ଓଡ଼ିଆ ଜାତିକୁ ମାନସିକ ଦାରିଦ୍ର୍ୟରୁ ଉଦ୍ଧାର କରିବାର ବାଟ କ’ଣ ମାଗଣା ଚାଉଳ?

ପଞ୍ଚାନନ କାନୁନ୍‌ଗୋ ଏ ମଧ୍ୟରେ ଭାରତ ସରକାର ଦେଶରେ ପ୍ରାୟ ଅଶି କୋଟି ଅର୍ଥାତ୍‌ ସମୁଦାୟ ଲୋକସଂଖ୍ୟାର ୪୭% ଲୋକଙ୍କୁ ମାଗଣାରେ ଚାଉଳ ଯୋଗାଣ ଘୋଷଣା କରିଛନ୍ତି। ଓଡ଼ିଶା ସରକାର ମଧ୍ୟ ଅନୁରୂପ ଘୋଷଣା କରିଛନ୍ତି। ଅନେକ ରାଜ୍ୟ ସରକାର ଲୋକଙ୍କୁ ଅନେକ ବ୍ୟବହାର୍ଯ୍ୟ ପଦାର୍ଥ ମାଗଣା ଯୋଗାଇ ଦେବାର ଘୋଷଣା କରିବାର ପ୍ରତିଯୋଗିତା ଆରମ୍ଭ କରିଦେଇଛନ୍ତି। ଏହା ଲୋକଙ୍କୁ କେତେ ସହାୟତା କରୁଛି ତା ବଡ଼ ପ୍ରଶ୍ନ ନୁହେଁ, ସରକାରଙ୍କୁ ଭୋଟ ଯୋଗାଡ଼ କରିବାରେ ବେଶ […]

rice

Debendra Prusty
  • Published: Thursday, 05 January 2023
  • , Updated: 05 January 2023, 05:59 PM IST

ପଞ୍ଚାନନ କାନୁନ୍‌ଗୋ

ଏ ମଧ୍ୟରେ ଭାରତ ସରକାର ଦେଶରେ ପ୍ରାୟ ଅଶି କୋଟି ଅର୍ଥାତ୍‌ ସମୁଦାୟ ଲୋକସଂଖ୍ୟାର ୪୭% ଲୋକଙ୍କୁ ମାଗଣାରେ ଚାଉଳ ଯୋଗାଣ ଘୋଷଣା କରିଛନ୍ତି। ଓଡ଼ିଶା ସରକାର ମଧ୍ୟ ଅନୁରୂପ ଘୋଷଣା କରିଛନ୍ତି। ଅନେକ ରାଜ୍ୟ ସରକାର ଲୋକଙ୍କୁ ଅନେକ ବ୍ୟବହାର୍ଯ୍ୟ ପଦାର୍ଥ ମାଗଣା ଯୋଗାଇ ଦେବାର ଘୋଷଣା କରିବାର ପ୍ରତିଯୋଗିତା ଆରମ୍ଭ କରିଦେଇଛନ୍ତି। ଏହା ଲୋକଙ୍କୁ କେତେ ସହାୟତା କରୁଛି ତା ବଡ଼ ପ୍ରଶ୍ନ ନୁହେଁ, ସରକାରଙ୍କୁ ଭୋଟ ଯୋଗାଡ଼ କରିବାରେ ବେଶ ସାହାଯ୍ୟ କରୁଥିବା ଦେଖାଯାଉଛି। ଋଣ ଛାଡ଼, ମାଗଣା ଚାଉଳ ଯୋଗାଣ ଦେଶ ତମାମ ବଡ଼ ଚର୍ଚ୍ଚାର ବିଷୟ ହୋଇଛି।

ପୂର୍ବରୁ ବହୁ ବର୍ଷ ଧରି ଦେଶରେ ଥିବା ସରକାରମାନେ ଅନେକ ବ୍ୟବସ୍ଥାରେ ରିହାତି ଦେବାର ବ୍ୟବସ୍ଥା ଚାଲୁ ରଖିଥିଲେ। ପେଟ୍ରୋଲ, ଡିଜେଲ, କିରୋସିନୀ, ଗ୍ୟାସ, ଖାଦ୍ୟ ଯୋଗାଣ, ଚାଷୀକୁ ସାର ଆଦି ଯୋଗାଣରେ ରିହାତି ବ୍ୟବସ୍ଥା ଚାଲୁ ରହିଥିଲା। ଏହି ରିହାତି କେନ୍ଦ୍ରୀୟ ବଜେଟରେ ଅନେକ ଚାପ ସୃଷ୍ଟି କରୁଛି ଓ ଦେଶର ଅର୍ଥନୀତିକୁ ବିପର୍ଯ୍ୟୟମୁଖୀ କରୁଥିବାର ଚର୍ଚ୍ଚା ହେଉଥିଲା। ତେଣୁ ରିହାତି ବନ୍ଦ କରିବା ନିମନ୍ତେ ଉଦ୍ୟମ ଆରମ୍ଭ ହେଲା। ମାତ୍ର ଯେଉଁମାନେ ରିହାତି ଉଠାଇବା ସପକ୍ଷରେ ମତ ଦେଉଥିଲେ ସେମାନେ ସରକାରଙ୍କୁ ଆସୁ ଆସୁ ମାଗଣା ଦେବାର ଘୋଷଣା ଓ କାର୍ଯ୍ୟକ୍ରମ ଆରମ୍ଭ କରିଦେଇଛନ୍ତି। ଏହା ଦେଶର ଦାରିଦ୍ର୍ୟ ଦୂର କରିବା ପରିବର୍ତ୍ତେ ଭିକାରୀ ପ୍ରତିଯୋଗିତା ସୃଷ୍ଟି କରିଛି।

ଗରିବୀ ଦୁଇ ଭାବରେ ବିଦ୍ୟମାନ। ଗୋଟିଏ ମନସ୍ତାତ୍ତ୍ୱିକ, ଅନ୍ୟଟି ପାରିପାର୍ଶ୍ୱିକ। ଅନ୍ୟ ଅର୍ଥରେ ଗୋଟିଏ ମାନସିକ ପ୍ରତିଫଳନ ଓ ଅନ୍ୟଟି ବାହ୍ୟ ଆଚରଣରେ ପ୍ରତିଫଳିତ ଓ ଦୃଶ୍ୟମାନ। ପ୍ରଥମେ ମନସ୍ତାତ୍ତ୍ୱିକ ଦୃଷ୍ଟିକୋଣରୁ ‘ଗରିବୀ’ କ’ଣ ତାହା ବିଚାର କରାଯାଉ। ଏହି ମନସ୍ତାତ୍ତ୍ୱିକ ଦାରିଦ୍ର୍ୟ ଭାବ ମଣିଷ ଭିତରେ କେବେଠାରୁ ପରିଲକ୍ଷିତ ହେଲା ତାହା ନିର୍ଣ୍ଣୟ କରିବା କଷ୍ଟକର। ବସ୍ତୁ ପରିଚୟ ଓ ବସ୍ତୁନିଷ୍ଠ ହେବା ପରେ ମଣିଷ ଭିତରେ ଗୋଟିଏ ଆବଶ୍ୟକତାର ଭାବନା ସୃଷ୍ଟି ହେଲା। ଯାହାର ଅଭାବରେ ମୁଁ ଦୁଃଖୀ, ମୁଁ ଗରିବ, ମୁଁ ହୀନଜନ, ମୁଁ ଭାଗ୍ୟହୀନ ଏଇ ଭାବଟି ମଣିଷ ଭିତରେ ଅଳ୍ପେ ବହୁତେ ଭରିଉଠିଲା। ଏହା ଏକ ମନସ୍ତାତ୍ତ୍ୱିକ ବିଚାର। ଆବଶ୍ୟକତାକୁ ଭିତ୍ତିକରି ମଣିଷର ବିଚାର ଦୃଢ଼ରୁ ଦୃଢ଼ତର ହେଲା। ଏହା ପୂରଣ ନହୋଇ ପାରିଲେ ଗୋଟିଏ ନିର୍ବଳଭାବ ଜାଗ୍ରତ ହେଲା। ଏଥିରୁ ମୁକୁଳିବା ପରିବର୍ତ୍ତେ “କ’ଣ କରିବି” ଦାରିଦ୍ର୍ୟ ପଞ୍ଚାକ୍ଷରୀ ଶବ୍ଦ ନିର୍ବଳ ମଣିଷ ମୁହଁରୁ ବାହାରି ଆସିଲା ଓ ମାନସିକ ସ୍ତରରେ ମଣିଷକୁ ଆବୋରି ବସିଲା। ପାରିପାର୍ଶ୍ୱିକ ଦାରିଦ୍ର୍ୟ ହେଉଛି ନିଜର, ନିଜ ପରିବାରର ଓ ପରିବାର ଚତୁଃପାର୍ଶ୍ୱରେ ଥିବା ଲୋକଙ୍କର ଅଭାବ ଅନଟନ, ଆବଶ୍ୟକତାର ବାସ୍ତବ ସ୍ଥିତିକୁ ନେଇ ଆକଳନ। ଏହା ଦୃଶ୍ୟମାନ। ଖାଇବା, ପିନ୍ଧିବା, ରହିବା, ଶିକ୍ଷା, ଚିକିତ୍ସାରେ ଏହାର ପ୍ରତିଫଳନ ଘଟିଥାଏ ଓ ସାଧାରଣ ଭାବେ ଚିହ୍ନିତ ହୋଇଥାଏ। ହେଲେ ସ୍ଥଳ ଓ ମଣିଷର ଆବଶ୍ୟକତା ବିଶେଷରେ ଏହାର ମାତ୍ରା କମ୍ ବେଶି ହୋଇଥାଏ। ପାରିପାର୍ଶ୍ୱିକ ସ୍ଥିତି ଦୃଷ୍ଟିରୁ ଭାରତ ବିଶ୍ୱରେ ହୁଏତ ଦରିଦ୍ରତମ ଶ୍ରେଣୀ ଅନ୍ତର୍ଭୁକ୍ତ। କିନ୍ତୁ ଓଡ଼ିଶାର ଲୋକେ ସମଗ୍ର ଭାରତର ଜନଗଣଙ୍କ ମଧ୍ୟରେ ଉଭୟ ଦୃଷ୍ଟିରୁ ଯଥା ମାନସିକତା ଓ ପାରିପାର୍ଶ୍ୱିକ ସ୍ଥିତିରୁ ଅତି ନିଉଛୁଣିଆ ଅବସ୍ଥାରେ ଥିବାର ଲକ୍ଷ୍ୟ କରାଯାଏ।

ଅନେକ ଘାତ ପ୍ରତିଘାତ ମଧ୍ୟରେ ଓଡ଼ିଶାର ଆର୍ଥିକ ସ୍ଥିତି ସପ୍ତଦଶ ଶତାବ୍ଦୀରୁ ଖରାପ ଆଡ଼କୁ ଗତିକରି ଯାଇଥିଲା। ମରାଠା, ମୋଗଲ, ପଠାଣମାନଙ୍କ ଅତିଶୟ ଶୋଷଣ ହେତୁ ମୁଖ୍ୟତଃ ଏପରି ଘଟିଥିଲା। ଊନ୍ନବିଂଶ ଶତାବ୍ଦୀ ବେଳକୁ ବିଦେଶୀ ଔପନିବେଶୀୟ ଶାସନ ପ୍ରଭାବରେ ଦାରିଦ୍ର୍ୟ ଓ ଅଭାବୀ ବୃଦ୍ଧି ପାଇଥିଲା। ଏହାର କ୍ରମବର୍ଦ୍ଧିଷ୍ଣୁ ସ୍ଥିତି ପାଇଁ ସମଗ୍ର ରାଜ୍ୟ ଓ ଏହାର ଅଧିବାସୀ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ହେବାରେ ଲାଗିଲେ। ହେଲେ ୧୮୬୬ର ନଅଙ୍କ ଦୁର୍ଭିକ୍ଷ ପରେ ଏ ରାଜ୍ୟର ମଣିଷଗୁଡ଼ାକ ମାନସିକ ସ୍ତରରେ ଅଧିକ ଦରିଦ୍ର ହୋଇଗଲେ। ତାଙ୍କ ଭିତରେ ଏ ଦାରିଦ୍ର୍ୟର ଛାପ ଉତ୍କଟ ଥିବାବେଳେ ତିନି ଜଣ ଜନନାୟକ ଓଡ଼ିଆ ଜାତି ଭିତରର ଅସ୍ତିବାଚକ ସ୍ୱଭାବକୁ ଠାବ କଲେ। ଜଣେ ଥିଲେ ଦେଶର ଶ୍ରେଷ୍ଠ ଦାର୍ଶନିକ ଜନନାୟକ ମହାତ୍ମା ଗାନ୍ଧି। ସମସ୍ତ ଅଭାବ ଭିତରେ ହାଡ଼ କଙ୍କାଳ ସାର ଏ ରାଜ୍ୟର ମଣିଷ ହାତଟେକି ଦାନ କରୁଥିବାର ଦେଖିଲେ। ଗାନ୍ଧିଜୀ ନିଜର ଅନୁଭବ ଓ ଅଭିଜ୍ଞତାରୁ ଜାଣିଗଲେ ଯେ ଏଠାକାର ଲୋକେ ଦରିଦ୍ର ସତ ତଥାପି ଏମାନଙ୍କ ମଧ୍ୟରେ ହାତଟେକି ସାହାଯ୍ୟ କରିବାର ପ୍ରବୃତ୍ତି ଅଛି। ନିଜର ଅଜ୍ଞାତରେ ସେମାନେ କ୍ଷୁଦ୍ର ବା ହୀନ ନୁହଁନ୍ତି ବୋଲି ପରିଚୟ ରଖୁଛନ୍ତି। ଏମାନଙ୍କୁ ସାହସ ଦେଲେ ଏମାନେ ଉଠି ବସିବେ। ଏମାନେ ସୁଯୋଗ ପାଇଲେ ଅଣ୍ଟାସଳଖି ଛିଡ଼ା ହେବେ। ସେ ସମୟରେ ଗୋପବନ୍ଧୁ ଦାସ ଦରିଦ୍ର ଓ ନିରନ୍ନ, ବୁଭୁକ୍ଷୁ ତଥା ବନ୍ୟା ଓ ମରୁଡ଼ି ପ୍ରପୀଡ଼ିତ ଲୋକଙ୍କ ପାଇଁ ଗାନ୍ଧିଜୀଙ୍କଠାରୁ ସାହାଯ୍ୟ ଭିକ୍ଷା କରୁଥାନ୍ତି। ଗାନ୍ଧିଜୀ ଠକ୍କର ବାପାଙ୍କୁ ପଠାଇ ସାହାଯ୍ୟର ପେଡ଼ି ଖୋଲି ଦେଇଥିଲେ। ପରବର୍ତ୍ତୀ ଅବସ୍ଥାରେ ଗାନ୍ଧିଜୀ ନିଜର ଅଭିଜ୍ଞତା ଓ ଅନୁଭବକୁ ନେଇ ତିଆରି କଲେ ନୂଆ କୌଶଳ। ଗୋପବନ୍ଧୁଙ୍କ ପ୍ରସ୍ତାବ- ପ୍ରପୀଡ଼ିତଙ୍କୁ ସାହାଯ୍ୟ ଦେବା ପରିବର୍ତ୍ତେ “ଚରଖା ରିଲିଫ୍”ର ପ୍ରଚଳନ ପାଇଁ ପ୍ରସ୍ତାବ ରଖିଲେ ଓ କାର୍ଯ୍ୟକ୍ରମ ଆରମ୍ଭ କଲେ। ସେଥିପାଇଁ ଆର୍ଥିକ ସହାୟତାର ମଧ୍ୟ ବନ୍ଦୋବସ୍ତ କଲେ। ଲୋକଙ୍କ ଭିତରେ ଆତ୍ମବଳ ଓ ଆତ୍ମବିଶ୍ୱାସ ଜଗାଇ ଦାରିଦ୍ର୍ୟ - ଦୁର୍ବଳତା ହଟାଇବା ଥିଲା ତାଙ୍କର ଉଦ୍ଦେଶ୍ୟ।

ଆଉ ଜଣେ ଥିଲେ ଓଡ଼ିଆ ଜାତିର ମହାନାୟକ ମଧୁସୂଦନ ଦାସ। ସେ ଓଡ଼ିଆ ଲୋକଙ୍କ ମାନସିକତାକୁ ଲକ୍ଷ୍ୟ କଲେ। ଏମାନଙ୍କ ମନୋବଳ ବୃଦ୍ଧି ସହିତ ଦାରିଦ୍ର୍ୟ ରୂପକ ରୋଗରୁ ମୁକ୍ତ କରି ଏକ କର୍ମଠ, ସମୃଦ୍ଧ ମହାନଜାତି ତିଆରି କରିବାର ପ୍ରୟାସ କଲେ। ଏଠିକାର ମଣିଷ ଭିତରେ ଥିବା କର୍ମ ନିପୁଣତା, କୌଶଳୀ ଭାବ, କାରିଗରୀ ବୁନିଆଦି ଠାବ କରି ଯୋତା ତିଆରି କାରଖାନା, ସୁନା ରୂପା ତାରକସୀ ଶିଳ୍ପ, ବୟନ ଶିଳ୍ପ ସହିତ କୃଷିକାର୍ଯ୍ୟରେ ଆଧୁନିକତାର ସ୍ପର୍ଶ ଦେଇ ଅନେକ କାର୍ଯ୍ୟ କଲେ। ନିଜେ ନିଜର ଶକ୍ତି ସାମର୍ଥ୍ୟ ବୃଦ୍ଧି କରିବା ସମ୍ଭବ ବୋଲି ଗୋଟିଏ ପ୍ରତ୍ୟୟ ସୃଷ୍ଟି କରିବାକୁ ଚେଷ୍ଟାକଲେ। ସେହିପରି ଏ ରାଜ୍ୟର ରୁଗ୍‌ଣ ଅଭାବୀ ମଣିଷ ଯେ ଅତ୍ୟନ୍ତ ଶକ୍ତିଶାଳୀ ଏକଥା ଚେତେଇ ଦେଇଥିଲେ ଜଣେ ଇଂରେଜ ପ୍ରଶାସକ। ତାଙ୍କ ନାମ ଜନ୍ ବୀମ୍ସ। ସେ କହିଲେ- ଏ ଜାତିର ବଳିଷ୍ଠ ଐତିହ୍ୟ ଅଛି, ଏମାନେ ସମସ୍ତେ କର୍ମଠ ବୋଲି ସୂଚେଇ ଦେଲେ। ଏମାନଙ୍କର ଶକ୍ତି ସାମର୍ଥ୍ୟ ଅଛି। ତାହା ଶୁପ୍ତ, ଜାଗ୍ରତ କରିବା ଓ କରାଇବା ଆବଶ୍ୟକ।

ଗୋଟିଏ ପକ୍ଷରେ ବୁଝିବାକୁ ଗଲେ ଏହି ତ୍ରୟଙ୍କ ମାର୍ଗ ଦର୍ଶନ ଏକ ଥିଲା, ସବୁ କିଛି କରିପାରିବାର ପ୍ରତ୍ୟୟ ସୃଷ୍ଟିକରିବା ଏହାଙ୍କର ଲକ୍ଷ୍ୟ ଥିଲା। ହେଲେ ସେମାନଙ୍କର ଉଦ୍ୟମ ବିଶେଷ ଫଳପ୍ରଦ ହେଲାନାହିଁ। ଅନ୍ୟପକ୍ଷରେ ରିଲିଫ୍ ବାଣ୍ଟିବା, ହାତପାତି ନେବାର ସ୍ୱଭାବକୁ ଧରିରଖିବା ପାଇଁ ଅନ୍ୟ କିଛି ନେତାଙ୍କର କାର୍ଯ୍ୟ ଏ ଜାତିର ମାନସିକ ଦାରିଦ୍ର୍ୟକୁ ବଢ଼ାଇ ଦେବାରେ ସାହାଯ୍ୟ କଲା ସିନା ପାରିପାର୍ଶ୍ୱିକ ଦାରିଦ୍ର୍ୟ କମାଇଲା ନାହିଁ। ଅପରପକ୍ଷରେ ନେତା ଓ ନେତୃତ୍ୱର ବିଚାର ରୁଗ୍‌ଣ ମାନସିକତାକୁ ଅଧିକ ରୁଗ୍‌ଣ କରି ଗଢ଼ି ତୋଳିଲା। ଫଳସ୍ୱରୂପ ରାଜ୍ୟ ଓ ରାଜ୍ୟବାସୀ ଦରିଦ୍ର ହେବାରେ ଲାଗିଲେ।

ଏହି ମନସ୍ତତ୍ତ୍ୱଟି ଅପସରି ଯିବ ଯଦି ଦୁନିଆର ଦୌଡ଼ରେ ସମଗ୍ର ରାଜ୍ୟ ଓ ତା’ର ଅଧିବାସୀଙ୍କୁ ସାମିଲ କରି ଦିଆଯିବ। ଏହି ଦୌଡ଼ରେ ସାମିଲ କରିବା ପାଇଁ ପ୍ରଥମେ ପ୍ରତ୍ୟେକ ବ୍ୟକ୍ତି ଭିତରେ ଓ ତା’ର ଚତୁଃପାର୍ଶ୍ୱରେ ଅସ୍ତିବାଚକ ଶକ୍ତି ବୃଦ୍ଧି ଘଟାଇବା ଦରକାର ଓ ଶକ୍ତିବୃଦ୍ଧି କେବଳ ସମ୍ଭବ ହେବ ରାଜ୍ୟରୁ ଅଭାବୀ ଓ ଆର୍ଥିକ ଦାରିଦ୍ର୍ୟ ଦୂର ହେଲେ। ଏ ସମସ୍ତର ବିଚାର କରିବାର ସମୟ ଆସିଛି। ‘ଦାରିଦ୍ର୍ୟ’ ଅର୍ଥନୈତିକ ଦୃଷ୍ଟିକୋଣରୁ ଚିହ୍ନଟ ହେବା ଦରକାର ଓ ଏହାର କାରଣ ସମୂହ ମଧ୍ୟ ନିର୍ଣ୍ଣିତ ହେବା ଦରକାର। ଏହା ହୋଇପାରିଲେ ସହଜରେ ଓ ନିର୍ଦ୍ଦିଷ୍ଟ ସମୟସୀମାରେ ଦାରିଦ୍ର୍ୟ ଦୂରୀକରଣ ସମ୍ଭବ ହେବ। ନିଜ ଶକ୍ତିବଳରେ ବସ୍ତୁ-ଅଭାବ ଦୂର ହେଲେ ରୁଗ୍‌ଣ ମାନସିକତା ମଧ୍ୟ ସୁସ୍ଥ ହୋଇପାରିବ।

ଏହାର ସିଦ୍ଧାନ୍ତ ହେଉଛି ସକାରାତ୍ମକ ଭାବନା ‘ହଁ, ଆମେ କରି ପାରିବା’। ଦୋଷ ବା ତ୍ରୁଟି ଆମ କାର୍ଯ୍ୟ ପଦ୍ଧତି ବା ସିଦ୍ଧାନ୍ତରେ ହିଁ ରହିବାର ଆଶଙ୍କା ରହିଛି। ଏହାର ସଂଶୋଧନ ଆମେ ହିଁ କରି ପାରିବା। ଏହାକୁ ସହଜଲବ୍ଧ କରିବା ନିମନ୍ତେ ଗୋଟିଏ କୌଶଳ ଅବଲମ୍ବନ କରିବା ଦରକାର। ଏହି କୌଶଳର ଉଦ୍ଭାବକ ମଣିଷ ବା ବ୍ୟକ୍ତି ନିଜେ। ଗୋଟିଏ ବାଡ଼ି ବା ଦଣ୍ଡ ସାହାଯ୍ୟରେ ପୃଥିବୀ ପରି ବିରାଟକାୟ ବ୍ୟବସ୍ଥାକୁ ଘୁଞ୍ଚାଇ ଦେଇହେବ। ସବୁଠାରୁ ବେଶୀ ଆବଶ୍ୟକ ହେଉଛି ପୃଥିବୀ-ମୁକ୍ତ ଏକ ସ୍ଥାନ ଦରକାର। ଯେଉଁଠାରୁ ଦଣ୍ଡଟିକୁ ବ୍ୟବହାର କରିହେବ। ଏହି ସକାରାତ୍ମକ ଭାବନାକୁ ନିଜର କରି ସମାଜ, ସଭ୍ୟତା, ବ୍ୟକ୍ତି ଆଗେଇ ଚାଲିଲେ ଏବଂ କୌଶଳ ଅବଲମ୍ବନ କଲେ ସବୁକିଛି ସମ୍ଭବ ହେବ।

ବ୍ୟକ୍ତି ମଧ୍ୟରେ ଅସରନ୍ତି ନକାରାତ୍ମକ ଭାବନା ଭରି ରହିଛି। ଏ ସମ୍ପର୍କରେ ଅନେକ ଦାର୍ଶନିକ ଆଲୋଚନାମାନ ଉପସ୍ଥାପନ କରିଛନ୍ତି। ଏହି ଭାବନାରୁ ଜନ୍ମ ନେଇଥାଏ “କ’ଣ କରିବା”, “ହୋଇ ପାରିବ ନାହିଁ”, “ନ ହେବାର କାରଣ ମୁଁ ନୁହେଁ।” ଏହି ନକାରାତ୍ମକ ଭାବନା ଦୂର କରିବା ବା ଗୌଣ କରିବା ସହିତ ମଣିଷ ତାର ଆବଶ୍ୟକତା ପୂରଣ ନିମନ୍ତେ ଅନନ୍ତ କାଳରୁ ବିକଳ୍ପ ବ୍ୟବସ୍ଥା ବା ନୂଆ ନୂଆ ପଦ୍ଧତି କାଢ଼ିବା ପାଇଁ ବାଧ୍ୟହୋଇ ଚାଲିଛି। ନଚେତ୍ ସେ କେବେଠୁଁ ହତାଶା ଓ ନିରାଶା ମଧ୍ୟରେ ଲୀନ ହୋଇଯାଇଥାନ୍ତା। ବ୍ୟକ୍ତି ପ୍ରଥମେ ବଂଚିବା ପାଇଁ ଖାଦ୍ୟର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଛି। ବାସସ୍ଥାନ ବା ପୋଷାକ ଦ୍ୱିତୀୟ ଓ ତୃତୀୟ ଆବଶ୍ୟକ ପର୍ଯ୍ୟାୟଭୁକ୍ତ ହୋଇଛି। କିନ୍ତୁ ସବୁ କ୍ଷେତ୍ରରେ ତା’ର ହଁ ନାମକ ସଂକଳ୍ପ ହିଁ ତାକୁ ନୂତନ ଆବିଷ୍କାରର ପଥ ଦେଖାଇଛି। ଅବଶ୍ୟ ଏଥିରେ ତାକୁ ଅନେକ ବାଛବିଚାର ସହିତ କାର୍ଯ୍ୟ କରିବାକୁ ପଡ଼ିଛି। ଏଇଟା ଭଲ ନୁହେଁ, ଏହାକୁ ତ୍ୟାଗ କରିବା ଦରକାର, ଏଇଟା ସହଜ ଲବ୍ଧ, ଏହାକୁ ତୁରନ୍ତ ଗ୍ରହଣ କରିବା ଦରକାର, ଏଇଟା କେବଳ ସହଜ ଲବ୍ଧ ନୁହେଁ, ଅଧିକ ଉପଯୋଗୀ ଓ ଖାଦ୍ୟ ପାଇଁ ଉପଯୋଗୀ ବା ସ୍ୱାଦିଷ୍ଟ ଏହିପରି ବିଚାର କରିବା ଓ ବାଛିବା ପ୍ରକ୍ରିୟା ଭିତରେ ବ୍ୟକ୍ତି ଆଗେଇଛି ଓ ଖାଦ୍ୟ ଆପଣେଇ ଚାଲିଛି। ଉପଲବ୍ଧରୁ ଉପଲବ୍ଧକୁ ଗ୍ରହଣ କରି ଚାଲିଛି। ଅନୁଭବ ଓ ଅନୁମାନ ମଧ୍ୟରେ ତାର ‘ହଁ ବାଚକ’ ସ୍ୱଭାବ ବା ସିଦ୍ଧାନ୍ତ ଅନେକ ଉଦ୍ଭାବନ ବା ଆବିଷ୍କାର ଆଣି ଦେଇଛି। ଏଥିରେ କେବଳ ‘ହଁ’ ଭାବଟି ହିଁ ତା’ର ବିଚାର, ତା’ର ଉଦ୍ଭାବନ, ତା’ର ଆବିଷ୍କାରକୁ ତା’ ସାଥିରେ ବହନ କରିବାରେ ସାହାଯ୍ୟ କରିଛି ଏବଂ ଅନେକ ପରୀକ୍ଷା ନିରୀକ୍ଷା ଭିତର ଦେଇ ଏହି ପ୍ରକ୍ରିୟାକୁ ଅଧିକରୁ ଅଧିକ ସହଜଲବ୍ଧ, ଆବଶ୍ୟକତା ଉପଯୋଗୀ କରି ଗଢ଼ି ତୋଳିଛି।

ଲଙ୍ଗଳା, ଫୁଙ୍ଗୁଳା ଦେହରେ କ୍ଷୁଧାର୍ତ୍ତ, ତୁଷାର୍ତ୍ତ ମଣିଷ ଖାଦ୍ୟ ଓ ପାନୀୟ ଯୋଗାଡ଼ କରୁକରୁ ଅସହ୍ୟ ଉତ୍ତାପ, ଦୁଃଷଣ ବର୍ଷା, ଦେହଥରା ଶୀତ ଦାଉରୁ ରକ୍ଷା ପାଇବାର ସୂତ୍ର ଆପେ ଆପେ ଆବଶ୍ୟକତା ତଥା ସହଜ ଉପଲବ୍ଧ ଭିତ୍ତିରେ ପାଇଛି। ସେ ନା’ ରୂପକ ନକାରାତ୍ମକ ଭାବଟି ପରିହାର କରି ଖୋଲ ବା ଗୁମ୍ଫା ଭିତରକୁ ପଶିଯାଇଛି। ହଁ, ଏଇଠି ହିଁ ଶୀତ ବା ବର୍ଷା ଦାଉରୁ ଅବା ବନ୍ୟଜନ୍ତୁଙ୍କ ଆକ୍ରମଣରୁ ବଞ୍ଚି ହେବ ବୋଲି ଦେଖିଛି। କୌଶଳ ଅବଲମ୍ବନ କରିଛି। ଗୁମ୍ଫାଭିତରେ ରହି ଗୁମ୍ଫା ମୁହଁରେ ଢାଙ୍କୁଣି ଦେଇଛି। ଗୁମ୍ଫା ବା ଖୋଲ ଭିତରେ ପଶିବା ପୂର୍ବରୁ ବା ପରେ ଗେଞ୍ଜାଗେଞ୍ଜି କରି ଜନ୍ତୁ ଘଉଡ଼େଇଛି। ନିଆଁ ଲଗେଇ ସଫା କରିଛି। ଏ ସବୁ ତା କୌଶଳ ଓ ସେଠାରେ ରହିବାର ସକାରାତ୍ମକ ସଙ୍କଳ୍ପ “ହଁ ମୁଁ ଏଠାରେ ରହିବି” ଇତ୍ୟାଦି.... ଇତ୍ୟାଦି.... । ଠିକ୍ ସେମିତି ଶୀତରେ ଥୁରୁଥୁରୁ ହେଉଥିବା ଆଦିମ ମଣିଷଟିଏ ଦେହରେ ଗୋଟାଏ ଢାଙ୍କୁଣି ଢାଙ୍କିଛି। ଏଇ ଢାଙ୍କୁଣିଟି ଗଛରୁ ଖସିପଡ଼ିଥିବା ବଡ଼ ବକଳ ଖଣ୍ଡ ବା ସାଉଁଟି ଆଣିଥିବା ପୁଳାଏ ଶୁଖିଲା ଘାସ ହୋଇଥାଇ ପାରେ। ଗଛର ପତଳା ବକଳ ଢାଙ୍କୁ ଢାଙ୍କୁ ଶୀତରୁ ରକ୍ଷା ଖାଲି ପାଇନାହିଁ ମଣିଷ ନିଜକୁ ଅଧିକ ସଭ୍ୟକରି ଲଜ୍ୟା ନିବାରଣର ପଥଟିଏ ଆବିଷ୍କାର କରିଛି। ଏ ସମସ୍ତ କେବଳ ଦୁଇଟି ଆଧାରର ମିଶ୍ରଣରେ ହିଁ ଘଟିଛି। ଗୋଟିଏ ହେଉଛି ଆବଶ୍ୟକତା ଅନ୍ୟଟି ହେଉଛି ସକାରାତ୍ମକ ସ୍ୱୀକୃତି ହଁ ବାଦ ବା ସକାରାତ୍ମକ ସଂକଳ୍ପ। ବ୍ୟକ୍ତି ବା ମଣିଷ ଭିତରେ ହଁ-ନାହିଁର ଫେଣ୍ଟାଫେଣ୍ଟି ଭାବ ଅଛି। ଏହାହିଁ ତା ଭିତରେ ଆଶା ଓ ନିରାଶାର ଛାପ ସୃଷ୍ଟି କରିଥାଏ। ନିରାଶାକୁ ଗୌଣ କରି ଆଶାକୁ ଶକ୍ତିଶାଳୀ କରିବା ପାଇଁ ଗୋଷ୍ଠୀ, ଜାତି, ରାଷ୍ଟ୍ର ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ବ୍ୟକ୍ତି ଗୋଷ୍ଠୀବାନ୍ଧି ରହିଛି, ସମଭାବାପନ୍ନ ହୋଇ ‘ଜାତି’ ସୃଷ୍ଟି କରିଛି, ସମଷ୍ଠିଗତ ସୁରକ୍ଷା ପାଇଁ ରାଷ୍ଟ୍ର ସୃଷ୍ଟି କରିଛି । ରାଷ୍ଟ୍ର ଯେତେ ଶକ୍ତିଶାଳୀ ହେଉପଛେ ତାକୁ ଧରିଥିବା ଗୋଟିଏ ଜାତି ବା ଗୋଷ୍ଠୀ ଯଦି ନେତିବାଚକ ବା ନାହିଁ ନାହିଁ ପଣିଆକୁ ଆବୋରି ନିଏ ସେ ଜାତିର ସମସ୍ତ ସମ୍ଭାବନା ଗୌଣ ବା କ୍ଷୁଣ୍ଣ ହୁଏ। ଯେଉଁ ଜାତି ‘ହଁ ପାରିବା’, ‘ହଁ ଜିତିବା’ ଭାବକୁ ଆପଣେଇ ନିଏ ସେ ଜାତି ନିଶ୍ଚୟ ହଁକୁ କୌଶଳ ମନେକରି ଆଗକୁ ଚାଲେ ଏବଂ ସୌଭାଗ୍ୟର ଅଧିକାରୀ ହୁଏ।

ଯେଉଁ ବ୍ୟକ୍ତି ଭାବେ ଯେ ସମସ୍ତ କାମନା ହେଉଛି କ୍ଷତିକାରକ ତା’ ଭିତରେ ନକରାତ୍ମକ ଭାବଟିଏ ଜାଗି ଉଠେ। କାମନା ଅସରନ୍ତି। କାମନା ହିଁ ସକଳ ଦୁଃଖର କାରଣ ଏବଂ “କାମନାର ବିନାଶରେ ହିଁ ଦୁଃଖର ବିନାଶ”। ଏହି ଚିନ୍ତା ଓ ଚେତନା ମଣିଷକୁ ଅନେକ ପରିମାଣରେ ସଂଯମୀ କରାଇଥାଏ। ହେଲେ ତା’ର ଦୁଃଖର ବିନାଶ ଘଟାଇ ନଥାଏ। କାମନାକୁ ନିୟନ୍ତ୍ରଣ କରିବା ରାଷ୍ଟ୍ରର କାର୍ଯ୍ୟ। ଶୃଙ୍ଖଳିତ ଓ ସାର୍ବଜନୀନ କରିବା ଜାତି ବା ଗୋଷ୍ଠୀର କାର୍ଯ୍ୟ। ହେଲେ କାମନା ରହିତ ବ୍ୟକ୍ତି, ଜାତି, ରାଷ୍ଟ୍ର ସବୁ ଏକ ଅସହାୟ ଭାବର ଶିକାର ହେବା ନିଶ୍ଚିତ।

ଦାରିଦ୍ର୍ୟ ନା ଗରିବୀ ଜୈବୀକୃତ ନୁହେଁ। ପରିସ୍ଥିତି ଓ ସରକାରୀ ନୀତି ଲୋକଙ୍କୁ ଦାରିଦ୍ର୍ୟ ବା ଗରିବୀ ଭିତରକୁ ଠେଲିଦିଏ। ଏଥିରୁ ଉଦ୍ଧାର କରିବା ମଧ୍ୟ ସରକାରଙ୍କର ଦାୟିତ୍ୱ। ତଳେ ପଡ଼ି ରହିଥିବା ଦୁର୍ବଳକୁ ଉପରକୁ ଉଠାଇ ସକ୍ଷମ କରିବା ସରକାରଙ୍କ ଉପରେ ନିର୍ଭର କରେ। କିନ୍ତୁ ଏହା ନୁହେଁ ଯେ ମାଗଣା ବଣ୍ଟନ ବ୍ୟବସ୍ଥା କରି ଗରିବକୁ ଚିରକାଳ ହାତପାତିବା ସ୍ଥିତି ସୃଷ୍ଟି କରିବା।

ଫୋ- ୯୪୩୮୩୬୦୮୪୯

Related story