Advertisment

ପଦାରେ ପଡ଼ିଲେ ସତ, ମିଛ ଜଗାପ୍ରେମୀ

ପରମ ରହସ୍ୟମୟ କାଳିଆ ସାଆନ୍ତଙ୍କ ସହ ଷଡ଼ଯନ୍ତ୍ର କରିବାକୁ ଯାଇ ପଦାରେ ପଡ଼ିଲେ ରାଜ୍ୟ ସରକାର। ଅତୀତରେ ବହୁ ବିଧର୍ମୀଙ୍କ ଯୋଜନା ପଣ୍ଡୁର କରିଥିବା ମହାପ୍ରଭୁ ୨୦୨୦ ମସିହାରେ ମଧ୍ୟ ବିଧର୍ମୀ ଗୋଷ୍ଠୀର ମହାଷଡ଼ଯନ୍ତ୍ରକୁ ଧୂଳିସାତ କରି ଆପଣା ଲୀଳା ଦେଖାଇଛନ୍ତି। ଗତକାଲି ଓଟିଭିକୁ ଦେଇଥିବା ସ୍ୱତନ୍ତ୍ର ସାକ୍ଷାତକାରରେ ଗଜପତି ମହାରାଜାଙ୍କ ବୟାନ ସାମଗ୍ର ବିଶ୍ୱରେ ଥିବା ଜଗନ୍ନାଥପ୍ରେମୀଙ୍କ ଦ୍ୱନ୍ଦ୍ୱ ଦୂର କରିବା ସହ ପରୋକ୍ଷ ବା ପ୍ରତ୍ୟେକ୍ଷ ଭାବେ ଅସଲି ଷଡ଼ଯନ୍ତ୍ରକାରୀଙ୍କ ମୁଖା ଖୋଲିଦେଇଛି। ସାରା […]

ପଦାରେ ପଡ଼ିଲେ ସତ, ମିଛ ଜଗାପ୍ରେମୀ

OR Special

Advertisment

ପରମ ରହସ୍ୟମୟ କାଳିଆ ସାଆନ୍ତଙ୍କ ସହ ଷଡ଼ଯନ୍ତ୍ର କରିବାକୁ ଯାଇ ପଦାରେ ପଡ଼ିଲେ ରାଜ୍ୟ ସରକାର। ଅତୀତରେ ବହୁ ବିଧର୍ମୀଙ୍କ ଯୋଜନା ପଣ୍ଡୁର କରିଥିବା ମହାପ୍ରଭୁ ୨୦୨୦ ମସିହାରେ ମଧ୍ୟ ବିଧର୍ମୀ ଗୋଷ୍ଠୀର ମହାଷଡ଼ଯନ୍ତ୍ରକୁ ଧୂଳିସାତ କରି ଆପଣା ଲୀଳା ଦେଖାଇଛନ୍ତି। ଗତକାଲି ଓଟିଭିକୁ ଦେଇଥିବା ସ୍ୱତନ୍ତ୍ର ସାକ୍ଷାତକାରରେ ଗଜପତି ମହାରାଜାଙ୍କ ବୟାନ ସାମଗ୍ର ବିଶ୍ୱରେ ଥିବା ଜଗନ୍ନାଥପ୍ରେମୀଙ୍କ ଦ୍ୱନ୍ଦ୍ୱ ଦୂର କରିବା ସହ ପରୋକ୍ଷ ବା ପ୍ରତ୍ୟେକ୍ଷ ଭାବେ ଅସଲି ଷଡ଼ଯନ୍ତ୍ରକାରୀଙ୍କ ମୁଖା ଖୋଲିଦେଇଛି।

Advertisment

ସାରା ଦୁନିଆକୁ କୋଭିଡ୍ ପରିସ୍ଥିତି ତ ଅନେକ କିଛି ଦେଖାଇଲା, ଆଉ ଶିଖାଇଲା.. ହେଲେ ଦୁଇ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଧରି ଓଡ଼ିଆଙ୍କ ମୁଖିଆ ଭାବେ ଶାସନ ଗାଦିର ମଜା ଉଠାଉଥିବା ନବୀନ ସରକାରଙ୍କ ଲୋକ ଦେଖାଣିଆ ଜଗା-ପ୍ରେମ ମଧ୍ୟ ପଦାରେ ପକାଇଦେଲା। ଭକ୍ତଙ୍କ ଠାକୁର ମହାପ୍ରଭୁ ଶ୍ରୀଜଗନ୍ନାଥ ତମାମ ଚତୁରତାଠାରୁ ଊର୍ଦ୍ଧ୍ୱରେ ବୋଲି ହୁଏତ ଓଡ଼ିଶା ସରକାର ଭୁଲି ଯାଇଥିଲେ। କୋଭିଡ୍ ପରିସ୍ଥିତି ହୁଏତ କାଲି ନ ଥାଇପାରେ, ହେଲେ ନବୀନ ସରକାରଙ୍କ ମୁଣ୍ଡରେ ୨୦୨୦ ମସିହାରେ ରଥଯାତ୍ରା ବନ୍ଦ ଷଡ଼ଯନ୍ତ୍ର ଦାଗ କିନ୍ତୁ ଇତିହାସ ସୃଷ୍ଟି କରିଦେଲା।

ଅତୀତରେ ଆଫଗାନୀ ଓ ମୋଗଲ ପୁରୀ ଶ୍ରୀମନ୍ଦିର ଓ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ସତ୍ତା ନଷ୍ଟ କରିବାର ବହୁବାର ଦୁଃସାହସ କରିଛନ୍ତି। ହେଲେ କିଏ ଜାଣିଥିଲା, ମହାପ୍ରଭୁଙ୍କ ପରମ ଭକ୍ତ ବୋଲି ନିଜକୁ ଦର୍ଶାଉଥିବା ବିଜେଡି ମୁଖିଆ ବି ଦିନେ ମହାପ୍ରଭୁଙ୍କ ବିଧି ନଷ୍ଟ କରିବାକୁ ଏତେ ପ୍ରୟାସ କରିବେ ! ଏହାର ବିପରିତରେ ଯଦି ରାଜ୍ୟ ସରକାର କାଣିଚିଏ ପ୍ରୟାସ ଗଜପତି ତଥା ଶ୍ରୀମନ୍ଦିର ପରିଚାଳନା କମିଟିର 'ବିନା ଭକ୍ତରେ ରଥଯାତ୍ରା ସମ୍ଭବ' ପ୍ରସ୍ତାବକୁ ବୁଝିବାରେ କରିଥାନ୍ତେ, ଏଭଳି ଚିରଦିନ ଲାଗି କଳଙ୍କ ହୁଏତ ତାଙ୍କ ମଥାରେ ଲାଗି ନ ଥାନ୍ତା।

Advertisment

ସତ୍ୟ ବିଚଳିତ ହୋଇପାରେ, ପରାଜିତ ନୁହେଁ। ଏହାକୁ କାଳିଆ ସାଆନ୍ତ ପ୍ରମାଣ କରିଦେଲେ। ଶ୍ରୀମଦଭଗବତ୍ ଗୀତାରୁ ଶ୍ରୀକୃଷ୍ଣଙ୍କୁ ବିଚକ୍ଷଣ କୁଟନୀତିଜ୍ଞ ଭାବେ ବୋଲି ମଧ୍ୟ ବୁଝାଯାଏ। ଶ୍ରୀକୃଷ୍ଣ ହିଁ ସ୍ୱୟଂ ଶ୍ରୀଜଗନ୍ନାଥ। ଏଣୁ ଜଗା ସାଙ୍ଗେ କୁଟନୀତି କଲେ, କିଏ କଣ ପାରିବ? କେହି ନ ଥିଲେ, ଧର୍ମ ଆଉ ଭକ୍ତିର ସତ୍ତା ବଜାୟ ପାଇଁ ନିଜ ପାଇଁ ନିଜେ ଅଛି ସେହି କାଳିଆ ସାଆନ୍ତ। ଜୁନ ୧୮ରେ ସୁପ୍ରିମକୋର୍ଟଙ୍କ ରଥଯାତ୍ରା ବନ୍ଦ ନେଇ ନିଷ୍ପତ୍ତିକୁ ଓଲଟାଇ, ରାଜ୍ୟ ସରକାରଙ୍କ ଷଡ଼ଯନ୍ତ୍ରକୁ ପଦାରେ ପକାଇ, ଭକ୍ତଙ୍କ ଟେକ ରଖି ମହାପ୍ରଭୁ ଶ୍ରୀଜଗନ୍ନାଥ ସାରା ବିଶ୍ୱରେ ଏହା ପ୍ରମାଣ କରାଇଦେଲେ।

ଜୁନ୍ ୧୮ ଦିନ ଯାହା ଘଟିଲା, ତାହା ଯେ ରାଜ୍ୟ ସରକାରଙ୍କ ମନସା ଥିଲା ବୋଲି ଗଜପତିଙ୍କ ବୟାନ ପରେ ସ୍ପଷ୍ଟ ହୋଇଯାଇଛି। ଗଜପତି ମହାରାଜା ଦିବ୍ୟସିଂହ ଦେବ ସିଧାସଳଖ ନ କହିଲେ ମଧ୍ୟ ଚିତ୍ର ସ୍ପଷ୍ଟ କରିଦେଇଛନ୍ତି। ଗଜପତି କହିଛନ୍ତି, ୨୪ ମାର୍ଚ୍ଚରେ କେନ୍ଦ୍ର ସରକାରଙ୍କ ଲକଡାଉନ ଘୋଷଣା ଦିନରୁ ହିଁ ଗଜପତି ମହାପ୍ରଭୁଙ୍କ ରଥଯାତ୍ରା ପାଳନ ନେଇ ଚିନ୍ତନ କରୁଥିଲେ। ଏନେଇ ସେ ପ୍ରଥମେ ମୁଖ୍ୟ ପ୍ରଶାସକ, କଲେକ୍ଟରଙ୍କୁ ଚିଠି ଲେଖି ସରକାରଙ୍କୁ ଅବଗତ କରିବାକୁ ମଧ୍ୟ କହିଥିଲେ। କରୋନା ପରିସ୍ଥିତିକୁ ଦେଖି ବିନା ଭକ୍ତରେ ମହାପ୍ରଭୁଙ୍କ ନୀତି କରିବାକୁ ପରାମର୍ଶ ମଧ୍ୟ ଦିଆଯାଇଥିଲା। ଏହାରି ଭିତରେ ଅକ୍ଷୟ ତୃତୀୟା ଆଉ ଚନ୍ଦନ ଯାତ୍ରା ନୀତି ଶେଷ ହେଲା। ରଥ ନିର୍ମାଣ ପାଇଁ କେନ୍ଦ୍ରରୁ ଅନୁମତି ମିଳିଲା। ଏସବୁ ପରିସ୍ଥିତିରେ ରଥଯାତ୍ରା ବନ୍ଦ ହେବା ନେଇ କୌଣସି ସମ୍ଭାବନା ବା ଆଶଙ୍କା ନ ଥିଲା।

ତେବେ ଯେଉଁ ଗୋଷ୍ଠୀ ହାଇକୋର୍ଟଙ୍କ ନିକଟକୁ ରଥଯାତ୍ରା ବନ୍ଦ ପିଟିସନ ନେଇ ଯାଇଥିଲେ, ସେମାନେ ହିଁ ସୁପ୍ରିମକୋର୍ଟ ଯାଇଥିଲେ। ହାଇକୋର୍ଟ ରଥଯାତ୍ରା ନେଇ ରାଜ୍ୟ ସରକାରଙ୍କ ଉପରେ ନିଷ୍ପତ୍ତି ନେବାକୁ ଛାଡ଼ିଥିଲେ। ହେଲେ ରାଜ୍ୟ ସରକାର ଏନେଇ ଗଜପତି, ଶଙ୍କରାଚାର୍ଯ୍ୟ କାହା ସାଙ୍ଗେ ବି କୌଣସି ଆଲୋଚନା କଲେନାହିଁ କି ନିଷ୍ପତ୍ତି ମଧ୍ୟ ନେଲେ ନାହିଁ। ଜୁନ୍ ୯ରେ ହାଇକୋର୍ଟ ଏନେଇ ନିଷ୍ପତି ଶୁଣାଇଥିଲେ। ଏପଟେ ରାଜ୍ୟରେ ଲକଡାଉନ ଥାଇ, କୋଭିଡକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରି ବିକଳ୍ପ ସମାଧାନ ବାହାର କରି ରଥଯାତ୍ରା କରିହେବ ବୋଲି ବାରମ୍ବାର ଗଜପତି ସରକାରଙ୍କ ସହ ଯୋଗାଯୋଗ କରିଥିଲେ। ଏପରି କି ମେ' ୩୦ରୁ ହିଁ ସବୁକିଛି ସ୍ପଷ୍ଟ କରି ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା। କିନ୍ତୁ ନିଜକୁ ପରମ ଭକ୍ତ ଭାବେ ଦର୍ଶାଉଥିବା ରାଜ୍ୟ ସରକାର ରଥଯାତ୍ରା ଭଳି ବିଧିକୁ ୧୨ ଦିନ ଧରି ଝୁଲାଇ ରଖିଲେ। ନିଷ୍ପତ୍ତି ନେଲେ ନାହିଁ କି କୌଣସି ବିଷୟ ସ୍ପଷ୍ଟ କଲେନି। ଏପଟେ ରଥଯାତ୍ରା ନେଇ ପ୍ରସ୍ତୁତିକୁ ବି ଅଟକାଇଲେ ନାହିଁ।

ପରେ ମାମଲା ସୁପ୍ରିମକୋର୍ଟଙ୍କ ନିକଟକୁ ମାମଲା ଗଲା, ଯେଉଁଠି ସରକାରଙ୍କ ପକ୍ଷରୁ ଭୁଲ ତଥ୍ୟ ଦିଆଯିବାରୁ ତିନି ଜଣିଆ ଖଣ୍ଡପୀଠ ରଥଯାତ୍ରା ସ୍ଥଗିତ ରଖାଯିବ ବୋଲି ନିଷ୍ପତ୍ତି ଶୁଣାଇଲେ। ଏହାପରେ ଗଜପତିଙ୍କ ସମେତ ସେବାୟତ ସଂଘ, ଛତିଶା ନିଯୋଗ, ପରିଚାଳନା କମିଟି ସଦସ୍ୟ ଓ ବିଶ୍ୱର ଅଗଣିତ ଜଗନ୍ନାଥପ୍ରେମୀ ହାଁ କରିଦେଲେ। ସରକାର ବିନା କୌଣସି ଇସାରା ଦେଇ ଯୋଜନାବଦ୍ଧ ଭାବେ ନିଜ ପକ୍ଷକୁ ଆବେଦନକାରୀଙ୍କ ମାଧ୍ୟମରେ ସୁପ୍ରିମକୋର୍ଟ ନେଇଗଲେ ଓ ନିଜେ ଓକିଲ ଲଗାଇ ରଥ ବନ୍ଦ ପାଇଁ ବାଟ ସଫା କରିଦେଲେ।

'୧୨-୧୫ ଲକ୍ଷ ଲୋକ ଏକାଠି ହେବେ' କେବଳ ଏହି ଗୋଟିଏ ଭୁଲ ତଥ୍ୟ ପାଇଁ ସୁପ୍ରିମକୋର୍ଟ ରଥଯାତ୍ରା ବନ୍ଦ ନେଇ ନିଷ୍ପତ୍ତି ନେଲେ। ଯଦି ରଥଯାତ୍ରା ବନ୍ଦ ହୋଇଯାଇଥାନ୍ତା ମହାପ୍ରଭୁଙ୍କ ବିଧି ନଷ୍ଟ ହୋଇଥାନ୍ତା। ଏପଟେ ଜୁନ ୧୮ ପର୍ଯ୍ୟନ୍ତ ରଥଯାତ୍ରା ବନ୍ଦ କରିବାକୁ ଏତେ ବଡ଼ ଷଡ଼ଯନ୍ତ୍ର ଚାଲିଥିବା କାହାରିକୁ ଖବର ମଧ୍ୟ ନ ଥିଲା। ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ରଥ ବନ୍ଦ ଶୁଣାଣି ପରେ ଛୁଟି ନେଇ ଚାଲିଗଲେ। ଶେଷ ମୁହୂର୍ତ୍ତରେ ଏ ବର୍ଷ ଯେ ରଥ ଗଡ଼ିବ, କାହାରି ଆଉ ଆଶା ନ ଥିଲା। ପୁନର୍ବିଚାର ଆବେଦନ ଉପରେ ମଧ୍ୟ ଜଣେ ବିଚାରପତି ରାୟ ଶୁଣାଇ ପାରିବେନି। ଆଶା ମଉଳି ଯାଇଥିଲା। କାଳିଆର ବିଧି କଣ ଏ ବର୍ଷ ଅଟକିଯିବ... ହତବାକ୍ ହୋଇଯାଇଥିଲେ ସମସ୍ତେ। କିନ୍ତୁ ସେ ଯିଏ ନଟିଆ, ନଟ କୁଟିଆ କାଳିଆ ସାଆନ୍ତ। ତାକୁ ସବୁ କୁଟନୀତି ଜଣା। ସେ ନିଜ ପାଇଁ ନିଜେ ରଚିଲା ଖେଳ...

ଛତିଶା ନିଯୋଗ ରଥଯାତ୍ରା ବନ୍ଦ ନେଇ ସୁପ୍ରିମକୋର୍ଟ ପୁନର୍ବିଚାର କରନ୍ତୁ ବୋଲି ରାଜ୍ୟ ସରକାରଙ୍କୁ ଏ ଦିଗରେ ପଦକ୍ଷେପ ନେବାକୁ ବାଧ୍ୟ କଲା। ଏପଟେ ଶଙ୍କରାଚାର୍ଯ୍ୟ ମଧ୍ୟ ଏନେଇ ମତ ରଖିଲେ। ଭକ୍ତଙ୍କ ଆକ୍ରୋଶ ବଢ଼ିଲା। ସରକାରଙ୍କ ଉପରେ ଚାପ ପଡ଼ିଲା। ତିନି ଜଣ ବିଚାରପତିଙ୍କ ଖଣ୍ଡପୀଠ ଛୁଟିରେ ଥିଲେ, ଏଣୁ ଏହା ସମ୍ଭବ ବୋଲି ତଥାପି କେହି ଚିନ୍ତା କରିପାରୁ ନ ଥିଲେ। ଶଙ୍କରାଚାର୍ଯ୍ୟଙ୍କ ମତ ଦ୍ୱାରା କେନ୍ଦ୍ର ସରକାର ପ୍ରଭାବିତ ହେଲେ। ଗୃହମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ରାଜ୍ୟ ସରକାରଙ୍କ ମତ ବଦଳିଗଲା। ଏହାପରେ କାଳିଆର ଲୀଳା ୨୨ ଜୁନରେ ଦେଖିବାକୁ ମିଳିଲା। ସବୁ ବିରୋଧୀ, ପକ୍ଷ-ପ୍ରତିପକ୍ଷଙ୍କ ସ୍ୱର ଏକ ହୋଇଗଲା- 'କାଳିଆ ସାଆନ୍ତର ରଥଯାତ୍ରା ହେଉ'। ଏହାପରେ ମାମଲା ଜଣେ ବିଚାରପତିଙ୍କ ହାତରୁ ପୁଣି ୩ଜଣିଆ ଖଣ୍ଡପୀଠଙ୍କ ହାତକୁ ଗଲା। ଏହି ଅସମ୍ଭବକୁ ସମ୍ଭବ କେବଳ କଳାଠାକୁର ହିଁ କରିଦେଖାଇଲେ। କାରଣ ଶୁଣାଣି କରି ଛୁଟିରେ ପଳାଇଥିବା ଖଣ୍ଡପୀଠ ପୁନର୍ବିଚାର ଲାଗି ପୁଣି ଆସିବେ, ଏହା କଣ ସାଧାରଣରେ ସମ୍ଭବ ଥିଲା!

ସତ-ମିଛ ଭକ୍ତଙ୍କୁ ପଦାରେ ପକାଇଦେଲେ ମହାପ୍ରଭୁ। ଗୋଟିଏ ପଟେ ମହାପ୍ରଭୁଙ୍କ ପରମ ଭକ୍ତ ସାଲବେଗଙ୍କ ଭଳି ନୟାଗଡ଼ର ଆଫତାବ୍ ହୁସୈନ୍ ରଥଯାତ୍ରା ହେଉ ବୋଲି ସୁପ୍ରିମକୋର୍ଟଙ୍କ ନିକଟରେ ଦୃଢ଼ ଯୁକ୍ତି ରଖିଥିଲେ। ଅନ୍ୟପଟେ ରାଜ୍ୟ ସରକାରଙ୍କ ଦେଖାଣିଆ ଜଗା ପ୍ରେମ ପଦାରେ ପଡ଼ିଲା। ଜଗତେ ମହାବାହୁ ସର୍ବୋପରି ବୋଲି ପୁଣି ପ୍ରମାଣ ହେଲା। ପ୍ରଭୁଙ୍କ ନାଁରେ କୁଟନୀତି କରିଥିବା ଲୋକଙ୍କ ମୁହଁରେ ଚିରଦିନ ଲାଗି କଳଙ୍କ ଲାଗିଲା।

(ପ୍ରଜ୍ଞା ଚୌଧୁରୀ) 

pragnyachoudhury330@gmail.com

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe