Kumbakonam Airabateswar Temple Photograph: (Author)
ଦେବ ରଞ୍ଜନ
ତାମିଲନାଡୁର କୁମ୍ଭକୋନମ ନାମରେ ଏକ ସହର ରହିଛି। ଏହି ସହରର ଐରାବତେଶ୍ଵର ମନ୍ଦିରର କାରୁକାର୍ଯ୍ୟ ବହୁତ ସୁନ୍ଦର। କୋଣାର୍କ ମନ୍ଦିରର କାରୁକାର୍ଯ୍ୟ ସହିତ ସାମଞ୍ଜସ୍ୟ ରହିଥିବା ମନେହୁଏ। ଉଭୟଙ୍କ ଗଢ଼ାଣ ସମୟ ମଧ୍ୟ ସମାନ- ଦ୍ଵାଦଶ ଶତାବ୍ଦୀ। ଐରାବତେଶ୍ଵର ମନ୍ଦିର ରାଜା ଦ୍ଵିତୀୟ ଚୋଳଙ୍କ ଦ୍ଵାରା ତିଆରି। ୟୁନେସ୍କୋ ହେରିଟେଜ ତାଲିକାରେ ଏହା ଆସୁଛି। ଏକଦା ଏହି ଅଞ୍ଚଳରେ କିନ୍ତୁ ଅନେକ ବୌଦ୍ଧସ୍ତୂପ ଥିବା ଇତିହାସ କହୁଛି। ଗଲା ବର୍ଷ ସେହି ମନ୍ଦିରର କାରୁକାର୍ଯ୍ୟ ଦେଖି ମୁଁ ଫେରିଆସିଥିଲି ବସଷ୍ଟାଣ୍ଡ, ମୋତେ ପୁଣି ଅନ୍ୟ ଏକ ସ୍ଥାନ ଯିବାର ଥିଲା।
ବସଷ୍ଟାଣ୍ଡ ଭିତରର ଏକ ହୋଟେଲର ପ୍ରଥମ ମହଲାରେ ଉଠି ମୁଁ ଖାଦ୍ୟ ବିଷୟରେ ପଚାରିଥିଲି, ଅବଶ୍ୟ ହିନ୍ଦୀ ଭାଷାରେ। ଏହାର ମାଲିକ ମୋତେ ବସିବା ଲାଗି ଇସାରା ଦେଲେ। ମୁଁ ବସିବା ପରେ ଜଣେ ବ୍ୟକ୍ତି ସ୍ପଷ୍ଟ ହିନ୍ଦୀରେ ମୋତେ ମୋର ଖାଇବାର ଆଗ୍ରହ ସମ୍ପର୍କରେ ପଚାରିଲେ। ମୁଁ କିଛି କହିବା ପୂର୍ବରୁ ତାଙ୍କର ସ୍ପଷ୍ଟ ବହି ପଢ଼ା ହିନ୍ଦୀ ଉଚ୍ଚାରଣ ମୋତେ କିଛିଟା ସ୍ତମ୍ଭୀଭୂତ କରିଥିଲା, କାରଣ ମୁଁ ତାମିଲନାଡୁରେ ଥିଲି।
ସ୍ଵାଭାବିକ ଯେ ଦକ୍ଷିଣ ଭାରତର ଲୋକେ ହିନ୍ଦୀ କମ ଜାଣିଥାନ୍ତି, ଓ ତାମିଲନାଡୁରେ ଏହା ଆହୁରି କମ। ହିନ୍ଦୀ ଫିଲ୍ମର ଧର୍ମେନ୍ଦ୍ର, ଅମିତାଭ ବଚନ ବା ଶାହାରୁଖ ଖାନ ଯାହାଙ୍କ ଡାଇଲାଗ ଆମେ କେହି କେହି ମଜାରେ କହିଥାଉ ସେମାନଙ୍କୁ ତାମିଲନାଡୁର ସହରର ଲୋକେ ଚିହ୍ନନ୍ତି ନାହିଁ। ଏହାର କାରଣ ହୋଇପାରେ ଯେ ବଲିଉଡ ବାହାରେ ଏହି କଳାକାରମାନଙ୍କ କୌଣସି ସମ୍ପୃକ୍ତି ନାହିଁ ଓ ଦ୍ୱିତୀୟରେ ନିଜକୁ ଖୁସି କରିବା ଲାଗି ତାମିଲ ଫିଲ୍ମର ଅଭାବ ମଧ୍ୟ ନାହିଁ।
ସେହି ହୋଟେଲର ସେହି ମଣିଷର ନାମ ଯାହା ମୋତେ ସେ ସେତେବେଳେ କହିଥିଲେ ତାହା ଯେ ସତ ହୋଇଥିବ ମୋର ବିଶ୍ଵାସ ହେଉନାହିଁ। ମନେ କରାଯାଉ ତାଙ୍କର ନାମ ସୋମେଶ। ସୋମେଶଙ୍କୁ ନିଜର ଖାଦ୍ୟ ଅର୍ଡର ଦେବା ସହିତ ପଚାରିଥିଲି ଯେ ସେ ଏତେ ସୁନ୍ଦର ହିନ୍ଦୀ କେଉଁଠାରୁ ଶିଖିଲେ। ସେ କିଛି ଏହାର ଉତ୍ତର କହିବା ଆଗରୁ ମୋର ଘର କେଉଁ ରାଜ୍ୟରେ ବୋଲି ପ୍ରଥମେ ପଚାରି ଦେଇଥିଲେ। ମୁଁ ମୋର ପ୍ରଦେଶ ଓଡ଼ିଶା କହିବାର ଠିକ ପରେ ପରେ ସେ ନିଜକୁ ନାଗପୁର ବାସିନ୍ଦା କହିଦେଲେ। କୁମ୍ଭକୋନମ ସହରର ସୌନ୍ଦର୍ଯ୍ୟ, ହୋଟେଲର ସ୍ଵାଦ ସମ୍ପର୍କରେ ବେଶ ପେସାଦାର ମାର୍କେଟିଂଗ ବ୍ୟକ୍ତି ଭାବରେ ବର୍ଣ୍ଣନା କରୁଥିଲେ।
ସୋମେଶଙ୍କ ଅନୁମାନ ବୟସ ସେ ସମୟରେ ୫୫ ବର୍ଷ ହେବ। ମୁଣ୍ଡର ବାଳ ସାମାନ୍ୟ କହରା। ସେ ସ୍ଵୀକାର କଲେ ଯେ ସେ ରଙ୍ଗ ଦେଇଛନ୍ତି। ଆଦୌ ମୋଟା ନୁହନ୍ତି କିନ୍ତୁ ପତଳା ନୁହନ୍ତି। ମୁଣ୍ଡରେ ସାମାନ୍ୟ ତିଳକ ମାରିଥାନ୍ତି। ସୂତା କପଡ଼ାର ସାର୍ଟ ପ୍ୟାଣ୍ଟ ପିନ୍ଧିଛନ୍ତି। ଉଚ୍ଚତା ସେହି ପାଞ୍ଚ ଫୁଟରୁ କିଛି ଅଧିକ ହେବ।
କଥାବାର୍ତ୍ତା ଭିତରେ ଓଡ଼ିଶା, ତାମିଲନାଡୁ ଓ ଦେଖିଆସିଥିବା ଐରାବତେଶ୍ଵର ମନ୍ଦିରର ବର୍ଣ୍ଣନା, ତାମିଲଙ୍କ ପାରମ୍ପରିକ ଖାଦ୍ୟର ବର୍ଣ୍ଣନା ଭିତରେ ଆତ୍ମୀୟତା ସୃଷ୍ଟି ହୋଇଯାଇଥିଲା। ‘କେତେ ବର୍ଷ ହେଲା ଏଠାକୁ ଆସିଲେଣି? ପୁଣି ଏହି କୁମ୍ଭକୋନମ ସହରକୁ କେମିତି ଆସିଲେ?’
ସେ ମୋ ପାଖରେ ବସିପଡ଼ିଲେ। ସାମାନ୍ୟ ଗମ୍ଭୀର ହେଲେ। ଏ ପର୍ଯ୍ୟନ୍ତ ହସଖୁସିରେ ମାର୍କେଟିଂ ଢଙ୍ଗରେ କଥା ହେଉଥିବା ମଣିଷ ଏଥର ଗମ୍ଭୀର ସ୍ଵରରେ ହିନ୍ଦୀରେ କହିଲେ ଯାହାର ଓଡ଼ିଆ ହେଲା, ‘ମୁଁ ଘର ଛାଡ଼ିବା ପ୍ରାୟ ୪୦ ବର୍ଷରୁ ଅଧିକ ହୋଇଗଲେଣି। ଏବେ ମୋତେ ଗାଁର ଲୋକେ ଆଉ କେହି ଚିହ୍ନିପରିବେନି।’
ସେ ଯେଉଁ ବର୍ଣନା ଏହାପରେ ଦେଲେ ତାହା ଏହିପରି: ତାଙ୍କର ବାପା ଜଣେ ବଣିଆ ଲୋକ ଥିଲେ। ସେ ଜାଣନ୍ତି ଯେ ତାଙ୍କ ବାପା ଆଉ ନାହାନ୍ତି। ତାଙ୍କୁ ଯେତେବେଳେ ୧୫/ ୧୬ ବର୍ଷ ସେ ଘର ଛାଡ଼ି ଦେଇଥିଲେ ଯେ ଆଉ ଘରକୁ ଫେରିନାହାନ୍ତି। ସେ ଘର ଛାଡ଼ିବା ବେଳେ ବାପାଙ୍କୁ କହିଥିଲେ ଯେ ତାଙ୍କର ବଣିଆ କାମ ପ୍ରତି ଆଗ୍ରହ ନାହିଁ। ସେ କିନ୍ତୁ ପାଠ ପଢ଼ିବେ। ଘରେ କିନ୍ତୁ ବାପା କୁଳ ବ୍ୟବସାୟକୁ ସମ୍ଭାଳିବା ପାଇଁ ବାଧ୍ୟ କରିଥିଲେ। ହେଲେ, ସୋମେଶ ଘର ଲୋକଙ୍କୁ ଚାଲେଞ୍ଜ ଦେଇଥିଲେ ଯେ ସେ ପଢ଼ିବେ ଓ ଭଲ ଚାକିରି କରି ଫେରିବେ।
ସୋମେଶ କିନ୍ତୁ ପ୍ରଥମେ ମାଡ୍ରାସ (ଆଜିର ଚେନ୍ନାଇ) ଓ ସେଠାରୁ କାଞ୍ଜିପୁରମ ଚାଲିଗଲେ। ଏକୁଟିଆ ନିଜ ଜୀବନ ଚାଲିଥିବା ବେଳେ କିଛି ଦୁର୍ଘଟଣା ହେଲା ଯାହା ସେ କହିନାହାନ୍ତି। କିନ୍ତୁ ନିଜର ଲକ୍ଷ୍ୟ ଏହି ହେତୁ ପୂରଣ କରିପାରିଲେ ନାହିଁ ବୋଲି କହୁଥିଲେ।
ସେହିଠାର ଜଣେ ବ୍ୟକ୍ତି ତାଙ୍କୁ କୁମ୍ଭକୋନମ ସହରରେ ପହଞ୍ଚାଇ ଦେଇଥିଲା ଠିକ ଏହି ହୋଟେଲରେ ଯେଉଁଠି ମୁଁ ଖାଉଥିଲି। ଏହି ହୋଟେଲର ପୂର୍ବର ମାଲିକଙ୍କର ଏ ଭିତରେ ଦେହାନ୍ତ ହୋଇଯାଇଛି। ତାଙ୍କର ଦୁଇ ପୁଅ ଥିଲେ। ଦୁଇ ପୁଅଙ୍କ ଭିତରେ ସମ୍ପତ୍ତିର ଭାଗବଣ୍ଟାରେ ସାନ ପୁଅ ଭାଗରେ ଏହି ହୋଟେଲ ପଡ଼ିଲା। ଦୁଇ ପୁଅଙ୍କ ମଧ୍ୟରେ ଏହା ମଧ୍ୟ ବୁଝାମଣା ହୋଇଥିଲା ଯେ ହୋଟେଲ ଯାହାର ଭାଗରେ ପଡ଼ିବ ସେ ‘ସୋମେଶ ମାମା’ର ଦାୟିତ୍ଵ ନେବ। ଏହା ସେମାନଙ୍କ ବାପାଙ୍କର ଇଚ୍ଛା ମଧ୍ୟ। ସେହି ଦିନୁ ପ୍ରାୟ ତିରିଶ ବର୍ଷ ହେବ ସୋମେଶ ସେହି ହୋଟେଲରେ ରହିଯାଇଛନ୍ତି।
‘କିନ୍ତୁ ଆପଣ ନିଜ ଗାଁ ଏହି ଚାଳିଶ ବର୍ଷ ଭିତରେ ଥରେ ହେଲେ ଯାଇଥିଲେ କି ନାହିଁ?’ ମୁଁ ପଚାରିଥିଲି। ‘ଯାଇଥିଲି। କିନ୍ତୁ ଗାଁ ପାଖରୁ ଫେରି ଆସିଲି। ମୋର ବାପା ଆମର ବନ୍ଧୁବାନ୍ଧବଙ୍କୁ ମିଛ କଥା ସାରିଥିଲେ। ମୋର ଅଧିକ ଦିନ ହେଲା ଗାଁକୁ ନଫେରିବା ଦେଖି ସେ କହିଥିଲେ, ପୁଅ (ମାନେ ସୋମେଶ) ତାଙ୍କର ବହୁତ ଧନୀ ହୋଇଯାଇଛି। ଅନେକ ଟଙ୍କା କମାଉଛି। ତାକୁ ଫୁରସତ ହେଉନାହିଁ। ମାତ୍ର ଯୋଗାଯୋଗରେ ଅଛି। ସତ ହେଲା ଯେ କାହା ପାଇଁ ମିଠା ନେବା ଭଳି ଟଙ୍କା ମଧ୍ୟ ମୋ ପାଖରେ ନଥିଲା। ବାପାଙ୍କର ଏହି କଥା କାହା କାହା ଠାରୁ ଶୁଣିବା ପରେ ଗାଁକୁ ନଯାଇ ଫେରିଆସିଲି।’
‘ନାଗପୁରର କେଉଁ ଅଞ୍ଚଳରେ ଆପଣଙ୍କ ଘର?’, ମୁଁ ପଚାରିବାରୁ ସେ ମୋତେ ପଚାରିଲେ, ‘ଆପଣଙ୍କର ନାଗପୁରରେ କେହି ଅଛନ୍ତି କି?’ ମୁଁ ହଁ କହିବା ପରେ ସେ ଦୂରକୁ ସେଦିନ ଚାଲିଯାଇଥିଲେ।
ଅନେକ ଦିନ ତଳେ ପଢ଼ିଥିବା ଫରାସୀ ଗାଳ୍ପିକ ମୋପାସାଁଙ୍କର ଏକ ଗପ ମୋର ମନେପଡ଼ିଲା। ଗଳ୍ପର ନାମ ମନେ ପଡୁନାହିଁ। ସେହି ଗପରେ ଚରିତ୍ର ଜଣକ ଜୀବନରେ ଅନେକ କିଛି କରିବାର ସ୍ଵପ୍ନ ନେଇ ଘର ଛାଡ଼ିଥିଲା। ଦୀର୍ଘ ବର୍ଷ ପରେ ଶୂନ୍ୟ ହସ୍ତରେ ତା ନିଜ ସହରକୁ ଫେରିଛି। ଫେରିଥିବା ଜାହାଜରେ ସେ ଅନ୍ୟମାନଙ୍କର ଯୋତା ପଲିସ କରୁଛି। ଘର ଲୋକେ କିନ୍ତୁ ଜାଣିଛନ୍ତି ଯେ ସେ ଅନେକ ବର୍ଷ ହେଲା ଚାଲିଗଲାଣି। ବାହାରେ କେଉଁଠାରେ ଅନେକ ଅର୍ଥ ରୋଜଗାର କରୁଛି। ତାଙ୍କର ସେହି ମଣିଷ ଜଣକ ଯେ ଜାହାଜରେ ଜୋତା ପାଲିଶ କରୁଥିବ ତାହାକୁ ପରିବାର ଲୋକେ ଗ୍ରହଣ କରିନାହାନ୍ତି। ପରିବାରର ସଦସ୍ୟ ସେହି ଜାହାଜ ମଧ୍ୟ ଦେଇ ଯାଉଛନ୍ତି କିନ୍ତୁ ଚିହ୍ନିନାହାନ୍ତି।
ମୋପାସାଁ ବ୍ୟକ୍ତିଗତ ଜୀବନର ଉଠାପକା ଓ ପରିବାର ମଧ୍ୟରେ ରହିଥିବା ଶଠତା ସମ୍ପର୍କରେ ଗଳ୍ପ ଲେଖିବାରେ ସିଦ୍ଧ ହସ୍ତ। ସେ ଏଠାରେ ପରିବାରର ବାସ୍ତବ ଚିତ୍ରକୁ ଦେଖାଇଛନ୍ତି - ସମସ୍ତେ କେମିତି ସ୍ଵାର୍ଥ ପାଇଁ ସମ୍ବନ୍ଧ ରଖୁଛନ୍ତି।
କୁମ୍ଭକୋନମର ସେହି ହୋଟେଲରେ ସେଦିନ ମିଲର ଟଙ୍କା ଦେବା ଭିତରେ ମୁଁ କିଛି ସମୟ ମାଲିକଙ୍କ ସହିତ କଥା ହେଲି। ଜଣେ କଲେଜ ଯୁବକଙ୍କୁ ଅନୁରୋଧ କଲି ଯେ ସେ ମୋର ଇଂରାଜୀ ଭାଷାକୁ ତାମିଲରେ ଅନୁବାଦ କରି ତାଙ୍କୁ କହିବେ ଓ ତାଙ୍କର ତାମିଲରେ ଦେଉଥିବା ଉତ୍ତରକୁ ସେ ଇଂରାଜୀରେ କହିବେ।
‘ସୋମେଶ କ’ଣ ଆଉ କେବେ ତାଙ୍କ ଘରକୁ ଫେରିବାକୁ ଚାହିଁନାହାନ୍ତି?’
ହୋଟେଲର ମାଲିକ କହିଲେ, ‘ସେ କେବେ ତାଙ୍କ ଘରକୁ ଯିବା କଥା ଆମକୁ କହିନାହାନ୍ତି। କହିଲେ ଆମେ ପହଞ୍ଚାଇଦେବୁ। କିନ୍ତୁ ଆମ ବାପା ମରିବା ସମୟରେ କହିଛନ୍ତି ଯେ ଏ ତୁମର ଆଉ ଜଣେ ଭାଇ ବୋଲି ଭାବିବ। ମୋର ପିଲାମାନେ ମଧ୍ୟ ତାଙ୍କୁ ବହୁତ ଭଲପାନ୍ତି। ସେ ବାହା ହେବାକୁ କହିଥିଲେ ବି ଆମେ ବାହାଘର କରାଇଥାନ୍ତୁ। ସେ ଅସୁସ୍ଥ ହେଲେ ବି ଆମେ ଦେଖିବୁ। ମଲେ ବି ଆମେ ତାଙ୍କର କ୍ରିୟାକର୍ମ କରିବୁ। ସେ ଆମ ସହିତ ରହିଯାଇଛନ୍ତି। ରହିବେ ବି।’
ଅନ୍ତତଃ ସୋମେଶ ଏକ ଭଲ ପରିବେଶ ପାଇଛନ୍ତି ସେ କଥା ଜାଣିଲି। ସମାଜର ପାରସ୍ପରିକତା ରହିଛି। ଭାଇମାନେ ହୁଏତ ସମ୍ପତ୍ତିର କିଛି ଅଂଶ ତାଙ୍କୁ ଦେଇନାହାନ୍ତି କିନ୍ତୁ ତାଙ୍କର ଦାୟିତ୍ଵ ନେଇଛନ୍ତି।
ହୋଟେଲର ତଳକୁ ମୁଁ ଓହ୍ଲାଇ ଆସିଲି। ତଳ ମହଲାରେ ଏକ ଷ୍ଟେସନାରୀ ଦୋକାନ ଅଛି। ସେଠାରେ ମୁଁ କିଛି ଚକଲେଟ କିଣିଲି। ହୋଟେଲର ପାରମ୍ପରିକ ଖାଦ୍ୟର ପ୍ରଶଂସା କରିବା ଛଳରେ ଦୋକାନୀକୁ ପଚାରିଲି, ‘ହୋଟେଲର ସେହି ହିନ୍ଦୀ ଲୋକ ସୋମେଶ ବିଷୟରେ ଜାଣିଥିବ। ସେ ନାଗପୁର ଫେରିଲେ ନାହିଁ, ତାହା ହେଲେ।’ ମୋର କଥା ଶୁଣି ଦୋକାନ ଭିତରୁ ଆଉ ଜଣେ ବ୍ୟକ୍ତି ବାହାରି ଆସିଲେ। ‘ଆପଣଙ୍କୁ ସେ ନିଜର ଘର ନାଗପୁର କହିଲେ?’।
‘ହଁ’ - ମୁଁ ଉତ୍ତର ଦେଲି, ‘କାହିଁ କ’ଣ ହେଲା କି’?
‘ସେ ବହୁ ଜାଗାରେ ନିଜର ଘର ବୋଲି ବହୁ ଲୋକଙ୍କୁ କହୁଛନ୍ତି। ମୁଁ ଜାଣିଛି ତାଙ୍କ ଘର ଓଡ଼ିଶାରେ। ସେ ତ ଆମ ଘର ପାଖାପାଖି ଲୋକ ବୋଲି ମୁଁ ଜାଣିଛି। ଆମ ଘର ପଲାସା (ଆନ୍ଧ୍ର ପ୍ରଦେଶ)। ସେ କିନ୍ତୁ ଓଡ଼ିଶାର କେଉଁଠି ବୋଲି କେବେ ମୋତେ କହିନାହାନ୍ତି।’
‘ତୁମେ ତୁମ ଘରକୁ ଯାଉଛ କି ନାହିଁ?’ ମୋର ପିଲାଳିଆ ପ୍ରଶ୍ନରେ ସେ ଜୋରରେ ହସିଲେ ଓ କହିଲେ, ‘ପ୍ରତି ବର୍ଷ ଯାଉଛି’।
ମୋର ଇଚ୍ଛା ହେଉଥିଲା ପୁଣି ଫେରିଯାଇ ସୋମେଶଙ୍କୁ ତାଙ୍କ ଘର ଠିକଣା ପଚାରିବା ଲାଗି। ପୁଣି ଚାଲିଆସିଲି। ସେ ନିଜେ ଯଦି ଚାହୁଁନାହାନ୍ତି ନିଜ ଘରକୁ ଫେରିବାକୁ ତେବେ ମୁଁ ବା କାହିଁକି ଉଦ୍ୟମ କରିବି।
ଆସିଲା ବେଳେ ଭାବିଲି କେତେ ସ୍ଵାଭାବିକ ଏହି ପାରିବାରିକ ସମ୍ବନ୍ଧ। ସେମାନେ ଏକ ନିର୍ଦ୍ଦିଷ୍ଟ ଚେହେରାରେ ପରିବାରର ପ୍ରତ୍ୟେକ ସଦସ୍ୟକୁ ଦେଖିବାକୁ ଚାହାଁନ୍ତି। ସେଥିରେ ବିଚ୍ୟୁତିର ଅର୍ଥ ପରିବାର ମଧ୍ୟରୁ ବହିଷ୍କୃତ ହେବା ଭଳି କଥା। ଅଥଚ ମଣିଷ ଏହି ପରିବାର ଲାଗି ସମାଜକୁ ଭୁଲିଯାଉଛି। ସମ୍ପତ୍ତି ଠୁଳ କରିଚାଲିଛି। ନିଜ ପରିବାରକୁ ନେଇ ଅହଂକାରରେ ଫାଟିପଡୁଛି ସେ।
କୁମ୍ଭକୋନମ ସହରର ଐରାବତେଶ୍ଵର ମନ୍ଦିରର କାରୁକାର୍ଯ୍ୟ ମୋତେ ପ୍ରଭାବିତ ତ କରିଥିଲା। ଏହା ସହିତ ସୋମେଶଙ୍କ ଜୀବନର ଅନୁଭୂତି ମଧ୍ୟ।
ମୋବାଇଲ- ୯୪୩୭୭୬୨୨୭୨
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/11/26/airabateswar-temple-of-kumbhakonam-2025-11-26-11-42-26.jpg)