ମୁକ୍ତ ବାଣିଜ୍ୟର ଶେଷ ସମୟ

ବିଶ୍ୱର ଅନେକ ରାଷ୍ଟ୍ର ମୁଖ୍ୟଙ୍କୁ ଏହି ନୂତନ ସ୍ଥିତି ବ୍ୟସ୍ତ, ବିବ୍ରତ କରିଦେଇଛି। ବ୍ରିଟିଶ ପ୍ରଧାନମନ୍ତ୍ରୀ ଷ୍ଟ୍ରାମରଙ୍କ ଭାଷାରେ ବୈଶ୍ୱିକରଣ ସମାପ୍ତ ହେବାକୁ ଯାଉଛି। ସେ କହିଛନ୍ତି, ‘ଯେଉଁ ଦୁନିଆକୁ ଆମେ ଜାଣିଥିଲେ ତାହା ସମାପ୍ତ ହୋଇଯାଇଛି। ଏକ କଷ୍ଟକର ସମୟର ସମ୍ମୁଖୀନ ହେବା ପାଇଁ ଆମକୁ ପ୍ରସ୍ତୁତ ହୋଇଯିବାକୁ ପଡ଼ିବ’। ସିଂଗାପୁର ପ୍ରଧାନମନ୍ତ୍ରୀ ଲାରିନ୍ସ ୱେଗ କହିଛନ୍ତି, ‘ମୁକ୍ତ ବାଣିଜ୍ୟର ସମୟ ସମାପ୍ତ ହୋଇ ଯାଇଛି।

Donald Trump

  • Published: Tuesday, 08 April 2025
  • , Updated: 08 April 2025, 11:47 AM IST

ରବିନାରାୟଣ ପଣ୍ଡା

ବିଶ୍ୱରେ ତାରିଫ ଯୁଦ୍ଧ ଭୟଙ୍କର ଦିଗକୁ ଗତି କରୁଛି। ଟ୍ରମ୍ପ ଆମେରିକାର ରାଷ୍ଟ୍ର ମୁଖ୍ୟ ହେବା ପରେ ବିଶ୍ୱର ଆର୍ଥିକ ନୀତି, ଯୋଗାଣ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇଯାଇଛି। ବିଶ୍ୱର ଅନେକ ରାଷ୍ଟ୍ର ମୁଖ୍ୟଙ୍କୁ ଏହି ନୂତନ ସ୍ଥିତି ବ୍ୟସ୍ତ, ବିବ୍ରତ କରିଦେଇଛି। ବ୍ରିଟିଶ ପ୍ରଧାନମନ୍ତ୍ରୀ ଷ୍ଟ୍ରାମରଙ୍କ ଭାଷାରେ ବୈଶ୍ୱିକରଣ ସମାପ୍ତ ହେବାକୁ ଯାଉଛି। ସେ କହିଛନ୍ତି, ‘ଯେଉଁ ଦୁନିଆକୁ ଆମେ ଜାଣିଥିଲେ ତାହା ସମାପ୍ତ ହୋଇଯାଇଛି। ଏକ କଷ୍ଟକର ସମୟର ସମ୍ମୁଖୀନ ହେବା ପାଇଁ ଆମକୁ ପ୍ରସ୍ତୁତ ହୋଇଯିବାକୁ ପଡ଼ିବ’। ସିଂଗାପୁର ପ୍ରଧାନମନ୍ତ୍ରୀ ଲାରିନ୍ସ ୱେଗ କହିଛନ୍ତି, ‘ମୁକ୍ତ ବାଣିଜ୍ୟର ସମୟ ସମାପ୍ତ ହୋଇ ଯାଇଛି। ଏବେ ସମ୍ପୂଣ୍ଣ ଦୁନିଆ ଏକ ନୂଆ ଯୁଗରେ ଜିଉଁଛି, ଯାହା ବିପଦପୂର୍ଣ୍ଣ ହେବାର ଅଛି’। ସ୍ପଷ୍ଟ ରୂପରେ ବିଶ୍ୱ ଏକ ନୂତନ ବ୍ୟବସାୟିକ ଯୁଦ୍ଧ ଆଡ଼କୁ ଟାଣି ହୋଇଯାଉଛି। ଯୋଗାଣ ଶୃଙ୍ଖଳା ପ୍ରଭାବିତ ହେବ। ଉତ୍ପାଦନର ସ୍ଥାନ ପରିବର୍ତ୍ତନ ହେବ, ଯେଉଁଥି ପାଇଁ ଅନେକ ଶ୍ରମିକ ବେରୋଜଗାର ହେବେ। ସିଙ୍ଗାପୁର ଭଳି ଛୋଟ ଛୋଟ ଦେଶର ଆର୍ଥିକ ସ୍ଥିତି ଖରାପ ହୋଇଯିବ। ଅଯଥା ପ୍ରତିଯୋଗିତା ବଢ଼ିବ।

୧୯୯୧ ମସିହାରେ ସୋଭିଏତ ୟୁନିଅନ ପତନ ପରେ ବିଶ୍ୱରେ ବୈଶ୍ୱିକରଣ ପ୍ରାରମ୍ଭ ହେଲା। ବିଦେଶୀ ବସ୍ତୁ ପାଇଁ ଅନେକ ଦେଶ ଦ୍ୱାର ଉନ୍ମୁକ୍ତ କଲେ। ବିଦେଶୀ ବସ୍ତୁ ଉପରେ କର (ଟାରିଫ୍‌)କମିବାରେ ଲାଗିଲା। ଅନେକ ଦେଶ ନିଜ ନିଜ ଭିତରେ ମୁକ୍ତ ବାଣିଜ୍ୟ ଚୁକ୍ତି କଲେ। ମୁକ୍ତ ବାଣିଜ୍ୟ ପାଇଁ ଅନେକ ବୈଶ୍ୱିକ ସଂଗଠନ ତିଆରି ହେଲା। ସମ୍ପୂର୍ଣ୍ଣ ଦୁନିଆ ଗୋଟିଏ ବଜାରରେ ପରିଣତ ହୋଇଗଲା। ବିଦେଶୀ ବସ୍ତୁ ଶସ୍ତା ହେବାରେ ଲାଗିଲା। ଦେଶଗୁଡ଼ିକ ଭିତରେ ପରସ୍ପରିକ ସମ୍ପର୍କ ବଢ଼ିବା ଆରମ୍ଭ କଲା, ସେହି ଅନୁସାରେ ବ୍ୟାପାର ବଢ଼ିବା ଆରମ୍ଭ ହେଲା। ବିଶ୍ୱରେ ଏକ ନୂତନ ବ୍ୟବସ୍ଥା ଛିଡ଼ା ହେଲା।

ଭାରତ ଭଳି ଦେଶ ଆରମ୍ଭରୁ କ୍ଷତି ସହି ଧୀରେ ଧୀରେ ପ୍ରତିଯୋଗିତାରେ ଆଗକୁ ବଢ଼ିଲେ। ବଡ଼ ବଡ଼ ଦେଶକୁ ପଛରେ ପକେଇ ଭାରତୀୟମାନେ ନିଜ ବସ୍ତୁ ବିଶ୍ୱ ବଜ଼ାରରେ ବିକ୍ରି କରିବାରେ ସଫଳ ହୋଇଗଲେ। ୯୦ ଦଶକରେ ବିଶ୍ୱ ବଜ଼ାରକୁ ନିୟନ୍ତ୍ରଣ କରୁଥିବା ଆମେରିକା, ଜାପାନ, ଜର୍ମାନ ଓ ଇଂଲଣ୍ଡ ଆଦି ଦେଶ ଧୀରେ ଧୀରେ ପଛରେ ପଡ଼ିବା ଆରମ୍ଭ କଲେ। ଆମେରିକାର ଅର୍ଥଶାସ୍ତ୍ରୀ ନିଜର ବିପର୍ଯ୍ୟୟ ପାଇଁ ଭାରତ, ଚୀନ, କୋରିଆକୁ ଦାୟୀ କରିବା ଆରମ୍ଭ କରିଦେଲେ। ଭବିଷ୍ୟତ ବିପଦରୁ ରକ୍ଷା ପାଇବା ପାଇଁ ଟ୍ରମ୍ପ ମୁକ୍ତ ବାଣିଜ୍ୟରୁ ଓହରି ଯାଇ ଟାରିଫ ଯୁଦ୍ଧ ଘୋଷଣା କରିଦେଲେ। ୬୦ଟି ଦେଶ ଉପରେ ନୂତନ ଶୁଳ୍କ ଲଗେଇଦେଲେ।

ଚୀନ ଭଳି ଦେଶ ଉପରେ ୫୪% ଶୁଳ୍କ ଲଗେଇଦେଲେ। ଭାରତ ଉପରେ ୨୬% ସୀମା ଶୁଳ୍କ ଲାଗିଗଲା। ଅବଶ୍ୟ ଭାରତ ଲାଭରେ ରହିବ ବୋଲି ଆଶା କରାଯାଉଛି। ଚୀନ ଉପରେ ଅଧିକ ଶୁଳ୍କ ଲାଗିଥିବାରୁ ଭାରତ ବସ୍ତୁ ଆମେରିକା ବଜାରରେ ଅପେକ୍ଷାକୃତ ଶସ୍ତା ହେବ। ଅନ୍ୟ ଏକ ଦିଗ ହେଉଛି ବିଶାଳ ବଜାର ପାଇଁ ଭାରତ ନିକଟରେ ବିଶାଳ ଜନସଂଖ୍ୟା ଅଛି, ଯାହା ଭାରତକୁ ପ୍ରତିଯୋଗିତା କରିବା ପାଇଁ ସହାୟକ ହେବ।

ସୀମାଶୁଳ୍କ ମାଧ୍ୟମରେ ପ୍ରତ୍ୟେକ ଦେଶ ନିଜ ଦେଶର ଶିଳ୍ପ ଓ ଉତ୍ପାଦନକୁ ସୁରକ୍ଷା ଦେବା ପାଇଁ ଚେଷ୍ଟା କରନ୍ତି। ସୀମାଶୁଳ୍କ କାରଣରୁ ବାହାର ଦେଶର ବସ୍ତୁ ଘରୋଇ ବଜାରରେ ମହଙ୍ଗା ହୋଇଯାଏ। ଘରୋଇ ଉଦ୍ୟୋଗକୁ ପ୍ରତିଯୋଗିତା କରିବା ପାଇଁ ସହଜ ହୁଏ। ଆମଦାନୀ କମ ହେଲେ ବିଦେଶୀ ମୁଦ୍ରା ଭଣ୍ଡାର ଉପରେ ଚାପ କମ ପଡ଼େ। ନିଜ ଦେଶ ମୁଦ୍ରାର ଅବମୂଲ୍ୟାୟନକୁ ରୋକଯାଇ ପାରେ। ଏମିତି ଅନେକ କାରଣ ଥାଏ ସୀମାଶୁଳ୍କ ବୃଦ୍ଧି ପାଇଁ।

ୟୁରୋପିଅନ ୟୁନିଅନ ଆମେରିକା ବସ୍ତୁ ଉପରେ ୩୯% ଶୁଳ୍କ ଆଦାୟ କରୁଥିଲା। ତେଣୁ ଆମେରିକା ବାଧ୍ୟ ହୋଇ ୨୦% ସୀମାଶୁଳ୍କ ଲଗେଇଛି। ଆମେରିକା ଉପରୁ କାମ୍ବୋଡ଼ିଆ ୯୭%, ଭିଏତନାମ ୯୦%, ବାଂଲାଦେଶ ୭୪% ସୀମାଶୁଳ୍କ ଆଦାୟ କରୁଥିଲେ। ଏବେ ଆମେରିକା ଜବାବି ରାସ୍ତା ବାହାର କରି କାମ୍ବୋଡ଼ିଆ ଠାରୁ ୪୯%, ଭିଏତନାମ ଠାରୁ ୪୬% ଓ ବାଂଲାଦେଶଠାରୁ ୩୭% ସୀମାଶୁଳ୍କ ଆଦାୟ କରିବା ପାଇଁ ସ୍ଥିର କରିଛି। ଯେଉଁ ଦେଶ ଆମେରିକା ଉପରୁ ଯେତିକି ସୀମା ଶୁଳ୍କ ଆଦାୟ କରୁଛନ୍ତି ପ୍ରାୟ ତାର ଅଧା ଶୁଳ୍କ ଆଦାୟ କରିବା ପାଇଁ ଆମେରିକା ଯୋଜନା କରିଛି।

ବିଗତ ୩୦ ବର୍ଷରେ ସୀମାଶୁଳ୍କ ଏକ ଆର୍ଥିକ ଷଡ଼ଯନ୍ତ୍ରରେ ପରିଣତ ହୋଇଗଲା। ଏହି ଷଡ଼ଯନ୍ତ୍ରରେ ଅଧିକ ଶିକାର ହେଲା ଆମେରିକା। ଆମେରିକାକୁ ଅଧିକ ଶିକାର କଲା ଚୀନ। ଆମେରିକା ବଜାର ଚୀନ ମାଲରେ ଭର୍ତ୍ତି ହୋଇଗଲା। ଆମେରିକାର ବେରୋଜଗାର ଶତାବ୍ଦୀର ଉଚ୍ଚ ସୀମାରେ ପହଁଚି ଗଲା। ଟାରିଫ ଯୁଦ୍ଧ କରିବା ପଛରେ ଆମେରିକାର ବିବସତା ମଧ୍ୟ ଥିଲା। ଚୀନ ଆମେରିକା ବସ୍ତୁ ଉପରୁ ୬୭% ସୀମା ଶୁଳ୍କ ଆଦାୟ କରୁଥିଲା ଯାହା ଆମେରିକା ପାଇଁ ବହୁତ ଅଧିକ ଥିଲା। ଚୀନ ଆମେରିକା ବଜାରରେ ଶସ୍ତାରେ ନିଜ ବସ୍ତୁ ବିକ୍ରି କରୁଥିଲା ଠିକ ସେହି ସମୟରେ ଆମେରିକା ବସ୍ତୁ ଉପରୁ ଅଧିକ ସୀମାଶୁଳ୍କ ଆଦାୟ କରୁଥିଲା। ଆମେରିକା ବସ୍ତୁ ଏତେ ଅଧିକ ଦାମ ହୋଇଯାଉଥିଲା ଯେ ଚୀନ ବଜାରରେ ବିକ୍ରି ହୋଇ ପାରୁନଥିଲା। ଚୀନର ଅତ୍ୟଧିକ ଲୋଭଖୋର ମନୋବୃତି ଓ ଆର୍ଥିକ ସାମ୍ରାଜ୍ୟବାଦ, ମୁକ୍ତ ବାଣିଜ୍ୟ ପାଇଁ ଘାତକ ହେଲା। ବିଶ୍ୱର ମୁକ୍ତ ବାଣିଜ୍ୟର ସମାପ୍ତି ପାଇଁ ଚୀନ ପରୋକ୍ଷରେ ଦାୟୀ ଅଟେ। ଆର୍ଥିକ ଯୁଦ୍ଧ ଏତେ ଭୟଙ୍କର ସ୍ତରକୁ ଚାଲି ଯାଇଛି ଯେ ଏହାକୁ ସମାପ୍ତ କରି ମୁକ୍ତ ବାଣିଜ୍ୟ ପ୍ରତିଷ୍ଠା କରିବା ଆଉ ସମ୍ଭବପର ନୁହେଁ। ବର୍ତ୍ତମାନ ସ୍ଥିତିରେ ଚୀନ ପଛ ଘୁଂଚା ଦେବା ନୀତିରେ ନାହିଁ। ଅଧିକ ଆକ୍ରମକ ନୀତି ଗ୍ରହଣ କରି ବିଶ୍ୱ ବଜାର ଦଖଲ ପାଇଁ ଗୋଟିଏ ପରେ ଗୋଟିଏ ନୀତି ତିଆରି କରୁଛି। ବିଶେଷ କରି ଚୀନର ଆର୍ôଥକ ସାମ୍ରାଜ୍ୟବାଦ ଏପରି ଏକ ବ୍ୟବସ୍ଥାକୁ ସମାପ୍ତ କରିବା ପାଇଁ ଦାୟୀ ବୋଲି କୁହାଯାଇପାରିବ। ତେଣୁ ସଂପୂର୍ଣ୍ଣ ବିଶ୍ୱକୁ ଏପରି ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ହୋଇ ରହିବାକୁ ପଡ଼ିବ।

ମଠସାହି, ଭଦ୍ରକ, ଫୋ- ୯୪୩୭୦୧୭୮୫୭

Related story