Advertisment

କୃଷି-ବିକାଶକୁ ମାପିବାର ସୂତ୍ର

ଯେଉଁ କୃଷି ପଦ୍ଧତି ଦକ୍ଷତାର ସହ ସୀମିତ ଜଳ ବିନିଯୋଗ କରେ, ବାୟୁ ମଣ୍ଡଳକୁ ସର୍ବନିମ୍ନ ସବୁଜଗୃହ ବାଷ୍ପ (ଅଙ୍ଗାରକାମ୍ଳ,  ମିଥେନ,ନାଇଟ୍ରସ ଅକ୍ସାଇଡ୍ ଇତ୍ୟାଦି) ନିର୍ଗମନ କରେ, ମୃତ୍ତିକାର ସ୍ୱାସ୍ଥ୍ୟ ଅତୁଟ ରଖେ ଏବଂ ଜୈବ ବିବିଧତାରେ ବିଶେଷ ପରିବର୍ତ୍ତନ କରେନାହିଁ, ସେହି କୃଷି ପଦ୍ଧତି ଅଧିକ ଗ୍ରହଣୀୟ।

author-image
Janakish Badapanda
Farmer

*ଜାନକୀଶ ବଡ଼ପଣ୍ଡା

ନିଜ ପରିବାରର ଖାଦ୍ୟ ଆବଶ୍ୟକତା ପୂରଣ ଏବଂ ବଳକା ଖାଦ୍ୟଶସ୍ୟ ବିକ୍ରି କରି ରୋଜଗାର କରିବା ନିମନ୍ତେ କୃଷିକର୍ମ କରାଯାଉଥିଲା। ନିଜର ଆବଶ୍ୟକତା ପୂରଣ ପରେ ଯାହା ବଳୁଥିଲା ତାହାକୁ ଅନ୍ୟ ଦ୍ରବ୍ୟ ବଦଳରେ ମଧ୍ୟ ସଂଗ୍ରହ କରାଯାଉଥିଲା। କ୍ରମଶଃ କୃଷିକ୍ଷେତ୍ରରେ ବ୍ୟବସାୟୀକରଣ ପ୍ରବେଶ କଲା। ଚାଷୀ ଏହାକୁ ଏକ କର୍ମନିଯୁକ୍ତି ଓ ରୋଜଗାର ପନ୍ଥା ହିସାବରେ ଗ୍ରହଣ କଲା। କୃଷିକ୍ଷେତ୍ରରେ ବିକାଶ ଆଣିବା ପାଇଁ ପରିମାପକ ବ୍ୟବସ୍ଥା ଆରମ୍ଭ କରାଗଲା। ହେକ୍ଟର ପ୍ରତି ଅମଳ ହାର, ମୋଟ ଖାଦ୍ୟଶସ୍ୟ ଉତ୍ପାଦନ,ଫସଲର ସାନ୍ଦ୍ରତା ଇତ୍ୟାଦି ପରିସଂଖ୍ୟାନ ଉପରେ ବିଚାର ଆଲୋଚନା କରାଗଲା। ଦେଶରେ କେତେ କୃଷି ବିକାଶ ହୋଇଛି ତାହା ଜଳ ସେଚିତ ଜମି ପରିମାଣରୁ ଜଣାଯିବ ବୋଲି କେତେକ କୃଷି ବୈଜ୍ଞାନିକ ମଧ୍ୟ ମତ ଦେଲେ। ସେଥିପାଇଁ ଏବେବି କେତେକ ପରିସଂଖ୍ୟାନବିତ ଫସଲ ଚାଷର ବିସ୍ତାର ଓ ଜଳସେଚିତ ଜମିର ପରିମାଣକୁ କୃଷି ବିକାଶର ପ୍ରତ୍ୟକ୍ଷ ପରିମାପକ ବା ସୂଚକାଙ୍କ ଭାବେ ଗ୍ରହଣ କରନ୍ତି। ଅନ୍ୟ ପକ୍ଷରେ ବିହନ ପରିବର୍ତ୍ତନ ହାର, ହେକ୍ଟରପ୍ରତି ସାର ବ୍ୟବହାର ପରିମାଣ, ବାସ୍ତବ ଜଳସେଚିତ ଜମିର ପରିମାଣ, କୃଷି ଯାନ୍ତ୍ରିକୀକରଣ ହାର ଇତ୍ୟାଦି ପରିସଂଖ୍ୟାନକୁ ପରୋକ୍ଷ ସୂଚକାଙ୍କ ହିସାବରେ ଯୋଜନା ପ୍ରଣୟନକାରୀମାନେ ବ୍ୟବହାର କରନ୍ତି ଏବଂ ଏହା ଉପରେ ଜୋର ଦିଅନ୍ତି। କିନ୍ତୁ ଆଜିର କୃଷି ଯେପରି ବହୁବିଧ ସମସ୍ୟାର ସମ୍ମୁଖୀନ ହେଉଛି ଓ କୃଷକମାନେ ଆତ୍ମହତ୍ୟା କରୁଛନ୍ତି, ତାହାକୁ ଲକ୍ଷ୍ୟ କଲେ, ଏହି ସବୁ ପ୍ରତ୍ୟକ୍ଷ ଓ ପରୋକ୍ଷ ପରିମାପକ ଯେ ଯଥେଷ୍ଟ  ନୁହେଁ;  ଏହା ସମସ୍ତେ ନିଶ୍ଚୟ ସ୍ୱୀକାର କରିବେl
ଆଜିର କୃଷି ପ୍ରତିକୂଳ-ପରିବେଶ ସହନଶୀଳ ହେବା ସହିତ ଉତ୍ପାଦନକ୍ଷମ ହେବା ଆବଶ୍ୟକ। ଏଥିସହିତ କୃଷକ-କେନ୍ଦ୍ରିତ ହେବା ଏବଂ କୃଷକମାନଙ୍କ ପାଇଁ ଲାଭଜନକ ହେବା ଆବଶ୍ୟକ l ସୁତରାଂ କୃଷିର ଉପାଦେୟତା ଓ ଦକ୍ଷତା ମାପିବା ପାଇଁ ଆମକୁ ବିଭିନ୍ନ ଦିଗରୁ ବିଚାର କରିବାକୁ ପଡିବl

Advertisment

ସାଧାରଣ ଭାବରେ ସଷ୍ଟେନେବଲ୍ ବା ଧାରଣକ୍ଷମ କୃଷି ହେଉଛି ଏପରି କୃଷି ପଦ୍ଧତି, ଯାହା ବର୍ତ୍ତମାନ ପିଢିର ଖାଦ୍ୟ ଓ ବସ୍ତ୍ରର ଆବଶ୍ୟକତା ପୂରଣ କରିବା ସହିତ ଆଗାମୀ ଭବିଷ୍ୟତ ପିଢିର ଆବଶ୍ୟକତା ପୂରଣ କରିବା ସହିତ ପ୍ରାକୃତିକ ସମ୍ବଳ ଓ ପରିବେଶକୁ ଅକ୍ଷୂର୍ଣ୍ଣ ରଖିବାକୁ ସମର୍ଥ ହୋଇଥିବ। ବାସ୍ତବରେ କୃଷିକର୍ମ ଧାରଣକ୍ଷମ ହେଉଛି କି ନାହିଁ ଏହା ଜାଣିବାକୁ ହେଲେ ଆମେ କେବଳ ଫସଲ ଅମଳ ହାର ବା କୃଷକମାନଙ୍କ ଆୟ ବିଚାର ନକରି ପରିବେଶୀୟ, ସାମାଜିକ ଓ ଅର୍ଥନୈତିକ ପରିମାପକ ଉପରେ ନିର୍ଭର କରିବାକୁ ହେବ। ନିରନ୍ତର କୃଷି ବିକାଶର ପରିମାପକ ଗୁଡିକ ପରିବେଶୀୟ, ସାମାଜିକ ଏବଂ ଅର୍ଥନୈତିକ ଦିଗରୁ ବିଚାର କରାଯାଏ, କାରଣ ଏଗୁଡ଼ିକ ଦୀର୍ଘସ୍ଥାୟୀ ସୂଚକ l 

ପରିବେଶୀୟ ପରିମାପକ ବିଷୟରେ ସ୍ବଳ୍ପ ଆଲୋକପାତ କରିବା। ଆମେ ଜାଣୁ ଯେ, ଆଜିର କୃଷି ଜଳବାୟୁ ପରିବର୍ତ୍ତନ କାରଣରୁ ବହୁମାତ୍ରାରେ ପ୍ରଭାବିତ ହେଉଛି। ଆମର ତୃଟିପୂର୍ଣ୍ଣ କୃଷି ଅଭ୍ୟାସ ବା ଚାଷ ପ୍ରଣାଳୀ ମଧ୍ୟ କେତେକାଂଶରେ ଜଳବାୟୁ ପରିବର୍ତ୍ତନ ଓ ଅନିୟମିତତା ପାଇଁ ଦାୟୀ। ଯେଉଁ କୃଷି ପଦ୍ଧତି ଦକ୍ଷତାର ସହ ସୀମିତ ଜଳ ବିନିଯୋଗ କରେ, ବାୟୁ ମଣ୍ଡଳକୁ ସର୍ବନିମ୍ନ ସବୁଜଗୃହ ବାଷ୍ପ (ଅଙ୍ଗାରକାମ୍ଳ,  ମିଥେନ,ନାଇଟ୍ରସ ଅକ୍ସାଇଡ୍ ଇତ୍ୟାଦି) ନିର୍ଗମନ କରେ, ମୃତ୍ତିକାର ସ୍ୱାସ୍ଥ୍ୟ ଅତୁଟ ରଖେ ଏବଂ ଜୈବ ବିବିଧତାରେ ବିଶେଷ ପରିବର୍ତ୍ତନ କରେନାହିଁ, ସେହି କୃଷି ପଦ୍ଧତି ଅଧିକ ଗ୍ରହଣୀୟ। ଏହି ପରିପ୍ରେକ୍ଷୀରେ, କୁହାଯାଇ ପାରିବ ଯେ, ପର୍ଯ୍ୟାବରଣ ପରିମାପକ ମଧ୍ୟରେ ମୃତ୍ତିକା ସ୍ୱାସ୍ଥ୍ୟ, ଜଳ ବିନିଯୋଗ ଦକ୍ଷତା, ଜୈବବିଭିନ୍ନତା, ସାର ଓ କୀଟନାଶକ ବ୍ୟବହାର, ସବୁଜ ଗୃହ ବାଷ୍ପ ନିର୍ଗମନ, ମୃତ୍ତିକା କ୍ଷୟ, ଭୂ-ବିନିଯୋଗ ଏବଂ କୃଷି ପରିସଂସ୍ଥା(ଇକୋ ସିଷ୍ଟମ୍) ସ୍ୱାସ୍ଥ୍ୟ ଅନ୍ତର୍ଗତ। ମୃତ୍ତିକା ସ୍ୱାସ୍ଥ୍ୟ ଅତୁଟ ରହିବାକୁ ହେଲେ ଏହାର ଜୈବିକ ପଦାର୍ଥ, ସରଂଚନା, ପୋଷକ ଯୋଗାଣ କ୍ଷମତା ଏବଂ ଜଳଧାରଣ କ୍ଷମତା ସଠିକ ରହିବା ଆବଶ୍ୟକ। ଜଳ ବିନିଯୋଗ ଦକ୍ଷତା କହିଲେ କମ୍ ଜଳରେ ଅଧିକ ଫସଲ ଅମଳ, ଜଳର ଗୁଣାତ୍ମକ ମାନ, ନାଇଟ୍ରେଟ୍ (ଯବକ୍ଷାରଜାନ) ପରିମାଣ ଓ ଭୂତଳ ଜଳସ୍ତରକୁ ବୁଝାଏ। ଜୈବ ବିଭିନ୍ନତା ସୁରକ୍ଷିତ କଥା କହିଲେ ପ୍ରାଣୀ, ଉଦ୍ଭିଦ, ପକ୍ଷୀ ଓ ବିଭିନ୍ନ ପ୍ରଜାତି ମଧ୍ୟରେ ସନ୍ତୁଳନ ରହିବା ଆବଶ୍ୟକ। ଫସଲରେ କୀଟନାଶକ ଓ ରାସାୟନିକ ସାର ବ୍ଯବହାର ହେଉଥିଲେ ଏହାର ପ୍ରଭାବ ଫସଲ, ପ୍ରାଣୀଜଗତ ଓ ପରିବେଶ ଉପରେ କିପରି ପଡୁଛି ଏହାକୁ ଅନୁଧ୍ୟାନ କରିବାକୁ ହେବ। ଚାଷରେ ଅଧିକ ଜଳ ଓ ସାର ବ୍ୟବହାର ଓ ପ୍ରାଣୀଙ୍କ ମଳମୂତ୍ର ଖୋଲାରେ ପଡିଲେ ଏଥିରୁ ଅଙ୍ଗାର କାମ୍ଳ , ମିଥେନ ଓ ନାଇଟ୍ରକ୍ସ ଅକ୍ସାଇଡ ପରି ସବୁଜ ଗୃହ ବାଷ୍ପ ବାୟୁ ମଣ୍ଡଳକୁ ନିର୍ଗମନ ହୋଇ ଜଳବାୟୁ ପରିବର୍ତ୍ତନର ଅନ୍ୟତମ କାରଣ ହୋଇଥାଏ। ତ୍ରୁଟିପୂର୍ଣ୍ଣ ଚାଷ ପଦ୍ଧତିରେ ଚାଷ କଲେ ଏବଂ ଜମିରେ ଫସଲ ଚାଷ ନକରି ପଡିଆ ପକାଇଲେ ମୃତ୍ତିକା କ୍ଷୟହୁଏ ଓ ଗୁଣାତ୍ମକ ଅବକ୍ଷୟ ହୋଇଥାଏ। ଭୂମିର ନିୟନ୍ତ୍ରିତ ବିନିଯୋଗ ନହେଲେ କୃଷି ଇକୋସିଷ୍ଟମ୍ (ପରିସଂସ୍ଥା) ମଧ୍ୟ ଅସୁରକ୍ଷିତ ହୋଇଯାଏ।

Advertisment

ଦ୍ୱିତୀୟ ସୂଚକାଙ୍କ ହେଉଛି ପ୍ରଯୁକ୍ତିବିଦ୍ୟା ଅନୁସରଣ ସୂଚୀ। କୃଷକମାନେ ଗ୍ରହଣ କରୁଥିବା ଯଥାଯଥ ବା ଆଧୁନିକ ବିଜ୍ଞାନସମ୍ମତ କୃଷି, ଡିଜିଟାଲ ପ୍ରଯୁକ୍ତି ପ୍ରୟୋଗ ଏବଂ ନବ୍ୟ ଜୈବପ୍ରଯୁକ୍ତି (ବାୟୋ ଟେକ୍ନୋଲୋଜି)ବିଦ୍ୟା ଏଥି ମଧ୍ୟରେ ସାମିଲ ହୋଇଥାଏ। କୃଷି କ୍ଷେତ୍ରରେ ସୀମିତ ସମ୍ବଳ ବିନିଯୋଗରେ ଅଧିକ ଅମଳ ପାଇଁ ଡ୍ରୋନ, ସେନସର ଲାଗିଥିବା ସ୍ଵୟଂକ୍ରୀୟ ଯନ୍ତ୍ରପାତି ଓ ବାୟୋଟେକ କୃଷି ପ୍ରଣାଳୀ ବ୍ୟବହୃତ ହେଲାଣି। ଏଗୁଡ଼ିକୁ କେତେ ମାତ୍ରରେ ତଥା ସଠିକ ଭାବେ କରାଯିବା ଆବଶ୍ୟକ, ତାହା କୃତ୍ତିମ ବୁଦ୍ଧିମତା (ଏଆଇ) ସହଯୋଗରେ ମଧ୍ୟ କରାଯାଇ ପାରିବ, ଯାହା କମ୍ ଖର୍ଚ୍ଚରେ ଅଧିକ ଅମଳ ଦେବା ସହିତ ଲାଭଜନକ ହୋଇପାରିବ।

ତୃତୀୟ ସୂଚକାଙ୍କ ହେଉଛି ଜଳବାୟୁ ସହନଶୀଳତା। କୃଷି ପଦ୍ଧତି କେତେଦୂର ପ୍ରତିକୂଳ ଜଳବାୟୁ ଯଥା ବନ୍ୟା, ମରୁଡି ଏବଂ ଅଦିନିଆ ବର୍ଷା, ପବନ ଭଳି ପାଣିପାଗ ବିପର୍ଯ୍ୟୟକୁ ସହ୍ୟ କରିପାରିବ, ତାହାକୁ ଅନୁଧ୍ୟାନ କରିଥାଏ ଏବଂ ଏହି ସୂଚୀ ସ୍ଥିର କରିଥାଏ।

ଚତୁର୍ଥ ପରିମାପକ ହେଉଛି ଚାଷୀଙ୍କ କୃଷିଋଣ, କୃଷି ବୀମା ଓ ଅମଳ ହୋଇଥିବା ଫସଲର ବିକ୍ରିବଟା ପାଇଁ ଉପଲବ୍ଧ ସୁବିଧା। ଏହି ସମସ୍ତ ସୁବିଧାଗୁଡ଼ିକ ଧାରଣକ୍ଷମ (ସଷ୍ଟେନେବଲ୍) କୃଷି ପାଇଁ ମଧ୍ୟ ଆବଶ୍ୟକ ହୋଇଥାଏ। 

ପଞ୍ଚମ ପରିମାପକ ହେଉଛି ଫସଲ ବିବିଧତା ଓ ଖାଦ୍ୟ ନିରାପତ୍ତା ସୂଚୀ।  ପ୍ରାକୃତିକ ବିପର୍ଯ୍ୟୟ ଗୁଡିକର ମୁକାବିଲା ସହିତ ଖାଦ୍ୟ ନିରାପତ୍ତା ହାସଲ ପାଇଁ ଫସଲ ବିବିଧିକରଣ ଅତି ଜରୁରୀ। ଗୋଟିଏ କିଆରୀରେ ଗୋଟିଏ ଫସଲ ବାରମ୍ବାର ଚାଷ ନକରି ପର୍ଯ୍ୟାୟ କ୍ରମେ ଏକାଧିକ ଫସଲ ଚାଷ କରିବା ଦ୍ଵାରା ଅମଳରେ ସ୍ଥିରତା ରହେ। କୌଣସି କାରଣରୁ ଗୋଟିଏ ଫସଲ ନଷ୍ଟ  ହୋଇଗଲେ ଏହାକୁ ଅନ୍ୟ ଫସଲରୁ ଭରଣା କରିହୁଏlମୃତ୍ତିକାର ସ୍ୱାସ୍ଥ୍ୟ ଓ ଉର୍ବରତା ମଧ୍ୟ ଅତ୍ଯନ୍ତ ଗୁରୁତ୍ବପୂର୍ଣ୍ଣl ଏଥିପାଇଁ ମୃତ୍ତିକାରେ ଜୈବିକ ବସ୍ତୁ ପରିମାଣ, ଅଣୁଜୀବ ସଂଖ୍ୟା, ପୋଷକ ଚକ୍ରର (ଯବକ୍ଷାରଜାନ , ଫସଫରସ, ପୋଟାସ, ଗନ୍ଧକ ସମେତ ଅନେକ ଅଣୁସାର ଇତ୍ୟାଦି) ଉପସ୍ଥିତି ଏବଂ ସେଗୁଡିକର କାର୍ଯ୍ୟଦକ୍ଷତା ନିରୂପଣ କରିବାକୁ ହୋଇଥାଏ।

ଷଷ୍ଠ  ପରିମାପକ ହେଉଛି ଜଳ ବିନିଯୋଗ ଦକ୍ଷତା। ଫସଲ ଅମଳ ପାଇଁ ବିନିଯୋଗ ଜଳର କାର୍ଯ୍ୟଦକ୍ଷତା, ବିଶେଷ କରି ଜଳ ସଙ୍କଟ ଅଞ୍ଚଳରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେଚାଞ୍ଚଳର ଜଳ ବିନିଯୋଗ ଦକ୍ଷତା ୩୫-୪୦ ପ୍ରତିଶତମଧ୍ୟରେ ରହିଥାଏ। ବିଭିନ୍ନ କୌଶଳ ଅନୁସରଣ କଲେ ଏହା ୫୦ ପ୍ରତିଶତ ଯାଏଁ ବୃଦ୍ଧି ପାଇପାରେ।

ସପ୍ତମ ପରିମାପକ କୃଷକର ଜୀବିକା ଓ ମଙ୍ଗଳ। ଏହି ପରିମାପକ ଗୁରୁତ୍ୱପୂର୍ଣ୍ଣ ଏଇଥିପାଇଁ ଯେ କୃଷିରୁ କୃଷକ ଅଧିକ ରୋଜଗାର କରିପାରିଲେ ତାହାର ଜୀବନର ମାନ ବୃଦ୍ଧି ହେବା ସୁନିଶ୍ଚିତ। ଏହାଦ୍ୱାରା ତାହାର ଦାରିଦ୍ର୍ୟ ଦୂରୀକରଣ ହେବା ସହିତ ଆର୍ଥିକ ସଶକ୍ତିକରଣ ସମ୍ଭବ ହେବ। ପୁରୁଷ ଓ ମହିଳା କୃଷକ ମଧ୍ୟରେ କୌଣସି ଭେଦଭାବ ରହିବା ଅନୁଚିତ।

ଅଷ୍ଟମ ପରିମାପକ ହିସାବରେ କୃଷିର ପୋଷଣୀୟତା ବିଚାର କରିବା ଆବଶ୍ୟକ। ସରଂକ୍ଷଣ କୃଷିପଦ୍ଧତି, ସମନ୍ଵିତ ରୋଗପୋକ ପରିଚାଳନା, ଜୈବିକ କୃଷି, ପ୍ରାକୃତିକ କୃଷି ଇତ୍ୟାଦି ଦ୍ଵାରା ନିରନ୍ତର କୃଷି ବିକାଶ ସମ୍ଭବ। ଗବେଷଣା ସମ୍ବନ୍ଧୀୟ  ନବୋନ୍ମେଷ  ( ଇନୋଭେସନ) ମଧ୍ୟ ଏକ ପରିମାପକ ହେବା ବିଧେୟ l କାରଣ ସ୍ଥାନୀୟ ସମସ୍ୟା ସମାଧାନ ପାଇଁ ଗବେଷଣା ଲବ୍‌ଧ ଜ୍ଞାନ କୌଶଳ ମଧ୍ୟ ଗୁରୁତ୍ୱପୂର୍ଣ୍ଣ। 

ପରିବେଶୀୟ ପରିମାପକ ବିଷୟରେ ଆଲୋଚନା ପରେ, ନିରନ୍ତର କୃଷି ବିକାଶର ସାମାଜିକ ପରିମାପକ ବିଷୟରେ ଆଲୋଚନା କରିବା। କୃଷିକ୍ଷେତ୍ରରେ କୃଷକମାନଙ୍କ ସହଭାଗିତା, ସମ୍ବଳ ପ୍ରାପ୍ତି ସୁଯୋଗ, ଗ୍ରାମ୍ୟ ଜୀବିକା ବିକାଶ,  ଖାଦ୍ୟ ନିରାପତ୍ତା ଓ ଗୋଷ୍ଠୀ ନିଯୁକ୍ତି ସୁଯୋଗ ପରି ସାମାଜିକ ପରିମାପକ ଏହାର ଅଂଶ। ଖାଦ୍ୟ ନିରାପତ୍ତା ହାସଲ, କର୍ମ ନିଯୁକ୍ତି ଓ ଦାରିଦ୍ର୍ୟ ଦୂରୀକରଣ ନିମନ୍ତେ ‘କୃଷି’ ସହାୟକ ହେଉଛି କି ନାହିଁ ତାହା ନିର୍ଦ୍ଧାରଣ କରିବା ଜରୁରୀ।

ଶେଷରେ ଅର୍ଥନୈତିକ ପରିମାପକ ମଧ୍ୟରେ ଫସଲର ଅମଳ ହାର, କୃଷକମାନଙ୍କ ରୋଜଗାର ଓ ଲାଭ, ବଜାର ସୁବିଧା, ବାଣିଜ୍ୟ ଓ ପୁଞ୍ଜିନିବେଶ ଏବଂ ଆର୍ଥିକ ସ୍ଥିରତା ଅନ୍ତର୍ଭୁକ୍ତ। ଅମଳ ହାର ବୃଦ୍ଧି ପାଇଲେ ଉଭୟ ଚାଷୀ ଓ ସରକାର ଲାଭବାନ୍ ହୁଅନ୍ତି । ଖର୍ଚ୍ଚ ତୁଳନାରେ ଚାଷୀ ଅଧିକ ଲାଭ ପାଇଲେ ଓ ନିଜର  କୃଷି ଆୟ ବୃଦ୍ଧି ପାଇଲେ କୃଷକମାନଙ୍କର ଆର୍ଥିକ ଅବସ୍ଥାରେ ଉନ୍ନତି ଆସେ। କୃଷକ ନିଜର ଉତ୍ପାଦ ବିକ୍ରୟ କରିବା ପାଇଁ ଉପଯୁକ୍ତ ବଜାର ଆବଶ୍ୟକ କରନ୍ତି। ଏହାର ଅଭାବରେ ଚାଷୀ କ୍ଷତିଗ୍ରସ୍ତ ହେବା ସ୍ୱାଭାବିକ। କୃଷି ପାଇଁ ଅଧିକ ପୁଞ୍ଜି ନିବେଶ ହେଲେ ବହୁବିଧ କୃଷି ବିକାଶ ସମ୍ଭବ। ଏତଦ୍ ବ୍ୟତୀତ ପ୍ରାକୃତିକ ବିପର୍ଯ୍ୟୟ ଜନିତ କ୍ଷତିରୁ ଚାଷୀକୁ ସୁରକ୍ଷା ଦେବା ପାଇଁ ବୀମା ବ୍ୟବସ୍ଥା ଦୃଢୀଭୂତ ହେବା ଆବଶ୍ୟକ।

ପାରମ୍ପରିକ ପରିମାପକ ହିସାବରେ ଆମେ ବ୍ୟବହାର କରୁଥିବା ଫସଲ ଅମଳ ହାର, ହେକ୍ଟର ପ୍ରତି ରାସାୟନିକ ସାର ବ୍ୟବହାର, ବିହନ ପରିବର୍ତ୍ତନ ହାର, ଜଳସେଚିତ ଜମି ପରିମାଣ, ଫସଲ ସାନ୍ଧ୍ରତା ଇତ୍ୟାଦି ପରିମାପକ ପରିବର୍ତ୍ତେ ନୂତନ ପରିମାପକ ଗୁଡିକ କୃଷି ବିକାଶର ପରିପ୍ରକାଶ ପାଇଁ ସାମଗ୍ରିକ ଦୃଷ୍ଟିରୁ ଅଧିକ ଗ୍ରହଣୀୟ। ନୂତନ ପରିମାପକ ଗୁଡିକ କୃଷିର ଧାରଣ କ୍ଷମତା, ପ୍ରତିକୂଳ ପରିବେଶ ପ୍ରତି ସହନଶୀଳତା, ଅନ୍ତର୍ଭୁକ୍ତି ଓ ପ୍ରଯୁକ୍ତିବିଦ୍ୟା ଗୁଡିକର ବିକାଶ ବିଷୟରେ ସୂଚାଇଥାଏ। ନୀତିନିର୍ଣ୍ଣୟକାର, ଗବେଷକ ଏବଂ ବିକାଶର ଧାରାଅନୁଧ୍ୟାନ କରୁଥିବା ଅନୁଷ୍ଠାନମାନେ ଆଗାମୀ ଦିନର କୃଷିକୁ ଅଧିକ ଧାରଣକ୍ଷମ ଓ ସର୍ବସମ୍ମତ କରିବା ପାଇଁ  ଏଗୁଡ଼ିକୁ ବ୍ୟବହାର କରୁଛନ୍ତି। ପରିବେଶୀୟ, ସାମାଜିକ ଓ ଅର୍ଥନୈତିକ ପରିମାପକ ଗୁଡିକ ସଠିକ ଭାବରେ ଅନୁଧ୍ୟାନ କରାଗଲେ କୃଷିକ୍ଷେତ୍ରରେ ପରିଲକ୍ଷିତ ହେଉଥିବା ଦୁର୍ବଳତାଗୁଡିକୁ ଚିହ୍ନଟକରିବା ସହଜ ହେବ। ଏହାଦ୍ୱାରା ଯେଉଁ କ୍ଷେତ୍ରରେ ଅଭାବ ପରିଲକ୍ଷିତ ହେବ ସେଗୁଡିକୁ ସଂଶୋଧନ କରିବାକୁ ରଣନୈତିକ କୌଶଳ ଉଦ୍ଭାବନ କରାଯାଇ ପାରିବ। ଫଳରେ କୃଷି ନିଶ୍ଚିତ ଭାବରେ ଲାଭଦାୟକ ଓ ଧାରଣକ୍ଷମ ହୋଇପାରିବ।

ମୋବାଇଲ ଫୋନ୍ ନମ୍ବର: 9438299037