କୌଣସି ଦୁର୍ନୀତି ଅଭିଯୋଗରେ ଭିଜିଲାନ୍ସ ଘରକୁ ଯିବା ଓ ଅଧିକାରୀ ଗିରଫ ହେବାର ଖବର ଗଣମାଧ୍ୟମରେ ପ୍ରକାଶିତ ହେବା ସାମାଜିକ ଭାବରେ ଅତ୍ୟନ୍ତ ଲଜ୍ଜାକର ବିଷୟ। ଖବରକାଗଜରେ ଚଢ଼ାଉ ସମ୍ପର୍କିତ ଖବର ପ୍ରକାଶିତ ହେବା, ଅଧିକାରୀ ଗିରଫ ହେବା, ସମ୍ପତ୍ତି ବ୍ୟାଜାପ୍ତି ଲାଗି ନୋଟିସ ହେବା ଇତ୍ୟାଦି ଅନ୍ୟ ଲାଞ୍ଚୁଆ ଅଧିକାରୀଙ୍କୁ ସେଭଳି କାର୍ଯ୍ୟରୁ ନିବୃତ୍ତ କରାଇବା କଥା। କିନ୍ତୁ ସେଭଳି ହେଉନାହିଁ। ଭିଜିଲାନ୍ସ ଚଢ଼ାଉ ଦୁର୍ନୀତିଶୂନ୍ୟ ପ୍ରଶାସନ ଦିଗରେ କାମ କରିବା ଅପେକ୍ଷା ଏହା ଏକ ନିୟମିତ କାର୍ଯ୍ୟରେ ପରିଣତ ହୋଇଛି।
ଓଡ଼ିଶାରେ ୨୦୧୫-୧୬ ମସିହାରେ କ୍ରମାଗତ ଭାବରେ ଚାଷୀ ଆତ୍ମହତ୍ୟା ଘଟଣା ଘଟୁଥିଲା। ଏହାର କାରଣ ଜାଣିବା ଲାଗି ତଥ୍ୟ ଅନୁସନ୍ଧାନରେ ଆମେ କିଛି ସାଥୀ ବରଗଡ଼ ଜିଲ୍ଲାର ଗୋବିନ୍ଦପୁର ପଞ୍ଚାୟତରେ ପହଞ୍ଚିଥାଉ। ମୃତ ଚାଷୀଙ୍କ ଘରେ ବସିଥିବା ସମୟରେ ଏକ ଭୁଷୁଡି ଯାଉଥିବା ମାଟି ଘରୁ ପ୍ରାୟ ସତୁରୀ ବର୍ଷୀୟ ବୃଦ୍ଧ ଓ ବୃଦ୍ଧା, ସ୍ଵାମୀ ସ୍ତ୍ରୀ, ବାହାରି ଆସିଲେ। ସେମାନେ ଚାଷୀଙ୍କ ଘର ସାମ୍ନାରେ ରୁହନ୍ତି। ପଚାରି ଜାଣିଲୁ ଯେ ଉଭୟ ସ୍ଵାମୀ ସ୍ତ୍ରୀ ସରକାରଙ୍କ ମାସିକ ବାର୍ଦ୍ଧକ୍ୟ ଭତ୍ତା ଜଣକୁ ୩୦୦ ଟଙ୍କା ଭାବରେ ୬୦୦ ଟଙ୍କା ଉପରେ ସଂପୂର୍ଣ୍ଣ ନିର୍ଭରଶୀଳ। ଅଥଚ ଗ୍ରାମ ସେବକ, ବ୍ଲକ ଅଧିକାରୀ ଓ ସରପଞ୍ଚ ତାଙ୍କୁ ଇନ୍ଦିରା ଆବାସ ଘର ୱାର୍କ ଅର୍ଡର ଲାଗି ଲାଞ୍ଚ ବାବଦକୁ ପାଞ୍ଚ ହଜାର ଟଙ୍କା ମାଗିଥାନ୍ତି। ସେ ନଦେଇପାରିବା କାରଣରୁ ତାହାକୁ ବାତିଲ କରିଦିଆଯାଇଥିଲା। ଏହାକୁ ବିଶ୍ଵାସ କରାଯାଇପାରେ କି? ଆମର କିଛି ବନ୍ଧୁ ଉଦ୍ୟମ କରିବା ସତ୍ତ୍ୱେ ତାଙ୍କୁ ଘର ସେହି ବର୍ଷ ମିଳିପାରିନଥିଲା।
ସେହି ବର୍ଷ ହୋଇଥିବା ଚାଷୀ ଆତ୍ମହତ୍ୟା ଘଟଣାର ମୂଳ କାରଣ ଥିଲା ଭେଜାଲ ବିହନ ଓ ସାର, ସରକାରୀ ବ୍ୟାଙ୍କ ମ୍ୟାନେଜରଙ୍କୁ ଲାଞ୍ଚ ନଦେଇପାରିବା କାରଣରୁ ଋଣ ମିଳିବାରେ ଅସୁବିଧା ଫଳରେ ହାତଉଧାରି ଋଣ ଉପରେ ନିର୍ଭରଶୀଳ, ଭୁଲ କୃଷି ନୀତି, ବିଦ୍ୟୁତ ବିଭାଗର ଅବହେଳା, ଦୁର୍ନୀତି କାରଣରୁ ବିଭିନ୍ନ ଚାଷୀ ସମବାୟ ବନ୍ଦ ହୋଇଯିବା ସାଙ୍ଗକୁ କ୍ରମାଗତ ଭାବରେ ସ୍ୱଳ୍ପ ବର୍ଷା। ବରଗଡ଼ ଜିଲ୍ଲାର ସେହି ଗୋବିନ୍ଦପୁର ପଞ୍ଚାୟତର ଯୁବ ଚାଷୀଙ୍କ ମୃତ୍ୟୁର କାରଣ ଥିଲା ଯେ ସେ ବିଦ୍ୟୁତ ବିଭାଗ ସେସକୋ ଇଞ୍ଜିନିୟରଙ୍କୁ ‘ଅନୁରୋଧ’ କରିବା ସତ୍ତ୍ୱେ ନୂଆ ଟ୍ରାନ୍ସଫର୍ମର ସ୍ଥାପନ ନକରିବା କାରଣରୁ ନିଜର ଦୁଇ ଏକର ପରିବା ଚାଷ ପାଣି ଅଭାବରୁ ସଂପୂର୍ଣ୍ଣ ମରିଯାଇଥିଲା। ପାଣି ଉଠାଇବା ଲାଗି ଆବଶ୍ୟକ ମଟର କିଣିବା ଲାଗି ଯେଉଁ ୨୦,୦୦୦ ଟଙ୍କା ହାତଉଧାରି ୬ଣ କରିଥିଲେ ତାହା ଅତି ଶୀଘ୍ର ଦୁଇଗୁଣା ହୋଇଯାଇଥିଲା।
ଯେତେବେଳେ ସମ୍ବଲପୁର ଓ ବାଲେଶ୍ଵରର ପରିବେଶ ପ୍ରଦୂଷଣ ବିଭାଗର ବୈଜ୍ଞାନିକ କିଛି ମାସ ତଳେ ଭିଜିଲାନ୍ସ ବିଭାଗ ଦ୍ଵାରା ଆୟ ବହିର୍ଭୂତ ସମ୍ପତ୍ତି ରଖିଥିବା କାରଣରୁ ଗିରଫ ହେଲେ ସେତେବେଳେ ଜଣାପଡ଼ିଲା ଯେ ଏ ସମସ୍ତ ଅଞ୍ଚଳରେ ପ୍ରଦୂଷଣର ମାତ୍ରା ବଢୁଥିବା ବେଳେ କାହିଁକି କୌଣସି କାର୍ଯ୍ୟନୁଷ୍ଠାନ ହେଉନାହିଁ। ଯାଜପୁରର ସୁକିନ୍ଦା – କାଲିଆପାଣି, ସମ୍ବଲପୁର, ଅନୁଗୁଳ, ଛତ୍ରପୁର ଇତ୍ୟାଦି ଅଞ୍ଚଳରେ କିଡନି ବେମାରୀରେ ମୃତ୍ୟୁବରଣ କରୁଥିବା ଲୋକଙ୍କ ସଂଖ୍ୟା ଅସ୍ଵାଭାବିକ ଭାବରେ ବୃଦ୍ଧି ଘଟୁଛି। ଏହାର ମୂଳ କାରଣ ଶିଳ୍ପାଞ୍ଚଳର ପ୍ରଦୂଷଣ ଓ ଦୂଷିତ ଜଳର ବ୍ୟବହାର।
ଅଥଚ ଏହି ସମସ୍ତ ଅଞ୍ଚଳରେ ଅଥବା ସମଗ୍ର ଓଡ଼ିଶାରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବିଭାଗ ଦ୍ଵାରା ପ୍ରଦୂଷଣ ନିୟନ୍ତ୍ରଣ ସଂକ୍ରାନ୍ତୀୟ ଆଇନ ଉଲ୍ଲଂଘନ ଅପରାଧରେ ଦଣ୍ଡିତ ହୋଇଥିବା କାରଖାନା ମାଲିକଙ୍କ ସଂଖ୍ୟା ଶୂନ। ଅର୍ଥାତ ସୁକିନ୍ଦା ଏସିଆର ସବୁଠାରୁ ଅଧିକ ପ୍ରଦୂଷିତ ଅଞ୍ଚଳ। ଏଠାରେ ବିଭିନ୍ନ ବେମାରୀରେ ଲୋକ ମୃତ୍ୟୁବରଣ କରିବାର ସଂଖ୍ୟା ଅଧିକ। କିନ୍ତୁ ଏଠାରେ ରହିଥିବା ଖଣି ଓ ଟ୍ରାନ୍ସପୋର୍ଟ କମ୍ପାନୀମାନେ କେବେ ପ୍ରଦୂଷଣ ବିଭାଗ ଦ୍ଵାରା ଦଣ୍ଡିତ ହୋଇନାହାନ୍ତି। ଦେଖିବାକୁ ଗଲେ ଏହିଭଳି ଅସ୍ୱାଭାବିକ ମୃତ୍ୟୁ ନିଶ୍ଚିତ ରୂପେ ହତ୍ୟା। ପ୍ରଦୂଷଣ ନିୟନ୍ତ୍ରଣ ବିଭାଗର ଅଧିକାରୀମାନେ ସିଧାସଳଖ ଭାବରେ ଏଥିଲାଗି ଦାୟୀ। କିନ୍ତୁ ସେଥିଲାଗି କେବେ ଅଧିକାରୀମାନେ ଗିରଫ ହୁଅନ୍ତି ନାହିଁ।
ଚାଷୀ ଆତ୍ମହତ୍ୟା, ପ୍ରଦୂଷଣ ଜନିତ ମୃତ୍ୟୁ, ଭେଜାଲ ଖାଦ୍ୟ ଖାଇ ମୃତ୍ୟୁ, ଚିକିତ୍ସାରେ ବିଳମ୍ବ ହେତୁ ମୃତ୍ୟୁ, ଅଙ୍ଗନବାଡ଼ି କେନ୍ଦ୍ର ଭୁଶୁଡିବା କାରଣରୁ ଶିଶୁ ମୃତ୍ୟୁ, ବ୍ରିଜ ଭୁଶୁଡିବା କାରଣରୁ ଶ୍ରମିକ ଓ ଯାତ୍ରୀଙ୍କ ମୃତ୍ୟୁ ଇତ୍ୟାଦି ମୃତ୍ୟୁ ସରକାରୀ ଅନୁଷ୍ଠାନ ଦ୍ଵାରା ହତ୍ୟା। ଅଥଚ ଲୋକଙ୍କ ମୃତ୍ୟୁର କାରଣ ସହିତ ବିଭାଗର ଦୁର୍ନୀତିକୁ ଯୋଡ଼ିକରି ଦେଖିବା ଓ ଅଧିକାରୀଙ୍କୁ ହତ୍ୟା ଅପରାଧିକ ଦଫାରେ ଗିରଫ କରିବାର ପ୍ରୟାସ ନା ସରକାରୀ ସ୍ତରରେ ହେଉଛି ନା ବିଚାରାଳୟ ସେଭଳି ଉଦ୍ୟମ କରୁଛି।
ସରକାରୀ ସ୍ତରରେ ଦୁର୍ନୀତି କାରଣରୁ ଅନେକ ଲୋକଙ୍କ ଜୀବନ ଚାଲିଯାଉଛି। ଏଭଳି ମୃତ୍ୟୁବରଣ କରୁଥିବା ବ୍ୟକ୍ତିର ବାପା, ମା’, ପୁଅ, ଝିଅ, ସ୍ତ୍ରୀ ଅଥବା ସ୍ଵାମୀ କାହିଁ କେତେ ବର୍ଷ ପଛକୁ ଚାଲିଯାନ୍ତି। ସମୟ ସମୟରେ କ୍ରୋଧ ବଶତଃ ମୃତ୍ୟୁବରଣ କରିଥିବା ବ୍ୟକ୍ତିର ସମ୍ପର୍କୀୟ ଓ ଗ୍ରାମବାସୀ କିଛି କାଣ୍ଡ ଘଟାଇ ଦିଅନ୍ତି ଓ ସେଥିଲାଗି ଗିରଫ ହୋଇ ଦଣ୍ଡିତ ହୁଅନ୍ତି। କିନ୍ତୁ ପ୍ରକୃତ ଦାୟୀ ଅଧିକାରୀ ଯଦି ବି ଗିରଫ ହୁଅନ୍ତି ସେ କିନ୍ତୁ ବହୁ ଶୀଘ୍ର ନିରପରାଧୀ ଘୋଷିତ ହୁଅନ୍ତି। ଏହା ବିଡ଼ମ୍ବନା ନୁହେଁ ବରଂ ସତ୍ୟ।
ଲାଞ୍ଚ ନେଉଥିବା ଅଧିକାରୀ ଜଣେ ଅଯୋଗ୍ୟ ବ୍ୟକ୍ତିକୁ ସହଯୋଗ କରିବା ଲାଗି ଲାଞ୍ଚ ନେଇଥାନ୍ତି। ଏହା ଦ୍ଵାରା ସେ ଯୋଗ୍ୟ ବ୍ୟକ୍ତିର ସାମ୍ବିଧାନିକ ଅଧିକାରକୁ ଛଡ଼ାଇନେଇଥାନ୍ତି। ଯୋଗ୍ୟ ବ୍ୟକ୍ତିର ବଞ୍ଚିବାର ଅଧିକାରକୁ କ୍ଷୁଣ୍ଣ କରୁଥିବା କାରଣରୁ ଦେଶର ଆଇନ ଓ ସମ୍ବିଧାନ ସାମ୍ନାରେ ହତ୍ୟା ଅପରାଧୀ ହେବା କଥା। କିନ୍ତୁ ସେ ଭଳି ଦୃଷ୍ଟିରେ ଦୁର୍ନୀତି କରୁଥିବା ଅଧିକାରୀଙ୍କ କାର୍ଯ୍ୟର ବିଚାର ହେଉନାହିଁ। ଆମର ନିର୍ବାଚିତ ପ୍ରତିନିଧିମାନେ କେବେ ଦୁର୍ନୀତିକୁ ସେଭଳି ଢଙ୍ଗରେ ବ୍ୟାଖ୍ୟା କରୁନାହାନ୍ତି କିମ୍ବା ବ୍ୟବସ୍ଥାରେ ରହିଥିବା ଦୁର୍ବଳତାକୁ ସୁଧାରୁ ନାହାନ୍ତି। ଫଳରେ, ଦୁର୍ନୀତି ଆମ ବ୍ୟବସ୍ଥାର ଅଂଶ ପାଲଟି ଯାଇଛି ଓ ଏକ ନିୟମିତ କାର୍ଯ୍ୟ ଭାବରେ ଭିଜିଲାନ୍ସ ଚଢ଼ାଉ ହେଉଛି। ଏପରିକି ଭିଜିଲାନ୍ସ ବିଭାଗ ରାଜନୈତିକ ଉଦ୍ଦେଶ୍ୟରେ ମଧ୍ୟ ପ୍ରୟୋଗ ହେଉଛି।
ଲାଞ୍ଚୁଆ ଅଧିକାରୀ ନିଜ ଆୟଠାରୁ କେତେ ଗୁଣା ଅଧିକ ‘ଆୟ ବହିର୍ଭୂତ ସମ୍ପତ୍ତି’ ଏକାଠି କରିଛନ୍ତି ତାହା ହିଁ ଅପରାଧର କାରଣ ଭାବରେ ଦେଖାଯାଉଛି। କିନ୍ତୁ ତାଙ୍କର ନିୟମବହିର୍ଭୂତ କାର୍ଯ୍ୟ ଯେ କାହାର ଜୀବନ ନେଇଛି ସେ ଦିଗରେ ଆମର ପ୍ରଶାସନିକ ବ୍ୟବସ୍ଥାରେ କେବେ ଚିନ୍ତା କରାଯାଉନାହିଁ। ମନ୍ତ୍ରୀ ଓ ସଚିବଙ୍କ ଉତ୍ତମ ବୁଝାମଣାରେ ନିୟମ ବହିର୍ଭୂତ କାର୍ଯ୍ୟ ଚାଲିଥିବା କାରଣରୁ ଆଇନରେ ଆବଶ୍ୟକୀୟ ସଂଶୋଧନ କରାଯାଉନାହିଁ। ଏପରିକି ପୂର୍ବ ସରକାରଙ୍କ ସମୟରେ ସଂଗଠିତ ଦୁର୍ନୀତିର ସ୍ୱଚ୍ଛ ବିଚାର ବର୍ତ୍ତମାନର ସରକାରଙ୍କ ସମୟରେ କରାଯାଇନଥାଏ।
ଦୁର୍ନୀତି ସମ୍ପର୍କିତ ଅନ୍ୟ ଏକ ବିଡ଼ମ୍ବନା ହେଲା ଯେ ଆମ ସମାଜରେ ଉପରସ୍ତରରେ ହେଉଥିବା ଲାଞ୍ଚ କାରବାର ବା ଦୁର୍ନୀତି ସମ୍ପର୍କରେ ଲୋକେ ଅଧିକ ଆଲୋଚନା କରିଥାନ୍ତି। ଭିଜିଲାନ୍ସ ବିଭାଗ କିନ୍ତୁ ନିମ୍ନ ସ୍ତରର ଅଧିକାରୀଙ୍କୁ ଅଧିକ ସଂଖ୍ୟାରେ ଚଢ଼ାଉ କରିଥାଏ। ମନ୍ତ୍ରୀଙ୍କ ସମ୍ପତ୍ତିର କ୍ରମାଗତ ବୃଦ୍ଧି, ସଚୀବ ଓ ଜିଲ୍ଲାପାଳଙ୍କ ଜୀବନ ଶୈଳୀରେ ଥିବା ରାଜକୀୟ ଢଙ୍ଗ ଇତ୍ୟାଦି ସମ୍ପର୍କରେ ବେଶ ସଂତର୍ପଣରେ ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହୁଏ। ମାତ୍ର ଖବରକାଗଜ ଓ ଅନ୍ୟ ଗଣମାଧ୍ୟମରେ ସେହି ସବୁ ଅଧିକାରୀଙ୍କ ଘର ଚଢ଼ାଉ ହେବା ପ୍ରାୟ ଶୁଣାଯାଏ ନାହିଁ। କେବଳ ରାଜନୈତିକ ଆକ୍ରୋଶରେ କିଛି ଚଢ଼ାଉ ହୋଇଥାଏ।
ରାଜ୍ୟ ଷ୍ଟାଫ ସିଲେକ୍ସନ କମିଶନର କର୍ମଚାରୀ ନିଜ ଆୟର ୨୧୬% ଅଧିକ ସମ୍ପତ୍ତି ଠୁଳ କରିଛନ୍ତି, ୧୯୮୭ ମସିହା ବ୍ୟାଚ ଆଇଏଫଏସ (ଇଣ୍ଡିଆନ ଫରେଷ୍ଟ ସର୍ଭିସ) ଅଫିସର ୪୩୫ % ଅଧିକ ସମ୍ପତ୍ତି ଠୁଳ କରିଥିବା କାରଣରୁ ଗିରଫ ହୋଇଛନ୍ତି (କିନ୍ତୁ ଭିଜିଲାନ୍ସ ବିଭାଗ ପୁଣି ଚାର୍ଜଶିଟ ଠିକ ସମୟରେ ଦାଖଲ ନକରିବା କାରଣରୁ ସେ ଜାମିନ ପାଇବା କଥା ଗଣମାଧ୍ୟମରେ ଆସେ), ଗୋପାଳପୁରର ବିଧାୟକଙ୍କ ଘର ଚଢ଼ାଉ ହୋଇ ଗିରଫ ହୋଇଛନ୍ତି, ଖଣି ବିଭାଗର ସହନିର୍ଦ୍ଦେଶକ ୩୬୮% ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଲାଗି ଗିରଫ ହୋଇଛନ୍ତି ଇତ୍ୟାଦି ଖବର ବେଶ କିଛି ଦିନ ଚର୍ଚିତ ସମ୍ବାଦ ହୋଇ ପ୍ରକାଶିତ ହୋଇଥାଏ।
ରାଜ୍ୟ ସରକାର ହୁଅନ୍ତୁ ଅଥବା କେନ୍ଦ୍ର ସରକାର ଭୋଟଦାତାଙ୍କ ଗତିବିଧିକୁ ନିୟନ୍ତ୍ରିତ କରିବା ଓ ତୁରନ୍ତ ‘ଦେଶଦ୍ରୋହୀ’ ଆରୋପ ଲଗାଇବା ଉଦ୍ଦେଶ୍ୟରେ ଯେଉଁଭଳି ‘ଆଧାର’, ଗଳିକନ୍ଦିରେ ସିସିଟିଭି କ୍ୟାମେରା, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଦ୍ଵାରା ଠାବ କରିବା ପଦ୍ଧତି, ପେଗାସସ ସଫ୍ଟୱେର ଆଣିବା ଇତ୍ୟାଦି ପଦକ୍ଷେପ ନେଉଛନ୍ତି ଓ ନୂଆ ଆଇନ ପ୍ରଣୟନ କରିଚାଲିଛନ୍ତି ସେହି ଗତିରେ ନିଜର କର୍ମଚାରୀ ଓ ଦଳୀୟ ନେତାଙ୍କର କାର୍ଯ୍ୟ ନିୟନ୍ତ୍ରିତ କରିବା ଓ ସ୍ୱଚ୍ଛତା ଆଣିବା ଲାଗି ଆବଶ୍ୟକ ତତ୍ପରତା ଦେଖାଉନାହାନ୍ତି।
ଷ୍ଟାଫ ସିଲେକ୍ସନ କମିଶନଙ୍କ କାର୍ଯ୍ୟଳୟରେ ଗଲା କିଛି ବର୍ଷ ହେଲା ଯେ ନିଯୁକ୍ତିପତ୍ରର ଖୋଲା ନିଲାମ ହେଉଥିଲା ସେହି ସବୁ ନିଯୁକ୍ତିର ସମୀକ୍ଷା ହୋଇନାହିଁ। ବିଭାଗୀୟ ମନ୍ତ୍ରୀ ଏଥିଲାଗି ନିଜକୁ ଉତ୍ତରଦାୟୀ ମନେକରିବା କେବେ ହେଉନାହିଁ। ଆଇଏଫଏସ ଅଧିକାରୀ ଗିରଫ ହେବା ପରେ ନା ଜଙ୍ଗଲ ବିଭାଗର ଚୁକ୍ତି ବାତିଲ ହେଉଛି ନା ଖଣି ଭିଭାଗର ଅଧିକାରୀ ଗିରଫ ହେବା ପରେ ତାଙ୍କଠାରୁ ଉପକୃତ ହୋଇଥିବା ସମସ୍ତ କମ୍ପାନୀ ଅଧିକାରୀଙ୍କୁ ବେଆଇନ ଖଣି ଖୋଳା ଲାଗି ଗିରଫ କରାଯାଇପାରୁଛି ନା କ୍ଷତିପୂରଣ ଆଦାୟ କରାଯାଇପାରୁଛି?
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ଅଧିକାରୀଙ୍କ ନିଜସ୍ଵ ବିଭାଗର ଉଚ୍ଚ ଅଧିକାରୀମାନେ ଗଣମାଧ୍ୟମ ସାମ୍ନାରେ ନିଜେ ‘ଅନ୍ଧାରରେ ରହିଥିବାର’ ସୁନ୍ଦର ଅଭିନୟ କରନ୍ତି। କିନ୍ତୁ ଏହା ଜଣାଶୁଣା କଥା ଯେ ସରକାରଙ୍କ କୌଣସି ବିଭାଗର କୌଣସି ନିଷ୍ପତ୍ତି କୌଣସି ଜଣେ ଅଫିସର ବା ଅଧିକାରୀ ଦ୍ଵାରା ନିଆଯାଇନଥାଏ। ସେଥିଲାଗି ଲାଞ୍ଚ ନେବାର ବା ସମ୍ପତ୍ତି ଠୁଳ କରିବାର ଦୋଷ ଜଣେ ଅଧିକାରୀକୁ ଦିଆଯାଇପାରିବ ନାହିଁ।
ବେଶ କିଛି ବର୍ଷ ପରେ ଭିଜିଲାନ୍ସ କୋର୍ଟରେ ସରକାର ହାରିଯିବାର କ୍ଷେତ୍ର ତିଆରି ହୁଏ ଓ ପୁଣି ସେହି ସମ୍ପତ୍ତି ସେହି ଅଫିସରଙ୍କ ନିକଟକୁ ଚାଲିଯାଏ। ଲାଞ୍ଚୁଆ ଅଫିସର କାହିଁକି କୋର୍ଟ ଦ୍ଵାରା ନିର୍ଦ୍ଦୋଷ ପ୍ରମାଣିତ ହେଲେ ସେ ସୂଚନା ଗଣମାଧ୍ୟମ ପାଖରେ ନଥାଏ ବା ଜାଣିକରି ଦିଆଯାଇନଥାଏ। ଏଥିଲାଗି ଦୁର୍ନୀତି ଆମ ବ୍ୟବସ୍ଥାର ସାଥୀ ପାଲଟି ଗଲାଣି।
ଦେବ ରଞ୍ଜନ
ମୋବାଇଲ : ୮୪୫୬୯୩୧୪୨୩