ମଧୁଲିତା ପରିଡ଼ା
ଆମ ରାଜ୍ୟରେ ଲୋକଙ୍କୁ ଭଣ୍ଡେଇବା ପାଇଁ ବହୁତ ମାର୍ଗ ଅଛି। କିଏ ଜ୍ୟୋତିଷ ବିଦ୍ୟା କରୁଛି ତ କିଏ ଜାତକ ବିଚାର କରୁଛି। ଆଉ କିଏ ନିଜର ଆଧିପତ୍ୟ ବିସ୍ତାର ପାଇଁ ନିଜ ପାଖରେ ଥିବା ଲୋକଙ୍କୁ ଲଗାଇ ହୁକୁମ ଦେଉଛନ୍ତି। ସେ ଭବିଷ୍ୟତ କଥା ସତ କହନ୍ତୁ ବା ମିଛ, ଲୋକେ କିନ୍ତୁ ତାଙ୍କୁ ବିଶ୍ୱାସ କରନ୍ତି, ଓ ପରେ ଠକି ଯାଆନ୍ତି। ପ୍ରାୟ ଲୋକମାନେ ଚାହାନ୍ତି ଆମେ କିଛି ବାବା ବା ସାଧୁଙ୍କ ପାଖକୁ ଯାଇ ନିଜକୁ ପ୍ରତିଷ୍ଠିତ କରିବାର ପଥ ସହଜରେ ପାଇଯିବା। ଆମେ ଭଲ କାମ କରୁ ବା ନକରୁ। ଏଭଳି ଚିନ୍ତାଧାରାର ଲୋକଙ୍କ ସଂଖ୍ୟା ବେଶ ଅଧିକ ଆମ ସମାଜରେ। ତେଣୁ ଲୋକଙ୍କୁ ଭୂଆଁ ବୁଲାଇବା ଏଇ ପ୍ରକାର ଲୋକଙ୍କ ପାଇଁ ସହଜ ହୋଇଥାଏ।
ଗତ କିଛି ବର୍ଷ ତଳେ ରାଜ୍ୟର ଏହିପରି କିଛି ଆଶ୍ରମରେ ଯାଞ୍ଚ ପାଇଁ ଚଢ଼ାଉ କରାଯାଇଥିଲା। ସେସବୁ ଆଶ୍ରମରେ ଥିବା ମୁଖ୍ୟ ସାଧୁଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କ ପାଖରୁ ବହୁ ପରିମାଣରେ ଧନ ଜବତ କରାଯାଇଥିଲା। ସମସ୍ତଙ୍କ ମନରେ ଥିଲା ଏମାନେ ଏତେ କମ ସମୟରେ ଆଶ୍ରମ କରି ଏତେ ପରିମାଣରେ ଧନ ଉପାର୍ଜନ କେମିତି କଲେ?
ଏହା ବହୁତ ସହଜ କଥା। ଏପରି ଲୋକମାନେ ଆଶ୍ରମ କରି ରାଜନୈତିକ ଲୋକଙ୍କୁ ଆପଣାଇଥାନ୍ତି ଯଦ୍ୱାରା କି ସେମାନଙ୍କୁ ସୁବିଧା ହୋଇଥାଏ କିଛି ଅସାମାଜିକ କାର୍ଯ୍ୟ କରିବା ପାଇଁ। ଏହା ଦ୍ୱାରା ସେମାନେ ବ୍ୟଭିଚାର ଓ ଭ୍ରଷ୍ଟାଚାର କରିବାର ସୁଯୋଗ ନେଇପାରନ୍ତି। କିଛି କିଛି ସ୍ଥାନରେ ଏମାନଙ୍କ ମାଧ୍ୟମରେ ଗଞ୍ଜେଇ ଓ ବ୍ରାଉନ ସୁଗାର ଭଳି ନିଶା ଦ୍ରବ୍ୟର କାରବାର ମଧ୍ୟ ଚାଲିଥାଏ। ଏସବୁ ଜଣାପଡ଼ିଲା ପରେ ଜଣେ ସାଧାରଣ ଲୋକଙ୍କ ପାଇଁ ଅତ୍ୟନ୍ତ ଘୃଣ୍ୟ ସ୍ଥାନ ପାଲଟି ଥାଏ ଆଶ୍ରମ। କିନ୍ତୁ ତା ପୂର୍ବରୁ ସାଧାରଣ ଲୋକଙ୍କ ପାଇଁ ଏପରି ଆଶ୍ରମ ସବୁ ହୋଇଥାଏ ପବିତ୍ର ଧାମ। ଆଶ୍ରମ ନାଁଟି ଶୁଣିବାକୁ ବହୁତ ସୁନ୍ଦର ଲାଗିଥାଏ। କିନ୍ତୁ ଆଶ୍ରମ ଭିତରେ ଚାଲୁଥିବା ଘୃଣ୍ୟ କାର୍ଯ୍ୟ ଦେଖିଲେ ବା ସେ ବିଷୟରେ ଶୁଣିଲେ ବହୁତ ଖରାପ ଲାଗେ। ଆଗ କାଳରେ ମହା ମନିଷୀମାନେ ଆଶ୍ରମରେ ରହି ସମାଜରେ ସକାରାତ୍ମକ ଭାବନା ପ୍ରସାରଣ କରୁଥିଲେ। ସେମାନଙ୍କ ମନରେ ନକରାତ୍ମକ ଭାବନା ନଥିଲା। କିନ୍ତୁ ବର୍ତ୍ତମାନ ଏପରି ସବୁ ଆଶ୍ରମ ଅତି ନକାରାତ୍ମକ ପରିବେଶ ସୃଷ୍ଟି କରୁଛନ୍ତି। ଏଥିପାଇଁ କିଏ ଦାୟୀ? ଆଶ୍ରମ କରୁଥିବା ସାଧୁ ନା ରାଜନୈତିକ ଲୋକ?
ରାଜନୀତି କରିବା ହେଉଛି ଗୋଟେ ସେବା ମନୋଭାବର କାମ। ବର୍ତ୍ତମାନ ସମୟରେ ରାଜନୀତିର ସଂଜ୍ଞା ବଦଳିଯାଇଛି। ଏହା ସମାଜ ପାଇଁ କେବଳ ରୋଜଗାରର ମାଧ୍ୟମ ପାଲଟିଛି। ଅସାଧୁ ଉପାୟରେ ଅର୍ଥ ଉପାର୍ଜନ କରିବାର ମାଧ୍ୟମ ହୋଇଯାଇଛି ରାଜନୀତି। ଯାହା ଦ୍ୱାରା ଆମ ରାଷ୍ଟ୍ର ଓ ଆମ ରାଜ୍ୟ ଆସ୍ତେ ଆସ୍ତେ ତଳକୁ ତଳ ଚାଲିଯାଉଛି। କିଛି ନେତା ମନ୍ତ୍ରୀଙ୍କ ପାଇଁ ଆମ ଆଶ୍ରମର ସଂଜ୍ଞା ବଦଳିଯାଇଛି। ଆଶ୍ରମକୁ କଳଙ୍କିତ କରାଯାଉଛି। ସତ ମାର୍ଗ ପରିବର୍ତ୍ତେ ଅସତ୍ ମାର୍ଗକୁ ଗୁରୁତ୍ୱ ଦିଆଯାଉଛି। ରାଜ୍ୟରେ ରାଜନେତାମାନେ ଆଶ୍ରମକୁ ଟଙ୍କା ଦେଇ ନାଁ ଓ ଭୋଟ କମେଇବାକୁ ଚେଷ୍ଟା କରନ୍ତି। ହାତରେ ମେଞ୍ଚେ ମେଞ୍ଚେ ପଥର ମୁଦି ଲଗାଇ ଶାସନ କରନ୍ତି। କିନ୍ତୁ ପ୍ରାଥମିକ କାର୍ଯ୍ୟକୁ ଭୁଲି ଯାଇଥାନ୍ତି। ଯାହା ଭୋଟ ଭିକ୍ଷା ବେଳେ ପ୍ରତିଶ୍ରୁତି ଦେଇଥାନ୍ତି ତାକୁ ଭୁଲି ଯାଇଥାନ୍ତି। ସେବା କ’ଣ ସଂପୂର୍ଣ ଭାବେ ପାଶୋରୀ ଯାଇଥାନ୍ତି। ଏହି ଭଣ୍ଡ ଲୋକଙ୍କ ପାଖକୁ ଯାଇ କୁକାର୍ଯ୍ୟରେ ଲିପ୍ତ ହୋଇଥାନ୍ତି। ପରୋକ୍ଷରେ ବା ପ୍ରତ୍ୟକ୍ଷରେ ଏମାନଙ୍କୁ ସାହାଯ୍ୟର ହାତ ବଢ଼ାଇଥାନ୍ତି, ସେମାନଙ୍କୁ ଶାସକୀୟ ସୁରକ୍ଷା ଦେଇଥାନ୍ତି।
ଗତ କିଛି ବର୍ଷ ତଳେ କେନ୍ଦ୍ରାପଡ଼ାରେ ସାରଥୀ ବାବାଙ୍କର ଆଶ୍ରମ ହୋଇଥିଲା। ସେହି ଆଶ୍ରମକୁ ସ୍ଥାନୀୟ ରାଜନେତାମାନଙ୍କର ଯିବା ଆସିବା ଲାଗି ରହୁଥିଲା। ଯଦ୍ୱାରା କି ସେଠି ବ୍ୟଭିଚାର ଭ୍ରଷ୍ଟାଚର ଚାଲୁଥିଲେ ମଧ୍ୟ କେହି ପାଟି ଖୋଲିପାରି ନଥିଲେ। କାରଣ ସେହି ସ୍ଥାନକୁ ସବୁ ପ୍ରକାର ସୁରକ୍ଷା ମିଳୁଥିଲା। ତେଣୁ ସେଠି ବାବା ସାରଥୀଙ୍କୁ ଭଗବାନ ସଦୃଶ ଲୋକେ ପୂଜା କରୁଥିଲେ। ସେମିତି ରାଜଧାନୀ ଉପକଣ୍ଠ ଝିଣ୍ଟି ଶାସନରେ ସୁର ବାବାଙ୍କର ପ୍ରାଦୁର୍ଭାବ ରହିଥିଲା। ନେତା, ମନ୍ତ୍ରୀ, ଅଫିସରଙ୍କ ସୁରକ୍ଷା ବଳୟ ଭିତରେ ଥିଲା ଝିଣ୍ଟି ଆଶ୍ରମ।
ବର୍ତ୍ତମାନ ବୋଲଗଡ଼ ବେଗୁନିଆ ଅଞ୍ଚଳରେ ମାନସ ଦାସ ନାମକ ବ୍ୟକ୍ତିଙ୍କୁ ଠାବ କରାଯାଇଛି। ସେ ନିଜ ଅଞ୍ଚଳରେ ନିଜ ଇଚ୍ଛା ଅନୁସାରେ ରାଜ ଚଳାଇଛନ୍ତି। କାହାରିକୁ ଡର ନଥାଏ। ବଡ଼ ବଡ଼ ନେତାଙ୍କର ମୁଖରୁ ତାଙ୍କ ପ୍ରତି ଗୁରୁଜୀ ଶବ୍ଦ ବାହାରିଥାଏ। ଯିଏ ଅନ୍ୟାୟ ଅତ୍ୟାଚାର କରନ୍ତି ସେ କି ପ୍ରକାର ଗୁରୁଜୀ? ପ୍ରଶାନ୍ତ ନନ୍ଦ, ପ୍ରସନ୍ନ ପାଟଶାଣୀ, ସୁଶାନ୍ତ ରାଉତ, ପ୍ରିୟଦର୍ଶୀ ମିଶ୍ର ଏମିତି ଏନେକ ନେତା ମନ୍ତ୍ରୀ ମାନସ ଦାସଙ୍କୁ ଗୁରୁଜୀ ସମ୍ବୋଧନ କରି ପାଦ ଛୁଇଁ ପ୍ରଣିପାତ କରନ୍ତି। ସେ କ’ଣ ଭଗବାନ? ଏପରି ଅସାଧୁ ଭଣ୍ଡ ଲୋକଙ୍କୁ ସମ୍ମାନ ଦେବା କେତେ ଯୁକ୍ତିଯୁକ୍ତ ଜଣେ ନେତା ପାଇଁ?
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।