ଦେବ ରଞ୍ଜନ:
ଜମି ଅଧିକାର ଲାଗି ଲଢ଼େଇ ଜାତୀୟ ସୁରକ୍ଷାର ପ୍ରଶ୍ନ ହେବ କିଭଳି? କିନ୍ତୁ ଏହା ହେଉଛି ସେହିଭଳି ଅଭିଯୋଗରେ ଯେଉଁଠି ନିଜେ ସରକାର ଏକ ପକ୍ଷ ହେଉଛନ୍ତି। ଜାତୀୟ ସୁରକ୍ଷା ଆଇନ, ୧୯୮୦ ବଳରେ ରାଜ୍ୟ ସରକାର ଜମି ଅଧିକାର ପାଇଁ ଆନ୍ଦୋଳନରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ପ୍ରତିଷେଧମୂଳକ ନାମରେ ଦୀର୍ଘ ଦିନ ଅଟକ କରିପାରୁଛନ୍ତି। ଏହା ଦ୍ଵାରା ବ୍ୟକ୍ତିର ସମସ୍ତ ମୌଳିକ ଅଧିକାରକୁ ମଧ୍ୟ ଛଡ଼ାଇ ନିଆଯାଉଛି।
ପୁରୀ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ସିପସରୁବାଲି ମୌଜାରେ (ପୁରୀରୁ ସାତପଡ଼ା (ଚିଲିକା) ଆଡ଼କୁ ଯିବା ରାସ୍ତାରେ ବାମ ପଟରେ ଅବସ୍ଥିତ) ରାଜ୍ୟ ସରକାର ‘ଶାମୁକା ପ୍ରକଳ୍ପ’ ଲାଗି ଯେଉଁ ଜମିକୁ ଚିହ୍ନଟ କରିଛନ୍ତି ତାହା ଉପରେ ଶହ ଶହ ବର୍ଷ ହେଲା ଅଞ୍ଚଳବାସୀ ନିର୍ଭରଶୀଳ। ପ୍ରାୟ ୨୫ ଖଣ୍ଡ ଗାଁର ପ୍ରାୟ ପଚିଶ ହଜାର ଲୋକ ଏହି ପ୍ରକଳ୍ପ ହେତୁ ପ୍ରଭାବିତ ହେବେ। ନିଜର ଜୀବନ ଜୀବିକାକୁ ନେଇ ଲଢ଼େଇ କରୁଥିବା କାରଣରୁ ସ୍ଥାନୀୟ କର୍ମୀ ବଟକୃଷ୍ଣ ସ୍ଵାଇଁଙ୍କୁ ରାଜ୍ୟ ସରକାର ଜାତୀୟ ସୁରକ୍ଷା ଆଇନ ବଳରେ ମଇ ମାସରୁ (୨୦୨୨) ଅଟକ ରଖିଛନ୍ତି।
ଜାତୀୟ ସୁରକ୍ଷା ଆଇନ, ୧୯୮୦ (ଏନ.ଏସ.ଏ.)ବଳରେ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଦେଶର ସୁରକ୍ଷା, ବୈଦେଶିକ ସମ୍ବନ୍ଧ, ରାଜ୍ୟର ସୁରକ୍ଷା, ସାର୍ବଜନୀନ ବ୍ୟବସ୍ଥା ଓ ଜରୁରୀ ବସ୍ତୁର ନେବା ଆଣିବା ଇତ୍ୟାଦିରେ କୌଣସି ବାଧା ବା କ୍ଷତିର ସମ୍ଭାବନା ଦେଖିଲେ କୌଣସି ବି ବ୍ୟକ୍ତିଙ୍କୁ ପ୍ରତିଷେଧମୂଳକ ଅଟକ ରଖିପାରୁଛନ୍ତି। ଏତଦବ୍ୟତୀତ, ସାର୍ବଜନିକ ବ୍ୟବସ୍ଥା ବା public order କ୍ଷେତ୍ରରେ ବାଧା ଆଣିବାର ସମ୍ଭାବନା ରହିଥିଲେ ସରକାର କାହାରିକୁ ବି ଅଟକ ରଖିବାର ପ୍ରାବଧାନ ରହୁଛି।
ଜାତୀୟ ସୁରକ୍ଷା ଆଇନ ଦ୍ଵାରା ଅଟକ ବ୍ୟକ୍ତିକୁ ହାଇକୋର୍ଟଙ୍କ ଦ୍ଵାରା ଗଠିତ ଏକ ପରାମର୍ଶ ବୋର୍ଡ ସମୀକ୍ଷା କରିବ। (ଏନଏସଏର ଧାରା ୯) ଏହି ବୋର୍ଡ ପ୍ରତି ତିନି ମାସରେ ଏହାକୁ ସମୀକ୍ଷା କରିବେ। (ଧାରା ୧୪କ) କିନ୍ତୁ ସେହି ସମୀକ୍ଷା ସମୟରେ ଅଟକ ବ୍ୟକ୍ତି ନିଜ ଆଡୁ କୌଣସି ଓକିଲ ମଧ୍ୟ ନିଯୁକ୍ତ କରିପାରିବେ ନାହିଁ। ଜିଲ୍ଲା ପ୍ରଶାସନ ଦେଇଥିବା ତଥ୍ୟ ଆଧାରରେ ବୋର୍ଡ ନିଜର ରାୟ ଜଣାଇବେ।
‘ସାର୍ବଜନିକ ବ୍ୟବସ୍ଥା’ ସର୍ବଦା ସରକାରଙ୍କ ନିଷ୍ପତ୍ତିକୁ ବୁଝାଉଥିବା ଓ ଏହାକୁ ବିରୋଧ କରିବାର ଅର୍ଥ ଜାତୀୟ ସୁରକ୍ଷାର ପ୍ରଶ୍ନ ହୋଇଯିବା ଏକ ଅଗଣତାନ୍ତ୍ରିକ ନିଷ୍ପତ୍ତି। କିନ୍ତୁ ଜାତୀୟ ସୁରକ୍ଷା ଆଇନ ବଳରେ ଅଟକ ବା ଗିରଫ ହେଉଥିବା ଅଧିକାଂଶ ବ୍ୟକ୍ତିଙ୍କ କ୍ଷେତ୍ରରେ ସାର୍ବଜନିକ ବ୍ୟବସ୍ଥାରେ ବାଧା ଆଣିବାର ଅଭିଯୋଗ ସରକାର ରଖୁଥିବାରୁ ଏହା ନିଶ୍ଚିତ ଯେ ସେଭଳି ଅଟକ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ।
ଏନ.ଏସ.ଏ. ଭଳି ପ୍ରତିଷେଧମୂଳକ ଅଟକ ଆଇନରେ ମୁଖ୍ୟ ଅଭିଯୋଗକାରୀ ନିଜେ ସରକାର ହେଲେ ଅଭିଯୁକ୍ତ ହେବେ ସାଧାରଣ ଜନସାଧାରଣ। ଏ କ୍ଷେତ୍ରରେ, ଅଟକ ରହିଥିବା ବ୍ୟକ୍ତି କୌଣସି ଅପରାଧ କରିଥାଉ ଅଥବା କରିନଥାଉ, ହୁଏତ କୌଣସି ଅପରାଧର ଯୋଜନା କରିଥାଉ ଅଥବା ନକରିଥାଉ କିନ୍ତୁ ତାହାକୁ ସରକାର ଜାତୀୟ ସୁରକ୍ଷା ଆଇନ ବଳରେ ପ୍ରତିଷେଧମୂଳକ ଅଟକ ରଖିପାରୁଛନ୍ତି। ଏହା ଅତ୍ୟନ୍ତ ଅଗଣତାନ୍ତ୍ରିକ। ସରକାରଙ୍କ ତରଫରୁ ଜିଲ୍ଲାର ଜିଲ୍ଲାପାଳ ଅଥବା କମିଶନରେଟ ପୁଲିସଙ୍କର ଏହି କ୍ଷମତା ରହୁଛି ଯେ ସେ କୌଣସି ବି ବ୍ୟକ୍ତିଙ୍କୁ ଉକ୍ତ ଆଇନ ବଳରେ ଅଟକ ରଖିପାରିବେ।
ଜାତୀୟ ସୁରକ୍ଷା ଆଇନ ଇନ୍ଦିରା ଗାନ୍ଧୀଙ୍କ ଶାସନରେ ପ୍ରଥମେ ଅର୍ଡିନାନ୍ସ ଭାବରେ ୨୩ ସେପ୍ଟେମ୍ବର ୧୯୮୦ରେ କଂଗ୍ରେସ ସରକାରଙ୍କ ଦ୍ଵାରା ଜାରିହୋଇଥିଲା। ଏହା ପରେ ପାର୍ଲାମେଣ୍ଟରେ ପାସ ହୋଇ ରାଷ୍ଟ୍ରପତିଙ୍କ ଅନୁମୋଦନ ୨୭ ଡିସେମ୍ବର ୧୯୮୦ ଦିନ ପାଇଥିଲା।
ଦେଶର ଓ ରାଜ୍ୟର ସୁରକ୍ଷା ଲାଗି ଏହି ଆଇନ ପ୍ରଣୟନ ଜରୁରୀ ଥିବା କୁହାଗଲା। କିନ୍ତୁ ବିଭିନ୍ନ ସରକାରଙ୍କ ଦ୍ଵାରା ଏହାର ପ୍ରଥମ ଦଶନ୍ଧି (୧୯୮୦ – ୯୦) ମଧ୍ୟରେ ଜାତୀୟ ସୁରକ୍ଷା ଆଇନ ବଳରେ ୧୬,୦୦୦ ଲୋକଙ୍କୁ ଗିରଫ କରାଯାଇଥିଲା। ଆବଶ୍ୟକ ନାହିଁ ଯେ ସେହି ଲୋକ କିଛି ଅପରାଧ ନିଶ୍ଚିତ କରିଥିବ। କେବଳ ସନ୍ଦେହ ଆଧାରରେ ଏହି ଅଟକ ରଖାଯାଇଥିଲା।
ଜାତୀୟ ସୁରକ୍ଷା ଆଇନର ବ୍ୟବହାର ଅନେକଟା ରାଜନୈତିକ ଉଦ୍ଦେଶ୍ୟରେ କରାଯାଇଛି। ଉତ୍ତର ପ୍ରଦେଶ ସରକାର ୨୦୨୦ ମସିହାରେ ସମୁଦାୟ ୧୩୯ ଜଣଙ୍କୁ ଜାତୀୟ ସୁରକ୍ଷା ଆଇନ (୧୯୮୦) ବଳରେ ଗିରଫ କରିଥିଲେ। ସେମାନଙ୍କ ମଧ୍ୟରୁ ୭୬ ଜଣ ଗାଈ ହତ୍ୟା ସମ୍ବନ୍ଧିତ। ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ନିଜ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି, “ସାର୍ବଜନିକ ବ୍ୟବସ୍ଥାରେ ବାଧା ଦେଉଥିବା ବ୍ୟକ୍ତିମାନଙ୍କ ବିପକ୍ଷରେ ଜାତୀୟ ସୁରକ୍ଷା ଆଇନ ଲାଗୁ କରି ଗିରଫ କର ଯାହା ଦ୍ଵାରା ଅପରାଧୀଙ୍କ ମଧ୍ୟରେ ଭୟ ଆସିପାରିବ।“ (The Indian Express, September 11, 2020)
ଓଡ଼ିଶା ସରକାର ଜମି ଅଧିକାର ଲାଗି ଲଢ଼େଇ କରୁଥିବା କର୍ମୀଙ୍କୁ ଏଥିରେ ଅଟକ ରଖୁଛନ୍ତି।
ପୁରୀ ଜିଲ୍ଲାର ସ୍ଥିତିକୁ ଦେଖିଲେ, ୧୯୨୮ ମସିହାରେ ହୋଇଥିବା ଜମି ବନ୍ଦୋବସ୍ତ ଅନୁଯାୟୀ ସିପସରୁବାଲି ମୌଜାର ସମୁଦାୟ ୫୨୧୧. ୮୪ ଏକର ଜମି ମଧ୍ୟରୁ ୩୪୧୮.୬୨ ଏକର ଜମି ଥିଲା ଅନାବାଦି। ଏହି ମୌଜାର ଅଧିକାଂଶ ଜମିର ମାଲିକାନା ସତ୍ଵ ବିଭିନ୍ନ ମଠ ଓ ମନ୍ଦିର ହାତରେ ରହିଥିଲା।
ସରକାରୀ ସ୍ତରରେ ଏହି ଅନାବାଦି ଜମିକୁ ସରକାରୀ ଖାତାକୁ ଆଣିବା ପ୍ରକ୍ରିୟାରେ ଅଧିକାଂଶ ଜମି ମାତ୍ର ୬୬ ଜଣ ଘରୋଇ ବ୍ୟକ୍ତିଙ୍କ ହାତକୁ ଚାଲିଗଲା। ଯଦିଓ ଭୂସଂସ୍କାର ଆଇନ (୧୯୭୩) ବଳରେ ରାଜ୍ୟ ସରକାର ସେହି ପ୍ରଭାବଶାଳୀ ବ୍ୟକ୍ତିଙ୍କଠାରୁ ଜମି ଫେରାଇଆଣିବା ଲାଗି କେସ କଲେ କିନ୍ତୁ ସେହି ପ୍ରକ୍ରିୟା ମଧ୍ୟ ଅତି ମନ୍ଥର ଥିଲା। (ପିୟୁସିଏଲ ରିପୋର୍ଟ)
୧୯୯୪ ମସିହାରେ ଓଡ଼ିଶା ହାଇକୋର୍ଟ ଗୋରୁଆଳ ପଞ୍ଚାୟତର ୨୧୩ ଜଣ ବ୍ୟକ୍ତିଙ୍କୁ ସିଲିଙ୍ଗ ବହିର୍ଭୂତ ଜମି ଆବଣ୍ଟନ ପାଇଁ ନିର୍ଦ୍ଦେଶ ଦେଲେ। କିନ୍ତୁ ରାଜ୍ୟ ସରକାର ପର୍ଯ୍ୟଟନ ବିଭାଗ ଅଧୀନରେ ‘ଶାମୁକା ପ୍ରକଳ୍ପ’ ଯୋଜନା (୧୯୯୬) ଆଣି ସେହି ସମସ୍ତ ଜମିକୁ ନିଜ ଅକ୍ତିଆରରେ ରଖିବା ଲାଗି ଉଦ୍ୟମ କଲେ। ପ୍ରକଳ୍ପ ପାଇଁ ଅଧିକୃତ ଜମିରେ ଜଙ୍ଗଲ ବିଭାଗର ତଥ୍ୟ ଅନୁସାରେ, ୯୦,୮୬୩ ଝାଉଁଗଛ, ୧୩,୧୩୫ କାଜୁ ଗଛ ଓ ୧୩୫ ତାଳ ଗଛ ଅଛି। (୨୦୦୩) ଏହି ଜମି ଉପରେ ମୁଖ୍ୟତଃ ଜମିହୀନ ଦଳିତ ପରିବାର ନିଜର ଜୀବିକା ଲାଗି ଅଧିକ ନିର୍ଭରଶୀଳ। ଏହି ହେତୁ ସିପାସରୁବାଲି ଅଞ୍ଚଳରେ ଜମି ଆନ୍ଦୋଳନ ରାଜ୍ୟ ସରକାରଙ୍କ ପ୍ରସ୍ତାବିତ ବିମାନଘାଟି ନିର୍ମାଣ ଓ ଶାମୁକା ପ୍ରକଳ୍ପ ବିରୁଦ୍ଧରେ ଦୁଇ ଦଶନ୍ଧିରୁ ଉର୍ଦ୍ଧ୍ୱ ହେଲା ଚାଲିଆସିଛି।
ସରକାର ଶାମୁକା ଯୋଜନାରେ ବିତ୍ତଶାଳୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଲାଗି ୨୩୦ ଏକର ପରିମିତ ଜମିରେ ଚାରୋଟି ବିଳାସପୂର୍ଣ୍ଣ ହୋଟେଲ, ୨୨୧ ଏକର ପରିମିତ ଜମିରେ ଗଲ୍ଫ କୋର୍ସ, ଆନ୍ତର୍ଜାତିକ ବିମାନ ଘାଟି, କନଭେନସନ ସେଣ୍ଟର, ଆର୍ଟ ସେଣ୍ଟର, ମ୍ୟୁଜିୟମ ଇତ୍ୟାଦି ପ୍ରାଇଭେଟ କମ୍ପାନୀଙ୍କ ମାଧ୍ୟମରେ କରିବେ। ଏହି ଜମି ଉପରେ କିନ୍ତୁ ପ୍ରାୟ ୨୫,୦୦୦ ଲୋକ ଜଙ୍ଗଲରୁ ଜାଳେଣୀ କାଠ, ଛତୁ, ଶାଗ, କାଜୁ ଓ ଝାଉଁ କାଠ ସଂଗ୍ରହ କରି ଜୀବିକା ପାଳୁଛନ୍ତି। ଏହି ବିରାଟ ଜଙ୍ଗଲ ଲୋକଙ୍କୁ ବାତ୍ୟାର ପ୍ରକୋପରୁ ରକ୍ଷା କରୁଛି। ସମୁଦ୍ର ଯେଉଁ ଗତିରେ କୁଳ ଖାଉଛି ଯଦି ଏହି ବିରାଟ ଜଙ୍ଗଲ ଚାଲିଯାଏ ତେବେ ସାତଭାୟା ବା ଉଦୟକଣି ଭଳି ଅନେକ ଗାଁ ହୁଏତ ସମୁଦ୍ର ଗର୍ଭକୁ ଚାଲିଯିବ।
ଶାମୁକା ପ୍ରକଳ୍ପକୁ ସ୍ଥାନୀୟ ଲୋକେ ‘ଉପକୂଳୀୟ ଜମି ଓ ଜଙ୍ଗଲ ସୁରକ୍ଷା ସମିତି’ ସଂଗଠନ ତିଆରି କରି ଏହାର ପ୍ରତିବାଦ କରିଆସୁଛନ୍ତି।
ନିଜକୁ ଲୋକଙ୍କ ପକ୍ଷରେ ରଖି ସେମାନଙ୍କ ଜୀବନ ଓ ଜୀବିକାର ଅଧିକାର ଲାଗି ଲଢ଼େଇ କରୁଥିବା କାରଣରୁ ବଟକୃଷ୍ଣ ସ୍ଵାଇଁଙ୍କୁ ଭାରତୀୟ ଦଣ୍ଡବିଧି ଆଇନର ବିଭିନ୍ନ ଦଫାରେ ଗିରଫ କରାଯିବା ପରେ ଜେଲରେ ଥିବା ସମୟରେ ଜାତୀୟ ସୁରକ୍ଷା ଆଇନ ପୁରୀ ଜିଲ୍ଲାପାଳ ଲାଗୁ କରିଛନ୍ତି। ଏହା ପୂର୍ବରୁ ୨୦୧୫ ମସିହାରେ ମଧ୍ୟ ଏହି ସମାନ କାରଣରୁ ବଟକୃଷ୍ଣଙ୍କ ବିପକ୍ଷରେ ରାଜ୍ୟ ସରକାର ଜାତୀୟ ସୁରକ୍ଷା ଆଇନ ଲାଗୁ କରିଥିଲେ ଓ ଦୀର୍ଘ ଦିନ ଅଟକ ରଖିଥିଲେ। କିନ୍ତୁ ତାଙ୍କର ଅଟକକୁ ହାଇକୋର୍ଟଙ୍କ ଦ୍ଵାରା ଗଠିତ ପରାମର୍ଶ ବୋର୍ଡ ପ୍ରତ୍ୟାଖ୍ୟାନ କରିବା ଦ୍ଵାରା ସେ ଜେଲରୁ ମୁକୁଳି ଥିଲେ।
ବଟକୃଷ୍ଣ ଏହି ଜମି ଅଧିକାର ଆନ୍ଦୋଳନ ସହିତ ସମ୍ପୃକ୍ତ ହେବା ପୂର୍ବରୁ ଜଣେ ରାଜନୈତିକ କର୍ମୀଭାବରେ ଲୋକଙ୍କ ସମସ୍ୟାକୁ ନେଇ ସରକାରଙ୍କ ସାମ୍ନାରେ ଉପସ୍ଥାପିତ କରିଛନ୍ତି। ଏଭଳି ଜଣେ ବ୍ୟକ୍ତି ଜାତୀୟ ସୁରକ୍ଷା ଲାଗି କେଉଁଭଳି ଏକ ଆହ୍ଵାନ ହୋଇଯାଇପାରିବେ? କେବଳ ସେ ନୁହନ୍ତି। ସିପସରୁବାଲି ମୌଜାର ଅନେକ ବ୍ୟକ୍ତି, ଉଭୟ ପୁରୁଷ ଓ ମହିଳା, ସରକାରଙ୍କ ଆକ୍ରୋଶରୁ ବିଭିନ୍ନ ଦଫା ଯଥା ଡକାୟତି, ଚୋରୀ, ଆକ୍ରମଣ ଅପରାଧରେ ଜେଲରେ ରହିଛନ୍ତି। ସେ ମଧ୍ୟରୁ କେତେକ ଜାମିନରେ ଆସିଛନ୍ତି।
ଆମ ବିଚାର ବ୍ୟବସ୍ଥାର ଏହା ଏକ ବଡ଼ ସମସ୍ୟା ଯେ ଆଦିବାସୀ, ଦଳିତ, ଚାଷୀ ଓ ଶ୍ରମିକ ଯେବେ ବି ନିଜ ଅଧିକାର ଲାଗି ଯେଉଁଠାରେ ବି ଲଢ଼େଇ କରୁଛନ୍ତି ସେମାନଙ୍କ ବିପକ୍ଷରେ ସେ ସମୟରେ ଶାସନରେ ରହିଥିବା ରାଜନୈତିକ ଦଳ ଭାରତୀୟ ଦଣ୍ଡବିଧୀ ଆଇନର ବିଭିନ୍ନ ଅପରାଧିକ ଧାରାରେ ସେମାନଙ୍କୁ ଗିରଫ କରିଆସିଛନ୍ତି। ମନେକର, ଆଦିବାସୀ ଲୋକେ ନିଜ ଜମି କମ୍ପାନୀକୁ ନଛାଡ଼ିବା ଲାଗି ବିକ୍ଷୋଭ ବା ଧାରଣା ଦେଉଥିବେ। କିନ୍ତୁ ସରକାର ସେମାନଙ୍କୁ ଡକାୟତି, ଚୋରୀ, ଦଙ୍ଗା ଇତ୍ୟାଦି ଅପରାଧରେ ଗିରଫ କରିଥିବେ।
ଗୋଟିଏ ପଟରେ ଆମର ସମ୍ବିଧାନ ଲୋକଙ୍କୁ ଅଧିକାର ଦେଉଛି ଯେ ସେମାନେ ନିଜ ଅଧିକାର ଲାଗି ଲଢ଼େଇ କରିପାରିବେ। ଅନ୍ୟପଟରେ କିନ୍ତୁ ନିଜ ଅଧିକାର ଲାଗି ଲଢ଼େଇ କରୁଥିବା ଲୋକେ ବିଭିନ୍ନ ଅପରାଧିକ ଧାରାରେ ଗିରଫ ହେଉଥିବେ। ଦୀର୍ଘ ଦିନ ସେମାନଙ୍କୁ ଜାମିନ ନହେବା ଓ ସେମାନେ ଜେଲରେ ରହିଥିବା ସମୟରେ ଜମି ଅଧିଗ୍ରହଣ ହୋଇଯିବା ଅଥବା କାରଖାନାରୁ ବହିଷ୍କୃତ ହେବାର ଅନେକ ଦୃଷ୍ଟାନ୍ତ ରହିଛି। ନିଜର ଅଧିକାର ଲାଗି ଲଢ଼େଇ କରି ସେମାନେ ଜେଲ ଯାଇଥିବା କଥା ହୁଏତ ସେମାନେ କହୁଥିବେ। କିନ୍ତୁ ସରକାରଙ୍କ ଗୃହ ମନ୍ତ୍ରଣାଳୟ ରିପୋର୍ଟରେ ସେମାନେ ଭାରତୀୟ ଦଣ୍ଡବିଧି ଆଇନରେ ‘ଅଭିଯୁକ୍ତ’ ତାଲିକାରେ ସେହି ବର୍ଷ ଦର୍ଶାଯାଇଥିବେ ଓ ମାମଲା କୋର୍ଟରେ ଦୀର୍ଘ ଦିନ ଚାଲିଥିବ।
ଜାତୀୟ ସୁରକ୍ଷା ଆଇନ ବଳରେ ଅଟକ ଥିବା ବ୍ୟକ୍ତିକୁ (ଅନ୍ୟ ପ୍ରତିଷେଧମୂଳକ ଅଟକ ଆଇନରେ ମଧ୍ୟ) କୌଣସି ଅପରାଧରେ ଗିରଫ ବୋଲି ମଧ୍ୟ ଧରାଯାଇପାରିବ ନାହିଁ। ଯେହେତୁ ସେ କୌଣସି ଅପରାଧ କରିନାହାନ୍ତି ତେଣୁ ତାଙ୍କର ଜାମିନ ଆବେଦନ ହେବାର ମଧ୍ୟ ନାହିଁ। ସେଭଳି ଅଟକ ରହିଥିବା ବ୍ୟକ୍ତିଙ୍କୁ ବିଚାର ବିଭାଗ ଜେଲରେ ଅନ୍ୟ କଏଦୀଙ୍କ ସହିତ ରଖାଯାଉଛି। ଜଣେ ଅପରାଧୀ ଚାହିଁଲେ ଗିରଫର ପ୍ରଥମ ଦିନରୁ ଜାମିନ ପାଇଁ ଆବେଦନ କରିପାରିବ। କିନ୍ତୁ ଜାତୀୟ ସୁରକ୍ଷା ଆଇନ (ବା ଅନ୍ୟ କୌଣସି ଅଟକ ଆଇନ) ବଳରେ ଅଟକ ଥିବା ବ୍ୟକ୍ତିର ସେହି ମୌଳିକ ଅଧିକାର ରହିବ ନାହିଁ।
[caption id="attachment_790246" align="aligncenter" width="650"]
ଅଟକ ବ୍ୟକ୍ତି କେବଳ ନିଜର ଅଟକକୁ ଅଗଣତାନ୍ତ୍ରିକ ପ୍ରମାଣ କରିବା ଲାଗି ସିଧାସଳଖ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇପାରନ୍ତି। ଏ କ୍ଷେତ୍ରରେ ସେ ଓକିଲ ନିଯୁକ୍ତ କରିପାରନ୍ତି। ହାଇକୋର୍ଟଙ୍କ ରାୟ ଆସିବା ମଧ୍ୟରେ ଅନେକ ଦିନ ବ୍ୟକ୍ତି ଜଣକ କୌଣସି ଅପରାଧ ନକରି ମଧ୍ୟ ଅନେକ ମାସ ଜେଲରେ ରହିଯାଇଥା’ନ୍ତି।
ବଟକୃଷ୍ଣ ଏବେ ଓଡ଼ିଶା ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଛନ୍ତି। ସେ ଏବେ ପୁରୀ ଜେଲରେ ଏକ ବିଚାରାଧୀନ ବନ୍ଦୀର ଜୀବନ କାଟୁଛନ୍ତି ଓ କୋର୍ଟଙ୍କ ରାୟକୁ ଅପେକ୍ଷା କରିଛନ୍ତି।
ମୋବାଇଲ- ୮୪୫୬୯୩୧୪୨୩