ଯୁଦ୍ଧଖୋର ଶାସକଙ୍କୁ ଆଦିମ ମଣିଷର ପ୍ରଶ୍ନ, ‘ଏ ପୃଥିବୀ ରହିବ ତ?’

ଦେବ ରଞ୍ଜନ ପ୍ରସ୍ତର ଯୁଗର ଠିକ ପରେ ପରେ ଅର୍ଥାତ ଏପିପାଲିଓଲିଥିକ ଯୁଗରୁ ସଭ୍ୟତାର ଆରମ୍ଭ ବୋଲି କୁହାଯାଏ। ଏହି ସମୟରେ ମଣିଷ ଚାଷ କରିବା ଶିଖିଥିଲା। ଭୂମଧ୍ୟ ସାଗର ଅଞ୍ଚଳରୁ ପ୍ରଥମେ ମଣିଷ ସଭ୍ୟତା ଏହି ଏପିପାଲିଓଲିଥିକ ଯୁଗରୁ (Epipalaeolithic) ଆରମ୍ଭ ହୋଇଥିଲା ବୋଲି ମାନବ ବିଜ୍ଞାନୀମାନେ ଯୁକ୍ତି କରନ୍ତି। ଭୂମଧ୍ୟ ସାଗରର ଏହି ଅଞ୍ଚଳରେ ଆସୁଛି ଆଧୁନିକ ରୁଷିଆ, ଜର୍ଜିଆ, ତୁର୍କୀ ଓ ୟୁକ୍ରେନ ଭଳି କିଛି ଦେଶ। ଏହା ପୂର୍ବରୁ ଶିକାର କରି […]

war

Debendra Prusty
  • Published: Thursday, 26 May 2022
  • , Updated: 26 May 2022, 04:03 PM IST
  • ଦେବ ରଞ୍ଜନ

ପ୍ରସ୍ତର ଯୁଗର ଠିକ ପରେ ପରେ ଅର୍ଥାତ ଏପିପାଲିଓଲିଥିକ ଯୁଗରୁ ସଭ୍ୟତାର ଆରମ୍ଭ ବୋଲି କୁହାଯାଏ। ଏହି ସମୟରେ ମଣିଷ ଚାଷ କରିବା ଶିଖିଥିଲା। ଭୂମଧ୍ୟ ସାଗର ଅଞ୍ଚଳରୁ ପ୍ରଥମେ ମଣିଷ ସଭ୍ୟତା ଏହି ଏପିପାଲିଓଲିଥିକ ଯୁଗରୁ (Epipalaeolithic) ଆରମ୍ଭ ହୋଇଥିଲା ବୋଲି ମାନବ ବିଜ୍ଞାନୀମାନେ ଯୁକ୍ତି କରନ୍ତି। ଭୂମଧ୍ୟ ସାଗରର ଏହି ଅଞ୍ଚଳରେ ଆସୁଛି ଆଧୁନିକ ରୁଷିଆ, ଜର୍ଜିଆ, ତୁର୍କୀ ଓ ୟୁକ୍ରେନ ଭଳି କିଛି ଦେଶ। ଏହା ପୂର୍ବରୁ ଶିକାର କରି ଚଳୁଥିବା ମଣିଷ ଏହିଠାରେ ବିସ୍ତୀର୍ଣ୍ଣ ଜଙ୍ଗଲି ଗହମଜାତୀୟ ଶସ୍ୟ (Rye) ଦେଖି ଏହିଠାରେ ପ୍ରଥମେ ପଶୁମାନଙ୍କୁ ଗୃହପାଳିତ କରାଇବାରେ ଲାଗିଲା ଓ ଏହା ପରେ ପରେ ଗହମ ଚାଷ ଆରମ୍ଭ କରିଥିଲା। ଏହି ସମଗ୍ର ସଂସ୍କୃତିକୁ ନାଟ୍ୟୁଫେନ (Natufian) ସଂସ୍କୃତି କୁହାଯାଇଥାଏ।

ସେହି ଏପିପାଲିଓଲିଥିକ ଯୁଗର ଝୁମ୍ପୁରା ବାଳ ଓ ଅର୍ଦ୍ଧଲଙ୍ଗଳା ମଣିଷମାନଙ୍କ ଫୋଟୋ ଦେଖି ଆଧୁନିକ ମଣିଷ ନିଜ ଭିତରେ କେତେ ଖୁସି ହେଉନଥାଏ! ସେମାନେ ଯେ ଆମର ପୂର୍ବଜ ଥିଲେ ଏ କଥା ଭାବିବା ଲାଗି ସଙ୍କୋଚ ମଧ୍ୟ କରିଥାଏ। କେବଳ ଏହି ଅଞ୍ଚଳ କାହିଁକି, ପୃଥିବୀର ସମସ୍ତ ଅଞ୍ଚଳରେ ଆଧୁନିକ ମଣିଷ ସେହି ଅର୍ଦ୍ଧଲଙ୍ଗଳା ମଣିଷମାନଙ୍କୁ ଦେଖି ସେହି ସମାନ କଥା ଭାବିଥାଏ। କିନ୍ତୁ ଆମେ ଭାବିବା ଯେ ସତକୁ ସତ ସେହି ନାଟ୍ୟୁଫେନ ସଂସ୍କୃତି ବା ଏପିପାଲିଓଲିଥିକ ଯୁଗର ମଣିଷ ଆମ ନିକଟରେ ଆସି ପହଞ୍ଚି ଆମକୁ ପଚାରୁଛି ଯେ ଏହି କ’ଣ ତୁମର ସଭ୍ୟତା ଯେଉଁଠି ତୁମେ ଜାଣିନଥିବା ମଣିଷକୁ ଯୁଦ୍ଧର ନାମରେ ତାହାର ଘର ଭାଙ୍ଗିଦେଇ ପାର, ପିଲାଙ୍କୁ ରକ୍ତାକ୍ତ କରିପାର, ନାରୀଙ୍କୁ ଧର୍ଷଣ କରିପାର ଓ ଶେଷରେ ନିରସ୍ତ୍ର ମଣିଷ ଯାହାର ଯୁଦ୍ଧ ସହିତ କୌଣସି ସମ୍ପର୍କ ନାହିଁ ତାହାକୁ ହତ୍ୟା ମଧ୍ୟ କରିପାର?

ସେ ପୁଣି ଯଦି ପଚାରେ ଯେ ସେହି ହତ୍ୟା ତୁମକୁ ଆଦୌ ବିଚଳିତ କରେ ନାହିଁ? ସେହି ଶବମାନଙ୍କ ଉପରେ ଠିଆହୋଇ ତୁମେ ପଚାର ଯେ ଯୁଦ୍ଧରେ କେଉଁ ଦେଶ ଜିତିଲା?  ଏପିପାଲିଓଲିଥିକ ମଣିଷର ଏହି ପ୍ରଶ୍ନର ଉତ୍ତର ଦିଆଯାଇପାରିବ? ଯଦି ସଭ୍ୟତାର ଅନ୍ୟନାମ ହେଲା ଯୁଦ୍ଧ ଓ ଯୁଦ୍ଧରେ ଜୟ କରିବାର ବିତର୍କ ଗଣମାଧ୍ୟମଠାରୁ ପାନ ଦୋକାନ ପର୍ଯ୍ୟନ୍ତ ହୁଏ ତେବେ ଆମର ବିକାଶର ଉଦ୍ଦେଶ୍ୟ କ’ଣ ରହିଲା? ଏହି ଯୁଦ୍ଧ ତ ନାଟ୍ୟୁଫେନ ସଂସ୍କୃତିରେ ନଥିଲା। ଜଙ୍ଗଲି ଗହମର ଅମାପ ଭଣ୍ଡାର ଦେଖି ମଣିଷ ଶିକାର କରିବା ଛାଡ଼ି ପ୍ରଥମେ ସେହିଠାରୁ ଚାଷ କରିବା ଶିଖିଥିଲା। ସେହି ମଣିଷକୁ ଆମର ଆଧୁନିକ ମଣିଷ ଆଧୁନିକ ସଭ୍ୟତା ସପକ୍ଷରେ କ’ଣ ଉତ୍ତର ଦେବ?

ଯୁଦ୍ଧଖୋର ଶାସକ ବର୍ଗ

ପ୍ରତ୍ୟେକ ଯୁଦ୍ଧ କେହି ଶାସକ ହିଁ ପ୍ରଥମେ ଆରମ୍ଭ କରିଥାଏ, ଯାହା ଆଜି ଆମେ ୟୁକ୍ରେନ କ୍ଷେତ୍ରରେ ଦେଖୁଛେ। ରୁଷିଆର ଆକ୍ରମଣ ଫଳରେ ୟୁକ୍ରେନ ଆଜି ଅନେକ ବର୍ଷ ପଛକୁ ଚାଲିଯାଇଛି। କେବଳ ୟୁକ୍ରେନ ନୁହେଁ ଏହି ପୃଥିବୀ ଗ୍ରହ ଆଜି ବିପଦର ସ୍ଥିତିରେ ପହଞ୍ଚିଯାଇଛି। ଜର୍ମାନୀ ଦାର୍ଶନିକ ଏମାନୁଏଲ କାଣ୍ଟଙ୍କର (୧୭୨୪-୧୮୦୪) କଥା ହେଲା, ଆଧୁନିକ ରାଷ୍ଟ୍ର ବ୍ୟବସ୍ଥାରେ ଯୁଦ୍ଧ ଘୋଷଣା କରୁଥିବା ଶାସକର କୋର୍ଟ ଠିକରେ ଚାଲିଥାଏ, ନିଜ ଘର ଅକ୍ଷତ ରହିଥାଏ, କାରଣ ଏହି ଯୁଦ୍ଧରେ ତାହାର କିଛି ହରାଇବାର ନଥାଏ। କାଣ୍ଟଙ୍କ ମତ ହେଲା ଯେ ଯେଉଁ ଦେଶର ସମ୍ବିଧାନ ବାସ୍ତବିକ ଅର୍ଥରେ ସାଧାରଣତନ୍ତ୍ର ନୁହେଁ ଓ ଯାହା ଲାଗି ନାଗରିକମାନେ ପ୍ରାଥମିକ ନୁହନ୍ତି ସେହି ଦେଶର ଶାସକ ଅତି ଶୀଘ୍ର ଯୁଦ୍ଧ ଘୋଷଣା କରିଥା’ନ୍ତି। ଏହା ଦ୍ଵାରା ସେ ଦେଶବାସୀଙ୍କ ସାମ୍ନାରେ ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇଥାନ୍ତି ବା ଯୁଦ୍ଧ ଦ୍ଵାରା ସେମାନେ ତାହା ଚେଷ୍ଟା କରିଥାନ୍ତି। କିନ୍ତୁ କାଣ୍ଟ କିଛି କହୁନାହାନ୍ତି ସେହି ଦେଶମାନଙ୍କ ବିଷୟରେ ଯେଉଁମାନେ ଏହାକୁ ବନ୍ଦ କରିବା ବଦଳରେ ନିଆଁରେ ଘିଅ ଢାଳିବା ପରି ଯୁଦ୍ଧରେ ଅସ୍ତ୍ରଶସ୍ତ୍ର ଯୋଗାଇବାରେ ପୁଞ୍ଜି ଖଟାନ୍ତି ସେମାନଙ୍କ ଶାସନ ବ୍ୟବସ୍ଥା ପ୍ରକୃତରେ କେଉଁଭଳି ହୋଇଥିବ। କାରଣ କାଣ୍ଟଙ୍କ ସମୟରେ ‘ନାଟୋ’ର ଜନ୍ମ ହୋଇନଥିଲା।

ୟୁକ୍ରେନ ଯୁଦ୍ଧ ସଂକ୍ରାନ୍ତରେ ବା ସମସ୍ତ ଯୁଦ୍ଧ ସଂକ୍ରାନ୍ତରେ ବିଶ୍ଵବାସୀଙ୍କ ସାମ୍ନାରେ ସର୍ବଦା ଦୁଇଟି ରାସ୍ତା ରହିଆସିଛି। ପ୍ରଥମଟି ହେଲା ବିଶ୍ଵର ପ୍ରତି କୋଣ ଅନୁକୋଣରେ ଯୁଦ୍ଧବିରୋଧୀ ଚେତନାକୁ ଉଜ୍ଜୀବିତ କରିବା ଓ ଏହାକୁ ଆରମ୍ଭ କରିଥିବା ଶାସକ ଉପରେ ବାରମ୍ବାର ଚାପ ପକାଇବା। ଏଥିଲାଗି ବିଶ୍ଵବାସୀଙ୍କ ପ୍ରତିବାଦ, ସମାବେଶ, କାନ୍ଥରେ ଯୁଦ୍ଧ ବିରୋଧୀ ସ୍ଲୋଗାନ ଲେଖିବା ଭଳି କାର୍ଯ୍ୟ କରାଯାଇ ପାରିଥାନ୍ତା। ଏହା କୌଣସି ଦେଶର ଶାସକ କେବେ କରିବେ ନାହିଁ। ଏହାକୁ ଗଣମାଧ୍ୟମ ହିଁ ସହଯୋଗ କରିପାରିଥାନ୍ତା। ଦ୍ଵିତୀୟ ରାସ୍ତା ହେଲା ପ୍ରତିଶୋଧକାମୀ ହୋଇ ଯୁଦ୍ଧ ଜିତିବାର ସମ୍ଭାବନା ସୃଷ୍ଟି କରିବା ଓ ସେହିଲାଗି ଆକ୍ରମଣ ହୋଇଥିବା ଦେଶକୁ ଯୁଦ୍ଧାସ୍ତ୍ର ରପ୍ତାନୀ କରିବା ସପକ୍ଷରେ ଯୁକ୍ତି କରିବା। ଏହି କାମ ଆଜି ‘ନାଟୋ’ କରୁଛି ଓ ଅନେକ ଦେଶର ଶାସକ ଓ ସେମାନଙ୍କ ଗଣମାଧ୍ୟମ ଏଥିରେ ସଂପୂର୍ଣ୍ଣ ସହଯୋଗ କରୁଛନ୍ତି। ଫଳରେ, ପୃଥିବୀ ଆଜି ମୁମୂର୍ଷୁ ଅବସ୍ଥାକୁ ଯାଉଛି।

ଯୁଦ୍ଧାସ୍ତ୍ର ବଜାର ଲାଗି ଯୁଦ୍ଧ

ମାତ୍ର ୧୨ଟି ସଦସ୍ୟ ଦେଶକୁ ନେଇ ନାଟୋ (ଉତ୍ତର ଆଟଲାଣ୍ଟିକ ଚୁକ୍ତି ସଂଗଠନ) ଗଠିତ ହୋଇଥିଲା ଦ୍ଵିତୀୟ ଯୁଦ୍ଧ ପରବର୍ତ୍ତୀ ସମୟରେ। ସେଥିମଧ୍ୟରେ ଆମେରିକା ପ୍ରମୁଖ ଦେଶ। ବିଶ୍ୱରେ ଯେତିକି ଯୁଦ୍ଧାସ୍ତ୍ର ବିଭିନ୍ନ ଦେଶକୁ ରପ୍ତାନୀ ହେଉଛି ସେଥିରୁ ୬୦% ଯୁଦ୍ଧାସ୍ତ୍ର ଏହି ‘ନାଟୋ’ ସଦସ୍ୟମାନେ (ସେହି ୧୨ଟି ଦେଶ) ବିଶ୍ଵର ବାକି ଗରିବ ଦେଶମାନଙ୍କୁ ବିକ୍ରି କରିଥାନ୍ତି। ସେମାନେ ଚାହାନ୍ତି ଏକ ଭଲ ଯୁଦ୍ଧ ହେଉ ଯାହା ଦ୍ଵାରା ସେମାନେ ଭଲ ବେପାର କରିପାରିବେ। ଆଜିର ଗଣମାଧ୍ୟମ ଯେବେ ସମଗ୍ର ଯୁଦ୍ଧକୁ ବିରୋଧ କରିବା ବଦଳରେ ୟୁକ୍ରେନର ହତାଶବୋଧକୁ ଅଧିକ ପ୍ରଚାରିତ କରୁଛି ସେତେବେଳେ ଜଣାପଡୁଛି ଯେ ଏହା ‘ନାଟୋ’ ଦ୍ଵାରା ପରିଚାଳିତ ହେଉଛି। ଏହାକୁ କିନ୍ତୁ ଜର୍ମାନୀ ଦାର୍ଶନିକ ଏମାନୁଏଲ କାଣ୍ଟ ଅନୁମାନ କରିପାରିନଥିଲେ। କରିଥିଲେ ସେ ରାଜନୈତିକ ଦର୍ଶନରେ ଏହି ଦେଶର ଶାସକମାନଙ୍କ ଚରିତ୍ର ବିଷୟରେ ଉଲ୍ଲେଖ କରିପାରିଥାନ୍ତେ।

ୟୁକ୍ରେନ ଯୁଦ୍ଧର ମୁଖ୍ୟ ଦୋଷୀ ରୁଷିଆ। କିନ୍ତୁ ଆମେରିକା ପରେ ରୁଷିଆ ପୃଥିବୀର ଦ୍ଵିତୀୟ ବୃହତମ ଯୁଦ୍ଧାସ୍ତ୍ର ବିକ୍ରି କରୁଥିବା ଦେଶ। ରୁଷିଆ ଅନେକ ଦେଶକୁ ଯୁଦ୍ଧାସ୍ତ୍ର ବିକ୍ରି କରିବା ଭିତରେ ଭାରତ ଏହାର ସର୍ବଶ୍ରେଷ୍ଠ ଗ୍ରାହକ। ପୁଣି ଭାରତ ବିଶ୍ଵର ସବୁଠାରୁ ଅଧିକ ଯୁଦ୍ଧାସ୍ତ୍ର କିଣୁଥିବା ଦେଶ। ଯୁଦ୍ଧାସ୍ତ୍ର ବିକ୍ରି କରୁଥିବା କମ୍ପାନୀ ଓ ସେମାନଙ୍କ ଦେଶର ଶାସକମାନଙ୍କର ଦୃଷ୍ଟି ଭାରତ ଅର୍ଥନୀତି ଓ ଏହାର ଭୌଗୋଳିକ ସୀମା ଉପରେ ପଡ଼ିବା ସ୍ଵାଭାବିକ। ବିଶ୍ଵର ସମୁଦାୟ ଯୁଦ୍ଧାସ୍ତ୍ର ବଜାରର ୧୧.୩ ପ୍ରତିଶତ ଯୁଦ୍ଧାସ୍ତ୍ର କେବଳ ଭାରତ କିଣିଥାଏ ଯେଉଁଠି କି ଚୀନ ୪.୮ ପ୍ରତିଶତ ଓ ପାକିସ୍ତାନ ୩ ପ୍ରତିଶତ ଯୁଦ୍ଧାସ୍ତ୍ର କିଣିଥାନ୍ତି। ଆଶ୍ଚର୍ଯ୍ୟର ବିଷୟ, ଭାରତ ଯେମିତି ନିଜର ସିଂହ ଭାଗ ଯୁଦ୍ଧାସ୍ତ୍ର ରୁଷିଆରୁ କିଣିଥାଏ ସେମିତି ଚୀନ ମଧ୍ୟ ରୁଷିଆରୁ କିଣିଥାଏ ଓ ପାକିସ୍ତାନ ମଧ୍ୟ ରୁଷିଆରୁ କିଣିଥାଏ। ପାକିସ୍ତାନ ପୁଣି ନିଜର ପ୍ରମୁଖ ଭାଗ ଚୀନଠାରୁ କିଣିଥାଏ କାରଣ ଚୀନ ଯୁଦ୍ଧାସ୍ତ୍ର ଉଭୟ କିଣିଥାଏ ଓ ବିକ୍ରି ମଧ୍ୟ କରିଥାଏ। (ଏ ସମସ୍ତ ତଥ୍ୟ ଗୁଗୁଲ ଦ୍ଵାରା ଉପଲବ୍ଧ ହୋଇପାରିବ।)

ଆଧୁନିକ ବିଶ୍ଵରେ ଯୁଦ୍ଧ ହେବାର ନିଷ୍ପତ୍ତି ଓ ଛାୟା ଯୁଦ୍ଧ ପ୍ରକୃତରେ ଦେଶର ଶାସକ ବର୍ଗ ଅପେକ୍ଷା ରପ୍ତାନୀ କରୁଥିବା ଯୁଦ୍ଧାସ୍ତ୍ର ତିଆରି କମ୍ପାନୀମାନେ ହିଁ ନେଇଥାନ୍ତି। ଆଜି ଚୀନ, ଭାରତ ଓ ପାକିସ୍ତାନ ମଧ୍ୟରେ ଏକ ଛାୟାଯୁଦ୍ଧ ଲାଗିଥିଲା ବେଳେ ଏ ସମସ୍ତଙ୍କୁ ଯୁଦ୍ଧାସ୍ତ୍ର ରପ୍ତାନୀ କରୁଥିବା ଦେଶ ଗୋଟିଏ। ସେମାନେ ଯୁଦ୍ଧ ଜିତିବା ଲାଗି ନୁହେଁ ବରଂ ଅସ୍ତ୍ର ବଜାରକୁ ସକ୍ରିୟ କରିବା ଲାଗି ସେପରି କରିଥାନ୍ତି। ଯୁଦ୍ଧ ସପକ୍ଷରେ ଆମର ଯୁକ୍ତି ପରୋକ୍ଷରେ ଏହି ଅସ୍ତ୍ର କମ୍ପାନୀଙ୍କୁ ସାହାଯ୍ୟ କରୁଛି। ଯଦି ବି ନାଟୋ ଦେଶମାନେ ୟୁକ୍ରେନକୁ ଯୁଦ୍ଧାସ୍ତ୍ର ରପ୍ତାନୀ କରିବେ ବା କରୁଛନ୍ତି ଏହାକୁ କିନ୍ତୁ ଦିନେ ୟୁକ୍ରେନକୁ ଶୁଝିବାକୁ ପଡିବ।

ପୁନର୍ଗଠନ ନାମରେ ଅଧିକ ବୈଦେଶିକ ଋଣ

ଯୁଦ୍ଧ ସମୟରେ ଦେଶରେ ଅନେକ ସମ୍ପତ୍ତି ନଷ୍ଟ ହୋଇଯାଇଥାଏ। ଏହାର ନିର୍ମାଣ ଲାଗି ବିଦେଶୀ ଋଣ ଆଣିବା ଜରୁରୀ ହୋଇଯାଏ। ଏହାପରେ ଋଣଗ୍ରସ୍ତ ଅର୍ଥନୀତିରୁ ମୁକୁଳିବା ସହଜ ହୁଏନାହିଁ। ଆଜି ଶ୍ରୀଲଙ୍କାରେ ଲୋକଙ୍କ ନିକଟରେ ପେଟ୍ରୋଲ ନାହିଁ କାରଣ ବିଦେଶୀ ପୁଞ୍ଜି ନାହିଁ। ହୁଏତ ଏହି ସ୍ଥିତିରୁ ମୁକୁଳିବା ଲାଗି ପୁଣି ଅଧିକ ବିଦେଶୀ ଋଣ ଉପରେ ନିର୍ଭର କରିବାକୁ ପଡ଼ିବ ଓ ଯାହା ଆଗାମୀ ଦିନରେ ଆହୁରି ଅଧିକ ବିଷମ ସ୍ଥିତି ତିଆରି କରିବ ଯାହା ଆଜି ଶ୍ରୀଲଙ୍କାର ହୋଇଛି।

୨୦୦୯-୧୦୧୦ ମସିହାର ଗୃହଯୁଦ୍ଧ ପରେ ଶ୍ରୀଲଙ୍କା ସରକାର ନିଜ ଦେଶର ପୁନର୍ଗଠନ ଲାଗି  ଅଧିକ ବୈଦେଶିକ ଋଣ ବିଶ୍ଵବ୍ୟାଙ୍କ ଓ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠିଠାରୁ ନେବାରେ ଲାଗିଲେ। ଶ୍ରୀଲଙ୍କାର ପୁନର୍ଗଠନରେ ଅନେକ ବିଦେଶୀ କମ୍ପାନୀ ସେଠାରେ ବିଭିନ୍ନ ପ୍ରୋଜେକ୍ଟ ନେଲେ ଓ ସେଭିତରେ ଅନେକ ଭାରତୀୟ କମ୍ପାନୀ (ଟାଟା ଓ ବିରଳା ଇତ୍ୟାଦି) ମଧ୍ୟ ଅଛନ୍ତି। କିନ୍ତୁ ୨୦୨୧-୨୨ ମସିହା ବେଳକୁ ଦେଶର ସମୁଦାୟ ଜିଡ଼ିପିଠାରୁ ବୈଦେଶିକ ଋଣ ଅଧିକ ହୋଇଗଲା। ବୈଦେଶିକ ମୁଦ୍ରାର ସଙ୍କଟ ହେତୁ ପେଟ୍ରୋଲ ଓ ଖାଦ୍ୟ ପଦାର୍ଥ ବିଦେଶରୁ ଆମଦାନୀ ବନ୍ଦ ହୋଇଗଲା। ମେକ୍ସିକୋର ସଙ୍କଟ ସମୟରେ ଅନେକ ବିଦେଶୀ କମ୍ପାନୀ ପୁଞ୍ଜି ପ୍ରତ୍ୟାହାର କରିବା ଭଳି ଅନେକ ବିଦେଶୀ କମ୍ପାନୀ ପୁଞ୍ଜି ପ୍ରତ୍ୟାହାର କରିବାରେ ଲାଗିଛନ୍ତି। ଫଳରେ, ଆଜି ଶ୍ରୀଲଙ୍କାବାସୀ ଖାଦ୍ୟ ଓ ପେଟ୍ରୋଲ ଅଭାବ ହେତୁ ରାସ୍ତା ଉପରକୁ ଓହ୍ଲାଇଛନ୍ତି। ଆଗାମୀ ଦିନରେ ୟୁକ୍ରେନର ସେହି ସମାନ ସ୍ଥିତି ହେବ। ଏହାର ନିର୍ମାଣ ନାମରେ ବୈଦେଶିକ ଋଣ ‘ନାଟୋ’ ଦେଶମାନେ ଯୋଗାଇଦେବେ ଓ ଏହାର ଜିଡ଼ିପିରୁ ନିଜର ଋଣ ଅର୍ଥ କାଟି ନେବେ। ଏହାପରେ ୟୁକ୍ରେନ ଦେବାଳିଆ ଘୋଷିତ ହୋଇଯିବ। ସେହି ଭିତରେ ଅନେକ କମ୍ପାନୀ ନିଜର ଫାଇଦା ନେଇସାରିଥିବେ। ଆମେ ଯୁଦ୍ଧକୁ ସମର୍ଥନ କରି ସେହିପରି ଏକ ୟୁକ୍ରେନ ଦେଖିବାକୁ ଚାହୁଁଛେ?

ଆଜି ଏହି ଯୁଦ୍ଧ ହେତୁ କେବଳ ୟୁକ୍ରେନ ନୁହେଁ, ଭାରତ ସମେତ ଅନେକ ଦେଶର ଦରଦାମ ବଢ଼ିଛି। କୋଭିଡ ଓ ଏହା ପରେ ପରେ ରୁଷିଆର ୟୁକ୍ରେନ ଆକ୍ରମଣ କାରଣରୁ ଅନେକ ୟୁରୋପୀୟ ଓ ଏସିଆ ଦେଶରେ ମୁଦ୍ରାସ୍ଫୀତି ଏତେ ବଢ଼ିଛି ଯାହା ହୁଏତ ଗଲା ଚାଳିଶ ବର୍ଷ ମଧ୍ୟରେ ହୋଇନଥିଲା। ପେଟ୍ରୋଲଜାତ ଦ୍ରବ୍ୟ, ଖାଦ୍ୟ ଓ ଶକ୍ତି କ୍ଷେତ୍ରରେ ଅତ୍ୟଧିକ ମୂଲ୍ୟବୃଦ୍ଧି ବିଶ୍ଵବାସୀଙ୍କୁ ଆହୁରି ଗରିବ କରିଦେଲାଣି। ଯୁଦ୍ଧର ପ୍ରଭାବ ଯେ ଆଜିର ବିଶ୍ୱିକରଣରେ ଗୋଟିଏ ଅଞ୍ଚଳରେ ସୀମିତ ହୋଇରହିବ ତାହା ନୁହେଁ। ଏହା ବିଶ୍ଵବାସୀଙ୍କ ଆର୍ଥିକ ସ୍ଥିତିରେ ଅବନତି ଆଣିସାରିଲାଣି। ବିଶ୍ଵ ପରିବେଶ ଉପରେ ମଧ୍ୟ ଏହାର ପ୍ରଭାବ ପଡୁଛି। ଯୁଦ୍ଧାସ୍ତ୍ରର ବ୍ୟବହାର ହେତୁ ଉତ୍ତର ମେରୁରେ ବରଫ ତରଳିବାଠାରୁ ଆରମ୍ଭ କରି ବିଶ୍ଵ ତାପମାତ୍ରା ବଢ଼ିବା, କୃଷି ଉତ୍ପାଦନ ନଷ୍ଟ ହେବା, ଖାଦ୍ୟ ସଙ୍କଟ ଦେଖା ଦେବା ଭଳି ଅନେକ ପ୍ରଭାବ ହୁଏତ ଆଗାମୀ ଦିନରେ ଦେଖାଯିବା ଯାହାକୁ ଆମେ କେବେ କଳନା କରିନଥିବା। ଏଥିରେ ଯେ ପୃଥିବୀର ଆୟୂଷ କମିଆସୁଛି ଏଥିରେ ସନ୍ଦେହ ନାହିଁ।

ଶେଷରେ...

ଏପିପାଲିଓଲିଥିକ ଯୁଗର ସେହି ମଣିଷ ହୁଏତ କେବ ଭାବିନଥିବ ଯେ ସଭ୍ୟତାକୁ ଗତିଶୀଳ କରିବା ନାମରେ ତାହାର ବଂଶଜମାନେ ଦିନେ ନିଜେ ରହୁଥିବା ପୃଥିବୀକୁ ନିଜେ ପୁଣି ଧ୍ଵଂସ କରିଦେବେ। ଖାଦ୍ୟ ଓ ଉତ୍ତମ ସ୍ୱାସ୍ଥ୍ୟ ଅଭାବରୁ ତାହାର ଭବିଷ୍ୟତ ବଂଶଧର, ଏକ ବିରାଟ ଜନସଂଖ୍ୟା, ଆଗାମୀ ଦିନରେ ମୃତ୍ୟୁବରଣ କରିବେ ଏ କଥା ସେ ହୁଏତ କେବେ କଳ୍ପନା କରିନଥିବ। ହୁଏତ ଜାଣିଥିଲେ ସେ ନିଜେ ସଭ୍ୟ ହେବା ପରିବର୍ତ୍ତେ ସେହି ଶିକାର କରିବା ଓ ଠୁଳ କରିବାର ସ୍ଥିତିରେ ରହିବା ଲାଗି ଉଚିତ ମନେକରିଥାନ୍ତା । ଏଥିରେ ନିଜର ବିଶ୍ଵ ନିଜ ସାମ୍ନାରେ ଏମିତି ଧ୍ଵଂସ ପାଇବାରୁ ତ ଅନ୍ତତଃ ବଞ୍ଚିଯାଇଥାନ୍ତା।

ଆଜିର ପୃଥିବୀକୁ ଯୁଦ୍ଧଖୋର ଶାସକଙ୍କ କବଜାରୁ ମୁକୁଳାଇବାକୁ ହେଲେ ଯୁଦ୍ଧ ବିରୁଦ୍ଧରେ ବିଶ୍ଵର କୋଣ ଅନୁକୋଣରେ ଯୁଦ୍ଧ ବିରୋଧୀ ପ୍ରତିବାଦ ଜରୁରୀ। ତେବେ ହୁଏତ ଅଧିକ ଦିନ ମାନବ ସଭ୍ୟତା ବଞ୍ଚିଯାଇପାରିବ।

ଫୋ-୯୪୩୭୭୬୨୨୭୨

Related story