ଡ ରୀନା ରାଉତରାୟ
ସକାଳେ ବାହାରେ ବାଲକୋନୀରେ ବସି ଖବରକାଗଜ ପଢ଼ୁଥିଲା ବେଳେ ସୁନ୍ଦର ସୁଲୁସୁଲିଆ ପବନ ବୋହିଲା। ମୁହଁ ଉଠାଇ ଆଖି ବନ୍ଦ କରି ଗୋଟିଏ ମିନିଟ ସେହି ସୁନ୍ଦର ଥଣ୍ଡା ପବନକୁ ଉପଭୋଗ କରନ୍ତେ, ଛନ୍ କାଏ ଆତଙ୍କ ମନରେ ପଶିଗଲା।
ଆଖି ଆପେ ଖୋଲିଗଲା। ହଠାତ୍ ପାଗ ଅସ୍ୱାଭାବିକ ଲାଗିଲା। ଭାବିଲି ବାତ୍ୟା ହେବନି ତ? ଭୂମିକମ୍ପ ପୂର୍ବର ପାଣିପାଗ ନୁହେଁ ତ? ବାସ୍ ସକାଳର ମୋର ସେଇ ଅଧଘଣ୍ଟାର ସ୍ଥିର ଓ ଶାନ୍ତିର ସମୟରେ ଆତଙ୍କର ଛିଟା ପଡ଼ିଯାଇ ସେ ଦିନଟି ମୋର ଅସ୍ଥିରତାରେ କଟିଲା।
ଏଥିରୁ ଅନୁମାନ କରାଯାଇ ପାରେ ଯେ କେତେ ଅସ୍ଥିରତା ଅନିଶ୍ଚିତତା ଓ ଅସ୍ୱାଭାବିକ ବାତାବରଣ ଭିତରେ ଆମେ ବଞ୍ଚୁଛେ।
ପ୍ରତି ମୁହୂର୍ତ୍ତରେ ଆତଙ୍କର ବାତାବରଣ। କାଶ୍ମୀର ପହଲଗାମରେ ଘଟିଥିବା ଅମାନୁଷିକ ଘଟଣା ହେଉ ବା ସାତ ବର୍ଷର ନାବାଳିକାକୁ ଗଣ ବଳାତ୍କାର ହେଉ ଅଥବା ଶିଶୁ ଅପହରଣର ଘଟଣାରେ ସକାଳ ଆରମ୍ଭ ହେଉ। ଦିନ ତମାମ ବିଭିନ୍ନ ଘଟଣାମାନ ମନ ହୃଦୟକୁ କୋହ ଦୁଃଖ କ୍ଷୋଭରେ ଆନ୍ଦୋଳିତ କରି ରଖୁଛି।
କିଛି କରି ନ ପାରିବାର ଅସହାୟତା ନିକୁଟି ହସୁଛି। କାନ୍ଦିଲେ ବି ଲୁହ ବାହରୁନି। କେବଳ ଅନ୍ତରର ଆର୍ତ୍ତନାଦ ହାହାକାରର ପ୍ରତିଧ୍ଵନି।
ଚାରିଆଡ଼େ ଆତଙ୍କିତ ପରିବେଶ।
ଘର ଭିତରେ ଶିଶୁ ଅସୁରକ୍ଷିତ, ପରିବାରରେ ବୃଦ୍ଧ ପିତାମାତା ଅସହାୟ, ବିଦ୍ୟାଳୟରେ ଛାତ୍ରଛାତ୍ରୀ, ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ, ବିଦେଶରେ ବିଦେଶୀ, ଜଙ୍ଗଲରେ ପଶୁପକ୍ଷୀ, ଏମିତିକି ଜଳ ଜମି ଜଙ୍ଗଲ ଖଣି ପରି ପ୍ରାକୃତିକ ସମ୍ପଦ ସବୁ କିଛି ଅସୁରକ୍ଷିତ।
ଏଥିପାଇଁ ଆମ ବ୍ୟବସ୍ଥା, ସରକାର, ନେତୃତ୍ୱ, ନିର୍ଦ୍ଦିଷ୍ଟ ବ୍ୟକ୍ତି, ସମ୍ପ୍ରଦାୟ, ଧର୍ମ ନା ମାନସିକତା କିଏ ଦାୟୀ?
ଏ ସବୁର ସମୂହ ହିଁ ଆମେ। ପ୍ରତ୍ୟକ୍ଷ ଭାବେ ଆମେ ହିଁ ଦାୟୀ। ଆମର ବୁଦ୍ଧି ବିବେକ ଧର୍ମ କର୍ମ ସବୁକିଛି ଲୋଭର ବଶବର୍ତ୍ତୀ ହୋଇ ପ୍ରତିଯୋଗିତା ମୂଳକ ବାତାବରଣ ଭିତରେ ହିଂସା, ଦ୍ୱେଷ, ଘୃଣା ପରଶ୍ରୀକାତରତା ଓ ଅସହିଷ୍ଣୁତା ପରି ଅମାନବୀୟ ଗୁଣଗୁଡ଼ିକୁ ପାଳିପୋଷି ବଡ଼ କରୁଛୁ।
ଆଜି ସମଗ୍ର ବିଶ୍ୱରେ ଏକ ଅଦୃଶ୍ୟ ଭୟ ଓ ଅସ୍ଥିରତା ଆମ ସମସ୍ତଙ୍କୁ ଘେରି ରଖିଛି। ଏହି ଆତଙ୍କ କେବଳ ଯୁଦ୍ଧ, ବିସ୍ଫୋରଣ କିମ୍ବା ଆତଙ୍କବାଦ ଦ୍ୱାରା ସୀମିତ ନୁହେଁ, ବରଂ ଏହା ଆମ ଦୈନନ୍ଦିନ ଜୀବନର ଅନେକ ଦିଗକୁ ଆବୃତ୍ତ କରିଛି। ଏକ ନୂତନ ପ୍ରକାରର ଯୁଗ ଆମେ ଅନୁଭବ କରୁଛୁ, ଯେଉଁଠାରେ ଆମର ଚିନ୍ତା, ଆଚରଣ ଏବଂ ଆଶା, ନିରାଶା ଗୁଡ଼ିକୁ ନିୟନ୍ତ୍ରଣ କରୁଛି ଆତଙ୍କର ଏକ ଅଦୃଶ୍ୟ ଜାଲ।
ଏହି ଆତଙ୍କ ରୂପ ଅନେକ ପ୍ରକାରର - ରାଜନୈତିକ ଅସ୍ଥିରତା, ଆନ୍ତର୍ଜାତିକ ଦ୍ୱନ୍ଦ୍ୱ, ସାମ୍ପ୍ରଦାୟିକ ଦଙ୍ଗା, ସାଂସ୍କୃତିକ ଅବକ୍ଷୟ, ପରିବେଶ ଧ୍ଵଂସ, ରୋଗ ବା ମହାମାରୀ ଏବଂ ନୈତିକ ଅଧୋପତନ ଇତ୍ୟାଦି ଆଧାରରେ ଏବେ ଏମିତି ଏକ ପରିବେଶ ରୂପାୟିତ ହୋଇଛି ଯେଉଁଠାରେ ମନୁଷ୍ୟକୁ ମାନବିକତା ଭୁଲି ଆତ୍ମରକ୍ଷା ପାଇଁ ପ୍ରସ୍ତୁତ ହେଵାକୁ ପଡୁଛି। ‘ଆପେ ବଞ୍ଚିଲେ ବାପାର ନାଆଁ’ ପରି ସ୍ୱାର୍ଥକୁ ଆପଣାଇବାକୁ ବାଧ୍ୟ ହେଉଛୁ।
ଅନେକ ଦେଶରେ ଆତଙ୍କବାଦ ଏବଂ ଯୁଦ୍ଧ ଶାଗୁଣା ପରି ପଞ୍ଝା ମେଲାଇ ବସିଛି। ଭାରତର କଶ୍ମୀର, ଇଜରାଏଲ-ପାଲେଷ୍ଟାଇନ, ୟୁକ୍ରେନ-ରୁଷିଆ, ସୁଦାନ, ଆଫଗାନିସ୍ତାନ, ଏମିତି ଅନେକ ଦେଶ ଆଜି ଆତଙ୍କ ଓ ଅସୁରକ୍ଷାର ବଳୟ ମଧ୍ୟରେ କଲବଲ।
ଏହି ଘଟଣାଗୁଡିକ କେବଳ ସେଠାରେ ଥିବା ଲୋକମାନଙ୍କ ପାଇଁ ନୁହେଁ, ବିଶ୍ୱ ଜନତାର ମନରେ ମଧ୍ୟ ଆତଙ୍କ, ଭୟ ଓ ଅସନ୍ତୁଷ୍ଟିର କାରଣ।
ଅନ୍ୟ ଏକ ଆତଙ୍କ ହେଉଛି ପ୍ରକୃତିର ଧ୍ୱଂସଲୀଳା। ବ୍ୟାପକ ବୃକ୍ଷ ଛେଦନ, ଜଙ୍ଗଲର ବିନାଶ, ପ୍ରଚୁର ଗ୍ରୀନ ହାଉସ୍ ଗ୍ୟାସ ନିର୍ଗମନ, ଗ୍ଳୋବାଲ ଓର୍ମିଂ, ରାସାୟନିକ ଦୂଷଣ ଆଦିର କୁପରିମାଣ ଯୋଗୁ ଆମ ପୃଥିବୀ ଧୀରେ ଧୀରେ ଉଜୁଡ଼ି ଯିବାକୁ ବସିଲାଣି। ଚାଷୀ, ଶ୍ରମିକ ଓ ସାଧାରଣ ମଣିଷ ସମସ୍ତେ ପରିବେଶ ଅବନତିର ପ୍ରତିକୂଳ ପ୍ରଭାବରେ ଅପ୍ରାକୃତିକ ଜୀବନ ବଞ୍ଚିବାକୁ ବାଧ୍ୟ।
ଆଜି ବୁଝି ସାରିଛୁ ଯେ, ପ୍ରକୃତି ବିନା ମଣିଷର ଅସ୍ତିତ୍ୱ ସମ୍ଭବ ନୁହେଁ, ତଥାପି ଆମ ଲୋଭର କାରଣରୁ ଆମ ପୃଥିବୀ ଧ୍ଵଂସ ପଥରେ ଏବଂ ଆମେ ଅସ୍ୱାଭାବିକ ଓ ଅସମୟର ମୃତ୍ୟୁ ପଥରେ ଅଗ୍ରସର।
କୋଭିଡ-୧୯ ପରି ମହାମାରୀ ଆମକୁ ଏହି ଆତଙ୍କିତ ପରିବେଶର ଏକ ଭୟାବହ ଦୃଶ୍ୟ ଦେଖାଇ ଦେଲା। ଲୋକ ଘର ବନ୍ଦ କରି ରହିଲେ, ଭୟରେ ନିଜ ପରିବାରକୁ ଅଲଗା କରି ରଖିଲେ, ଜନଜୀବନ ଅବରୁଦ୍ଧ ହେଲା। ଲକ୍ଷଲକ୍ଷ ଅକାରଣ ଓ ଅସମୟ ମୃତ୍ୟ ହେଲା ଓ ହଜାର ହଜାର ପରିବାର ରାଜରାସ୍ତାକୁ ଚାଲି ଆସିଲେ। ଏହି ଆତଙ୍କ ଆମ ସାମାଜିକ ସଂଗଠନର ଦୃଢ଼ତାକୁ ମଧ୍ୟ ପରୀକ୍ଷା କଲା।
ଏହି ଅଭିଜ୍ଞତା ଆମକୁ ଶିଖାଇଲା ଯେ, ‘ଯଦି ମୁଁ ବଞ୍ଚେ ତାହେଲେ ତୁମେ ବଞ୍ଚିବ - ଏହା ନୁହେଁ, ବରଂ ସମସ୍ତେ ବଞ୍ଚିଲେ ହେଲେ ଆମେ ବଞ୍ଚିବା’।
ଅନ୍ୟ ଏକ ଅଦୃଶ୍ୟ ଆତଙ୍କ ହେଉଛି ମାନସିକ ଚାପ, ଦୁଃଖ, ଏକାକିତ୍ୱ ଓ ଆତ୍ମହନନ ପ୍ରବଣତା। ଆଧୁନିକ ବିଶ୍ୱ ଏକ ଗତିଶୀଳ ମାନସିକ ଅନିଶ୍ଚିତତାର ସମୁଦ୍ର। ଯୁବପିଢ଼ି ଅନିର୍ଦ୍ଦିଷ୍ଟ ଅପେକ୍ଷା, ସଫଳତା ଓ ବିଫଳତା ଉଭୟର ଚାପ, ଭବିଷ୍ୟତ ଭୟ ଓ ସଂଘର୍ଷ ମଧ୍ୟରେ ବଞ୍ଚିବାକୁ ବିବଶ।
ରାଜନୈତିକ ଓ ଧାର୍ମିକ ବିଭେଦ ଯୋଗୁ ଭିନ୍ନଭିନ୍ନ ମତ ଓ ଧର୍ମ ବିଷୟରେ ଅସହିଷ୍ଣୁତା, ଦଳୀୟ ରାଜନୀତିର ଅନ୍ଧଧାରା ଓ ମନ୍ତ୍ରଣା, ଘୃଣା ଓ ଆନ୍ତରିକ ବିଭାଜନକୁ ବଢ଼ାଇ ଦେଉଛି। ଏହି ଆତଙ୍କ ସାଧାରଣ ମଣିଷଙ୍କ ମନରେ ନିଜ ଅସ୍ତିତ୍ୱ ପାଇଁ ଭୟ ଜନ୍ମାଉଛି। ଧର୍ମର ନାଁରେ ହେଉଛି ହତ୍ୟା, ଦଳ ନାଁରେ ହେଉଛି ଦଙ୍ଗା। ଯାହା ଆମକୁ ମାନବତାର ନିମ୍ନତମ ସୀମାକୁ ନେଇଯାଉଛି।
ଆଧୁନିକ ଯୁଗରେ ମିଡିଆ ଓ ସୋସିଆଲ ମିଡିଆ ଦ୍ୱାରା ଆତଙ୍କର ବାତାବରଣ ସୃଷ୍ଟି କରାଯାଉଛି। ସେଥିରୁ ମୁକୁଳିବା ପାଇଁ ସଚେତନ ତଥ୍ୟ ଖୋଜିବା, ଭୁଲ୍ ତଥ୍ୟକୁ ସେୟାର ନ କରିବା ବା ରୋକିବା ଅତ୍ୟନ୍ତ ଜରୁରୀ।
ପଥ ଖୋଜିବା ଦରକାର ।
ଆତଙ୍କ ଏକ ଅଜ୍ଞତା ଓ ଭ୍ରାନ୍ତିର ଫଳ। ଏହି ଆତଙ୍କର ବାତାବରଣରୁ ମୁକୁଳିବା ପାଇଁ ମନୁଷ୍ୟଙ୍କୁ କେବଳ ବାହ୍ୟ ଉପାୟ ନୁହେଁ, ଅନ୍ତର୍ନିହିତ ଶକ୍ତି ଓ ଜ୍ଞାନକୁ ମଧ୍ୟ ଜାଗୃତ କରିବା ଦରକାର। କାରଣ ଆତଙ୍କର ବାତାବରଣରେ ମନୁଷ୍ୟ ଆତ୍ମବିଶ୍ୱାସ ହରାଏ। ଆମର ଅନ୍ତର୍ଦୃଷ୍ଟି ଓ ମାନବତାର ପଥ ଆମକୁ ଏଥିରୁ ମୁକ୍ତ ରହିବା ଶିଖାଏ।
ଆବଶ୍ୟକ ସ୍ଥଳେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଯୁଦ୍ଧ ଅସ୍ତ୍ରଶସ୍ତ୍ର ଓ କଠୋର ଶାସନର ସାହାଯ୍ୟ ନିଆ ଯାଇପାରେ, କିନ୍ତୁ ତାହା ସାମୟିକ। ଏହାର ମୂଳ ଉତ୍ପାଡନ କରିବାକୁ ହେଲେ ସଠିକ୍ ତଥ୍ୟ ଜ୍ଞାନ, ଶିକ୍ଷା, ସଂସ୍କାର,ସଚେତନତା, ଆତ୍ମସଂଯମ, କ୍ରୋଧ ଓ ଲୋଭ ଉପରେ ନିୟନ୍ତ୍ରଣ, ମାନବିକତା ଓ ସମ୍ବେଦନଶୀଳତାର ଆବଶ୍ୟକତା ରହିଛି।
ପ୍ରଥମେ ଶିକ୍ଷା ଓ ସଚେତନତା ଆମକୁ ଭ୍ରାନ୍ତ ତଥ୍ୟରୁ ରକ୍ଷା କରିଥାଏ। ଦ୍ୱିତୀୟତଃ ଧ୍ୟାନ, ଯୋଗ ଓ ଆତ୍ମଚିନ୍ତନ ଦ୍ୱାରା ଆମେ ଆତ୍ମସାମ୍ୟ ବଜାୟ ରଖିପାରିବା। ସମ୍ବେଦନ , ସମବେଦନା ଓ ଏକତା ଦ୍ୱାରା ଆମେ ସମାଜରେ ବିଶ୍ୱାସ ଓ ନୀତି ଗଢ଼ିପାରିବା। ଏଥିପାଇଁ ମାନବତା ହିଁ ପ୍ରକୃତ ଧର୍ମ ହେବା ଦରକାର, ଯାହା ଘୃଣା ନୁହେଁ ସଦଭାବ ଆଣେ। ଉପଯୁକ୍ତ ନେତୃତ୍ୱ ଓ ପ୍ରେରଣାଦାୟୀ ବ୍ୟକ୍ତିତ୍ଵଙ୍କ ଜୀବନ କାହାଣୀ ମାନସିକ ଶକ୍ତି ଦେଇଥାଏ। ଏଭଳି ଉପାୟ ଦ୍ୱାରା ଆମେ ଆତଙ୍କର ଅନ୍ଧକାରକୁ ଭେଦି, ଏକ ଆଲୋକମୟ ଓ ଶାନ୍ତିପୂର୍ଣ୍ଣ ସମାଜ ଗଢ଼ିପାରିବା।
ଆମେ ଯେତେବେଳେ ଆତଙ୍କ ଉପରେ ଜ୍ଞାନର ଆଲୋକ ବିତରଣ କରି ପାରିବୁ, ମାନବ ମନରେ ଆଶା ଓ ଶାନ୍ତିର ଆଲୋକ ଆସିବ। ସେଠାରୁ ଆମକୁ ଦିଗ୍ ଦର୍ଶନ ମିଳିପାରିବ।
ସମାଜରେ ମନୁଷ୍ୟ ମଧ୍ୟରେ ବିଶ୍ୱାସ, ସମବେଦନା ଓ ଏକତା ଗଢି ଉଠିଲେ, ବିଭେଦ, ଘୃଣା, ଅନ୍ୟାୟ ଓ ହିଂସା ହ୍ରାସ ପାଏ ଯାହା ଆତଙ୍କର ମୂଳ କାରଣ ଅଟେ।
ଆସନ୍ତୁ, ଏହି ଆତଙ୍କ ଅନ୍ଧକାରକୁ ମୁକାବିଲା କରିବାକୁ ଆମ ଅନ୍ତରରେ ଆଲୋକର ଦୀପ ଜଳାଇବା। ଏକ ସୁସ୍ଥ, ନିରାପଦ ଓ ଶାନ୍ତିମୟ ପୃଥିବୀ ତିଆରି କରିବା ପାଇଁ ଆମ ସମସ୍ତଙ୍କ ଦାୟିତ୍ୱ ଅଛି। ମୁଁ ନୁହେଁ ଆମେ ହୋଇ ସଙ୍ଗଠିତ ହେବା ଆତଙ୍କ ବିରୁଦ୍ଧରେ ଲଢ଼ିବା। ଆତଙ୍କ ପାଇଁ ଆତଙ୍କିତ ନ ହୋଇ ସାହାସର ସହିତ ପଥ ଖୋଜିବା।
ଫୋ- ୯୪୩୮୨୭୨୧୫୨
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।