Justice DY Chandrachud Photograph: (Internet)
ଦେବ ରଞ୍ଜନ
ସୁପ୍ରିମ କୋର୍ଟ ପୂର୍ବ ମୁଖ୍ୟ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡ଼ ଭୁଲିଗଲେ ଯେ ଭାରତର ସମ୍ବିଧାନ ଅନୁସାରେ ପ୍ରତ୍ୟେକ ମଣିଷ, ତାହାର ଧର୍ମ, ଜାତି ଓ ଲିଙ୍ଗ ଯାହା ହୋଇଥାଉନା କାହିଁକି, ସମସ୍ତଙ୍କର ସମାନ ଅଧିକାର ରହିଛି। ବିଚାରପତି ଯଦି ନିଜର ବ୍ୟକ୍ତିଗତ ଧର୍ମବିଶ୍ଵାସକୁ ନିଜର ରାୟରେ ପ୍ରକାଶ କରନ୍ତି ତେବେ ତାହା ରାୟ ନୁହେଁ ତାହା ପୁରାଣ ଶାସ୍ତ୍ର ହୋଇଯିବ!
ନ୍ୟୁଜଲଣ୍ଡ୍ରିକୁ ଦେଇଥିବା ସାକ୍ଷାତକାରରେ ପୂର୍ବ ଜଷ୍ଟିସ ଚନ୍ଦ୍ରଚୂଡ଼ ଯାହା କହିଲେ ତାହା ବାବ୍ରି ମସଜିଦ- ରାମ ଜନ୍ମଭୁମି ସଂକ୍ରାନ୍ତରେ ସୁପ୍ରିମ କୋର୍ଟର ପାଞ୍ଚ ଜଣିଆ ବେଞ୍ଚର ରାୟଠାରୁ ଭିନ୍ନ ଥିଲା। ସୁପ୍ରିମ କୋର୍ଟଙ୍କ ଉକ୍ତ ରାୟକୁ (୨୦୧୯) ନେଇ ପ୍ରଶ୍ନ ଉଠାଇବା ଉଡ଼ି ଯାଉଥିବା ଉଡ଼ାଜାହଜରୁ ଲମ୍ଫ ଦେବା ସହିତ ସମାନ। ହେଲେ ସେହି ସାକ୍ଷାତକାରରୁ ଚନ୍ଦ୍ରଚୂଡ଼ଙ୍କ ମାନସିକତାର ସ୍ପଷ୍ଟ ଚିତ୍ର ମିଳିଗଲା। ସେହିଭଳି କିଛି ଚମତ୍କାରିତା ହୋଇଥିଲେ ମାମଲା ଉପରୁ ପରଦା ସଂପୂର୍ଣ୍ଣ ଭାବରେ ହୁଏତ ଉଠିଯାଇଥାନ୍ତା।
ବାବ୍ରି ମସଜିଦ- ରାମ ଜନ୍ମଭୁମି ମାମଲାରେ ସୁପ୍ରିମ କୋର୍ଟ ଦେଇଥିବା ରାୟରେ (୨୦୧୯) କେଉଁଠାରେ ଉଲ୍ଲେଖ କରିନାହାନ୍ତି ଯେ କୌଣସି ହିନ୍ଦୁ ମନ୍ଦିରକୁ ଭଙ୍ଗାଯାଇ ମସଜିଦ ତିଆରି ହୋଇଥିଲା। ନିର୍ମୋହୀ ଆଖଡ଼ା ଓ ଅନ୍ୟ ସଂଗଠନର ଯେଉଁ ଦାବି ଥିଲା ଯେ ରାମ ମନ୍ଦିର ଭଙ୍ଗାଯାଇ ଷୋହଳଶହ ଶତାବ୍ଦୀରେ ବାବ୍ରି ମସଜିଦ ତିଆରି ହୋଇଥିଲା ତାହାକୁ କୋର୍ଟ ଅସ୍ଵୀକାର କରିଥିଲେ।
ନ୍ୟୁଜଲଣ୍ଡ୍ରି (NewsLaundry) ସାମ୍ବାଦିକ ଶ୍ରୀନିବାସନ କିନ୍ତୁ ସେପ୍ଟେମ୍ବର ୨୪, ୨୦୨୫ରେ ଏକ ଉଲ୍ଲେଖନୀୟ କାମ କରିଥିଲେ। ସେ ପୂର୍ବ ମୁଖ୍ୟ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କୁ ସୁପ୍ରିମ କୋର୍ଟଙ୍କ ରାୟ ମଧ୍ୟରେ ରହିଥିବା ଅନ୍ତର୍ଦ୍ଵନ୍ଦ୍ୱକୁ ଜାଣିବା ଲାଗି ସାକ୍ଷାତକାର ସମୟରେ କିଛି ପ୍ରଶ୍ନ ପଚାରି ଦେଇଥିଲେ। ଏହାପରେ ନଦୀକୁ ଲୁଚାଇ ଲୁଚାଇ ଛାଡୁଥିବା ଆବର୍ଜନାର ପାଇପ ଫାଟି କମ୍ପାନୀର ଚାଲାକି ଧରାପଡ଼ିଯିବା ଭଳି ସବୁ କିଛି ସ୍ପଷ୍ଟ ହୋଇଯାଇଥିଲା।
ଚନ୍ଦ୍ରଚୂଡ଼ ସେପ୍ଟେମ୍ବର ୨୪ର ଉକ୍ତ ସାକ୍ଷାତକାରରେ ଯୁକ୍ତି ବାଢ଼ିଥିଲେ, ‘ଷୋଳଶହ ଶତାବ୍ଦୀରେ ନିର୍ମିତ ବାବ୍ରି ମସଜିଦ ନିର୍ମାଣ ଅପମାନିକ କାର୍ଯ୍ୟ (desecration) ଥିଲା।’ ନିଜ ବକ୍ତବ୍ୟକୁ ସେ ପୁଣି ମଜଭୁତ କରିବା ଲାଗି କହିଥିଲେ, ‘ପ୍ରତ୍ନତାତ୍ଵିକ ବିଭାଗ ଦ୍ଵାରା ଖୋଳାଯାଇଥିବା ମାଟିରୁ ଏ ସମ୍ପର୍କରେ ଯଥେଷ୍ଟ ପ୍ରମାଣ ମିଳିଥିଲା।’ (There was adequate evidence from the archaeological excavation.)
କିନ୍ତୁ ୨୦୧୯ ମସିହାରେ କୋର୍ଟ ଦେଇଥିବା ରାୟ ସେଭଳି ନଥିଲା।
ଚନ୍ଦ୍ରଚୂଡ଼ ୨୦୧୯ ମସିହାରେ ଉକ୍ତ ମାମଲା ଶୁଣୁଥିବା ପାଞ୍ଚ ଜଣିଆ ବେଞ୍ଚର ଅନ୍ୟତମ ସଦସ୍ୟ ଥିଲେ। ସେ ନିଜେ ଲେଖିଥିବା ରାୟରେ ବାବ୍ରି ମସଜିଦ ନିର୍ମାଣ ସଂକ୍ରାନ୍ତରେ ଏଭଳି ନିର୍ଦ୍ଦିଷ୍ଟ ଭାବରେ କିଛି କୁହାଯାଇନାହିଁ ଯାହା ଚନ୍ଦ୍ରଚୂଡ଼ ସେପ୍ଟେମ୍ବର ୨୦୨୫ରେ ଉକ୍ତ ସାକ୍ଷାତକରରେ କହୁଛନ୍ତି।
ସୁପ୍ରିମ କୋର୍ଟଙ୍କ ଦ୍ଵାରା ନିଯୁକ୍ତ ପ୍ରତ୍ନତାତ୍ଵିକ ବିଭାଗ (ASI) ଦ୍ଵାରା ଦିଆଯାଇଥିବା ରିପୋର୍ଟକୁ ଆଧାର କରି ସୁପ୍ରିମ କୋର୍ଟ ରାୟରେ ଉଲ୍ଲେଖ କରିଥିଲେ, ‘ବାବରୀ ମସଜିଦ ତଳେ କୌଣସି ମନ୍ଦିରର ଭଗ୍ନାବଶେଷ ମିଳିଥିବାର ପ୍ରମାଣ ନାହିଁ। ବରଂ ଯାହା ମିଳିଛି ତାହା ଅଣ-ଇସ୍ଲାମିକ ଓ ପୁରାତନ (non-Islamic and Indigenous)’।
ଏଠାରେ ଅଣ-ଇସ୍ଲାମିକର ଅର୍ଥ ବୌଦ୍ଧ ମନ୍ଦିର ବି ହୋଇପାରେ, ଜୈନ ମନ୍ଦିର ବି ହୋଇପାରେ ଓ ହିନ୍ଦୁ ମନ୍ଦିର ବି ହୋଇପାରେ। ଏହା ନିର୍ଦ୍ଦିଷ୍ଟ ଭାବରେ ହିନ୍ଦୁ ମନ୍ଦିର ନୁହେଁ। ତାହା ରାମ ମନ୍ଦିର ବୋଲି ତ ଆଦୌ ନୁହେଁ। ହୋଇଥିଲେ ଏଏସଆଇ ରିପୋର୍ଟରେ ଉଲ୍ଲେଖ ରହିଥାନ୍ତା।
୨୦୧୯ର ରାୟରେ ମଧ୍ୟ ଏ କଥା ଉଲ୍ଲେଖ ନାହିଁ ଯେ ରାମ ମନ୍ଦିରର ଧ୍ଵଂସାବଶେଷ ଉପରେ ବାବ୍ରି ମସଜିଦ ତିଆରି ହୋଇଛି। (ଅଥଚ ମସଜିଦର ସମ୍ପୂର୍ଣ ଜମିକୁ ସୁପ୍ରିମ କୋର୍ଟ ଶ୍ରୀରାମ ମନ୍ଦିର ନିର୍ମାଣ ଲାଗି ଦେବା ପାଇଁ ରାୟ ଦେଇଥିଲେ।) ତେବେ ଚନ୍ଦ୍ରଚୂଡ଼ ପାଞ୍ଚ ବର୍ଷ ପରେ ତାହା ଅଣ-ଇସ୍ଲାମିକ ଓ ପୁରାତନ ହିନ୍ଦୁ ମନ୍ଦିର ବୋଲି କେମିତି ଧରିନେଲେ?
ଗଲା କିଛି ବର୍ଷ ହେଲା ବିଜେପି ଓ ଆରଏସଏସ ଦ୍ଵାରା ହିନ୍ଦୁ ଧର୍ମକୁ ଯେଉଁଭଳି ବ୍ୟାଖ୍ୟା କରାଯାଉଛି ସେଥିରେ ହିନ୍ଦୁ ଧର୍ମ ଭଳି ଏକ ବ୍ୟାପକ ଧର୍ମ ଅଧିକ ସଙ୍କୁଚିତ ହୋଇଯାଉଛି। ଏଭଳି ବ୍ୟାଖ୍ୟା ଦେଶର ବିଚାରପତିଙ୍କ ଠାରୁ ପ୍ରଶାସକ ଓ ସାମ୍ବାଦିକ ସମସ୍ତଙ୍କୁ ପ୍ରଭାବିତ କରୁଛି।
ହିନ୍ଦୁ ଧର୍ମ ମଧ୍ୟରେ କେବଳ ମୂର୍ତ୍ତିପୂଜା, ବିଶେଷକରି ଭଗବାନ ରାମଙ୍କ ପୂଜାକୁ ହିଁ ହିନ୍ଦୁ ଧର୍ମ ବୋଲି ହିନ୍ଦୁତ୍ଵ ଶକ୍ତି କହୁଛି। ହିନ୍ଦୁ ଧର୍ମରେ କିନ୍ତୁ ବିଭିନ୍ନ ବିଶ୍ଵାସର ବ୍ୟାପକ ସଂଖ୍ୟକ ଲୋକ ସଂଶ୍ଳିଷ୍ଟ ଅଞ୍ଚନ୍ତି। ବିଶ୍ଵାସ ମଧ୍ୟରେ ବାସନ୍ତୀ ପୂଜା ଠାରୁ ଭୁଆସୁଣୀ ପୂଜା ପର୍ଯ୍ୟନ୍ତ ଅନେକ ଆଞ୍ଚଳିକ ଦେବାଦେବୀ, ସ୍ଥାନୀୟ ଦେବୀ ମୂର୍ତ୍ତିକୁ ପୂଜା କରୁଥିବା ଅଗଣିତ ଭକ୍ତ ଅଛନ୍ତି। ଏହି ଭିତରେ ନିରୀଶ୍ଵରବାଦ, ଏକେଶ୍ଵରବାଦ (ମହିମା ଓ କବୀର ପନ୍ଥୀଙ୍କ ଭଳି), ବୌଦ୍ଧ, ଜୈନ, ନବ ବୌଦ୍ଧ, ହେତୁବାଦୀ, ନାସ୍ତିକ, ଶୈବ, ଶାକ୍ତ ଇତ୍ୟାଦି ଅନେକ ଅନେକ ପ୍ରକାରର ଧର୍ମ ବିଶ୍ଵାସୀ ଅଛନ୍ତି। ସରକାରୀ ତଥ୍ୟ ଅନୁସାରେ ସେମାନେ ହିନ୍ଦୁ। କିନ୍ତୁ ଏମାନେ କେହି ନା ରାମଙ୍କୁ ନିଜର ଶ୍ରେଷ୍ଠ ଦେବତା ଭାବନ୍ତି ନା ଭାବନ୍ତି ଯେ ସତରେ ତାଙ୍କ ଦେବୀ ବିପଦରେ ଅଛନ୍ତି।
କର୍ଣ୍ଣାଟକର ଲିଙ୍ଗାୟତ ଗୋଷ୍ଠୀ ଓ ଝାଡ଼ଖଣ୍ଡରେ ଅନେକ ଆଦିବାସୀ ଗୋଷ୍ଠୀ ସେମାନଙ୍କୁ ହିନ୍ଦୁ ଧର୍ମରେ ସାମିଲ ନକରିବା ଲାଗି ସରକାରଙ୍କ ନିକଟରେ ଦାବି କରୁଛନ୍ତି। ସେମାନେ କେହି ବିଷ୍ଣୁ ବା କୌଣସି ମୂର୍ତ୍ତିର ପୂଜକ ନୁହନ୍ତି। ଅଥଚ ହିନ୍ଦୁ ଧର୍ମର ବ୍ୟାପକତାକୁ ନବୁଝି ରାଜନୈତିକ ଅଭିସନ୍ଧି ନେଇ ଯେଉଁ କାର୍ଯ୍ୟ ଗଲା ନବେ ଦଶକ ଠାରୁ କରାଯାଉଛି ଆଜି ତାହାର ପରିଣାମ ଭୋଗିବାକୁ ହେଉଛି। ବିଷ୍ଣୁ ପୂଜା ହିଁ ହିନ୍ଦୁ ଧର୍ମର ଏକ ମାତ୍ର ପରିଚୟ ନୁହେଁ। ବିଚାରପତି ଚନ୍ଦ୍ରଚୂଡ଼ ନିଜର ମୂର୍ତ୍ତିପୂଜା ବିଶ୍ଵାସ ହିଁ (ମୁଖ୍ୟ ବିଚାରପତି ଥିବା ସମୟରେ ଘରେ ଗଣେଶ ପୂଜା ଆୟୋଜନ କରି ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରିତ କରିଥିଲେ) କେବଳ ହିନ୍ଦୁଧର୍ମ ବୋଲି ମାନିନେଉଛନ୍ତି ଓ ବାବ୍ରି ମସଜିଦ ନିର୍ମାଣ ମୂଳତଃ ଅପମାନକ କାର୍ଯ୍ୟ ବୋଲି ଯୁକ୍ତି କରିଛନ୍ତି।
ବାବ୍ରି ମସଜିଦ- ରାମ ମନ୍ଦିର ମାମଲା ସ୍ଵାଧୀନ ଭାରତରେ ପ୍ରଥମ କରି ୧୯୪୯ ମସିହାରେ ଉଠିଥିଲା। ସେହି ସମୟରେ ଫଇଜାବାଦ (ଅଯୋଧ୍ୟା ଅନ୍ତର୍ଭୁକ୍ତ)ର ଜିଲ୍ଲାପାଳ କେ. କେ. ନାୟାର ମସଜିଦ ମଧ୍ୟରେ ରାମମୂର୍ତ୍ତି ସ୍ଥାପନ କରାଇଥିଲେ। ଏହାପରେ ସେ ଆଇନ ଶୃଙ୍ଖଳାର ନାମ ନେଇ ମୂର୍ତ୍ତିକୁ କେନ୍ଦ୍ର ସରକାରଙ୍କ ବାରମ୍ବାର ତାଗିଦ ସତ୍ତ୍ୱେ ଉଠାଇନଥିଲେ। ଏଥିଲାଗି ସେ ଭାରତୀୟ ଜନସଙ୍ଘ (ଆଜିର ଭାରତୀୟ ଜନତା ପାର୍ଟି) ଦ୍ଵାରା ପୁରସ୍କୃତ ହୋଇ ଲୋକସଭା ସଦସ୍ୟ ଭାବରେ ନିର୍ବାଚିତ ହୋଇଥିଲେ।
ରାମଙ୍କ ମୂର୍ତ୍ତିକୁ ଏହିଭଳି ଜବରଦସ୍ତି ରଖିବା ଯେ ପ୍ରଥମେ ଅନ୍ୟାୟ ହୋଇଛି ଏହାକୁ କିନ୍ତୁ ଜଷ୍ଟିସ ଚନ୍ଦ୍ରଚୂଡ଼ ନ୍ୟୁଜଲଣ୍ଡ୍ରିର ସାକ୍ଷାତକାରରେ ଆଦୌ ସ୍ଵୀକାର କରିନଥିଲେ। ତାଙ୍କର ମନ୍ତବ୍ୟ ଥିଲା, ‘ଇତିହାସରେ ଯାହା ଘଟିଗଲା ଆମେ ତାହାକୁ ଭୁଲିଯିବା କି? ବାବ୍ରି ମସଜିଦ ସେହି ସ୍ଥାନରେ ତିଆରି ହେବା ନିଜେ ଏକ ଗର୍ହିତ କାର୍ଯ୍ୟ (ଫଣ୍ଡାମେଣ୍ଟାଲ ଡିସ୍କ୍ରେସନ)।’
ସୁପ୍ରିମ କୋର୍ଟଙ୍କ ମୂଳ ରାୟରେ କିନ୍ତୁ ଏକଥା ଉଲ୍ଲେଖ ରହିଥିଲା, ‘କ’ଣ ଇତିହାସରେ ଘଟିଛି ତାହା ଉପରେ ନିର୍ଣ୍ଣୟ ନେବାର ନୁହେଁ ବରଂ ଯାହା ପ୍ରାମାଣିକ ତଥ୍ୟ ରହିଛି ତାହା ଉପରେ ନିର୍ଣ୍ଣୟ ନେବାର ଅଛି।’ ଚନ୍ଦ୍ରଚୂଡ଼ଙ୍କ ଭିତରେ କଟ୍ଟର ହିନ୍ଦୁବାଦୀ ମାନସିକତା ଯେ ବିଚାରପତି ଥିବା ସମୟରେ ରହିଥିଲା ତାହା ସାକ୍ଷାତକାର ଦିନ ପ୍ରକାଶ ପାଇଗଲା।
ଉକ୍ତ ରାୟରେ ଏହା ମଧ୍ୟ ଉଲ୍ଲେଖ ରହିଥିଲା ଯେ ଡିସେମ୍ବର ୦୬, ୧୯୯୨ ମସିହାରେ ବାବ୍ରି ମସଜିଦ ଭଙ୍ଗାଯିବା ‘ଆଇନ ବିରୋଧୀ କାର୍ଯ୍ୟ’ ଥିଲା। ସେ ସମୟରେ ଜଷ୍ଟିସ ରଞ୍ଜନ ଗୋଗୋଇ ମୁଖ୍ୟ ବିଚାରପତି ଥିଲେ ଓ ସେହି ପାଞ୍ଚ ଜଣିଆ ବେଞ୍ଚର ଅନ୍ୟ ସଦସ୍ୟମାନେ ଥିଲେ ଡ଼ି ୱାଇ ଚନ୍ଦ୍ରଚୂଡ଼, ଏସଏ ବୋବଡେ, ଅଶୋକ ଭୂଷଣ ଓ ଏସ. ଅବଦୁଲ ନଜୀର। ବାବ୍ରି ମସଜିଦ ଭଙ୍ଗାଯିବା ଯଦିଓ ଆଇନ ବିରୋଧୀ କାର୍ଯ୍ୟ ବୋଲି କୋର୍ଟ ରାୟ ଦେଇଥିଲେ କିନ୍ତୁ ଏଥିଲାଗି କାହାରିକୁ ଦଣ୍ଡିତ କରିନଥିଲେ।
ଯଦି ଚନ୍ଦ୍ରଚୂଡ଼ ଭଗବାନଙ୍କ ବଦଳରେ (ଅନ୍ୟ ଏକ ସାକ୍ଷାତକାରରେ ସେ ସ୍ଵୀକାର କରିଥିଲେ ଯେ ରାୟ ଲେଖିବା ସମୟରେ ଭଗବାନଙ୍କୁ ସଦବୁଦ୍ଧି ଦେବା ଲାଗି ପ୍ରାର୍ଥନା କରିଥିଲେ) ଭାରତର ସମ୍ବିଧାନକୁ ପ୍ରଣାମ କରି ସଦବୁଦ୍ଧି ମାଗିଥାନ୍ତେ ହୁଏତ ରାୟ ଭିନ୍ନ ହୋଇଥାନ୍ତା। ନଚେତ ଏକ ଭିନ୍ନ ମତ (dissenting note) ଚନ୍ଦ୍ରଚୂଡ଼ଙ୍କ ଠାରୁ ଆସିଥାନ୍ତା, ଯେମିତି ଜରୁରୀକାଳୀନ ପରିସ୍ଥିତିରେ (୧୯୭୫- ୭୭) ମାନବିକ ଅଧିକାର ଉଲ୍ଲଂଘନ ମାମଲାରେ ଜଷ୍ଟିସ ଏଚ.ଆର. ଖାନ୍ନାଙ୍କ ମତ ରହିଥିଲା।
ଏଡିଏମ ଜବଲପୁର ବନାମ ଶିବକାନ୍ତ ଶୁକ୍ଲା ମାମଲାରେ (୧୯୭୫) ଏକ ପାଞ୍ଚ ଜଣିଆ ବେଞ୍ଚ ମଧ୍ୟରୁ ଚାରି ଜଣ ବିଚାରପତି (୪:୧) ଇନ୍ଦିରା ଗାନ୍ଧୀଙ୍କ ସପକ୍ଷରେ ରାୟ ଦେଇଥିଲେ। ଏକମାତ୍ର ଜଷ୍ଟିସ ଏଚ.ଆର. ଖାନ୍ନା ଜରୁରୀକାଳୀନ ପରିସ୍ଥିତି ଘୋଷଣା ବିରୁଦ୍ଧରେ ଲେଖୁଛନ୍ତି, ‘ସ୍ଵାଧୀନ ଭାବରେ ବଞ୍ଚିବାର ଅଧିକାର ଏକ ସ୍ଵାଭାବିକ ଅଧିକାର, ଏହା ନାଗରିକାକୁ ସମ୍ବିଧାନ ଦ୍ଵାରା ଦିଆଯାଇଥିବା କୌଣସି ଉପହାର ନୁହେଁ ଯେ ସରକାରଙ୍କର (ବା ରାଷ୍ଟ୍ର) କୌଣସି ଆଇନଗତ ଅଧିକାର ରହିଛି ଯେ ସେ କୌଣସି ବି ପରିସ୍ଥିତିରେ, ଜରୁରୀକାଳିନ ପରିସ୍ଥିତିରେ ବି, କୌଣସି ବ୍ୟକ୍ତିର ସ୍ଵାଧୀନ ଭାବରେ ବଞ୍ଚିବାର ଅଧିକାରକୁ ଛଡ଼ାଇ ନେବେ।’ ହଁ, ଇନ୍ଦିରା ଗାନ୍ଧୀ ପ୍ରତିଶୋଧ ପରାୟଣ ହୋଇ ଏଚଆର ଖାନ୍ନାଙ୍କୁ ମୁଖ୍ୟ ବିଚାରପତି କରାଇଦେଇନଥିଲେ। ମାତ୍ର ତାଙ୍କର ଭିନ୍ନମତ ଲାଗି ସେ ଏବେ ବି ବଞ୍ଚିରହିଛନ୍ତି ଆମ ଭିତରେ ଓ ଆମର ମାନବିକ ଅଧିକାର ଆନ୍ଦୋଳନ ଭିତରେ।
୧୯୭୫ ମସିହାରେ ଯଦି ପାଞ୍ଚ ଜଣିଆ ବେଞ୍ଚ ମଧ୍ୟରୁ ଅଧିକ ସଂଖ୍ୟକ ବିଚାରପତି ସମ୍ବିଧାନର ମୌଳିକ ଅଧିକାରକୁ ସମ୍ମାନ ଦେଇ ନିଜର ରାୟ ପ୍ରକାଶ କରିଥାନ୍ତେ ତେବେ ଭାରତର ରାଜନୈତିକ ଇତିହାସ ଭିନ୍ନ ହୋଇଥାନ୍ତା। ସେହିଭଳି ୨୦୧୯ରେ ପାଞ୍ଚ ଜଣିଆ ବେଞ୍ଚ ମଧ୍ୟରୁ ସଂଖ୍ୟାଗରିଷ୍ଠ ବିଚାରପତି ସେହିଭଳି ସମ୍ବିଧାନ ଦ୍ଵାରା ପ୍ରଦତ୍ତ ମୌଳିକ ଅଧିକାର ଓ ଆମ୍ବେଦକରଙ୍କ ବିଚାର (ପ୍ରତ୍ୟେକ ମଣିଷର ମୂଲ୍ୟବୋଧ ଓ ବିଶ୍ଵାସ ସମ୍ବିଧାନ ସାମ୍ନାରେ ସମାନ)କୁ ସମ୍ମାନ ଦେଇଥାନ୍ତେ ତେବେ ଇତିହାସର ମୋଡ଼ ଭିନ୍ନ ହୋଇଥାନ୍ତା।
ବିଚାରପତିମାନେ ଅବସର ନେବା ପରେ କେନ୍ଦ୍ର ସରକାରଙ୍କ କୌଣସି ଦାୟିତ୍ଵରେ ରହିବା ଲାଗି ମନସ୍ଥ କରିବା ହିଁ ନିଜର ବିଚାରପତିର ଭୂମିକାକୁ ଠିକରେ ପାଳନ କରିନଥିବାକୁ ହିଁ ଦର୍ଶାଇଥାଏ। ଦୀର୍ଘ ବର୍ଷ ହେଲା କିନ୍ତୁ ବିଚାରପତିମାନେ ଏହାର ବିପରୀତରେ କାର୍ଯ୍ୟ କରୁଛନ୍ତି। ଏହାଦ୍ୱାରା ସରକାରରେ ରହିଥିବା ଦଳ ସଫଳତା ପାଇଥାଏ। ଗଣତନ୍ତ୍ର କିନ୍ତୁ ସ୍ଵେଚ୍ଛାଚାରରେ ପରିଣତ ହୁଏ।
ଜଷ୍ଟିସ ଅରୁଣ ମିଶ୍ର ଅବସର (୨୦୨୦) ନେବା ପରେ ତୁରନ୍ତ ଜାତୀୟ ମାନବିକ ଅଧିକାର କମିଶନର ଅଧ୍ୟକ୍ଷ ହେଲେ ଓ ସେହି ପଦବୀରେ ତିନି ବର୍ଷ ରହିଥିଲେ। ଜଷ୍ଟିସ ରଞ୍ଜନ ଗୋଗୋଇ ଅବସର ନେବା ପରେ ରାଜ୍ୟସଭା ସଦସ୍ୟ ହେଲେ। ଜଷ୍ଟିସ ଅଶୋକ ଭୂଷଣ କେନ୍ଦ୍ର ସରକାରଙ୍କ ଜାତୀୟ କମ୍ପାନୀ ଲ ଆପେଲେଟ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ହେଲେ। ଜଷ୍ଟିସ ଏସ ଅବଦୁଲ ନଜୀର ଅବସର ନେବା ପରେ ପରେ ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ଭାବରେ ନିଯୁକ୍ତ ହୋଇଥିଲେ ଓ ଏବେ ଜଷ୍ଟିସ ଚନ୍ଦ୍ରଚୂଡ଼ କେନ୍ଦ୍ର ସରକାରଙ୍କ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟରେ ପ୍ରାଧ୍ୟାପକ ଭାବରେ ଯୋଗ ଦେଇଛନ୍ତି।
ଅବସର ପରେ କୌଣସି ବିଚାରପତି ସରକାରୀ ପଦବୀରେ ଯୋଗ ଦେବା ଲାଗି ମନସ୍ଥ କରିବା, ବିଚାରପତି ଥିବା ସମୟରେ ସେ ବିଚାର କରୁଥିବା ରାୟ, ବିଶେଷକରି ସରକାର ଯେଉଁଠି ସମ୍ପୃକ୍ତ, ତାହାକୁ ପ୍ରଭାବିତ କରୁଛି। ଏହି କଥା ଆଜିର ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଗବାଇ ମୁଖ୍ୟ ବିଚାରପତି ହେବାର ଠିକ ପରେ ପରେ କହିଥିଲେ। ହୋଇପାରେ ଯେ ଏହି ହେତୁ କେନ୍ଦ୍ର ସରକାର ଜଷ୍ଟିସ ଗବାଇଙ୍କ ଉପରକୁ ଚପଲ ଫୋପାଡ଼ିଥିବା ରାକେଶ କିଶୋରଙ୍କ ବିରୁଦ୍ଧରେ କୌଣସି ଅପରାଧିକ ମାମଲା ରୁଜୁ ନକରି ନିରବ ରହିଲେ। (ମୋର ପୂର୍ବ ଲେଖା ‘ସମ୍ବିଧାନର ଅନ୍ତରାଳରେ ଅନ୍ୟ ଏକ ସମ୍ବିଧାନ’ରେ ଏହାର ବର୍ଣ୍ଣନା ରହିଛି)
ଅବସର ପରେ ବିଚାରପତିଙ୍କୁ ପଦବୀ ଯାଚିବା ଓ ଗ୍ରହଣ ନକଲେ ଚପଲ ଫୋପାଡ଼ିବା ଅଥବା ଅପରାଧୀ ପ୍ରତି କୋହଳ ହେବା ଦ୍ଵାରା ହିଁ ଉଚ୍ଚ କୋର୍ଟକୁ ନିଜ ଅଧୀନକୁ ନିଆଯାଇପାରିବ, ଏହା କେନ୍ଦ୍ର ସରକାରଙ୍କ କୌଶଳ। ଶୁଖିଲା ନଦୀରେ ଡଙ୍ଗା ଚାଲିଲା ଭଳି ଦେଶର ନ୍ୟାୟ ବ୍ୟବସ୍ଥା ଚାଲିଛି। ଏଥିରେ ଯାହାକୁ ସୁଫଳ ମିଳିବା କଥା ମିଳୁଛି।
ମୋବାଇଲ- ୯୪୩୭୭୬୨୨୭୨
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/11/04/chandrachud-2025-11-04-12-56-26.jpg)