ବିକଶିତ ଭାରତ ପାଇଁ ‘ମାଗଣା ବଣ୍ଟନ ସଂସ୍କୃତି’ ବାଧକ

ଉପହାରକୁ କିଏ ବା ଭଲ ନପାଆନ୍ତି! ଗ୍ରାହକ ସଂଖ୍ୟାରେ ଅଭିବୃଦ୍ଧି କିମ୍ବା ଅଧିକ ଖର୍ଚ୍ଚ କରିବାକୁ ଚାହୁଁଥିବା ବ୍ୟବସାୟିକ ସଂସ୍ଥାମାନଙ୍କର ମୌଳିକନୀତି ହେଲା ଉପହାର ଦେଇ ଆଦୃତି ସାଉଁଣ୍ଟିବା। ଭାରତରେ ନିର୍ବାଚନ ପାଇଁ ମଧ୍ୟ ଏହା ପ୍ରଯୁଜ୍ୟ।

Lollypop Of Promises

  • Published: Thursday, 20 February 2025
  • , Updated: 20 February 2025, 03:32 PM IST

ଜାନକୀଶ ବଡପଣ୍ଡା

ନିର୍ବାଚନ ସମୟ ଆସିଗଲେ, ‘ମାଗଣା ସଂସ୍କୃତି’ ଗଛରେ ଫୁଲ ଫୁଟେ। ଆମ୍ବ ଗଛରେ ନେନ୍ଥା ନେନ୍ଥା ବଉଳ ଆସିଲା ଭଳି ‘ମାଗଣା ବଣ୍ଟନ ସଂସ୍କୃତି’ ଘୋଷଣା ଉତ୍ସବ ଦେଖିବାକୁ ମିଳେ; ଯାହାକୁ କୁହାଯାଉଛି ଫ୍ରିବି କଲ୍‌ଚର ବା ରେବଡି (ରାବିଡି) ସଂସ୍କୃତି। ଏହାକୁ ରାଜନୈତିକ ଅପସଂସ୍କୃତି ମନେ କରି ବିଜେପି ନେତା ତଥା ଓକିଲ ଅଶ୍ୱିନୀ ଉପାଧ୍ୟାୟ ‘ମାଗଣା ବଣ୍ଟନ ସଂସ୍କୃତି’ର ସମୂଳ ବିନାଶ ପାଇଁ ଦେଶର ସର୍ବୋଚ୍ଚ ନ୍ୟାୟାଳୟରେ ଆବେଦନ କରିଥିଲେ। ଆବେଦନ ଉପରେ ଶୁଣାଣି କରି ନ୍ୟାୟାଳୟ ଗତ ୨୦୨୨ ମସିହା ଅଗଷ୍ଟ ମାସ ୨୩ ତାରିଖରେ କହିଥିଲେ ଯେ ଦେଶର ମଙ୍ଗଳ ପାଇଁ ଏହା ଉପରେ ଏକ ବିତର୍କ ହେବା ଉଚିତ। ମାଗଣା ବଣ୍ଟନ ଯୋଜନା (ଫ୍ରିବି) ଓ ଜନକଲ୍ୟାଣ ଯୋଜନା ଭିତରେ ପାର୍ଥକ୍ୟ ଜାଣିବାର ଆବଶ୍ୟକତା ଅଛି ବୋଲି ତତ୍କାଳୀନ ପ୍ରଧାନ ବିଚାରପତି ନ୍ୟାୟମୂର୍ତ୍ତୀ ଏନ୍‌ଭି ରମଣା କହିଲା ବେଳେ ମନ୍ତବ୍ୟ ସହିତ ପ୍ରଶ୍ନ ରଖିଥିଲେ ଯେ, ପ୍ରଜ୍ଞା ବା ପ୍ରକୃଷ୍ଟ ଜ୍ଞାନ କେବଳ ଜଣେ ଲୋକ ପାଖରେ ବା ଗୋଟିଏ ରାଜନୈତିକ ଦଳ ପାଖରେ ଅଛି ବୋଲି ସେ ଭାବନ୍ତି ନାହିଁ। ଅଦାଲତଙ୍କର ମଧ୍ୟ କିଛି ଦାୟିତ୍ୱ ଅଛି। ଯଦି କୌଣସି ଦଳ ଲୋକମାନଙ୍କୁ ସିଙ୍ଗାପୁର, ହଂକଂ ଓ ବ୍ୟାଙ୍କଙ୍କ ବୁଲାଇ ନେବାକୁ କହି ଭୋଟ୍‌ ମାଗିବ, ସେ କ୍ଷେତ୍ରରେ କ’ଣ ନିର୍ବାଚନ କମିସନ ହସ୍ତକ୍ଷେପ କରିବେ ନାହିଁ?

ପୂର୍ବରୁ ଶୁଣାଣି ସମୟରେ ସର୍ବୋଚ୍ଚ ନ୍ୟାୟାଳୟ କହିଥିଲେ ଯେ ରାଜନୈତିକ ଦଳଗୁଡ଼ିକ ଲୋକଙ୍କୁ ପ୍ରତିଶୃତି ଦେବା ସ୍ୱାଭାବିକ। ତାହାକୁ ବନ୍ଦ କରାଯାଇପାରିବ ନାହିଁ। କିନ୍ତୁ ‘ଫ୍ରିବି’ ଦେବାକୁ ପ୍ରତିଶୃତି ଦେବାର ଔଚିତ୍ୟ ନିର୍ଦ୍ଧାରଣ କରାଯିବା ଉଚିତ। ତେବେ, ତାହା ପୂର୍ବରୁ ‘ଫ୍ରିବି’ କାହାକୁ କୁହାଯାଏ ତାହାର ମଧ୍ୟ ସଂଜ୍ଞା ନିରୂପଣ ହେବା ଉଚିତ। ପ୍ରଧାନ ବିଚାରପତି ପ୍ରଶ୍ନ କରିଥିଲେ, ‘ସାର୍ବଜନୀନ ସ୍ୱାସ୍ଥ୍ୟ ସେବା, ପ୍ରତ୍ୟେକ ଘରକୁ ପାନୀୟ ଜଳ ପହଞ୍ଚାଇବା ଇତ୍ୟାଦିକୁ ‘ଫ୍ରିବି’ କୁହାଯାଇପାରିବ କି?’ ଅଦାଲତ ମଧ୍ୟ ଆବେଦନ ଉପରେ ଶୁଣାଣି କରିବା ଅବସରରେ ମତ ରଖିଥିଲେ ଯେ, ‘ନିର୍ବାଚନ ସମୟରେ ଭୋଟରମାନଙ୍କୁ ଆକର୍ଷିତ କରିବା ପାଇଁ ରାଜନୈତିକ ଦଳଗୁଡ଼ିକ ‘ମାଗଣା ପାଣି ଦେବୁ, ବିଜୁଳି ଦେବୁ, ଲାପଟପ ଦେବୁ, ମୋବାଇଲ ଦେବୁ’ ଆଦି ଘୋଷଣା କରିଥାନ୍ତି, ଯାହା ଦେଶର ଅର୍ଥନୀତି ଉପରେ ଘୋର କୁପ୍ରଭାବ ପକାଉଛି।’

ଗତ ୧୨.୨.୨୦୨୫ ଦିନ ଏକ ମାମଲାର ଶୁଣାଣି ସମୟରେ ସର୍ବୋଚ୍ଚ ନ୍ୟାୟାଳୟ ପୁନର୍ବାର ନିର୍ବାଚନ ପୂର୍ବରୁ ମାଗଣା ଉପହାର ଘୋଷଣା କରିବା ପ୍ରସଙ୍ଗରେ କଡ଼ା ସମାଲୋଚନା କରିଛନ୍ତି। ସେମାନେ କହିଛନ୍ତି ଯେ ଏହି ପ୍ରଥା ଚାଲୁ ଥିବାରୁ ଲୋକଙ୍କୁ ମାଗଣା ରାସନ ଏବଂ ଟଙ୍କା ମିଳୁଛି ଏବଂ ଏହି କାରଣରୁ ସେମାନେ କାମ କରିବାକୁ ଚାହୁଁନାହାନ୍ତି। ସରକାରମାନଙ୍କ ମାଗଣା ଯୋଜନାକୁ ନେଇ ଅଦାଲତ କ୍ଷୁବ୍ଧ ହୋଇଛନ୍ତି। ସହରାଞ୍ଚଳରେ ବାସହୀନ ଲୋକଙ୍କ ଆବାସ ଅଧିକାର ସମ୍ପର୍କିତ ଏକ ମାମଲାର ଶୁଣାଣି ସମୟରେ ବିଚାରପତି ବି.ଆର. ଗାଭାଇ ଏବଂ ବିଚାରପତି ଅଗଷ୍ଟିନ ଜର୍ଜ ମାସିହଙ୍କୁ ନେଇ ଗଠିତ ଅଦାଲତଙ୍କ ଏକ ଖଣ୍ଡପୀଠ ନିର୍ବାଚନ ପୂର୍ବରୁ ମାଗଣା ବଣ୍ଟନ ଘୋଷଣାକୁ ନାପସନ୍ଦ କରିଥିଲେ। ଖଣ୍ଡପୀଠ କହିଥିଲେ, ‘ଦୁର୍ଭାଗ୍ୟବଶତଃ, ଏହି ମାଗଣା ସାମଗ୍ରୀ ବଣ୍ଟନ ଯୋଗୁଁ ଲୋକମାନେ କାମ କରିବାକୁ ଇଚ୍ଛା କରୁନାହାନ୍ତି। ସେମାନେ ମାଗଣା ରାସନ ପାଉଛନ୍ତି। କୌଣସି କାମ ନକରି ମଧ୍ୟ ସେମାନେ ଟଙ୍କା ପାଉଛନ୍ତି।’ ଖଣ୍ଡପୀଠ ପ୍ରଶ୍ନ କରିବା ମାଧ୍ୟମରେ କହିଛନ୍ତି ଯେ, ବାସହୀନଙ୍କ ପ୍ରତି ସରକାରଙ୍କ ଉଦବେଗକୁ ଆମେ ପ୍ରଶଂସା କରୁଛୁ, କିନ୍ତୁ ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ଏବଂ ରାଷ୍ଟ୍ରର ବିକାଶରେ ଯୋଗଦାନ ଦେବା ପାଇଁ ଯୋଗ୍ୟ କରିବା କ’ଣ ଭଲ ହେବ ନାହିଁ କି?’ ଆଟର୍ଣ୍ଣି ଜେନେରାଲ ଆର ଭେଙ୍କଟରମଣି ଖଣ୍ଡପୀଠଙ୍କୁ ଦର୍ଶାଇଥିଲେ ଯେ, କେନ୍ଦ୍ର ସରକାର ଦେଶର ସହରାଞ୍ଚଳରେ ବାସହୀନଙ୍କୁ ଆଶ୍ରୟ ପ୍ରଦାନ କରିବା ସମେତ ଅନେକ ସମସ୍ୟାର ସମାଧାନ ପାଇଁ ସହରାଞ୍ଚଳ ଦାରିଦ୍ର୍ୟ ଦୂରୀକରଣ ମିଶନକୁ ଚୂଡ଼ାନ୍ତ କରିବା ଦିଗରେ ଅନେକ କାର୍ଯ୍ୟ କରୁଛନ୍ତି। ଏହା ଶୁଣିବା ପରେ ଖଣ୍ଡପୀଠ ଆଟର୍ଣ୍ଣି ଜେନେରାଲଙ୍କୁ ପଚାରିଥିଲେ ଯେ, ମିଶନ୍ ଲାଗୁ କରିବାକୁ କେତେ ସମୟ ଲାଗିବ ଏବଂ ଏହା କେନ୍ଦ୍ର ସରକାର କେବେ ସାରିବେ? ଏବେ ଏହି ମାମଲାର ଶୁଣାଣି ଚାଲିଥିବା ସମୟରେ ଖଣ୍ଡପୀଠଙ୍କ ପ୍ରଶ୍ନକୁ ନେଇ ସମଗ୍ର ଦେଶରେ ଆଲୋଚନା ଓ ବିତର୍କ ଆରମ୍ଭ ହୋଇ ଯାଇଛିI ପ୍ରଶ୍ନ ଉଠୁଛି, ‘ରାଜନୈତିକ ଦଳଙ୍କର ମାଗଣା ବଣ୍ଟନ ଯୋଜନା ଦ୍ୱାର ଆମେ ଏକ ପରଜୀବୀ ଶ୍ରେଣୀ ସୃଷ୍ଟି କରୁ ନାହୁଁ କି?’

୧୯୨୧ ମସିହାରେ ମହାତ୍ମା ଗାନ୍ଧୀ ଓଡ଼ିଶା ଆସିଥିଲା ବେଳେ, ଏକ ଜନସଭାରେ ଭାଷଣ ଦେଇସାରିବା ପରେ, ସମବେତ ଶ୍ରୋତାଙ୍କୁ ପଚାରିଥିଲେ, ତୁମର କ’ଣ ଦରକାର? ସମବେତ ଜନତା ସମସ୍ୱରରେ ଉତ୍ତର ଦେଇଥିଲେ, ଚାଉଳ! ଇତିମଧ୍ୟରେ ସ୍ୱାଧୀନତା ପ୍ରାପ୍ତିର ୭୮ ବର୍ଷକୁ ମିଶାଇ ସମୁଦାୟ ୧୦୪ ବର୍ଷ ବିତିଯାଇଥିଲେ ବି ଖାଦ୍ୟାନ୍ନ ଆଜି ବି ଲୋକଙ୍କ ଦୁର୍ବଳତା ହୋଇ ରହିବା ଏକ ଦୁଃଖଦ ବିଡ଼ମ୍ବନା। ଲୋକଙ୍କ ଆବଶ୍ୟକତା ପ୍ରତି ଗୁରୁତ୍ୱ ଦେଉନଥିବା ରାଜନେତାମାନେ କିନ୍ତୁ ଦୁର୍ବଳତାର ଫାଇଦା ନେବାକୁ ଆଗେଇ ଆସୁଥିବାର ଦେଖିବାକୁ ମିଳୁଛି।

ମାଗଣା ବଣ୍ଟନ ପରିକଳ୍ପନାକୁ ଯଦି ଆମେ ଚତୁର ରାଜନୀତି କହିବା, ଏହାକୁ ମଧ୍ୟ ଖରାପ ଅର୍ଥନୀତି କହିବା ଉଚିତ ହେବ। ନିର୍ବାଚନ ପୂର୍ବରୁ ଦେଇଥିବା ପ୍ରତିଶୃତି ରକ୍ଷା କରିବା ପାଇଁ ଅନେକ ରାଜ୍ୟର ଅର୍ଥନୀତି ବିପଦରେ। ଓଡ଼ିଶା କଥା ଦେଖନ୍ତୁ। ସଂକଳ୍ପ ପତ୍ରରେ ଭାରତୀୟ ଜନତା ଦଳ ପ୍ରତିଶୃତି ଦେଇଥିଲେ ଯେ, କ୍ଷମତାକୁ ଆସିଲେ, ମହିଳାମାନଙ୍କୁ ୫୦ ହଜାର ଟଙ୍କାର ଭାଉଚର ଦେବେ, ଯାହାକୁ ସେମାନେ ଦୁଇ ବର୍ଷରେ ଖର୍ଚ୍ଚ କରିବେ। ସରକାର ଗଢ଼ିଲା ପରେ ବାସ୍ତବତା ବଦଳିଗଲା। ଦୁଇ ବର୍ଷର ଅବଧି ବଢ଼ିଗଲା, ହେଲା ପାଞ୍ଚବର୍ଷ। ଭାଉଚର ବଦଳରେ ବ୍ୟାଙ୍କ ଖାତାରେ ଦୁଇ ଥରରେ ବର୍ଷକୁ ୧୦ ହଜାର ଲେଖାଏଁ ନଗଦ ଟଙ୍କା ଦିଆଯିବ ବୋଲି କୁହାଗଲା। ଏମିତି ସବୁ ମାଗଣା ବାଣ୍ଟି, ଅନେକ ରାଜ୍ୟ ଆର୍ଥିକ ଦୃଷ୍ଟିରୁ ପଙ୍ଗୁ ହୋଇଯାଉଛନ୍ତି। କିଛି ମାସ ତଳେ ହିମାଚଳ ପ୍ରଦେଶର କଂଗ୍ରେସ ନେତୃତ୍ୱାଧୀନ ରାଜ୍ୟ ସରକାରଙ୍କ ମନ୍ତ୍ରୀମାନେ ନିଷ୍ପତ୍ତି ନେବାକୁ ବସ୍ତୁତଃ ବାଧ୍ୟ ହୋଇଥିଲେ ଯେ ଋଣ ବୋଝ ବଢୁଥିବାରୁ ନିର୍ବାଚନ ପ୍ରତିଶୃତି ପୂରଣ କରିବାରେ ସରକାର ସଂଘର୍ଷ କରୁଥିବାରୁ, ଦୁଇ ମାସ ପାଇଁ ସେମାନେ ଦରମା ନେବେ ନାହିଁ!

ଉପହାରକୁ କିଏ ବା ଭଲ ନପାଆନ୍ତି! ଗ୍ରାହକ ସଂଖ୍ୟାରେ ଅଭିବୃଦ୍ଧି କିମ୍ବା ଅଧିକ ଖର୍ଚ୍ଚ କରିବାକୁ ଚାହୁଁଥିବା ବ୍ୟବସାୟିକ ସଂସ୍ଥାମାନଙ୍କର ମୌଳିକନୀତି ହେଲା ଉପହାର ଦେଇ ଆଦୃତି ସାଉଁଣ୍ଟିବା। ଭାରତରେ ନିର୍ବାଚନ ପାଇଁ ମଧ୍ୟ ଏହା ପ୍ରଯୁଜ୍ୟ। ଆମ ଦେଶର ରାଜନୈତିକ ଦଳଗୁଡ଼ିକ ଚୁଟକିରେ ହଜାର ହଜାର କୋଟି ଟଙ୍କାର ତୁଷ୍ଟିକରଣ ଯୋଜନା ଏବଂ ଅଣ-ଉତ୍ପାଦକ ପ୍ରୋତ୍ସାହନର ପ୍ରତିଶୃତି ଦେଇ ନିଜ ସପକ୍ଷରେ ଭୋଟ ଆଦାୟ କରିବାକୁ ସବୁପ୍ରକାର ଚେଷ୍ଟା କରି ଥାଆନ୍ତି। ତେବେ, ଏହି ସମସ୍ତ ଅର୍ଥ ଯେ ସେହି ଭୋଟର କରଦାତାଙ୍କ ପକେଟରୁ ବାହାର କରାଯାଇଥାଏ, ଏହା ସଭିଏଁ ଜାଣି ବି ନୀରବ ରହନ୍ତି। ମାଗଣା ବଣ୍ଟନ ହେଉଛି ରାଜନୈତିକ ଦଳମାନେ ଦେଉଥିବା ସ୍ୱଳ୍ପକାଳୀନ ଦାନ। ଭୋଟରମାନଙ୍କୁ ପ୍ରଲୁବ୍ଧ କରି ଭୋଟ ହାତେଇନେବା ଏହାର ଏକମାତ୍ର ଉଦ୍ଦେଶ୍ୟ। ଦୁଃଖର କଥା ଯେ, ନିର୍ବାଚନ ଆସିଲେ, ରାଜନେତାମାନେ ଏହାକୁ ଜନମଙ୍ଗଳକାରୀ ନୀତି ବୋଲି କହିବାକୁ ଲଜ୍ୟାବୋଧ କରନ୍ତି ନାହିଁ। ରାଜନେତା ଓ ଦଳମାନଙ୍କୁ କାହିଁକି ଦୋଷ ଦେବା, ୨୦୨୨ରେ ଭାରତୀୟ ରିଜର୍ଭ ବ୍ୟାଙ୍କ ନିଜର ବିବରଣୀରେ ମାଗଣା ବଣ୍ଟନକୁ ଜନମଙ୍ଗଳକାରୀ ପଦକ୍ଷେପ ବୋଲି କହିଥିଲେ।

ନିର୍ବାଚନ ସମୟରେ ଭୋଟରଙ୍କ ଆସ୍ଥା ଜିଣିବା ଓ ଦଳକୁ ଜିତାଇବା ପାଇଁ ରାଜନୈତିକ ଦଳଗୁଡ଼ିକ ଯେଉଁ କସରତ କରନ୍ତି, ତାହା ମଧ୍ୟରେ ନିଶ୍ଚୟ ରହିଥାଏ ଦେଶ ଓ ରାଜ୍ୟକୁ ଘିଅ ଓ ମହୁରେ ଭସାଇବାର ସୁନେଲି ସ୍ୱପ୍ନ, ପୂର୍ବ-ସରକାର ଅମଳର ଦୁର୍ନୀତିର ତଦନ୍ତ ଓ ଅନେକ ମାଗଣା ବଣ୍ଟନ ପାଇଁ ଲୋଭନୀୟ ସଂକଳ୍ପ। ଶେଷୋକ୍ତ କଥାଟିକୁ ସେମାନେ ଜନ ମଙ୍ଗଳକାରୀ ନୀତି ବୋଲି ପ୍ରଚାର କରନ୍ତି। ମହିଳାଙ୍କ ଉନ୍ନତି ପାଇଁ ଆର୍ଥିକ ଅନୁଦାନ ଦେବାର ବାଦିପାଲାରେ ଯେଉଁ ଦଳ ମହିଳା ସଶକ୍ତିକରଣ ଅଧିକ ଟଙ୍କା ଦେବାର ପ୍ରତିଶୃତି ସହିତ ମାଗଣା ବିଦ୍ୟୁତ୍, ପାନୀୟ ଜଳ, ବସ୍ ଯାତ୍ରା, ସାଇକେଲ୍, ଇତ୍ୟାଦି ପ୍ରଚାର କରନ୍ତି, ଆଶ୍ଚର୍ଯ୍ୟଜନକ କଥା ଯେ ସେମାନଙ୍କ ସପକ୍ଷରେ ଜନମତ ବଢ଼ିଯାଏ। ୨୦୨୨ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାଗଣା ବଣ୍ଟନ ବ୍ୟବସ୍ଥାକୁ ‘ରେବଡ଼ି’ କହି, ଏହାକୁ କେତେଦିନ ଯାଏଁ ଚଳାଇ ହେବ ବୋଲି ସନ୍ଦେହ ପ୍ରକଟ କରି ଥିଲେ ହେଁ ତାଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ମାଗଣା ଖାଦ୍ୟଶସ୍ୟ ଯୋଜନାରେ କେବଳ ସବସିଡି ଆକାରରେ ୧୧.୮ ଲକ୍ଷ କୋଟି ଟଙ୍କା ବ୍ୟୟ କରିବାକୁ ପଛାଇ ନଥିଲେ। କୃଷି ଋଣ ଛାଡ଼ ଏବଂ ସରକାରୀ ଚାକିରିଠାରୁ ଆରମ୍ଭ କରି ମାଗଣା ଶିକ୍ଷା, ଅଧିକ ରନ୍ଧନ ଗ୍ୟାସ ସବସିଡି, ମହିଳାଙ୍କ ପାଇଁ ଆର୍ଥିକ ପ୍ୟାକେଜ, କଲେଜ ପଢୁଥିବା ଛାତ୍ରଙ୍କ ପାଇଁ ଲାପଟପ୍ ଏବଂ ଆହୁରି ଅନେକ ପ୍ରକାର ‘ରେବଡ଼ି’ ବାଣ୍ଟିବା ଏବେ ନିର୍ବାଚନ ବିଜୟର ଚାବିକାଠି ହୋଇ ଯାଇଛି।

ଯଦିଓ ଭାରତୀୟ ନିର୍ବାଚନରେ ​​ମାଗଣା ବଣ୍ଟନ ଘୋଷଣା କିଛି ନୂଆ ନୁହେଁ, କିନ୍ତୁ ଗତ କିଛି ବର୍ଷ ମଧ୍ୟରେ ଏହି ଦ୍ରୁତ ବିବର୍ତ୍ତିତ ଧାରା ଏକ ପ୍ରସଙ୍ଗ ପାଲଟି ଯାଇ ବିତର୍କିତ ହୋଇଯାଇଛି। ଏହିଭଳି ଯୋଜନାଗୁଡ଼ିକ ପାଇଁ କରାଯାଉଥିବା ଖର୍ଚ୍ଚ ଯେ ଶେଷରେ ଭୋଟରଙ୍କୁ ପ୍ରାୟତଃ ଅଧିକ ଟିକସ ଆକାରରେ ବହନ କରିବାକୁ ପଡ଼ିବ, ତାହା ସମସ୍ତେ ଉପଲବ୍ଧି କଲେଣି। ନୀତି ଆୟୋଗ ଅନୁସାରେ, ବିହାର ଓ ପଶ୍ଚିମ ବଙ୍ଗରେ ଛାତ୍ରୀମାନଙ୍କୁ ସାଇକେଲ୍ ଯୋଗାଇଦେବା ଫଳରେ ପାଠପଢ଼ା ସରିବା ପୂର୍ବରୁ ଝିଅମାନେ ସ୍କୁଲ ଛାଡ଼ିବା କମିଛି, ନାରୀଶିକ୍ଷା ହାରରେ ଅଭିବୃଦ୍ଧି ଘଟିଛି, ଶିକ୍ଷିତ ମହିଳାଙ୍କ ଆତ୍ମବିଶ୍ୱାସ ବଢ଼ିଛି। ମହିଳା ସଶକ୍ତିକରଣର ଏହା ଏକ ସଫଳ ଉଦାହରଣ। ସେହିପରି, ଅନ୍ୟତମ ଯୋଜନା ହେଲା ସ୍କୁଲମାନଙ୍କରେ ମାଗଣା ମଧ୍ୟାହ୍ନ ଭୋଜନ ବଣ୍ଟନ ବ୍ୟବସ୍ଥା। ପୂର୍ବରୁ ଅଷ୍ଟମ ଶ୍ରେଣୀ ଯାଏଁ ମିଳୁଥିବା ଏହି ବ୍ୟବସ୍ଥା ଏବେ ଓଡିଶା ସରକାର ନବମ ଓ ଦଶମ ଶ୍ରେଣୀ ଯାଏଁ ବଢାଇବାକୁ ଯାଉଛନ୍ତି ଓ ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ମାଧୋ ସିଂହ ବୃତ୍ତି ଆରମ୍ଭ କରିଛନ୍ତି। ଏଗୁଡିକୁ ମାଗଣା ବଣ୍ଟନ କହିବା ନା ଜନକଲ୍ୟାଣକାରୀ କହିବା, ତାହା ନିଶ୍ଚୟ ବିତର୍କିତ ବିଷୟ। ତେବେ, ଗୋଟିଏପଟେ ଓଡିଶା ସରକାରଙ୍କ ପକ୍ଷରୁ ଗଣବିବାହ ଉତ୍ସବରେ ଭାଗନେଇ ବାହା ହେଉଥିବା ଗରିବ ଘରର ଝିଅମାନଙ୍କୁ ଆର୍ଥିକ ସାହାଯ୍ୟ ଦେବାପାଇଁ ଯୋଜନା କରିବା ଓ ଅନ୍ୟପଟେ ତାମିଲନାଡୁରେ ବିବାହ କରୁଥିବା ଗରିବ ଘରର କନ୍ୟାଙ୍କୁ ମଙ୍ଗଳସୂତ୍ର, ଟେଲିଭିଜନ ଓ ବାସନକୁସନ ଦେବାକୁ କେବେ ହେଁ ସମାନ ଭାବେ ଦେଖାଯାଇ ପାରିବନି। ସେହିପରି, ଓଡିଶାରେ ଜଗନ୍ନାଥ ଦର୍ଶନ ପାଇଁ ମାଗଣା ବସ୍ ସେବା, ତୀର୍ଥ ପର୍ଯ୍ୟଟନ ପାଇଁ ମାଗଣା ବ୍ୟବସ୍ଥା, ମାଗଣାରେ ମହାପ୍ରସାଦ ବଣ୍ଟନ ପରିକଳ୍ପନା ମଧ୍ୟ ମାଗଣା ବଣ୍ଟନ ସଂସ୍କୃତିର କିଛି ଉଦାହରଣ, ଯାହା ଅର୍ଥନୀତି ପାଇଁ କ୍ଷତିକାରକ।

ଖୁସିର କଥା ଯେ, ମାଗଣା ବଣ୍ଟନ ସଂସ୍କୃତିକୁ ଆମ ଦେଶର ୫୬ ପ୍ରତିଶତ ଲୋକ ଅନାବଶ୍ୟକ, ୭୮ ପ୍ରତିଶତ ଲୋକ ଭୋଟ ଭିକ୍ଷା କୌଶଳ, ୬୧ ପ୍ରତିଶତ ଲୋକ ଏଥିପାଇଁ ଉଦବେଗ ପ୍ରକାଶ କରନ୍ତି। ଏଥିରେ ଦେଶର ଅର୍ଥନୀତି ବିଗିଡିବ ବୋଲି ସେମାନେ ବିଶ୍ୱାସ କରନ୍ତି। ଧନୀ ଲୋକମାନଙ୍କ ମଧ୍ୟରୁ ୮୪ ପ୍ରତିଶତ ପ୍ରତ୍ୟକ୍ଷ କରଦାତା ଏହିଭଳି ଅପସଂସ୍କୃତି ପ୍ରସାରିତ ହେଉଥିବାରୁ କ୍ଷୁବ୍ଧ। ଏପରିକି ସ୍ୱଳ୍ପ ଆୟକାରୀ ମଧ୍ୟବିତ୍ତ ଜନସମୁଦାୟର ୪୬ ପ୍ରତିଶତ ଲୋକ ମାଗଣା ବଣ୍ଟନକୁ ନାପସନ୍ଦ କରନ୍ତି। ଅଧିକାଂଶ ଗରିବ ଲୋକ ମାଗଣା ସଂସ୍କୃତିର ସ୍ତାବକ। ସେଥିପାଇଁ ଓଡିଶାରେ ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ଅତ୍ୟନ୍ତ ଜନପ୍ରିୟତା ହାସଲ କରିଥିଲା ଓ ଯାହାର ଶ୍ରେୟ ନେବାକୁ ନବୀନ ସରକାର ଓଡିଶାରେ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଲାଗୁ କରୁ ନଥିଲେ।

ଏହି ସମସ୍ତ ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଅନେକ ମାମଲା ଚାଲୁ ରହିଛି। କରଦାତାଙ୍କଠାରୁ ଆଦାୟ ହେଉଥିବା ଅର୍ଥକୁ ଖର୍ଚ୍ଚକରି ରାଜନୈତିକ ଦଳଗୁଡ଼ିକ ନଗଦ ଏବଂ ଅନ୍ୟାନ୍ୟ ମାଗଣା ବଣ୍ଟନ କରିବାରୁ ନିବୃତ୍ତ ରହିବାକୁ ମଧ୍ୟପ୍ରଦେଶ ଓ ରାଜସ୍ଥାନ ରାଜ୍ୟ ସରକାର, କେନ୍ଦ୍ର ସରକାରଙ୍କୁ ଆଦେଶ ଦେବା ସହିତ ନିର୍ବାଚନ କମିଶନ ବ୍ୟାପକ ମାର୍ଗଦର୍ଶିକା ଦିଅନ୍ତୁ ବୋଲି ଏକ ଆବେଦନ ଉପରେ ସୁପ୍ରିମକୋର୍ଟ ନୋଟିସ୍ ଜାରି କରିଥିଲେ। କିଛିଦିନ ପୂର୍ବରୁ, ସୁପ୍ରିମକୋର୍ଟ ନିର୍ବାଚନ ମାଗଣା ବଣ୍ଟନ ଉପରେ ନାପସନ୍ଦ କରି ପ୍ରଶ୍ନ କରିଥିଲେ, "ଆମେ କ'ଣ ପରଜୀବୀମାନଙ୍କ ଶ୍ରେଣୀ ସୃଷ୍ଟି କରୁନାହୁଁ?" ସୁପ୍ରିମକୋର୍ଟଙ୍କ କଡ଼ା ମନ୍ତବ୍ୟ ଏପରି ଏକ ସମୟରେ ଆସିଥିଲା ​​ଯେତେବେଳେ ରାଜନୈତିକ ଦଳଗୁଡ଼ିକ ରାଜ୍ୟ ଆର୍ଥିକ ସ୍ଥିତି ପ୍ରତି ସାମାନ୍ୟତମ ଚିନ୍ତା ନକରି ମାଗଣା ବଣ୍ଟନ ମାଧ୍ୟମରେ ଭୋଟରମାନଙ୍କୁ ଆକର୍ଷିତ କରିବାକୁ ସବୁ ପ୍ରକାର ଚେଷ୍ଟା କରିବାରେ ଲଜ୍ଜାବୋଧ କରୁନଥିଲେ I ମାନ୍ୟବର କୋର୍ଟ କହିଛନ୍ତି ଯେ ଲୋକମାନଙ୍କୁ ମୁଖ୍ୟଧାରାରେ ସାମିଲ କରିବା ଭଲ; ଯାହା ଦ୍ୱାରା ସେମାନେ ଦେଶ ଗଠନରେ ଯୋଗଦାନ ଦେଇପାରିବେ।

କୃଷି ଋଣ ଛାଡ଼ କରାଗଲେ, ଦୀର୍ଘକାଳୀନ ଭାବରେ ଏହାର ନକାରାତ୍ମକ ପ୍ରଭାବ ପଡ଼ିଥାଏ। ଏହା ଅଭିବୃଦ୍ଧି ଏବଂ ବିକାଶ ଓ ଉତ୍ପାଦକତା ବୃଦ୍ଧି କରେନାହିଁ I ବଜେଟ୍ ପ୍ରସ୍ତୁତି ବେଳେ, ଏହା ସରକାରଙ୍କ ଋଣ ଏବଂ ଆର୍ଥିକ ନିଅଣ୍ଟକୁ ପ୍ରଭାବିତ କରେ। ଏହା ବର୍ତ୍ତମାନ କିମ୍ବା ଭବିଷ୍ୟତରେ ସମ୍ପତ୍ତି ଅଭିବୃଦ୍ଧିରେ ସାହାଯ୍ୟ କରେନାହିଁ। କିଛି ଅର୍ଥନୀତିଜ୍ଞ କୁହନ୍ତି ଯେ ଲୋକମାନେ କ୍ଷଣସ୍ଥାୟୀ ଲାଭ ଖୋଜନ୍ତି ଏବଂ ସରକାର ଦୀର୍ଘକାଳୀନ ଅଭିବୃଦ୍ଧି ବୃଦ୍ଧିକାରୀ ଖର୍ଚ୍ଚ ବଦଳରେ କ୍ଷଣସ୍ଥାୟୀ ଲାଭ ପ୍ରଦାନ କରି ନିର୍ବାଚନ ଜିତିବାକୁ ଚାହାଁନ୍ତି I

ନିର୍ବାଚନରେ ତୁଷ୍ଟିକରଣ କ୍ରମଶଃ ମୁଖ୍ୟସ୍ଥାନ ନେଉଛି । ପୁଞ୍ଜି ଖର୍ଚ୍ଚ ଏବଂ ଆର୍ଥିକ ସତର୍କତା ଉପରେ ଧ୍ୟାନ ଦେଇ, ରାଜନୈତିକ ଦଳଗୁଡ଼ିକୁ ଆର୍ଥିକ ଲାଭ ଏବଂ ଭୋଟ୍-ବ୍ୟାଙ୍କ ରାଜନୀତି ମଧ୍ୟରେ ଏକ ସୂକ୍ଷ୍ମ ସନ୍ତୁଳନ ବଜାୟ ରଖି କଡ଼ା ପଦକ୍ଷେପ ନେବାକୁ ହେବ I କୃଷି ଶ୍ରମିକ ଆଉ ମିଳୁ ନାହାନ୍ତି। ସମସ୍ତେ ଘରେ ଅନେକ କିଛି ମାଗଣାରେ ପାଉଛନ୍ତି। ସରକାର ଲୋକମାନଙ୍କୁ ସୁଲଭ ମୂଲ୍ୟରେ ଖାଦ୍ୟ, ଆଶ୍ରୟ, ବିଶୁଦ୍ଧ ପାନୀୟ ଜଳ, ଶୌଚାଳୟ, ଗୁଣାତ୍ମକ ଶକ୍ତି, ସ୍ୱାସ୍ଥ୍ୟସେବା, ଶିକ୍ଷା ଏବଂ ପ୍ରଦୂଷଣମୁକ୍ତ ବାୟୁ ମିଳିବାର ବ୍ୟବସ୍ଥା ସୃଷ୍ଟିକରିବା ଆବଶ୍ୟକ। ଫଳରେ ନାଗରିକମାନେ ସୁଖୀ ଜୀବନଯାପନ ପାଇଁ କଠିନ ପରିଶ୍ରମ କରିବେ। ସାମାଜିକ ନ୍ୟାୟ, ଲିଙ୍ଗଗତ ସମାନତା ପ୍ରଦାନ କରିବା ସରକାରଙ୍କ ଦାୟିତ୍ବ I ଲୋକଙ୍କ ସାମର୍ଥ୍ୟ ବୃଦ୍ଧି କରି ସେମାନଙ୍କୁ ଶିକ୍ଷିତ ଓ ରୋଜଗାରକ୍ଷମ କରିବାକୁ ଦେଶର ଦଳ ମତ ନିର୍ବିଶେଷରେ ନେତାଏ ଚେଷ୍ଟା କରନ୍ତୁ I ଲୋକଙ୍କୁ ପ୍ରଲୋଭିତ କରି ମାଗଣା ବଣ୍ଟନ କରି କ୍ଷମତା ଅକ୍ତିଆର କରିବା କାହାର ବି ଲକ୍ଷ ନହେଉ I ବିକଶିତ ଭାରତର ପରିକଳ୍ପନା କେବେହେଁ ମାଗଣା ବଣ୍ଟନ ସଂସ୍କୃତି ଉପରେ ଆଶ୍ରାକରି ବଢି ପାରିବ ନାହିଁ I

ଫୋ- ୯୪୩୮୨୯୯୦୩୭

Related story