ଓଡ଼ିଶା ବିକାଶର ସୂତ୍ର : ଅ-ଆ-ଇ-ଉ

ପଞ୍ଚାନନ କାନୁନଗୋ

ମହାମାରୀ କରୋନାର ଏକ ଅତ୍ୟାଧୁନିକ ଆଲୋଚନା ଉତ୍ସଟି ଇଂରେଜୀରେ ୱେବ୍ନାର ଯାହା ଏକ ସେମିନାରର ରୂପାନ୍ତର ବୋଲି ଧରାଯାଉଛି। ଏକ ସମୟରେ ଘରେ ବସି ଜୁମ୍ ସଜାଡ଼ି ଲିଙ୍କ ବ୍ୟବହାରରେ ଦେଶର ବିଭିନ୍ନ ପ୍ରାନ୍ତରେ ଥାଇ ମଧ୍ୟ ଆଲୋଚନାରେ ଅଂଶ ଗ୍ରହଣ କରି ହେଉଛି। ସଂଯୋଜକ ବା ଆୟୋଜକଙ୍କୁ ବିନା ଅର୍ଥ ବ୍ୟୟରେ ଏକ ସୁନ୍ଦର ଆଲୋଚନାଟିଏ କରିବାର ସୁଯୋଗ ମହାମାରୀ କରୋନା ସମୟର ଏକ ଚମତ୍କାର ଉଦ୍ଭାବନ। ସେହିପରି ଏକ ଆଲୋଚନାଚକ୍ରରେ ‘ଅନ୍ୱେଷଣ’ ନାମକ ସଂସ୍ଥାର କିଛି ବନ୍ଧୁଙ୍କର ଅନ୍ୱେଷଣ ଥିଲା ଯେ, ଓଡ଼ିଶାକୁ ଅର୍ଥନୈତିକ କ୍ଷେତ୍ରରେ ସୁଦୃଢ଼ କରିବାକୁ କେଉଁ ପ୍ରକାର ନୀତି ଅବଲମ୍ବନ କରିବାକୁ ହେବ? ଆଲୋଚନା ଭାଷଣ ସର୍ବସ୍ୱ ନ ହୋଇ ସିଦ୍ଧାନ୍ତମୂଳକ ଅନ୍ୱେଷଣ ଥିଲା। ଆଲୋଚକ ଯେତିକି ସଂପର୍କିତ ଥିଲେ ତା’ଠାରୁ ଅଧିକ ଅନୁସନ୍ଧିତ୍ସୁ ଥିଲେ ଯୋଗଦାନକାରୀ ପ୍ରଶ୍ନକର୍ତ୍ତାମାନେ। ଏଥିରେ ଯେଉଁ ମୁଖ୍ୟ କଥାଟି ଥିଲା ତାହା କେତେଦିନ ଧରି କହିଚାଲିଥିବା ଓ ଶୁଣି ଚାଲିଥିବା ଯେ ‘ସଂପଦଭରା ଓଡ଼ିଶା କେବଳ ଦାରିଦ୍ର୍ୟରେ ଭରପୁର’।

ଏହା ସତ୍ୟ ଯେ, ୧୯୭୪ ମସିହା ବେଳର ପ୍ରଥମ ଦାରିଦ୍ର୍ୟ ଆକଳନ ସମୟରେ ରାଜ୍ୟର ୬୬% ଲୋକ ଧାର୍ଯ୍ୟ ଦାରିଦ୍ର୍ୟ ସୀମାରେଖା ତଳେ ଥିଲେ। ଏବେ ନିତି ଆୟୋଗର ତଥ୍ୟ ଅନୁସାରେ ଓଡ଼ିଶାରେ ତାହା ୩୩%କୁ ଖସିଥିବାର ହିସାବ ଆସୁଛି। କିନ୍ତୁ ଏହା ସମଗ୍ର ଦେଶରେ ଥିବା ରାଜ୍ୟମାନଙ୍କ ଭିତରେ ସେହି ତଳଭାଗରେ ଅର୍ଥାତ ଖରାପ ସ୍ଥିତିରେ ପାଞ୍ଚଟି ରାଜ୍ୟ ମଧ୍ୟରେ ରହିଛି ଓଡ଼ିଶା। ସେ ସମୟରେ ଦେଶରେ, ୧୯୭୧ରେ ରାଜ୍ୟର ଲୋକସଂଖ୍ୟା ୨ କୋଟି ୧୯ ଲକ୍ଷ ଥିଲା।  ଏହାର ୬୬% ଅର୍ଥାତ ଦୁଇ ତୃତୀୟାଂଶ ବା ୧ କୋଟି ୪୮ ଲକ୍ଷ ଲୋକ ଦାରିଦ୍ର୍ୟ ଭିତରେ ଥିଲେ।  ଏବେ ତାହା ଏକ ତୃତୀୟାଂଶ ଅର୍ଥାତ ସେହି ୧ କୋଟି ୪୮ ଲକ୍ଷ ପାଖାପାଖି ଅଛି। ଅନ୍ୟଏକ ବିଡ଼ମ୍ବନା ହେଉଛି ସରକାର ଏକ ଟଙ୍କିଆ ଚାଉଳ ଦେଉଥିବା ପରିବାର ସଂଖ୍ୟା ୯୬ ଲକ୍ଷ। ଏହା ମଧ୍ୟରୁ ପ୍ରଧାନମନ୍ତ୍ରୀ ଗରିବୀ ଯୋଜନାରୁ ୯୩ ଲକ୍ଷ ପରିବାର ଓ ରାଜ୍ୟ ଖାଦ୍ୟ ସୁରକ୍ଷା ନାମରେ ୩ ଲକ୍ଷ ଅଧିକ ପରିବାରକୁ ଦିଆଯାଇଥାଏ। ଏହି ହିସାବଟି ରାଜ୍ୟର ପାଖାପାଖି ୩ କୋଟି ୩୬ ଲକ୍ଷ ଲୋକଙ୍କୁ ଦାରିଦ୍ର୍ୟରୁ ସୁରକ୍ଷା ନିମନ୍ତେ ଖାଦ୍ୟ ସାହାଯ୍ୟ ଦିଆଯାଉଥାଏ। ଏହା କାଢ଼ିଦେଲେ ଦାରିଦ୍ର୍ୟର ବାସ୍ତବ ରୂପ ଜଣା ପଡ଼ିଯିବ। କଙ୍କାଳସାର ଚେହେରାଟି ଉପରୁ ପୋଷାକ କାଢ଼ିଦେଲେ ଶରୀର କଙ୍କାଳ ସାରରୂପ ଦେଖିବାକୁ ମିଳିବ।

‘ଅନ୍ୱେଷଣ’ ଗୋଟିଏ ଦାରିଦ୍ର୍ୟମୁକ୍ତ ଓଡ଼ିଶା ଖୋଜିବା ଅଭିପ୍ରାୟରେ ଯେ ସୃଷ୍ଟି ଏହା ଆଲୋଚନା ଆୟୋଜକ କରିଥିବା ଯୋଗଦାନକାରୀ ବକ୍ତା ଏବଂ ପ୍ରଶ୍ନକର୍ତ୍ତାମାନଙ୍କ ପ୍ରଶ୍ନରୁ ଜଣା ପଡ଼ୁଥିଲା। ଏହାର ସ୍ପଷ୍ଟ ଉତ୍ତର ହେଉଛି ଯେ, ଓଡ଼ିଶାର ଆର୍ଥିକସ୍ଥିତିରେ ବିକାଶ ଓ ଏକ ସମୃଦ୍ଧ ଶକ୍ତିଶାଳୀ ଓଡ଼ିଶା ସୃଷ୍ଟି ପାଇଁ ରାଜ୍ୟର ଲୋକଙ୍କ ଭିତରେ ଭରି ରହିଥିବା ଅନ୍ତର୍ନିହିତ ଶକ୍ତିର ଅନ୍ୱେଷଣ। ଏହି ଶକ୍ତି ଜାଣି ପାରିଲେ ତା’ର ଉପଯୁକ୍ତ ଓ ସମୟଭିତ୍ତିକ ବିନିଯୋଗ କଲେ ହିଁ ବ୍ୟକ୍ତି ଓ ରାଜ୍ୟର ସର୍ବାଙ୍ଗୀନ ଓ ସର୍ବକାଳୀନ ଉନ୍ନତି ହୋଇପାରିବ। ସେହି ଆଧାରରେ ଏକ ସୂତ୍ର ଅ, ଆ, ଇ, ଉ ଉପସ୍ଥାପିତ ହେଉଛି। ଓଡ଼ିଶାରେ ବର୍ତ୍ତମାନର ଆୟ-ବ୍ୟୟସ୍ଥିତି (ବଜେଟ) ଏବଂ ବଜେଟ ବାହାରୁ ପ୍ରାପ୍ତ (ଅଫ୍‌ବଜେଟ) ସାହାଯ୍ୟରେ ପାଞ୍ଚବର୍ଷରେ ଗୋଟିଏ ସୁସ୍ଥ, ସଶକ୍ତ, ଦାରିଦ୍ର୍ୟମୁକ୍ତ ଓ ବିପର୍ଯ୍ୟୟ ମୁକ୍ତ ଓଡ଼ିଶା ଦେଖିବାକୁ ସମସ୍ତେ ଚାହାଁନ୍ତି।

‘ଅ’- ଅନୁଭବ, ଅଭିଜ୍ଞତା ଆମ ପାଖରେ ଅଛି। ଅତୀତକୁ ନିନ୍ଦା ନ କରି ଅନୁଶୀଳନ କରିବା ଆବଶ୍ୟକ। ଅଜ୍ଞତା ଓ ଅନ୍ଧତ୍ୱରୁ ମୁକ୍ତ ହେଲେ ଅନୁଭବ ଓ ଅଭିଜ୍ଞତା ସବୁରୁ ସ୍ପଷ୍ଟ ଜାଣି ହେବ ଓ ସେଥିରେ ଥିବା ତୃଟିପୂର୍ଣ୍ଣ ଦିଗଗୁଡ଼ିକ ସଂଶୋଧନ କରିବାର ପନ୍ଥା ନିର୍ଣ୍ଣୟ କରିହେବ।

‘ଆ’- ଆକର୍ଷଣ ଅନ୍ୟ ଏକ ମୁଖ୍ୟ ପ୍ରସଙ୍ଗ। ରାଜ୍ୟରେ ଏହାକୁ ପ୍ରାୟରିଟି ବା  ପ୍ରାଥମିକତା କୁହାଯାଇପାରେ। ପ୍ରକୃତି ରାଜ୍ୟକୁ ଅନେକ ସଂପଦରେ ଭରି ଦେଇଛି। ମାନବ ସଂପଦ, ଜଳ ସଂପଦ, ଜଙ୍ଗଲ ସମ୍ପଦ, କୃଷି ସମ୍ପଦ ଏବଂ ମାଟିତଳେ ଥିବା ଖଣିଜ ସଂପଦରେ ଓଡ଼ିଶାର ପ୍ରାଚୁର୍ଯ୍ୟ ସ୍ୱୀକାର କରିବାକୁ ହୁଏ। ଆମର ଶାସକ ଓ ଜନ ସାଧାରଣ କେଉଁ ସଂପଦ ପ୍ରତି ଆକର୍ଷିତ ହୁଅନ୍ତି ବା ପ୍ରାଥମିକତା ଦେଇ ଆପଣାନ୍ତି ତାହା ହିଁ ବିଚାର୍ଯ୍ୟ। ଗତ ତିନି ଦଶନ୍ଧି ଧରି ଏହି ରାଜ୍ୟଟି ମାଟିତଳ ସଂପଦ ଆଡ଼େ ଅଧିକ ଆକର୍ଷିତ ହୋଇଆସିଛି ଓ ଅନ୍ୟଦିଗଗୁଡ଼ିକୁ ଗୁରୁତ୍ୱ ଦେଇନାହିଁ। ରାଜ୍ୟର କୃଷି, ଜଳ, ମାନବ ସଂପଦ ଓ ଜଙ୍ଗଲ ସଂପଦକୁ ପୂର୍ଣ୍ଣ ବ୍ୟବହାର ନକରି ଆବଶ୍ୟକ ବିକାଶଧାରାକୁ ଶକ୍ତ କରିବାକୁ ନୀତି ଘୋଷିତ ହୋଇଛି। ରାଜ୍ୟମାନଙ୍କ ଭିତରେ କେରଳ ତା’ର ଗଠନ ସମୟରୁ ମାନବ ସମ୍ବଳ ସଜାଡ଼ିବାରେ ଲାଗିଲା। ଶିକ୍ଷା ଓ ସ୍ୱାସ୍ଥ୍ୟକୁ ଖୁବ୍ ଅଧିକ ଗୁରୁତ୍ୱ ଦେଲା। ଏହି ରାଜ୍ୟଟିରେ ନିଯୁକ୍ତି କ୍ଷେତ୍ର ପ୍ରଶସ୍ତ ହେଲା। ଦେଶ ଭିତରେ ଓ ବିଦେଶରେ କୁଶଳୀମାନେ ରାଜ୍ୟ ଭିତରକୁ ପ୍ରଭୂତ ଅର୍ଥ ବୋହି ଆଣିଲେ। ଆଭ୍ୟନ୍ତରୀଣ ଆୟରେ ପରିଶ୍ରମର ଆୟ ଯୋଡ଼ି ହୋଇଗଲା। ତେଣୁ ରାଜ୍ୟଟି ଅଧିକରୁ ଅଧିକ ସମୃଦ୍ଧ ଓ ସବଳ ହେବାରେ ଲାଗିଛି। ସମଗ୍ର ଦେଶରେ ଏ ରାଜ୍ୟର ସ୍ଥାୟୀ ବିକାଶ ଧାରା ନିତି ଆୟୋଗ ଆକଳନ ଅନୁସାରେ ୧୦୦ରୁ ୭୪ ଅଙ୍କ ହାସଲ କରି ସର୍ବୋଚ୍ଚ ସ୍ଥାନରେ ରହିଛି। ଅନେକ ଦିନ ଧରି ଏପରି ଭଲ ଓ ଶୀର୍ଷ ସ୍ଥିତିରେ କେରଳ ରହି ଆସିଛି। ଏଠି ବଞ୍ଚିବାର ବୟସ ସୀମା ବା ଆୟୁସ ହାରାହାରି ୭୮ ବର୍ଷ ଟପି ସାରିଲାଣି। କେରଳ ଲୋକମାନେ ଏକ ସୁସ୍ଥ ଦୀର୍ଘ ଜୀବନ ସହିତ ଭଲ ଶାସନ ଓ ସୁଖର ଜୀବନ ବିତାଉଛନ୍ତି। କେରଳ ଲୋକଙ୍କ ଚିନ୍ତାଧାରା ମଧ୍ୟ ଅତ୍ୟନ୍ତ ନିଆରା। ସେମାନେ ବ୍ୟକ୍ତିକେନ୍ଦ୍ରିକ ରାଜନୀତିରେ ବିଶ୍ୱାସ କରିନଥାନ୍ତି। ବରଂ ଗୋଷ୍ଠି କୈନ୍ଦ୍ରିକ ରାଜନୀତିରେ ଓ ପଞ୍ଚାୟତ ବ୍ୟବସ୍ଥା ଦୃଢ଼ କରିବା ସପକ୍ଷରେ ସେମାନେ ମତ ଦେଇଥାନ୍ତି। ପାଞ୍ଚ ବର୍ଷରେ ସରକାର ବଦଳେ। ଲୋକେ ବ୍ୟବସ୍ଥାର ବିକେନ୍ଦ୍ରୀକରଣ ଚାହାନ୍ତି। ଆମ ରାଜ୍ୟବାସୀ ଓ ରାଜ୍ୟ ସରକାର କେରଳ ବ୍ୟବସ୍ଥା ପ୍ରତି ଆକର୍ଷିତ ନ ହୋଇ ବିଶେଷତଃ ଗୁଜୁରାଟ ବ୍ୟବସ୍ଥା ପ୍ରତି ଆକର୍ଷିତ। ସେଥିପାଇଁ ଗୁଜୁରାଟ ପରି ପାଖରେ ସବୁ ଥାଇ ଆମ ରାଜ୍ୟ ପଛରେ ପଡ଼ିଛି।

‘ଇ’- ଆକର୍ଷଣ ବା ଆଗ୍ରହ ଥିବା ପ୍ରତ୍ୟେକ ବ୍ୟକ୍ତି ବା ବ୍ୟବସ୍ଥାର ‘ଇଚ୍ଛାଶକ୍ତି’ ହିଁ ମୁଖ୍ୟ। ଏହା ଉପରେ କାର୍ଯ୍ୟର ତ୍ୱରିତ ସଫଳତା ଓ ତ୍ୱରାନ୍ୱିତ ଅର୍ଥନୀତି ନିର୍ଭର କରେ। ଏଠି ଯେତେ ଆଳୁ ମିଶନ, ପିଆଜ ମିଶନ ଓ ଅନ୍ୟାନ୍ୟ ମିଶନ ମାନ ଘୋଷଣା ହୋଇଛି, ସେ ସବୁ ବଡ଼ ବଡ଼ ଘୋଷଣା ଓ କାର୍ଯ୍ୟପ୍ରତି ଅନାସକ୍ତ ଭାବ ଓ ତଜ୍ଜନିତ ଇଚ୍ଛାଶକ୍ତି ଅଭାବ ହେତୁ ସଫଳତା ଯଥା ସମୟରେ ଆସି ପାରିଲା ନାହିଁ। ଏହା ଅନୁଧ୍ୟାନ ଓ ଅନୁଶୀଳନ କରି ସିଦ୍ଧାନ୍ତରେ ପହଞ୍ଚି ହେବ ଓ ଦେଖିହେବ ଯେ, ଆନ୍ତରିକତା ନଥାଇ ବଡ଼ ଘୋଷଣା କେବଳ ଏକ ପ୍ରବଞ୍ଚନାମାତ୍ର। ଯେଉଁଥିପାଇଁ ସଫଳତା ମିଳି ନାହିଁ। ଘୋଷଣାଗୁଡ଼ିକ ନିଜ ପାଇଁ ମଧ୍ୟ ପ୍ରବଞ୍ଚନା। ବିକାଶ ଆକଳନବେଳେ ଭାବିବା ଉଚିତ୍ ଯେ, ଏହି ବିକାଶ ସ୍ଥାୟୀ ତଥା ସମସ୍ତଙ୍କ ପାଇଁ ହିଁ ହେବ। ବ୍ୟକ୍ତିର ବିକାଶ ସହିତ ଅଞ୍ଚଳ ଅଞ୍ଚଳ ଭିତରେ ବା ଗୋଷ୍ଠୀ ଗୋଷ୍ଠୀ ମଧ୍ୟରେ ଥିବା ତାରତମ୍ୟ କମିବ। ସମାଜ ବ୍ୟକ୍ତିକୁ ନେଇ ଗଠିତ। ଆର୍ଥିକ ବିକାଶ ହେଲେ ଦାରିଦ୍ର୍ୟ କମିବ, ଗାଁର ବିକାଶ ହେବ। ସର୍ବୋପରି ରାଜ୍ୟର ଓ ସମାଜର ବିକାଶ ସଂଗଠିତ ଓ ସଂଭବ ହେବ।

‘ଉ’ – ଉଦ୍ୟୋଗ ଓ ଉତ୍ସାହ। ଏହି ଅନ୍ତର୍ନିହିତ ଶକ୍ତି ସଂପର୍କରେ ଆମେ ସଚେତନ ଅଛେ। ଏସବୁକୁ ପ୍ରକୃତି ଦତ୍ତ ଓ ମାନବ ସମ୍ବଳକୁ ୧୮୬୬ ନ ଅଙ୍କ ପୂର୍ବରୁ ସ୍ଥିତିକୁ ପରଖିଲେ ଏ ଜାତିର ମଣିଷମାନେ ପରିଶ୍ରମୀ, ବିଭିନ୍ନ ଭାବରେ ବିଭିନ୍ନ ସମୟରେ ଉତ୍ତମ କୌଶଳଯୁକ୍ତ ହୋଇ ରହିଥିଲେ। ପରିଶ୍ରମୀମାନେ ସାତଦରିଆପାରି ହୋଇ ବେପାର ବାଣିଜ୍ୟ କରୁଥିଲେ। ଏମାନଙ୍କ କୌଶଳ ଓ କାରିଗରୀ ପ୍ରସ୍ତୁତ ମନ୍ଦିରଗୁଡ଼ିକର ଉତ୍କର୍ଷତା ଏବେ ବି ଦୃଶ୍ୟମାନ। ଜଳ ସଂପଦ ଏ ରାଜ୍ୟର ଚାଷ ଓ ଜଙ୍ଗଲକୁ ଶ୍ରୀବୃଦ୍ଧି କରି ଆସିଛି। ଜଳବାୟୁର ପରିବର୍ତ୍ତନ ସତ୍ତ୍ୱେ ଏବେ ବି ଏ ରାଜ୍ୟରେ ବର୍ଷକୁ ହାରାହାରି ୫୪/୫୫ ଇଂଚ ବା ୧୪୫୦ ମି.ମି. ବର୍ଷା ହୋଇଥାଏ। ରାଜ୍ୟର ମାଟି ଉର୍ବର ହେଉ ବା ଅନୁର୍ବର ହେଉ ଆବଶ୍ୟକ ସମସ୍ତ ଚାଷ ପାଇଁ ଅଧିକ ଉପଯୁକ୍ତ। ଏକ ସମୟରେ (୧୯୫୧) ଦେଶର ୫% ଧାନ ଏହି ରାଜ୍ୟ ହିଁ ଉତ୍ପାଦନ କରୁଥିଲା। ପ୍ରଶସ୍ତ ସମୁଦ୍ର ତଟ ଓ ପ୍ରାକୃତିକ ଜଳ ଜଙ୍ଗଲ ଉତ୍ପାଦନରେ ବଡ଼ ସହାୟକ ହୋଇଥାଏ। ସବୁ ଅତ୍ୟାବଶ୍ୟକ ପଦାର୍ଥରେ ସ୍ୱାବଲମ୍ବୀ ହେବା ସହିତ ଦେଶ ଓ ବିଦେଶକୁ ଯୋଗାଇବାର ସାମର୍ଥ୍ୟ ଏ ମାଟି, ପାଣି, ପବନ, ମଣିଷର ଅଛି।

ରାଜ୍ୟର କୃଷି ଓ ମତ୍ସ୍ୟ ସଂପଦ ସହିତ ବନଜ ସଂପଦ ଏକ ବଡ଼ ପ୍ରକୃତିଦତ୍ତ ଉତ୍ସ। ଏଥିରେ ରାଜ୍ୟର ଅଧିବାସୀ ଯେତିକି ଆତ୍ମ ନିର୍ଭରଶୀଳ ହେବ ଦେଶ ମଧ୍ୟ ଏଥିରୁ ସେତିକି ଲାଭବାନ ହେବାର ପ୍ରାକୃତିକ ସ୍ଥିତି ଅଛି। ଏ ସଂପଦ ସମେତ ରାଜ୍ୟ ମାଟିତଳେ ଖଣିଜ, କୋଇଲା, ଲୁହାପଥର, କ୍ରୋମାଇଟ, ମାଙ୍ଗାନିଜ୍ ଏପରିକି ହୀରାପଥରର ଖଣିମାନ ରହି ଆସିଛି।

ଯେଉଁ କାର୍ଯ୍ୟପ୍ରତି ଆକର୍ଷିତ ହେବା ସେଥିସହିତ ସମସ୍ତ ଇଚ୍ଛାଶକ୍ତି ଯୋଡ଼ିବା ସହିତ ଉତ୍ସାହ ଓ ଉଦ୍ଦୀପନାର ସହ କାର୍ଯ୍ୟ କଲେ ସେହି କାର୍ଯ୍ୟଟି ଶୀଘ୍ର ସଂପାଦିତ ହୋଇଥାଏ। ଏକଥା ଦୃଢ଼ ଭାବରେ କୁହାଯାଇପାରେ ଯେ ଏତେସବୁ ସଂପଦ ଭାରତର ଅନ୍ୟ କୌଣସି ରାଜ୍ୟରେ ଏକ ସମୟରେ ଏତେ ପରିମାଣରେ ମନେ ନାହିଁ। ପ୍ରଚୁର ସୌରଶକ୍ତି ଆମ ରାଜ୍ୟରେ ରହିଛି।

ଖଣିଜ ସଂପଦର ବ୍ୟବହାର କଲେ ଭଲ। ଏହାର ଅବିଚାରିତ ବ୍ୟବହାର ଭବିଷ୍ୟତରେ ବିପଦ ସୃଷ୍ଟି କରିପାରେ। କିନ୍ତୁ ଏଥିପ୍ରତି ଏକପ୍ରକାର ଆକର୍ଷିତ ହୋଇ କାଳାତିପାତ କରୁଥିବା ଶାସକ ବର୍ଗ ନିଜର ଶ୍ରୀବୃଦ୍ଧି ବା ପୁଞ୍ଜିବୃଦ୍ଧି କରିପାରନ୍ତି। ରାଜ୍ୟବାସୀ ବା ରାଜ୍ୟମାନଙ୍କର ସର୍ବାଙ୍ଗିନ ଉନ୍ନତିରେ ଏହା ସହାୟକ ନୁହେଁ। ମୋଟାମୋଟି ଭାବେ ଅନ୍ତର୍ନିହିତ ଶକ୍ତିର ଯଥାର୍ଥ ଠାବ, ଆକର୍ଷିତ ହେବା ଦିଗର ପ୍ରାଥମିକତା, ଇଚ୍ଛାଶକ୍ତିର ଦୃଢ଼ତା, ନିଜ ଭିତରେ ଥିବା ଉତ୍ସାହ, ଉଦ୍ଦୀପନା ଓ ଉନ୍ମାଦନାର ଯଥାଶୀଘ୍ର କର୍ଯ୍ୟ ସଂପାଦନ କଲେ ଆମେ ଆମର ଓ ରାଜ୍ୟର ସମୃଦ୍ଧି ନିଶ୍ଚୟ ଘଟାଇ ପାରିବା।

ମୋ- ୯୪୩୮୩୬୦୮୪୯

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।