- ଭାଲଚନ୍ଦ୍ର ଷଡ଼ଙ୍ଗୀ
୨୦୨୨ ଫେବୃଆରୀ ପହିଲାରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୨-୨୩ ଆର୍ଥିକ ବର୍ଷର ବଜେଟକୁ ସଂସଦରେ ଉପସ୍ଥାପିତ କରିଛନ୍ତି। ଦେଶରେ ଅଭୂତପୂର୍ବ ବେରୋଜଗାରୀ ସାଙ୍ଗକୁ କରୋନା ମହାମାରୀ ଯୋଗୁଁ ସାଧାରଣ ଜନତାଙ୍କ ଅର୍ଥନୀତି ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଥିବାରୁ ଚଳିତ ବଜେଟ୍ ପ୍ରତି ଦେଶବାସୀଙ୍କ ମନରେ ଅନେକ ଆଶା ଓ ବିଶ୍ୱାସ ରହିଥିଲା। ବିଶେଷ କରି କେନ୍ଦ୍ର ସରକାରଙ୍କ ତିନୋଟି କୃଷି ଆଇନର ପ୍ରତ୍ୟାହାର ଏବଂ ଏମ୍ଏସ୍ପି ନେଇ ଆଇନ ପ୍ରଣୟନ କରିବା ଦାବୀରେ ଗତ ଏକବର୍ଷ ଧରି କୃଷକମାନଙ୍କ ଅଭୂତପୂର୍ବ ଆନ୍ଦୋଳନ ତଥା ଉତ୍ତର ପ୍ରଦେଶ ସମେତ ୫ଟି ରାଜ୍ୟର ଆସନ୍ନ ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ସରକାର ନିଜର ବିଶ୍ୱସନୀୟତାକୁ ବଢ଼ାଇବାକୁ ବଜେଟରେ କୃଷକଙ୍କ ପାଇଁ କିଛି ଆଖିଦୃଶିଆ ଘୋଷଣା କରିବେ ବୋଲି ଆଶା କରାଯାଉଥିଲା। କିନ୍ତୁ ସରକାରଙ୍କ ଚଳିତ ବଜେଟ୍ ଦେଶର ଅନ୍ନଦାତା କୁହାଯାଉଥିବା କୃଷକମାନଙ୍କୁ କେବଳ ନିରାଶ କରିନାହିଁ ବରଂ ଏକରକମ ପ୍ରତାରିତ କରିଛି ବୋଲି ବି କୁହାଯାଇପାରେ।
କ୍ଷମତାକୁ ଆସିବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଓ ତାଙ୍କ ଦଳ ଦେଶରେ କୃଷି ସଙ୍କଟର ସମାଧାନ ସହ ସ୍ୱାମୀନାଥନ କମିଶନଙ୍କ ସୁପାରିଶ ଅନୁଯାୟୀ କୃଷକଙ୍କୁ ସେମାନଙ୍କ ଫସଲର ଉତ୍ପାଦନ ଖର୍ଚ୍ଚର ଦେଢ଼ଗୁଣ ମୂଲ୍ୟ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ୨୦୧୬ ଫେବୃଆରୀ ୨୮ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ବକ୍ତବ୍ୟରେ ୨୦୨୨ ସୁଦ୍ଧା ଦେଶର କୃଷକମାନଙ୍କ ଆୟକୁ ଦ୍ୱିଗୁଣିତ କରିବାକୁ ଘୋଷଣା କରିଥିଲେ। କେବଳ ତାହା ନୁହେଁ, ତା’ ପରଠାରୁ ଗତ ଛଅ ବର୍ଷ ଧରି ପ୍ରତ୍ୟେକଟି ବଜେଟ୍ ଭାଷଣରେ ଦେଶର ଅର୍ଥମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ଘୋଷଣାକୁ ବାରମ୍ବାର ଦୋହରାଇ ୨୦୨୨ ସୁଦ୍ଧା କୃଷକଙ୍କ ଆୟକୁ ଦ୍ୱିଗୁଣିତ କରିବାକୁ ତାଙ୍କ ସରକାର ବଦ୍ଧ ପରିକର ଏବଂ ସେ ଦିଗରେ କାର୍ଯ୍ୟରତ ବୋଲି ଦମ୍ଭୋକ୍ତି ପ୍ରକାଶ କରି ଆସିଛନ୍ତି। କିନ୍ତୁ ଆଶ୍ଚର୍ଯ୍ୟର କଥା, ଚଳିତ ବର୍ଷ ଯେତେବେଳେ ନିଜର ଉପରୋକ୍ତ ଲକ୍ଷ୍ୟକୁ ହାସଲ କରି ଦେଖାଇବାର ସମୟ ଆସିଲା, ସେତେବେଳେ ସରକାର ନିଜର ସେହି ଘୋଷଣାକୁ ହିଁ ଏକଦମ୍ ଭୁଲିଗଲେ। ଚଳିତ ବର୍ଷ ଅର୍ଥମନ୍ତ୍ରୀଙ୍କ ବଜେଟ୍ ଭାଷଣରେ କିମ୍ବା ବଜେଟ୍ ଦଲିଲରେ କୃଷକଙ୍କ ଆୟକୁ ଦ୍ୱିଗୁଣିତ କରିବା ସମ୍ପର୍କରେ ପଦୁଟିଏ ବି ଉଲ୍ଲେଖ ନଥିବା ଦେଖିବାକୁ ମିଳିଲା। ମୋଦି ସରକାରଙ୍କ ଅନ୍ୟାନ୍ୟ ଘୋଷଣା ପରି କୃଷକଙ୍କ ଆୟକୁ ଦ୍ୱିଗୁଣିତ କରିବାର ଦମ୍ଭୋକ୍ତିଟି ବି ଶେଷରେ ଏକ ବଡ଼ ଜୁମଲାରେ ପରିଣତ ହୋଇଯାଇଛି।
ଅକ୍ସଫାମ୍ ସଂସ୍ଥାର ଅଧ୍ୟୟନ ଅନୁଯାୟୀ କୋଭିଡ଼ ମହାମାରୀ ଯୋଗୁଁ ଦେଶର ୮୪% ଜନତାଙ୍କ ଆୟ ହ୍ରାସ ପାଇଛି। ରୋଜଗାର ଅଭାବରୁ ଗ୍ରାମାଂଚଳର ଅଧିକାଂଶ ଲୋକ ପୂର୍ବାପେକ୍ଷା ଅଧିକ ଦାରିଦ୍ର୍ୟ ଓ ଅନାହାରର ସମ୍ମୁଖୀନ ହୋଇଛନ୍ତି। ଗ୍ରାମାଞ୍ଚଳରେ ଚାହିଦା କମିଛି। ଏଭଳି ପରିସ୍ଥିତିରେ ସରକାର ଦେଶର ଗ୍ରାମାଞ୍ଚଳର ବିଶେଷ କରି କୃଷିକ୍ଷେତ୍ରରେ ଯେଉଁ ସଙ୍କଟ ଦେଖାଦେଇଛି ତାକୁ ହୃଦୟଙ୍ଗମ କରି ସେଥିରେ ବ୍ୟୟବରାଦକୁ ବଢ଼େଇ ସେମାନଙ୍କ ଆୟବୃଦ୍ଧି ପାଇଁ ଅନେକ କିଛି କରିବାର ଥିଲା। କିନ୍ତୁ ଚଳିତ ବଜେଟକୁ ଅନୁଶୀଳନ କଲେ ସରକାର କୃଷକ ଓ ଗ୍ରାମାଂଚଳର ସମସ୍ୟା ପ୍ରତି କେତେ ସମ୍ବେଦନହୀନ ତାହା ସ୍ପଷ୍ଟ ଭାବେ ପ୍ରମାଣିତ ହେଉଛି। ବୋଧହୁଏ, ଆନ୍ଦୋଳନ ଜରିଆରେ ତିନି କୃଷି ଆଇନକୁ ପ୍ରତ୍ୟାହାର କରିବାକୁ ସରକାରଙ୍କୁ ବାଧ୍ୟ କରିଥିବା ଦେଶର ଅନ୍ନଦାତାମାନଙ୍କୁ ଶିକ୍ଷା ଦେବା ଲାଗି ସରକାର ପ୍ରତିଶୋଧ ପରାୟଣ ହୋଇ ଏଭଳି ଏକ ସମ୍ବେଦନହୀନ ବଜେଟ ଆଣିଛନ୍ତି ବୋଲି ମନେ ହେଉଛି।
ମୋଦି ସରକାର ପୂର୍ବ ବର୍ଷମାନଙ୍କ ପରି ଚଳିତ ବଜେଟରେ ମଧ୍ୟ ନିଜର କର୍ପୋରେଟ୍ ସପକ୍ଷବାଦୀ ଓ କୃଷକ ବିରୋଧି ଆଭିମୁଖ୍ୟକୁ ଅବ୍ୟାହତ ରଖିଛନ୍ତି। ବଜେଟରେ କୃଷି ଓ ଗ୍ରାମାଞ୍ଚଳର ବିକାଶ ପାଇଁ ବ୍ୟୟବରାଦକୁ ପୂର୍ବବର୍ଷ ତୁଳନାରେ ହ୍ରାସ କରାଯାଇଛି। କୃଷି ବାବଦରେ ବ୍ୟୟବରାଦଟି ଚଳିତ ବର୍ଷ ପ୍ରାୟତଃ ସ୍ଥିର ରହିଛି। ୨୦୨୧-୨୨ରେ ଏ ବାବଦ ବ୍ୟୟବରାଦ ୧,୪୭,୦୦୦ କୋଟି ଟଙ୍କା ହୋଇଥିବା ବେଳେ ୨୦୨୨-୨୩ରେ ଏହା ୧,୫୧,୦୦୦ କୋଟି ଟଙ୍କା ହୋଇଛି। ବଜାରର ଦରବୃଦ୍ଧିକୁ ଦେଖିଲେ ଅନୁଦାନ ବୃଦ୍ଧି ନୁହେଁ ବରଂ ହ୍ରାସ ହୋଇଛି ବୋଲି କୁହାଯାଇପାରେ। ଗତବର୍ଷ କୃଷି କ୍ଷେତ୍ରର ଅବଦାନ ଜିଡ଼ିପିର ୪.୨୬% ଥିବା ବେଳେ ଚଳିତ ବର୍ଷ ତାକୁ ୩.୮୪%କୁ ହ୍ରାସ କରାଯାଇଛି। ସେହିପରି ଗ୍ରାମ୍ୟ ଉନ୍ନୟନ ବାବଦରେ ବ୍ୟୟବରାଦକୁ ଗତବର୍ଷର ୫.୫୯%ରୁ ଚଳିତ ବର୍ଷ ୫.୨୩%କୁ ହ୍ରାସ କରାଯାଇଛି। ଗତବର୍ଷ ୨,୦୬,୯୪୮ କୋଟି ବ୍ୟୟ କରାଯାଇଥିବା ବେଳେ ଚଳିତ ବର୍ଷ ୬୫୫ କୋଟି ହ୍ରାସ କରି ୨,୦୬,୨୯୩ କୋଟି କରାଯାଇଛି।
ସରକାରଙ୍କ ବହୁ ପ୍ରଚାରିତ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ମଧ୍ୟ ବ୍ୟୟବରାଦକୁ ବଢ଼ାଇବା ବଦଳରେ ହ୍ରାସ କରାଯାଇଛି। ଗତବର୍ଷ ତାହା ୧୬,୦୦୦ କୋଟି ଟଙ୍କା ଥିବା ବେଳେ ଚଳିତ ବଜେଟରେ ତାହା ୧୫,୫୦୦ କୋଟିକୁ ହ୍ରାସ ପାଇଛି। ସେହିପରି ଦେଶରେ କୃଷି ପାଇଁ ଜଳସେଚନ, ଶୀତଳ ଭଣ୍ଡାର, ବଡ଼ ବଡ଼ ଗୋଦାମ, ଗ୍ରାମାଞ୍ଚଳକୁ ପକ୍କାରାସ୍ତା, ବିଦ୍ୟୁତ୍, ଗଭୀର ନଳକୂପ, ସରକାରୀ ମଣ୍ଡି ବ୍ୟବସ୍ଥା ପରି ଭିତ୍ତିଭୂମିର ଅଭାବ ଆଦି କୃଷି ବିକାଶରେ ବାଧକ ହୋଇଆସିଛି। ଗ୍ରାମାଞ୍ଚଳରେ ଆବଶ୍ୟକୀୟ ଶୀତଳ ଭଣ୍ଡାରର ବ୍ୟବସ୍ଥା ନଥିବାରୁ ବାର୍ଷିକ ଦୁଇ ଲକ୍ଷ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଫଳ, ପନିପରିବା ଓ ଖାଦ୍ୟଶସ୍ୟ ନଷ୍ଟ ହେଉଛି। କିନ୍ତୁ ପରିତାପର ବିଷୟ ସରକାର ଚଳିତ ବଜେଟରେ ଜଳସେଚନ କିମ୍ବା ଶୀତଳଭଣ୍ଡାର ପରି କୌଣସି ବି କୃଷି ଭିତ୍ତିଭୂମିର ବିକାଶ ପାଇଁ ଟଙ୍କାଟିଏ ବି ବ୍ୟୟବରାଦ କରିନାହାନ୍ତି।
କୃଷକଙ୍କୁ ଆବଶ୍ୟକୀୟ ସାର ଯୋଗାଇବାରେ ସରକାରଙ୍କ ବିଫଳତା ଲାଗି ଦେଶରେ ଗତକିଛି ବର୍ଷ ହେଲା ସାର ସଙ୍କଟ ଦେଖାଦେଇଥିବା ବେଳେ ସରକାର ଚଳିତ ବଜେଟରେ ସାର ବାବଦରେ ଦେଉଥିବା ସବ୍ସିଡ଼ି ହ୍ରାସ କରିବାକୁ ଯେଉଁ ଘୋଷଣା କରିଛନ୍ତି ତାହା ବେଡ଼ି ଉପରେ କୋରଡ଼ା ମାଡ଼ ପରି ହୋଇଛି। ସରକାର ସାର ସବ୍ସିଡ଼ି ବାବଦରେ ଗତବର୍ଷ ୧,୪୦,୧୨୨ କୋଟି ଟଙ୍କା ଖର୍ଚ୍ଚ କରିଥିବା ବେଳେ ଚଳିତ ବଜେଟରେ ତାକୁ ୧,୦୫,୨୨୨ କୋଟିକୁ ହ୍ରାସ କରିଛନ୍ତି। ସେଥିମଧ୍ୟରୁ ୟୁରିଆ ସାର ପାଇଁ ଗତବର୍ଷ ତୁଳନାରେ ୧୭% କମାଇ ୬୩,୨୨୨.୩୨ କୋଟି ଟଙ୍କା ବ୍ୟୟବରାଦ କରିଥିବା ବେଳେ ଏନ୍ପିକେ ସାରରେ ୩୫% କମାଇ ମାତ୍ର ୪୨,୦୦୦ କୋଟି ବରାଦ କରିଛନ୍ତି। ସରକାରଙ୍କ ଏହି ପଦକ୍ଷେପ ସଙ୍କଟରେ ଥିବା କୃଷିକ୍ଷେତ୍ରକୁ ଆହୁରି ପ୍ରଭାବିତ କରିବ। ଏହା ସାରକୁ ଅଧିକ ମହଙ୍ଗା କରି କୃଷକଙ୍କ ଉତ୍ପାଦନ ଖର୍ଚ୍ଚକୁ ବଢ଼ାଇବା ସହ ଆବଶ୍ୟକ ସ୍ଥଳେ ସେମାନଙ୍କ ପହଞ୍ଚରୁ ବାହାର କରିଦେବାର ସମ୍ଭାବନା ରହିଛି।
କୃଷକମାନେ ନିଜର ଆୟବୃଦ୍ଧିକୁ ନିଶ୍ଚିତ କରିବା ପାଇଁ ସ୍ୱାମୀନାଥନ୍ କମିଶନଙ୍କ ସୁପାରିଶ ଅନୁଯାୟୀ ଫସଲର ସର୍ବନିମ୍ନ ସମର୍ଥନ ମୂଲ୍ୟ ବା ଏମ୍ଏସ୍ପି ଧାର୍ଯ୍ୟ କରିବାକୁ ତଥା ତାକୁ ସୁନିଶ୍ଚିତ କରିବା ନିମନ୍ତେ ଆଇନ ପ୍ରଣୟନ କରିବାକୁ ଦାବି କରି ଆସିଛନ୍ତି। ଦେଶରେ ଏମଏସ୍ପିକୁ ନେଇ ଏତେ ଆନ୍ଦୋଳନ ସତ୍ତ୍ୱେ ସରକାର ଚଳିତ ବଜେଟରେ ସେ ସମ୍ପର୍କରେ କୌଣସି ବଡ଼ ଘୋଷଣା ତ କରିନାହାନ୍ତି, ବରଂ ସେହି ବାବଦରେ କରୁଥିବା ବ୍ୟୟବରାଦକୁ ପୂର୍ବାପେକ୍ଷା ହ୍ରାସ କରିଛନ୍ତି। ଗତବର୍ଷ ଏମ୍ଏସ୍ପି ବାବଦରେ ସରକାର ୨.୪୨ ଲକ୍ଷ କୋଟି ଟଙ୍କା ବିନିଯୋଗ କରିଥିବା ବେଳେ ଚଳିତ ବର୍ଷ ବଜେଟରେ ତାକୁ ୨.୩୭ ଲକ୍ଷ କୋଟିକୁ କମାଇଛନ୍ତି। ଅର୍ଥମନ୍ତ୍ରୀ ତାଙ୍କ ଭାଷଣରେ ଚଳିତ ବର୍ଷ ଧାନ ଓ ଗହମକୁ ଏମ୍ଏସ୍ପି ଜରିଆରେ ସଂଗ୍ରହ କରିବାର ଯେଉଁ ପରିସଂଖ୍ୟାନ ଦେଇଛନ୍ତି, ତାହା ଗତବର୍ଷ ତୁଳନାରେ କମ୍ ରହିଥିବା ଜଣାପଡ଼ିଛି। ୨୦୨୧-୨୨ରେ ସରକାର ଏମ୍ଏସ୍ପି ଜରିଆରେ ୧୬.୩ ନିୟୁତ କୃଷକଙ୍କ ୧୨୦.୮ ନିୟୁତ ଟନ୍ ଧାନ ଓ ଗହମର ସଂଗ୍ରହ କରିଥିବା ଦାବି କରିଥିବା ବେଳେ ତା ପୂର୍ବ ଅର୍ଥାତ୍ ୨୦୨୦-୨୧ରେ ୧୯.୭ ନିୟୁତ କୃଷକଙ୍କ ୧୨୮.୬ ନିୟୁତ ଟନ୍ ଧାନ ଓ ଗହମ ସଂଗ୍ରହ ହୋଇଥିବା ଜଣାପଡ଼ିଛି। ଅର୍ଥାତ୍ ଗତବର୍ଷ ତୁଳନାରେ ୧୭% କମ୍ କୃଷକଙ୍କ ତଥା ୭% କମ୍ ଖାଦ୍ୟଶସ୍ୟ ସଂଗ୍ରହ ହୋଇଛି।
ସରକାରଙ୍କ ବହୁ ପ୍ରଚାରିତ ପିଏମ୍-କିଷାନ୍ ଯୋଜନା ବି ସରକାରୀ ଅଣଦେଖାର ଶିକାର ହୋଇଛି। ଗତ ସାଧାରଣ ନିର୍ବାଚନର ଠିକ୍ ପୂର୍ବରୁ ଅର୍ଥାତ୍ ୨୦୧୯-୨୦ ବଜେଟରେ ଆରମ୍ଭ ହୋଇଥିବା ଏହି ଯୋଜନାର ବ୍ୟୟବରାଦ ବଢ଼ିବା ପରିବର୍ତ୍ତେ ଗତ ତିନି ବର୍ଷ ରହି ସ୍ଥିର ରହିଛି। ଯଦି ୨୦୧୯ଠାରୁ ଦରବୃଦ୍ଧିକୁ ହିସାବ କରାଯାଏ ତାହେଲେ, ୨୦୨୧ ଡିସେମ୍ବର ସୁଦ୍ଧା ଏହାର ପ୍ରକୃତ ମୂଲ୍ୟରେ ୧୫.୫% ହ୍ରାସ ଘଟିଛି। ସରକାରଙ୍କ ଭାବାନ୍ତର ଯୋଜନା (ଏମଆଇସ-ପିଏସଏସ)ରେ ଗତବର୍ଷର ୩୯୫୯.୬୧ କୋଟିକୁ ୬୨% ହ୍ରାସ କରି ଚଳିତ ବର୍ଷ ମାତ୍ର ୧୫୦୦ କୋଟି ବ୍ୟୟବରାଦ କରାଯାଇଥବବା ବେଳେ ପ୍ରଧାନମନ୍ତ୍ରୀ ଅନ୍ନଦାତା ଆୟ ସଂରକ୍ଷଣ ଅଭିଯାନ (ପିଏମ-ଆଶା) ଯୋଜନାରେ ଗତବର୍ଷ ଦିଆଯାଇଥିବା ୪୦୦ କୋଟିରୁ ଚଳିତ ବର୍ଷ ମାତ୍ର ଏକ କୋଟି ଟଙ୍କାକୁ ହ୍ରାସ କରାଯାଇଛି।
ଚଳିତ ବଜେଟରେ ମୋଦି ସରକାରଙ୍କ ଅଣଦେଖାର ଅନ୍ୟତମ ଶିକାର ହେଇଛି ମନରେଗା ଯୋଜନା। ମନରେଗା ବାବଦରେ ଗତବର୍ଷ ୯୮,୦୦୦ କୋଟି ଟଙ୍କା ବିନିଯୋଗ ହୋଇଥିବା ବେଳେ ଚଳିତ ବର୍ଷ ବଜେଟରେ ମାତ୍ର ୭୩,୦୦୦ କୋଟି ବ୍ୟୟବରାଦ କରାଯାଇଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ମନରେଗା ବାବଦରେ ସରକାରଙ୍କ ଉପରୋକ୍ତ ଅନୁଦାନ ଗତବର୍ଷ ପ୍ରଥମ ଆଠ ମାସ ମଧ୍ୟରେ ହିଁ ଶେଷ ହୋଇଯାଇଥିଲା। ଓଡ଼ିଶା ସମେତ ଦେଶର ଅଧିକାଂଶ ରାଜ୍ୟରେ ଗତ ଚାରିମାସ ଧରି ମନରେଗା ଯୋଜନା ବନ୍ଦ ରହିଛି ଏବଂ ଶ୍ରମିକମାନଙ୍କ ହଜାର ହଜାର କୋଟି ଟଙ୍କାର ମଜୁରୀ ବାକି ରହିଛି। ଓଡ଼ିଶାରେ ଏହି ବକେୟା ମଜୁରୀର ପରିମାଣ ହଜାରେ କୋଟିରୁ ଅଧିକ ଥିବା ଜଣାପଡ଼ିଛି। ଚଳିତ ବର୍ଷର ଅନୁଦାନର ପ୍ରାୟ ୨୦% କେବଳ କେବଳ ବକେୟା ଦେୟ ବାବଦରେ ଯିବାକୁ ଥିବା ବେଳେ ଅର୍ଥମନ୍ତ୍ରୀ ବଜେଟରେ ମନରେଗା ବାବଦରେ ଅନୁଦାନକୁ ବଢ଼ାଇବା ପରିବର୍ତ୍ତେ ୨୫% ହ୍ରାସ କରିବା ଦୁର୍ଭାଗ୍ୟଜନକ।
ଗ୍ରାମାଞ୍ଚଳର ୭୫ ଭାଗ ଲୋକଙ୍କୁ ଶସ୍ତାରେ ଖାଦ୍ୟଶସ୍ୟ ଯୋଗାଉଥିବା ସରକାରଙ୍କ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ବାବଦରେ ବି ଚଳିତ ବଜେଟରେ ବ୍ୟାପକ ଖର୍ଚ୍ଚକାଟ କରାଯାଇଛି। ଗତବର୍ଷ ସରକାର ଏଥିପାଇଁ ୨,୯୯,୩୫୪.୬ କୋଟି ଟଙ୍କା ବ୍ୟୟବରାଦ କରିଥିବା ବେଳେ ଚଳିତ ବର୍ଷ ତାହା ୨,୦୭,୨୯୧.୧ କୋଟିକୁ ହ୍ରାସ କରିଛନ୍ତି। ସେହିପରି ୬-୧୪ ବର୍ଷ ପିଲାଙ୍କ ପାଇଁ ମଧ୍ୟାହ୍ନ ଭୋଜନ ଏବଂ ୬ ବର୍ଷରୁ କମ୍ ପିଲାଙ୍କ ପାଇଁ ଉଦ୍ଦିଷ୍ଟ ‘ପୋଷଣ’ ଯୋଜନାରେ ବି ସରକାର ଗତବର୍ଷ ୨୦,୨୬୩ କୋଟି ବ୍ୟୟବରାଦ କରିଥିବା ବେଳେ ଚଳିତ ତାକୁ ୨୦,୦୦୦ କୋଟିକୁ ହ୍ରାସ କରିଛନ୍ତି। ବିଶ୍ୱ କ୍ଷୁଧା ସୂଚକାଙ୍କରେ ଆମଦେଶ ଲଗାତାର ଭାବେ ତଳେ ରହୁଥିବା ବେଳେ ଏବଂ କୋଭିଡ଼ ତଥା ଲକଡ଼ାଉନ୍ ଜନିତ ଆୟହ୍ରାସ ଯୋଗୁଁ ଅଧିକରୁ ଅଧିକ ଭାରତୀୟଙ୍କ ଖାଦ୍ୟ ସୁରକ୍ଷା ବିପନ୍ନ ହୋଇଥିବା ବେଳେ ଖାଦ୍ୟ ସୁରକ୍ଷା ବାବଦରେ ବ୍ୟୟହ୍ରାସ କରିବା, ସରକାରଙ୍କ ସମ୍ବେଦନହୀନତାକୁ ହିଁ ବୁଝାଉଛି।
ଶେଷରେ ଏତିକି କୁହାଯାଇପାରେ ଯେ ସରକାରଙ୍କ ବହୁ ପ୍ରତୀକ୍ଷିତ ବଜେଟ୍, ଦେଶର ଗ୍ରାମାଞ୍ଚଳର ତଥା କୃଷିର ବାସ୍ତବ ପରିସ୍ଥିତିକୁ ବୁଝିବାରେ ତଥା ତା’ର ପ୍ରତିକାର ପାଇଁ ପଦକ୍ଷେପ ନେବାରେ ଏକଦମ୍ ବିଫଳ ହୋଇଛି। ଦେଶର ସର୍ବାଧିକ ଲୋକ ନିର୍ଭର କରୁଥିବା କୃଷି ଏବଂ ଅନ୍ନଦାତାଙ୍କ ପ୍ରତି ଯେ ପ୍ରତାରଣା କରାଯାଇଛି, ଏକଥା ଏ ବଜେଟ ଦେଖିଲେ ସ୍ପଷ୍ଟ ବୁଝହେଉଛି।
ଫୋନ ନଂ - ୯୪୩୭୧୬୬୩୯୧
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।