ଅଗ୍ନିପଥର ବହ୍ନି!

ଜାନକୀଶ ବଡ଼ପଣ୍ଡା

କେନ୍ଦ୍ର ସରକାରଙ୍କ ଦ୍ୱାରା ଘୋଷିତ ସ୍ୱତନ୍ତ୍ର ଯୋଜନା ଅଗ୍ନିପଥ ବିରୋଧରେ ଗତ କିଛି ଦିନ ଧରି ବିଭିନ୍ନ ରାଜ୍ୟରେ ତୀବ୍ର ପ୍ରତିବାଦ, ବିକ୍ଷୋଭ, ପୋଡ଼ାଜଳା, ଟ୍ରେନ ପୋଡ଼ି ଏବଂ ହିଂସାକାଣ୍ଡ ଜାରି ରହିଛି। ଭାରତୀୟ ସେନାରେ ନିଯୁକ୍ତି ପାଇବାକୁ ହେଲେ ଜୁନ ୧୪ ତାରିଖରେ ଘୋଷିତ ‘ଅଗ୍ନିପଥ’ ଦେଇ ଯୁବବର୍ଗଙ୍କୁ ଯିବାକୁ ପଡ଼ିବ; ଏହା ଜାଣିବା ପରେ ଏହି ଅଶାନ୍ତି। ଏପରି ସ୍ଥିତିରେ ଗତ ୧୯ ଜୁନରେ ତିନି ସେନା ପକ୍ଷରୁ ଏକ ମିଳିତ ସାମ୍ବାଦିକ ସମ୍ମିଳନୀ କରାଯାଇ ଏହି ଯୋଜନା ଆରମ୍ଭ ଓ ପ୍ରକ୍ରିୟାର ତାରିଖ ଘୋଷଣା କରା ଯାଇଛି। ଏଥିରୁ ସ୍ପଷ୍ଟ ଯେ ଯେତେ ବିରୋଧ କରାଗଲେ ବି ସରକାର ଅଗ୍ନିବଳୟ ଅତିକ୍ରମ କରି ଅଗ୍ନିପଥ ଯୋଜନାକୁ ନିଶ୍ଚିତ କାର୍ଯ୍ୟକାରୀ କରିବାକୁ ବଦ୍ଧ ପରିକର। ତିନି ସେନାର ମିଳିତ ବିବୃତ୍ତିରୁ ଏହା  ସ୍ପଷ୍ଟ ଯେ ଅଗ୍ନିପଥ ଯୋଜନା ତିନୋଟି କୃଷି ଆଇନ ପ୍ରତ୍ୟାହାର ଭଳି ବ୍ୟବସ୍ଥା ନୁହେଁ, ବରଂ ଏହାକୁ ଲାଗୁ କରାଯିବା ପାଇଁ ସରକାର ଆଗୁଆ ଯୋଜନା କରି ସାରିଛନ୍ତି। ଜୁନ ୨୪ରୁ ବାୟୁସେନା, ଜୁନ ୨୫ରୁ ନୌସେନା ଓ ଜୁଲାଇ ପହିଲାରୁ ସ୍ଥଳସେନା ପାଇଁ ଏହି ନୂତନ ଯୋଜନା ଅନୁସାରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରାଯିବାକୁ ଘୋଷଣା ହୋଇଛି। ସେନା ପକ୍ଷରୁ ଚେତାଇ ଦିଆ ଯାଇଛି ଯେ ଯେଉଁମାନେ ହିଂସାତ୍ମକ ବିକ୍ଷୋଭ, ଆନ୍ଦୋଳନ ଓ ଜଳାପୋଡ଼ାରେ ସମ୍ପୃକ୍ତ ଥିବା ସମ୍ପର୍କରେ ପୋଲିସ ଏତଲା କରିଥିବେ, ସେମାନେ ଅଭିଯୋଗର ତଦନ୍ତ ପରେ ପ୍ରମାଣପତ୍ର ଦେଇ ନପାରିଲେ ନିଯୁକ୍ତି ପାଇବାକୁ ଅଯୋଗ୍ୟ ହେବେ। ପୋଲିସ ପ୍ରମାଣପତ୍ର ପ୍ରାଥମିକ ଆବଶ୍ୟକତା ବୋଲି ଆଗୁଆ ସୂଚନା ଦିଆସରିଲାଣି।

ଅଗ୍ନିପଥ ଯୋଜନାକୁ ବିରୋଧ କରି ସମଗ୍ର ଦେଶରେ ଯେଉଁ ପ୍ରତିବାଦର ସ୍ୱର ଶୁଣା ଯାଉଛି ଓ ବିକ୍ଷୋଭ ଦେଖା ଦେଇଛି ତାହାକୁ ପ୍ରଶମିତ କରିବାକୁ ହୁଏତ ଏପରି ପରୋକ୍ଷ ଚେତାବନୀ ଅବା ଧମକ ଦିଆଯାଉଛି, ଏହା ନିଶ୍ଚିତ। କିନ୍ତୁ ସୈନିକ ଭାବେ ନିଯୁକ୍ତି ପାଇବାକୁ କୋଭିଡ ପୂର୍ବରୁ ଅପେକ୍ଷା କରି ରହିଥିବା ଓ ଏବେ ହିଂସାମୁଖୀ ହୋଇ ଉଠିଥିବା ହତାଶ ଯୁବସମାଜକୁ ଏପରି ଡରାଣ କେତେଦୂର ଆନ୍ଦୋଳନରୁ ନିବୃତ୍ତ କରି ରଖୁଛି, ତାହା ଲକ୍ଷ୍ୟ କରିବାକୁ ହେବ। ଇତିମଧ୍ୟରେ, ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ପ୍ରଥମ ଦଫା ଅଗ୍ନିବୀର ନିଯୁକ୍ତି ପାଇଁ ସର୍ବାଧିକ ବୟସ ସୀମାକୁ ୨୧ ବର୍ଷରୁ ବଢ଼ାଇ ୨୩ ବର୍ଷ କରାଯାଇଛି ଯାହାଫଳରେ କୋଭିଡ ମହାମାରୀ କାରଣରୁ ନିଯୁକ୍ତି ସୁଯୋଗ ହରାଇଥିବା ଯୋଗ୍ୟ ଯୁବବର୍ଗ ଚଳିତ ବର୍ଷ ଅଗ୍ନିବୀର ନିଯୁକ୍ତିର ସୁଯୋଗ ନେଇ ପାରିବେ। ଏଥି ସହ ଚାରି ବର୍ଷ ସେବା ପ୍ରଦାନ କଲା ପରେ ଯେଉଁ ୭୫ ପ୍ରତିଶତ ଅଗ୍ନିବୀର ସେବା ନିବୃତ୍ତ ହେବେ ସେମାନଙ୍କ ପାଇଁ ବିଭିନ୍ନ ସରକାରୀ ଉଦ୍ୟୋଗ ଓ ବିଭାଗରେ ୧୦ ପ୍ରତିଶତ ସ୍ଥାନ ସଂରକ୍ଷିତ କରିବାର ଘୋଷଣା ହୋଇଛି। ଅନେକ କ୍ଷତି ହୋଇସାରିଲା ପରେ ଏହିସବୁ ଘୋଷଣା କରା ହେଉଛି ଯାହାକୁ ଆମେ ‘ନିଆଁ ଲିଭେଇବା’ ଉଦ୍ୟମ କହିପାରିବା।

ଅଗ୍ନିପଥକୁ ନେଇ ଆନ୍ଦୋଳନକାରୀ ଯୁବଗୋଷ୍ଠୀ ବିଗତ ସପ୍ତାହେ ହେଲାଣି ଯାନବାହନ ଭଙ୍ଗାରୁଜା, ଟ୍ରେନ ପୋଡ଼ି ଓ  ଭାରତ ବନ୍ଦପାଳନ ସହ ଯେପରି ବ୍ୟାପକ ହିଂସାକାଣ୍ଡ ଘଟାଇ ଜାତୀୟ ସମ୍ପତ୍ତି ନଷ୍ଟ କରୁଛନ୍ତି, ତାହାକୁ କେହି ବି ସମର୍ଥନ କରିବେ ନାହିଁ। ଏହାକୁ ନିନ୍ଦା କରିବାକୁ ଭାଷା ନାହିଁ। ତେବେ, ଦେଶରେ ଗୋଟିଏ ପରେ ଗୋଟିଏ, ଏପରି ଅନେକ ହିଂସାତ୍ମକ ଘଟଣା ଘଟୁଥିବାର ଦେଖାଦେଉଛି। ତିନୋଟି କୃଷି ଆଇନକୁ ପ୍ରତ୍ୟାହାର କରିବା ଦାବିରେ ପ୍ରାୟ ଏକ ବର୍ଷ କାଳ କୃଷକଙ୍କ କାନ୍ଧରେ ବନ୍ଧୁକ ରଖି କିଛି କୃଷକ ନେତା ଓ କୃଷି ଉପରେ ସାମାନ୍ୟତମ ଜ୍ଞାନ ନଥିବା କିଛି ରାଜନେତା ଓ ବୁଦ୍ଧିଜୀବୀ ରାଜଧାନୀ ଦିଲ୍ଲୀରେ ଏପରି ଭୟାବହ ଆନ୍ଦୋଳନ କଲେ ଯେ, କେନ୍ଦ୍ର ସରକାରଙ୍କୁ ତିନୋଟି ଯାକ କୃଷି ଆଇନ ପ୍ରତ୍ୟାହାର କରିବାକୁ ପଡ଼ିଥିଲା। ଏବେ ଅଗ୍ନିପଥକୁ ନେଇ ଭବିଷ୍ୟତରେ ସୈନିକ ହେବାକୁ ଆଗ୍ରହୀ ଯୁବପିଢ଼ି କାହିଁକି ଯେ ଏତେ ମାତ୍ରାରେ ବିକ୍ଷୁବ୍ଧ, ତାହାର ସମୀକ୍ଷା ଅତ୍ୟାବଶ୍ୟକ ମନେହୁଏ।

ଭାରତର ଯୁବବର୍ଗ ଏବେ ନିଯୁକ୍ତି ଓ ରୋଜଗାର ଖୋଜି ବୁଲୁଛନ୍ତି। ବିଶ୍ୱର ପ୍ରାୟ ସମସ୍ତ ଦେଶରେ ମୁଦ୍ରାସ୍ଫୀତି ଉତ୍କଟ ହୋଇଛି। ନିଯୁକ୍ତି ହାରରେ ହ୍ରାସ ଘଟିଛି ଓ ଅନେକେ ନିଯୁକ୍ତି ହରାଇଛନ୍ତି। ଖାଦ୍ୟ ସଙ୍କଟ ମଧ୍ୟରେ ସମଗ୍ର ମାନବ ସମାଜ ଆଉଟୁ ପାଉଟୁ ହେଉଛି। ବିକଶିତ ରାଷ୍ଟ୍ରମାନଙ୍କର ମୁଦ୍ରାସ୍ଫିତି ଭାରତ ଅପେକ୍ଷା ଅଧିକ ଗମ୍ଭୀର। କୃଷିଠାରୁ ଶିଳ୍ପ, ପର୍ଯ୍ୟଟନଠାରୁ ଖାଦ୍ୟ ପ୍ରକ୍ରିୟାକରଣ ସବୁ କ୍ଷେତ୍ରରେ ମାନ୍ଦାବସ୍ଥା ତିରୋଟ ହୋଇଛି। ମହାମାରୀ କୋଭିଡ ଓ ପରେ ପରେ ରୁଷ ୟୁକ୍ରେନ ଯୁଦ୍ଧ ସହ ଅସନ୍ତୁଳିତ ପର୍ଯ୍ୟାବରଣ ଏପରି ଦୁରବସ୍ଥା ପାଇଁ ଦାୟୀ। ଭାରତୀୟ ଯୁବ ବର୍ଗଙ୍କ ମଧ୍ୟରେ ଜମି ରହିଛି ବର୍ଷ ପରେ ବର୍ଷର ହତାଶା ଓ ରୋଜଗାର ସାଧନ ନଥିବାର ନିରାଶା।

ମହାମାରୀ କରୋନା କାରଣରୁ ୨୦୨୦ ମାର୍ଚ୍ଚ ମାସଠାରୁ ଦୁଇବର୍ଷରୁ ଅଧିକ ସମୟ ଧରି ସୈନ୍ୟବାହିନୀରେ ନିଯୁକ୍ତି ମିଳିପାରି ନଥିଲା। ଅନେକ ଆଶାୟୀ ଯୁବକ, ଯୁବତୀ ଦୁଇ ତିନି ବର୍ଷ ଧରି ପ୍ରତିଦିନ ଶାରୀରିକ ବ୍ୟାୟାମ, ଅଭ୍ୟାସ ଜାରି ରଖିଥିଲେ କେବଳ ପ୍ରତିରକ୍ଷା ବିଭାଗର ଯେ କୌଣସି ଶାଖାରେ ସିଧାସଳଖ ନିଯୁକ୍ତି ପାଇବାକୁ। ଏପରିକି, କିଛି ଅନୁଷ୍ଠାନରେ ସେମାନେ ତାଲିମଦାତାଙ୍କ ତତ୍ତ୍ୱାବଧାନରେ ପ୍ରଶିକ୍ଷଣ ମଧ୍ୟ ନେଉଥିଲେ। ସେମାନଙ୍କର ଆଶା ଥିଲା ଯେ, ଚଳିତ ବର୍ଷ ସେମାନେ ସେନା ବାହିନୀରେ ନିଜ ଯୋଗ୍ୟତା ଅନୁରୂପ ସମ୍ମାନଜନକ ତଥା ନିୟମିତ ନିଯୁକ୍ତି ପାଇଯିବେ। ବରଂ, ତିନି ବର୍ଷ ଧରି ନିଯୁକ୍ତି ଦିଆ ଯାଇନଥିବାରୁ ଚଳିତ ବର୍ଷ ତିନି ଗୁଣା ଅଧିକ ଅଶାୟୀଙ୍କ ଭାଗ୍ୟ ଖୋଲିଯିବ ବୋଲି ସେମାନେ ଭାବି ନେଇଥିଲେ। ଅନେକଙ୍କର ନିଯୁକ୍ତି ପୂର୍ବରୁ କରାଯାଉଥିବା ଶାରୀରିକ ସାମର୍ଥ୍ୟ ପରୀକ୍ଷା ତ ଆଉ କାହାର ଲିଖିତ ପରୀକ୍ଷା ଓ ପୋଲିସଠାରୁ ଗୁପ୍ତତଥ୍ୟ ମଧ୍ୟ ଆସିଯାଇଥିବାରୁ ସେମାନେ କେବଳ ପ୍ରତୀକ୍ଷା କରୁଥିଲେ ଯେ କେବେ ତାଙ୍କୁ ନିଯୁକ୍ତି ପତ୍ର ମିଳିବ।

କିଛି ଯୁବକଙ୍କର ତ ବୟସ ଗଡ଼ିଯାଉଥିଲା। ସେମାନଙ୍କ ପ୍ରତୀକ୍ଷା କରିବାର ଧୈର୍ଯ୍ୟ କମି ଚାଲିଥିଲା। ତାଲିମଦାତା ଅନୁଷ୍ଠାନମାନେ ମଧ୍ୟ ପୁରୁଣା ପିଲାଏ ନିଯୁକ୍ତି ପାଇବା ପରେ ନୂଆ ପିଲାଙ୍କୁ ତାଲିମ ଦେବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ। ଆଉ ଠିକ ଏତିକିବେଳେ, ପ୍ରଧାନମନ୍ତ୍ରୀ ଘୋଷଣା କରିଦେଲେ ଅଗ୍ନିପଥ ମାଧ୍ୟମରେ ନିଯୁକ୍ତି ଯୋଜନା। ଏହା ଥିଲା ସମ୍ପୂର୍ଣ୍ଣ ନୂଆ ଓ ଅପ୍ରତ୍ୟାଶିତ। ପୂର୍ବପରି ସିଧାସଳଖ ପ୍ରତିରକ୍ଷା ବିଭାଗରେ ସ୍ଥାୟୀ ନିଯୁକ୍ତି ଆଶାୟୀମାନେ ଭାରତୀୟ ସେନା ବାହିନୀର ସମ୍ମାନଜନକ ଚାକିରୀ ବଦଳରେ ମାତ୍ର ଚାରି ବର୍ଷର ଅଗ୍ନିବୀର ଓ ତାପରେ ଅନିଶ୍ଚିତ, ଅନ୍ଧକାର ଭବିଷ୍ୟତକୁ ଅନୁଭବ କଲେ। ଏହି ମର୍ମାହତ ଯୁବପିଢ଼ିଙ୍କ ଆଜୀବନ ଆର୍ଥିକ ସୁରକ୍ଷା, ଉତ୍ତମ ବେତନ, ସାମାଜିକ ସମ୍ମାନ ସହ ଯୁଦ୍ଧ ହେଲେ ଶତ୍ରୁସଂହାର କରି ବୀରତ୍ୱ ପ୍ରଦର୍ଶନ କରି ମେଡାଲ ପାଇବାର ଆଶା ମଉଳିଗଲା।

‘ଯେମିତି ଥିଲା, ସେମିତି ଥାଉ – ଇତି ବାଞ୍ଛା ସାଉ’ ନ୍ୟାୟରେ ପରିବର୍ତ୍ତନକୁ ବିରୋଧ କରୁଥିବା କଛି ପୂର୍ବତନ ସେନା ଅଧିକାରୀ ମଧ୍ୟ ଅଗ୍ନିପଥ ଯୋଜନାକୁ ବିରୋଧ କରିବା ଦେଖାଗଲା। ସେମାନେ, ଏହି ପରିବର୍ତ୍ତିତ ନିଯୁକ୍ତି ପ୍ରକ୍ରିୟାକୁ ରାଜନୈତିକ କୌଶଳ ଭାବେ ଚିତ୍ରଣ କରିବାକୁ ପଛେଇଲେ ନାହିଁ। କେନ୍ଦ୍ର ସରକାର ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ କିଛି ନିଯୁକ୍ତି ଦେଇ ନିଜର ରାଜନୈତିକ ସ୍ୱାର୍ଥସାଧନ କରୁଛନ୍ତି ବୋଲି ମଧ୍ୟ ରାଜନୈତିକ ସମାଲୋଚନା ହେଲା। ଏପରିକି, ଅଗ୍ନିପଥ ଯୋଜନାକୁ ଆରଏସଏସ  ଓ ଭାରତୀୟ ଜନତା ପାର୍ଟିର ତରୁଣ କର୍ମୀଙ୍କୁ ନିଯୁକ୍ତି ଦେବାର ରାଜପଥ ବୋଲି କିଛି ବିରୋଧୀ ରାଜନେତା ମତଦେଲେ। ନିଆଁ  ଉପରେ ଘିଅ ଢାଳିବା ଭଳି କିଛି ସେନାଧିକାରୀ ମତ ଦେଲେ ଯେ, ଚାରିବର୍ଷ ଅଭିଜ୍ଞତା ପରେ ବି ଅଗ୍ନିବୀରମାନେ ଭାରତୀୟ ସୈନିକ ହେବାକୁ ଅଯୋଗ୍ୟ। ୨୫ ପ୍ରତିଶତ ଅଗ୍ନିବୀର ସେନାରେ ନିଯୁକ୍ତି ପାଇଲେ ଭାରତୀୟ ସେନାର ମାନ ଓ ଗୌରବ କମିଯିବ। ଏସବୁ ଶୁଣିଲେ ନିଯୁକ୍ତି ଆଶାୟୀ ବିକ୍ଷୁବ୍ଧ ହେବା ସ୍ୱାଭାବିକ ଓ ତାହା ହିଁ ହେଲା।

ଯୁବ-ଅସନ୍ତୋଷ ଦୂରକରି ଆଗାମୀ ନିର୍ବାଚନ ବୈତରଣୀ ପାର କରିବାର ଏକ କୌଶଳ ଭାବେ ଅଗ୍ନିପଥ ଯୋଜନାକୁ ଯେପରି ବର୍ଣ୍ଣନା କରାଗଲା, ଏହା ସରଳ ଚାକିରୀ ଆଶାୟୀଙ୍କୁ ସତ୍ୟ ମନେ ହେବା ଅସ୍ୱାଭାବିକ ନୁହେଁ। ଦେଶରେ ସମ୍ପ୍ରତି ବେରୋଜଗାର ସ୍ଥିତି ଚିନ୍ତାଜନକ ରହିଛି ଓ ସରକାର ମଧ୍ୟ ହଠାତ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଅବସ୍ଥାରେ ନାହାନ୍ତି। ଅର୍ଥନୀତି ସ୍ୱାଭାବିକ ହେବା ପରେ କଳ କାରଖାନା, ବଜାର ବ୍ୟବସ୍ଥା ନିଶ୍ଚୟ ମାନବ ସମ୍ବଳ ଆବଶ୍ୟକ କରିବ ଓ ସେତେବେଳେ ନିଯୁକ୍ତି ସୁଯୋଗ ସିନା ସୃଷ୍ଟି ହେବ, କୋଭିଡର  ତୃତୀୟ ଲହର ଆଶଙ୍କା ଭିତରେ କଣ ସମସ୍ତଙ୍କୁ ନିଯୁକ୍ତି ମିଳିପାରିବ। ଏପରି ସ୍ଥିତିରେ ଅଗ୍ନିପଥକୁ ଏକ ଚାରି ବର୍ଷିଆ ନିଯୁକ୍ତି ଥୋପ ଭାବେ ସନ୍ଦେହ କରାଗଲା। କିଛି ଅର୍ଥନୀତିଜ୍ଞଙ୍କ ମତରେ ନିୟମିତ ନିଯୁକ୍ତି ଦେଇଥିଲେ ସରକାରଙ୍କୁ  ଅଧିକ ଅର୍ଥ ବ୍ୟୟ କରିବାକୁ ପଡ଼ିଥାଆନ୍ତା। ଆଜିକାଲି ମିସାଇଲ ଓ ବିଜ୍ଞାନ ସହଯୋଗରେ ଯୁଦ୍ଧ ଲଢ଼ାଯାଉଥିବାରୁ ନିୟମିତ ସୈନିକ ବଦଳରେ ଅଗ୍ନିବୀରମାନଙ୍କୁ ନିଯୁକ୍ତି ଦେଇ ଗୋଟିଏ ଗୁଳିରେ ଦୁଇ ଶିକାର – ତରୁଣ ସୈନିକ ନିଯୁକ୍ତି ଓ ଖର୍ଚ୍ଚକାଟ କରିବାର ମସୁଧା କରାଯାଇଛି। ଏହା ସତ୍ୟ ଯେ, ଅତୁଟ ଭରସାର ପ୍ରତୀକ, ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ସେନା ଭାବେ ପରଗଣିତ ଭାରତୀୟ ସେନାବାହିନୀର ଗୁଣାତ୍ମକ ମାନ ଖର୍ବ ହେବାକୁ କେହି ବି ପସନ୍ଦ କରିବେ ନାହିଁ, ଏବଂ କେନ୍ଦ୍ର ସରକାର ଓ ସେନାଧ୍ୟକ୍ଷମାନେ ମଧ୍ୟ ଏପରି କିଛି ଭୁଲ କରିନଥିବେ, ଏହା ନିଶ୍ଚିତ। ତେବେ, ଆପଣ କେବଳ ନିଷ୍ଠାପର ଓ ସଚ୍ଚୋଟ ହେଲେ ହେବନାହିଁ, ସେପରି ମଧ୍ୟ ଦେଖାଯିବା ଆବଶ୍ୟକ, ଏକଥା ଭୁଲିଗଲେ, କିପରି ହେବ?

ସରକାରଙ୍କ କହିବାକଥା ଯେ, ଅଗ୍ନପଥ ଯୋଜନା ଦେଶରେ ଏକ ତାରୁଣ୍ୟର ଉଦ୍ଦାମତ୍ତାରେ ଭରପୂର ଶୃଙ୍ଖଳିତ ସେନାବାହିନୀ ଗଢ଼ିବା ପାଇଁ ଉଦ୍ଦିଷ୍ଟ। ଏହି ଯୋଜନାରେ ଯୁବପିଢ଼ି ନିଜର ସାମରିକ ଶୃଙ୍ଖଳା, ଶକ୍ତି ଓ ଦକ୍ଷତା ବଢ଼ାଇବାର ସୁଯୋଗ ପାଇବେ। ଯେଉଁମାନେ ଚାରିବର୍ଷ ବାୟୁବୀର ଭାବେ କର୍ତ୍ତବ୍ୟ ସମ୍ପାଦନ କରି ଅବସର ନେବେ, ସେମାନେ ନିଜ ପିତାମାତାଙ୍କ ପାଖକୁ ଓ ନିଜ ଜନ୍ମଭୂମିକୁ ଫେରିବା ବେଳକୁ କୌଶଳତାଲିମ ପ୍ରାପ୍ତ ଶୃଙ୍ଖଳିତ ସୈନିକ ଭାବେ ଫେରିବେ। ତାଙ୍କ ହାତରେ ଥିବ ପ୍ରାୟ ୧୨ ଲକ୍ଷ ଟଙ୍କା, ଦେହରେ ସ୍ଫୁର୍ତ୍ତି, ମନରେ କିଛି କରିବାର ଇଚ୍ଛା ଓ ସାମାଜିକ ପ୍ରତିଷ୍ଠା, ସମ୍ମାନ  ଓ ସ୍ୱୀକୃତି। ଏମାନେ ନିଯୁକ୍ତି ପାଇଁ ଦରଖାସ୍ତ କରି ରାଜ୍ୟ ଓ କେନ୍ଦ୍ର ସରକାରୀ ବିଭାଗ ଓ ସଂସ୍ଥାରେ କାମ ପାଇପାରିବେ କିମ୍ବା ଆତ୍ମନିଯୁକ୍ତିର ରାସ୍ତା ଆପଣେଇ ପାରିବେ।

ଏହି ଅଗ୍ନିପଥ ଯୋଜନା ବିଷୟରେ ସରକାର କୁଆଡ଼େ ବିଗତ ଦୁଇ ବର୍ଷ ହେଲାଣି ବିଚାର ଆଲୋଚନା କରୁଥିଲେ। ତେବେ କାହିଁକି ଏହାକୁ ଏତେ ମାତ୍ରାରେ ଗୋପନ କରି ରଖିଥିଲେ, ତାହାର ସନ୍ତୋଷଜନକ ଉତ୍ତର ସେମାନେ ଦେଇପାରିବେନି। ଏହା ଉପରେ ଆଗୁଆ ଚର୍ଚ୍ଚା କରାଯାଇଥିଲେ ହୁଏତ ଯୁବପିଢ଼ି ଆଜି ଏପରି ହିଂସାତ୍ମକ ଆନ୍ଦୋଳନରେ ସାମିଲ ନହୋଇ ଅଗ୍ନିବୀର ନିଯୁକ୍ତି ପାଇବାକୁ ଅଭ୍ୟାସ ଚଳାଇଥାନ୍ତେ ଓ ଟ୍ରେନରେ ନିଆଁ ଲଗାଉ ନଥାନ୍ତେ। ଆଜି ଯେଭଳି, ଦେଶର ତିନି ବାହିନୀର ସେନାଧ୍ୟକ୍ଷ ସାମ୍ବାଦିକ ସମ୍ମିଳନୀ କରି ଅଗ୍ନିପଥ ଯୋଜନା ବିଷୟରେ  ବୁଝାଉଛନ୍ତି, ଜୁନ ମାସ ୧୪ ତାରିଖରେ, ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପରେ ପରେ ସେହିପରି ବୁଝାଇ ଥିଲେ ଶହ ଶହ କୋଟି ଟଙ୍କାର ଜାତୀୟ ସମ୍ପତ୍ତି ଜଳି ନଥାନ୍ତା। ଏହା ନିଶ୍ଚିତ ଭାବେ କୁହାଯାଇପାରେ ଯେ, ଗୋଟିଏ ଭଲ କାମକୁ ଠିକଣା ଢଙ୍ଗରେ କରିବାର ଦକ୍ଷତା ଆଜି ଯାଏଁ ସରକାର ହାସଲ କରିବାରେ ବିଫଳ ହୋଇଛନ୍ତି। ଭାରତ ପରି ଏକ ଜନବହୁଳ ଗଣତନ୍ତ୍ରରେ ଯେ କୌଣସି ସରକାରୀ ଯୋଜନା ସପକ୍ଷରେ ଜନସମର୍ଥନ ସଂଗ୍ରହ କରିବା ଯେ କେତେ ଜରୁରୀ, ତାହା କୃଷି ଆଇନ ଓ ଅଗ୍ନିପଥ ଆମକୁ ଶିକ୍ଷା ଦେଇଛି।

ଏବେ, ସରକାରଙ୍କ ପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ହେବ ଯେ ଆନ୍ଦୋଳନରତ ଯୁବବର୍ଗଙ୍କୁ ସଠିକ ଦିଗଦର୍ଶନ ପ୍ରଦାନ କରିବା ଓ ସେମାନଙ୍କୁ ଯୋଜନାର ହିତାଧିକାରୀ କରିବାକୁ ମାଗଣା ତାଲିମ ଦେବା। ଯେହେତୁ, ଅଶାୟୀମାନେ ମୁଖ୍ୟତଃ ପାଠପଢ଼ାରେ ଦୁର୍ବଳ ଓ ଅଧିକାଂଶ ଗରିବ ପରିବାରରୁ ଆସିଥାନ୍ତି, ସେମାନେ ହାତରେ ବନ୍ଧୁକ ଧରି ସୈନିକ ହେବାକୁ ଆଗ୍ରହୀ। ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ ଓ ବିହାର ସମେତ ବିଭିନ୍ନ ହିନ୍ଦୀଭାଷୀ ଅଞ୍ଚଳର ଯୁବବର୍ଗ ପାରମ୍ପରିକ ଭାବେ ସେନାରେ ଭର୍ତ୍ତି ହେବାକୁ ଗୌରବ ମଣନ୍ତି। ଏକଥା କହିଲା ବେଳେ ଆମକୁ ସ୍ୱୀକାର କରିବାରେ ଦ୍ଵିଧା ନାହିଁ ଯେ, ପ୍ରାୟ ସମସ୍ତ ସୈନିକ ଓ ତାଙ୍କର ପରିବାରବର୍ଗ ଦେଶପ୍ରେମୀ ଓ କେନ୍ଦ୍ର ସରକାରଙ୍କ ଦୃଢ଼ ସମର୍ଥକ। ଏବେ ଯେଉଁ ଦଳ କେନ୍ଦ୍ରରେ ଶାସନ କରୁଛି, ତାହାର ଭୋଟବ୍ୟାଙ୍କ ରାସ୍ତାରେ ଆନ୍ଦୋଳନକୁ ଓଲ୍ହାଇ ଆସିଛି ଓ ଏହାର ପରିଣାମ ଶାସକ ଦଳ ପାଇଁ ଶୁଭଙ୍କର ନୁହେଁ। ଏଣୁ ଡରାଇ, ଧମକେଇ ଏମାନଙ୍କୁ ଶାନ୍ତ କରିବା ଅପେକ୍ଷା ଏମାନଙ୍କ ବିରୁଦ୍ଧରେ ପୋଲିସ ଅଭିଯୋଗକୁ ବାତିଲ କରିବା ବୁଦ୍ଧିମତ୍ତା। କେନ୍ଦ୍ର ଓ ରାଜ୍ୟ ସରକାରରେ କେବଳ ବହୁମତ ବଳରେ ଶ୍ରେଷ୍ଠ ତଥା ଯୁଗାନ୍ତକାରୀ, ସଂସ୍କାରମୂଳକ ଆଇନ ଓ ଯୋଜନା ପ୍ରଣୟନ କଲେ ବି ତାହାକୁ କାର୍ଯ୍ୟକାରୀ କରିବାରେ ଅନେକ ବାଧା। ‘ସବକା ସାଥ, ସବକା ବିଶ୍ୱାସ, ସବକା ପ୍ରୟାସ’ କଥା କହୁଥିବା ସରକାରୀ ଦଳର ସଭ୍ୟମାନେ ବେଳେ ବେଳେ ଅନାବଶ୍ୟକ ଓ ଅବାନ୍ତର କଥା କହି ଆନ୍ଦୋଳନକୁ ପ୍ରଶମିତ ହେବାକୁ ଦେଉନଥିବା ଯେତିକି ନିନ୍ଦନୀୟ, ରାଜନୈତିକ ବିରୋଧୀମାନେ ଆନ୍ଦୋଳନକୁ ବ୍ୟାପ୍ତ କରିବା ପ୍ରୟାସ କରିବା ମଧ୍ୟ ସମପରିମାଣରେ ଅପରିଣାମଦର୍ଶୀ ଓ ନିନ୍ଦନୀୟ।

ପରିବର୍ତ୍ତନ ସହ ଆମକୁ ଆଗକୁ ବଢ଼ିବାକୁ ପଡ଼ିବ, ଏହାହିଁ ଆଜିର ଆହ୍ୱାନ – ଯାହା ଆମ ସମସ୍ତଙ୍କୁ ସମ୍ମାନର ସହିତ ମାନିନେବାକୁ ପଡ଼ିବ। ଅଗ୍ନିପଥ ବହ୍ନିରେ ଯୁବପିଢ଼ି ଜଳିଯିବା ଅପେକ୍ଷା ଏହାକୁ ନୂଆ ଜୀବନପାଇଁ ପରୀକ୍ଷା ଭାବେ ଗ୍ରହଣ କରିନେବା ଉଚିତ।

ଫୋ- ୯୪୩୮୨୯୯୦୩୭

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।