଳି ବିନିମୟ’ କୁହାଯାଇଥାଏ। କାରଣ ପୁଲିସ ଜାଣିଥାନ୍ତି ଯେ ସେଭଳି ହତ୍ୟାକୁ ଦେଶର ଆଇନ କୌଣସି ସ୍ୱୀକୃତି ଦେଉନାହିଁ। ତଥାପି ଦେଶରେ ଏନକାଉଣ୍ଟର ହୁଏ। ଏ କ୍ଷେତ୍ରରେ ଲେଖାଯାଉଥିବା ଏଫ.ଆଇ.ଆର.ରେ କୌଣସି ଅନୁସନ୍ଧାନ ପୂର୍ବରୁ କେସର ପରିସମାପ୍ତି କରିଦିଆଯାଇଥାଏ। ମୃତ ଶରୀର ମିଳିବା ସ୍ଵୀକାର କରାଯାଇଥାଏ। କିନ୍ତୁ ହତ୍ୟା ମକଦ୍ଦମା ବା ଭାରତୀୟ ଦଣ୍ଡବିଧି ଆଇନର ଧାରା ୩୦୨ରେ କେସ ପଞ୍ଜୀକୃତ ହୋଇନଥାଏ। ପୁଲିସ ତରଫରୁ ଦିଆଯାଇଥିବା ଏଫଆଇଆରରେ ସେହି ମୃତ ବ୍ୟକ୍ତିମାନେ ଜଣେ ଜଣେ ମାଓବାଦୀ ହୋଇଯା’ନ୍ତି ଓ ସେମାନେ ପୁଲିସକୁ ହତ୍ୟା ପାଇଁ ଉଦ୍ୟମ କରୁଥିଲେ ବୋଲି ରେକର୍ଡ ହୁଏ। ଜାତୀୟ ମାନବିକ ଅଧିକାର କମିଶନଙ୍କ ନିର୍ଦ୍ଦେଶାନାମା ଅନୁସାରେ ଏକ ରିପୋର୍ଟ ପ୍ରସ୍ତୁତ କରି କମିଶନଙ୍କୁ ପଠାଇଦେବା ପରେ ଏଭଳି ହତ୍ୟାର ସମସ୍ତ ଔପଚାରିକତାକୁ ସେହିଠାରେ ସାରି ଦିଆଯାଏ।

ଯଦି କୌଣସି ଘଟଣାରେ ମୃତ ବ୍ୟକ୍ତିଙ୍କ ପରିବାର ତରଫରୁ ଏଫଆଇଆର ରୁଜୁ ହୋଇଥାଏ (କୋରାପୁଟ ଜିଲ୍ଲାରେ ୨୦୧୩ ମସିହାରେ ଗଙ୍ଗା କିରସନୀ ନାମକ ଆଦିବାସୀ ଚାଷୀଙ୍କ ହତ୍ୟା ପରେ ତାଙ୍କ ସ୍ତ୍ରୀ ଦେଇଥିବା ଏଫଆଇଆର ଭଳି) ତେବେ ତାହା କୋର୍ଟକୁ ବିଚାର ଲାଗି କେବେ ଆସେନାହିଁ ଅଥବା କ୍ଵଚିତ ଆସେ ଓ ବର୍ଷ ବର୍ଷ କେସ ପଡ଼ିରହେ। ପୁଣି ଯଦି ବି ସ୍ଥାନୀୟ ଲୋକଙ୍କ ଚାପ ହେତୁ କାଁ ଭାଁ କେବେ କୌଣସି ବିଚାରପତିଙ୍କ ଦ୍ଵାରା ତଦନ୍ତ ହୁଏ (୨୦୧୬ ମସିହାରେ କନ୍ଧମାଳର ଗୁମୁଡୁମାହା ଏନକାଉଣ୍ଟର) ତେବେ ତାହାର ରିପୋର୍ଟ ମଧ୍ୟ କେବେ ପବ୍ଲିକଙ୍କୁ ଜଣାଇଦିଆଯାଏ ନାହିଁ। କିଛି ଦିନ ପରେ ଏଭଳି ହତ୍ୟା ଯେ ସେହି ସ୍ଥାନରେ ଘଟିଥିଲା ତାହାର କୌଣସି ଲିଖିତ ପ୍ରମାଣ ମଧ୍ୟ ରହେନାହିଁ। ପୁଣି ସମୟ ଗଡ଼ିଚାଲେ ଓ ପୁଣି ଏନକାଉଣ୍ଟର ହୋଇଚାଲେ।

ମୁଁ ଏଠାରେ ଆପଣଙ୍କୁ ଗଲା ନଭେମ୍ବର ୧୦, ୨୦୨୨ ତାରିଖ ଦିନ କୋରାପୁଟ ଜିଲ୍ଲା ବଇପାରିଗୁଡ଼ା ଥାନା ଅନ୍ତର୍ଗତ ମାଳୀପଦର ଗ୍ରାମର ଅତଲଗୁଡ଼ା ଜଙ୍ଗଲରେ ହୋଇଥିବା ଦୁଇ ବ୍ୟକ୍ତିଙ୍କ ହତ୍ୟା ସମ୍ପର୍କରେ କହୁଛି। ପୁଲିସର ଏଫଆଇଆର ଅନୁସାରେ ଏଠାରେ ସେହିଦିନ ପୁଲିସ ଓ ମାଓବାଦୀ ମଧ୍ୟରେ ଗୁଳିକାଣ୍ଡ ଘଟିଥିଲା। ଦୀର୍ଘ ୪୫ ମିନିଟ ଧରି ଚାଲିଥିବା ଏହି ଗୁଳିକାଣ୍ଡ ଏଥିରେ ମୃତ ଦୁଇ ବ୍ୟକ୍ତି ଧନ କମାର ଓ ଜୟ କୁମାର ନାଗଙ୍କୁ ରାତାରାତି ପୋଲିସ ଏଫଆଇଆରରେ ମାଓବାଦୀ ଆଖ୍ୟା ଦେଇଦିଆଗଲା। ନିକଟରେ ‘ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଂଗଠନ’ ତରଫରୁ ଆମେ ଦୁଇ ଜଣ ସାଥୀ ଗଲା ଡିସେମ୍ବର ୨୮ ଓ ୩୦ ତାରିଖ ଦିନ ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାର ଉକ୍ତ ଅଞ୍ଚଳକୁ ଏକ ତଥ୍ୟ ଅନୁସନ୍ଧାନରେ ଯାଇଥିଲୁ। ଉଭୟଙ୍କ ପରିବାର ଓ ଗ୍ରାମବାସୀଙ୍କଠାରୁ ମିଳିଥିବା ତଥ୍ୟ ଅନୁସାରେ ଉଭୟ କୌଣସି ପ୍ରକାରରେ ମାଓବାଦୀ ସଂଗଠନର ସଦସ୍ୟ ନଥିଲେ। ପରିବାରର ସଦସ୍ୟଙ୍କ କହିବା ଅନୁସାରେ ଉଭୟ ସଂପୂର୍ଣ୍ଣ ନିରସ୍ତ୍ର ଥିଲେ।

ମାଲକାନଗିରି ଜିଲ୍ଲାର ମାଥିଲି ବ୍ଲକ ଅନ୍ତର୍ଗତ ବେଜାଗୁଡ଼ା ପଞ୍ଚାୟତର ସର୍ଗିଗୁଡ଼ା ଗ୍ରାମର ଧନ କମାର (ପୁରୁଷ/୪୨ ବର୍ଷ) ଆଦିବାସୀ ସଂପ୍ରଦାୟର ଓ କ୍ଷୁଦ୍ରଚାଷୀ। ସେ ନିକଟରେ ଏକ ପ୍ରାଇଭେଟ ବ୍ୟାଙ୍କରୁ ୪୦,୦୦୦ ଟଙ୍କା ବାର୍ଷିକ ୨୫% ସୁଧ ହାରରେ ଋଣ କରି ଚାଷ କାମ କରୁଥିଲେ। ସେହିଭଳି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ଥାନା ଅନ୍ତର୍ଗତ ଓକିଆପାଲି ପଞ୍ଚାୟତର ବରଗାଁର ଜୟ କୁମାର ନାଗ (ପୁରୁଷ / ୩୩ ବର୍ଷ ) ଦଳିତ ସଂପ୍ରଦାୟର ଓ ସେ ସଂପୂର୍ଣ୍ଣ ଭୂମିହୀନ। ସେ ଠିକା ଶ୍ରମିକ ଭାବରେ ଛତିଶଗଡ଼ର ଏନ.ଏମ.ଡ଼ି.ସି. ଷ୍ଟିଲ ପ୍ଳାଣ୍ଟରେ ସମୟ ସମୟରେ କାମ କରନ୍ତି, ପୁଣି କାମ ନଥିବା ସମୟରେ ଗାଁକୁ ଆସି ଲୋକଙ୍କ ଜମିରେ କୁଲି ଖଟନ୍ତି।

[caption id="attachment_796526" align="aligncenter" width="650"] ମୃତ ଜୟ କୁମାର ନାଗଙ୍କ ଘର[/caption]

ଉଭୟ ଜୟ ଓ ଧନ ନିଜର ପରିଚୟ ପତ୍ର ଲାଗି ଉଭୟ ଭୋଟର କାର୍ଡ ଓ ଆଧାର କାର୍ଡ ପ୍ରସ୍ତୁତ କରିଛନ୍ତି। ସେମାନେ ଏହି ବ୍ୟବସ୍ଥା ଉପରେ ସଂପୂର୍ଣ୍ଣ ଭରସା ରଖନ୍ତି। ସରକାରୀ ସୁବିଧା ଭାବରେ ଉଭୟ ପରିବାର କେବଳ ରାସନ କାର୍ଡରେ ୫ କିଲୋ ଚାଉଳ ପାଉଛନ୍ତି। ଜଣେ ହେଲେ କେହି କୌଣସି ଆବାସ ଘର ଯୋଜନା ବା ଅନ୍ୟ କୌଣସି ଯୋଜନାର ସୁବିଧା ପାଇନାହାନ୍ତି। ଧନ କମାରଙ୍କ ବଡ଼ ପୁଅ ଏଥିଲାଗି ଆନ୍ଧ୍ର ପ୍ରଦେଶରେ ଦାଦନ ଖଟିବାକୁ ଆଜକୁ ଚାରିବର୍ଷ ହେଲା ଯାଉଛନ୍ତି। ଏବେ ଧନ କମାରଙ୍କ ସ୍ତ୍ରୀ ଓ ପାଞ୍ଚ ଛୁଆ ତଥା ଜୟ କୁମାରଙ୍କ ପତ୍ନୀ, ଏକ ସାତ ମାସର ଛୁଆ ଓ ତାଙ୍କ ବୁଢ଼ା ବାପା ମା’ ଏବେ ଅତି କଷ୍ଟରେ ଜୀବନ ବିତାଉଛନ୍ତି।

ଏନକାଉଣ୍ଟରରେ ହତ୍ୟା ହୋଇଥିବା ଏହି ଦୁଇ ବ୍ୟକ୍ତି ସରକାରୀ ହିସାବରେ ହୁଏତ କେବଳ ଦୁଇଟି ଜୀବନ ହୋଇପାରନ୍ତି। ମାତ୍ର ତାହା ନୁହେଁ। ସେଭଳି ହତ୍ୟା ଦ୍ଵାରା ସେମାନଙ୍କ ଉପରେ ନିର୍ଭରଶୀଳ ସମଗ୍ର ପରିବାର, ସେମାନଙ୍କ ଗାଁ ଓ ବୃହତର ଆଦିବାସୀ – ଦଳିତ ସମାଜର ଅଶେଷ କ୍ଷତି ହୋଇଥାଏ। ଏହା ସହିତ ପୁଲିସ ଦ୍ଵାରା ଘଟୁଥିବା ଏନକାଉଣ୍ଟର ଭଳି ହତ୍ୟାରେ ଯେଉଁ ଭୟ ସୃଷ୍ଟି ହୁଏ ସେଥିରେ ସ୍ଥାନୀୟ ସମାଜ ମଧ୍ୟ କ୍ଷତିଗ୍ରସ୍ତ ହୋଇଥାଏ। ଏହାର କୌଣସି ତଦନ୍ତ ରାଜ୍ୟ ସରକାରଙ୍କ ଆଦିବାସୀ, ଆଇନ, ସାମାଜିକ କଲ୍ୟାଣ ମନ୍ତ୍ରଣାଳୟ କିମ୍ବା ମୁଖ୍ୟମନ୍ତ୍ରୀଙ୍କ ଅଫିସ ତରଫରୁ କୌଣସି ତଦନ୍ତ ହେଉନାହିଁ।

ଗଣମାଧ୍ୟମର ତଥ୍ୟ ଅନୁସାରେ ଉଭୟ ଧନ ଓ ଜୟ ଗଞ୍ଜେଇ ଚାଲାଣ କରୁଥିଲେ ଓ ସେହି ରାତିରେ ସେମାନେ ସେହିଭଳି ଯାଉଥିବା ସମୟରେ ଏସଓଜି ଯବାନଙ୍କ ଦ୍ଵାରା ଧରାହୋଇ ଏନକାଉଣ୍ଟର ହୋଇଗଲେ। ମାତ୍ର ଏହାର ସତ୍ୟାସତ୍ୟ ପରଖିବା ଆମ ଲାଗି କଷ୍ଟ ଥିଲା। ଗଞ୍ଜେଇ ଚାଲାଣ ଏକ ବେଆଇନ କାର୍ଯ୍ୟ ହୋଇଥିବା ହେତୁ ଉକ୍ତ ଦୁଇ ପରିବାର ଆମ ଆଗରେ କୌଣସି ସ୍ପଷ୍ଟ ମତ ରଖିନଥିଲେ। କିନ୍ତୁ କେନ୍ଦ୍ର ସରକାରଙ୍କ ଏନଡିପିଏସ ଆଇନ, ୧୯୮୫ ଅନୁସାରେ ଚାଲାଣକାରୀକୁ ଗିରଫ କରି ମାଜିଷ୍ଟ୍ରେଟଙ୍କ ସାମ୍ନାରେ ଉପସ୍ଥାପିତ କରିବାର ଦାୟିତ୍ଵ ପୁଲିସର ରହିଛି, ଏନକାଉଣ୍ଟର ନୁହେଁ। ଏପରିକି ପୁଲିସ ଉଭୟ ଧନ ଓ ଜୟ ବିପକ୍ଷରେ ଦେଇଥିବା ଏଫଆଇଆରରେ କିନ୍ତୁ ଗଞ୍ଜେଇ ଚାଲାଣ ସମ୍ପର୍କରେ କୌଣସି ସୂଚନା ଦିଆଯାଇନାହିଁ। ଏପରିକି ମୃତ ଧନ ଓ ଜୟ ବିପକ୍ଷରେ ପୁଲିସକୁ ଆକ୍ରମଣ କରିବା ଓ ହତ୍ୟା ଉଦ୍ୟମ କରିବାର ଏଫଆଇଆର ଦିଆଯାଇଥିଲେ ମଧ୍ୟ ଉଭୟଙ୍କର ଯେ ହତ୍ୟା ଘଟିଛି (ଯାହା ଦ୍ଵାରା ହୋଇଥାଉ ନା କାହିଁକି) ସେଥିଲାଗି ଆଇପିସିର ଧାରା ୩୦୨ ଅନୁସାରେ ଯେଉଁ ହତ୍ୟା ଅଭିଯୋଗ ରୁଜ୍ଜୁ ହେବା କଥା ଓ ଅନୁସନ୍ଧାନ ହେବା କଥା ତାହା ହୋଇପାରିନାହିଁ। ମୃତ ଧନ ଓ ଜୟଙ୍କ ସହିତ ସେଦିନ ରହିଥିବା ବାକି ଗ୍ରାମବାସୀଙ୍କର କୌଣସି ଜେରା ହୋଇନାହିଁ। ଉଭୟଙ୍କ ପରିବାର ସଦସ୍ୟଙ୍କୁ କୌଣସି ସରକାରୀ କର୍ମଚାରୀ ସେପର୍ଯ୍ୟନ୍ତ ଭେଟିନଥିଲେ। ଘଟଣାଟି ସଂପୂର୍ଣ୍ଣ ଏକପାଖିଆ ହୋଇଯାଇଛି।

କୋରାପୁଟ ଜିଲ୍ଲା ପୁଲିସ ତରଫରୁ ଉଭୟ ପରିବାରକୁ କେବଳ ୧୦,୦୦୦ ନଗଦ ଟଙ୍କା ଦେବା କଥା ଜୟଙ୍କ ସ୍ତ୍ରୀ ଆମକୁ କହିଲେ। ଯଦି ଜୟଙ୍କ ପତ୍ନୀଙ୍କ କଥା ସତ ହୋଇଥାଏ, ତେବେ ଜିଲ୍ଲା ପୁଲିସ ନିଶ୍ଚିତ ଥିଲେ ଯେ ଭୁଲରେ ଦୁଇ ଜଣ ବ୍ୟକ୍ତିଙ୍କ ଜୀବନ ଯାଇଛି। ଅଥଚ ଅନ୍ୟ କୌଣସି ସହଯୋଗ ବର୍ତ୍ତମାନ ସୁଧା କରାନଯିବା ଅତ୍ୟନ୍ତ ପରିତାପର ବିଷୟ। ଅତଲଗୁଡ଼ା ଜଙ୍ଗଲରେ ଘଟିଥିବା ଏହି ଏନକାଉଣ୍ଟରର ବିଚାର ବିଭାଗୀୟ ତଦନ୍ତ ଓ ହତ୍ୟାର ବିଚାର କୌଣସି କୋର୍ଟରେ ହେବା ଜରୁରୀ। ଏନକାଉଣ୍ଟର ହେଉଥିବା ଅଞ୍ଚଳରେ ଲୋକେ ଭୟଭୀତ ହୋଇ ରହୁଥିବା ହେତୁ ସରକାର ନୂଆ ଗାଇଡଲାଇନ ଜାରି କରି ସମସ୍ତଙ୍କ ଜୀବନକୁ ସମାନ ଗୁରୁତ୍ଵ ଦିଅନ୍ତୁ। ଏହାଦ୍ୱାର ଆଦିବାସୀ ଓ ଦଳିତ ବର୍ଗ ନିଜ ଅଞ୍ଚଳରେ ଶାନ୍ତିରେ ରହିପାରିବେ। ଉଭୟ ଧନ କମାର ଓ ଜୟ କୁମାରଙ୍କ ପରିବାରଙ୍କ ସମସ୍ତ ଦାୟିତ୍ଵ ରାଜ୍ୟ ସରକାର ବହନ କରିବା ଆବଶ୍ୟକ।

ମୋବାଇଲ: ୮୪୫୬୯୩୧୪୨୩

Related story