ଗୋଲଖ ଚନ୍ଦ୍ର ଦାସ
ସଂସ୍କାରର ଅର୍ଥ ହେଉଛି ଶୁଦ୍ଧିକରଣ। ସଂସ୍କାର ହେଉଛି ସେହି ଧାର୍ମିକ କାର୍ଯ୍ୟକଳାପ ଯାହାକି ଜଣେ ବ୍ୟକ୍ତିକୁ ନିଜ ପରିବାର ମଧ୍ୟରେ ଯୋଗ୍ୟ ସଦସ୍ୟ ଭାବରେ ଗଢି ତୋଳିଥାଏ। ଯେଉଁଥି ପାଇଁକି ବ୍ୟକ୍ତିର ମନ, ମସ୍ତିଷ୍କ ଓ ଶରୀରକୁ ପବିତ୍ର କରିବା ପାଇଁ ସଂସ୍କାର କରାଯାଏ। ପ୍ରାଚୀନ ଭାରତରେ ସଂସ୍କାର ମାନବ ଜୀବନରେ ବିଶେଷ ଗୁରୁତ୍ୱ ରହିଥିଲା। ସଂସ୍କାର ମାଧ୍ୟମରେ ମଣିଷ ନିଜର ଅନ୍ତର୍ନିହିତ ପ୍ରବୃତ୍ତିକୁ ସଂପୂର୍ଣ୍ଣ ବିକାଶ କରି ଉଭୟ ନିଜର ଏବଂ ସମାଜର କଲ୍ୟାଣ କରିଥାଏ। ସଂସ୍କାର କେବଳ ଏହି ଜୀବନରେ ଜଣେ ବ୍ୟକ୍ତିକୁ ଶୁଦ୍ଧ କରେ ନାହିଁ, ବରଂ ତାର ପରବର୍ତ୍ତୀ ଜୀବନକୁ ମଧ୍ୟ ଶୁଦ୍ଧ କରିଥାଏ।
ଅୟଂ ନିଜୋପରୋବେତି ଗଣନା ଲଘୁଚେତସାମ୍, ଉଦାରଚରିତାନାଂ ତୁ ବସୁଧୈବ କୁଟମ୍ଭକମ୍। ପବିତ୍ର ଚିନ୍ତାଧାରା ପ୍ରଦାନ କରୁଥିବା ଭାରତରେ ଭାରତୀୟ ସନାତନ ସଂସ୍କୃତିର ଆଧାର ସ୍ତମ୍ଭ ହେଉଛି ପରିବାର। ପରିବାର ଆମ ସଂସ୍କାରର ପ୍ରଥମ ବିଦ୍ୟାଳୟ ଏବଂ ମା’ ହେଉଛନ୍ତି ଏହି ବିଦ୍ୟାଳୟର ପ୍ରଥମ ଶିକ୍ଷୟତ୍ରୀ। ଏକ ସଂସ୍କାର ସମ୍ପନ୍ନ ପରିବାର ଦ୍ୱାରା ସଂସ୍କାର ସମ୍ପନ୍ନ ସମାଜ ଏବଂ ଏକ ବିକଶିତ ରାଷ୍ଟ୍ର ସୃଷ୍ଟି ହୋଇପାରେ। ବୈଦିକ କାଳରୁ ଭାରତ ଯୌଥ ପରିବାର ବ୍ୟବସ୍ଥା ପାଇଁ ବିଶ୍ୱ ପ୍ରସିଦ୍ଧ, କିନ୍ତୁ ପାଶ୍ଚାତ୍ୟକରଣ ହେତୁ ଆମର ଯୌଥ ପରିବାରରେ ଫାଟ ସୃଷ୍ଟି ହୋଇଛି।
ପରିବାର ହେଉଛି ସମାଜର ପ୍ରଥମ ଅନୁଷ୍ଠାନ। ଯେତେବେଳେ ଗୋଟିଏ ପରିବାର ସମୂହ ଭାବରେ କାର୍ଯ୍ୟ କରନ୍ତି, ଏହା ଦେଶ ପାଇଁ ଉପଯୋଗୀ ହୋଇଯାଏ। ତେଣୁ, ସାମୂହିକ ଭାବରେ କାର୍ଯ୍ୟ କରିବା ପରିବାରର ସ୍ୱଭାବ ହେବା ଉଚିତ୍। ଯେକୌଣସି ବ୍ୟକ୍ତି ସକାରାତ୍ମକ ପରିବର୍ତ୍ତନ ପାଇଁ କଳ୍ପନା କରିପାରନ୍ତି ଏବଂ ଚେଷ୍ଟା କରିପାରନ୍ତି, କିନ୍ତୁ ଏହାକୁ ଶେଷ ପର୍ଯ୍ୟନ୍ତ ନେବା ପାଇଁ ତାଙ୍କୁ ସମୂହର ଆବଶ୍ୟକ ପଡ଼େ। ବ୍ୟକ୍ତିଗତରୁ ଗୋଷ୍ଠୀକୁ ବା ମୋ ଠାରୁ ଆମ ଆଡ଼କୁ ଅଗ୍ରସର ହେଉଥିବା ଏକକ ହେଉଛି ପରିବାର।
ବ୍ୟକ୍ତି ଯେଉଁ ପରିବାରରେ ରୁହେ, ସେହି ପରିବାରର ବାତାବରଣ ବ୍ୟକ୍ତିର ବ୍ୟକ୍ତିତ୍ୱ ଉପରେ ବିଶେଷ ଭାବରେ ପ୍ରଭାବ ପକାଇ ଥାଏ। ବ୍ୟକ୍ତି ଦୁଃଖି ରହିବ କି ଖୁସି ରହିବ କି ଆନନ୍ଦରେ ରହିବ ତାହା ପରିବାରର ପରିବେଶ ଉପରେ ନିର୍ଭର କରେ। ଯଦି ସେ ତାଙ୍କ ଜୀବନକୁ ଆନନ୍ଦ ଉପଭୋଗ କରିବାକୁ ଚାହାଁନ୍ତି ତେବେ ପରିବାର ଆନନ୍ଦମୟ ହେବା ଉଚିତ୍। ପରିବାର ପାଇଁ ତିନୋଟି ଜିନିଷ ଗୁରୁତ୍ୱପୂର୍ଣ୍ଣ। ତାହା ହେଉଛି ଭକ୍ତି, ଶକ୍ତି ଏବଂ ଆନନ୍ଦ।
ପରିବାରର ପରିବେଶ ଭକ୍ତିମୟ ହେବା ଉଚିତ୍। ପରିବାରରେ ଆମର ପରମ୍ପରା ଅଛି ଏବଂ ସେଥିରେ ଭକ୍ତି ସହିତ ଜଡିତ କିଛି କାର୍ଯ୍ୟ ରହିବା ଉଚିତ୍। ପରିବାରରେ ମଧ୍ୟ ଶକ୍ତି ରହିବା ଉଚିତ କାରଣ ଯଦି ପରିବାର ନିଜକୁ ରକ୍ଷା କରିବାକୁ ପଡ଼ିବ ତେବେ ସକ୍ଷମ ହେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତୃତୀୟ ଯାହା ଏହି ଦୁଇଟି ଜିନିଷ ଦ୍ୱାରା ପ୍ରାପ୍ତ ହୋଇଥାଏ। ତାହା ହେଉଛି ପରିବାରର ସୁଖ। ଯଦି ଆମେ ତାହା ପାଇଥାଉ, ତେବେ ଯେଉଁମାନେ ସେହି ପରିବାରର ସଦସ୍ୟ, ଯେଉଁମାନେ ସେହି ପରିବାରର ଏକ ଗୁରୁତ୍ୱପୂର୍ଣ୍ଣ ଅଂଗ, ସେମାନେ ମଧ୍ୟ ଖୁସି ହେବେ।
ପାଶ୍ଚାତ୍ୟକରଣ ଯୋଗୁଁ ଏବେ ଦେଖାଯାଉଛି ପରିବାର ସଦସ୍ୟମାନେ ଭିନ୍ନ ଭିନ୍ନ ଆଚରଣ କରୁଛନ୍ତି, ନିଜ ନିଜ ମଧ୍ୟରେ ପାରସ୍ପରିକ ବୁଝାମଣା ଏବଂ ବାର୍ତ୍ତାଳାପ ହେଉ ନାହାଁନ୍ତି, ଜଣେ ଅନ୍ୟଜଣଙ୍କ ସହିତ ବିଚାର ବିମର୍ଶ କରୁନାହିଁ କିମ୍ବା ସମସ୍ୟାଗୁଡିକ ଅଂଶୀଦାର କରୁନାହିଁ। ଯଦି ଏପରି ହୁଏ ତେବେ ପରିବାର ବ୍ୟବସ୍ଥା ସଫଳ ହେବ ନାହିଁ। ଏଥିପାଇଁ ପରିବାର ମଧ୍ୟରେ ବ୍ୟବସ୍ଥା କରିବାକୁ ପଡିବ। ପରିବାରର ସମସ୍ତ ସଦସ୍ୟ ନିଶ୍ଚିତ ଭାବରେ କିଛି ନା କିଛି ବ୍ୟବସ୍ଥା କରିବା ଉଚିତ, ଯାହା ଆଧାରରେ ସମସ୍ତ ସଦସ୍ୟ ଏକତ୍ରିତ ହୋଇ ସକାଳ କିମ୍ବା ସନ୍ଧ୍ୟାରେ ଭଗବାନଙ୍କ ପ୍ରତି ଭକ୍ତି ଏବଂ ଭଗବାନଙ୍କ ପ୍ରତି ସମର୍ପଣ ଭାବରେ ଉତ୍ସର୍ଗୀକୃତ ଭାବନା ସହିତ ଏକତ୍ରିତ ହୋଇ ବସିବେ। ସମସ୍ତ ପରିବାର ଏକତ୍ର ଗୋଟିଏ ସ୍ଥାରେ ବସି ଭୋଜନ କରିବା ଉଚିତ।
ଆମେ ସମସ୍ତେ ଆମ ପିଲାଦିନରେ ସାପ ଏବଂ ସିଡ଼ି ଖେଳିଛୁ। ବେଳେବେଳେ ସେଥିରେ ଏକ ସିଡ଼ି ଚଢିଯାଉ, କେତେବେଳେ ସାପ ମୁହଁରେ ପଡି ପୁଣି ତଳକୁ ଖସିଯାଉ। ପରିବାରରେ ମଧ୍ୟ ଏହିପରି ହେଉଛି। ପରିବାର ସଦସ୍ୟ ପରସ୍ପର ସହ ମିଳିତ ଭାବରେ କାର୍ଯ୍ୟ କରିବେ ବା ସହଯୋଗ କରିବେ ତେବେ ଏହା ସିଡିର କାମ କରିବ ଏବଂ ପରିବାର ଅଗ୍ରଗତି କରିବ। ଯଦି ସେମାନେ ପରସ୍ପରକୁ କାଟିବା ପାଇଁ ସାପ ଭଳି କାର୍ଯ୍ୟ କରିବେ ତେବେ ପରିବାର ପତନ ହେବ। ମାନସିକ ଏବଂ ବ୍ୟବହାରିକ ରୂପରେ ପରିବାର ବ୍ୟବସ୍ଥାକୁ ଏକ ସମନ୍ୱିତ ଭୂମିକାରେ ଆଣିବା ପରିବାରର ସମସ୍ତ ସଦସ୍ୟଙ୍କ କାର୍ଯ୍ୟ। ଯଦି ପରିବାରର ପୁଅ ଏବଂ ଝିଅମାନେ ଆଗାମୀ ସମୟରେ ପରିବାରକୁ ଆଗକୁ କିମ୍ବା ପଛକୁ ନେବାରେ ଭୂମିକା ଗ୍ରହଣ କରିବାକୁ ଯାଉଛନ୍ତି, ତେବେ ସେମାନଙ୍କ ବିକାଶ କିପରି ଅଗ୍ରଗତି କରୁଛି ସେଥିପ୍ରତି ଧ୍ୟାନ ଦେବାକୁ ପଡିବ।
ପ୍ରଥମ କଥା ହେଉଛି ଶିକ୍ଷା। ଆମ ପରିବାରର ପିଲାମାନେ ଉପଯୁକ୍ତ ଶିକ୍ଷା ଲାଭ କରୁଛନ୍ତି କି? ସତ୍ୟବାଦୀ, ଦାନଶୀଳ, ସାହସୀ, ନିର୍ଭିକ ହେବା ପାଇଁ ଶିକ୍ଷା ଗୁରୁତ୍ୱପୂର୍ଣ୍ଣ। ଶିକ୍ଷା ବ୍ୟବସ୍ଥା ପରିବାରର ପ୍ରଥମ ସୂତ୍ର ଅଟେ। ଦ୍ୱିତୀୟ ସୂତ୍ର ହେଉଛି ସଂସ୍କାର। ପରିବାର ମଧ୍ୟରେ ଏବଂ ସମାଜରେ କିପରି ଆଚରଣ କରିବେ ସେହି ସଂସ୍କାର ବ୍ୟବସ୍ଥା ପରିବାରରେ ହେବା ଆବଶ୍ୟକ। ପିଲାଦିନରେ ପିଲାମାନେ ପ୍ରାପ୍ତ କରିଥିବା ସଂସ୍କାରଗୁଡ଼ିକ ସେମାନଙ୍କର ଭବିଷ୍ୟତ ଭୂମିକା ପ୍ରସ୍ତୁତ କରିବ। ଯଦି ସଂସ୍କାର ନାହିଁ ତେବେ ଶିକ୍ଷା ବ୍ୟର୍ଥ ହୋଇଯାଏ। ସେ ଶିକ୍ଷା ପ୍ରାପ୍ତ କରି ଚାକିରି ମଧ୍ୟ ପାଇବ। ଡକ୍ଟର, ଇଂଜିନିୟର, ଅଧିବକ୍ତା କିମ୍ବା ଅନ୍ୟକିଛି ନାମ ଆଗରେ ଯୋଡାହୋଇଯିବ, କିନ୍ତୁ ଯଦି ପିଲାଟିର ସଂସ୍କାର ନାହିଁ ତେବେ ସେ ପରିବାର ପାଇଁ, ସମାଜ ପାଇଁ କିମ୍ବା ଦେଶ ପାଇଁ ଉପଯୋଗୀ ହେବେ ନାହିଁ, ସେ କେବଳ ବିଶୃଙ୍ଖଳା କରିବ। ତେଣୁ ସଂସ୍କାର ବିନା ଶିକ୍ଷାର କୌଣସି ଯଥାର୍ଥତା ନାହିଁ।
ତୃତୀୟଟି ହେଉଛି ସଂଗତି। ପିଲାମାନେ କେଉଁ ଲୋକମାନଙ୍କ ସହିତ ଉଠା ବସା କରୁଛି ବା ମିଳାମିଶା କରୁଛି ତାହା ଅତ୍ୟନ୍ତ ମହତ୍ୱପୂର୍ଣ୍ଣ। ସେମାନଙ୍କୁ ପରିବାରର ବଡ ସଦସ୍ୟଙ୍କ ଉଦାହରଣ ଦେବାକୁ ପଡିବ। ପିଲାମାନେ ଦେଖନ୍ତି ପରିବାରର ବୟସ୍କ ସଦସ୍ୟମାନେ କାହା ସହିତ ମିଳାମିଶା କରୁଛନ୍ତି, ସେମାନଙ୍କ ସହିତ କିଏ ବସୁଛନ୍ତି? ସେମାନେ କ’ଣ କଥାବାର୍ତ୍ତା କରୁଛନ୍ତି? ସେମାନେ ପରସ୍ପର ସହିତ କିପରି ବ୍ୟବହାର କରୁଛନ୍ତି? ପରିବାର ସହିତ ତାଙ୍କୁ ଦେଖି ନୂତନ ପିଢିଙ୍କର ଦକ୍ଷତା ବିକାଶ ହୋଇଥାଏ। ଯଦି ସଂଗତି ଠିକ୍ ନଥାଏ ତେବେ ଶିକ୍ଷା କିମ୍ବା ସଂସ୍କାରର କୌଣସି ଲାଭ ନାହିଁ କାରଣ ସଂସ୍କାରର ଅଭିବ୍ୟକ୍ତି ମଧ୍ୟ ସଂଗତି ଉପରେ ନିର୍ଭର କରେ।
ଚତୁର୍ଥ ସୂତ୍ର ହେଉଛି ଏକତା। ପରିବାର ଭିତରେ ଏକତା ଅଛି କି? ପରିବାର ଏକାଠି କାମ କରନ୍ତି କି? ଏହା କେବଳ ପରସ୍ପରର ଅସୁବିଧା ଦେଖିବା ଏବଂ ଶୁଣିବାରେ ସୀମିତ କି? ଯଦି ପରିବାର ମଧ୍ୟରେ କୌଣସି ଅସୁବିଧା ଉପୁଜେ ତେବେ ପରିବାରର ସମସ୍ତ ସଦସ୍ୟ ଏକାଠି ହୋଇ ସେହି ଅସୁବିଧାକୁ ଦୂର କରିବାକୁ ଚେଷ୍ଟା କରନ୍ତି କି? ଯଦି ସେମାନେ ତାହା କରନ୍ତି ତେବେ ଏହା ଠିକ ଅଛି, ପୂର୍ବ ତିନୋଟି କଥା ସଠିକ୍ ଭାବରେ କାମ କରିବ ଏବଂ ଯଦି ସେଗୁଡ଼ିକ ଠିକ୍ ନୁହେଁ ତେବେ ପ୍ରଥମ ତିନୋଟି କଥା ଅଦରକାରୀ ହୋଇଯିବ।
ପଞ୍ଚମ ତଥା ଶେଷ ସୂତ୍ର ହେଉଛି ସମାଜରେ ପରିବାରର ସ୍ଥାନ। ଉପରୋକ୍ତ ଚାରୋଟି ନୀତି ସହିତ ପରିବାର ସମାଜରେ କେଉଁ ଭୂମିକା ଗ୍ରହଣ କରୁଛି ଏହା ବହୁତ ମହତ୍ୱପୂର୍ଣ୍ଣ। କାରଣ ଏହି ଚାରୋଟି ଉପାଦାନ ଦ୍ୱାରା ପରିବାରରୁ ନିର୍ମାଣ ହୋଇଥିବା ବ୍ୟକ୍ତି ପରେ ସମାଜ ଏବଂ ରାଷ୍ଟ୍ରରେ ଏକ ଭୂମିକା ଗ୍ରହଣ କରନ୍ତି। ପରିବାର, ସମାଜ କିମ୍ବା ରାଷ୍ଟ୍ର ଦୃଷ୍ଟିକୋଣରୁ ତାଙ୍କର କାର୍ଯ୍ୟକଳାପକୁ ସକରାତ୍ମକ, ପ୍ରଗତିଶୀଳ ଭାବରେ ନିର୍ମାଣ କରିବାକୁ ପଡିବ। ସମାଜରେ ପରିବାରର ସ୍ଥାନର ସାମୂହିକ ଦାୟିତ୍ୱ ପରିବାରର ସମସ୍ତ ସଦସ୍ୟଙ୍କ ଉପରେ ରହିଥାଏ। ଏକ ବିକଶିତ ରାଷ୍ଟ୍ର ଗଠନ ପାଇଁ ନିଜକୁ ଏବଂ ଆପଣଙ୍କ ପରିବାର ସଦସ୍ୟଙ୍କୁ ସେହି ଦିଗରେ ନେବାକୁ ଚେଷ୍ଟା କରନ୍ତୁ। ରାଷ୍ଟ୍ର ଉପରେ ବିଶ୍ୱ ରହିଛି। ସାରା ବିଶ୍ୱ ଭଲରେ ରହୁ ଏହା ସମସ୍ତଙ୍କର କଳ୍ପନା। ବିଶ୍ୱକୁ ସୁଧାରିବା ପାଇଁ ହେଲେ ପ୍ରଥମେ ଆମ ଦେଶ ଭଲ ହେବା ଉଚିତ, ଆମ ଦେଶକୁ ଠିକ କରିବା ପାଇଁ ଆମ ସମାଜ ଭଲ ହେବା ଉଚିତ ଏବଂ ଏହାର କାରଣ ହେଉଛି ପରିବାର। ଯଦି ପରିବାର ଭଲ ଅଛି ତେବେ ସମାଜ ଭଲ ରହିବ। ପରିବାରକୁ ଭଲ ରଖିବାକୁ ହେଲେ ମୋତେ ଠିକ୍ ହେବାକୁ ପଡିବ। ‘ମୋ ଠାରୁ ଆମର’ ଏହି ଯାତ୍ରା କେବଳ ପରିବାରରୁ ଆରମ୍ଭ ହୁଏ। ବସୁଧୈବ କୁଟୁମ୍ବକମ୍ ଯାହା ଆମେ ଘୋଷଣା କରୁଛୁ ଏବଂ କଳ୍ପନା କରୁଛୁ ତାହା ଏହି ଯାତ୍ରା ମାଧ୍ୟମରେ ହାସଲ କରିହେବ।
ଘିଗିଡିଆ, ବାରୁଅ, କେନ୍ଦ୍ରାପଡା, ମୋ-୯୮୬୧୦୬୯୫୫୩
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।