EV Graphics Photograph: (Internet)
ଜାନକୀଶ ବଡ଼ପଣ୍ଡା
ସମଗ୍ର ବିଶ୍ୱରେ ବୈଦ୍ୟୁତିକ ଯାନବାହନ (ଇଭି) କ୍ରମଶଃ ଗ୍ରାହକମାନଙ୍କ ଆଦରଲାଭ କରୁଥିବାରୁ ସେଗୁଡ଼ିକର ସଂଖ୍ୟାରେ ଅଭିବୃଦ୍ଧି ଘଟୁଛି। ଜୀବାଶ୍ମ-ତୈଳ ଚାଳିତ ଗାଡ଼ି ମଟରର ସ୍ଥାନ ଦୃତଗତିରେ ଛଡ଼ାଇ ନେଉଛି ଇଭି। ଏହି ବିଶ୍ୱସ୍ତରୀୟ ପରିବର୍ତ୍ତନକୁ ପ୍ରଯୁକ୍ତିବିଦ୍ୟାର ସଫଳତା ଏବଂ ସବୁଜ ଭବିଷ୍ୟତ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ବହୁଳ ପ୍ରଚାର କରାଯାଉଛି। ତଥାପି, ଆମ ଅଗୋଚରରେ ଏହି ପରିବର୍ତ୍ତନ ଏକ ଅନାଲୋଚିତ ଆହ୍ୱାନ ସୃଷ୍ଟି କରିଛି। ଏହାକୁ ଆମେ ‘ଆସନ୍ନ ତମ୍ବା ସଙ୍କଟ’ କହିପାରିବା।
ତମ୍ବା ଏକ ବିଦ୍ୟୁତ ସୁପରିବାହୀ ଧାତୁ। ଏଣୁ, ବିଦ୍ୟୁତୀକରଣ ପାଇଁ ତମ୍ବା ଅପରିହାର୍ଯ୍ୟ। ଏହାକୁ ବୈଦ୍ୟୁତିକ ଯାନବାହନ ପାଇଁ ବ୍ୟାଟେରୀ, ମୋଟର, ତାର, ଚାର୍ଜିଂ ଭିତ୍ତିଭୂମି ଏବଂ ପାୱାର ଗ୍ରୀଡ଼ର ମେରୁଦଣ୍ଡ ଭଳି ମନେ କରାଯାଏ। କ୍ରମବର୍ଦ୍ଧିଷ୍ଣୁ ବୈଦ୍ୟୁତିକ ଯାନବାହନ ସଂଖ୍ୟା ଓ ବ୍ୟାପ୍ତି ତ୍ୱରାନ୍ୱିତ ହେବା ସହିତ ତମ୍ବା ଚାହିଦା ଏତେ ମାତ୍ରାରେ ବଢ଼ିଯାଇଛି, ଯାହା ନୀତି ନିର୍ଦ୍ଧାରକଗଣ ତଥା ଶିଳ୍ପ ବଜାର ପୂର୍ବାନୁମାନ କରିପାରି ନଥିଲେ। ଅନ୍ୟ ଭାଷାରେ, ଇଭି ଅଭିବୃଦ୍ଧି ପାଇଁ ଏହାର ନିର୍ମାଣ ତଥା ଉତ୍ପାଦନ ତୁଳନାରେ ଆନୁସଙ୍ଗିକ ଭିତ୍ତିଭୂମି ତଥା ଅନ୍ୟାନ୍ୟ ଆବଶ୍ୟକତାଗୁଡ଼ିକୁ ସେମାନେ ଅଣଦେଖା କରିଥିଲେ। ଗତ ଦଶବର୍ଷ ମଧ୍ୟରେ ଇଭି ଏକ ‘ସ୍ୱତନ୍ତ୍ର ଉତ୍ପାଦ’ ଶ୍ରେଣୀରୁ ବହୁ ସୋପାନ ଅତିକ୍ରମ କରି ସବୁଠୁ ଦୃତଗତିରେ ବଢ଼ି ଚାଲିଥିବା ମାନ୍ୟତାପ୍ରାପ୍ତ ‘ବିଶ୍ୱ ଯାନବାହନ ଶିଳ୍ପ’ ଶ୍ରେଣୀରେ ସ୍ଥାନିତ ହୋଇସାରିଛି। ଏହା ସହିତ ଇଭି ସମଗ୍ର ବିଶ୍ୱରେ ବିଭିନ୍ନ ସାମଗ୍ରୀ ଉତ୍ପାଦନ ବ୍ୟବସ୍ଥାରେ ମଧ୍ୟ ଗଭୀର ପ୍ରଭାବ ପକାଇଛି।
ସମଗ୍ର ବିଶ୍ୱରେ ବିଭିନ୍ନ କିସମର ଇଭି ବିକ୍ରୟ ସଂଖ୍ୟା ୨୦୧୫ ମସିହାରେ ପ୍ରାୟ ୫.୫ ଲକ୍ଷ ଥିଲାବେଳେ ମାତ୍ର ଏକ ଦଶନ୍ଧି ପରେ, ଅର୍ଥାତ୍ ୨୦୨୫ ମସିହା ବେଳକୁ ବୃଦ୍ଧି ପାଇ ଆନୁମାନିକ ୨୦୦ ଲକ୍ଷରେ ପହଞ୍ଚିଛି। ଏହି କାଳଖଣ୍ଡରେ ଇଭି ଶିଳ୍ପ-ସମ୍ବନ୍ଧିତ ତମ୍ବା ବ୍ୟବହାର ପ୍ରାୟ ୨୭.୫ ହଜାର ମେଟ୍ରିକ ଟନରୁ ବଢ଼ି ୧୨.୮ ଲକ୍ଷ ଟନରୁ ଅଧିକ ହୋଇଯାଇଛି। ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ, ତମ୍ବାକୁ ଇଭି ବିପ୍ଳବର ଲୁକ୍କାୟିତ ମେରୁଦଣ୍ଡ କୁହାଗଲେ ବି ତାହାର ବିକଳ୍ପ ଖୋଜା ଯାଇନାହିଁ। ତଥାପି, ଆମେ ବିଗତ ଦଶନ୍ଧିରେ ନୂତନ ତମ୍ବାଖଣି ସନ୍ଧାନ ଏବଂ ଏବେ କାର୍ଯ୍ୟକାରୀ ରହିଥିବା ତମ୍ବାଖଣିରେ ଆବଶ୍ୟକୀୟ ପୁଞ୍ଜିନିବେଶ କରିନାହେଁ। କ୍ରମଶଃ ଉଚ୍ଚମାନର ତମ୍ବା ପଥର ପରିମାଣ ହ୍ରାସ ପାଇଚାଲିଛି ଏବଂ ନୂତନ ଖଣିକୁ ଉତ୍ପାଦନକ୍ଷମ କରିବା ପାଇଁ ଅନ୍ତତଃ ୧୦ରୁ ୧୫ ବର୍ଷ ନିରନ୍ତର ପ୍ରୟାସ ଆବଶ୍ୟକ ହେଉଥିବାରୁ ଇଭି ଚାହିଦା ତୁଳନାରେ ଖଣିଜ ତମ୍ବାପଥର ଉତ୍ତୋଳନ ଓ ଯୋଗାଣ ପଛରେ ପଡ଼ିଛି। ଫଳସ୍ୱରୂପ, ୨୦୨୬ ସୁଦ୍ଧା ଯୋଗାଣ ନିଅଣ୍ଟ ଦେଖାଦେବାର ଆଶଙ୍କା କରାଯାଉଛି। ଏହା ବିଶ୍ୱ ବାଣିଜ୍ୟକୁ ନୂଆ ଆକାର ଓ ରୂପ ଦେବ, ଭୂରାଜନୈତିକ ପ୍ରତିଯୋଗିତାକୁ ତୀବ୍ର କରିବ ଏବଂ ଇଭି ନିର୍ମାଣ ମୂଲ୍ୟ ଏବଂ ଅଭିବୃଦ୍ଧିକୁ ପ୍ରଭାବିତ କରିବ। ତେଣୁ, ପେଟ୍ରୋଲ୍, ଡିଜେଲ୍ ଚାଳିତ ଯାନବାହାନରୁ ଇଭି ଆଡ଼କୁ ମୁହାଁଇବାକୁ କେବଳ ଏକ ପ୍ରଯୁକ୍ତିବିଦ୍ୟା କାରଣରୁ ବିବର୍ତ୍ତନ ଭାବରେ ନୁହେଁ ବରଂ ବଜାର ଏବଂ ଧାତୁ ନିୟନ୍ତ୍ରିତ, ସମ୍ବଳ ଆଧାରିତ ସଘନ ବିବର୍ତ୍ତନ ଭାବରେ ଗ୍ରହଣ କରିବାକୁ ହେବ।
ବୈଦ୍ୟୁତିକ ଯାନବାହନ ଆଡ଼କୁ ବିଶ୍ୱ ଢଳିଚାଲିବାର ସବୁଠାରୁ ଆକର୍ଷଣୀୟ ବୈଶିଷ୍ଟ୍ୟ ମଧ୍ୟରୁ ଗୋଟିଏ ହେଉଛି ଇଭି କିଣିବାକୁ ଗ୍ରାହକଙ୍କ ଆଗ୍ରହ। ଇଭି ବିକ୍ରୟ ବୃଦ୍ଧି ଏବଂ ତମ୍ବା ଚାହିଦା ମଧ୍ୟରେ ଏକ ମୁହାଁମୁହିଁ ସମ୍ପର୍କ ରହିଛି। ଏହାକୁ ପଦାର୍ଥ ବିଜ୍ଞାନ ଭାଷାରେ ଇଲାଷ୍ଟିସିଟି ଏଷ୍ଟିମେଟ୍ ବା ସ୍ଥିତିସ୍ଥାପକତା ଆକଳନ (ସ୍ଥିକତା) କୁହାଯାଏ। ଯେପରି ରବରକୁ ଟାଣିଲେ କିଛିମାତ୍ରାରେ ପ୍ରସାରିତ ହୁଏ ଏବଂ ଅତ୍ୟଧିକ ଟାଣିଲେ ଛିଣ୍ଡି ଯାଏ, ସେହିପରି ଇଭି ବିକ୍ରି ଏବଂ ତମ୍ବା ଚାହିଦା ମଧ୍ୟରେ ସମ୍ପର୍କ, ଯାହା ‘ସ୍ଥିକତା’ ମାଧ୍ୟମରେ ପ୍ରକାଶ କରାଯାଏ।
୨୦୧୬ ଏବଂ ୨୦୨୪ ମଧ୍ୟରେ ଇଭି ବିକ୍ରୟ ସମ୍ବନ୍ଧରେ ତମ୍ବା ଚାହିଦାର ‘ସ୍ଥିକତା’ ପ୍ରାୟତଃ ୧.୦ ଅତିକ୍ରମ କରିଛି, ଯାହା ସୂଚାଇ ଦିଏ ଯେ ଧାତୁ ବ୍ୟବହାର ପରିମାଣ ହ୍ରାସ କରିବା ପାଇଁ ନିରନ୍ତର ପ୍ରୟାସ ସତ୍ତ୍ୱେ ତମ୍ବା ବ୍ୟବହାର ଇଭି ଚାହିଦା ତୁଳନାରେ ଦୃତ ଗତିରେ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ, ଇଭି-ସମ୍ବନ୍ଧିତ ତମ୍ବା ଚାହିଦା ୨୦୧୬ ମସିହାରେ ପ୍ରାୟ ୩୯ ହଜାର ଟନରୁ ବଢ଼ି ୨୦୨୪ ମସିହାରେ ୧୧ ଲକ୍ଷ ଟନରୁ ଅଧିକ ହୋଇଥିଲା, ଯେତେବେଳେ କି ସମଗ୍ର ବିଶ୍ୱରେ ଇଭି ବିକ୍ରୟ ପ୍ରାୟ ୭୫ ଲକ୍ଷରୁ ବଢ଼ି ପ୍ରାୟ ୧୭୦ ଲକ୍ଷକୁ ଟପି ଯାଇଥିଲା। ଏହି ସମ୍ପର୍କ ୨୦୧୯ ମସିହାରେ କରାଯାଇଥିବା ସ୍ଥିକତା ଆକଳନ ବେଳେ ବିଶେଷ ଭାବରେ ସ୍ପଷ୍ଟ ହୋଇଥିଲା। ଯେତେବେଳେ ସ୍ଥିକତା ୧.୭୬ ଛୁଇଁ ଶୀର୍ଷରେ ପହଞ୍ଚିଗଲା, ପ୍ରତି ଇଭି ପ୍ରସ୍ତୁତିରେ ତମ୍ବା ବ୍ୟବହାର ତୀବ୍ରଗତିରେ ବଢ଼ି ଥିବାର ସୂଚନା ମିଳିଥିଲା। ଏହି ବର୍ଦ୍ଧିତ ଚାହିଦା ବଡ଼ ଆକାରର ବ୍ୟାଟେରୀ ପ୍ୟାକ୍, ବିଦ୍ୟୁତ-ଚାଳିତ ଶକ୍ତିଶାଳୀ ଇଲେକ୍ଟ୍ରୋନିକ୍ସ ଯନ୍ତ୍ର ଏବଂ ଦୃତ ଚାର୍ଜିଂ ଭିତ୍ତିଭୂମି ସଂପ୍ରସାରଣ କାରଣରୁ ଘଟିଥିଲା। ଯଦିଓ ୨୦୨୫ ମସିହା ସୁଦ୍ଧା ସ୍ଥିକତା ପ୍ରାୟ ୦.୯୦ ଯାଏଁ ହ୍ରାସ ପାଇବାର ଆକଳନ କରାଯାଇଛି, ଇଭି ଗୁଡ଼ିକର ଦକ୍ଷତା ବୃଦ୍ଧି ଆବଶ୍ୟକତା ସହିତ ଉତ୍ପାଦନ ପରିମାଣ ବୃଦ୍ଧି ଯୋଗୁଁ ତମ୍ବା ଚାହିଦା ବୃଦ୍ଧି ପାଇଚାଲିବା ନିଶ୍ଚିତ।। ଇଭି ଗୁଡ଼ିକ ପାରମ୍ପରିକ ‘ଆଭ୍ୟନ୍ତରୀଣ ଦହନ ଯାନ’ ଅପେକ୍ଷା ଚାରିରୁ ପାଞ୍ଚ ଗୁଣ ଅଧିକ ତମ୍ବା ଆବଶ୍ୟକ କରନ୍ତି। ତମ୍ବାର କୌଣସି ବିକଳ୍ପ ଆଜିଯାଏଁ ଉପଲବ୍ଧ ହୋଇପାରି ନାହିଁ। ଏଣୁ ଇଭି ପାଇଁ ବର୍ଦ୍ଧିତ ଚାହିଦା ତମ୍ବାର ଚାହିଦାକୁ ମଧ୍ୟ ଊପରମୁହାଁ କରିଚାଲିଥିବ। ଏହି ତମ୍ବା ନିର୍ଭରଶୀଳତା କେବଳ ବ୍ୟାଟେରୀ ପ୍ରଯୁକ୍ତିବିଦ୍ୟା ନୁହେଁ ବରଂ ସମଗ୍ର ବିଶ୍ୱରେ ବିଦ୍ୟୁତୀକରଣର ଗତି ଓ ଦିଗକୁ ମଧ୍ୟ ନିର୍ଣ୍ଣୟ କରିବ।
ଯଦିଓ ତମ୍ବା ଚାହିଦା ଦୃତ ବୃଦ୍ଧି ପାଉଛି, ବୈଶ୍ୱିକ ଯୋଗାଣ ସ୍ଥିତି ପ୍ରାୟତଃ ସ୍ଥିର ହେବା ଆରମ୍ଭ କରିଛି। ଯାହାଫଳରେ ଚାହିଦା ଏବଂ ଯୋଗାଣ ମଧ୍ୟରେ ଏକ ବଡ଼ ବ୍ୟବଧାନ ସୃଷ୍ଟି ହୋଇଛି। ଏବେ ସମଗ୍ର ବିଶ୍ୱରେ କାର୍ଯ୍ୟକାରୀ ତମ୍ବାଖଣିରେ ଥିବା ଖଣିଜ ପଦାର୍ଥର ମାନ ହ୍ରାସ, ଘଟିଛି। ନୂତନ ପ୍ରକଳ୍ପ ସନ୍ଧାନ ମିଳିଲେ ବି ସେସବୁକୁ ଉତ୍ପାଦନକ୍ଷମ କରିବାକୁ ଆବଶ୍ୟକ ହେଉଥିବା ପ୍ରାୟ ୧୦ ବର୍ଷର ସମୟସୀମା ଏବଂ ଚିଲି, ପେରୁ ଏବଂ ଯୁକ୍ତରାଷ୍ଟ୍ର ଭଳି ପ୍ରମୁଖ ଉତ୍ପାଦନକାରୀ ରାଷ୍ଟ୍ରରେ ତମ୍ବାଖଣି ଅଞ୍ଚଳରେ ପରିବେଶଗତ ବିରୋଧ ଦେଖାଯାଉଥିବାରୁ ତମ୍ବା ଉତ୍ପାଦନ ଏବଂ ଯୋଗାଣ ବଢ଼ି ପାରୁନାହିଁ, ଫଳରେ ତମ୍ବା ଉତ୍ପାଦନ ଅଭିବୃଦ୍ଧିକୁ ବାଧା ଦେଉଛି। ଚଳିତ ୨୦୨୬ ମସିହା ସୁଦ୍ଧା ତମ୍ବାଚାହିଦା ୩ କୋଟି ଟନରେ ପହଞ୍ଚିବ ବୋଲି ଆକଳନ କରାଯାଉଛି, ଯେତେବେଳେ କି ଯୋଗାଣ ପ୍ରାୟ ୨.୮ କୋଟି ଟନ୍ ରହିବ। ବ୍ୟବଧାନ ରହିବ ୨୦ ଲକ୍ଷ ଟନ୍। ଏହି ବ୍ୟବଧାନ ୨୦୨୮ ସୁଦ୍ଧା ୪୫ ଲକ୍ଷ ଟନ୍ ଏବଂ ୨୦୩୦ ସୁଦ୍ଧା ପ୍ରାୟ ୮୦ ଲକ୍ଷ ଟନକୁ ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି। ବିଶ୍ୱର ୧୦ଟି ବୃହତ୍ତମ ତମ୍ବା ଖଣି ଏତିକି ପରିମାଣର ତମ୍ବା ଉତ୍ପାଦନ କରିଥାଆନ୍ତି। ତମ୍ବା ଯୋଗାଣ ଚାହିଦା ତୁଳନାରେ ଅଭାବ ପଡ଼ିଲେ, ଦରବୃଦ୍ଧି ଜନିତ ଇଭି ଉତ୍ପାଦନ ଖର୍ଚ୍ଚ ବୃଦ୍ଧି ହେବ, ଚାର୍ଜିଂ ଭିତ୍ତିଭୂମିର ବିକାଶ ବିଳମ୍ବିତ ହେବ ଏବଂ ଆମର ବାୟୁମଣ୍ଡଳରୁ ଅଙ୍ଗାର କମାଇବା ଲକ୍ଷ୍ୟକୁ ବାଧା ଦେବ। ବିଦ୍ୟୁତୀକରଣ ତ୍ୱରାନ୍ୱିତ ହେଉଛି। ତାହା ସହିତ, ଖଣି, ପୁନଃଚକ୍ରଣ ଏବଂ ସାମଗ୍ରୀ ଉଦ୍ଭାବନକୁ ଦୃତ ଗତିରେ ବୃଦ୍ଧି କରାନଗଲେ ତମ୍ବା ଅଭାବ ଇଭି ବିସ୍ତାରଲାଭ କରିବାରେ ପ୍ରତିବନ୍ଧକ ହୋଇ ଠିଆ ହେବା ନିଶ୍ଚିତ।
ଇଭି ନିର୍ଭରଶୀଳତା କାରଣରୁ ତମ୍ବା ବ୍ୟବହାର ବଢ଼ିବାକୁ କେହି ରୋକି ପାରିବେନାହିଁ। ଏଣୁ, ତମ୍ବା ଆଧାରିତ ଭୌଗୋଳିକ ସ୍ଥିତି ବିଶ୍ୱ ଶକ୍ତି ସନ୍ତୁଳନରେ ଏକ ପ୍ରମୁଖ ପରିବର୍ତ୍ତନ ଆଡ଼କୁ ସଙ୍କେତ ଦେଉଛି। ଚୀନ୍ ଏବେ ବୈଦ୍ୟୁତିକ ଯାନ ବା ଇଭି ପ୍ରସ୍ତୁତି, ବ୍ୟବହାର ସହିତ ତମ୍ବା ବ୍ୟବହାର କ୍ଷେତ୍ରରେ ପ୍ରମୁଖ ଶକ୍ତି ଭାବରେ ଉଭା ହୋଇଛି। ଚୀନ୍ର ଇଭି ତିଆରି ପାଇଁ ତମ୍ବା ଚାହିଦା ୨୦୨୦ ମସିହାରେ ଥିଲା ପ୍ରାୟ ୭୮ ହଜାର ଟନ୍, ଯାହା ୨୦୨୪ରେ ପ୍ରାୟ ୬.୭୮ ଲକ୍ଷ ଟନ୍କୁ ବୃଦ୍ଧି ପାଇ ୨୦୨୫ ସୁଦ୍ଧା ପ୍ରାୟ ୭.୮୦ ଲକ୍ଷ ଟନ୍ରେ ପହଞ୍ଚିଥିବାର ଆକଳନ କରାଯାଇଛି। ଏଥିପାଇଁ ଆବଶ୍ୟକ ହୋଇଥିବା ତମ୍ବା ପରିମାଣ ସମଗ୍ର ବିଶ୍ୱର ଇଭି-ଆଧାରିତ ତମ୍ବା ବ୍ୟବହାରର ପ୍ରାୟ ୬୦ ପ୍ରତିଶତ। ଏହା ଯେ କେବଳ ଶକ୍ତିଶାଳୀ ଇଭି ପ୍ରସ୍ତୁତି ଓ ବିକ୍ରୟ କାରଣରୁ ହୋଇଛି, ତାହା ନୁହେଁ। ବରଂ ସମଗ୍ର ବିଶ୍ୱରେ ଯେତିକି ବ୍ୟାଟେରୀ ଉତ୍ପାଦନ କରାଯାଏ, ତାହାର ସତୁରୀ ପ୍ରତିଶତରୁ ଅଧିକ ଉତ୍ପାଦନ ଉପରେ ଚୀନ୍ର ନିୟନ୍ତ୍ରଣ ରହିଥିବାରୁ ଉଭୟ ସମ୍ପୂର୍ଣ୍ଣ ଇଭି ଏବଂ ଅତିରିକ୍ତ ବ୍ୟାଟେରୀ ଉତ୍ପାଦନ କରି ତମ୍ବା ଚାହିଦା ଏବଂ ଯୋଗାଣ ଶୃଙ୍ଖଳକୁ ପରିଚାଳନା କରୁଛି ଚୀନ୍।
୨୦୨୫ ସୁଦ୍ଧା ଇଭି-ସମ୍ବନ୍ଧୀୟ ତମ୍ବା ଚାହିଦା ୟୁରୋପୀୟ ସଂଘରେ ପ୍ରାୟ ୨.୧ ଲକ୍ଷ ଟନ୍ ଏବଂ ଆମେରିକାରେ ୧.୧୪ ଲକ୍ଷ ଟନ୍ରେ ପହଞ୍ଚି ସାରିଛି, ଯେତେବେଳେ କି ଭାରତର ତମ୍ବା ଚାହିଦା ରହିଛି ମାତ୍ର ୭,୨୦୦ ଟନ୍। ଏଭଳି ଅସମାନତା କାରଣରୁ ମୂଲ୍ୟ ନିର୍ଦ୍ଧାରଣ ଶକ୍ତି ଚୀନ୍ ପାଖରେ ରହିଛି। ଦୀର୍ଘକାଳୀନ ଯୋଗାଣ ଚୁକ୍ତିନାମା ମାଧ୍ୟମରେ ତମ୍ବା-ସମୃଦ୍ଧ ଅଞ୍ଚଳଗୁଡ଼ିକ ଉପରେ ନିଜର ଅଧିକାର ଜାହିର କରିବାର ଲାଭ ଚୀନ୍ କେବେଠୁ ହାତେଇ ନେଇ ସାରିଛି। ଯେତେବେଳେ ‘ତମ୍ବା’ ବୈଶ୍ୱିକ ଶକ୍ତି ପରିବର୍ତ୍ତନର କେନ୍ଦ୍ରବିନ୍ଦୁ ପାଲଟିଯାଏ ବ୍ୟାଟେରୀ ପ୍ରସ୍ତୁତି ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ପ୍ରତିଦ୍ୱନ୍ଦ୍ୱିତା କରିବା ହିଁ ପ୍ରାଥମିକତା।
ଇଭି ଏକ ବିପ୍ଳବ ଭାବେ ଅବତୀର୍ଣ୍ଣ ହୋଇଛି। ଏହା କେବଳ ପରିବହନକୁ ନୂତନ ଆକାର ଦେଉନାହିଁ; ବରଂ ବିଶ୍ୱ ଧାତୁ ଅର୍ଥନୀତିକୁ ମଧ୍ୟ ପୁନଃନିର୍ମାଣ କରୁଛି। ତମ୍ବା ବିଦ୍ୟୁତୀକରଣର ଏକ ଗୁରୁତ୍ୱପୂର୍ଣ୍ଣ ଧମନୀ ଭାବରେ ଉଭା ହୋଇଛି ଏବଂ ବିଶ୍ୱ ଦୃତଗତିରେ ଏଭଳି ଏକ ମୁହୂର୍ତ୍ତ ପାଖକୁ ଯାଉଛି, ଯେତେବେଳେ ଯୋଗାଣକୁ ଚାହିଦା ଅତିକ୍ରମ କରିଯାଉଛି। ଏହା ଆଧୁନିକ ଶିଳ୍ପ ଇତିହାସରେ ଅଭୂତପୂର୍ବ। ନୀତି ନିର୍ଦ୍ଧାରକ, ନିବେଶକ ଏବଂ ପରିବେଶ ଯୋଜନାକାରୀମାନଙ୍କୁ ସ୍ୱୀକାର କରିବାକୁ ପଡ଼ିବ ଯେ ଶକ୍ତି-ଉତ୍ପାଦନ ସାଧନ ପରିବର୍ତ୍ତନ କଲାବେଳେ ସମ୍ବଳ ଗୁରୁତ୍ୱପୂର୍ଣ୍ଣ। ତମ୍ବା ଯୋଗାଣ, ପୁନଃଚକ୍ରଣ ଏବଂ ପ୍ରଯୁକ୍ତିବିଦ୍ୟା ନବସୃଜନ ଉପରେ ସାହସିକ ପଦକ୍ଷେପ ବିନା, ବିଦ୍ୟୁତୀକରଣର ଗତି ମହତ୍ୱାକାଂକ୍ଷା ବଦଳରେ ଭୂବିଜ୍ଞାନ ଦ୍ୱାରା ନିର୍ଣ୍ଣିତ ହେବା ଅବଧାରିତ।
ଫୋ- ୯୪୩୮୨୯୯୦୩୭
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/01/23/ev-2026-01-23-15-03-39.jpg)