Advertisment

ଆଦିମ ଜନଜାତିଙ୍କ ନାମରେ ଠକାମି

ନିକଟରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଏହି ଆଦିମ ଜନଜାତିଙ୍କ ବିକାଶ ପାଇଁ ଗତ ୯ ବର୍ଷ ମଧ୍ୟରେ ୫୭୭୬.୦୯ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ତଥାପି ଏହି ଶ୍ରେଣୀର ଆଦିବାସୀମାନଙ୍କ ମାସିକ ଆୟ ଅତି ନିମ୍ନ ଅବସ୍ଥାରେ ରହିଛି। ପ୍ରାୟ ଏହି ଶ୍ରେଣୀର ୯୯ ଭାଗ ଲୋକଙ୍କ ମାସିକ ଆୟ ୧୦ ହଜାର ଟଙ୍କାରୁ କମ୍। ଏମାନଙ୍କ ଭିତରୁ ୯୦ ଭାଗରୁ ଊର୍ଦ୍ଧ୍ୱ ଲୋକଙ୍କ ଆୟ ମାସିକ ୫ ହଜାର ଟଙ୍କାରୁ କମ୍।

Primitive Vulnerable Tribe

Primitive Vulnerable Tribe

Advertisment

ରବି ଦାସ

ଓଡ଼ିଶାରେ ବିକାଶ ଧାରାରେ ସବୁଠାରୁ ସବୁ କ୍ଷେତ୍ରରେ ଅତି ପଛୁଆ ଶ୍ରେଣୀ ହେଉଛନ୍ତି ଆଦିମ ଜନଜାତିମାନେ। ଯେଉଁମାନେ କି ପିଭିଟିଜି (ବିଶେଷ ଭାବେ ଦୁର୍ବଳ ଆଦିବାସୀ ଗୋଷ୍ଠୀ) ଭାବରେ ଗଣା ହେଉଛନ୍ତି। ଏହିମାନେ ରାଜ୍ୟର ଯେଉଁ ଗାଁମାନଙ୍କରେ ଅଛନ୍ତି ସେମାନଙ୍କ ସଂଖ୍ୟା ୧୬୭୯। କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଏହି ଜନଜାତିର ବିକାଶ ପାଇଁ ସ୍ୱତନ୍ତ୍ର ଭାବରେ ଅର୍ଥ ବରାଦ କରୁଛନ୍ତି। ଓଡ଼ିଶାରେ ଯେତେ ବିକାଶ କାର୍ଯ୍ୟ ହୋଇଛି ଓ ଖଣି ଖାଦାନ କାର୍ଯ୍ୟ ହୋଇଛି ସେଥିରେ ଯେଉଁମାନେ ସବୁ ବାରମ୍ବାର ବିସ୍ଥାପିତ ହୋଇଛନ୍ତି ସେମାନଙ୍କ ଭିତରେ ଏହି ଶ୍ରେଣୀ ସବୁଠାରୁ ଅଧିକ।

Advertisment

ନିକଟରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଏହି ଆଦିମ ଜନଜାତିଙ୍କ ବିକାଶ ପାଇଁ ଗତ ୯ ବର୍ଷ ମଧ୍ୟରେ ୫୭୭୬.୦୯ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ତଥାପି ଏହି ଶ୍ରେଣୀର ଆଦିବାସୀମାନଙ୍କ ମାସିକ ଆୟ ଅତି ନିମ୍ନ ଅବସ୍ଥାରେ ରହିଛି। ପ୍ରାୟ ଏହି ଶ୍ରେଣୀର ୯୯ ଭାଗ ଲୋକଙ୍କ ମାସିକ ଆୟ ୧୦ ହଜାର ଟଙ୍କାରୁ କମ୍। ଏମାନଙ୍କ ଭିତରୁ ୯୦ ଭାଗରୁ ଊର୍ଦ୍ଧ୍ୱ ଲୋକଙ୍କ ଆୟ ମାସିକ ୫ ହଜାର ଟଙ୍କାରୁ କମ୍। କିନ୍ତୁ ଏମାନଙ୍କ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ସତ୍ତ୍ୱେ ଓ ସେଥିରେ କୋଟି କୋଟି ଟଙ୍କା ଖର୍ଚ୍ଚ ସତ୍ତ୍ୱେ ସେମାନଙ୍କ ଅବସ୍ଥାର ବିଶେଷ ପରିବର୍ତ୍ତନ ହେଉନାହିଁ।

ଓଡ଼ିଶାରେ ଆଦିମ ଜନଜାତିମାନଙ୍କ ଅବସ୍ଥା ଯେଉଁ ସ୍ତରରେ ରହିଛି ସେ ସଂକ୍ରାନ୍ତରେ ରାୟଗଡ଼ା ଜିଲ୍ଲାର ଡଙ୍ଗରିଆ କନ୍ଧମାନଙ୍କ ସଂପର୍କରେ ‘ଦି ହିନ୍ଦୁ’ରେ ପ୍ରକାଶିତ ଏକ ରିପୋର୍ଟରୁ ପରିଷ୍କାର ହୋଇଯାଇଛି। ଯେଉଁ ଡଙ୍ଗରିଆ କନ୍ଧମାନେ ନିୟମଗିରିରେ ବେଦାନ୍ତର ବକ୍ସାଇଟ୍ ଖଣିକୁ ବିରୋଧ କରିଥିଲେ ଓ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଫଳରେ ୧୨ଟି ଗ୍ରାମସଭାରେ ଯେଉଁ ଲୋକମାନେ ବେଦାନ୍ତ ପ୍ରକଳ୍ପ ବନ୍ଦ ପାଇଁ ସର୍ବସମ୍ମତ ମତ ଦେଇଥିଲେ ସେମାନଙ୍କ ଭିତରେ ପ୍ରବଳ ସଚେତନତା ସତ୍ତ୍ୱେ ବିକାଶ ଧାରା ସେମାନଙ୍କୁ ଛୁଇଁ ପାରୁନାହିଁ। ଏହି ଡଙ୍ଗରିଆ କନ୍ଧମାନଙ୍କ ଚଳଣି ଓ ସ୍ୱତନ୍ତ୍ର ଜୀବନ ପ୍ରଣାଳୀ ଯୋଗୁ କେନ୍ଦ୍ର ସରକାର ସେମାନଙ୍କୁ ପିଭିଟିଜି ଭାବରେ ଘୋଷିତ କରିଛନ୍ତି। ସେମାନଙ୍କ ଆର୍ଥିକ ଅବସ୍ଥା ଅତ୍ୟନ୍ତ ଦୁର୍ବଳ। ୨୦୧୩ରେ ସେମାନେ ଏକ ବଡ଼ ଆନ୍ଦୋଳନ ଜରିଆରେ ବେଦାନ୍ତ ବିରୋଧରେ ବିଜୟ ହାସଲ କରିଥିଲେ ମଧ୍ୟ ସେମାନଙ୍କ ବିକାଶ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଯେତେ ଅର୍ଥ ଖର୍ଚ୍ଚ କରୁଛନ୍ତି ବୋଲି ଦାବି କରୁଛନ୍ତି ତାହା ସେମାନଙ୍କ ପାଖରେ ପହଂଚି ପାରୁନାହିଁ। ସେମାନଙ୍କ ପାଇଁ ବଡ଼ ସମସ୍ୟା ହେଉଛି ଶିକ୍ଷା। ସେମାନେ ରହୁଥିବା ଗାଁଗୁଡ଼ିକରେ ମାତ୍ର କେତୋଟି ଲେଖାଏଁ ଘର ଥିବାରୁ ସେହିସବୁ ଅଞ୍ଚଳରେ ପିଲାମାନଙ୍କ ପାଇଁ ବିଦ୍ୟାଳୟ ପ୍ରତିଷ୍ଠା ଠିକ୍ ଭାବରେ କରାଯାଉନାହିଁ। ସରକାର ୪/୫ଟି ଗାଁକୁ ନେଇ ଯେଉଁ ବିଦ୍ୟାଳୟ ସ୍ଥାପନ କରୁଛନ୍ତି ସେହି ସ୍କୁଲକୁ ଯିବା ପାଇଁ ଗୋଟିଏ ଗୋଟିଏ ଗାଁର ପିଲାଙ୍କୁ ୩ କିମି ପର୍ଯ୍ୟନ୍ତ ଯିବାକୁ ପଡୁଛି। ପାହାଡ଼-ପର୍ବତ ଓ ଜଙ୍ଗଲ ଘେରା ଅଞ୍ଚଳରେ ୩ କିମି ଯାତ୍ରା କରି ବିଦ୍ୟାଳୟକୁ ଯିବା ସମ୍ଭବ ହେଉନାହିଁ।

Advertisment

ସରକାରୀ ତଥ୍ୟରେ କୁହାଯାଉଛି ଯେ ସ୍କୁଲରେ ନାମ ଲେଖା ବଢ଼ିଯାଇଛି। କିନ୍ତୁ ବାସ୍ତବତା ସଂପୂର୍ଣ୍ଣ ଭିନ୍ନ। ଯେଉଁମାନେ ପ୍ରଥମ ଅବସ୍ଥାରେ ନାମ ଲେଖାଉଛନ୍ତି ସେମାନେ ପ୍ରତିଦିନ ସ୍କୁଲକୁ ଯିବା ସମ୍ଭବ ହେଉନାହିଁ। ସ୍କୁଲ ଯିବା ବାଟରେ ନାଳ ଓ ଜଙ୍ଗଲ ହେତୁ ବନ୍ୟଜନ୍ତୁର ଭୟ ମଧ୍ୟ ରହୁଥିବାରୁ ସେମାନେ ସ୍କୁଲକୁ ଯିବା ବଦଳରେ ଘରେ ବାପା-ମା’ଙ୍କୁ ସାହାଯ୍ୟ କରୁଛନ୍ତି। ଶିକ୍ଷା ପାଇଲେ ସେମାନଙ୍କ ଭାଗ୍ୟ ଓ ଅବସ୍ଥାରେ ପରିବର୍ତ୍ତନ ଘଟିବ ବୋଲି ସେମାନେ ଭାବିପାରୁ ନାହାନ୍ତି। ଯଦିଓ ଏହି ପିଲାମାନଙ୍କ ପାଖରେ ସ୍ମାର୍ଟଫୋନ୍ ରହିଛି ଓ ସ୍ମାର୍ଟଫୋନରୁ ସେମାନେ ୟୁଟ୍ୟୁବ୍ ଜରିଆରେ ଯେଉଁ ଜ୍ଞାନ ବା ଧାରଣା ପାଉଛନ୍ତି ତାହା ସେମାନଙ୍କ ପାଇଁ ଯଥେଷ୍ଟ ବୋଲି ଭାବୁଛନ୍ତି। ସ୍କୁଲକୁ ଯିବା ଅପେକ୍ଷା ଘରେ ଛେଳି ରକ୍ଷଣାବେକ୍ଷଣ ସହିତ ଜାଳେଣି କାଠ ସଂଗ୍ରହ କରି ସେମାନେ ସମୟ କଟେଇବାକୁ ଭଲ ମନେ କରୁଛନ୍ତି।

ଅସଲକଥା ହେଉଛି ଏମାନଙ୍କ ନିକଟରେ ଶିକ୍ଷା ପହଂଚିବା ପାଇଁ ସରକାରଙ୍କ ପକ୍ଷରୁ ଯେଉଁ ବ୍ୟବସ୍ଥା ହେବା କଥା ତାହା ଏ ପର୍ଯ୍ୟନ୍ତ କରାଯାଇପାରୁ ନାହିଁ। ଏମାନେ ସ୍କୁଲକୁ ଗଲେ ମଧ୍ୟ ଯେଉଁ ଭାଷାରେ ଓ ଯେପରି ଭାବରେ ସେମାନଙ୍କୁ ପଢ଼ାଯାଉଛି ସେଥିରେ ତାହା ସେମାନଙ୍କ ଭିତରେ ଆଗ୍ରହ ସୃଷ୍ଟି କରୁନାହିଁ। ଘରେ ସେମାନେ ଗୋଟିଏ ଭାଷାରେ କଥାବାର୍ତ୍ତା କରୁଥିବା ବେଳେ ସ୍କୁଲର ପାଠପଢ଼ା ଭିନ୍ନ ଭାଷାରେ ହେଉଥିବା ସେମାନେ ଅନୁଭବ କରୁଛନ୍ତି। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଦିବାସୀ ଅଞ୍ଚଳର ଆଶ୍ରମ ବିଦ୍ୟାଳୟଗୁଡ଼ିକରେ ଛାତ୍ରଛାତ୍ରୀମାନଙ୍କୁ ରଖି ସେମାନଙ୍କ ସୁବିଧା ବୁଝି ପାଠପଢ଼ାର ଯେଉଁ ବ୍ୟବସ୍ଥା କରାଯାଇଛି ସେଥିରେ ଏହି ଆଦିମ ଜନଜାତିର ପିଲାମାନେ ପ୍ରଭାବିତ ହେଉନାହାନ୍ତି। କାରଣ ଏହିସବୁ ଆଶ୍ରମ ବିଦ୍ୟାଳୟମାନଙ୍କରେ ଯେଉଁମାନେ ୱାର୍ଡନ ଭାବେ ରହିଛନ୍ତି ଓ ଆଶ୍ରମର ଅନ୍ତେବାସୀମାନଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ ସହିତ ସହାୟତା ପାଇଁ ଯେଉଁମାନେ ଅଛନ୍ତି ସେମାନେ କେବଳ ଚାକିରି ଲୋଭରେ ଏହି କାର୍ଯ୍ୟ କରୁଛନ୍ତି। ଏହି ପିଲାମାନଙ୍କୁ ଅପଣାଇ ନେବା ପାଇଁ ଓ ସେମାନଙ୍କ ସବୁକଥା ବୁଝିବା ପାଇଁ ସେମାନେ ପ୍ରସ୍ତୁତ ନୁହନ୍ତି।

ତେଣୁ ଯେଉଁ ଛାତ୍ରଛାତ୍ରୀ ଏହି ଆଶ୍ରମ ବିଦ୍ୟାଳୟଗୁଡ଼ିକରେ ପ୍ରଥମ ଅବସ୍ଥାରେ ନାମ ଲେଖାଇ ରହୁଛନ୍ତି ସେମାନେ ଛୁଟି ସମୟରେ ଘରକୁ ଆସିଲେ ଆଉ ଯିବାକୁ ମନ ବଳଉ ନାହାନ୍ତି। ସେଥିପାଇଁ ଅନେକ ପିତା-ମାତା ଏହି ଛୋଟ ଛୋଟ ଶିଶୁମାନଙ୍କୁ ଆଶ୍ରମ ବିଦ୍ୟାଳୟକୁ ପଠାଇବା ପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି। ବିଶେଷ ଭାବରେ ଆଦିମ ଜନଜାତିର ପିଲାମାନେ ଏହାଦ୍ୱାରା ଅଧିକ କ୍ଷତିଗ୍ରସ୍ତ ହେଉଛନ୍ତି। ତେଣୁ ଗୋଟିଏ ବା ଦୁଇଟି ବର୍ଷ ପଢ଼ିବା ପରେ ସେମାନେ ପାଠପଢ଼ା ଛାଡ଼ି ଗାଁରେ ରହିବାକୁ ପସନ୍ଦ କରୁଛନ୍ତି। ସେମାନେ ଗାଁରେ ଯେଉଁ କାମ କରି ଜୀବନ କଟାଉଛନ୍ତି ସେଥିରେ ଶିକ୍ଷା ସେମାନଙ୍କ ପାଇଁ ସହାୟକ ହେବ ବୋଲି ଭାବିପାରୁ ନାହାନ୍ତି। କେନ୍ଦ୍ର ସରକାର ୫ମ ପଞ୍ଚବାର୍ଷିକ ଯୋଜନାରେ ଅର୍ଥାତ୍ ୧୯୭୪ରୁ ୧୯୭୮ ଭିତରେ ଏହି ଆଦିମ ଜନଜାତିଙ୍କ ପାଇଁ କାମ କରିବା ଦିଗରେ ଯୋଜନା ପ୍ରଣୟନ ଆରମ୍ଭ କରିଥିଲେ। ଦି ହିନ୍ଦୁରେ ପ୍ରକାଶିତ ରିପୋର୍ଟ ଅନୁସାରେ ୧୯୭୮-୭୯ ମସିହାରୁ ଡଙ୍ଗରିଆ କନ୍ଧ ବିକାଶ ଏଜେନ୍ସି ନାମରେ ଗୋଟିଏ ସଂସ୍ଥା କାମ କରୁଛି। ପ୍ରାୟ ୭ ହଜାର ଏହି କନ୍ଧମାନେ ୧୬୫୦ଟି ପରିବାର ୬୪ଟି ଗାଁରେ ଅଛନ୍ତି। କିନ୍ତୁ ଦୀର୍ଘ ୪୬ ବର୍ଷ ଧରି ଡଙ୍ଗରିଆ କନ୍ଧ ବିକାଶ ଏଜେନ୍ସି କାମ କରୁଥିଲେ ମଧ୍ୟ ସେମାନଙ୍କ ଭିତରେ ସାକ୍ଷରତା ହାର ମାତ୍ର ଶତକଡ଼ା ୭.୪ ରହିଛି। ମହିଳାମାନଙ୍କ କ୍ଷେତ୍ରରେ ଏହି ହାର ଶତକଡ଼ା ୬.୬୭। ଆଶ୍ଚର୍ଯ୍ୟର କଥା ଏହି ଆଦିମ ଜନଜାତିଙ୍କ ଭିତରେ ଲିଙ୍ଗଗତ ଅନୁପାତ ବିକଶିତ ଅଞ୍ଚଳଠାରୁ ଯଥେଷ୍ଟ ଭଲ। ସେଠାରେ ପ୍ରତି ୧୦୦୦ ପୁରୁଷରେ ୧୩୪୯ ଜଣ ମହିଳା ଅଛନ୍ତି। ଏହି ତଥ୍ୟ ୨୦୧୯ରେ ହୋଇଥିବା ସର୍ଭେରୁ ଜଣାପଡିଛି।

ଦୁଃସ୍ଥ ଆର୍ଥିକ ସ୍ଥିତି ସହିତ ଶିକ୍ଷା କ୍ଷେତ୍ରରେ ଆଦିମ ଜନଜାତି ସଂପ୍ରଦାୟଙ୍କ ଅଗ୍ରଗତି ଅତ୍ୟନ୍ତ ନୈରାଶ୍ୟଜନକ। ସେହିସବୁ ଅଞ୍ଚଳରେ ଶିକ୍ଷା ପାଇଁ ଓ ଏହି ଜନଜାତିମାନଙ୍କ ଆର୍ଥିକ ବିକାଶ ପାଇଁ ଯେଉଁ ଅର୍ଥ ଖର୍ଚ୍ଚ ହେଉଛି ତାହା ଯଦି ଏହି ସଂପ୍ରଦାୟ ଭିତରେ ବଂଟା ଯାଇଥାନ୍ତା ହୁଏତ ସେମାନଙ୍କ ଅବସ୍ଥାରେ ଅନେକ ପରିବର୍ତ୍ତନ ହୋଇଥାନ୍ତା। ଏହିମାନଙ୍କୁ ଯଦି ଶିକ୍ଷାରେ ଆଗକୁ ଆଣି ମୁଖ୍ୟ ସ୍ରୋତରେ ସାମିଲ କରାନଯାଏ ତେବେ ସେମାନଙ୍କ ଦୟନୀୟ ସ୍ଥିତିରେ ପରିବର୍ତ୍ତନ ହେବ ନାହିଁ। ଶିକ୍ଷା ପ୍ରବେଶ କଲେ ହୁଏତ ସେମାନେ ସରକାର ଯେଉଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ତା’ର ହିସାବ ସେମାନେ ଅଧିକାରୀଙ୍କୁ ମାଗିପାରନ୍ତେ। ସାଧାରଣ ବିଦ୍ୟାଳୟମାନଙ୍କରେ ଯେଉଁ ଢାଞ୍ଚାରେ ୧୦ଟାରୁ ୪ଟା ପର୍ଯ୍ୟନ୍ତ ପାଠ ପଢ଼ା ହେଉଛି ସେହି ବ୍ୟବସ୍ଥା ହୁଏତ ସେଠାରେ କାର୍ଯ୍ୟକାରୀ କଲେ ଶିକ୍ଷାର ପ୍ରସାର ସହଜରେ ହେବନାହିଁ। ସେମାନେ ଘରେ ବା ଗାଁରେ ଯେଉଁ ଭାଷାରେ କଥାବାର୍ତ୍ତା କରୁଛନ୍ତି ତାହାକୁ ଯେଉଁ ଭାଷାରେ ପଢ଼ାଯାଉଛି ତାହା ସହିତ ଯୋଡ଼ିବା ପାଇଁ ସ୍ୱତନ୍ତ୍ର ଅଭିଧାନ ଆବଶ୍ୟକ। ଯେଉଁ ଶିକ୍ଷକମାନେ ଏହାକୁ ଭଲ ଭାବରେ ଜାଣି ନାହାନ୍ତି ବା ଅଧ୍ୟୟନ କରିନାହାନ୍ତି ସେମାନଙ୍କୁ ସେହିସବୁ ସ୍କୁଲରେ ଆଦୌ ନିଯୁକ୍ତି ଦେବା ଉଚିତ୍ ନୁହେଁ। ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଶିକ୍ଷା ସେମାନଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏମାନଙ୍କ ପାଠ ପଢ଼ିବା ପାଇଁ ଯେତେ ପ୍ରକାର ବୃତ୍ତି ଓ ସୁବିଧା ଅଛି ସେ ସଂକ୍ରାନ୍ତରେ ସେମାନଙ୍କ ଧାରଣା ବଢ଼ିବା ପାଇଁ ଶିକ୍ଷକମାନଙ୍କୁ ଏକ ଗୁରୁ ଦାୟିତ୍ୱ ନେବାକୁ ପଡ଼ିବ। ଯେପରି ଆଶ୍ରମ ବିଦ୍ୟାଳୟଗୁଡ଼ିକରେ ୱାର୍ଡନ ଓ ରୋଷେଇ କରିବା ପାଇଁ ଥିବା ସହାୟକମାନଙ୍କ ଅଙ୍ଗୀକାରବଦ୍ଧତା ଆବଶ୍ୟକ।

ରାଜ୍ୟ ସରକାର ଏବେ ଛାତ୍ରଛାତ୍ରୀଙ୍କ ଭିତରେ ଅଧାରୁ ପାଠ ଛାଡୁଥିବା ସଂଖ୍ୟା ଗଣିବା ପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି। ସ୍କୁଲ ପାଠ ଶେଷ ପୂର୍ବରୁ ପ୍ରାୟ ୩୦ ଭାଗ ଆଦିବାସୀ ଛାତ୍ରଛାତ୍ରୀ ପାଠ ଛାଡୁଥିବା ୨୦୨୩-୨୪ ଅର୍ଥନୈତିକ ସର୍ଭେରେ କୁହାଯାଇଛି। ଛାତ୍ରମାନଙ୍କ କ୍ଷେତ୍ରରେ ଅଧାରୁ ପାଠ ଛାଡୁଥିବା ପିଲାଙ୍କ ସଂଖ୍ୟା ଛାତ୍ରୀମାନଙ୍କ ତୁଳନାରେ ଅଧିକ। ବର୍ତ୍ତମାନର ରାଜ୍ୟ ସରକାର ମାଧୋ ସିଂହ ହାତ ଖର୍ଚ୍ଚ ନାମରେ ଯେଉଁ ଛାତ୍ରଛାତ୍ରୀ ଅଷ୍ଟମ ଓ ଦଶମ ପାଶ୍ କରି ଯଥାକ୍ରମେ ନବମ ଓ ଏକାଦଶ ଶ୍ରେଣୀରେ ନାମ ଲେଖାଇବେ ସେମାନଙ୍କୁ ବାର୍ଷିକ ୫ ହଜାର ଟଙ୍କା ଭତ୍ତା ଦିଆଯିବ ବୋଲି ଘୋଷଣା କରିଛନ୍ତି। କିନ୍ତୁ ଆଦିମ ଜନଜାତିଙ୍କ ପାଇଁ ଅସଲ ସମସ୍ୟା ହେଉଛି ପ୍ରାଥମିକ ଶ୍ରେଣୀ ଅତିକ୍ରମ କରି ଉଚ୍ଚ ପ୍ରାଥମିକ ଶ୍ରେଣୀକୁ ଆସିବା। ଅନ୍ୟ ଆଦିବାସୀଙ୍କ କ୍ଷେତ୍ରରେ ମାଧୋ ସିଂହ ହାତ ଖର୍ଚ୍ଚ କିଛିମାତ୍ରାରେ ଫଳପ୍ରଦ ହେଲେ ମଧ୍ୟ ଆଦିମ ଜନଜାତି ବର୍ଗଙ୍କ ପାଇଁ ଯେଉଁମାନେ କି ଅଧିକାଂଶ ଚତୁର୍ଥ ଶ୍ରେଣୀ ପୂର୍ବରୁ ପାଠପଢ଼ା ଛାଡ଼ି ରହିଯାଉଛନ୍ତି ସେମାନଙ୍କ ପାଇଁ ଫଳପ୍ରଦ ହେବନାହିଁ। ସେମାନଙ୍କ ପାଇଁ ସ୍ୱତନ୍ତ୍ର ଭାବରେ ନୂଆ ପଦ୍ଧତିରେ ଶିକ୍ଷା ବ୍ୟବସ୍ଥା କରାଯିବା ଦରକାର। ଏଥିପାଇଁ ରାଜ୍ୟରେ ଏନଜିଓମାନଙ୍କ ସହଯୋଗ ନେଇ ସେମାନଙ୍କୁ କିଛି କିଛି ଗ୍ରାମ ବାଣ୍ଟି ଦାୟିତ୍ୱ ଦିଆଗଲେ ହୁଏତ ସେମାନଙ୍କ ଉଦ୍ୟମରେ ଆଦିମ ଜନଜାତିର ଶିଶୁମାନେ ପ୍ରାଥମିକ ଶ୍ରେଣୀ ଅତିକ୍ରମ କରି ଉଚ୍ଚ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷାକୁ ପ୍ରବେଶ କରିବା ପାଇଁ ସୁଯୋଗ ସୃଷ୍ଟି ହେବ। ଯେଉଁ ଆଦିମ ଜନଜାତି ବର୍ଗ ରାଜ୍ୟର ବିକାଶରେ ତ୍ୟାଗ କରୁଛନ୍ତି ଓ ରାଜ୍ୟର ବିସ୍ତୃତ ଖଣିଜ ସଂପଦ ଓ ଜଙ୍ଗଲ ସଂପଦର ରକ୍ଷକ ଭାବରେ କାମ କରୁଛନ୍ତି ସେମାନଙ୍କ ନାମରେ ବିକାଶ ପାଇଁ କେବଳ ବ୍ୟୟବରାଦ କରିଦେଲେ କିଛି ଲାଭ ହେବ ନାହିଁ। ବରଂ ଏହି ବିପୁଳ ଅର୍ଥରାଶି ସେହି ପରିଚାଳନା ବର୍ଗ ଗୋଷ୍ଠୀ ହାତକୁ ସହଜରେ ଚାଲିଯିବ।

ବରିଷ୍ଠ ସାମ୍ବାଦିକ, ମୋ-୮୦୧୮୦୯୪୪୫୫

Tribal Issues Odisha Tribes Dongaria Kandha Life Style Niyamgiri Hills
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe