Representative Image Photograph: (Internet)
ପଞ୍ଚାନନ କାନୁନଗୋ
୧୯୯୫-୯୬ ମସିହାରେ ବିଦ୍ୟୁତ୍ ସଂସ୍କାର ବ୍ୟବସ୍ଥା ଓଡ଼ିଶାରେ ପ୍ରଥମେ ଲାଗୁହେଲା ଓ ପରବର୍ତ୍ତୀ ଅବସ୍ଥାରେ ୨୦୦୩ରେ ଏ ସମ୍ପର୍କରେ ଏକ ରାଷ୍ଟ୍ରୀୟ ଆଇନ ପ୍ରଣୟନ ହେଲା। ଏ ବ୍ୟବସ୍ଥା ଲାଗୁ ହେଲାବେଳେ ସାଧାରଣ ଜନତାଙ୍କର ଅନେକ ଆଶା ଥିଲା ଯେ, ସେମାନେ ଗୁଣାତ୍ମକ, ନିରବଚ୍ଛିନ୍ନ ଓ ସୁବିଧା ମୂଲ୍ୟର ବିଦ୍ୟୁତ୍ ପାଇବେ। ଏଥିସହିତ ମଧ୍ୟ ଉପଭୋକ୍ତାମାନେ ଆଶା ରଖିଥିଲେ ସମ୍ବିଧାନର ଧାରା ୨୧ ଅନୁସାରେ ଏକ ସୁସ୍ଥ ଜୀବନଯାପନ ପାଇଁ ବିଦ୍ୟୁତ୍ ବ୍ୟବହାର ଏକ ମୌଳିକ ଅଧିକାର ଭାବେ ସାବ୍ୟସ୍ତ ହେବ। ତାହା ହେଲା ନାହିଁ ବରଂ ଶୋଷଣର ଶିକାର ହେବାର ବ୍ୟବସ୍ଥା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଲା।
ଗତ କିଛିଦିନ ହେବ ବିଦ୍ୟୁତ୍ ବିତରକ କମ୍ପାନୀ ଟାଟା ପାୱାର ଦ୍ୱାରା ଘୋଷିତ ଅତିରିକ୍ତ ସିକ୍ୟୁରିଟି ଅର୍ଥ ଦାବିକୁ ନେଇ ସମଗ୍ର ଉପଭୋକ୍ତା ମହଲରେ ପ୍ରତିବାଦର ସ୍ୱର ଉଠିଛି। ଏ ପ୍ରକାର ଅତିରିକ୍ତ ଅର୍ଥ ଦାବି ପଛରେ ବିଦ୍ୟୁତ୍ ଆଇନ୍ ୨୦୦୩ ଓ ରେଗ୍ୟୁଲେସନ୍ରି ସମର୍ଥନ ରହିଛି ବୋଲି ଟାଟା କମ୍ପାନୀର କର୍ତ୍ତୃପକ୍ଷ କୈଫତ୍ ଦେଇ ଚାଲିଛନ୍ତି। ଉପଭୋକ୍ତାମାନେ ଜାଣନ୍ତି ନାହିଁ ଏହି ଆଇନ୍ କାର୍ଯ୍ୟକାରୀ କଲାବେଳେ ତାହା ସରକାର ବା ଆୟୋଗ ମୁଖ୍ୟଙ୍କ ନଜରକୁ ଆସିଛି କି ନାହିଁ ଏବଂ ଏହା ପଛରେ ସେମାନଙ୍କର ସ୍ୱୀକୃତି ଅଛି କି ନାହିଁ। ସେ କେବଳ ଏତିକି ବୁଝିଛନ୍ତି ଯେ, ସଂସ୍କାର ହେବା ଦିନଠାରୁ ବର୍ଦ୍ଧିତ ବିଦ୍ୟୁତ୍ ଦର ବାରମ୍ବାର ଦେଇ ଆଇଛନ୍ତି ଏବଂ ପ୍ରତିବର୍ଷ ଏହି ଦର ବୃଦ୍ଧି ଘଟିଥାଏ। ଅଳ୍ପ କେତୋଟି ବର୍ଷ ଉପଭୋକ୍ତା ମହାସଂଘର ଦାବି ଫଳରେ ଏହି ଦର ବୃଦ୍ଧି ପ୍ରାୟତଃ ଘଟିନଥିଲା।
ଦର ବୃଦ୍ଧି ସମ୍ପର୍କରେ ପ୍ରତିବାଦ କଲାବେଳେ ଯୁକ୍ତି ହେଉଥିଲା ଯେ, ଏହି ଟାରିଫ୍ ଧାର୍ଯ୍ୟ ଆଇନ୍ ଅନୁସାରେ ରେଗ୍ୟୁଲେଟାରୀ କମିସନ୍ କରିଛନ୍ତି। ଏହାର ଅନ୍ୟ ଏକ କୈଫତି୍ ଥିଲା, ରାଜ୍ୟରେ ବିଦ୍ୟୁତ୍ ବ୍ୟବହାର ବେଳେ ଅନେକ ବିଦ୍ୟୁତ୍ ଶକ୍ତି କ୍ଷୟ ହେଉଛି (ଟ୍ରାନ୍ସମିସନ୍ ଲସ୍) ଏବଂ ବିଦ୍ୟୁତ୍ ଚୋରୀ ହେଉଛି। ସେହି କାରଣରୁ କ୍ଷତି ଜନିତର ବଡ଼ ଅଂଶ ସଚ୍ଚୋଟ ଉପଭୋକ୍ତାମାନଙ୍କ ଉପରେ ଧାର୍ଯ୍ୟ କରାଯାଉଥିଲା। ଏଣୁ ଟାରିଫ୍ ନିର୍ଣ୍ଣୟ ବେଳେ ସମସ୍ତ ସଚ୍ଚା ଉପଭୋକ୍ତାମାନେ ପିଟୁଣୀ କର ପରି ଏହି ବର୍ଦ୍ଧିତ ଦରକୁ ଗ୍ରହଣ କରିନେଉଥିଲେ। ବିଦ୍ୟୁତ୍ କର ଧାର୍ଯ୍ୟ ବେଳେ ବିଭିନ୍ନ ସ୍ତର ରଖାଯାଇ କିଛି ଉପଭୋକ୍ତାଙ୍କୁ ରିହାତି ଦିଆଯାଉଥିଲା। ସେମାନଙ୍କ ସଂଖ୍ୟା ହୁଏତ ଅଧିକ ହୋଇପାରେ। କିନ୍ତୁ ମୋଟାମୋଟି ଭାବରେ ଦେଖିଲେ ପ୍ରତ୍ୟେକ ଉପଭୋକ୍ତା ୟୁନିଟ୍ ପିଛା ଯେଉଁ ଧାର୍ଯ୍ୟ ଦରକୁ ସ୍ୱୀକାର କରିନେଉଥିଲେ ତାହା ଖୁବ୍ ଅଧିକ ଥିଲା। ରାଜ୍ୟଟି କୋଇଲା, ପାଣି ଯୋଗାଇ ବିଦ୍ୟୁତ୍ ଉତ୍ପାଦନ କରୁଥିଲା ଏବଂ ଏଥିଜନିତ ସମସ୍ତ ପ୍ରଦୂଷଣର ମଧ୍ୟ ଶିକାର ହେଉଥିଲା। ତଥାପି ବିଦ୍ୟୁତ୍ ବ୍ୟବହାର ପାଇଁ ଥିବା ବ୍ୟଗ୍ରତା ହେତୁ ଏସବୁ ସହ୍ୟ କରିନେଉଥିଲା।
ଅନେକ କ୍ଷେତ୍ରରେ ଏହି ବିଦ୍ୟୁତ୍ ଦର ସହିତ ଅନ୍ୟ କେତେକ ଶୁଳ୍କ ବାବଦ ପଇସା ଉପଭୋକ୍ତାମାନଙ୍କ ଠାରୁ ଆଦାୟ କରାଯାଉଥିଲା। ସେଥିମଧ୍ୟରେ ସରକାର ନେଉଥିବା ଏକ ଶୁଳ୍କ (ଇଡ଼ି) ଓ ମିନିମମ୍ ଫିକ୍ସଡ୍ ଏନର୍ଜି ଚାର୍ଜେସ୍ ବାବଦରେ କିଲୋୱାଟ୍ ପିଛା ୨୦ଟଙ୍କା ହାରରେ ଉପଭୋକ୍ତାମାନଙ୍କ ଠାରୁ ନିଆଯାଇଥାଏ। ଯେଉଁମାନେ ୪ କିଲୋୱାଟ୍ ୫ କିଲୋୱାଟ୍ ବ୍ୟବହାର କରନ୍ତି, ସେମାନେ ଏହି ହାରରେ ୮୦ ଟଙ୍କା ବା ୧୦୦ ଟଙ୍କା ମାସିକ ଦେଇଥାନ୍ତି। ଅଧିକନ୍ତୁ, ବିଦ୍ୟୁତ୍ ମାପକ ମିଟର୍ କମ୍ପାନୀମାନେ ବସାଇ ଉପଭୋକ୍ତାମାନଙ୍କ ଠାରୁ ସେ ବାବଦରେ ପ୍ରଚୁର ଅର୍ଥ ନେଇଥାନ୍ତି। କେତେବେଳେ ଚାଇନା ମିଟର୍, କେତେବେଳେ କମ୍ପାନୀ ଦ୍ୱାରା ପରୀକ୍ଷିତ ମିଟର୍ ବସାଇ ୧୨ ହଜାର ଟଙ୍କା ମୂଲ୍ୟର ମିଟର୍କୁର ୧୮ ହଜାର୍ ଟଙ୍କାରେ ଉପଭୋକ୍ତାଙ୍କୁ ବିକ୍ରି କରିଥାନ୍ତି ଏବଂ ଏହି ବାବଦ ଅର୍ଥ ପ୍ରତିମାସରେ ବିଲ୍ ସହିତ ଯୋଡ଼ା ହୋଇ ରହିଥାଏ।
ସବୁଠାରୁ ବଡ଼ ପରିତାପର ବିଷୟ ହେଉଛି ଏ ବାବଦ ପଇସା ଉପଭୋକ୍ତା ପଇଠ କରିଥିଲେ ମଧ୍ୟ ତାହା ଲଗାତର ଭାବେ ଚାଲିଥାଏ। ଅନେକ ଉପଭୋକ୍ତାଙ୍କ ଅଜାଣତରେ ବହୁଦିନ ଧରି ଅଯଥା ଓ ଅନ୍ୟାୟ ଭାବରେ ଟଙ୍କା ଶୋଷି ନିଆଯାଇଥାଏ। ଅନେକ ସମୟରେ ବିଦ୍ୟୁତ୍ କାଟ ହେବା ବା ବାତ୍ୟା ବନ୍ୟା ଜନିତ ଦୁର୍ବିପାକ ହେତୁ ଅନେକ ଦିନ, ଅନେକ ମାସ ଧରି ବିଦ୍ୟୁତ୍ ସରବରାହ ବନ୍ଦ ରହିବା ପରେ ମଧ୍ୟ ଉପଭୋକ୍ତାମାନଙ୍କ ଠାରୁ ସେ ସମୟର ପଇସା ଗୋଟିଏ ମୋଟାମୋଟି ହିସାବରେ ଯୋଡ଼ି ଦିଆଯାଇଥାଏ। ଏହିପରି ଅନେକ ଭାବରେ ବିତରଣକାରୀ କମ୍ପାନୀ ଉପଭୋକ୍ତାଙ୍କ ଠାରୁ ଅର୍ଥ ଶୋଷଣ କରିବାରେ ଲାଗି ଆସିଛନ୍ତି।
ଅଧିକନ୍ତୁ, ଜଣେ ଆଗ୍ରହୀ ଉପଭୋକ୍ତା ଘରକୁ ଲାଇନ୍ ନେବାପାଇଁ ହେଲେ ଖୁଣ୍ଟ ଓ ତାରର ଖର୍ଚ୍ଚ ତାକୁ ହିଁ ଭରଣା କରିବାକୁ ହୋଇଥାଏ। ନିଜ ରାଜ୍ୟର ଉତ୍ପାଦିତ ବିଦ୍ୟୁତ୍ ନିଜ ଖର୍ଚ୍ଚରେ ଘରକୁ ନେଇ ଅଧିକ ଅର୍ଥ ଦେଇ ଚାଲିଛି ଏ ରାଜ୍ୟର ଉପଭୋକ୍ତା। ଅଥଚ ବିତରକ କମ୍ପାନୀମାନେ ବିଦ୍ୟୁତ୍ କାଟର ଧମକ ଓ ବିଦ୍ୟୁତ୍ ଆଇନ୍ରି ଆଳ ଦେଖାଇ ଉପଭୋକ୍ତାମାନଙ୍କର ଯଥାର୍ଥ ଦାବି ପ୍ରତି ପୂରାପୂରି ଚାପି ଦେଇ ଆସିଛନ୍ତି। ଏଥିସହିତ ଉପଭୋକ୍ତାମାନଙ୍କ ଠାରୁ ଗୋଟିଏ ମୋଟାଅଙ୍କର ସିକ୍ୟୁରିଟି ଡିପୋଜିଟ୍ ନିଆଯାଇଥାଏ। ଏହି ସିକ୍ୟୁରିଟି ଧାର୍ଯ୍ୟ କଲାବେଳେ ଦୁଇ ମାସର ହାରାହାରି ମୂଲ୍ୟକୁ ନେଇ ଧାର୍ଯ୍ୟ କରାଯାଇଥାଏ। ଏହି ଦୁଇ ମାସଟି ବିତରକ କମ୍ପାନୀର ଦ୍ୱାରା ନିର୍ମିତ ଦୁଇଟି ମାସ ଏହା ହୁଏତ ଉପଭୋକ୍ତା ବ୍ୟବହାର କରୁଥିବା ସବୁଠାରୁ ଅଧିକ ଲଗାତର ମାସ ଦୁଇଟି ହୋଇପାରେ। ଅନେକ ରାଜ୍ୟରେ ଏହା ଚାରି ମାସ କରାଯାଇ ଦର ଧାର୍ଯ୍ୟ ହୋଇଥାଏ। ଯଦ୍ୱାରା ଅଧିକ ବ୍ୟବହାର କରାଯାଉଥିବା ମାସର ଚାପ ଉପଭୋକ୍ତାଙ୍କ ଉପରେ ପଡ଼ିବାର ସମ୍ଭାବନା କମ୍ ଥାଏ।
ଏ ବାବଦରେ ଆଦାୟ ହେଉଥିବା ଅର୍ଥ କମ୍ପାନୀ ନାମରେ ଡିପୋଜିଟ୍ ହୁଏ ଏବଂ ଏହାର ବାର୍ଷିକ ସୁଧହାର ୬.୫ ରଖାଯାଇଛି। ବିଦ୍ୟୁତ୍ ଆଇନର ଧାରା ୪୭ ଅନୁସାରେ ରଖାଯାଇଥିବା ସିକ୍ୟୁରିଟିର ସୁଧ ଉପଭୋକ୍ତାଙ୍କୁ ଫେରସ୍ତ ଦେବାର ବ୍ୟବସ୍ଥା ରହିଛି। ଫେରସ୍ତ ମେ ବା ଜୁନ୍ ମାସରେ ଦିଆଯାଉଥିବା ବିଲରେ ରଖାଯାଇଥିବାର ସୂଚନା ବିତରକ କମ୍ପାନୀ ଦେଇଥାନ୍ତି। ହେଲେ ଉପଭୋକ୍ତା ଏହା କେବେ ବି ପାଇଥିବାର ଜଣାନାହିଁ। ଏସବୁକୁ ରେଗ୍ୟୁଲେଟାରୀ କମିସନ୍ ଯାଞ୍ଚ କରି ଉପଭୋକ୍ତାଙ୍କୁ ନ୍ୟାୟ ଦେବାର ବ୍ୟବସ୍ଥାଟି କେଉଁଠି ଦେଖିବାକୁ ମିଳେନାହିଁ।
ଏଥିସହିତ ଆଇନ୍ରକ ଧାରା ୪୮ ଅନୁସାରେ ଏକ ଅତିରିକ୍ତ ସିକ୍ୟୁରିଟି ଦାବି କରିବା ବ୍ୟବସ୍ଥାକୁ ବିତରକ କମ୍ପାନୀ ଉପଭୋକ୍ତାମାନଙ୍କ ଉପରେ ଚାପି ଦେଇଛି। ଏ ବାବଦ ଅର୍ଥ ପୈଠ ନକଲେ ଉପଭୋକ୍ତାମାନଙ୍କର ଘରର ବିଦ୍ୟୁତ୍ କାଟି ଦିଆଯିବ ଓ ପେନାଲିଟି ସହିତ ଅନ୍ୟାନ୍ୟ ଦଣ୍ଡର ଧମକ ଦେଇ ଟାଟା ଏହା ଆଦାୟ କରିବାର ଅପକୌଶଳଟି ଅବଲମ୍ବନ କରିଛି। ବହୁ ଉପଭୋକ୍ତା ଭୟ ଓ ସମୟର ଅପଚୟକୁ ନଜରରେ ରଖି ଏପରି ଦାବି ସ୍ୱୀକାର କରିନେଇଥାନ୍ତି ଓ ଅର୍ଥ ପୈଠ କରିଥାନ୍ତି। ଆଇନ୍ ଭିତରେ ବ୍ୟବସ୍ଥାଟିଏ ଅଛି, ଯଦି ଲୋଡ୍ ଫ୍ୟାକ୍ଟର୍ ବା ଉପଭୋକ୍ତା ବ୍ୟବହାର କରୁଥିବା ବିଦ୍ୟୁତ୍ ଶକ୍ତି କମିଯାଏ ଓ ବିଦ୍ୟୁତ୍ ତାରିଫ୍ ହାର କମିଯାଏ ସେ ବାବଦ ହିସାବ କରାଯାଇ ଉପଭୋକ୍ତାମାନଙ୍କୁ ଅର୍ଥ ଫେରସ୍ତ ଦିଆଯିବ।
ଉପଭୋକ୍ତାମାନଙ୍କର ଅଜ୍ଞତାର ସୁଯୋଗ ନେଇ ଏହି କାର୍ଯ୍ୟଟି ନା କମ୍ପାନୀ କରିଥାଏ, ନା ରେଗ୍ୟୁଲେଟାରୀ କମିଶନ୍ ତଦାରଖ କରିଥାନ୍ତି। ଅନେକ ଭାବରେ ଉପଭୋକ୍ତା ଶୋଷଣ ଶିକାର ହୋଇଛି। ୟୁନିଟ୍ ପିଛା ଦର ହାରାହାରି ୪ ଟଙ୍କା ୧୦ ପଇସାରେ କିଣି ଉପଭୋକ୍ତାମାନଙ୍କୁ ହାରାହାରି ୬ ଟଙ୍କା ୯୦ ପଇସାରେ ବିକ୍ରି କରୁଥିଲେ ମଧ୍ୟ ଉପଭୋକ୍ତାମାନେ ସଂଗଠିତ ହୋଇ ଏହାର ପ୍ରତିବାଦ ନକରି ପାରିବା ଫଳରେ କମ୍ପାନୀ ସେମାନଙ୍କର ପ୍ରଚୁର ଅର୍ଥ ଶୋଷି ନେଇଥାଏ। ପ୍ରାୟତଃ ସମସ୍ତ ବର୍ଗର ଉପଭୋକ୍ତା ଶୋଷଣର ଶିକାର ହେଉଛନ୍ତି। ଏହି ଅର୍ଥ ନେଲାବେଳେ କମ୍ପାନୀ ବାରମ୍ବାର ଆଇନର କଥା ଉଠାଇଥାନ୍ତି। ହେଲେ ସେହି ଆଇନ୍ରଷ ଧାରା ୫୭ ଅନୁସାରେ ତାଙ୍କ ନିଜ ଦାୟିତ୍ୱ ଖିଲାପ କଲେ ଯେଉଁସବୁ କ୍ଷତିପୂରଣ ଦେବାର ବ୍ୟବସ୍ଥା ରହିଛି ତାହା କୋଉଠି କିପରି ଦିଆଯିବା ଦେଖାଯାଇନାହିଁ। କାଁ ଭାଁ କେହି ନାଗରିକ ଅର୍ଥ ଖର୍ଚ୍ଚ କରି ବା ସମୟ ନଷ୍ଟ କରି ଧାଁ ଦୌଡ କଲେ ତାକୁ କିଛି ରିଲିଫ ମିଳିଥାଏ। କିନ୍ତୁ କମ୍ପାନୀ ନିଜ ତରଫରୁ ଏପରି ଘୋଷଣା କରିବାର ନ୍ୟାୟ ସଂଗତ ବ୍ୟବସ୍ଥାଟିକୁ ପ୍ରାୟତଃ ଭୁଲି ଯାଇଥାଏ।
ଏବେ ବିଦ୍ୟୁତ୍ କ୍ଷତି ଓ ଚୋରୀ ବାବଦ ରାଶିର ପରିମାଣ ୪୭ ପ୍ରତିଶତରୁ ୧୭-୧୮ ପ୍ରତିଶତକୁ କମିଯାଇଥିବା କୁହାଯାଉଛି ଓ ବିତରକ କମ୍ପାନୀ ଟାଟାର ଆଦାୟ ପରିମାଣ ଦାବିର ୯୮% ଛୁଇଁଲାଣି। ଏହିସବୁକୁ ଲକ୍ଷ୍ୟକଲେ ବିଦ୍ୟୁତ୍ ଦର କମିବା ଯଥାର୍ଥ ମନେହୁଏ। କିନ୍ତୁ ଟାଟାର ଯୁକ୍ତି ହେଉଛି ଯେ, ସେ କିଣୁଥିବା ମୋଟ୍ ବିଦ୍ୟୁତ୍ ଶକ୍ତିର ଦର ବିକ୍ରେତା ଗ୍ରିଡ଼କୋ ବଢ଼ାଉଥିବାରୁ ସେ ଦର କମାଇବା ପାଇଁ ସମର୍ଥ ହେଉନାହିଁ। ଗ୍ରିଡ଼କୋ ଅନେକ ବର୍ଷ ଧରି କ୍ରୟ ବିକ୍ରୟ ବ୍ୟବସ୍ଥାରେ ଲାଭ କରୁଥିବା ଓ ଲାଭାଂଶ ବହୁ କୋଟି ଟଙ୍କା ସରକାରଙ୍କୁ ଦେଉଥିବା ଦେଖିବାକୁ ମିଳୁଛି। ଅଥଚ ଏକ ସରକାରୀ ସଂସ୍ଥା ହୋଇ ମଧ୍ୟ ସେ କାହିଁକି ଯେ ଏପରି ବାରମ୍ବାର ଦର ବୃଦ୍ଧି କରାଉଛି ତାହା ବୁଝା ପଡୁନାହିଁ। ଆହୁରି ଏକ ଯୁକ୍ତି ହେଉଛି ପରିଚାଳନା ଗତ ଖର୍ଚ୍ଚ ବଢ଼ିଯାଉଛି। ଏହି କ୍ଷେତ୍ରରେ ଯଦି ଅନୁଧ୍ୟାନ କରାଯାଏ, ଦେଖିବାକୁ ମିଳିବ କମ୍ପାନୀ ବହୁତ ବଡ଼ ବଡ଼ ଧବଳ ହସ୍ତୀମାନଙ୍କୁ ବାର୍ଷିକ ଉଚ୍ଚ ହାରର ପ୍ୟାକେଜ୍ ଦେଇ ପୋଷି ଚାଲିଥାନ୍ତି। ସେହି ସବୁ ଅର୍ଥ କ’ଣ ଏହି ସାଧାରଣ ଉପଭୋକ୍ତାମାନଙ୍କ ଠାରୁ ଶୋଷିତ ଅର୍ଥରେ କରାଯିବ?
ଏ ସମସ୍ତକୁ ଲକ୍ଷ୍ୟ କରି ଉପଭୋକ୍ତାମାନଙ୍କ ତରଫରୁ ଦାବି ହେଉଛି ଯେ, ୟୁନିଟ୍ ପିଛା ଦର ଧାର୍ଯ୍ୟ ଦର ଠାରୁ ୭୮ରୁ ୮୦ ପଇସା ମଧ୍ୟରେ କମାଯାଉ। ହିସାବ କଲେ ଏହା ବର୍ତ୍ତମାନ ପରିପ୍ରେକ୍ଷୀରେ ଯଥାର୍ଥ ମନେହୁଏ। ସିକ୍ୟୁରିଟି ଡିପୋଜିଟ୍ ବା ଅତିରିକ୍ତ ସିକ୍ୟୁରିଟି ଡିପୋଜିଟ୍ ନିଆଯିବା ବେଳେ ଉପଭୋକ୍ତାଙ୍କ ଠାରୁ ଗୋଟିଏ ଫିକ୍ସଡ୍ ଏନର୍ଜି ଚାର୍ଜ କିଲୋୱାଟ୍ ପିଛା ୨୦ ଟଙ୍କା ପରିବର୍ତ୍ତେ ରଖାଯାଉ। ଯାହାକି ପ୍ରତ୍ୟେକ ଉପଭୋକ୍ତାଙ୍କ ପାଇଁ ସହଣୀୟ ହେବ। ବିନା କାରଣରେ ଦୈନିକ ହାରାହାରି ୨୪ ମିନିଟ୍ରୁଫ ୩୦ ମିନିଟ୍ ବିଦ୍ୟୁତ୍ କାଟ ବ୍ୟବସ୍ଥାକୁ ହିସାବକୁ ନିଆଯାଇ ଓ ବିଦ୍ୟୁତ୍ କମ୍ପାନୀ ଉପରେ କ୍ଷତିପୂରଣ ବା ଜୋରିମାନା ଆଦାୟ କରାଯାଇ ସଂପୃକ୍ତ ଉପଭୋକ୍ତାମାନଙ୍କୁ ଦିଆଯାଉ।
ଅଥଚ, ସରକାର ଟାଟା କମ୍ପାନୀର ମନମାନୀକୁ ସ୍ୱୀକାର କରିନେଇ ୨ କିଲୋୱାଟ୍ ପର୍ଯ୍ୟନ୍ତ ଉପଭୋକ୍ତାମାନଙ୍କର ମିଟର୍ ଖର୍ଚ୍ଚ ବହନ କରିବା ପାଇଁ ଘୋଷଣା କରିଛନ୍ତି। ଏହା ହେଲେ ରାଜ୍ୟର ୧ କୋଟି ୨୦ ଲକ୍ଷ ଉପଭୋକ୍ତାମାନଙ୍କ ମଧ୍ୟରୁ ୮୭ ଲକ୍ଷ ଉପଭୋକ୍ତାଙ୍କ ପାଇଁ ପ୍ରତ୍ୟେକଙ୍କ ପିଛା ୩୦୦୦ ଟଙ୍କା ହାରରେ ରାଜକୋଷ ବ୍ୟୟ ବରାଦ ହେବ। ଟାଟା କମ୍ପାନୀର ଖର୍ଚ୍ଚାନ୍ତରୁ ରକ୍ଷାପାଇଲା। ରାଜ୍ୟ ରାଜକୋଷରୁ ଟଙ୍କା ଦିଆଗଲା। ଅଥଚ ଦେଶର ଅନେକ ରାଜ୍ୟରେ ୩୦୦ ୟୁନିଟ୍ ପର୍ଯ୍ୟନ୍ତ ବିନା ଶୁଳ୍କରେ ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥାକୁ ଅବା ଚାଷୀମାନେ ବ୍ୟବହାର କରୁଥିବା ସମସ୍ତ ବିଦ୍ୟୁତ୍ ଶକ୍ତିର ଶୁଳ୍କ ଛାଡ଼ ପାଇଁ ସରକାର ଘୋଷଣା କରିଥିଲେ ରାଜ୍ୟରେ ଏକ ବିରାଟ ଉତ୍ପାଦନକାରୀ ସଂସ୍ଥା ଏଥିରୁ ଲାଭ ଉଠାଇଥାନ୍ତେ ଓ ରାଜ୍ୟର ଆର୍ଥୀକ ସ୍ଥିତିର ଉନ୍ନତି ପାଇଁ ଏକ ବଡ଼ ସହଯୋଗ ମିଳିଥାନ୍ତା। ସରକାର ତା’ କଲେ ନାହିଁ।
ରାଜ୍ୟ ଓ ରାଜ୍ୟବାସୀଙ୍କ ସ୍ୱାର୍ଥ ଟାଟାର ସ୍ୱାର୍ଥ ଆଗରେ ଫିକା ପଡ଼ିଗଲା। ଆଶା ଓ ବିଶ୍ୱାସ ସରକାର ଏ ଦିଗଟି ଉପରେ ଏକ ନିଷ୍ପତ୍ତି ତୁରନ୍ତ ନେବେ। ରେଗ୍ୟୁଲେଟାରୀ କମିଶନ୍ ଏକ ଅର୍ଦ୍ଧନ୍ୟାୟିକ ବ୍ୟବସ୍ଥା ହୋଇ ମଧ୍ୟ ବହୁ ଲୋକଙ୍କର ସୁବିଧା ଦୃଷ୍ଟିରୁ ନ୍ୟାୟ ବା ଆଇନ୍ରଶ ଯଦି ବିନିଯୋଗ ନକରନ୍ତି ତେବେ ରାଜ୍ୟବ୍ୟାପୀ ଯେଉଁ ଅସନ୍ତୋଷ ଦେଖାଦେବ ସେଥିରେ ଆଇନ୍ ଅମାନ୍ୟ କରିବା ବା କରାଇବାର ଯଥେଷ୍ଟ ଆଶଙ୍କା ରହିଛି। ଅତୀତରେ ମହାତ୍ମା ଗାନ୍ଧୀଙ୍କର ପ୍ରରୋଚନାରେ ସମଗ୍ର ଭାରତବର୍ଷରେ ଅନେକବାର ଆଇନ୍ ଭଙ୍ଗକାରୀ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରାଯାଇଥିଲା। ଏବେ ସେହି ପ୍ରକାରର ଏକ ବାତାବରଣ ସୃଷ୍ଟି ହେବାର ଦେଖାଗଲାଣି।
ମୋ- ୯୪୩୮୩୬୦୮୪୯
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/12/27/electricity-2025-12-27-14-25-23.jpg)