Advertisment

ଚାଷୀ ମାଗୁଛି ଅଧିକ ୟୁରିଆ ସାର!

ଚଳିତ ବର୍ଷ ଖରିଫ ଫସଲ ଚାଷ ଲାଗି ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଆବଶ୍ୟକ ପରିମାଣରେ ୟୁରିଆ ସାର ସୁଲଭ ମୂଲ୍ୟରେ ମିଳୁ ନଥିବାରୁ ଚାଷୀମାନେ ହନ୍ତସନ୍ତ ହେଉଥିବାର ଖବରମାନ ନିତି ଶୁଣିବାକୁ ମିଳୁଛି। ଫଳରେ କଳାବଜାରୀ ବୃଦ୍ଧି ହେବା ସହ ଅସାଧୁ ବ୍ୟବସାୟୀମାନେ ଏହି ସୁଯୋଗର ଅପବ୍ୟବହାର କରି ଚାଷୀମାନଙ୍କୁ ଶୋଷଣ କରୁଛନ୍ତି।

author-image
Debendra Prusty
Urea

Urea

ଜାନକୀଶ ବଡ଼ପଣ୍ଡା

“ରାଜ୍ୟରେ ସାରର କୌଣସି ଅଭାବ ନାହିଁ। ସମସ୍ତ ଜିଲ୍ଲାରେ ଆବଶ୍ୟକତା ଅନୁଯାୟୀ ସାର ଆବଣ୍ଟନ କାର୍ଯ୍ୟ ସୁରୁଖୁରରେ ଚାଲିଛି। ୨୦୨୫ ଖରିଫ ଋତୁ ପାଇଁ ସେପ୍ଟେମ୍ବର ୩୦ ସୁଦ୍ଧା ସମୁଦାୟ ୯ ଲକ୍ଷ ୫୫ ହଜାର ମେଟ୍ରିକ ଟନ ସାର ଆବଶ୍ୟକ ଥିବାବେଳେ କେନ୍ଦ୍ର ସରକାର ଏହି ପରିମାଣର ସାର ଆବଣ୍ଟନ କରିଛନ୍ତି। ଆବଶ୍ୟକ ହେଲେ ଅଧିକ ସାର ପାଇଁ ଅନୁରୋଧ କରାଯିବ। ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାରଙ୍କ ପାଖରେ ମହଜୁଦ ଥିବା ସମୁଦାୟ ୧୧,୬୬,୭୩୩ ମେଟ୍ରିକ ଟନ ସାର ମଧ୍ୟରୁ ୯,୮୫,୯୬୭ ମେଟ୍ରିକ ଟନ ସାର ବିକ୍ରି ହୋଇସାରିଛି।”

Advertisment

ଏକଥା ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟରେ ସାର ଯୋଗାଣ ସ୍ଥିତିର ସମୀକ୍ଷା କଲାପରେ କହିଛନ୍ତି। ସେ ପୁଣି କହିଛନ୍ତି ଯେ, ସମସ୍ତ ଜିଲ୍ଲାରେ ଥିବା ପ୍ରାଥମିକ ସମବାୟ ସମିତିଗୁଡିକ (ପ୍ୟାକ୍ସ) ଓ ଆଦିବାସୀ ବହୁଳ ଜିଲ୍ଲା ମାନଙ୍କରେ କାର୍ଯ୍ୟକାରୀ ହେଉଥିବା ବୃହତ୍ ବହୁମୁଖୀ ସମବାୟ ସମିତିଗୁଡ଼ିକ (ଲ୍ୟାମ୍ପସ) ଜରିଆରେ ସାର ଆବଣ୍ଟନ କାର୍ଯ୍ୟକୁ ଠିକ ଭାବରେ ତଦାରଖ କରିବା ପାଇଁ ସରକାର ସମସ୍ତ ଜିଲ୍ଲାପାଳଙ୍କୁ କଡ଼ାକଡ଼ି ନିର୍ଦ୍ଦେଶ ଦେଇଛନ୍ତି। କୌଣସି ପ୍ରକାର କଳାବଜାରୀ କିମ୍ବା ନକଲି ସାରର ଅଭିଯୋଗ ଆସିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଯାଞ୍ଚ ସ୍ଥାନରେ ସାରକୁ ଜବତ ନକରି ସେହି ସାରକୁ ନିକଟସ୍ଥ ପ୍ୟାକ୍ସ ଏବଂ ଲ୍ୟାମ୍ପସକୁ ସ୍ଥାନାନ୍ତରିତ କରି ଚାଷୀଙ୍କୁ ଆବଣ୍ଟନ କରିବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି।

ଯେତେବେଳେ ସାର ସଙ୍କଟ ଦେଖାଦିଏ, ଦଳ ନିର୍ବିଶେଷରେ ଗଠିତ ସରକାର ପ୍ରଥମେ ଏହାକୁ ଅସ୍ୱୀକାର କରିବାକୁ ପ୍ରଚେଷ୍ଟା କରିଥିବାର ଅନେକ ଉଦାହରଣ ରହିଛି। ସମସ୍ୟା ଉତ୍କଟ ହୋଇ ଚାଷୀମାନେ ଆନ୍ଦୋଳନକୁ ଓହ୍ଲାଇବା ପରେ ସାର ସମସ୍ୟା ପ୍ରତି ସରକାରଙ୍କ ଦୃଷ୍ଟି ପଡ଼େ ଓ ଉଚ୍ଚ ସ୍ତରୀୟ ସମୀକ୍ଷା ବୈଠକମାନ ଅନୁଷ୍ଠିତ ହୋଇଥାଏ। ଅତୀତରେ ବିଜୁ ଜନତା ଦଳ କ୍ଷମତାରେ ଥିଲା ବେଳେ ଏଭଳି ସାର ସଙ୍କଟ ଦେଖାଦେଉଥିଲା, ଯାହା ଆଜି ବି ଦେଖା ଦେଇଛି। ସବୁ ଥର ବୈଠକରେ ଜିଲ୍ଲାରେ ସାରର ଷ୍ଟକ ସ୍ଥିତି ଏବଂ ଆବଶ୍ୟକତା ଅନୁସାରେ ପ୍ୟାକ୍ସ ଏବଂ ଲ୍ୟାମ୍ପସକୁ ବିଭିନ୍ନ କିସମର ସାର ଯୋଗାଇଦେବା ପାଇଁ କୃଷି ବିଭାଗକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦିଅନ୍ତି। ସେହିଭଳି ମାର୍କଫେଡ଼ର ଅଧିକାରୀମାନଙ୍କୁ ସାର ଯୋଗାଣ ତ୍ୱରାନ୍ୱିତ କରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେବା ସହିତ ଜିଲ୍ଲା ଏବଂ ବ୍ଲକ ସ୍ତରରେ ନିୟମିତ ଭାବରେ ବେଆଇନ କାର୍ଯ୍ୟକଳାପ ଉପରେ ଯାଞ୍ଚ କରିବା, କଳାବଜାରୀ ରୋକିବା ପାଇଁ ଏନଫୋର୍ସମେଣ୍ଟକୁ ଅଧିକ କଡ଼ାକଡ଼ି କରିବା ପାଇଁ ମୁଖ୍ୟମନ୍ତ୍ରୀ ବିଭାଗକୁ ନିର୍ଦ୍ଦେଶ ଦେବା ଏକ ଚିରାଚରିତ ଘଟଣା। ଚଳିତ ବର୍ଷ କିନ୍ତୁ କଳାବଜାରୀ ବ୍ୟବସାୟୀଙ୍କ ଲାଇସେନ୍ସ ରଦ୍ଦ କରାଯିବା ଥିଲା ନୂଆ କଥା।

Advertisment

ପ୍ରତ୍ୟେକ ଜିଲ୍ଲାରେ ସମନ୍ୱିତ କୃଷିକୁ ପ୍ରଧାନ୍ୟ ଏବଂ ଅଣଧାନ ଚାଷକୁ ଅଧିକ ଗୁରୁତ୍ୱ ଦିଆନଯିବା ଫଳରେ ଓଡ଼ିଶାରେ ତୈଳବୀଜ ଏବଂ ଡାଲି ଜାତୀୟ ଫସଲ ପ୍ରୋତ୍ସାହନ ପାଉନାହିଁ। ସରକାରଙ୍କ ପାଖରେ ଖବର ନାହିଁ ଯେ, ସର୍ବଭାରତୀୟ ସ୍ତରରେ ଘୋଷିତ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଉପରେ ଓଡ଼ିଶା ସରକାର କୁଇଣ୍ଟାଲ୍ ପିଛା ୮୦୦ ଟଙ୍କା ଇନ୍‌ପୁଟ୍ ରିହାତି ଦେଉଥିବାରୁ ଚାଷୀମାନେ କେବଳ ଧାନଚାଷ କରିବାକୁ ପ୍ରୋତ୍ସାହନ ପାଉଛନ୍ତି। ଏବେ ଓଡ଼ିଶାର ଉପକୂଳବର୍ତ୍ତୀ ବନ୍ୟାଞ୍ଚଳରେ ଧାନ ଫସଲର ପ୍ରଭୂତ କ୍ଷୟକ୍ଷତି ହୋଇଛି। କ୍ଷେତରୁ ଏବେ ବି ପାଣି ଛାଡ଼ିନାହିଁ। ବଞ୍ଚିଯାଇଥିବା ଧାନ କ୍ଷେତରେ ସାର ନଦେଲେ ନଚଳେ। ଯେଉଁଠି ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଛି ସେଠାରେ ସଅଳ କିସମ ଧାନ କିମ୍ବା ଅନ୍ୟ ଫସଲ ଉତାରିବାକୁ ଚାଷୀ ତରତର ହେଉଥିବାର ସୁଯୋଗ ନେଇ ସାରବେପାରୀ କଳାବଜାର କରୁଛନ୍ତି। ମନ୍ତ୍ରୀମାନଙ୍କ ଅନଭିଜ୍ଞତା ଓ ସରକାରୀ ବାବୁଙ୍କ ସମ୍ବେଦନହୀନତା ପରିସ୍ଥିତିକୁ ଗମ୍ଭୀର କରିଛି। ସାରର ସୁଷମ ବଣ୍ଟନ ହେଉନି। କୃଷି ବିଭାଗରେ ଅଧିକାରୀ ଓ ଗ୍ରାମ୍ୟ କୃଷି କର୍ମଚାରୀଙ୍କ ମରୁଡ଼ି ଅବସ୍ଥା କାରଣରୁ ଚାଷୀମାନେ ଫସଲରେ କେବଳ ୟୁରିଆ ସାର ପକାଇ ଗହଳିଆ ପତ୍ର ଭିତରୁ ଅଧିକ ଅମଳର ସ୍ୱପ୍ନ ଦେଖୁଛନ୍ତି। ଫସଲ ଅମଳ ପୂର୍ବରୁ ଧାନ ଅଗାଡ଼ି ହୋଇଗଲେ କିମ୍ବା ପୋକ ଆକ୍ରମଣ ହେଲେ ଆଉ ଏକ ବିପଦ ମାଡ଼ି ଆସିବ, ଏକଥା ଶୁଣିବାକୁ କେହି ପ୍ରସ୍ତୁତ ନାହାନ୍ତି। ଏତିକି ବେଳେ ୟୁରିଆର ବିକଳ୍ପ ଭାବେ ଜୈବିକ ସାରର ବ୍ୟବହାର ବିଷୟରେ କେହି ବି ପରାମର୍ଶ ଦେବା ନିର୍ବୋଧତା। ଗୋପାଳନ ଆଶାନୁରୂପ ନହେଲା ଯାଏଁ ଜୈବିକ କୃଷି ଏକ ସ୍ୱପ୍ନବିଳାସ।

ଚଳିତ ବର୍ଷ ଖରିଫ ଫସଲ ଚାଷ ଲାଗି ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଆବଶ୍ୟକ ପରିମାଣରେ ୟୁରିଆ ସାର ସୁଲଭ ମୂଲ୍ୟରେ ମିଳୁ ନଥିବାରୁ ଚାଷୀମାନେ ହନ୍ତସନ୍ତ ହେଉଥିବାର ଖବରମାନ ନିତି ଶୁଣିବାକୁ ମିଳୁଛି। ଫଳରେ କଳାବଜାରୀ ବୃଦ୍ଧି ହେବା ସହ ଅସାଧୁ ବ୍ୟବସାୟୀମାନେ ଏହି ସୁଯୋଗର ଅପବ୍ୟବହାର କରି ଚାଷୀମାନଙ୍କୁ ଶୋଷଣ କରୁଛନ୍ତି। ସେଭଳି କରୁଥିବା ଅନେକ ବ୍ୟବସାୟୀଙ୍କ ଗୋଦାମକୁ ଇତିମଧ୍ୟରେ ସିଲ୍ କରି ସେମାନଙ୍କୁ ଦଣ୍ଡିତ କରାଯାଇଛି। ଆମ ରାଜ୍ୟରେ ଅଧିକ ଧାନ ଚାଷ ହେବା ଯେ ୟୁରିଆ ସାର ଅଭାବର ମୁଖ୍ୟ କାରଣ, ଏହା ମାନିବାକୁ ଚାଷୀ ଓ ଲୋକଙ୍କ ସରକାର ମାନିବାକୁ ପ୍ରସ୍ତୁତ ନୁହନ୍ତି। କେବଳ ଓଡ଼ିଶା ନୁହେଁ ଏ ବର୍ଷ ପଞ୍ଜାବ, ଉତ୍ତର ପ୍ରଦେଶଠାରୁ ଆରମ୍ଭ କରି ମଧ୍ୟପ୍ରଦେଶ, ଛତିଶଗଡ଼, ତେଲେଙ୍ଗାନା, ଆନ୍ଧ୍ର ପ୍ରଦେଶ ସମେତ ଭାରତର ପ୍ରାୟ ସବୁ ପ୍ରମୁଖ ଧାନ ଉତ୍ପାଦନକାରୀ ରାଜ୍ୟରେ ଖରିଫ ଋତୁରେ ୟୁରିଆର ଉତ୍କଟ ଅଭାବ ଦେଖାଦେଇଛି।

ଆସନ୍ତୁ ଭାରତରେ ୟୁରିଆର ଚାହିଦା ଓ ଯୋଗାଣ ପରିସଂଖ୍ୟାନ ଉପରେ ନଜର ପକାଇବା। ଗତ ୨୦୨୪-୨୫ ଆର୍ଥିକ ବର୍ଷରେ ୟୁରିଆର ଚାହିଦା ପ୍ରାୟ ୩୮୫ ଲକ୍ଷ ଟନ୍ ଥିବାବେଳେ ବିଦେଶରୁ ପ୍ରାୟ ୫୫ ଲକ୍ଷ ଟନ୍ ଆମଦାନୀ ହୋଇଥିଲା। ଭାରତ ମୁଖ୍ୟତଃ ଓମାନ, ଚୀନ, କାତାର, ରୁଷିଆ, ସାଉଦି ଆରବ ଓ ୟୁଏଇଠାରୁ ୟୁରିଆ ଆମଦାନୀ କରିଥାଏ। ରୁଷିଆ-ୟୁକ୍ରେନ୍ ଯୁଦ୍ଧ ଓ ଇରାନ୍-ଇସ୍ରାଏଲ ଉତ୍ତେଜନା ଯୋଗୁଁ ଯୋଗାଣ ଶୃଙ୍ଖଳ ବ୍ୟାହତ ହୋଇ ୟୁରିଆ ଆମଦାନୀ ବାଧାପ୍ରାପ୍ତ ହୋଇଥିଲାବେଳେ ୨୦୨୪ ମସିହା ଜୁନ୍ ମାସରୁ ଚୀନ ପକ୍ଷରୁ ଭାରତକୁ ୟୁରିଆ ରପ୍ତାନୀ ହେଉନାହିଁ। ୨୦୨୫-୨୬ ଆର୍ଥିକ ବର୍ଷରେ ସାର ପାଇଁ ସବସିଡିର ପରିମାଣ ପୂର୍ବ ବର୍ଷର ୧.୮୮ ଲକ୍ଷ କୋଟି ଟଙ୍କାରୁ ୧.୭୧ ଲକ୍ଷ କୋଟି ଟଙ୍କାକୁ ହ୍ରାସ କରାଯାଇଛି। ଅନ୍ତର୍ଜାତୀୟ ବଜାରରେ ୟୁରିଆର ଦର ବଢ଼ିଛି। ୨୦୨୫ ମସିହା ଫେବୃଆରି ମାସରେ ଟନ୍ ପିଛା ଦର ୫୪୭ ଡଲାରରୁ ବୃଦ୍ଧିପାଇ ଜୁଲାଇ ମାସରେ ୬୩୦ ଡଲାର ଛୁଇଁଛି। ବିଦେଶରୁ ଉଚ୍ଚା ଦରରେ ଅଧିକ ପରିମାଣରେ ୟୁରିଆ ଆମଦାନୀ କରିବା ଅପେକ୍ଷା ଦେଶରେ ୟୁରିଆ ଉତ୍ପାଦନ କରିବା ପାଇଁ ଚେଷ୍ଟା ହେଉଛିI କିନ୍ତୁ ଏଥିପାଇଁ ଆବଶ୍ୟକ ହେଉଥିବା କଞ୍ଚାମାଲ ହେଉଛି ପ୍ରାକୃତିକ ଗ୍ୟାସ; ଯାହାର ବହୁଳାଂଶ ବିଦେଶରୁ ଆମଦାନୀ ହୋଇଥାଏI ଏହାର ମୂଲ୍ୟ ବୃଦ୍ଧି କାରଣରୁ ଦେଶରେ ମଧ୍ୟ ୟୁରିଆ ଉତ୍ପାଦନ ଖର୍ଚ୍ଚ ଯଥେଷ୍ଟ ବୃଦ୍ଧି ପାଇଛି।

୨୦୧୮ ମସିହାରେ ତାଳଚେର ସାର କାରଖାନାର ଶିଳାନ୍ୟାସ ହେବାର ୭ ବର୍ଷ ପରେ ମଧ୍ୟ ସେଠାରୁ ଉତ୍ପାଦନ ହୋଇ ପାରିନାହିଁ। ଦେଶରେ ୟୁରିଆ ଉତ୍ପାଦନ ବୃଦ୍ଧି ପାଇଥିଲେ ବି ୨୦୨୫ ମସିହା ଏପ୍ରିଲରୁ ଜୁଲାଇ ୪ ମାସ ମଧ୍ୟରେ ଉତ୍ପାଦନ ପରିମାଣ ୯୩.୬ ଲକ୍ଷ ଟନ ଥିଲା, ଯାହା ପୂର୍ବ ବର୍ଷର ଏହି ସମୟର ଉତ୍ପାଦନ ତୁଳନାରେ ପ୍ରାୟ ୮.୫ ଲକ୍ଷ ଟନ କମ। ୟୁରିଆ ଉତ୍ପାଦନ କ୍ଷେତ୍ରରେ ୨୦୨୫-୨୬ ସୁଦ୍ଧା ଦେଶ ଆତ୍ମନିର୍ଭରଶୀଳ ହେବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଗତ ବର୍ଷ ଅଗଷ୍ଟ ୧ ତାରିଖରେ ଦେଶରେ ଗଚ୍ଛିତ ୟୁରିଆ ସାରର ପରିମାଣ ୮୬.୪୩ ଲକ୍ଷ ଟନ୍ ଥିଲା। ଚାହିଦାବୃଦ୍ଧି ସହିତ ଆମଦାନୀ ଓ ଉତ୍ପାଦନ ହ୍ରାସ ଯୋଗୁଁ ଏ ବର୍ଷ ଅଗଷ୍ଟ ୧ ତାରିଖରେ ତାହା ୩୭.୧୯ ଲକ୍ଷ ଟନକୁ ହ୍ରାସ ପାଇଛି।

ଓଡ଼ିଶାର ଅଧିକାଂଶ ସମବାୟ ସମିତିରେ (ଉଭୟ ପ୍ୟକ୍ସ ଓ ଲ୍ୟାମ୍ପ୍ସ) ୪୫ କେଜିଆ ୟୁରିଆ ବସ୍ତା ପିଛା ଧାର୍ଯ୍ୟ ମୂଲ୍ୟ ୨୬୭ ଟଙ୍କା ସ୍ଥଳେ ଚାଷୀମାନେ ୩୦୦ ଟଙ୍କା ଦେଇ କିଣୁଥିବାର ଅଭିଯୋଗ ହୋଇ ଆସୁଛି। ସମିତିରୁ ପର୍ଯ୍ୟାପ୍ତ ପରିମାଣରେ ୟୁରିଆ ମିଳୁ ନଥିବାରୁ ଚାଷୀମାନେ ଘରୋଇ ସାରଦୋକାନୀଙ୍କ ଦ୍ୱାରସ୍ଥ ହୋଇ ସ୍ଥଳ ବିଶେଷରେ ବସ୍ତା ପିଛା ୬୦୦ ଟଙ୍କାରୁ ଅଧିକ ଦିଅନ୍ତି। କେହି କେହି ବିକ୍ରେତା ଦାନଦାର ୟୁରିଆ ବସ୍ତା ନନେଇ ସମାନ କାମ କରୁଥିବା, ନାନୋ ୟୁରିଆ, ନାନୋ ଡିଏପି ସାର କିଣିବାକୁ ଯେତେ ବୁଝାଇଲେ ବି ଚାଷୀମାନେ ଶୁଣିବାକୁ ନାରାଜ । ଦୁଇ ଦଶନ୍ଧୀ ପୂର୍ବେ, ଚାଷୀମାନଙ୍କ ୟୁରିଆକୁ ଦେଶୀ ମଦ ଓ ଗୋଖାଦ୍ୟ ପ୍ରସ୍ତୁତିରେ ବ୍ୟବହାର ହେଉଥିବାରୁ, ସେଥିରେ ନିମ୍ବ ତେଲ ମିଶାଯାଇ ବିକ୍ରି ଆରମ୍ଭ କରାଯାଇଥିଲା I ଏବେ ଭାଗଚାଷୀମାନଙ୍କୁ ଅଧିକ ହଇରାଣ ହେବାକୁ ପଡୁଛି । କୃଷି ପ୍ରଯୁକ୍ତି ବିଦ୍ୟାର ବିକାଶ ଏବଂ ଡ୍ରୋନ୍ ବ୍ୟବହାର ସହିତ ତାଳଦେଇ, ଓଡ଼ିଆ ଚାଷୀଙ୍କୁ ଯେ ଆମେ ପ୍ରଶିକ୍ଷିତ କରି ପାରିନାହୁଁ, ୟୁରିଆ ଅଭାବ ତାହା ଜଣାଇ ଦେଇଛି I

ଧାନ, ମକା ଓ ଆଖୁ ଚାଷରେ ୟୁରିଆ ସାର ଅଧିକ ଆବଶ୍ୟକ ହୋଇଥାଏ। ଏ ବର୍ଷ ଭଲ ମୌସୁମୀ ବର୍ଷା କାରଣରୁ ଚାଷୀମାନେ ଧାନ ଓ ଆଖୁ ଚାଷ ପ୍ରତି ବିଶେଷ ଆଗ୍ରହ ଦେଖାଇଛନ୍ତି। କିନ୍ତୁ ଯୋଗାଣ ବ୍ୟବସ୍ଥା ତ୍ରୁଟିପୂର୍ଣ୍ଣ, ଅପାରଗ ଓ ଦୁର୍ନୀତିଗ୍ରସ୍ତ ବୋଲି ଧାରଣା ସୃଷ୍ଟି ହୋଇଛି। ଏଭଳି ଅବ୍ୟବସ୍ଥାକୁ ଆଗୁଆ ଚିହ୍ନଟ କରି ତାହା ଦୂର କରାଯାଇପାରିଲା ନାହିଁ। ଏହା ସରକାରୀ କଳର ପାରିବାର ପଣିଆ ଉପରେ ପ୍ରଶ୍ନ ଚିହ୍ନ ଲଗାଇଛି।

ସର୍ବଭାରତୀୟ ସ୍ତରରେ ଏକର ପିଛା ହାରାହାରି ୫୬ କିଲୋଗ୍ରାମ ରାସାୟନିକ ସାର ପ୍ରୟୋଗ ହେଉଥିଲା ବେଳେ ଓଡ଼ିଶାରେ ତାହା ମାତ୍ର ୨୩ କିଲୋଗ୍ରାମ, ବା ଅଧାରୁ କମ୍। ଏହି କାରଣରୁ ଓଡ଼ିଶାକୁ ଅନ୍ୟ ଅନେକ ରାଜ୍ୟ ତୁଳନାରେ ଯଥେଷ୍ଟ କମ୍ ପରିମାଣର ସାର ଆବଣ୍ଟିତ ହୋଇଥାଏ। ତଦନୁଯାୟୀ ଏ ବର୍ଷ ଓଡ଼ିଶାକୁ ୯.୫୫ ଲକ୍ଷ ଟନ୍ ସାର ଆବଣ୍ଟିତ ହୋଇଛି। ତେବେ ଇତିମଧ୍ୟରେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳଗୁଡ଼ିକରେ ମଧ୍ୟ ରାସାୟନିକ ସାରର ପ୍ରୟୋଗ ବଢିଛି। ସବୁଠୁ ଅଧିକ ଚାହିଦା ବଢ଼ିଛି ଧାନ ଚାଷ କ୍ଷେତରେ। ମୃତ୍ତିକା ପରୀକ୍ଷା, ଫସଲ ଖସଡ଼ା ଓ ସୁଷମ ସାର ପ୍ରୟୋଗ ଏବେ ପୋଥିଗତ ବିଦ୍ୟା ମନେ କରି ଚାଷୀମାନେ ନିଜ କ୍ଷେତରେ ମନଇଛା ଯବକ୍ଷାରଯାନ ସାର ପ୍ରୟୋଗ କରୁଛନ୍ତି।

ଅଧାଲିଟର ବିଶିଷ୍ଟ ବୋତଲରେ ଥିବା ତରଳ ନାନୋ ୟୁରିଆକୁ ୧୨୫ ଲିଟର ପାଣି ମିଶାଇ ଗୋଟିଏ ଏକର ଜମିରେ ସିଞ୍ଚନ କଲେ ମାଟିର ସ୍ୱାସ୍ଥ୍ୟ ନଷ୍ଟ ହୁଏନା ଏବଂ ଏହା ୪୫ କେଜି ୟୁରିଆ ବସ୍ତା ସାରର କାମ ସହ ସମାନ। ଏହି ତରଳ ୟୁରିଆକୁ ଡ୍ରୋନ୍ ଯୋଗେ ସିଞ୍ଚନ କରାଯାଇପାରିଲେ ବିସ୍ତୃତ ଅଞ୍ଚଳରେ ନାନୋ ୟୁରିଆର ବ୍ୟବହାର ବଢ଼ି ୟୁରିଆର ଚାହିଦା କମି ପାରନ୍ତା। ଖୁସିର କଥା ଯେ, କେନ୍ଦୁଝରର ଚାଷୀମାନେ କୃଷକ ଉତ୍ପାଦକ ସଂଘ ଗଠନ କରି ନାନୋ ୟୁରିଆକୁ ଡ୍ରୋନ୍ ଯୋଗେ ସିଞ୍ଚନ କରିଛନ୍ତି। କୃଷି କର୍ମଚାରୀ ଅଭାବ ଥିଲାବେଳେ କୃଷକ ସଙ୍ଗଠନ ଓ ବୁଦ୍ଧିଜୀବୀମାନେ ଧାନ ଚାଷର ଉତ୍ପାଦକତା ଉପରେ ନାନୋ ସାରର ଉପକାରୀ ପ୍ରଭାବକୁ ପ୍ରଚାରିତ ଓ ପ୍ରସାରିତ କରୁ ନାହାନ୍ତି।

ସାର ଉତ୍ପାଦକ କମ୍ପାନିଗୁଡ଼ିକ ମାର୍କଫେଡକୁ ୫୦ ପ୍ରତିଶତ ୟୁରିଆ ଯୋଗାଉଥିବା ବେଳେ ଆଉ ୫୦ ପ୍ରତିଶତ ଘରୋଇ ବିକ୍ରେତାଙ୍କୁ ଦେଉଛନ୍ତି। ଚାଷୀମାନେ ସାର ପାଇଁ ସମିତି ଉପରେ ନିର୍ଭରଶୀଳ ଥିବାରୁ ଏବଂ ‘ମାର୍କଫେଡ’ ପକ୍ଷରୁ ସମବାୟ ସମିତି ମାଧ୍ୟମରେ ସାର ଯୋଗାଇ ଦିଆଯାଉଥିବାରୁ ସାର ଉତ୍ପାଦକ କମ୍ପାନିମାନେ ମାର୍କଫେଡକୁ ଅଧିକ ୟୁରିଆ ସାର ଯୋଗାଇ ଦେବା ଉଚିତ। ରାଜ୍ୟ ସମବାୟ ବିଭାଗ ପକ୍ଷରୁ ସମସ୍ତ ସାରଗୋଦାମରେ ସିସିଟିଭି ଯୋଗେ ନିରୀକ୍ଷଣର ବ୍ୟବସ୍ଥା ରହିବାକୁ ବାଧ୍ୟତାମୂଳକ କରାଯିବା ଆବଶ୍ୟକ। ଏଥିସହିତ ଗୋଦାମକୁ ଆସୁଥିବା ଓ ଯାଉଥିବା ଯାନବାହନଗୁଡ଼ିର ଜିପିଏସ ମାଧ୍ୟମରେ ନଜର ରଖାଯିବା ଆବଶ୍ୟକ। ଫଳରେ ସାରର କଳାବଜାର ଯଥେଷ୍ଟ ହ୍ରାସ ପାଇବ। ନିୟମିତ ଆଧାରରେ ଚାଷର ବାସ୍ତବ ସ୍ଥିତି, ଚାଷୀ ସମସ୍ୟା, ଚାଷୀମାନଙ୍କ ଶୋଷଣ ଆଦି ବିଷୟରେ ଜାଣିବା ନିମନ୍ତେ ଏକ କୃଷି ସୂଚନା ଓ ପୂର୍ବାନୁମାନ ସଂସ୍ଥା ଗଠନ କରାଗଲେ ସରକାରଙ୍କୁ ଗୋପନୀୟ ରିପୋର୍ଟ ମିଳି ପାରନ୍ତା। ଯେକୌଣସି କୃଷିଭିତ୍ତିକ ସମସ୍ୟା ସମ୍ପର୍କରେ ପୂର୍ବରୁ ଅବହିତ ହେଲେ ଆଗୁଆ ପ୍ରତିଷେଧକ ବ୍ୟବସ୍ଥା ରାଜ୍ୟ ସରକାର ଗ୍ରହଣ କରିପାରନ୍ତେ, ଯାହା କୃଷି କିମ୍ବା ସମବାୟ ବିଭାଗ ଅଧୀନରେ ରଖାନଯାଇ ସ୍ୱତନ୍ତ ଭାବେ କାର୍ଯ୍ୟ କରନ୍ତା। ଏହି ସଂସ୍ଥା ମାଧ୍ୟମରେ ପାଣିପାଗ, ବଜାର, ସାର ଓ ବିହନ ଆବଶ୍ୟକତା, ରୋଗ-ପୋକ, କ୍ଷୟକ୍ଷତି, ଅଭାବୀ ବିକ୍ରି, କୃଷି କର୍ମଚାରୀ ଆବଶ୍ୟକତା ଓ ସେମାନେ କିଭଳି କାମ କରୁଛନ୍ତି, ତାହା ଉପରେ ଗୋପନୀୟ ରିପୋର୍ଟ ଦିଅନ୍ତା। ଏହା ସରକାର ପାଇଲେ ସମସ୍ୟା ସୃଷ୍ଟି ହେବା ପୂର୍ବରୁ ତାହାର ପ୍ରତିଷେଧକ ବ୍ୟବସ୍ଥା ନେଇ ପାରନ୍ତେ।

ଫୋ- ୯୪୩୮୨୯୯୦୩୭

Odisha Odisha Agriculture Chemical Fertilizer Paddy