ଦେବ ରଞ୍ଜନ
ପୁସ୍ତକ କେବଳ କିଛି ଅକ୍ଷର ଓ ପୃଷ୍ଠାର ସମାହାର ନୁହେଁ। ଏହା ମାଧ୍ୟମରେ ଲେଖକ ନିଜର ଅନୁଭୂତି ଓ ସୃଜନକୁ ଅନ୍ୟମାନଙ୍କ ସହିତ ବାଣ୍ଟିଥାଏ। ପାଠକ ମଧ୍ୟ ନିଜ ଭିତରେ ଆସୁଥିବା ପ୍ରଶ୍ନଗୁଡ଼ିକର ଉତ୍ତର ଏହି ଭିତରୁ ପାଇଥାଏ। ଉତ୍ତର କେତେବେଳେ ସିଧାସଳଖ ଥାଏ ତ ପୁଣି କେତେବେଳେ ପାଠକକୁ ହୃଦବୋଧ ହୁଏ। କାରଣ ପାଠକ ପୁସ୍ତକର ବିଷୟକୁ ନିଜ ଭିତର ଭାବୁଥାଏ। ମୁଁ ଏଠାରେ ପାଠ୍ୟ ପୁସ୍ତକ, ଧର୍ମ ପୁସ୍ତକ, ବେସରକାରୀ କି ସରକାରୀ କାର୍ଯ୍ୟକ୍ରମର ପ୍ରଚାର ପୁସ୍ତକ କଥା କହୁନାହିଁ। ମୁଁ ଏଠାରେ ସେହି ପୁସ୍ତକର କଥା କହୁଛି ଯାହା ମାଧ୍ୟମରେ ପ୍ରାବନ୍ଧିକ ବା କବି ଅଥବା ନାଟ୍ୟକାର କି ଔପନ୍ୟାସିକ ନିଜର ମନର କଥା ସମାଜରେ ବାଣ୍ଟିଥାଏ।
ଆଜି ଶିଳ୍ପ ସଭ୍ୟତା ଓ ବଜାରର ଉପସ୍ଥିତି କାରଣରୁ ମଣିଷ ତାହାର ଗୋଷ୍ଠୀ ଜୀବନକୁ ହରାଉଛି। ଏହି କାରଣରୁ ପ୍ରକୃତି ମଧ୍ୟ ନିଜର ପ୍ରକୋପ ଦେଖାଉଛି। ରାଷ୍ଟ୍ର ବ୍ୟବସ୍ଥା ଦିନକୁ ଦିନ ସାଧାରଣ ମଣିଷ ଲାଗି କଠୋର ହୋଇଚାଲିଛି। କେତେବେଳେ ଏହା ସାଧାରଣ ଲୋକଙ୍କ ପ୍ରତି ଦୟାଳୁ ହେଉଛି ତ ପୁଣି କେତେବେଳେ ସେହିମାନଙ୍କୁ ବିସ୍ଥାପିତ କରୁଛି ଅଥବା ହତ୍ୟା କରୁଛି ଯାହାର କୌଣସି ବିଚାର ମଧ୍ୟ ହେଉନାହିଁ। ଏହି ଉପଲବ୍ଧି ପୁସ୍ତକ ଦେଇଛି, ଏହା ସହିତ ଦେଇଛି ଅନେକ ପ୍ରଶ୍ନ।
ଗଲା ବର୍ଷ ମୁଁ ପଢ଼ିଥିବା ପୁସ୍ତକମାନେ ମୋ ମଧ୍ୟରେ ପୂର୍ବରୁ ଆସିଥିବା ପ୍ରଶ୍ନର ଉତ୍ତର ଦେଇଛନ୍ତି ତ ପୁଣି କିଛି ପ୍ରଶ୍ନ ତିଆରି କରିଛନ୍ତି। ସେହିଭଳି ନିର୍ବାଚିତ ପୁସ୍ତକମାନଙ୍କ ସମ୍ପର୍କରେ କିଛି ବର୍ଣ୍ଣନା ନିମ୍ନରେ ଦେଉଛି। ଏହା ପୁସ୍ତକର ସମୀକ୍ଷା ନୁହେଁ, କେବଳ ପୁସ୍ତକଟିକୁ ନେଇ କିଛି ବିଚାର, କିଛି ପ୍ରଶ୍ନ ଓ କିଛି ଉତ୍ତର।
୧. ‘ଭାବରୂପ’: କବି ପବିତ୍ର ମୋହନ ଦାଶ ‘ଭାବରୂପ’ ପୁସ୍ତକରେ କବିତାର ବିଭିନ୍ନ ଦିଗ ସମ୍ପର୍କରେ ପ୍ରବନ୍ଧ ଆକାରରେ ପ୍ରକାଶ କରିଛନ୍ତି। ପ୍ରକାଶକ ‘ଅଦିତି, କଟକ’। ସାଂପ୍ରତିକ ସମୟରେ ବୈଚାରିକ ଆଲୋଡ଼ନ ଲାଗି କବିତା ଏକ ସମର୍ଥ ମାଧ୍ୟମ କି ନୁହେଁ? ଯଦି ସମର୍ଥ ମାଧ୍ୟମ ବୋଲି ସ୍ଵୀକାର କରିବା ତେବେ ଓଡ଼ିଆ କବିତାରେ କନ୍ଧମାଳ ହିଂସା, କଳିଙ୍ଗ ନଗର ହତ୍ୟାକାଣ୍ଡ, ନଗଡ଼ାର ଦାରିଦ୍ର୍ୟ, ଆଦିବାସୀଙ୍କୁ ଏନକାଉଣ୍ଟର ହତ୍ୟା, ଦଳିତ ଯୁବକଙ୍କ ହାଜତରେ ମୃତ୍ୟୁ ଭଳି ରାଷ୍ଟ୍ରର ବର୍ବରତାର ପ୍ରତିବାଦରେ ଓଡ଼ିଆ କବିତା ନୀରବ। ଏପରିକି ଅନେକ ଦୁର୍ବିପାକ ଯଦିଓ ଓଡ଼ିଆ ମଣିଷ ଭୋଗି ସରିଲାଣି କିନ୍ତୁ ଏହାକୁ ନେଇ ପ୍ରଭାଶାଳୀ କବିତା ନାହିଁ। ଯଦି ବୈଚାରିକ ଆଲୋଡ଼ନ ଲାଗି ଓଡିଆ କବିତା ଏକ ସମର୍ଥ ମାଧ୍ୟମ ନୁହେଁ ତେବେ ଭୀମଭୋଇଙ୍କ ‘ରୂପ ରେଖ ନାହିଁ ହେ ଶୂନ୍ୟଦେହୀ’, ମନମୋହନ ମିଶ୍ରଙ୍କ ‘ତୋର ମୁକତିର ସୂର୍ଯ୍ୟ ପରା ଉଇଁଲା, ଆଖି ତୋର କିଆଁ ଛଳ ଛଳ’ ଇତ୍ୟାଦିକୁ କ’ଣ କବିତା କୁହାଯିବ ନାହିଁ?
କବିତା ଉଭୟ ସୃଜନଶୀଳ ଓ ସାଧାରଣ ପାଠକ ସାମ୍ନାରେ ‘ପରିବେଷଣକାରୀ’ ହେବା ଆବଶ୍ୟକ। ଏହି କଥା ଭୀମଭୋଇ କରୁଥିଲେ ଓ ଏହି କଥା ମନମୋହନ ମିଶ୍ର କରୁଥିଲେ। ସାଧାରଣ ମଣିଷ ଭଳି କବିର ଜୀବନରେ ମଧ୍ୟ ରହିଛି ଦାରିଦ୍ର୍ୟ, ଦୁଃଖ, ସ୍ୱଗୃହରୁ ବିତାଡ଼ନ, ପ୍ରେମରେ ବିଫଳତା ଓ ରାଷ୍ଟ୍ର ନିପୀଡ଼ନ (ସମସ୍ତେ ନୁହନ୍ତି)। ଏହିଠାରୁ କବି ପ୍ରତିବାଦ ଶିଖେ। କବିର ସେହି ଦୁଃସ୍ଥିତି କବିତାରେ ପ୍ରତିଫଳିତ ହେବା କଥା। କବି କେବେ ନିଜର ଅସହ୍ୟପଣକୁ ନେଇ କବିତା ଲେଖିଥାଏ ତ ପୁଣି କେବେ ବାସ୍ତବ ଦୁଃସ୍ଥିତିକୁ ଚାଲାକିରେ ଆଡ଼େଇଦିଏ। ସମଗ୍ର ବହିଟି ପଢ଼ିବା ଭିତରେ ମୋ ଭିତରେ ସ୍ଵାଭାବିକ ପ୍ରଶ୍ନ ଆସିଲା, ଆଜି ଅଧିକ ସଂଖ୍ୟାରେ ଦିଆଯାଉଥିବା ପୁରସ୍କାର, କର୍ପୋରେଟ ସମର୍ଥିତ ସାହିତ୍ୟ ଫେଷ୍ଟିଭାଲ, ଆର୍ଥିକ ପ୍ରୋତ୍ସାହନ, ସାହିତ୍ୟ ଟୁର ଓଡ଼ିଆ କବିତାକୁ ଦୃଢ଼ କରିଛି କି ତଳକୁ ନେଇଯାଉଛି? ଏକ ବିଂଶ ଶତାବ୍ଦୀର ଓଡ଼ିଆ କବିତା ପଞ୍ଚ ତାରକା ହୋଟେଲର ବାଙ୍କ୍ଵେଟ ହଲ ଭିତରେ ସୀମିତ ହୋଇଯାଉନାହିଁ ତ?
୨. ‘ଦେବେନ୍ଦ୍ର ଦୃଷ୍ଟି’: ଓଡ଼ିଆ ସାହିତ୍ୟର ପ୍ରଖ୍ୟାତ ପ୍ରାବନ୍ଧିକ, ସମାଲୋଚକ ଓ ଗବେଷକ ଦେବେନ୍ଦ୍ର କୁମାର ଦାଶଙ୍କ ଲେଖା ସମଗ୍ର ମଧ୍ୟରୁ ଗାନ୍ଧୀ, ମଧୁସୂଦନ ଦାସ, ଗୋପବନ୍ଧୁ ଦାଶ ଓ ଉତ୍କଳ ସମ୍ମିଳନୀ ସମ୍ବନ୍ଧିତ ଲେଖାକୁ ସଂଗ୍ରହ କରି ଗୌରାଙ୍ଗ ଚରଣ ଦାଶ ଓ ନଗେନ କୁମାର ଦାସ ‘ଦେବେନ୍ଦ୍ର ଦୃଷ୍ଟି’ ପୁସ୍ତକ ପ୍ରକାଶ କରିଛନ୍ତି। ପ୍ରକାଶକ ବିଦ୍ୟାପୁରୀ, କଟକ। ଦେବେନ୍ଦ୍ର ସାର୍ ଗାନ୍ଧୀଙ୍କ ସମ୍ପର୍କରେ ବେଶ ସଂକ୍ଷେପରେ ଲେଖୁଛନ୍ତି, ‘ଜିନ୍ନାଙ୍କ ଦୃଷ୍ଟିରେ ଗାନ୍ଧୀ କେବଳ ହିନ୍ଦୁମାନଙ୍କର ନେତା, କମ୍ୟୁନିଷ୍ଟମାନଙ୍କ ଦୃଷ୍ଟିରେ ସେ ଶିଳ୍ପପତି ଓ ପୁଞ୍ଜିପତିମାନଙ୍କର ମୁଖପାତ୍ର, ବିନାୟକ ଦାମୋଦର ସଭରକର ପ୍ରମୁଖ ହିନ୍ଦୁତ୍ଵବାଦୀମାନଙ୍କ ଦୃଷ୍ଟିରେ ସେ ମୁସଲମାନଙ୍କ ସ୍ଵାର୍ଥର ସଂରକ୍ଷକ ଓ ହିନ୍ଦୁ ଧର୍ମର ଘୋର ଅନିଷ୍ଟକାରୀ, ଭୀମରାଓ ଆମ୍ବେଦକରଙ୍କ ଦୃଷ୍ଟିରେ ସେ ସବର୍ଣ୍ଣ ହିନ୍ଦୁମାନଙ୍କର ସ୍ଵାର୍ଥ ସଂରକ୍ଷକ। ବାସ୍ତବତଃ ସେ କୌଣସିଟି ନୁହନ୍ତି।’ ମହାତ୍ମା ଗାନ୍ଧୀଙ୍କ ସାମଗ୍ରିକ ବିଚାରକୁ ନେଇ ମୁଁ ଅନେକ ଦିନ ହେଲା ଏହି ଦ୍ଵନ୍ଦ୍ୱରେ ଥିଲି। ଅନ୍ଧଙ୍କ ହାତୀର ବର୍ଣ୍ଣନା ଭଳି ମହାତ୍ମା ଗାନ୍ଧୀ ଏବେ ବି ବିଭିନ୍ନ ଭାବରେ ବର୍ଣ୍ଣିତ ହୋଇ ରହିଛନ୍ତି। ମଧୁସୂଦନ ଦାସଙ୍କ ଉତ୍କଳ ଟେନାରୀ ଶିଳ୍ପକୁ ବଞ୍ଚାଇବା ଲାଗି ମହାତ୍ମା ଗାନ୍ଧୀ ଏହାର ମାଲିକାନା ନିଜ ହାତକୁ ନେଇ ଏହାକୁ ବଞ୍ଚାଇ ରଖିବା ଲାଗି ଉଦ୍ୟମ କରିଥିଲେ। ଅବଶ୍ୟ ମଧୁସୂଦନ ଦାସ ଗାନ୍ଧୀଙ୍କୁ ଏହା ହସ୍ତାନ୍ତର କରିବା ଲାଗି ଆଗ୍ରହୀ ହୋଇନାହାନ୍ତି। ବ୍ୟବସାୟ ଓ ଭାବପ୍ରବଣତା କଦାପି ଏକା ସାଥିରେ ଚାଲିନପାରେ। ଉତ୍କଳ ଟେନାରୀ ଶେଷରେ ନିଲାମ ହୋଇଯାଇଛି।
୩. ‘ପ୍ରସଙ୍ଗରେ ନେତାଜୀ’: ବୀରେନ୍ଦ୍ର ନାୟକଙ୍କ ଦ୍ଵାରା ଲିଖିତ ‘ପ୍ରସଙ୍ଗରେ ନେତାଜୀ’ ପୁସ୍ତକ ଗଲା ବର୍ଷ ପ୍ରକାଶିତ ହୋଇଛି। ଭାରତର ସ୍ଵାଧୀନତା ଆନ୍ଦୋଳନରେ ନେତାଜୀଙ୍କ ଭୂମିକା, ନେତାଜୀଙ୍କର ଜାତୀୟ କଂଗ୍ରେସର ଦ୍ଵିତୀୟ ଥର ସଭାପତି ହେବା, ମହାତ୍ମା ଗାନ୍ଧୀଙ୍କ ସହିତ ମତ ପାର୍ଥକ୍ୟ, ଫରୱାର୍ଡ ବ୍ଲକ ଗଠନ ଓ କଂଗ୍ରେସ ସଭାପତି ପଦ ତ୍ୟାଗ, କଲିକତାର ଏକ ବିକ୍ଷୋଭରେ ଭାଗ ନେବା ସମୟରେ ଗିରଫ, ଲୁଚିକରି ବିଦେଶ ପଳାୟନ ଇତ୍ୟାଦି ପ୍ରସଙ୍ଗରେ ଲେଖକ ଅନେକ ତଥ୍ୟକୁ ସ୍ଥାନ ଦେଇଛନ୍ତି। ସତରେ ସୁଭାଷ ବୋଷଙ୍କ ବିଚାର କଣ ଥିଲା? ସେ କେବଳ ଯୁଦ୍ଧର ଜଣେ ସେନାପତି ହିଁ ଥିଲେ ନା ସ୍ଵାଧୀନ ଭାରତର ରୂପରେଖ ସମ୍ପର୍କରେ କିଛି ବିଚାର ଥିଲା ଏହା ଜାଣିବା ମୋର ଇଚ୍ଛା ଥିଲା। ସୁଭାଷ ବୋଷ ୧୯୪୦ ମସିହାରେ ପ୍ରେସିଡେନ୍ସି ଜେଲରେ ଥିବା ସମୟରେ ବ୍ରିଟିଶ ସରକାରଙ୍କୁ ଚିଠି ଲେଖି ଜଣାଉଛନ୍ତି, ‘ସାମ୍ପ୍ରଦାୟିକତା ଓ ଅନ୍ୟାୟ ପଥରେ ତୁମେ (ବ୍ରିଟିଶମାନେ) ଯେପରି ପାଗଳଙ୍କ ଭଳି ମାଡୁଛ ତାହା ବନ୍ଦ କର।’ ହିନ୍ଦୁ ମୁସଲମାନଙ୍କୁ ଭାଗ ଭାଗ କରିବାର କୌଶଳ ବ୍ରିଟିଶ ସେ ସମୟରେ ଆରମ୍ଭ କରିସାରିଥିଲା। ଦେଶ ସ୍ଵାଧୀନତା ହେବା ପରେ ଦେଶର ସମ୍ବିଧାନରେ ଧର୍ମନିରପେକ୍ଷତା ଶବ୍ଦ ଯୋଡ଼ା ଯିବା ପଛରେ ସୁଭାଷ ବୋଷଙ୍କ ବିଚାର ରହିଛି ବୋଲି ଏଠାରେ ଲେଖକ ଯୁକ୍ତି କରୁଛନ୍ତି। ସମ୍ବିଧାନରେ ପ୍ରଦତ୍ତ ମୌଳିକ ଅଧିକାର ମଧ୍ୟରେ ସୁଭାଷ ବୋଷଙ୍କ ବିଚାର ନିହିତ।
୪. ‘ସମୟ ସୁଅରେ ବାଣିଦା’: ପ୍ରତ୍ୟେକ ମଣିଷ, ପ୍ରତ୍ୟେକ ଘଟଣା ଓ ପ୍ରତ୍ୟେକ ଅଞ୍ଚଳର ଇତିହାସ ରହିଛି। ମଣିଷର ଆଚାର ବିଚାର, ଧର୍ମ ବିଶ୍ଵାସ, କୌଣସି ଅଞ୍ଚଳର ସମାଜିକ ସ୍ଥିତି ଇତ୍ୟାଦି ଉକ୍ତ ଇତିହାସ ମଧ୍ୟରେ ଆସୁଛି। ଡକ୍ଟର ନିତ୍ୟାନନ୍ଦ ମହାପାତ୍ରଙ୍କ ଦ୍ଵାରା ସମ୍ପାଦିତ ‘ସମୟ ସୁଅରେ ବାଣିଦା’ ପୁସ୍ତକ ପ୍ରକୃତରେ ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ନିକଟସ୍ଥ ବାଣିଦା ଗ୍ରାମର ଗଲା ୨୦୦ କି ୩୦୦ ବର୍ଷର ଇତିହାସକୁ ବର୍ଣ୍ଣନା କରୁଛି। ପୁସ୍ତକର ପ୍ରକାଶକ ସ୍ୱାବଲମ୍ବନ, କଟକ। ପୁସ୍ତକରେ ବିଭିନ୍ନ ଲେଖକ ଆଞ୍ଚଳିକ ଇତିହାସ ସମ୍ପର୍କରେ ଆଲୋଚନା କରିବା ସମୟରେ ମୋତେ ଯେଉଁ ସବୁ ତଥ୍ୟ ଦେଉଛନ୍ତି ତାହା ହେଲା, ‘ବାଣିଦା ଅଞ୍ଚଳରେ ଭୂୟାଁ ବଂଶର ରାଜୁତି ଥିଲା ଓ ଏଠାରେ ଭୂୟାଁ ଗଡ଼ ଥିଲା’, ‘ଭୂୟାଁ ବଂଶର ଅଷ୍ଟମ ପୁରୁଷର ଦ୍ରାବିଡ଼ ବ୍ରାହ୍ମଣ ସର୍ବେଶ୍ଵର ଭଟ୍ଟ ଔରଙ୍ଗଜେବଙ୍କ ପ୍ରରୋଚନାରେ ଇସଲାମ ଧର୍ମ ଗ୍ରହଣ କରିଥିଲେ’, ‘ସୁବର୍ଣ୍ଣରେଖା ନଦୀରେ ବନ୍ୟାର ପ୍ରକୋପ ଅଧିକ ଥିଲା’, ‘ତିରିଶ ଦଶକ ପର୍ଯ୍ୟନ୍ତ ବାଲ୍ୟ ବିବାହର ପ୍ରଚଳନ ଥିଲା’, ‘ଅନେକ ଲୋକ କଲେରା ହେତୁ ମରୁଥିଲେ ଓ ଅନେକ ବାଳିକା ବାଲ୍ୟ ବିଧବା ହେବା କାରଣରୁ ଅତି ଦୟନୀୟ ଜୀବନ ବିତାଉଥିଲେ’, ‘୧୯୩୫ ମସିହାରେ ଗ୍ରାମବାସୀଙ୍କ ଉଦ୍ୟମରେ ପ୍ରଥମ ପ୍ରାଥମିକ ସ୍କୁଲ ସ୍ଥାପନ ହୋଇଥିଲା’, ‘ଶ୍ରୀଚୈତନ୍ୟ ଏହି ରାସ୍ତା ଦେଇ ପୁରୀ ଗସ୍ତ କରିଥିଲେ’ ଇତ୍ୟାଦି। ଅନ୍ୟତମ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗ ହେଲା ବିପ୍ଳବୀ କମ୍ୟୁନିଷ୍ଟ ନେତା ଗଣନାଥ ପାତ୍ର (ଜିପି) ବାଣିଦା ଗ୍ରାମର। ପୁସ୍ତକରେ ତାଙ୍କ ପତ୍ନୀ ଶେଫାଳୀ ଉପାଧ୍ୟାୟ ଲେଖାର ଶୀର୍ଷକ ‘ଅଗଣା ଫୁଲର ଅଜଣା କାହାଣୀ’ରେ ଦେଶର ଜରୁରୀକାଳୀନ ସ୍ଥିତିକୁ ବର୍ଣ୍ଣନା କରିଛନ୍ତି। ଜିପିଙ୍କ ଗିରଫକୁ ଆଡ଼େଇବା ଲାଗି ସ୍ଵାମୀ ସ୍ତ୍ରୀ ଯେଉଁ କଷ୍ଟ ସ୍ଵୀକାର କରି ଆଶ୍ରୟ ଟିକିଏ ଲାଗି ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ବିହାର ଓ ପଶ୍ଚିମ ବଙ୍ଗ ବୁଲିଛନ୍ତି ତାହାକୁ ପଢ଼ିଲେ ହିଁ କେବଳ ବୁଝିହେବ। ମୋ ଲାଗି ଏଭଳି ବର୍ଣ୍ଣନା ନୂତନ ଥିଲା।
୫. ‘ସୃଜନର ସିଂହନାଦ’: ଓଡ଼ିଆ ଭାଷାରେ ପୂର୍ବରୁ ପ୍ରକାଶିତ ‘ଜହ୍ନମାମୁଁ”ର ମାଲିକ ପରବର୍ତ୍ତୀ ସମୟରେ ଓଡ଼ିଆ ଫିଚର ପତ୍ରିକା ‘ସଚିତ୍ର ବିଜୟା’ ପ୍ରକାଶ କରୁଥିଲେ। ଏହାର ପ୍ରଥମ ସମ୍ପାଦକ ଭାବରେ ସେମାନେ ଜଣେ ଯୋଗ୍ୟ ବ୍ୟକ୍ତିକୁ ପାଇଥିଲେ। ସେ ଥିଲେ ଅଭୟ ସିଂହ। ତାଙ୍କର ଉପସ୍ଥାପନ ଶୈଳୀ ‘ସଚିତ୍ର ବିଜୟା’କୁ ଅନେକ ଶୀର୍ଷକୁ ନେଇଥିଲା। ଆମ ଲାଗି ଏହା ନବେ ଦଶକରେ ଅତି ଆଗ୍ରହର ପତ୍ରିକା ଥିଲା। ବ୍ୟକ୍ତିଗତ ଭାବରେ ତେଣୁ ଅଭୟ ସିଂହଙ୍କୁ ମୁଁ ମଧ୍ୟ ଜାଣିଥିଲି। ତାଙ୍କର ବିଚାର ମୂଳତଃ ଥିଲା ପ୍ରକୃତିର ସୁରକ୍ଷା ଓ ପୁରୁଣା ଐତିହ୍ୟର ସ୍ମରଣ। ଏ ମଧ୍ୟରେ ତାଙ୍କର ଦେହାନ୍ତ ହୋଇଯାଇଛି। ‘ସଚିତ୍ର ବିଜୟା’ ପତ୍ରିକା ଅନେକ ଦିନ ହେଲା ବନ୍ଦ ହୋଇଯାଇଛି। ଆଶିଷ ରଞ୍ଜନ ମହାପାତ୍ର ଓ ସୁଧୀର କୁମାର ସାହୁଙ୍କ ସମ୍ପାଦନାରେ ଅଭୟ ସିଂହଙ୍କ ଅନେକ ସମ୍ପାଦକୀୟ ଓ ଫିଚର ଲେଖାକୁ ସଂଗ୍ରହ କରି ‘ସୃଜନର ସିଂହନାଦ’ ପୁସ୍ତକରେ ପ୍ରକାଶ କରିଛନ୍ତି। ଏହା ଦ୍ଵାରା ସେମାନେ ଅଭୟ ସିଂହଙ୍କୁ ପୁଣି ଆମ ଭିତରେ ଜାଗ୍ରତ କରିଦେଇଛନ୍ତି। ପ୍ରକୃତି ପ୍ରେମୀ ଅଭୟ ସିଂହଙ୍କ ମନରେ ଅବକ୍ଷୟମାନ ପୃଥିବୀକୁ ନେଇ ଚିନ୍ତା ଥିଲା। ତାହାର ଉଦାହରଣ ହେଲା, ‘ଆକାଶକୁ ଦୁଇ ମାଇଲ ପବନ, ସମୁଦ୍ରରେ ଦୁଇ ମାଇଲ ପାଣି, ସ୍ଥଳ ଭାଗରେ ଦଶ ଇଞ୍ଚ ଉର୍ବର ମାଟିକୁ ନେଇ ଆମର ଏ ବସୁନ୍ଧରା ସମଗ୍ର ଅନ୍ତରୀକ୍ଷରେ ଏକମାତ୍ର ଜୀବନ ସୃଷ୍ଟିକାରୀ ଶ୍ୟାମଳ ସମ୍ଭାବନା- ଶେଷକୁ ଏହାର ସର୍ବୋତ୍ତମ ସଚେତନ ପ୍ରାଣୀ ହାତରେ ଶେଷ ହୋଇଯିବ।“ (‘ପ୍ରଳୟ ପ୍ରୟୋଧି ଜଳେ’)
ଏହି ପାଞ୍ଚଟି ପୁସ୍ତକ ଗଲା ୨୦୨୩ ଓ ୨୦୨୪ ବର୍ଷରେ ପ୍ରକାଶ ପାଇଛି। ଓଡ଼ିଆ ଭାଷାରେ ବର୍ଷକୁ ଏକ ହଜାର ପାଖାପାଖି ପୁସ୍ତକ ପ୍ରକାଶ ପାଉଛି। ସୃଜନଶୀଳତା କୌଣସି ସରକାରୀ କାର୍ଯ୍ୟକ୍ରମରୁ ଆସେନାହିଁ। ସୃଜନଶୀଳତାର ମୁଖ୍ୟ ପୃଷ୍ଠଭୂମି ହେଉଛି ସମାଜ ଓ ପ୍ରକୃତି। ଗଲା ବର୍ଷ ମୁଁ ଏହାଠାରୁ ଅଧିକ କିଛି ବହି ପଢ଼ିଥିଲେ ବି ମୋର ଚିନ୍ତାକୁ ପ୍ରଭାବିତ କରିଥିବା ଏହି ପାଞ୍ଚଟି ପୁସ୍ତକକୁ ପାଠକଙ୍କ ଲାଗି ବାଛିଲି। ସବୁ ପୁସ୍ତକ ଯେ ସମାଜକୁ ଦୃଷ୍ଟିରେ ରଖି ପ୍ରକାଶିତ ହେଉଛି ତାହା ନୁହେଁ। କେତେ ଲେଖକ ନିଜର ନିଜର ପରିଚୟ ବା ବୟୋଡାଟା ଲାଗି ଅର୍ଥ ଦେଇ ପୁସ୍ତକ ରଚନା କରିଥାନ୍ତି। ପ୍ରକାଶକ ଆଜିକାଲି ଚାକିରିଆ ବାବୁ ନହେଲେ ଅନ୍ୟମାନଙ୍କ ପୁସ୍ତକ ଛାପୁ ମଧ୍ୟ ନାହାନ୍ତି। ଲେଖକ ବି ବଜାରରେ ସେହି ସମାନ ବିଷୟରେ ପୁସ୍ତକ ଥାଇ ମଧ୍ୟ କେବଳ ନିଜ ପରିଚୟ ପତ୍ରରେ ନାମ ଯୋଡିବା ଲାଗି ପୁସ୍ତକ ପ୍ରକାଶ କରୁଛନ୍ତି। ଏଥିରେ ଭଲ ପୁସ୍ତକ ନିଜର ପାଠକ ମଧ୍ୟ ହରାଉଛି। ଏହା ଦ୍ୱାରା ଅନେକ ଗୁରୁତ୍ୱପୂର୍ଣ୍ଣ ପୁସ୍ତକ ଓ ସଂବେଦନଶୀଳ ଲେଖକ ପାଠକର ଦୃଷ୍ଟିକୁ ଆସିପାରୁନାହାନ୍ତି। ପୁସ୍ତକ ଲେଖିବା, ପ୍ରକାଶ କରିବା ଓ ପାଠକ ନିକଟରେ ପହଞ୍ଚାଇବା ସାମୂହିକ କାର୍ଯ୍ୟ। ଏହି ଉପସ୍ଥାପନା ସେହି ଦିଗରେ ଅନ୍ୟ ଏକ ଉଦ୍ୟମ।
ମୋବାଇଲ- ୯୪୩୭୭୬୨୨୭୨