‘ବିକାଶ’ର ଚାରି ସୋପାନ - ହରଣଚାଳ, ଗିରଫ, ଲୁଟ ଓ ପ୍ରକୃତି ଧ୍ଵଂସ

ସ୍ଥାନୀୟ ଲୋକଙ୍କ ବିରୋଧ ହେତୁ ‘ସିଜିମାଳି କୁଟ୍ରୁମାଳି ସୁରକ୍ଷା ସମିତି’ର କର୍ମକର୍ତ୍ତା ଭାବରେ ପରିଚିତ ସିନ୍ଦୁରଘାଟି ପଞ୍ଚାୟତର ପୂର୍ବତନ ସରପଞ୍ଚ ଧାନଫୁଲ ମାଝୀ, ପୂର୍ବତନ ସମିତି ସଭ୍ୟ ସୀତାରାମ ମାଝୀ ଓ ଅନୀଲ ମାଝୀଙ୍କୁ ରାୟଗଡ଼ା ପୋଲିସ ଗତ ଅଗଷ୍ଟ ୧୬ ତାରିଖରେ ରାୟଗଡ଼ାରୁ ଉଠେଇ ନେଇଥିଲା। ଲୋକଙ୍କ ପ୍ରତିବାଦ ବଢ଼ିବାରୁ ୧୯ ତାରିଖରେ ସେମାନଙ୍କୁ ଗିରଫ କରିଥିବା ପୁଲିସ ଦର୍ଶାଉଛି। ଇତି ମଧ୍ୟରେ ସିଜିମାଳି ଅଞ୍ଚଳରୁ ୨୧ ଜଣ ଗ୍ରାମବାସୀଙ୍କୁ ଆଇପିସିର ଧାରା ୩୦୭ (ହତ୍ୟା ପାଇଁ ଉଦ୍ୟମ), କ୍ରିମିନାଲ ଆମେଣ୍ଡମେଣ୍ଟ ଆକ୍ଟ ଓ ବେଆଇନ ଅସ୍ତ୍ର ନିରୋଧ ଆଇନର ବିଭିନ୍ନ ଧାରା ବଳରେ ଗିରଫ କରିସାରିଛି।

Upendra Bag

  • Published: Wednesday, 30 August 2023
  • , Updated: 30 August 2023, 03:45 PM IST

News highlights

  • ବାହାର କମ୍ପାନୀଙ୍କୁ ଓଡ଼ିଶା ଖଣି ଦେବାକୁ ସ୍ଥାନୀୟ ଲୋକଙ୍କ ଉପରେ ପୁଲିସ ଅତ୍ୟାଚାର ଏକ ଆଇନ ସମ୍ମତ ପନ୍ଥା କି?
  • ଖଣିଲୁଟ୍‌ ଜରିଆରେ ସ୍ଥାନୀୟ ଅଞ୍ଚଳର ବିକାଶ ହେଉଛି କି?

ଚାରି ସପ୍ତାହ ହେଲା ଦକ୍ଷିଣ ଓଡ଼ିଶାର ବିଭିନ୍ନ ପ୍ରସ୍ତାବିତ ଖଣି ଅଞ୍ଚଳରେ ଯେଉଁଭଳି ସରକାରୀ ଦମନଲୀଳା ଚାଲିଛି ତାହାକୁ ଆମେ ‘ଗାସ’ ତରଫରୁ ସଂପୂର୍ଣ୍ଣ ନିନ୍ଦା କରୁଛୁ। ଗଲା ଅଗଷ୍ଟ ୨୩, ୨୦୨୩ରେ କୋରାପୁଟ ଜିଲ୍ଲା ‘ମାଳି ପର୍ବତ ସୁରକ୍ଷା ସମିତି’ର ଦୁଇ କର୍ମକର୍ତ୍ତା ଅଭି ସୋଡ଼ି ଓ ଦାସ ଖରାଙ୍କୁ ପୁଲିସ ପରିଚୟ ଦେଇ କିଛି ସାଦା ପୋଷାକଧାରୀ ବ୍ୟକ୍ତି ଉଠାଇ ନେଇଛନ୍ତି। ଏଭଳି ଘଟଣା ପଛରେ ପୁଲିସର ଭୂମିକା ରହିଥିବାର ସନ୍ଦେହ ରହୁଛି, କାରଣ, କଳାହାଣ୍ଡି ଜିଲ୍ଲା ନିୟମଗିରି ଅଞ୍ଚଳରେ ସେହି ସମାନ ଘଟଣା ଅଗଷ୍ଟ ୫ରେ ଓ ରାୟଗଡ଼ା ଜିଲ୍ଲାର ସିଜି ମାଳି ଓ କୁଟୃ ମାଳି ଅଞ୍ଚଳରେ ଅଗଷ୍ଟ ୧୬ରେ ହୋଇଛି। ଏହି ଲେଖା ଲେଖିବା ଭିତରେ ଅଭି ସୋଡ଼ି ଓ ଦାସ ଖରାଙ୍କୁ ପୁଲିସ ଛାଡ଼ିଦେଇଛି ଓ ସେମାନେ ଦୀର୍ଘ ଚାରିଦିନ ପରେ, ଅଗଷ୍ଟ ୨୭ ତାରିଖରେ, ନିଜ ଗାଁରେ ଆସିପହଞ୍ଚିଛନ୍ତି।

ନିୟମଗିରି ଅଞ୍ଚଳରେ, ଲାଖପଦର ଗ୍ରାମର କୃଷ୍ଣ ସିକକା ଓ ବାରି ସିକକାଙ୍କୁ ପୁଲିସ ସାଦା ପୋଷାକରେ ଆସି ଅଗଷ୍ଟ ୫ ତାରିଖରେ ଲାଞ୍ଜିଗଡ଼ ହାଟ ନିକଟରୁ ଉଠାଇନେଲା। ଏହାର ପ୍ରତିବାଦରେ “ନିୟମଗିରି ସୁରକ୍ଷା ସମିତି”ର ସଦସ୍ୟମାନେ ଅଗଷ୍ଟ ୬ ତାରିଖରେ କଲ୍ୟାଣସିଂହପୁର ଥାନା ସାମ୍ନାରେ ପ୍ରତିବାଦ କରି ସେମାନଙ୍କ ମୁକ୍ତି ଲାଗି ଦାବିପତ୍ର ଦେଇଥିଲେ। ସେଠାରୁ ଫେରୁଥିବା ସମୟରେ ଲାଖପଦର ଗ୍ରାମର ଡ୍ରେଞ୍ଜୁଙ୍କୁ ଗିରଫ କରିବା ଲାଗି ଉଦ୍ୟମ କରିବାରୁ ଲୋକେ ପ୍ରତିବାଦ କଲେ। ଏହାକୁ “ବେଆଇନ କାର୍ଯ୍ୟ” ଦର୍ଶାଇ ସ୍ଥାନୀୟ ପୁଲିସ ଆଠ ଜଣ କର୍ମୀଙ୍କ ନାମରେ ୟୁଏପିଏ ଭଳି ଅତ୍ୟନ୍ତ ଅଗଣତାନ୍ତ୍ରିକ ଆଇନ ପ୍ରୟୋଗ କରିଛି। ଏହା ପରେ, ଅମ୍ବାଦୋଲାର ଉପେନ୍ଦ୍ର ବାଗଙ୍କୁ ରାୟଗଡା ସହରରୁ ପୁଲିସ ହରଣଚାଳ କରି ଦୁଇ ଦିନ ପରେ ୟୁଏପିଏରେ ଗିରଫ ଦର୍ଶାଇଛି। ସେହି ଦୁଇଦିନ ମଧ୍ୟରେ ଉପେନ୍ଦ୍ରଙ୍କ ଉପରେ ଅକଥନୀୟ ଅତ୍ୟାଚାର ହୋଇଥିବା ଜଣାପଡ଼େ।

ତେବେ, କୌଣସି ବ୍ୟକ୍ତିକୁ ପୁଲିସ ଦ୍ଵାରା ହରଣଚାଲ ହେବାକୁ ବିରୋଧ କରି ପ୍ରତିବାଦ ଜଣାଇବା କେଉଁ ଦୃଷ୍ଟିରୁ ‘ଆତଙ୍କବାଦୀ କାର୍ଯ୍ୟ’ ହେଲା ଯେ, ରାଜ୍ୟ ସରକାର ୟୁଏପିଏର ବ୍ୟବହାର କରୁଛନ୍ତି? ଲୋକଙ୍କୁ ସର୍ବନିମ୍ନ ଗଣତାନ୍ତ୍ରିକ ଅଧିକାର ପାଳନ କରିବାର ସୁଯୋଗ ନଦେବା ଓ ନିଜ ଭୁଲ କାର୍ଯ୍ୟକୁ ଲୁଚାଇବାକୁ ଯାଇ ଆଇନର ଏଭଳି ବ୍ୟବହାର କରିବା ପ୍ରଭୁତ୍ଵ ପରାୟଣତାର ନମୁନା। ଯେଉଁ ପୁଲିସ ବିଭାଗ ଦିନେ କୃଷ୍ଣ ସିକକା ଓ ବାରି ସିକକାଙ୍କ ହରଣଚାଳକୁ ଅସ୍ଵୀକାର କରୁଥିଲା, ପୁଣି ସେହି ପୁଲିସ ଲୋକଙ୍କ ପ୍ରତିବାଦ ପରେ କୃଷ୍ଣଙ୍କୁ ପାଞ୍ଚ ବର୍ଷ ତଳର ଏକ ମିଥ୍ୟା ମକଦ୍ଦମାରେ ଗିରଫ କରିଛି ଏବଂ ବାରିଙ୍କୁ ନିଜ ଗ୍ରାମରେ ଛାଡ଼ିଦେଇଛି।

ରାୟଗଡ଼ା ଜିଲ୍ଲା କାଶୀପୁର ଅଞ୍ଚଳରେ ଅବସ୍ଥିତ ସିଜି ମାଳିକୁ ବେଦାନ୍ତ କମ୍ପାନୀକୁ ହସ୍ତାନ୍ତର ଲାଗି ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ ମଧ୍ୟ ତତସମ୍ପର୍କିତ ଜନଶୁଣାଣୀ ଓ ଗ୍ରାମସଭା ଅନୁମୋଦନ ପ୍ରକ୍ରିୟା ସମାପ୍ତ ହୋଇନାହିଁ। ଏଭଳି ସ୍ଥିତିରେ, ଅଗଷ୍ଟ ୧୨ରେ ମୈତ୍ରୀ ଇନଫ୍ରାଷ୍ଟ୍ରକ୍ଚର ଆଣ୍ଡ ମାଇନିଙ୍ଗ ଇଣ୍ଡିଆ ପ୍ରାଇଭେଟ ଲିମିଟେଡର କିଛି କର୍ମକର୍ତ୍ତା ବେଦାନ୍ତ କମ୍ପାନୀଠାରୁ ଅନୁମୋଦନ (awarded) ପାଇଥିବା ଦାବି କରି ପୁଲିସର ସହାୟତାରେ ଉକ୍ତ ଅଞ୍ଚଳକୁ ନିରୀକ୍ଷଣ (site-visit) ଉଦ୍ଦେଶ୍ୟରେ ଯାଇଥିଲେ। ଏହା କିନ୍ତୁ ସଂପୂର୍ଣ୍ଣ ବେଆଇନ କାର୍ଯ୍ୟ। ଅଥଚ, ସ୍ଥାନୀୟ ଲୋକଙ୍କ ବିରୋଧ ହେତୁ ‘ସିଜିମାଳି କୁଟ୍ରୁମାଳି ସୁରକ୍ଷା ସମିତି’ର କର୍ମକର୍ତ୍ତା ଭାବରେ ପରିଚିତ ସିନ୍ଦୁରଘାଟି ପଞ୍ଚାୟତର ପୂର୍ବତନ ସରପଞ୍ଚ ଧାନଫୁଲ ମାଝୀ, ପୂର୍ବତନ ସମିତି ସଭ୍ୟ ସୀତାରାମ ମାଝୀ ଓ ଅନୀଲ ମାଝୀଙ୍କୁ ରାୟଗଡ଼ା ପୋଲିସ ଗତ ଅଗଷ୍ଟ ୧୬ ତାରିଖରେ ରାୟଗଡ଼ାରୁ ଉଠେଇ ନେଇଥିଲା। ଲୋକଙ୍କ ପ୍ରତିବାଦ ବଢ଼ିବାରୁ ୧୯ ତାରିଖରେ ସେମାନଙ୍କୁ ଗିରଫ କରିଥିବା ପୁଲିସ ଦର୍ଶାଉଛି। ଇତି ମଧ୍ୟରେ ସିଜିମାଳି ଅଞ୍ଚଳରୁ ୨୧ ଜଣ ଗ୍ରାମବାସୀଙ୍କୁ ଆଇପିସିର ଧାରା ୩୦୭ (ହତ୍ୟା ପାଇଁ ଉଦ୍ୟମ), କ୍ରିମିନାଲ ଆମେଣ୍ଡମେଣ୍ଟ ଆକ୍ଟ ଓ ବେଆଇନ ଅସ୍ତ୍ର ନିରୋଧ ଆଇନର ବିଭିନ୍ନ ଧାରା ବଳରେ ଗିରଫ କରିସାରିଛି। ପୁଲିସର ଅନ୍ଧାଧୁନିଆ ଗିରଫକୁ ଏଡ଼ାଇବାକୁ ଯାଇ ଜଣେ ଗ୍ରାମବାସୀ ଛାତ ଉପରୁ ଖସି ପଡ଼ିବାରୁ ତାଙ୍କର ମେରୁଦଣ୍ଡ ଭାଙ୍ଗିଯାଇଛି। ସେ ଏବେ ବ୍ରହ୍ମପୁର ମେଡିକାଲ କଲେଜ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ନିଜ ଜମି, ଜଙ୍ଗଲ ଓ ପ୍ରକୃତିର ସୁରକ୍ଷା ଲାଗି କରୁଥିବା କାର୍ଯ୍ୟ ଭାରତୀୟ ଦଣ୍ଡବିଧି ସଂହିତା ବା ଆଇପିସିରେ ଏକ ଅପରାଧିକ କାର୍ଯ୍ୟ ନୁହେଁ ଯେ, ପୁଲିସ ଏଥିଲାଗି କାହାକୁ ଗିରଫ କରିବ। ଏହା ବାରମ୍ବାର ଦେଖାଯାଉଛି ଯେ, ସରକାରଙ୍କ ଦ୍ଵାରା ସ୍ଥାନୀୟ ପୁଲିସର ସହାୟତାରେ କୌଣସି ପ୍ରକଳ୍ପ ଅଞ୍ଚଳରେ ପ୍ରଥମେ ଉତ୍ତେଜନାତ୍ମକ ପରିସ୍ଥିତି ସୃଷ୍ଟି କରାଯାଉଛି। ସ୍ଥାନୀୟ ଗ୍ରାମବାସୀ ଏଥିରେ ଉତ୍ତେଜିତ ହୋଇ କିଛି ଦୁର୍ଘଟଣା କରିବା ପରେ ସେମାନଙ୍କୁ ଆଇପିସିର ବିଭିନ୍ନ ଧାରା ଯଥା ହତ୍ୟା ଉଦ୍ୟମ, ଡକାୟତି, ଦଙ୍ଗା, ନିଆଁ ଲଗାଇବା ତଥା କ୍ରିମିନାଲ ଆମେଣ୍ଡମେଣ୍ଟ ଆକ୍ଟ ଓ ବେଆଇନ ଅସ୍ତ୍ର ନିରୋଧ ଆଇନ ବଳରେ ଗିରଫ କରାଯାଉଛି। ରାଜ୍ୟ ସରକାରଙ୍କ ଏହି ସମାନ କୌଶଳ ଉଭୟ ନିୟମଗିରି ଅଞ୍ଚଳରେ କଲ୍ୟାଣସିଂପୁର ଥାନା ଘେରାଓ ସମୟରେ ଓ କାଶୀପୁରର ସିଜି ମାଳି ଅଞ୍ଚଳରେ ଘଟିଛି।

ସମାନ କୌଶଳ ରାଜ୍ୟ ସରକାର କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ ଅନ୍ତର୍ଗତ ମାଳିପର୍ବତ ଅଞ୍ଚଳରେ ଆପଣାଉଛନ୍ତି। ‘ମାଳିପର୍ବତ ସୁରକ୍ଷା ସମିତି’ରେ ଦୁଇ କର୍ମକର୍ତ୍ତା ଅଭି ସୋଡ଼ି ଓ ଦାସ ଖରା ଗଲା ୨୩ ଅଗଷ୍ଟ ୨୦୨୩ଠାରୁ ନିଖୋଜ ଥିଲେ। ସଦ୍ୟ ତଥ୍ୟ ଅନୁସାରେ ଦୀର୍ଘ ଚାରି ଦିନ ନିଖୋଜ ହେବା ପରେ ନିଜ ଗାଁରେ ଆସି ପହଞ୍ଚିଛନ୍ତି। ସେମାନଙ୍କୁ କେଉଁ ସ୍ଥାନରେ ରଖାଯାଇଥିଲା ଓ ଏପରି ଅପହରଣର କାରଣ କଣ ଥିଲା ତାହା ଏବେ ଅନୁସନ୍ଧାନର ବିଷୟ। ମାଳି ପର୍ବତ ଚାରିପାଖର ୪୨ ଖଣ୍ଡ ଗ୍ରାମ ଏବେ ବି ହିଣ୍ଡାଲକୋର ପ୍ରସ୍ତାବିତ ଖଣି ଖନନକୁ ବିରୋଧ କରୁଛନ୍ତି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବିଭାଗ ଦ୍ଵାରା ଅନୁଷ୍ଠିତ ଜନ ଶୁଣାଣି (ଅକ୍ଟୋବର ୨୦୨୨)କୁ ଓଡ଼ିଶା ହାଇକୋର୍ଟ ବାତିଲ କରି ପୁନଃ ଜନଶୁଣାଣି ଲାଗି ନିର୍ଦ୍ଦେଶ ଦେଇଥିଲେ। ଜାନୁଆରୀ ୨୦୨୩ରେ ଅନୁଷ୍ଠିତ ଜନ ଶୁଣାଣିରେ ଲୋକେ ନିଜର ବିରୋଧ ପ୍ରକାଶ କରିଛନ୍ତି। ସେବେଠାରୁ ହିଣ୍ଡାଲକୋ ନିଜର ଉଦ୍ୟମ ଜାରିରଖିଛି। ଅଭିଯୋଗ, ପ୍ରତିବାଦ ଓ ଦାବିପତ୍ର ସତ୍ତ୍ୱେ ରାଜ୍ୟ ସରକାର ହିଣ୍ଡାଲକୋ ଏଥିରୁ ନିବୃତ୍ତ କରୁନାହାନ୍ତି।

ସୁପ୍ରିମ କୋର୍ଟଙ୍କ ବେଦାନ୍ତ ପ୍ରକଳ୍ପ ବାତିଲ ନିର୍ଦ୍ଦେଶ (୨୦୧୩) ପରେ ରାଜ୍ୟ ସରକାର ଆଜି ପର୍ଯ୍ୟନ୍ତ ସ୍ଥାନୀୟ ଡଙ୍ଗରିଆ ଆଦିବାସୀଙ୍କୁ ନିୟମଗିରି ପାହାଡ଼କୁ କୌଣସି ବି କମ୍ପାନୀକୁ ଯେ ହସ୍ତାନ୍ତର ହେବ ନାହିଁ ସେଭଳି ଆଶ୍ଵାସନା ଦେଉନାହାନ୍ତି। କାଶୀପୁରର ସିଜିମାଳି କ୍ଷେତ୍ରରେ ମୈତ୍ରୀ କମ୍ପାନୀର କୌଣସି ଆଇନଗତ ଅନୁମତି ନଥାଇ ଅଞ୍ଚଳରେ ପ୍ରବେଶ କରିବାକୁ ରାଜ୍ୟ ସରକାର ପ୍ରଶ୍ନ କରୁନାହାନ୍ତି। କୋରାପୁଟର ମାଳି ପର୍ବତ କ୍ଷେତ୍ରରେ ଜିଲ୍ଲା ପ୍ରଶାସନର କମ୍ପାନୀ ସପକ୍ଷବାଦୀ ଭୂମିକାର କୌଣସି ସମୀକ୍ଷା ରାଜ୍ୟ ସରକାର କଲେ ନାହିଁ। ଓଡ଼ିଶା ସରକାର ଏକ ଗଣତାନ୍ତ୍ରିକ ପରିବେଶରେ ଯେ ରାଜ୍ୟର ବିକାଶ ଚାହୁଁଛନ୍ତି ତାହା ବିଶ୍ଵାସ କରାଯାଇନପାରେ। ସ୍ଥାନୀୟ ଲୋକେ ଏଭଳି ବିକାଶ ଚାହୁଁନଥିଲେ ବି ‘ବିକାଶ’ ସେମାନଙ୍କ ଦ୍ଵାର ଦେଶରେ ଆସି ହାଜର ହେଉଛି, କାରଣ, ସେମାନଙ୍କ ଜମି, ଜଙ୍ଗଲ ଓ ପାହାଡକୁ ଧ୍ଵଂସ କରିବା ସରକାରଙ୍କ ଉଦ୍ଦେଶ୍ୟ। ସରକାରଙ୍କ ଏଭଳି ଦମନମୂଳକ ବିକାଶ ନୀତିକୁ ଆମେ ‘ଗାସ’ ତରଫରୁ ଦୃଢ଼ ନିନ୍ଦା କରୁଛୁ। ଗିରଫ ଗ୍ରାମବାସୀଙ୍କ ମୁକ୍ତି ଓ ୟୁଏପିଏ କେସର ପ୍ରତ୍ୟାହାର ଲାଗି ରାଜ୍ୟ ସରକାରଙ୍କ ନିକଟରେ ‘ଗାସ’ ଦାବି କରୁଛି।

ଆମେ ସମସ୍ତ ରାଜନୈତିକ ଦଳ, ପ୍ରଗତିଶୀଳ ସଂଗଠନ, ଟ୍ରେଡ ଯୁନିଅନ, ଲେଖକ/ଲେଖିକା ତଥା ଗଣମାଧ୍ୟମ କର୍ମକର୍ତ୍ତାଙ୍କୁ ଅପିଲ କରୁଛୁ ଯେ, ଏହି ପୃଥିବୀକୁ ଅଧିକ ଧ୍ଵଂସରୁ ବଞ୍ଚାଇବା ଲାଗି ସେମାନେ ସରକାରଙ୍କ ଦମନମୂଳକ, ଅଗଣତାନ୍ତ୍ରିକ ଓ ଧ୍ଵଂସମୁଖୀ ବିକାଶ ନୀତିକୁ ବିରୋଧ କରନ୍ତୁ। ତେବେ ଏହି ପୃଥିବୀ ଅଧିକ ଦିନ ବଞ୍ଚିପାରିବ।

ଗୋଲକ ବିହାରୀ ନାଥ, ଦେବ ରଞ୍ଜନ

ମୋବାଇଲ - ୯୮୬୧୪୦୭୧୩୫, ୯୪୩୭୭୬୨୨୭୨

Related story