Advertisment

ଜଗନ୍ନାଥଙ୍କ ନାମରେ ଅପବ୍ୟୟ

‘ଭାଗବତ ଟୁଙ୍ଗୀ’, ‘କାଳିଆ’ ‘ବଳିଆ’ ଆଦି ଯୋଜନା ମୁଖ୍ୟତଃ ଗତ କିଛିବର୍ଷ ତଳେ ସାମନାକୁ ଆସିଛି। ଏହା କେତେଦୂର କାର୍ଯ୍ୟକାରୀ ହେଲା ସେସବୁ ତର୍ଜମା କରିବାର ଆବଶ୍ୟକତା କେହି ଉପଲବ୍ଧି କରି ନାହାନ୍ତି। ପରନ୍ତୁ ଶାସକଙ୍କ ଭୋଟ ପରିମାଣ ବୃଦ୍ଧି ପାଇଛି। ଶାସକ ଉପକୃତ ହେଉଛନ୍ତି। କିନ୍ତୁ ମନେ ରଖିବା ଉଚିତ ଏ ସମସ୍ତ କରଦାତାଙ୍କ ଅର୍ଥର ସଦବିନିଯୋଗ କରାଯାଇ ସେମାନଙ୍କ ଉପକାର ନିମନ୍ତେ ଯୋଜନା ହେବା ଦରକାର। ମାନବ ସେବା ହିଁ ମାଧବ ସେବା।

Lord Jagannath

Lord Jagannath

Advertisment

ଆମ ଜଗନ୍ନାଥ ସମୁଦ୍ର କୂଳରେ ବାସ କରନ୍ତି। ପୁରାଣ କଥା ଅନୁସାରେ ସେ ସମୁଦ୍ରର ଅଧିକାରୀ, ବରୁଣଙ୍କ କନ୍ୟା ମହାଲକ୍ଷ୍ମୀଙ୍କୁ ବିବାହ କରିଛନ୍ତି। ହେଲେ ଶ୍ୱଶୁରଙ୍କୁ ‘ଲୁଣିଆ’ ବୋଲି କହି ସ୍ତ୍ରୀଙ୍କୁ ଅନେକ ସମୟରେ ତାଚ୍ଛଲ୍ୟ କରିଛନ୍ତି। କୃଷ୍ଣ ସ୍ୱଚ୍ଛ ନିର୍ମଳ ଯମୁନା ନଦୀ କୂଳରେ ଅନେକ ସମୟ କଟାଇଥିବା ମଧ୍ୟ ପୁରାଣ ବର୍ଣ୍ଣିତ। ସେହି କୃଷ୍ଣଙ୍କର କଳିଯୁଗ ଜଗନ୍ନାଥ ସ୍ୱଚ୍ଛ, ମଧୁର ଜଳ ଅନ୍ୱେଷଣରେ ରହିବା ସ୍ୱଭାବିକ। ଜଗନ୍ନାଥଙ୍କ ଭକ୍ତମାନେ ଜାଣିପାରିଥିଲେ ପ୍ରଭୁଙ୍କର ‘ଜଳପ୍ରୀତି’। ପୁରୀରେ ଖୋଳା ହୋଇଥିଲା ଅନେକ ବଡ଼ ପୋଖରୀ। ସେଥି ମଧ୍ୟରେ ଥିଲା ଚନ୍ଦନ ପୋଖରୀ। ପ୍ରତିବର୍ଷ ଅସହ୍ୟ ଗ୍ରୀଷ୍ମ ତାତିରୁ ଉଦ୍ଧାର ପାଇଁ ଜଗନ୍ନାଥ ଏହି ଚନ୍ଦନ ପୋଖରୀକୁ ଯାତ୍ରା କରନ୍ତି ଏବଂ ସେଠାରେ ନୌକା ବିହାର କରିବା ଅବା ଚାପ ଖେଳିବାର ପରମ୍ପରା ରହିଛି। ଏହି ପୋଖରୀଟି ମନ୍ଦିର ନିର୍ମାଣ ସମୟରୁ ତା’ର ଉପସ୍ଥିତି ଜାହିର କରିଆସିଛି। ଅନେକ ତୀର୍ଥ ଯାତ୍ରୀଙ୍କୁ ଶୀତଳତା ପ୍ରଦାନ କରିଛି। ପତିତମାନଙ୍କୁ ଶୋଧନ କରି ପବିତ୍ର କରିଛି। ଜଗନ୍ନାଥ ସଂସ୍କୃତିର ଏହା ଅନ୍ୟ ଏକ ଅଂଶଭାବେ ଖ୍ୟାତି ଅର୍ଜନ କରିଛି।

Advertisment

ଏବେ ଘୋଷଣା ହୋଇଛି ରାଜ୍ୟରେ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ରାଜକୋଷରୁ ହଜାର ହଜାର କୋଟି ଟଙ୍କା ବ୍ୟୟ ହେବ ଓ ପ୍ରତି ପଞ୍ଚାୟତକୁ ପଚାଶ ଲକ୍ଷ ଟଙ୍କା ଅର୍ଥାତ୍‍ ପ୍ରତି ଗାଁକୁ ଅତି କମ୍‍ରେ ୧୦ ଲକ୍ଷ ଟଙ୍କା ଦିଆଯିବ। ପଞ୍ଚାୟତ ଅଧିକାରୀମାନେ ଏହା କାର୍ଯ୍ୟକାରୀ କରାଇବେ। ୫-ଟି ମହୋଦୟ ଏହା ଘୋଷଣା କରିଥିବା ଜଣାଯାଏ। ଜଗନ୍ନାଥ ସଂସ୍କୃତିର କେଉଁ ବ୍ୟବସ୍ଥାରେ ଏହି ଅର୍ଥ ବିନିଯୋଗ କରାଯିବ? ତାହା ଜ୍ଞାତ ନୁହେଁ। ଏକଦା ଭାଗବତ ଟୁଙ୍ଗୀ ପ୍ରତି ଗାଁରେ ହେବ ବୋଲି ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଘୋଷଣା ହୋଇଥିଲା। ଏହି ଟୁଙ୍ଗୀ ଉଭୟ ପୁରୁଣା ଓ ନୂଆ ଭାବନେଇ ଗ୍ରାମ୍ୟ ପାଠାଗାର ଓ ଭାଗବତ ଚର୍ଚ୍ଚା କେନ୍ଦ୍ର ହେବ ବୋଲି ପ୍ରଚାରିତ ହୋଇଥିଲା। ୫-ଟି ମହୋଦୟ ଅନୁସନ୍ଧାନ କରି କେବେ ବୁଝିଛନ୍ତି? ଏହି ଟୁଙ୍ଗୀର ପାଠାଗାର କେତେଗୋଟି ଗ୍ରାମରେ ପ୍ରତିଷ୍ଠା ହୋଇଛି ଓ କେଉଁଠି ଭାଗବତ ଚର୍ଚ୍ଚା ହେଉଛି?

ପୁନଶ୍ଚ ଏକ ନୂଆ ଘୋଷଣା। କୋଟି କୋଟି ଟଙ୍କାର ବ୍ୟୟବରାଦ ହୋଇଛି। ଯେଉଁଥିରେ ଓଡ଼ିଶାର ଗାଁଟିଏ ଅତିକମରେ ୧୦ ଲକ୍ଷ ଟଙ୍କା ପାଇବ। ୫-ଟିଙ୍କ ମନକୁ ଛୁଇଁଲା ନାହିଁ ଯେ ରାଜ୍ୟର ଏତେ ବଡ଼ ଅର୍ଥ ରାଜ୍ୟବାସୀଙ୍କର କେଉଁ କାମରେ ଲାଗିବ। ଏବେ ପ୍ରତି ଗାଁରେ ଅନ୍ତତଃ ବର୍ଷକରେ ଛ’ ମାସ ଜଳାଭାବ ସୃଷ୍ଟି ହେଉଛି। ନଈସବୁ ଖରାଦିନେ ଶୁଖିଯାଉଛି। ରାଜା ଜମିଦାରମାନେ ବଡ଼ ବଡ଼ ଜଳଭଣ୍ଡାର, ସାଗର,ବନ୍ଧ, ପୋଖରୀ ଖୋଳାଇଥିଲେ। ସେସବୁ କାଳାତିକ୍ରମେ ପୋତି ହୋଇଗଲାଣି। ଗାଁ ପାଖରେ ଜଳାଶୟଟିଏ ନାହିଁ। ମଣିଷ କେବଳ ନୁହଁନ୍ତି, ପଶୁପକ୍ଷୀ ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି। ଏହି ଦଶ ଲକ୍ଷ ଟଙ୍କା ସାଙ୍ଗରେ ମହାତ୍ମା ଗାନ୍ଧି ନରେଗା କାମକୁ ଜୁଟାଇ ପ୍ରତି ଗାଁରେ ୨୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ବିନିମୟରେ ଗୋଟିଏ ବଡ଼ ପୋଖରୀ ଖୋଳାଯାଇ ପାରିବ। ଏହି ପୋଖରୀର ନାମ ଜଗନ୍ନାଥ ଚନ୍ଦନ ପୋଖରୀ ରଖି ଜଗନ୍ନାଥ ସଂସ୍କୃତିର ସ୍ମୃତିଚାରଣ କରାଯାଇଥାନ୍ତା। ସ୍ରଷ୍ଟା ୫-ଟି ଓ ସରକାର ନବୀନ ଓଡ଼ିଶାରେ ଏହି କାର୍ଯ୍ୟଟି କରିଥିଲେ କାଳକାଳ ଧରି ନବୀନ ପ୍ରତି ଗାଁରେ ଥାନ୍ତେ ଓ ଲୋକେ ଶିବେଇ ସାଆନ୍ତରା ପରି ୫-ଟିକୁ ମନେ ପକେଇଥାନ୍ତେ। ଆଉ କିଛି ନହେଲେ ମଧ୍ୟ ‘ଜଳଧାରଣ’ ପାତ୍ରଟିଏ ତିଆରି ହୋଇ ଭୂତଳ ଜଳପ୍ରକ୍ରିୟାକୁ ବଞ୍ଚାଇ ରଖୁଥାନ୍ତା। ଗାଁ ଲୋକେ ଶୀତଳ ଜଳରେ ଦେହ ପଖାଳିଥାନ୍ତେ। ଚଢ଼େଇ କେଇଟା ପୋଖରୀ ଚାରିକଡ଼େ ଘୂରି ବୁଲୁଥାନ୍ତେ। ତୃଷାର୍ତ୍ତ ଗୋରୁ ଜଳପାନ କରୁଥାନ୍ତେ। ଜଗନ୍ନାଥ ସଂସ୍କୃତି ଗାଁ’ରେ ବଞ୍ଚି ରହିଥାନ୍ତା। ହୁଏତ କେଉଁ କେଉଁ ଗାଁରେ ମଠ, ମନ୍ଦିରର ଗୋପୀନାଥ ବା ଜଗନ୍ନାଥଙ୍କ ପାଇଁ ପ୍ରତିବର୍ଷ ଚନ୍ଦନ ଯାତ୍ରାଟିଏ ଆୟୋଜନ ହୋଇପାରନ୍ତା। ଏବେ ତ ‘ଧର୍ମ’ ବ୍ୟବସ୍ଥା ତ୍ୟାଗ ନୁହେଁ ‘ଭୋଗ’ ବା ବିଳାସପୂର୍ଣ୍ଣ ଧର୍ମାନୁଷ୍ଠାନରେ ପରିଣତ ହୋଇଛି। ପୋଖରୀଟି ସେହି ଉଦ୍ଦେଶ୍ୟରେ ନ ହୋଇ ‘ଜୀବେ ଦୟା’ ଭାବେ ଲାଗିଥାନ୍ତା ଓ ବ୍ୟବହୃତ ହୁଅନ୍ତା। ଯେତେଦିନ ପର୍ଯ୍ୟନ୍ତ ବର୍ଷା ସେ ଗାଁ’କୁ ଆସୁଥିବ ଏହି ପୋଖରୀଟି ସେତେଦିନ ପର୍ଯ୍ୟନ୍ତ ବଂଚି ରହିଥାନ୍ତା। ଏହାର ସ୍ରଷ୍ଟା ଓ ଦ୍ରଷ୍ଟା ସମସ୍ତଙ୍କୁ ମନେ ରଖିଥାନ୍ତେ। ୫-ଟି କଳ୍ପିତ ‘ନବୀନ ଓଡ଼ିଶା’ର ଜୟଗାନ କରୁଥାନ୍ତେ।

Advertisment

ଜଳାଶୟଟି ଭୂତଳ ଜଳକୁ ଜାଗ୍ରତ କରି ରଖିବାରେ ସହାୟତା କରିଥାନ୍ତା। ଅକାଳରେ ପଶୁପକ୍ଷୀଙ୍କର ତୃଷା ମେଣ୍ଟାଇଥାନ୍ତା। ଗାଁ’ର ଜଳାଶୟଟି ଲୋକଙ୍କୁ ଶୀତଳ ଜଳରେ ଆହ୍ଲାଦିତ କରିଥାନ୍ତା। ସର୍ବୋପରି ଗାଁ ଗୋପୀନାଥଙ୍କ ଚନ୍ଦନ ଯାତ୍ରା ପାଇଁ କ୍ଷେତ୍ରଟିଏ ହୋଇ ରହିଥାନ୍ତା। ଅଧିକନ୍ତୁ ମାଛ ଉତ୍ପାଦନର ପ୍ରକୃଷ୍ଟ କ୍ଷେତ୍ରଟିଏ ଭାବରେ ବ୍ୟବହୃତ ହୋଇଥାନ୍ତା। ରାଜ୍ୟ ସରକାରଙ୍କ ଏହି ବ୍ୟୟ ସହିତ କେନ୍ଦ୍ରୀୟ ଅନୁଦାନ ମହାତ୍ମା ଗାନ୍ଧୀ ନାରେଗା ଯୋଗକରି ଜଳାଶୟ ପ୍ରସ୍ତୁତ ହୋଇଥାନ୍ତା। ଗାଁ’ରେ ଅନ୍ତତଃ ଗୋଟିଏ ବର୍ଷ ପାଇଁ ୧୦୦ ଦିନ କାମ ଯୋଗାଇଥାନ୍ତା। ପରବର୍ତ୍ତୀ ବର୍ଷମାନଙ୍କରେ ଜଳଭଣ୍ଡାରର ଦୁଇ ପାର୍ଶ୍ୱରେ ଲୋକେ କିଛି ପରିବା ଚାଷ କରି ଉପକୃତ ହୋଇଥାନ୍ତେ। ଚତୁଃପାର୍ଶ୍ୱରେ କିଛି ନଡ଼ିଆ ଗଛ ଲଗାଯାଇ ପାରିଥାନ୍ତା।

ଚତୁର ରାଜାମାନେ ପ୍ରଜାଙ୍କ ମନ କିଣିବା ପାଇଁ ଜଗନ୍ନାଥଙ୍କ ନାମରେ ଜଗନ୍ନାଥ ସଡ଼କ, ତା’ କଡ଼ରେ ଆସୁଥିବା ଯାତ୍ରୀଙ୍କ ସୁବିଧା ପାଇଁ ରହଣି ସ୍ଥଳ ବା ଚଟିଘର ଆଉ ଦେହ ପଖାଳିବା ପାଇଁ ବଡ଼ ପୁଷ୍କରିଣୀ ଖୋଳାଇଥିଲେ। ବଡ଼ ବାମ୍ଫୀ ବା କୂଅ ଖୋଳିଥିଲେ। ଏବେ ବି ସେ ସଡ଼କ, ସେ ପୋଖରୀର କ୍ଷତବିକ୍ଷତ ଚିହ୍ନ ଦେଖିବାକୁ ମିଳେ। ଏବେକାର ଅବସ୍ଥା ବଦଳିଛି, ହେଲେ ଶାସକେ ଠାକୁରଙ୍କର ନାଁ ନେଇ ପ୍ରଜା ବଦଳରେ ଭୋଟଦାତାଙ୍କୁ ବିମୋହିତ କରିବାର ସେହି ପୁରୁଣା ଖିଆଲଟି ଆପଣେଇଛନ୍ତି। କୋଉଠି ‘ରାମ’ ମନ୍ଦିର ନାମରେ ତ କୋଉଠି ଜଗନ୍ନାଥଙ୍କ ନାମରେ। ଆଉ କେଉଁଠି ‘ବଜରଙ୍ଗବାଲି’ ବା ଶିବଙ୍କ ନାମରେ ଭୋଟର ଜାଗରଣ ସୃଷ୍ଟି କରିବାର ଉପାୟମାନ କାର୍ଯ୍ୟକାରୀ ହେଉଛି। ସେହିସବୁ ଆଖି ଆଗରେ ରଖି ଆମ ରାଜ୍ୟରେ ଆରାଧ୍ୟ ଦେବତା ଜଗନ୍ନାଥଙ୍କ ନାମରେ ଅନେକ ସରକାରୀ ଯୋଜନା ମାନ କାର୍ଯ୍ୟକାରୀ ହେଉଛି। ଚମତ୍କାର ପରିକଳ୍ପନା। ଓଡ଼ିଶାର ଲୋକଙ୍କୁ ବାନ୍ଧି ରଖିବାର ନିଜ ଆଡ଼କୁ ଅର୍ଥାତ୍‍ ସମର୍ଥନ କେନ୍ଦ୍ର ଭୋଟ କେନ୍ଦ୍ରକୁ ଟାଣିବାର ପରିକଳ୍ପନା। ଆମ ଠାକୁର ଜଗନ୍ନାଥଙ୍କ ଡାକନାମ କାଳିଆ। ଶ୍ରଦ୍ଧାରେ, ଭକ୍ତିରେ କାଳିଆ କାଳିଆ କହି ଲୋକେ ତଳେ ଲୋଟିଯାନ୍ତି। ଆଖିରୁ ଲୁହ ଝରାନ୍ତି। ‘ଭାଗବତ ଟୁଙ୍ଗୀ’, ‘କାଳିଆ’ ‘ବଳିଆ’ ଆଦି ଯୋଜନା ମୁଖ୍ୟତଃ ଗତ କିଛିବର୍ଷ ତଳେ ସାମନାକୁ ଆସିଛି। ଏହା କେତେଦୂର କାର୍ଯ୍ୟକାରୀ ହେଲା ସେସବୁ ତର୍ଜମା କରିବାର ଆବଶ୍ୟକତା କେହି ଉପଲବ୍ଧି କରି ନାହାନ୍ତି। ପରନ୍ତୁ ଶାସକଙ୍କ ଭୋଟ ପରିମାଣ ବୃଦ୍ଧି ପାଇଛି। ଶାସକ ଉପକୃତ ହେଉଛନ୍ତି। କିନ୍ତୁ ମନେ ରଖିବା ଉଚିତ ଏ ସମସ୍ତ କରଦାତାଙ୍କ ଅର୍ଥର ସଦବିନିଯୋଗ କରାଯାଇ ସେମାନଙ୍କ ଉପକାର ନିମନ୍ତେ ଯୋଜନା ହେବା ଦରକାର। ମାନବ ସେବା ହିଁ ମାଧବ ସେବା।

ପଞ୍ଚାନନ କାନୁନଗୋ

ଫୋ- ୯୪୩୮୩୬୦୮୪୯

Odisha Lord Jagannath Kalia
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe