/odisha-reporter/media/post_attachments/uploadimage/library/16_9/16_9_0/Onion_1712576431.jpg)
Onion
ଜାନକୀଶ ବଡ଼ପଣ୍ଡା
ପିଆଜ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା ଏକ ବଳକା ରାଜ୍ୟ ଭାବେ ପରିଗଣିତ I କେବଳ ଉତ୍ପାଦିତ ପିଆଜର ସଂରକ୍ଷଣ ଓ ପରିଚାଳନା କ୍ଷେତ୍ରରେ ତ୍ରୁଟିବିଚ୍ୟୁତି କାରଣରୁ ଓଡ଼ିଶା ନିର୍ଭର କରିବାକୁ ବାଧ୍ୟ ହେଉଛି ମହାରାଷ୍ଟ୍ର, ଆନ୍ଧ୍ର ସମେତ ଅନ୍ୟ ରାଜ୍ୟମାନଙ୍କ ଉପରେ। ଗତବର୍ଷ ଓଡ଼ିଶାରେ ଉତ୍ପାଦିତ ପିଆଜକୁ ଚାଷୀମାନେ କେଜି ପ୍ରତି ୫ରୁ ୧୦ ଟଙ୍କା ଦରରେ ବେପାରୀଙ୍କ ହାତରେ ଟେକି ଦେଇ ପରବର୍ତ୍ତୀକାଳରେ କେଜି ପ୍ରତି ୬୦ରୁ ୭୦ଟଙ୍କା ମୂଲ୍ୟଦେଇ ବଜାରରୁ କିଣିବାକୁ ବାଧ୍ୟ ହୋଇଥିଲେ। ଏଭଳି ତିକ୍ତ ଅଭିଜ୍ଞତା ଥିବା ସତ୍ତ୍ୱେ, ଏବର୍ଷ ମଧ୍ୟ ସମାନ ଦୁଃଖଦ ପରିସ୍ଥିତି ଘଟିବାକୁ ଯାଉଛି।
ଓଡ଼ିଶାବାସୀଙ୍କ ବାର୍ଷିକ ପିଆଜ ଚାହିଦା ପ୍ରାୟ ୨ ଲକ୍ଷ ୯୭ ହଜାର ମେଟ୍ରିକ ଟନ୍ ଥିଲାବେଳେ ରାଜ୍ୟରେ କେବଳ ରବି ଋତୁରେ ବାର୍ଷିକ ୩.୯୫ ଲକ୍ଷ ମେଟ୍ରିକ୍ ଟନ୍ରୁ ଅଧିକ ପିଆଜ ଉତ୍ପାଦନ ହୁଏ। ଅମଳ ପରେ ଏହାର ସିଂହଭାଗ ବାହାର ରାଜ୍ୟର ବ୍ୟବସାୟୀମାନେ କିଣି ନେଉଥିବାବେଳେ ନିଜସ୍ୱ ଚାହିଦା ମେଣ୍ଟାଇବା ପାଇଁ ଓଡ଼ିଶାକୁ ବାର୍ଷିକ ୨ ଲକ୍ଷ ମେଟ୍ରିକ୍ ଟନ୍ରୁ ଅଧିକ ପିଆଜ ଆମଦାନୀ କରିବାକୁ ପଡ଼େ। ଅବିଭକ୍ତ କୋରାପୁଟ, ବଲାଙ୍ଗୀର, ଫୁଲବାଣୀ, କଳାହାଣ୍ଡି, ଢେଙ୍କାନାଳ, ସମ୍ବଲପୁର, ସୁନ୍ଦରଗଡ଼, କେନ୍ଦୁଝର ଆଦି ଜିଲ୍ଲାରେ ପିଆଜ ଚାଷ କରାଯାଏ। ଅନ୍ୟ ଜିଲ୍ଲାରେ ବି ଚାଷୀମାନେ ପିଆଜ ଚାଷ କରନ୍ତି।
ମହାରାଷ୍ଟ୍ରର ନାସିକ୍ ଅଞ୍ଚଳରେ ଖରିଫ, ବିଳମ୍ବ ଖରିଫ ଓ ରବି ଏହିପରି ତିନିଟି ଋତୁରେ ଚାଷ କରା ଯାଇଥାଏ। ଓଡ଼ିଶାର କିଛି ପାହାଡ଼ିଆ ଅଞ୍ଚଳରେ ବିଳମ୍ବ ଖରିଫ ଓ ରବି ଏହିପରି ଦୁଇଟି ଋତୁରେ ପିଆଜ ଚାଷ ସମ୍ଭାବନା ରହିଥିଲେ ବି ଏହି ଦିଗରେ ବିଶେଷ ପ୍ରୟାସ କରାଯାଇନି। ରବି ଋତୁରେ ଉତ୍ପାଦିତ ପିଆଜକୁ ସଂରକ୍ଷିତ କରି ରଖିବା ସହିତ ବିଳମ୍ବ ଖରିଫ ଋତୁରେ ପିଆଜ ଚାଷ କରାଗଲେ ଚାଷୀମାନେ ପିଆଜର ଉପଯୁକ୍ତ ମୂଲ୍ୟ ପାଇବା ସହିତ ଖାଉଟୀମାନେ ବି ପିଆଜ ଯନ୍ତ୍ରଣାରୁ ମୁକ୍ତି ପାଆନ୍ତେ।
କଳାହାଣ୍ଡି ଜିଲ୍ଲାରେ ଗଲା ମାସରେ ଅଦିନିଆ ବର୍ଷା ହୋଇଥିଲା। ସେହି କାରଣରୁ ପ୍ରାୟ ୩୦ରୁ ୪୦ ପ୍ରତିଶତ ପିଆଜ ଓ ପନିପରିବା ଚାଷ ନଷ୍ଟ ହୋଇଥିବା ଆଶଙ୍କା କରାଯାଉଛି। ଗତବର୍ଷ ପିଆଜ ମୂଲ୍ୟ କମ୍ ଥିବା ଯୋଗୁଁ ଏବର୍ଷ ପିଆଜ ଚାଷରୁ କଳାହାଣ୍ଡି ଚାଷୀ ମୁହଁ ଫେରାଇ ନେଇଥିଲେ। ତଥାପି ଯେଉଁମାନେ ଚାଷ କରିଥିଲେ ସେମାନେ ଏବର୍ଷ ଅଧା ଅମଳ କରୁଥିବାର ଦେଖାଦେଉଛି। ଓଡ଼ିଶାରେ ପିଆଜ ସାଇତି ରଖିବାକୁ ଆବଶ୍ୟକ ପରିମାଣରେ ସାଇତା ଭଣ୍ଡାର ନଥିବାରୁ ଚାଷୀମାନେ ଅମଳ ପରେ ପରେ ଛତିଶଗଡ଼ ଓ ନାସିକ ଅଞ୍ଚଳର ବ୍ୟବସାୟୀଙ୍କୁ ପିଆଜ ବିକି କରିଦେବାକୁ ବାଧ୍ୟ ହେଉଥିବା ପ୍ରସଙ୍ଗଟି ବହୁ ଆଲୋଚିତ।
ଆନ୍ଧ୍ର ପ୍ରଦେଶ ଓ କର୍ଣ୍ଣାଟକର ଶୁଷ୍କାଞ୍ଚଳରେ ଖରିଫ ପିଆଜ ଚାଷ ହୁଏ, ଯାହା ଅକ୍ଟୋବର ମାସରେ ଅମଳ ହୋଇଥାଏ। ବିଳମ୍ବ ଖରିଫ ପିଆଜ ଚାଷ ମହାରାଷ୍ଟ୍ର ଓ ଅନ୍ୟ କେତେକ ରାଜ୍ୟରେ କରାଯାଇ ଜାନୁଆରୀ ମାସରେ ଅମଳ ହୁଏ। ଖରିଫ ଋତୁର ଦୁଇ ଥରରେ ଉତ୍ପାଦିତ ପିଆଜର ପରିମାଣ ସମଗ୍ର ଉତ୍ପାଦନର ୪୦ ପ୍ରତିଶତ। ମାର୍ଚ୍ଚରୁ ମେ' ମାସ ମଧ୍ୟରେ ଅମଳ ହେଉଥିବା ରବି ଋତୁର ପିଆଜ ପରିମାଣ ୬୦ ପ୍ରତିଶତ। ଖରିଫରେ ଉତ୍ପାଦିତ ପିଆଜ ତୁଳନାରେ ଏଥିରେ ଜଳୀୟ ଅଂଶ କମ; ଏଣୁ, ରବି ପିଆଜକୁ ସାଧାରଣତଃ ଅଧିକ ଦିନ ପାଇଁ ସଂରକ୍ଷିତ କରି ରଖାଯାଏ। ଜୁଲାଇ ପରଠାରୁ ଏହା ସାଇତା ଗୃହରୁ ବଜାରକୁ ବିକ୍ରି ପାଇଁ ଆସିଥାଏ। ଖରିଫ ଓ ବିଳମ୍ବ ଖରିଫ ଋତୁର ପିଆଜ ଅମଳ ହେବା ଯାଏଁ, ଅର୍ଥାତ ଜାନୁଆରୀ ଓ ଫେବୃଆରୀ ମାସରେ ଚାହିଦା ତୁଳନାରେ କମ ପରିମାଣର ପିଆଜ ବଜାରକୁ ଆସୁଥିବାରୁ ପିଆଜର ଦାମ ବଢ଼ିଯାଏ। କୌଣସି କାରଣରୁ ଖରିଫ ପିଆଜର ଅମଳ ହ୍ରାସ ପାଇଲେ ସ୍ଥିତି ଅଧିକ ଜଟିଳ ହୋଇଯାଏ। ମୌସୁମୀ ବର୍ଷା ବିଳମ୍ବିତ ଓ ସ୍ୱଳ୍ପ ହେଲେ କିମ୍ବା ଅତ୍ୟଧିକ ହେଲେ, ଖରିଫ ପିଆଜ ଚାଷ କ୍ଷତିଗ୍ରସ୍ତ ହୁଏ। ଅମଳ ସମୟରେ ଝଡିବର୍ଷା କାରଣରୁ ଜମିରେ ଅମଳ ହେବାକୁ ଥିବା ପିଆଜ ପଚିଯାଇ ପାରେ।
ସାରା ବିଶ୍ୱରେ ୨୦୨୧ ମସିହାରେ ପିଆଜର ବ୍ୟବହାର ମୁଣ୍ଡପିଛା ବାର୍ଷିକ ୧୨.୧ କିଲୋଗ୍ରାମ ଥିବା ବେଳେ ଭାରତରେ ତାହା ୧୬.୩ କିଲୋଗ୍ରାମ, ଯାହା ଥିଲା ସର୍ବାଧିକ। ଲୋକଙ୍କ ରୋଜଗାର ବଢ଼ୁଥିବାରୁ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଜନସାଧାରଣଙ୍କ ଖାଦ୍ୟ ଶୈଳୀରେ ବ୍ୟାପକ ପରିବର୍ତ୍ତନ ଘଟିଛି ଏବଂ ପିଆଜର ବ୍ୟବହାର ଆଶାତୀତ ବୃଦ୍ଧି ପାଇଛି। ଅନ୍ୟ ପକ୍ଷରେ ଜନସଂଖ୍ୟା ବୃଦ୍ଧି ପାଉଥିବାରୁ ପିଆଜର ଚାହିଦା ମଧ୍ୟ ବଢ଼ି ଚାଲିଛି। ଦେଶରେ ଏବେ ୧.୫୪ ନିୟୁତ ହେକ୍ଟର ଜମିରେ ପିଆଜ ଚାଷ କରାଯାଇ ହାରାହାରି ୨୫.୪୫ ନିୟୁତ ଟନ ଅମଳ କରାଯାଉଥିଲା ବେଳେ ଏକ ଆକଳନ ଅନୁସାରେ ଘରୋଇ ବ୍ୟବହାର ଉଦ୍ଦେଶ୍ୟରେ ଏବେ ଦେଶରେ ବାର୍ଷିକ ପ୍ରାୟ ୧୮ ନିୟୁତ ଟନ ପିଆଜର ଆବଶ୍ୟକତା ରହିଛି। ତେଣୁ ଦେଶରେ ଉତ୍ପାଦିତ ପିଆଜର ସଠିକ ପରିଚାଳନା ହୋଇ ପାରିଲେ ତାହା ଏହି ଚାହିଦା ମେଣ୍ଟାଇବାକୁ ସମର୍ଥ ହେବାରେ କୌଣସି ଅସୁବିଧା ରହନ୍ତା ନାହିଁ।
ପିଆଜ ଉତ୍ପାଦନରେ ସମଗ୍ର ବିଶ୍ୱରେ ଚୀନ ପରେ ଭାରତର ସ୍ଥାନ ଦ୍ୱିତୀୟ। ପିଆଜ ଏକ ଅର୍ଥକରୀ ଫସଲ ବୋଲି କୁହା ଯାଉଥିଲେ ମଧ୍ୟ ପିଆଜ ଚାଷୀଟିଏ ତାହାର ଲାଭ ପାଇ ନଥାଏ। ଖାଉଟି ବଜାରରେ ପିଆଜର ଦର ବଢିଲେ ଚାଷୀମାନଙ୍କର କିଛି ଲାଭ ହୋଇ ନଥାଏ, କାରଣ ସେମାନଙ୍କ ନିକଟରେ ପିଆଜ ଗଚ୍ଛିତ ନ ଥାଏ। ବିକ୍ରି ନ ହୋଇ ବେଶି ଦିନ ରଖିଲେ ପଚିସଢ଼ି ଯିବାର ଆଶଙ୍କା ଥିବାରୁ ପିଆଜର ଉତ୍ପାଦନ ଖର୍ଚ୍ଚ କିଲୋଗ୍ରାମ ପିଛା ପ୍ରାୟ ୮ ଟଙ୍କା ହୋଇଥିଲେ ବି ଅମଳ ସମୟରେ ଚାଷୀମାନେ ଅଭାବୀ ବିକ୍ରି କରିବାକୁ ବାଧ୍ୟ ହୋଇଥାନ୍ତି। କେବଳ ଯେଉଁବର୍ଷ ଅତି ଭଲ ଫସଲ ହୁଏ ଚାଷୀ କିଛି ଲାଭ ପାଇଥାଏ। ସଂରକ୍ଷିତ ପିଆଜର ୩୫ ପ୍ରତିଶତ ଯାଏଁ ନଷ୍ଟ ହୋଇ ଯାଉଥିବାରୁ ବେପାରିମାନଙ୍କ ହାତକୁ ଚାଷୀ ପିଆଜ ଫସଲ ଟେକିଦିଏ। ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରୁ ଭାରତର ସବୁଠାରୁ ବଡ଼ ପିଆଜ ମଣ୍ଡି ମହାରାଷ୍ଟ୍ରର ନାସିକ ନିକଟସ୍ଥ ଲସଲଗାଓଁର ମହାଜନଙ୍କ ପିଆଜ ସାଇତା ଗୃହକୁ ପିଆଜ ଯାଏ ଏବଂ ସେଠାରୁ ଦେଶର ବିଭିନ୍ନ ଅଞ୍ଚଳକୁ ପରବର୍ତ୍ତୀ କାଳରେ ପିଆଜ ଚାଲାଣ ହୁଏ।
ପିଆଜ ବ୍ୟବସାୟର ସବୁଠାରୁ ବଡ଼ ପ୍ରତିବନ୍ଧକ ହେଉଛି ଏହା ଏବେ ବି ମୁଷ୍ଟିମେୟ ବଡ଼ ବ୍ୟବସାୟୀଙ୍କ ନିୟନ୍ତ୍ରଣରେ ରହିଛି। ସେମାନେ ସଲାସୁତୁରା କରି ପିଆଜର ଦର ନିୟନ୍ତ୍ରଣ କରିଥାନ୍ତି। ଏ ପର୍ଯ୍ୟନ୍ତ ସରକାର ସେମାନଙ୍କ ଉପରେ ଅଙ୍କୁଶ ଲଗାଇବାକୁ ସମ୍ପୂର୍ଣ୍ଣ ଭାବେ ସମର୍ଥ ହୋଇ ନାହାନ୍ତି। ଆଶାନୁରୂପ କାର୍ଯ୍ୟାନୁଷ୍ଠାନ ଅଭାବରୁ କିଛି ଅସାଧୁ ମହଜୁଦକାରୀ ପିଆଜର ଦର ବୃଦ୍ଧି କରିଥାନ୍ତି। ଏହାଦ୍ୱାରା ଚାଷୀ ଅସହାୟ ହୋଇ ଅଭାବୀ ବିକ୍ରି କରିବାକୁ ବାଧ୍ୟ ହେଉଛି।
୨୦୧୫ ମସିହାରେ ଓଡ଼ିଶା ସରକାର ରାଜ୍ୟରେ ପିଆଜ ଉତ୍ପାଦନ ବୃଦ୍ଧି ଲକ୍ଷ୍ୟ ନେଇ ‘ପିଆଜ ମିଶନ’ ଘୋଷଣା କରିଥିଲେ, ଯେଉଁଥିରେ ଉପଯୁକ୍ତ ସଂରକ୍ଷଣ ପାଇଁ ଅଧିକ ବ୍ୟବସ୍ଥା ହୋଇ ପାରିଥିଲେ ହୁଏତ ଚାଷୀଙ୍କୁ ଏହି ଚାଷ ପ୍ରତି ଆକୃଷ୍ଟ କରି ରଖି ଥାଆନ୍ତା ଓ ଆଜି ଅଧିକ ଜମିରେ ଚାଷ ହେଉ ଥାଆନ୍ତା।ଓଡିଶାରେ ଉତ୍ପାଦିତ ସମସ୍ତ ପିଆଜ ରବି ଋତୁରେ ହେଉଥିବାରୁ ବିଳମ୍ବ ଖରିଫ ପିଆଜ ଚାଷ ପ୍ରତି ଧ୍ୟାନ ଦିଆଗଲେ ତାହା ତିରୋଟ ସମୟରେ ଓଡ଼ିଶାର ଖାଉଟିଙ୍କୁ ଅଳ୍ପ ମୂଲ୍ୟରେ ଯୋଗାଇ ଦିଆ ଯାଇପାରନ୍ତା ଓ ଅନ୍ୟ ରାଜ୍ୟ ଉପରେ ନିର୍ଭରଶୀଳତାକୁ କମାଇ ପାରନ୍ତା। କର୍ଣ୍ଣାଟକ ଭଳି କେବଳ ସ୍ୱତନ୍ତ୍ର କୃଷି ବଜେଟ କରିଦେଲେ ହେବନାହିଁ, ସେଠାକାର ସରକାର ପିଆଜ ଚାଷୀଙ୍କୁ ଦେଉଥିବା ଦର ନ୍ୟୂନତା ପ୍ରଦାନ (ପ୍ରାଇସ ଡେଫିସିଏନ୍ସି ପେମେଣ୍ଟ) ବ୍ୟବସ୍ଥା ଭଳି ଯୋଜନା ପ୍ରଣୟନ କରିବାକୁ ଓଡ଼ିଶା ସରକାର ବିଚାର କରୁନାହାନ୍ତି। ପିଆଜ, ଆଳୁ ଓ ଟମାଟୋ ଭଳି ପଚନଶୀଳ ଅଥଚ ଅର୍ଥକାରୀ ଫସଲ ପାଇଁ ଏମଏସପି ବା ନ୍ୟୁନତମ ସହାୟକ ମୂଲ୍ୟ ଘୋଷଣା ହେଉ ନଥିଲେ ବି ରାଜ୍ୟ ସରକାରମାନେ ଚାଷୀଙ୍କୁ ପ୍ରୋତ୍ସାହିତ କରିବାକୁ ନାନାବିଧ ବ୍ୟବସ୍ଥା ନକଲେ, ଚାଷବାସରୁ ଯୁବଚାଷୀ ମୁହଁ ଫେରାଇନେବେ।
ରାଜ୍ୟ ଓ କେନ୍ଦ୍ର ସରକାର ମିଳିତ ଭାବରେ ଚଳିତ ମାସ ଓ ଆଗାମୀ ଦୁଇମାସ ମଧ୍ୟରେ ଚାଷୀଙ୍କଠାରୁ ସେମାନଙ୍କ ଉତ୍ପାଦିତ ଅନ୍ତତଃ ୨୦ ପ୍ରତିଶତ ପିଆଜ ଲାଭଜନକ ମୂଲ୍ୟରେ ଚାଷୀଙ୍କଠାରୁ କିଣିନେବାକୁ ପଡ଼ିବ। ସଂଗୃହିତ ପିଆଜକୁ ବଫର ଷ୍ଟକ୍ ଭାବେ ସାଇତି ରଖିବାକୁ ପଡ଼ିବ। ଆଗାମୀ ଦିନରେ କୌଣସି ଋତୁରେ ପିଆଜ ଅମଳ କମିଗଲେ ଏହି ବଫର ଷ୍ଟକ୍ରୁ ପିଆଜ ବଜାରକୁ ଛଡ଼ାଯିବ। ଯେଉଁ ବର୍ଷ ଭଲ ଫସଲ ହେବ ସେହି ବର୍ଷ ବଫର ଷ୍ଟକ୍ରେ ସାଇତା ପିଆଜକୁ ରପ୍ତାନି କରିଦିଆଯିବ ଓ ସେହି ସ୍ଥାନରେ ନୂଆ ପିଆଜ କିଣି ବଫର ଷ୍ଟକ୍ ରୂପେ ସାଇତି ରଖି ହେବ। ଏହି ବ୍ୟବସ୍ଥା ସରକାରମାନେ କରୁ ନାହାନ୍ତି। ପିଆଜ ସାଇତା ଭଣ୍ଡାର ନିର୍ମାଣ ପାଇଁ କେନ୍ଦ୍ର ସରକାରଙ୍କ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ମାଧ୍ୟମରେ ଯଥେଷ୍ଟ ଅନୁଦାନ ଆସୁଥିଲେ ମଧ୍ୟ ଓଡ଼ିଶା ରାଜ୍ୟ ସରକାର ତାହା ଉପଯୋଗ କରୁନାହାନ୍ତି। ଜଣେ ପାଇକାରୀ ବ୍ୟବସାୟୀ ୫୦୦ କୁଇଣ୍ଟାଲ ପର୍ଯ୍ୟନ୍ତ ପିଆଜ ନିଜର ଗୋଦାମରେ ରଖିବାକୁ ନିୟମ ରହିଛି, ଯାହାର ପରିମାଣ ଖୁଚୁରା ବ୍ୟବସାୟୀଙ୍କ ପାଇଁ ସର୍ବାଧିକ ୧୦୦ କୁଇଣ୍ଟାଲ। ଏହାକୁ ତନଖି କରାଯାଉନି। ଯୋଗାଣ ବିଭାଗ ପକ୍ଷରୁ ନିୟମିତ ଧରପଗଡ଼ ହେଉଥିଲେ ବଡ଼ ବେପାରି ମନ ଇଚ୍ଛା ପିଆଜ ଦର ବଢାଇ ଖାଉଟିଙ୍କୁ ଶୋଷଣ କରି ପାରନ୍ତେନି।
କେନ୍ଦ୍ର ସରକାର ପିଆଜ ପାଇଁ ୫୦ ହଜାର ଟନ ବିଶିଷ୍ଟ ଏକ ‘ବଫର ଷ୍ଟକ’ ସୃଷ୍ଟି କରିବା ନିଷ୍ପତ୍ତି ନେଇ, ତାହାକୁ ସଂଗ୍ରହ ଦାୟିତ୍ୱ ‘ନାଫେଡ’ ଉପରେ ନ୍ୟସ୍ତ କରିଛନ୍ତି। ଚଳିତ ବର୍ଷ ନିର୍ବାଚନ ଅଛି। ପିଆଜ ଦର ବଢ଼ିଗଲେ ସରକାରଙ୍କ ଆଖିରୁ ନିଶ୍ଚୟ ଲୁହ ବୋହିବ। ଏହା ଆଶଙ୍କା କରି ସରକାର ଗତ ଆର୍ଥିକ ବର୍ଷରେ ପିଆଜ ରପ୍ତାନୀ ପାଇଁ ଅନୁମତି ଦେଇ ନାହାନ୍ତି। ରପ୍ତାନୀ ପାଇଁ ଟନ ପିଛା ୮୫୦ ଡଲାରର ରପ୍ତାନୀ ସର୍ବନିମ୍ନ ମୂଲ୍ୟ (ଏମଇପି) ମଧ୍ୟ ଘୋଷଣା କରାଯାଇଛି। ସାଧାରଣତଃ ଅପ୍ରେଲରୁ ସେପ୍ଟେମ୍ବର ମାସ ମଧ୍ୟରେ ଭାରତରୁ ପ୍ରାୟ ୯.୫୦ ଲକ୍ଷ ଟନ ପିଆଜ ବିଦେଶକୁ ରପ୍ତାନୀ ହୋଇଥାଏ, ଯାହାର ପାଇକାରୀ ମୂଲ୍ୟ ଥାଏ କେଜି ପିଛା ହାରାହାରି ୧୯ ଟଙ୍କା। କେବଳ ମୌସୁମୀ ଓ ପାଣିପାଗ ଅନିୟମିତତା କାରଣରୁ, ଫସଲ ଅମଳ କମିଗଲେ, ପିଆଜର ଦର ନିୟନ୍ତ୍ରଣ ବାହାରକୁ ଚାଲିଯାଏ। ସେଥିପାଇଁ ଭାରତକୁ ମଧ୍ୟ କିଛି ବର୍ଷ ତଳେ ମିଶର, ତୁର୍କୀ ଓ ଆଫଗାନିସ୍ତାନରୁ ପିଆଜ ଆମଦାନୀ କରିବାକୁ ପଡିଥିଲା। କେଜି ପ୍ରତି ୧୯ ଟଙ୍କାରେ ରପ୍ତାନୀ କରୁଥିବା ଭାରତ ୩୦ ଟଙ୍କା ଦେଇ ବୃହତାକାର ବିଦେଶୀ ଉଲି ପିଆଜ କିଣିବା ସତରେ ଦୁଃଖର କଥା। ଏଭଳି ଅଭିଜ୍ଞତା ଅର୍ଜିଥିବା ଭାରତ ଚଳିତ ନିର୍ବାଚନ ବର୍ଷ ହୋଇଥିବାରୁ ଏହାର ପୁନରାବୃତ୍ତି ହେବାକୁ ଦେଇନାହିଁ। ଦେଶରେ ପିଆଜର ଚାହିଦା, ଯୋଗାଣ, ଚାଷ, ବ୍ୟବସାୟ ଓ ରପ୍ତାନୀ ସଂକ୍ରାନ୍ତୀୟ ସମସ୍ୟା ଓ ଅନ୍ୟାନ୍ୟ ଦିଗ ଉପରେ ଧ୍ୟାନ କେନ୍ଦ୍ରିତ କରି ଖାଉଟି ଦର ପ୍ରାୟ ସ୍ଥିର ରଖିବାକୁ ପ୍ରଯତ୍ନ କରିଛି।
ପିଆଜ କାଟିଲେ ଆଖିରୁ ଲୁହ ଝରେ। କିନ୍ତୁ ଅହେତୁକ ଭାବେ ପିଆଜ ଦର ବଢ଼ିଗଲେ ଚାଷୀ, ଖାଉଟି ଓ ସରକାର - ସମସ୍ତେ କାନ୍ଦିବାକୁ ବାଧ୍ୟ। ତେଣୁ ଚଳିତ ବର୍ଷ ପିଆଜ ଭଳି ଏକ ଅତ୍ୟାବଶ୍ୟକ ସାମଗ୍ରୀର ଦର ନିୟନ୍ତ୍ରଣ ମଧ୍ୟରେ ରଖିବାକୁ ତଥା ଚାଷୀ ଯେପରି ଲାଭଜନକ ମୂଲ୍ୟରେ ନିଜର ଉତ୍ପାଦିତ ପିଆଜ ବିକ୍ରିକରି ପାରିବେ ଏଥିପାଇଁ ଉପରୋକ୍ତ ବିଷୟଗୁଡ଼ିକୁ ବିଚାର ନିଆଯାଉ। ଚଳିତ ବର୍ଷ ନିର୍ବାଚନ ଥିବାରୁ ସରକାର ପିଆଜ ରପ୍ତାନି ନକରି ମୂଲ୍ୟବୃଦ୍ଧିକୁ ନିୟନ୍ତ୍ରଣ ମଧ୍ୟରେ ରଖିଛନ୍ତି। ଅନିୟମିତ ରପ୍ତାନୀ ନୀତି କାରଣରୁ ପିଆଜ ଆମଦାନୀକାରୀ ଦେଶମାନେ ହୁଏତ ଭବିଷ୍ୟତରେ ଭାରତରୁ ପିଆଜ ଆମଦାନୀ କରି ନପାରନ୍ତି। ପିଆଜ ରପ୍ତାନି ଅନିୟମିତ ହେଲେ ବିଶ୍ୱ ବଜାରରେ ଭାରତର ରପ୍ତାନିଯୋଗ୍ୟତା ଓ ବିଶ୍ୱସନୀୟତା କମିବା ସହିତ ଚାଷୀ ଅଭାବୀ ବିକ୍ରି କରିବାକୁ ବାଧ୍ୟ ହେବ। ଏବେ ପିଆଜ ଅମଳ ସମୟ। ରାଜ୍ୟର ଯୋଗାଣ ବିଭାଗ, ଉଦ୍ୟାନ ବିଭାଗ ସହଯୋଗରେ ତୁରନ୍ତ ସକ୍ରିୟ ହେବା ଜରୁରୀ।
ଫୋ- ୯୪୩୮୨୯୯୦୩୭
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
