ଗୁଳିମାରି ସ୍ଥାପନ କରା ନଯାଉ ବୃହତ ପ୍ରକଳ୍ପ

ଦେବ ରଞ୍ଜନ ଆଜିକୁ କୋଡିଏ ବର୍ଷ ତଳେ ରାୟଗଡା ଜିଲ୍ଲା କାଶୀପୁର ଅଞ୍ଚଳର ମାଇକଞ୍ଚ ପାହାଡ ତଳେ, ଡିସେମ୍ବର ୧୬, ୨୦୦୦ ତାରିଖ ଦିନ ପୁଲିସ ଗୁଳିରେ ତିନି ଜଣ ଆଦିବାସୀ ପ୍ରାଣ ହରାଇଥିଲେ ଓ ସାତ ଜଣ ଘାଏଲ ହୋଇଥିଲେ। ପୁଲିସର ଏହି ଗୁଳିକାଣ୍ଡ ଉତ୍କଳ ଆଲୁମିନା –ଆଦିତ୍ୟ ବିରଳା କମ୍ପାନୀର ବକ୍ସାଇଟ ଖଣି ଓ ଆଲୁମିନା ପ୍ଳାଣ୍ଟକୁ ବିରୋଧ କରୁଥିବା ହେତୁ ଏକ ‘ଗଣତାନ୍ତ୍ରିକ’ ଦେଶର ନିଜ ପୁଲିସର ଏହି ଗୁଳିଚାଳନା ନିଜ ଲୋକଙ୍କ […]

maikanch

Debendra Prusty
  • Published: Wednesday, 16 December 2020
  • , Updated: 16 December 2020, 02:15 PM IST

ଦେବ ରଞ୍ଜନ

ଆଜିକୁ କୋଡିଏ ବର୍ଷ ତଳେ ରାୟଗଡା ଜିଲ୍ଲା କାଶୀପୁର ଅଞ୍ଚଳର ମାଇକଞ୍ଚ ପାହାଡ ତଳେ, ଡିସେମ୍ବର ୧୬, ୨୦୦୦ ତାରିଖ ଦିନ ପୁଲିସ ଗୁଳିରେ ତିନି ଜଣ ଆଦିବାସୀ ପ୍ରାଣ ହରାଇଥିଲେ ଓ ସାତ ଜଣ ଘାଏଲ ହୋଇଥିଲେ। ପୁଲିସର ଏହି ଗୁଳିକାଣ୍ଡ ଉତ୍କଳ ଆଲୁମିନା –ଆଦିତ୍ୟ ବିରଳା କମ୍ପାନୀର ବକ୍ସାଇଟ ଖଣି ଓ ଆଲୁମିନା ପ୍ଳାଣ୍ଟକୁ ବିରୋଧ କରୁଥିବା ହେତୁ ଏକ ‘ଗଣତାନ୍ତ୍ରିକ’ ଦେଶର ନିଜ ପୁଲିସର ଏହି ଗୁଳିଚାଳନା ନିଜ ଲୋକଙ୍କ ବିପକ୍ଷରେ ଥିଲା। ଏଥିରେ ଯେଉଁମାନେ ମୃତ୍ୟୁବରଣ କଲେ ସେମାନେ ଥିଲେ ସ୍ଵାଭିମାନର ଜୀବନ ବଞ୍ଚିବା ଲାଗି ଅଧିକ ପସନ୍ଦ କରୁଥିବା ସେହି ଅଞ୍ଚଳର ଆଦିବାସୀ ସମୁଦାୟ। ଆଜିର ଜଗତୀକରଣ ସ୍ଥିତିରେ ଏହି ସ୍ଵାଭିମାନର ଜୀବନ ବଞ୍ଚିବା କେବଳ ଅସମ୍ଭବ ନୁହେଁ ସେଥିଲାଗି ଉଦ୍ୟମ କରିବା ମଧ୍ୟ ଯନ୍ତ୍ରଣାଦାୟକ।

ଗୁଳିକାଣ୍ଡ ପରଦିନ ସେହି ତିନି ଜଣ ଆଦିବାସୀ ସାଥୀଙ୍କୁ ପାହାଡ଼ ଉପରେ ଏକାଠି ଯେବେ ନିଆଁରେ ପୋଡିଦିଆଯାଉଥିଲା ସେତେବେଳେ ମୁଁ ସେଠାରେ ଥିଲି। ଆଗକୁ ଲଢେଇ ଯେ ଏତେ ସହଜ ନୁହେଁ ବେଶ ଜଣାପଡୁଥିଲା। ମୁଁ ଖୋଜୁଥିଲି ଭାରତୀୟ ଅସ୍ମିତାକୁ ଓ ଖୋଜୁଥିଲି ଗଣତନ୍ତ୍ରକୁ। ସେହି ଗୁଳିକାଣ୍ଡ ଓ ପରବର୍ତ୍ତୀ ଲଢେଇ ମୋତେ କମ୍ପାନୀ ଓ ବ୍ୟବସ୍ଥାକୁ ନେଇ ମୋର ଚିନ୍ତାଧାରାକୁ ଅଧିକ ଦୃଢ କରିଦେଇଥିଲା।

ଗୁଳିକାଣ୍ଡର ତଦନ୍ତ କରୁଥିବା ଜଷ୍ଟିସ ପିକେ ମିଶ୍ର କମିଶନ ସରକାର ଓ ପୁଲିସକୁ ଦୋଷୀ ନକରିବା ଲାଗୁଥିଲା ଯେମିତି ସେହିମାନଙ୍କ ମରିବା କମ୍ପାନୀ ଓ ଦେଶଲାଗି ଥିଲା ସ୍ଵାଭାବିକ। ମିଶ୍ର କମିଶନ କମ୍ପାନୀ ସପକ୍ଷରେ ମତ ଦେବା ପରେ ରାୟଗଡା ଜିଲ୍ଲା ପ୍ରଶାସନ ନିଜ ଅଫିସରେ ବସି ଆରମ୍ଭ କରିଥିଲେ ବିରଳା କମ୍ପାନୀ ସପକ୍ଷରେ ‘ଜନମତ ସଂଗ୍ରହ’ – ସ୍ଥାନୀୟ ନେତା ଓ ଦଲାଲଙ୍କ ଲାଗି ଏକ ସହଜ ଅର୍ଥ ରୋଜଗାର ଯୋଜନା।

ଗଲା ସତୁରୀ ବର୍ଷ ମଧ୍ୟରେ ଦେଶ ମଧ୍ୟରେ ଗଢି ଉଠିଥିବା ପ୍ରତ୍ୟେକ ବିକାଶ ପ୍ରକଳ୍ପ ଏମିତି ଠିଆ ହୋଇଛି ସ୍ଥାନୀୟ ଲୋକଙ୍କ ରକ୍ତ ଭିଜା ମାଟି ଉପରେ। ହତ୍ୟାକାରୀର ରକ୍ତ ଜୁଡୁବୁଡୁ ହାତର ନିର୍ଦ୍ଦେଶରେ ତିଆରି ହୋଇଛି ଚିମନି ଓ ବନ୍ଧ। ଏଥିରେ ମୁଖ୍ୟ ଭୂମିକା ନେଇଛି ପୁଲିସର ଗୁଳି, ଜେଲ ଓ ଲାଠି  ସାଙ୍ଗକୁ ନିର୍ବାଚିତ ନେତାଙ୍କ କୃତଘ୍ନ ଓ ଲମ୍ପଟ ଚରିତ୍ର। ବିଡମ୍ବନା ଯେ ଇତିହାସ କେବଳ ଯୁଦ୍ଧରେ ଜୟ କରିଥିବା ଶାସକଙ୍କ ଦ୍ଵାରା ଲେଖା ହୋଇଛି।  କଳିଙ୍ଗ ଯୁଦ୍ଧରେ ଲକ୍ଷେ ଲୋକଙ୍କ ମୃତ୍ୟୁ ଯେମିତି ଅଶୋକଙ୍କୁ ଧର୍ମାଶୋକ ହେବା ଲାଗି ଆବଶ୍ୟକ ଥିଲା! ଖବରକାଗଜରେ ପ୍ରକାଶିତ ହେଉଥିବା କାଶୀପୁରର ବିକାଶରେ ଉତ୍କଳ ଆଲୁମିନା – ଆଦିତ୍ୟ ବିରଳା କମ୍ପାନୀ ଭୂମିକା ଶୀର୍ଷକ ସମ୍ବାଦ ଭିତରେ ଯେମିତି ଅତୀତର ଘଟଣାବଳି ହଜିଯାଉଛି।

ସର୍ବଦଳୀୟ କମିଟି ଓ ଦମନ

ଉତ୍କଳ ଆଲୁମିନା – ଆଦିତ୍ୟ ବିରଳା କମ୍ପାନୀ ସପକ୍ଷରେ କାଶୀପୁରରେ ଯେଉଁ ସର୍ବାଦଳୀୟ କମିଟି ସେ ସମୟର ସ୍ଥାନୀୟ ଏମଏଲଏ ଅନନ୍ତରାମ ମାଝିଙ୍କ ନେତୃତ୍ଵରେ ହୋଇଥିଲା ତାହା ଥିଲା ଓଡିଶାର ଜନଆନ୍ଦୋଳନର ଇତିହାସର ପ୍ରଥମ ଘଟଣା। ସେଥିରେ କଂଗ୍ରେସ, ବିଜେପି ଓ ବିଜେଡ଼ି ଦଳର ସମସ୍ତ ଆଗଧାଡିର ସଦସ୍ୟ ରହିଥିଲେ। ନବେ ଦଶକର ଆର୍ଥିକ ସଂସ୍କାର ପରେ ଆଜି ସମସ୍ତ ପ୍ରମୁଖ ରାଜନୈତିକ ଦଳ ଏହି କଥାରେ ସହମତ ଯେ ବୃହତ କମ୍ପାନୀମାନଙ୍କ ପ୍ରବେଶ ବିନା ଦେଶର ବା କୌଣସି ବି ସ୍ଥାନର ‘ବିକାଶ’ ଅସମ୍ଭବ।

ଗୋହତ୍ୟା ବିରୁଦ୍ଧରେ ଚିତ୍କାର କରୁଥିବା ଏକ ରାଜନୈତିକ ଦଳ ଲାଗି ମଣିଷର ହତ୍ୟା କୌଣସି ଫରକ ପକାଉନଥିଲା, କମ୍ପାନୀ ଲାଗି ପୁଲିସର ଗୁଳିକାଣ୍ଡ ତ ଆଦୌ ନୁହେଁ। ପାର୍ଟିର ହାଇକମାଣ୍ଡର ଯେବେ କମ୍ପାନୀର ଖୋଲା ସମର୍ଥକ ହୋଇଯାନ୍ତି ସେତେବେଳେ ପାର୍ଟିର ଗାଁ ସ୍ତରର କର୍ମୀ ନିଜ ପାର୍ଟିର ସ୍ଵାର୍ଥ ଲାଗି ନିଜ ଗାଁକୁ ଭାଗ ଭାଗ କରିବାରେ ଲାଗିଯାଏ, ଇଏ ବିଜେଡ଼ି, ସିଏ କଂଗ୍ରେସ, ମୁଁ ବିଜେପି।  ଆଞ୍ଚଳିକ ଅସ୍ମିତା (କାଶୀପୁର ଅସ୍ମିତା, ଲକ୍ଷ୍ମୀପୁର ଅସ୍ମିତା, କୋରାପୁଟ ଅସ୍ମିତା, ରାୟଗଡା ଅସ୍ମିତା ଇତ୍ୟାଦି) ଭିତରେ କେବେ କିନ୍ତୁ ସାଧାରଣ ମଣିଷମାନେ ନଥାନ୍ତି। ବରଂ ସେହି ପ୍ରକାରର ଅସ୍ମିତା ଭିତରେ ରହିଥାନ୍ତି ଏହି ସ୍ଵାର୍ଥନ୍ଵେଷୀ ମଣିଷ ଓ ସେମାନଙ୍କ ବିଭାଜନକାରୀ ରାଜନୀତି। କାଶୀପୁର ଆନ୍ଦୋଳନ ଦୁର୍ବଳ ହେବା ପଛରେ ଏହା ଥିଲା ଅନ୍ଯତମ କାରଣ।

ଏବେ କମ୍ପାନୀର ତଳେ ବୋହିଯାଇଥିବା ନଦୀ ଚାଷ ଲାଗି ଅନୁପଯୁକ୍ତ। ନଦୀର ପାଣି ପିଇବା ହେତୁ ଅଞ୍ଚଳର ଗାଈ ଗୋରୁ ମରିବାରେ ଲାଗିଛନ୍ତି। ଦୂର ପାହାଡ, ବାଫଳାମାଳୀ ବି ଆଉ ସୁନ୍ଦର ଦେଖାଯାଉନି। ଆକାଶ ଆଉ ନିର୍ମଳ ନାହିଁ। ୨୦୧୫ ମସିହାରେ କୁଚେଇପଦର ଗାଁର ଝିଅଟିଏ ଯାତ୍ରା ଦେଖି ଫେରୁଥିଲା ବେଳେ କମ୍ପାନୀ କର୍ମଚାରୀ ଦ୍ଵାରା ଧର୍ଷଣ ଓ ହତ୍ୟା ହେବା ସମଗ୍ର ଅଞ୍ଚଳ ଲାଗି ଥିଲା ପ୍ରଥମ ଘଟଣା। ଧର୍ଷଣକାରୀ ଇତିମଧ୍ୟରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇ ଜେଲରେ ଅଛି।

ଆଜି କାଶୀପୁରର ବୁଦ୍ଧିଜୀବୀ ଉତ୍କଳ ଆଲୁମିନା – ଆଦିତ୍ୟ ବିରଳା କମ୍ପାନୀର ପ୍ରମୁଖଙ୍କ (ସିଇଓ) ବିଦାୟ ସମ୍ବର୍ଦ୍ଧନା ଓ ନୂତନଙ୍କ ସ୍ଵାଗତ ସମ୍ବର୍ଦ୍ଧନାରେ ବ୍ୟସ୍ତ। ସେମାନେ ହୁଏତ ଜାଣି ନାହାନ୍ତି ଯେ ସେହି କାଶୀପୁର ଅଞ୍ଚଳରେ ଏହି କମ୍ପାନୀର ପ୍ରତିଷ୍ଠା ଲାଗି ଥରେ ପୁଲିସର ଗୁଳିକାଣ୍ଡ ହୋଇଛି ଯେଉଁଠି ତିନି ଜଣ ଆଦିବାସୀ ମୃତ୍ୟୁ ବରଣ କରିଛନ୍ତି, ଛଅ ଥର ଲାଠିଚାର୍ଜ ଓ ଲୁହ ବୁହା ଗ୍ୟାସ ପ୍ରୟୋଗ କରାଯାଇଛି (ପ୍ଳାଣ୍ଟ ଅଞ୍ଚଳରେ ଚାରିଥର ଓ ପାଇକକୁପାଖାଲର ଖଣି ଅଞ୍ଚଳରେ ଦୁଇ ଥର), ସମୁଦାୟ ୧୧୨ଟି ମିଥ୍ୟା କେସରେ ୨୭୦ରୁ ଉର୍ଦ୍ଧ ଲୋକଙ୍କୁ ଗିରଫ କରାଯାଇଛି। କେବଳ ଶିବରାମ ନାୟକ ଓ ମୁନା ଝୋଡିଆଙ୍କୁ ମାଇକଞ୍ଚ ଗୁଳିକାଣ୍ଡ ଲାଗି ଦୋଷୀ ସାବ୍ୟସ୍ତ କରିବା ବ୍ୟତୀତ ନ୍ୟାୟାଳୟ ଅନ୍ୟ କୌଣସି ଲୋକଙ୍କୁ ଦୋଷୀ କରିନାହିଁ, କିନ୍ତୁ ସମସ୍ତଙ୍କୁ ତିନି ମାସରୁ ସର୍ବାଧିକ ୧୪ ମାସ ଜେଲ ପଠାଯାଇଛି, ମୁକୁନା ଦିଶାରି ଓ ସରୋଜ ନାୟକଙ୍କ ଭଳି କିଛି ସାଥିଙ୍କୁ ଜାମିନରୁ ଆସିଲା ମାତ୍ରେ ଜେଲ ସାମ୍ନାରୁ ପୁଣି ଗିରଫ କରାଯାଇଛି। କମ୍ପାନୀର ଗୁଣ୍ଡା ଲଗାଇ ଆନ୍ଦୋଳନର କର୍ମୀଙ୍କ ଉପରେ ଅନ୍ୟୁନ ୨୦ ଥର ଆକ୍ରମଣ ମଧ୍ୟ କରାଯାଇଛି। ସର୍ବଦଳୀୟ କମିଟିର କୌଣସି ସଦସ୍ୟ କିନ୍ତୁ କେବେ ଏହାର ବିରୁଦ୍ଧରେ ସ୍ଵର ଉତ୍ତୋଳନ କରିନାହାନ୍ତି।

ମୋର ଏହି ଜନ ଆନ୍ଦୋଳନରେ ସମ୍ପୃକ୍ତି ହେତୁ (ମୁଁ କାଶୀପୁରର ବାସିନ୍ଦା ନଥିଲି) ପାଞ୍ଚଟି ମିଥ୍ୟା ଅପରାଧ କେସରେ (ଡକାୟତ, ଘରେ ନିଆଁ ଲଗାଇବା, କାହାକୁ ଅଭଦ୍ର ଭାଷାରେ ଗାଳି କରିବା ଇତ୍ୟାଦି) ଗିରଫ ହେବା ପରେ ନିର୍ଦ୍ଦୋଷରେ ଖଲାସ ହୋଇଥିଲି। ମୋର ଶେଷ କେସର ଶୁଣାଣି ସମୟରେ ଜିଲ୍ଲା ଜଜ ମହୋଦୟ କହିଲେ, “ଆପଣଙ୍କୁ ନିର୍ଦ୍ଦୋଷରେ ଖଲାସ କରିଦିଆଗଲା। କିନ୍ତୁ ଏ ଭଳି କାମ ଆଉ କେବେ କରିବେ ନାହିଁ।“ ମୁଁ ପଚାରିବାକୁ ଚାହୁଁଥିଲି, ‘ମୁଁ କରିଥିଲି କଣ’? ସରୋଜ, ମୋ ସହିତ ସେହି ସମାନ କେସରେ ‘ସହଅଭିଯୁକ୍ତ’ (ଆଜି ପଶ୍ଚିମ ଓଡିଶା କୃଷକ ଆନ୍ଦୋଳନର କର୍ମୀ), ମୋର ହାତକୁ ଚାପି ଦେଇଥିଲା। ଆଜି ବି ମୁଁ ଏହି ବ୍ୟବସ୍ଥାକୁ ପଚାରୁଛି, ‘ମୁଁ କଣଟା କରିବି ନାହିଁ?’, ‘ପଚାରିବି ନାହିଁ ଯେ ତୁମେ କାହିଁକି ଗୁଳି କଲ? ଜମି କାହିଁକି ଛଡାଇ ନେଉଛ? ତୁମ ବିକାଶର ରୂପ ରେଖ କଣ?’ ମାନବିକ ଅଧିକାର ଆନ୍ଦୋଳନ ମଧ୍ୟରେ ମୁଁ ସରକାର ଓ ସମଗ୍ର ରାଷ୍ଟ୍ରବ୍ୟବସ୍ଥାକୁ ଏହି ପ୍ରଶ୍ନ ପଚାରୁଛି ଯାହାର ଉତ୍ତର ଆଜି ବି ମୋତେ ମିଳିନାହିଁ।

ଫୋନ : ୯୪୩୭୭୬୨୨୭୨ email : debaser11@yahoo.co.in

Related story