ଖାଦ୍ୟ ନିରାପତ୍ତା ନା ଭୋଟ ସୁରକ୍ଷା?

ଜାନକୀଶ ବଡ଼ପଣ୍ଡା ଗାନ୍ଧିଜୀ ଓଡ଼ିଶା ଗସ୍ତ ସମୟରେ ବ୍ରହ୍ମପୁରରେ ଉଦବୋଧନ ଦେଇ କହିଥିଲେ ଯେ, “ମୁଁ ଏହି ଓଡ଼ିଶା ଗସ୍ତରୁ ଜାଣିଲି, ସାଧାରଣ ଲୋକମାନେ କେବଳ ନିଜର ଖାଦ୍ୟ ପାଇଁ ବ୍ୟସ୍ତ। ଯଦି ଇଂରେଜମାନେ ତାଙ୍କୁ ମାଗଣାରେ ଚାଉଳ ଦେଇପାରିଥାଆନ୍ତେ, ତେବେ ସେମାନେ ଆମ କଥା ଶୁଣୁ ନଥାନ୍ତେ।” ୧୯୨୧ ମସିହାରେ ମହାତ୍ମା ଗାନ୍ଧୀ ପୁରୀ ଆସିଥିବା ବେଳର କଥା। ସେ ଲୋକଙ୍କୁ ପଚାରିଲେ, କଣ ଚାହୁଁଚ? ଲୋକଙ୍କ ଭିତରୁ ଏକ ସ୍ୱରରେ ଉତ୍ତର ଆସିଲା,”ଚାଉଳ, ଚାଉଳ!” […]

Rice

Debendra Prusty
  • Published: Tuesday, 17 January 2023
  • , Updated: 17 January 2023, 04:30 PM IST
  • ଜାନକୀଶ ବଡ଼ପଣ୍ଡା

ଗାନ୍ଧିଜୀ ଓଡ଼ିଶା ଗସ୍ତ ସମୟରେ ବ୍ରହ୍ମପୁରରେ ଉଦବୋଧନ ଦେଇ କହିଥିଲେ ଯେ, "ମୁଁ ଏହି ଓଡ଼ିଶା ଗସ୍ତରୁ ଜାଣିଲି, ସାଧାରଣ ଲୋକମାନେ କେବଳ ନିଜର ଖାଦ୍ୟ ପାଇଁ ବ୍ୟସ୍ତ। ଯଦି ଇଂରେଜମାନେ ତାଙ୍କୁ ମାଗଣାରେ ଚାଉଳ ଦେଇପାରିଥାଆନ୍ତେ, ତେବେ ସେମାନେ ଆମ କଥା ଶୁଣୁ ନଥାନ୍ତେ।" ୧୯୨୧ ମସିହାରେ ମହାତ୍ମା ଗାନ୍ଧୀ ପୁରୀ ଆସିଥିବା ବେଳର କଥା। ସେ ଲୋକଙ୍କୁ ପଚାରିଲେ, କଣ ଚାହୁଁଚ? ଲୋକଙ୍କ ଭିତରୁ ଏକ ସ୍ୱରରେ ଉତ୍ତର ଆସିଲା,"ଚାଉଳ, ଚାଉଳ!" ପାଖାପାଖି ଶହେ ବର୍ଷ ପରେ ମଧ୍ୟ ଲୋକଙ୍କ ମଧ୍ୟରେ ଚାଉଳ ଏକ ବଡ଼ ଦୁର୍ବଳତା ହୋଇ ରହିଛି ଓ କ୍ରମଶଃ ରାଜନୀତିର ଏକ ପ୍ରମୁଖ ପ୍ରସଙ୍ଗ ପାଲଟି ଯାଇଛି।

ଏହା କେବଳ ଓଡ଼ିଶାର ଦୃଶ୍ୟ ନୁହେଁ, ବରଂ ସମଗ୍ର ଭାରତ ସମେତ ଅଧିକାଂଶ ରାଷ୍ଟ୍ରର ବିକଳ ଦୃଶ୍ୟ। ସବୁଜ ବିପ୍ଳବ ସତ୍ତ୍ୱେ ଅନେକ ଲୋକ ଅନାହାର ଓ ଅର୍ଦ୍ଧାହାରରେ ରହୁଥିବାରୁ ମିଳିତ ଜାତିସଂଘର ବିଶ୍ୱ ଖାଦ୍ୟ ସୁରକ୍ଷା କମିଟି ସମସ୍ତ ରାଷ୍ଟ୍ରଙ୍କୁ ନିଜର ନାଗରିକମାନଙ୍କୁ ଖାଦ୍ୟ ନିରାପତ୍ତା ପ୍ରଦାନ କରିବାକୁ ପରାମର୍ଶ ଦେଇଥିଲେ। ଲୋକମାନଙ୍କୁ ପୁଷ୍ଟିକର ଖାଦ୍ୟ ଉପଲବ୍ଧ କରି ସେମାନଙ୍କ ଶାରୀରିକ, ସାମାଜିକ ଏବଂ ଅର୍ଥନୈତିକ ଅବସ୍ଥାକୁ ଉନ୍ନତ ଓ ନିରାପଦ କରାଗଲେ ସେମାନେ ସକ୍ରିୟ ଏବଂ ସୁସ୍ଥ ଜୀବନଯାପନ କରିପାରିବେ ବୋଲି ମତ ଦେଇଥିଲେ। ନାଗରିକ ଅଧିକାର ଭାବେ ଭାରତୀୟ ସମ୍ବିଧାନରେ  'ଖାଦ୍ୟ ସୁରକ୍ଷା' ଉଲ୍ଲେଖ ହୋଇନଥିଲେ ବି ଜାତୀୟ ଖାଦ୍ୟ ସୁରକ୍ଷା ଆଇନ କାର୍ଯ୍ୟକାରୀ ହୋଇଛି ଓ ଲୋକଙ୍କୁ ବିଭିନ୍ନ ସରକାରୀ ଯୋଜନା ମାଧ୍ୟମରେ ଖାଦ୍ୟାନ୍ନ ଯୋଗାଇ ଦିଆ ଯାଉଛି। ଯେଉଁ ଦେଶରେ ପ୍ରାୟ ୪୦%% ପିଲା ଅପପୁଷ୍ଟିର ଶିକାର, ସେଠାରେ ଏହି ଯୋଜନାର ଗୁରୁତ୍ୱ ଯଥେଷ୍ଟ ଅଧିକ।

ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଓଡ଼ିଶାରେ ୯୫,୭୪,୬୭୫ ପରିବାରର ୩.୨୬ କୋଟି ଲୋକ ଚାଉଳ ଓ ଗହମ ପାଇ ଆସୁଛନ୍ତି। ୨୦୧୧ ଜନଗଣନା ଆଧାରରେ ହିତାଧିକାରୀଙ୍କ ସଂଖ୍ୟା ରାଜ୍ୟ ଜନସଂଖ୍ୟାର ୭୮ ପ୍ରତିଶତ। ଇତିମଧ୍ୟରେ ରାଜ୍ୟର ଜନସଂଖ୍ୟା ବଢ଼ିଥିବାରୁ ଓ ୨୦୨୧ରେ ଜନଗଣନା ହୋଇନଥିବାରୁ ପ୍ରାୟ ୯ ଲକ୍ଷ ଗରିବ ଲୋକ ତାଲିକାରେ ଯୋଡ଼ି ହୋଇପାରି ନାହାନ୍ତି। ଏମାନଙ୍କୁ ୨୦୧୮ ଅକ୍ଟୋବରଠାରୁ ଓଡ଼ିଶା ସରକାର 'ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା' ମାଧ୍ୟମରେ ୧ ଟଙ୍କାରେ ଚାଉଳ ଯୋଗାଇ ଆସୁଛନ୍ତି।

କରୋନା କାଳରେ ବାରମ୍ବାର ଲକଡାଉନ ଓ ଶଟ ଡାଉନ କାରଣରୁ ତିନୋଟି ଅବସ୍ଥା ସୃଷ୍ଟି ହୋଇଥିଲା। ଗରିବ ଲୋକମାନଙ୍କୁ ଅତିରିକ୍ତ ଖାଦ୍ୟ ସୁରକ୍ଷା ଦେବାକୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ପ୍ରଣୟନ କରାଯାଇଥିଲା। ଏଥିରେ ଅପ୍ରେଲ ୨୦୨୦ଠାରୁ ଡିସେମ୍ବର ୨୦୨୨ ଯାଏଁ ମୁଣ୍ଡପିଛା ୫ କେଜି ମାଗଣା ଚାଉଳ ଯୋଗାଇ ଦିଆଗଲା। ତାହା ସହ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ମୁଣ୍ଡପିଛା ୫ କେଜି ଚାଉଳ ଏହିପରି ସମୁଦାୟ ୧୦ କେଜି ଚାଉଳ ମିଳିବାକୁ ଲାଗିଲା। ଏହି ଅନ୍ନ ଯୋଜନାରେ ମଧ୍ୟ ପୁଷ୍ଟି ସାଧନ ପାଇଁ ମାଗଣାରେ ବୁଟ ଓ ନଗଦ ଟଙ୍କା ଯୋଗାଇ ଦିଆ ଯାଇଥିଲା। କୋଭିଡ ପ୍ରଭାବ କମିଥିବାରୁ କେନ୍ଦ୍ର ସରକାର ଲୋକଙ୍କ ସୁବିଧା ପାଇଁ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଯୋଗାଇ ଦେଉଥିବା ମୁଣ୍ଡପିଛା ୫ କେଜି ଚାଉଳ ଡିସେମ୍ବର ୨୦୨୩ ଯାଏଁ ଦେୟମୁକ୍ତ କରିଦେଇଛନ୍ତି। ଅର୍ଥାତ କେନ୍ଦ୍ର ସରକାର ଆଗାମୀ ଏକ ବର୍ଷ  ଯାଏଁ ମାଗଣାରେ ଚାଉଳ ଯୋଗାଇଦେବେ। ରାଜ୍ୟ ସରକାରଙ୍କୁ କେଜି ପିଛା ୨ ଟଙ୍କା  ଓ ହିତାଧିକାରୀଙ୍କୁ ଏକଟଙ୍କା ଦେବାକୁ ପଡ଼ିବନି। ରାଜ୍ୟର ୩ କୋଟି ୨୬ ଲକ୍ଷ ହିତାଧିକାରୀ ମାସକୁ ମୁଣ୍ଡପିଛା ୫ କେଜି ଚାଉଳ ମାଗଣାରେ ପାଇବେ।

ଚାଉଳକୁ ନେଇ କେନ୍ଦ୍ର ଓ ରାଜ୍ୟରେ ଶାସନ କରୁଥିବା ଦୁଇ ଦଳ ମଧ୍ୟରେ କଳି ତୀବ୍ର ହେବାରେ ଲାଗିଥିଲା ବେଳେ ଗତ ଜାନୁଆରୀ ୧୧ ତାରିଖ କେନ୍ଦ୍ର କ୍ୟାବିନେଟ ବୈଠକରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନୁସାରେ ଦେଶର ଗରିବ ପରିବାରଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ଖାଦ୍ୟଶସ୍ୟ ଯୋଗାଇ ଦେବାକୁ ଯେଉଁ ଯୋଜନା ପ୍ରଣୟନ କରିବାକୁ ନିଷ୍ପତ୍ତି କରିଛନ୍ତି ତାହାର ନାମକରଣ କରାଯାଇଛି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ବା ପିଏମଜିକେଏୱାଇ। ଆମେ ଏହାକୁ ସଂକ୍ଷେପରେ ଅନ୍ନ ଯୋଜନା କହିବା। ଅନ୍ୟ ଭାଷାରେ ଖାଦ୍ୟ ସୁରକ୍ଷା ମିଳିବ, ନାମକରଣ ହେବ ଅନ୍ନ ଯୋଜନା। ଏବେ ହିତାଧିକାରୀଙ୍କୁ ରାଜ୍ୟ ସରକାରମାନେ ଆଉ ନିଜର ବଦାନ୍ୟତା ଦେଖାଇ ପାରିବେନି କି କେନ୍ଦ୍ରୀୟ ଯୋଜନାକୁ ହଡ଼ପ କରି ପାରିବେନି। ସମଗ୍ର ଦେଶରେ ନିର୍ବାଚନୀ ଉଷ୍ମତା ଦେଖାଦେଲାବେଳେ ଏହି ଅନ୍ନ ଯୋଜନା ନିଶ୍ଚୟ ପ୍ରଭାବୀ ହେବାକୁ ଯାଉଛି।

ସାଧାରଣ ନିର୍ବାଚନ ପାଇଁ ପ୍ରାକ ପ୍ରସ୍ତୁତିର ବର୍ଷ ୨୦୨୩। ଚଳିତ ବର୍ଷ ୯ଟି ରାଜ୍ୟର ବିଧାନସଭା ମିଆଦ ପୂରି ଯାଉଥିବାରୁ ସେଠାରେ ନିର୍ବାଚନ ହେବ। ଲୋକସଭା ପାଇଁ ଆଗୁଆ ନିର୍ବାଚନ ହେବାର ସମ୍ଭାବନା ଥିବାର ମଧ୍ୟ ଆଲୋଚନା ହେଉଛି। ଜି-୨୦ ଅଧ୍ୟକ୍ଷତା ପଦକୁ ନେଇ ଯେଭଳି ପ୍ରଚାର ଓ ସକାରାତ୍ମକ ବାର୍ତ୍ତା ଦିଆଯାଉଛି ଏବଂ ସମଗ୍ର ବିଶ୍ୱ ଅର୍ଥନୈତିକ ମାନ୍ଦାବସ୍ଥାରୁ ମୁକୁଳିବାକୁ ପ୍ରୟାସଶୀଳ ଥିଲାବେଳେ ଭାରତୀୟ ଅର୍ଥନୀତି ପ୍ରଭାବମୁକ୍ତ ରହିବାର ସମ୍ଭାବନା ବଢୁଛି। ଏହା ବିଶ୍ୱ ଅର୍ଥନୈତିକ ପାଣ୍ଠି, ବିଶ୍ୱବ୍ୟାଙ୍କ ସମେତ ବିଭିନ୍ନ ଆର୍ଥିକ ବିଶ୍ଳେଷକ ଆକଳନ କରୁଛନ୍ତି। ଭାରତ ସରକାର ସଫଳ କୋଭିଡ ମୁକାବିଲା ଓ ଟିକାକରଣ କରିଥିବାରୁ ଏବେ କରୋନା ଭୂତାଣୁର ପ୍ରାଦୁର୍ଭାବ ଦେଶରେ ପ୍ରାୟ ନାହିଁ। ଏସବୁ ସହିତ, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ମାଧ୍ୟମରେ ମାଗଣାରେ ପୁଷ୍ଟିକର ଖାଦ୍ୟ ଯୋଗାଯାଇ ଥିବାରୁ ଭାରତରେ କୋଭିଡ ଓ ଏହାର ଆନୁସଙ୍ଗିକ କୁପ୍ରଭାବ କାରଣରୁ ମୃତ୍ୟୁସଂଖ୍ୟା ସୀମିତ ରହିବା ନିଶ୍ଚୟ ଏକ ଉପଲବ୍ଧି। ମାନ୍ଦାବସ୍ଥା ମଧ୍ୟରେ ଆମେ ଠିକଠାକ ଅଛେ - ଏଭଳି ଏକ ସ୍ଥିତିର ସୁଯୋଗ ନେଇ ଆଗୁଆ ନିର୍ବାଚନ କରାଇ ନେବାକୁ କେନ୍ଦ୍ର ସରକାର ଚାହିଁବା ସ୍ୱାଭାବିକ। ଆମ ରାଜ୍ୟରେ ଏକ ସାଙ୍ଗରେ ଲୋକସଭା ଓ ବିଧାନସଭା ନିର୍ବାଚନ ହୋଇ ଆସୁଥିବାରୁ ଏବେ ଓଡ଼ିଶାର ରାଜନୀତି ସରଗରମ ହେବାରେ ଲାଗିଛି ଓ ମାଗଣାରେ ଚାଉଳ ଯୋଗାଣ ଏହାକୁ ବେଶ ରୋଚକ କରିଛି। ଖାଦ୍ୟ ସୁରକ୍ଷା ଭଳି ଏକ ମାନବିକ ପ୍ରସଙ୍ଗ ରାଜନୈତିକ ପ୍ରସଙ୍ଗ ପାଲଟି ଯାଇଛି।

ଏବେ ରାଜ୍ୟରେ ୩.୩୫ କୋଟି ହିତାଧିକାରୀ ଏହି ସୁବିଧା ପାଉଛନ୍ତି। ଏମାନଙ୍କ ମଧ୍ୟରେ ୩.୨୬ କୋଟି ଲୋକ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍‍ ଅଧୀନରେ ଥିବାବେଳେ ୯ ଲକ୍ଷ ଲୋକ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ଅଛନ୍ତି। ଏହା ସତ ଯେ, କେନ୍ଦ୍ର ସରକାର ଆରମ୍ଭ କରିଥିବା ‘ୱାନ ନେସନ୍‌ – ୱାନ ରାସନ୍‌’ ଯୋଜନାରେ ଓଡ଼ିଶା ଯୋଡ଼ି ହୋଇନାହିଁ। ଫଳରେ ରାଜ୍ୟ ବାହାରେ ରହୁଥିବା ଲକ୍ଷ ଲକ୍ଷ ଖାଦ୍ୟ ସୁରକ୍ଷା ହିତାଧିକାରୀ ଓଡ଼ିଆ ଶସ୍ତା ଚାଉଳ ପାଇବାରୁ ବଞ୍ଚିତ ହେଉଛନ୍ତି। ଦ୍ଵିତୀୟରେ ୩.୨୬ କୋଟି ଲୋକଙ୍କ ପାଇଁ  ଓଡ଼ିଶା ଚାଉଳ ଉଠାଉଥିଲେ ବି ବଣ୍ଟନ କରୁଛି ୩.୧୭ କୋଟି ଲୋକଙ୍କୁ। ଏବେ ଆଧାର କାର୍ଡ଼ ସହ ରାସନ କାର୍ଡ ସଂଯୋଗ କଲାବେଳେ ଜଣାପଡ଼ିଗଲା ଯେ, ଏଭଳି ହିତାଧିକାରୀଙ୍କ ସଂଖ୍ୟା ମାତ୍ର ୩.୦୨ କୋଟି। ସମଗ୍ର ଦେଶରେ ହିତାଧିକାରୀଙ୍କ ସଂଖ୍ୟା ଜନସଂଖ୍ୟାର ମାତ୍ର ୬୭ ପ୍ରତିଶତ ଥିଲାବେଳେ ଓଡ଼ିଶାରେ ୭୮ ପ୍ରତିଶତ ଦର୍ଶାଯିବା ସନ୍ଦେହ ଜନକ। ସେଥିରେ, ଆହୁରି ୧,୫୭,୪୬୯ ଜଣ ହିତାଧିକାରୀ ତାଲିକାରେ ଅନ୍ତର୍ଭୁକ୍ତ ହେବାକୁ ଅପେକ୍ଷାରେ ରହିଛନ୍ତି ବୋଲି କୁହାଯାଉଛି। ଓଡ଼ିଶାରେ ଦାରିଦ୍ର୍ୟ କମୁଛି ବୋଲି ସରକାର ଦାବି କରୁଥିଲା ବେଳେ ହିତାଧିକାରୀଙ୍କ ସଂଖ୍ୟା ବଢ଼ିଚାଲିବା ଏକ ବିଡ଼ମ୍ବନା।

ଅନେକ ରାଜ୍ୟ ସରକାର ଲୋକଙ୍କୁ ଅନେକ ବ୍ୟବହାର୍ଯ୍ୟ ପଦାର୍ଥ ମାଗଣା ଯୋଗାଇ କଲ୍ୟାଣ ପ୍ରତିଯୋଗିତାରେ ମାତିଛନ୍ତି। ମାଗଣା ଯୋଜନାଗୁଡ଼ିକ ସରକାରଙ୍କୁ ଭୋଟ ଯୋଗାଡ଼ କରିବାରେ ବେଶ ସାହାଯ୍ୟ କରୁଥିବା ଦେଖାଯାଉଛି ଏବଂ ଦେଶ ତମାମ ବଡ଼ ଚର୍ଚ୍ଚାର ବିଷୟ ହୋଇଛି। ପୂର୍ବରୁ ବହୁ ବର୍ଷ ଧରି ଦେଶରେ ଥିବା ସରକାରମାନେ ଅନେକ ବ୍ୟବସ୍ଥାରେ ରିହାତି ଦେବାର ବ୍ୟବସ୍ଥା ଚାଲୁ ରଖିଥିଲେ। ପେଟ୍ରୋଲ, ଡିଜେଲ, କିରୋସିନୀ, ଗ୍ୟାସ, ଖାଦ୍ୟ ଯୋଗାଣ, ଚାଷୀକୁ ସାର ଆଦି ଯୋଗାଣରେ ରିହାତି ବ୍ୟବସ୍ଥା ଚାଲୁ ରହିଥିଲା, ଏବେବି ରହିଛି। ରିହାତି ଯୋଜନା ଗୁଡ଼ିକ ରାଜ୍ୟ ଓ କେନ୍ଦ୍ରୀୟ ବଜେଟ ଉପରେ ପ୍ରବଳ ଚାପ ସୃଷ୍ଟି କରୁଛି ଓ ଦେଶର ଅର୍ଥନୀତିକୁ ବିପର୍ଯ୍ୟୟମୁଖୀ କରୁଥିବାର ସମାଲୋଚନା ହେଉଛି। ରିହାତି କାର୍ଯ୍ୟକ୍ରମ ଦେଶର ଦାରିଦ୍ର୍ୟ ଦୂର କରିବା ପରିବର୍ତ୍ତେ ଭିକାରୀ ପ୍ରତିଯୋଗିତା ସୃଷ୍ଟି କରିଛି। ତଥାପି, ରୋଗୀ, ଅସହାୟ, ଅକର୍ମଣ୍ୟ, ଜରାଗ୍ରସ୍ତ ଓ ଅପପୁଷ୍ଟି ଜର୍ଜରିତ ଲୋକଙ୍କୁ ଦୁଇବେଳା ଭୋଜନ ବ୍ୟବସ୍ଥା କରିବା ଏକ ଜନମଙ୍ଗଳ ରାଷ୍ଟ୍ରର କର୍ତ୍ତବ୍ୟ; ଯେଉଁଥିପାଇଁ ଅନ୍ନ ଯୋଜନାକୁ ଏକ ରାଜନୈତିକ ପ୍ରସଙ୍ଗ ଭାବେ ନଦେଖି ମାନବିକ ଦୃଷ୍ଟିକୋଣରୁ ଦେଖାଯିବା ଆବଶ୍ୟକ।

‘ଦାରିଦ୍ର୍ୟ’ ଅର୍ଥନୈତିକ ଦୃଷ୍ଟିକୋଣରୁ ଚିହ୍ନଟ ହେବା ଦରକାର। କେବଳ ଚାଉଳ ନୁହେଁ, ବରଂ ହିତାଧିକାରୀଙ୍କୁ ପୁଷ୍ଟିକର ସୁଷମ ଖାଦ୍ୟ ଯୋଗାଇଦିଆଯିବା ଜରୁରୀ। ହିତାଧିକାରୀଙ୍କୁ ଚିହ୍ନଟ ପ୍ରକ୍ରିୟା ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମାଧ୍ୟମରେ କରାଗଲେ ଓ କ୍ରମାଗତ ଭାବେ ହିତାଧିକାରୀଙ୍କ ସଂଖ୍ୟା କମି ଚାଲିଲେ ରାଜନୈତିକ ଦଳମାନେ ଖାଦ୍ୟସୁରକ୍ଷା ଯୋଜନାକୁ ହଡ଼ପ କରି ନିଜ ପାଇଁ ଭୋଟ ସୁରକ୍ଷା କରିପାରିବେନି। ଆମେ ଗାନ୍ଧିଜୀଙ୍କ ଭାଷଣରୁ କଥା ଆରମ୍ଭ କରିଥିଲେ। ସାରିବା ମଧ୍ୟ। ସେ ନିଜର ଅନୁଭବ ଓ ଅଭିଜ୍ଞତାରୁ ଜାଣିଥିଲେ ଯେ ଓଡ଼ିଆମାନେ ଦରିଦ୍ର ହେଲେ ବି, ଏମାନଙ୍କ ମଧ୍ୟରେ ଅନ୍ୟକୁ ସାହାଯ୍ୟ କରିବାର ପ୍ରବୃତ୍ତି ଅଛି। ଏମାନଙ୍କ ମନୋବଳ ବଢ଼ାଇ ସାହସ ଦେଲେ ଏମାନେ ପୁଣି ଥରେ ଉଠି ବସିବେ। ଏମାନେ ସୁଯୋଗ ପାଇଲେ ଅଣ୍ଟା ସଳଖି ଛିଡ଼ା ହେବେ। ଏ ଜାତିର ଏକ ବଳିଷ୍ଠ ଐତିହ୍ୟ ଅଛି। ଏମାନଙ୍କର ଶକ୍ତି ନଥିଲେ ବି ସାମର୍ଥ୍ୟ ଅଛି। ତାହାକୁ ଜାଗ୍ରତ କରି ଲୋକଙ୍କ ଭିତରେ ଆତ୍ମବଳ ଓ ଆତ୍ମବିଶ୍ୱାସ ଜଗାଇପାରିଲେ  ମାନସିକ ଦୁର୍ବଳତା ଦୂରହେବ ଓ ଦାରିଦ୍ର୍ୟ ହଟିଯାଇ ପାରିବ। ଲୋକଙ୍କ ହାତକୁ କାମ, କାମ କରିବାର କୌଶଳ ତାଲିମ ଓ କାମ କରୁଥିବା ଲୋକଙ୍କୁ ସହାୟତାର ହାତ ବଢ଼ାଇଲେ ବାପୁଙ୍କ ପ୍ରତି କୃତଜ୍ଞତା ଜଣାଇ ପାରିବା।

ଫୋ- ୯୪୩୮୨୯୯୦୩୭

Related story