ଜାନକୀଶ ବଡ଼ପଣ୍ଡା
କୃଷକମାନେ ଆତ୍ମହତ୍ୟା କରୁଥିବାର ଚର୍ଚ୍ଚା ଆଜି ବି ଜୋର ଧରିଥିଲା ବେଳେ ରାଜ୍ୟ ସରକାରମାନେ ଏହାକୁ ଅସ୍ୱୀକାର କରି ଆସୁଛନ୍ତି। ଚାଷୀ ଆତ୍ମହତ୍ୟାକୁ ଅପମୃତ୍ୟୁ ଭାବେ ଗ୍ରହଣ କରାଯାଇ ଏହା ପଛର କାରଣ ଗୁଡ଼ିକୁ ଅଣଦେଖା କରାଯାଉଛି। ଗତ ଖରିଫ୍ ଋତୁରେ ଅଚାନକ ବର୍ଷାଜନିତ ଫସଲ ହାନି ଓ ପରବର୍ତ୍ତୀ କାଳରେ ଚାଷୀ ନେଇଥିବା ଋଣ ଫେରସ୍ତ କରିପାରିବାର କ୍ଷୀଣ ସମ୍ଭାବନା, ପରିବାର ଚଳାଇବାର ଚିନ୍ତା ଏବଂ ନିଜର ଯତକିଞ୍ଚିତ ସାମାଜିକ ପ୍ରତିଷ୍ଠା ଉପରେ ପ୍ରଶ୍ନଚିହ୍ନ ଲାଗିଯିବା ଆଶଙ୍କାରେ ଯେ ଚାଷୀ ମାନେ ଆତ୍ମହତ୍ୟା କରୁଛନ୍ତି; ଏହା ସ୍ୱୀକାର କରିନେଲେ ଏ ସବୁର ନିରାକରଣ ପାଇଁ ଉପାୟ ବାହାରି ପାରନ୍ତା। ଅଥଚ ଏହାକୁ ରାଜନୈତିକ ପ୍ରସଙ୍ଗ କରାହେଉଛି। ଚାଷୀର ମୂଳ ସମସ୍ୟା ଦିନକୁ ଦିନ ଉତ୍କଟ ହେଉଥିବାରୁ ଆଜି ବି ଚାଷୀ ଆତ୍ମହତ୍ୟା କରୁଛନ୍ତି।
୨୦୧୪ ପରଠୁ କୁହାଯାଉଥିଲା ଯେ, ମହାରାଷ୍ଟ୍ର, କର୍ଣ୍ଣାଟକ ଇତ୍ୟାଦି ରାଜ୍ୟରେ ଆତ୍ମହତ୍ୟା କରୁଥିବା ଚାଷୀଙ୍କ ସଂଖ୍ୟା ଓଡ଼ିଶା ଅପେକ୍ଷା ଅଧିକ। ଜାତୀୟ ଅପରାଧ ବ୍ୟୁରୋ ପକ୍ଷରୁ ପ୍ରକାଶିତ ପରିସଂଖ୍ୟାନ ଓ ତଥ୍ୟରୁ ଏହା କହିହେବ। କିନ୍ତୁ, ନିରପେକ୍ଷ ଅନୁସନ୍ଧାନ କଲେ ଜଣାଯିବ ଯେ, ଆମ ରାଜ୍ୟରେ ମୁଖ୍ୟତଃ ଧାନ ଓ କପା ଚାଷୀ ଆତ୍ମହତ୍ୟା କରୁଥିଲା ବେଳେ ଅନ୍ୟ ରାଜ୍ୟମାନଙ୍କରେ ଆଧୁନିକତମ ବୈଷୟିକ କୃଷିପଦ୍ଧତି ଅବଲମ୍ବନ କରି ଅର୍ଥକାରୀ ଫସଲ ଚାଷ କରୁଥିବା ଆଗୁଆ ଚାଷୀମାନେ ବିଫଳତା ଅର୍ଜନ କରି ଆତ୍ମହତ୍ୟାକୁ ବାଛି ନେଉଛନ୍ତି। ସେମାନେ ସାଧାରଣତଃ ବ୍ୟାଙ୍କରୁ ଅଧିକ ପରିମାଣର ଋଣ ନେଇଥାଆନ୍ତି, ଯାହା ଫସଲକ୍ଷତି କାରଣରୁ ପରିଶୋଧ କରିହୁଏନା। ଋଣ ଭାର ବଢ଼ିଗଲେ ବ୍ୟାଙ୍କ ପକ୍ଷରୁ ପରିଶୋଧ ପାଇଁ ଅତ୍ୟଧିକ ଚାପ, ଋଣଯନ୍ତାରେ ବୁଡ଼ିଯିବାର ଆଶଙ୍କା ଓ ସାମାଜିକ ପ୍ରତିଷ୍ଠା ଉପରେ ପ୍ରଶ୍ନଚିହ୍ନ କାରଣରୁ ସେମାନେ ଆତ୍ମହତ୍ୟାକୁ ବାଛି ନିଅନ୍ତି। ତେବେ, ଆମ ରାଜ୍ୟର ସମସ୍ୟା ସେଭଳି ନୁହେଁ। ଓଡ଼ିଶାରେ ଆତ୍ମହତ୍ୟା କରୁଥିବା ଚାଷୀ ମୁଖ୍ୟତଃ ଭାଗଚାଷୀ। ଏମାନେ ହୁଏତ କୃଷି ଶ୍ରମିକ, ନାମମାତ୍ର କିମ୍ବା କ୍ଷୁଦ୍ର ଚାଷୀ। ଏମାନେ ସାହସୀ, କୁଶଳୀ, ପରିଶ୍ରମୀ ଓ ସଫଳ କୃଷି ଉଦ୍ୟୋଗୀ। ଗରିବୀ କାରଣରୁ ଏମାନେ ଅଧିକ ଭାବପ୍ରବଣ। ଅପେକ୍ଷାକୃତ ଭାବେ ଅଧିକ ଭାବପ୍ରବଣ ଚାଷୀ ଅଦିନିଆ ବର୍ଷା, ବାତ୍ୟା, ବନ୍ୟା, ମରୁଡି, ରୋଗ-ପୋକ ଆକ୍ରମଣ, ବିଶେଷକରି ଅମଳ ସମୟରେ ଫସଲ ନଷ୍ଟ ହୋଇଗଲେ ବିବ୍ରତ ହୋଇଉଠେ। ଓଡ଼ିଶାର ଅସ୍ମିତା ଶବ୍ଦକୋଷରେ ଆତ୍ମହତ୍ୟା ମହାପାପ ହୋଇଥିଲେ ହେଁ ଏପରି ଏକ ଚରମ ପଦକ୍ଷେପ ନେଇ ଲକ୍ଷେଜୀବଙ୍କୁ ପୋଷୁଥିବା ଚାଷୀ ନିଜର ପରିବାର ସଦସ୍ୟଙ୍କୁ ଅଧିକ ଅସହାୟତା ଭିତରକୁ ଠେଲିଦିଏ କାହିଁକି?
ପ୍ରଥମ ସମସ୍ୟାଟି ହେଲା ଜଳସେଚନ। ବର୍ଷା ଉପରେ ନିର୍ଭର କରି ଆଉ ଚାଷ କରିବା ସମ୍ଭବ ହେଉ ନଥିଲେ ହେଁ ଆମ ଚାଷୀଭାଇମାନେ ଖରିଫ୍ ଋତୁରେ ସର୍ବାଧିକ ପରିମାଣ ଜମିରେ ଧାନଚାଷ କରୁଛନ୍ତି। ମରୁଡ଼ି ପଡ଼ିଲେ ଅମଳ କମୁଛି। ବର୍ଷାର ଆଗମନ ଓ ପ୍ରସ୍ଥାନ ସମୟ ତଥା ପରିମାଣ ଅନିୟମିତ ହେଉଥିଲେ ବି ଆମେ ଜଳ ଭଣ୍ଡାର, ଜଳର ବିଭିନ୍ନ ଉତ୍ସ, ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥା ସହିତ ପାଣିପମ୍ପ ଗୁଡ଼ିକୁ ସଜାଡୁନାହେଁ। କେନାଲ୍ ଗୁଡ଼ିକ ଭାଙ୍ଗିରୁଜି ଗଲାଣି କିମ୍ବା ପୋତି ହୋଇ ପଡିଲାଣି। ଗ୍ରାମ୍ୟ ପୋଖରୀ, କଟା ଓ ବନ୍ଧ ଗୁଡ଼ିକ ପୋତି ହୋଇଗଲାଣି। ପୂର୍ବଭଳି ଗ୍ରାମବାସୀଙ୍କ ମଧ୍ୟରେ ମେଳ ନଥିବାରୁ ଜଳାଶୟରୁ ପାଣିନେଇ ଫସଲ ବଞ୍ଚାଇବା ସମ୍ଭବ ହେଉନି। କୃଷି ଓ ଜଳସେଚନ ବିଭାଗ ମଧ୍ୟରେ ତାଳମେଳ ରହୁନି। ଓଡ଼ିଶାର ଚାଷୀ ସମ୍ଭାବ୍ୟ ପାଣିପାଗ, ବଜାର ସୂଚନାକୁ ଅଣଦେଖା କରି ଓ ବୈଷୟିକ ପରାମର୍ଶକୁ ଗ୍ରହଣ ନକରି ଧାନଚାଷରେ ମାତିଛି, ଜମିର କିସମ ଅନୁଯାୟୀ ଡାଲି, ତୈଳବୀଜ ଓ ଶ୍ରୀଅନ୍ନ ଫସଲ ତଥା ଫଳଚାଷ ଆଡ଼କୁ ମନବଳାଉ ନାହିଁ।
ଦ୍ୱିତୀୟ ସମସ୍ୟା ହେଲା ପ୍ରଚଳିତ ଆଇନ୍ ଓ ଏହାର କୁପରିଣାମ। ଆମେ ଦେଖିବାକୁ ପାଉଛେ ଯେ, ଓଡ଼ିଶାରେ ଧାନର ବିକ୍ରି ମୂଲ୍ୟ କୁଇଣ୍ଟାଲ୍ ପ୍ରତି ୩,୧୦୦ ଟଙ୍କା ପ୍ରଦାନ କରାଯାଉଥିଲେ ବି ଅନୁପସ୍ଥିତ ଜମିମାଲିକଙ୍କ ବିମୁଖତାରୁ ଅନେକ ଚାଷଜମି ପଡ଼ିଆ ପଡ଼ିଛି। ଭାଗଚାଷୀମାନେ ଜମି ଅଧିକାର କରିନେବା ଆଶଙ୍କାରେ ଜମିମାଲିକମାନେ ନିଜର ଲିଖିତ ଭାବେ ଜମିକୁ ଭାଗ ନଦେଇ, ବରଂ ପଡ଼ିଆ ରଖିବାକୁ ପସନ୍ଦ କରୁଛନ୍ତି। ଭୂମିହୀନ କୃଷିଶ୍ରମିକ, କ୍ଷୁଦ୍ର ଓ ନାମମାତ୍ର ଚାଷୀମାନେ ଜମିମାଲିକଙ୍କ ସହିତ ମୌଖିକ ଚୁକ୍ତି କରି ଚାଷ କରିବାକୁ ବାଧ୍ୟ ହେଉଛନ୍ତି। ସର୍ବନିମ୍ନ ଖର୍ଚ୍ଚକରି ସର୍ବାଧିକ ଉତ୍ପାଦନ ପାଇଁ ଆଗ୍ରହୀ ଭାଗଚାଷୀ ଜମିର ସ୍ୱାସ୍ଥ୍ୟ ବିଷୟରେ ସଚେତନ ନୁହନ୍ତି। ଚାଷ କରୁନଥିଲେ ବି ଜମି ମାଲିକ ନିଜକୁ ଚାଷୀ ବୋଲାଇ ବ୍ୟାଙ୍କ ଓ ସମବାୟ ସମିତିରୁ ସ୍ୱଳ୍ପ ସୁଧରେ କୃଷି ଋଣ ପାଉଥିଲା ବେଳେ, ପ୍ରକୃତ ପକ୍ଷେ ଚାଷ କରୁଥିବା ଚାଷୀ କେବଳ ପ୍ରଚଳିତ ଆଇନ କାରଣରୁ ଋଣ ପାଇବାରୁ ବଞ୍ଚିତ ହେବା ସହିତ ବିଭିନ୍ନ ସରକାରୀ ସହାୟତା, ଫସଲବୀମା କ୍ଷତିପୂରଣ ରାଶି ପାଇ ପାରୁନାହାନ୍ତି। ସେ ନିଜର ଗହଣା ବନ୍ଧାଦେଇ କିମ୍ବା ଉଚ୍ଚ ସୁଧରେ ମହାଜନଠାରୁ ଋଣ କରିବାକୁ ବାଧ୍ୟ ହେଉଛନ୍ତି। ଗତ ୫୦ ବର୍ଷରେ ୪୦ ଥର ପ୍ରକୃତିକ ଦୁର୍ବିପାକ ସାମ୍ନା କରୁଥିବା ଚାଷୀ ଅବା କେତେ ଦୁଃଖ ସହିପାରିବ! ବୋଝ ଉପରେ ନଳିତା ବିଡ଼ା ପରି ଗତ ଖରିଫ୍ ଋତୁର ଅଦିନିଆ ବର୍ଷାରେ ପାଚିଲା ଧାନ ଗଜାହୋଇ ଯାଉଥିବାର ଦେଖି ଅନେକ ଚାଷୀଙ୍କର ହୃଦଘାତରେ ପ୍ରାଣବାୟୁ ଉଡ଼ିଯାଇଛି ଏବଂ କିଛି ଆତ୍ମହତ୍ୟା କରିଛନ୍ତି।
ତୃତୀୟଟି ହେଲା ଋଣଯନ୍ତା। ଓଡ଼ିଶାର ଜଣେ କ୍ଷୁଦ୍ର ଚାଷୀ ନିଜର ଦୁଇ ଏକର ଜମିରେ ଧାନ ଚାଷ କରିବାକୁ ଏକର ପିଛା ତିରିଶ ହଜାର ହାରରେ ଷାଠିଏ ହଜାର ଟଙ୍କା ଋଣ ପାଇ ପାରିବେ। ପାଣିପାଗ ଅନୁକୂଳ ରହିଲେ ଏକର ପିଛା ୩୦ କୁଇଣ୍ଟାଲ୍ ଧାନ ଅମଳ ହେଲେ ସେ ସମୁଦାୟ ୧ ଲକ୍ଷ ୨୬ ହଜାର ଟଙ୍କା ଲାଭ କରିଥାଆନ୍ତେ। ମାତ୍ର ଓଡ଼ିଶାରେ ହାରାହାରି ଅମଳ ପରିମାଣ ମାତ୍ର ୧୫ କୁଇଣ୍ଟାଲ୍। ଏଣୁ ଲାଭ ପରିମାଣ ୬୩ ହଜାରକୁ କମିଯାଏ। ଆମର ଚାଷୀ ବ୍ୟାଙ୍କରୁ ଆଣିଥିବା ସମୁଦାୟ ଋଣ ରାଶିରୁ ଖତ, ସାର କୀଟନାଶକ ନକିଣି, କିଛି ଅଂଶ ଅନ୍ୟ କାମରେ ଲଗାନ୍ତି। ଭଡ଼ାରେ ଟ୍ରାକ୍ଟର ଓ ଅମଳଯନ୍ତ୍ର, ସାର ଓ କୀଟନାଶକ ପ୍ରାୟତଃ ବେପାରୀମାନେ ବାକିରେ ଯୋଗାଇ ଦିଅନ୍ତି। ଅମଳ କମିଗଲେ ବ୍ୟାଙ୍କ, ସମିତି, ଟ୍ରାକ୍ଟର ମାଲିକ ସମେତ ସମସ୍ତ ଋଣଦାତାଙ୍କ ତାଗିଦା କାରଣରୁ ଓ ଏଫ୍ଏକ୍ୟୁ, କଟନୀ-ଛଟନୀ, ମିଲର୍, ଅଭାବୀ ବିକ୍ରିର ଚକ୍ରବ୍ୟୁହ ଚାଷୀକୁ ଋଣଯନ୍ତାରେ ପକାଏ।
ଚତୁର୍ଥଟି ହେଲା ବ୍ୟବସ୍ଥାଗତ ବିଷମତା। ଫସଲବୀମା ନିୟମ ବଡ଼ ଜଟିଳ। ପ୍ରତି ପଞ୍ଚାୟତରେ ବିଗତ ତିନି ବର୍ଷର ହାରାହାରି ଅମଳ ପରିମାଣ ୧୫ କୁଇଣ୍ଟାଲରୁ କମ୍। ଏଣୁ ମିଳୁଥିବା ବୀମା କ୍ଷତିପୂରଣ ପରିମାଣ ସମୁଦ୍ରକୁ ଶଙ୍ଖେ। ଯଦି ବିପର୍ଯ୍ୟୟ କାରଣରୁ ଫସଲ ଉଜୁଡିଯାଏ, ସରକାର ମରୁଡ଼ି ଘୋଷଣା କରନ୍ତି ଓ ବ୍ୟାଙ୍କମାନେ ସ୍ଥିର କରନ୍ତି, ସ୍ୱଳ୍ପ ମିଆଦୀ ଋଣକୁ ଦୀର୍ଘ ମିଆଦୀ କରି ଦିଆଯାଏ। ଟ୍ରାକ୍ଟର କିଣିବା ପାଇଁ ଋଣର ପରିଶୋଧ ମିଆଦ ବଢ଼ାଇ ଦିଆଯାଏ। କିନ୍ତୁ, ଋଣଯନ୍ତାରୁ ମୁକ୍ତି ମିଳେନା। ଟ୍ରାକ୍ଟରର ଜୀବନ କାଳ ସରିଗଲେ ବି ଋଣ ଅନାଦେୟ ରହିଯାଏ, ଏଥିପାଇଁ ଫସଲ ବୀମା କ୍ଷତି ପୂରଣ ଅର୍ଥରୁ ପରିଶୋଧ ବ୍ୟବସ୍ଥା ନଥାଏ। ଆଗାମୀ ବର୍ଷମାନଙ୍କରେ ଫସଲ ଉଜୁଡ଼ି ଗଲେ ସମସ୍ୟା ତିରୋଟ ହୁଏ। ରସାୟନିକ ସାରର ବଜାର ମୂଲ୍ୟ ଉପରେ ସରକାର ନିୟନ୍ତ୍ରଣ ହରାଇ ବସିଥିବାର ଦେଖା ଯାଉଛି। ପାଞ୍ଚ ଏକର ଚାଷ କରୁଥିବା ଚାଷୀ ପରିବାରର ରୋଜଗାର ଚତୁର୍ଥ ଶ୍ରେଣୀ ସରକାରୀ କର୍ମଚାରୀଙ୍କ ମାସିକ ଦରମା ଅପେକ୍ଷା ବହୁତ କମ୍। ଧାନ, ଗହମ ଚାଷକଲେ ଚାଷୀ ଲାଭବାନ୍ ହୁଏନା। ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ କିଷାନ୍ ଯୋଜନାରେ ଚାଷୀ ପିଛା ବାର୍ଷିକ ୧୦ ହଜାର ଟଙ୍କା, ଧାନର ସହାୟକ ମୂଲ୍ୟ ଉପରେ ଇନ୍ପୁଟ୍ ରିହାତି ଯେତେ ମିଳିଲେ ବି ଚାଷୀର ଆର୍ଥିକ ଉନ୍ନତି ଅସମ୍ଭବ। ଏଥିପାଇଁ ପ୍ରତିବର୍ଷ ଋତୁ ଅନୁସାରେ ଅର୍ଥକାରୀ ଫସଲ ସହିତ ଏକାଧିକ ଶସ୍ୟ ଫସଲ ଚାଷ କରିବା ଏବଂ ଆନୁସଙ୍ଗିକ କୃଷିକୁ ମଧ୍ୟ ଆଦରିବାକୁ ହେବ। ଡକ୍ଟର ଏମ୍ ଏସ୍ ସ୍ୱାମୀନାଥନ୍ ରିପୋର୍ଟ ଆଧାରରେ ସରକାର ଅନେକ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ସ୍ଥିର କରୁଛନ୍ତି ଓ ପ୍ରତିବର୍ଷ ବଢ଼ାଇ ଚାଲିଛନ୍ତି। ସମସ୍ତେ ଭାବୁଛନ୍ତି ଯେ, ରିପୋର୍ଟକୁ ସମ୍ପୂର୍ଣ୍ଣ କାର୍ଯ୍ୟକାରୀ କରାଗଲେ ଚାଷୀମାନେ ଲାଭବାନ୍ ହେବେ। ଆମେ ଜାଣି ରଖିବା ଉଚିତ୍ ଯେ, ପ୍ରାୟ ତିରିଶ ବର୍ଷ ତଳର ଏହି ରିପୋର୍ଟ ଏବେ ଅକାମୀ ହୋଇ ସାରିଲାଣି। କୃଷି ଏକ ରାଜ୍ୟ ବିଷୟ ହୋଇଥିବାରୁ ଯେ କୌଣସି ଗୋଟିଏ ରାଜ୍ୟରେ ଚୁକ୍ତିଭିତ୍ତିକ ଚାଷ ସମେତ ପ୍ରତ୍ୟାହୃତ ହୋଇ ଯାଇଥିବା। ଏହା ଫଳପ୍ରଦ ହେଲେ ସମସ୍ତ ରାଜ୍ୟରେ ଆବଶ୍ୟକୀୟ ସଂଶୋଧନ କରି ତିନୋଟି କୃଷି ଆଇନକୁ ପୁନଃ କାର୍ଯ୍ୟକାରୀ କରାଯିବା ଦରକାର। ପ୍ରତିବର୍ଷ ଫସଲର ସହାୟକ ମୂଲ୍ୟ ବଢ଼ାଇ କୃଷକମାରଣ ସହିତ ଖାଉଟିମାରଣ ଯଜ୍ଞରେ ଆମେ ଆଉ କେତେକାଳ ଘିଅ ଢାଳି ଚାଲିଥିବା?
ପଞ୍ଚମ କାରଣ ହେଲା ବଜାର ଅବ୍ୟବସ୍ଥା। ଅନେକ ନିଷ୍ଠା ଓ ପ୍ରତିବଦ୍ଧତାବିହୀନ ମିଶନ ସତ୍ତ୍ୱେ, ଅଭାବୀ ବିକ୍ରି ରହୁଛି, ଆବଶ୍ୟକତା ଅନୁସାରେ ଶୀତଳ ଭଣ୍ଡାର, ଗ୍ରାମୀଣ ଗୋଦାମ ନିର୍ମାଣ ହୋଇନି। ରାସାୟନିକ ସାର, କୀଟନାଶକ ଔଷଧ ଦର ବଢ଼ି ଚାଲିଛି। ସରକାରୀ ଧାର୍ଯ୍ୟ ମୂଲ୍ୟ ଅପେକ୍ଷା ପ୍ରାୟ ଦୁଇ-ତିନିଗୁଣ ଅଧିକ ମୂଲ୍ୟଦେଇ କଳା ବଜାରରୁ ଚାଷୀମାନେ ସାର କିଣିବାକୁ ବାଧ୍ୟ ହେଉଛନ୍ତି। ପାଚନଶୀଳ ପାରିବା ଓ ଫଳର ମୂଲ୍ୟ ନିର୍ଦ୍ଧାରଣ କରୁଛନ୍ତି ବେପାରୀ। ଚାଷୀ ଅସହାୟ।
ଏ ସବୁର ସମାଧାନ ପାଇଁ ଆମକୁ ପ୍ରଥମେ ଜଳସେଚନ ବ୍ୟବସ୍ଥାକୁ ବଢ଼ାଇବାକୁ ପଡ଼ିବ। ଗ୍ରାମ ସଭାରେ ଫସଲ ପର୍ଯ୍ୟାୟ ସ୍ଥିର କରିବେ କୃଷି ଓ ଜଳସେଚନ ବିଭାଗ। କୃଷି ଓ ଉଦ୍ୟାନ ବିଭାଗର ନିର୍ଦ୍ଦେଶକ ଭାବେ ଅଭିଜ୍ଞ କୃଷି ବୈଷୟିକ ବ୍ୟକ୍ତି ହିଁ ରହିବେ। ସଚିବ ସ୍ତରରେ ସର୍ବଭାରତୀୟ ପ୍ରଶାସନିକ ଅଧିକାରୀ ରହିଲେ ଅସୁବିଧା ହେବନି। ରାଜ୍ୟରେ ନିୟମିତ ବ୍ୟବଧାନରେ ଭୂସଂସ୍କାର ଓ ବନ୍ଦୋବସ୍ତ କରାଯାଇ ଭାଗଚାଷୀଙ୍କ ସ୍ୱାର୍ଥରକ୍ଷା ପାଇଁ ଆଇନ୍ ଆସିବା ଦରକାର, ଯେପରି ସେମାନେ ସଂସ୍ଥାଗତ କୃଷି ଋଣ ପାଇ ପାରିବେ। ଋଣଛାଡ଼ ଭଳି ରାଜନୈତିକ ପଦକ୍ଷେପ ବଦଳରେ କୃତ୍ରିମ ଉପଗ୍ରହ ତଥ୍ୟ, ଅମଳ ମୂଲ୍ୟାୟନ ଏବଂ କୃତ୍ରିମ ବୁଦ୍ଧିମତ୍ତା ବ୍ୟବହାର କରି ଗ୍ରାମସଭାରେ କ୍ଷେତ ପିଛା କ୍ଷତିପୂରଣ ପରିମାଣ ସ୍ଥିର କରାଯିବା ଉଚିତ। କ୍ଷତିଗ୍ରସ୍ତ ଚାଷୀ ନେଇଥିବା ଦୀର୍ଘମିଆଦୀ ଋଣ ଯଥା: କୂପ ଖନନ, କୃଷି ଯନ୍ତ୍ରପାତି କ୍ରୟ, ଭୂଉନ୍ନୟନ ଭଳି ପ୍ରକଳ୍ପଋଣର କିସ୍ତିକୁ କ୍ଷତିପୂରଣ ଭାବେ ସରକାର ସିଧାସଳଖ ବ୍ୟାଙ୍କଖାତାରେ ଜମା କରିଦେବା ଦରକାର।
ଫସଲ ଉତ୍ପାଦନ ଏକ ଜାତୀୟ ଆବଶ୍ୟକତା। ଚାଷୀ ଆତ୍ମହତ୍ୟା ପ୍ରସଙ୍ଗକୁ ନେଇ ରାଜନୈତିକ ରୁଟି ସେକା ଯାଉଥିଲେ ବି ଏହା ଏକ ସାମାଜିକ, ଆର୍ଥିକ ଓ କୃଷି ବୈଷୟିକ ସମସ୍ୟା। ତିନୋଟି କୃଷି ଆଇନ ପ୍ରତ୍ୟାହାର ହେବା ପରଠାରୁ କୃଷି ଓ କୃଷକ କଲ୍ୟାଣ ପାଇଁ କିଛି ବି ଆଇନ ଆସିନାହିଁI କୌଣସି ରାଜନୈତିକ ଦଳ ପକ୍ଷରୁ ଏଥିପାଇଁ ଗ୍ରହଣଯୋଗ୍ୟ ପ୍ରସ୍ତାବ ମଧ୍ୟ ଆସୁନାହିଁI ଯେଉଁଦିନ ଚାଷୀମାନେ ଅନୁଭବ କରିବେ ଯେ, ଆମେ ତାଙ୍କ ସହିତ ଅଛେ, ସେମାନେ ଆତ୍ମହତ୍ୟା ନକରି ସମ୍ମାନ ସହିତ ବଞ୍ଚିରହି ଲକ୍ଷେ ଜୀବଙ୍କୁ ଆହାର ଦେବାର ଆତ୍ମପ୍ରତ୍ୟୟ ଖୋଜି ପାଇବେ।
ଫୋ- ୯୪୩୮୨୯୯୦୩୭
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।