Javed Akhtar Photograph: (Internet)
ଦେବ ରଞ୍ଜନ
ଜାଭେଦ ଅଖତାର ଭାରତୀୟ ହିନ୍ଦୀ ଫିଲ୍ମ ଦର୍ଶକଙ୍କ ଲାଗି ଅତି ପରିଚିତ ନାମ। ସେ ଉର୍ଦ୍ଦୁ ଭାଷାର କବି ମଧ୍ୟ। କିନ୍ତୁ ଯେଉଁ ଅଳ୍ପ କେତେକ ସେଲେବ୍ରିଟି ନିଜକୁ ମୁକ୍ତ ଭାବରେ ‘ନାସ୍ତିକ’ଏ ଦେଶରେ ଘୋଷଣା କରିଛନ୍ତି ସେମାନଙ୍କ ମଧ୍ୟରୁ ସେ ଜଣେ। ତାଙ୍କର ଏହି ପରିଚୟ ମୋତେ କିଛି ପରିମାଣରେ ଭଲ ଲାଗେ, ଯଦିଓ ମୁଁ ନାସ୍ତିକ ନୁହେଁ।
ଜାଭେଦ ଅଖତାରଙ୍କ ବିଭିନ୍ନ ଭାଷଣ ଓ ପୋଡକାଷ୍ଟରୁ ମୁଁ ଯେତିକି ଜାଣିଛି ସେ କହୁଛନ୍ତି, ‘ଯଦି ଏ ଦୁନିଆର ସମସ୍ତ ମଣିଷ ଆଲ୍ଲାଙ୍କ ସନ୍ତାନ ତେବେ ତାଙ୍କର ସନ୍ତାନମାନେ ଦାରିଦ୍ର୍ୟ ଓ କ୍ଷୁଧାରେ ମୃତ୍ୟୁବରଣ କରୁଥିବା ବେଳେ,ଯୁଦ୍ଧରେ ପ୍ରାଣ ଦେଉଥିବା ବେଳେ, ଆତ୍ମହତ୍ୟା କରୁଥିବା ବେଳେ କି ଧର୍ଷିତ ହେଉଥିବା ବେଳେ ଆଲ୍ଲା ସବୁ ଦେଖି ମଧ୍ୟ ନୀରବ କେଉଁଭଳି ରହୁଛନ୍ତି?’ସେଥିଲାଗି ସେ ଯୁକ୍ତି କରନ୍ତି ଆଲ୍ଲା ବା ଭଗବାନଙ୍କର କୌଣସି ଅସ୍ତିତ୍ଵ ନାହିଁ। କେବଳ କିଛି ଚାଲାକ ଲୋକ ବିଭିନ୍ନ ଧର୍ମରେ ଅଛନ୍ତି ଯେଉଁମାନେଲୋକଙ୍କ ମଧ୍ୟରେ ଭୟ ଓ ଲୋଭ ସୃଷ୍ଟି କରିବା ଲାଗି ଏଭଳି ଅଦୃଶ୍ୟ ଶକ୍ତି ତିଆରି କରିଛନ୍ତି।
ଜାଭେଦଙ୍କ ଦୃଷ୍ଟିରେ ଧର୍ମ ଅନୁଷ୍ଠାନ ହେଉଛି ଲୋଭ ଓ ଭୟ ବାଣ୍ଟଥିବା ସ୍ଥାନ। ଚାହେ ପୂଜକ ହେଉ କି ମୁଲ୍ଲା ଅଥବା ଚର୍ଚ୍ଚର ଫାଦର ସମସ୍ତେ କୁହନ୍ତି ପାପ କଲେ ପୋକମାଛିର ଜୀବନ ପାଇବ। ଯଦି ମୁଁ (ଜାଭେଦ) ପାପ କଲି (ଯାହାକୁ ସେମାନେ ପାପ କାମ କହୁଛନ୍ତି) ଓ ଆସନ୍ତା ଜନ୍ମରେ ମନେକର ଅସରପା ହେଲି ତେବେ ଅସରପାରୁ ପୁଣି ମଣିଷ ହେବାର ରାସ୍ତା କ’ଣ ହୋଇପାରେ ସେ ସମ୍ବନ୍ଧରେ କେଉଁ ଧର୍ମଗ୍ରନ୍ଥରେ କିଛି ଉଲ୍ଲେଖ ରହିନାହିଁ ବା ଧର୍ମମୁଖ୍ୟମାନେ କିଛି କହୁନାହାନ୍ତି। ସେ ନାସ୍ତିକ ଭାବରେ ଯେଉଁ ପ୍ରଶ୍ନ ଧର୍ମ ଅନୁଷ୍ଠାନର ମୁଖ୍ୟମାନଙ୍କୁ କରୁଛନ୍ତି ସେଥିରେ ସେମାନେ କ୍ଷୁବ୍ଧ ହେବା ସ୍ଵାଭାବିକ। ଏଭଳି ସାହସ କ୍ଵଚିତ ଭାରତର ସେଲିବ୍ରିଟିମାନଙ୍କ ମଧ୍ୟରେ ଦେଖାଯାଉଛି।
କିନ୍ତୁ ଜାଭେଦ ଅଖତାର ଆଜି ପର୍ଯ୍ୟନ୍ତ ହିନ୍ଦୀ ଫିଲ୍ମ ସହିତ ନିଜକୁ ସମ୍ପୃକ୍ତ ରଖିଛନ୍ତି। ସେ ସକ୍ରିୟ ରହିଥିବା ଅବସ୍ଥାରେ ହିନ୍ଦୀ ଫିଲ୍ମ କଳା ବା ସୃଜନଶୀଳତାକୁ କେବେଠାରୁ ହରାଇସାରିଲାଣି। ଏହାର ସଂପୂର୍ଣ୍ଣ ବ୍ୟବସାୟିକରଣ ହୋଇଯାଇଛି। ଏହା ବିରାଟ ଶିଳ୍ପରେ ପରିଣତ ହୋଇଛି କିନ୍ତୁ କେତେ ଲୋକଙ୍କୁ ନିଯୁକ୍ତ ଦେଇଛି ତାହାର କୌଣସି ତଥ୍ୟ ନାହିଁ ଅର୍ଥାତ ଏହାର ଶ୍ରମିକମାନେ ଆଦୌ ସଂଗଠିତ ନୁହନ୍ତି। ଏପରିକି ଜାଭେଦ ଅଖତାର ନିଜେ ନା ଫିଲ୍ମରେ ପ୍ରତିବାଦର ସ୍ଵର ଦେଖାଉଛନ୍ତି ନା ଆମ ସମାଜର ଦାରିଦ୍ର୍ୟ, ଶୋଷଣ ଓ ବ୍ୟଭିଚାର ବିରୁଦ୍ଧରେ ତାଙ୍କର ପ୍ରତିବାଦର ସ୍ଵର ଅନ୍ୟତ୍ର କେଉଁଠାରେ ଦେଖିବାକୁ ମିଳୁଛି!
ଏହା ସ୍ଵାଭାବିକ ଯେ କେତେକ ଇସଲାମିକ ସଂଗଠନକୁ ଜାଭେଦଙ୍କ ବିଚାର ପସନ୍ଦ ହୋଇନାହିଁ। କିନ୍ତୁ ସେମାନେ ସଂଗଠିତ ଭାବରେ କଲିକତା କାର୍ଯ୍ୟକ୍ରମକୁ ବିରୋଧ କରିବା ଓ ଜାଭେଦଙ୍କ ଉପସ୍ଥିତିକୁ ପ୍ରଶ୍ନ କରିବା ଆଶ୍ଚର୍ଯ୍ୟର ବିଷୟ। ତାହାଠାରୁ ଆଶ୍ଚର୍ଯ୍ୟର ବିଷୟ ହେଲା ପଶ୍ଚିମ ବଙ୍ଗର ତୃଣମୂଳ କଂଗ୍ରେସ ସରକାର ନିଜର ଆୟୋଜିତ ଉର୍ଦ୍ଦୁ ଏକାଡେମି ଉତ୍ସବକୁ ମୌଳବାଦୀଙ୍କ ବିରୋଧ କାରଣରୁ କୌଣସି କାରଣ ନଦର୍ଶାଇ ବାତିଲ କରିଦେବା। ସାମ୍ବାଦିକ ସମ୍ମିଳନୀ ଆୟୋଜନ କରି ଯେଉଁ ବ୍ୟକ୍ତିମାନେ ଖୋଲା ‘ଧମକ’ଦେଉଥିଲେ ସେମାନଙ୍କୁ ସରକାର ନୋଟିସ କରିବା ବଦଳରେ ଉର୍ଦ୍ଦୁ ପାଠକମାନଙ୍କୁ ଏକ ଭଲ କାର୍ଯ୍ୟକ୍ରମରୁ ବଞ୍ଚିତ କରିବା ଦ୍ଵାରା ସମାଜରେ ମୌଳବାଦୀ ଶକ୍ତିଙ୍କ ଗ୍ରହଣୀୟତା ବଢ଼ିଲା। ସେମାନେ ଦାବି କରୁଥିଲେ ଯେ ପ୍ରଥମେ ଜାଭେଦ ଅଖତାର କଲିକତାରେ ସେମାନଙ୍କ ସହିତ ଆଲ୍ଲାଙ୍କ ଅସ୍ତିତ୍ଵକୁ ନେଇ ବିତର୍କ କରନ୍ତୁ ପୁଣି କାର୍ଯ୍ୟକ୍ରମକୁ ଯା’ନ୍ତୁ। ମୌଳବାଦୀ ଶକ୍ତିମାନେ ସମ୍ବିଧାନର ବିରୁଦ୍ଧରେ କାର୍ଯ୍ୟ କରି ମଧ୍ୟ ନିଜକୁ ଏହା ଦ୍ୱାରା ଶକ୍ତିଶାଳୀ ମନେକରିବା ସ୍ଵାଭାବିକ।
ରାଜନୈତିକ ଦଳ ଲାଗି ଗଣତନ୍ତ୍ର କେବଳ ଭୋଟ ଜିତିବା ଲାଗି ଏକ ବ୍ୟବସ୍ଥା ଭାବରେ ରହିଯାଉଛି। ନିର୍ବାଚିତ ଶାସକ ଦଳର ସଦସ୍ୟମାନେ ଗଣତନ୍ତ୍ରକୁ ନିଜର ଘରର କଣ୍ଢେଇ କରିଦେଇଛନ୍ତି, ଯେତେବେଳେ ଚାହିଁଲେ ଯେଉଁଭଳି ଚାହିଁଲେ ଚାବି ମୋଡ଼ିଲେ ଫଳାଫଳ ଦେଉଛି। ସେମାନଙ୍କ ଏତାଦୃଶ ନିଷ୍ପତ୍ତି ଯେ ସମାଜରେ କ’ଣ ପ୍ରଭାବ ସୃଷ୍ଟି କରୁଛି ବା କରିବ ସେଥିଲାଗି ସେମାନେ ଆଦୌ ଚିନ୍ତିତ ନୁହନ୍ତି। କେବଳ ନିର୍ବାଚନରେ କେଉଁଭଳି ଜିତିବେ ତାହାର ଗଣିତ ସେମାନେ ଅଧିକ ସମୟ କଷିଥାନ୍ତି। ସେହି କଲିକତାରେ ଆଜିକୁ ଅନେକ ବର୍ଷ ତଳେ ତସଲିମା ନସରିନଙ୍କ ଉପରେ ଇସଲାମୀ ମୌଳବାଦୀ ଶକ୍ତିଙ୍କ ଦ୍ଵାରା ଶାରୀରିକ ଆକ୍ରମଣ (୨୦୦୭) ହୋଇଥିଲା। ତତ୍କାଳୀନ ସରକାର ମୁସଲମାନ ଭୋଟ ହରାଇବା ଭୟରେ ତାଙ୍କୁ କଲିକତା ଛାଡ଼ିବା ଲାଗି ବାଧ୍ୟ କରିଥିଲେ।
ଜାଭେଦ ଅଖତାର ଓ ତସଲିମାଙ୍କ କ୍ଷେତ୍ରରେ ଯାହା ହୋଇଥିଲା ହିନ୍ଦୁ ମୌଳବାଦୀ ଶକ୍ତିଙ୍କ ଦ୍ଵାରା ଭାରତର ଅନେକ ପ୍ରାନ୍ତରେ ଲେଖକ, କବି, ହେତୁବାଦୀ ଓ ସାମ୍ବାଦିକଙ୍କ କ୍ଷେତ୍ରରେ ଅନେକ ଥର ସେହିଭଳି ଘଟଣା ହୋଇଛି।
ମହାରାଷ୍ଟ୍ରର ପୁନେ ସହରରେ ନରେନ୍ଦ୍ର ଦାଭୋଲକର ‘ଅନ୍ଧଶ୍ରଦ୍ଧା ନିର୍ମୋଳନ ସମିତି’ପ୍ରତିଷ୍ଠା କରି ଅନ୍ଧବିଶ୍ଵାସ ବିରୁଦ୍ଧରେ ନିୟମିତ କାର୍ଯ୍ୟକ୍ରମ ନେଉଥିଲେ। ଯେତେବେଳେ ସମାଜରେ ଗୁଣିଗାରେଡ଼ି, ପୂଜାପାଠ, ଓଷାବ୍ରତ ଓ ମନ୍ଦିରର ରାଜନୀତି ଅଧିକ ଚାଲୁଅଛି, ସମାଜକୁ ଏଥିରୁ ଚେତିତ କରିବା ଆବଶ୍ୟକ ହେଉଛି ସେହି ସମୟରେ ହିନ୍ଦୁ ମୌଳବାଦୀ ସଂଗଠନର କେତେକ ସଦସ୍ୟ ତାଙ୍କୁ ହତ୍ୟା (ଅଗଷ୍ଟ ୨୦, ୨୦୧୩ ଦିନ) କରୁଛନ୍ତି। ଏହା ଦ୍ୱାରା ସେମାନେ ସମାଜକୁ ସୂଚୀତ କରୁଛନ୍ତି ଯେ ଧର୍ମ ନାମରେ ଚାଲିଥିବା ଗୁଣିଗାରେଡ଼ି, ଅନ୍ଧବିଶ୍ଵାସ ମାଧ୍ୟମରେ ସେମାନଙ୍କ ବ୍ୟବସାୟରେ ଯଦି ବାଧା ଆସେ ତେବେ ସେମାନେ ତାହାକୁ ମୃତ୍ୟୁଦଣ୍ଡ ଦେବେ। ଆଜିର ସମୟରେ ମାତ୍ର ଦୁଇ ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଓ ତିନି ଜଣଙ୍କୁ କୋର୍ଟ ନିର୍ଦ୍ଦୋଷ କରିଛନ୍ତି।
ମହାରାଷ୍ଟ୍ରରେ ହିନ୍ଦୁ ମୌଳବାଦୀ ଶକ୍ତିମାନେ ଶିବାଜୀଙ୍କୁ ନେଇ ଯେଉଁ ମିଥ୍ୟା ତଥ୍ୟ ପ୍ରକାଶ କରୁଥିଲେ ଯେ ସେ ସଂପୂର୍ଣ୍ଣ ମୁସଲମାନ ବିରୋଧୀ ଥିଲେ ତାହାକୁ ବିରୋଧ କରି ଗୋବିନ୍ଦ ପାନେସର, ପୁରୁଣା କମ୍ୟୁନିଷ୍ଟ କର୍ମୀ (ସିପିଆଇ ସଦସ୍ୟ) ତଥା ଲେଖକ, ତଥ୍ୟ ପୂର୍ଣ୍ଣ ପୁସ୍ତକ ପ୍ରକାଶ କରିବା କାରଣରୁ (‘କୋନ ହୋତା ଶିବାଜୀ’) କୋହ୍ଲାପୁର ସହରରେ ସେମାନେ ହତ୍ୟା (ଫେବୃଆରୀ ୨୦, ୨୦୧୫ ଦିନ)କରିଥିଲେ। ଗିରଫ ଛଅ ଜଣଙ୍କ ବିଚାର ଏବେ ବି ଚାଲିଛି। ସମସ୍ତେ ଜାମିନରେ ଅଛନ୍ତି। ଏହାକୁ କ’ଣ କୁହାଯିବ ନିରପେକ୍ଷ ବିଚାର?
କର୍ଣ୍ଣାଟକର ପ୍ରଫେସର କଲବୁର୍ଗୀଙ୍କ ଯୁକ୍ତି ଥିଲା ଯେ ଦ୍ଵାଦଶ ଶତାବ୍ଦୀର ବସବନ୍ନା ସଂପୂର୍ଣ୍ଣ ମୂର୍ତ୍ତିପୂଜା ଓ ଜାତିବାଦ ବିରୋଧୀ ଥିଲେ। ଅଥଚ ତାଙ୍କୁ ଅଗଷ୍ଟ ୩୦, ୨୦୧୫ ଦିନ ଘର ମଧ୍ୟରେ ପଶି ହତ୍ୟା କରାଯାଇଥିଲା। କର୍ଣ୍ଣାଟକର ସାମ୍ବାଦିକ ଗୌରୀ ଲଙ୍କେଶ ନିଜର ‘ଲଙ୍କେଶ’ ପତ୍ରିକାରେ ମୌଳବାଦୀ ସଂଗଠନର କାର୍ଯ୍ୟ କଳାପକୁ ବିରୋଧ କରି ଲେଖୁଥିବା ହେତୁ ତାଙ୍କ ଘର ସାମ୍ନାରେ ତାଙ୍କୁ ଗୁଳି (ସେପ୍ଟେମ୍ବର ୦୫, ୨୦୧୭) କରାଯାଇଥିଲା। ଉଭୟ କଲବୁର୍ଗୀ ଓ ଗୌରୀ ଲଙ୍କେଶଙ୍କ ହତ୍ୟା ଘଟଣାରେ ୧୮ ଜଣ ଗିରଫ ହୋଇଛନ୍ତି। ସେ ମଧ୍ୟରୁ ସାତ ଜଣ ଉଭୟ ହତ୍ୟାକାଣ୍ଡରେ ସମ୍ପୃକ୍ତ ବୋଲି ପୋଲିସ ଦର୍ଶାଇଛି। ସମସ୍ତ ୧୮ ଜଣ ଏବେ ଜାମିନରେ ଅଛନ୍ତି। ବିଚାର ଦୀର୍ଘ ଦଶ ବର୍ଷ ହେଲା ଚାଲିଛି।
ଏହା କେବଳ କିଛି ହତ୍ୟା ଘଟଣା। କାର୍ଯ୍ୟକ୍ରମ କରାଇନଦେବା ବା ପୁସ୍ତକ ପ୍ରକାଶ କରାଇନଦେବାର ଘଟଣା ମଧ୍ୟ ରହିଛି। ୨୦୦୯ ମସିହାରେ ଆମେରିକାର ଗବେଷିକା ପ୍ରଫେସର ୱେଣ୍ଡି ଡୋନିଜର ମହାଭାରତ ଓ ରାମାୟଣକୁ ମହିଳା ଓ ଦଳିତଙ୍କ ଦୃଷ୍ଟିରେ ଦେଖିବାକୁ ତାଙ୍କର ପୁସ୍ତକ (Hinduism : An alternative history) ପୁସ୍ତକରେ ଚେଷ୍ଟାକରିଛନ୍ତି। କିନ୍ତୁ ହିନ୍ଦୁ ମୌଳବାଦୀ ସଂଗଠନ ତରଫରୁ ଚାପ ଏଭଳି ହେଲା ଯେ ଏହାର ପ୍ରକାଶକ ପେଙ୍ଗୁଇନ ବଜାରରୁ ସମସ୍ତ କପି ୨୦୧୪ ମସିହାରେ ଫେରାଇନେଇଥିଲେ। ଏହା ଲେଖକର ବାକ ସ୍ଵାଧୀନତା କ୍ଷେତ୍ରରେ ବିରାଟ ଆକ୍ରମଣ ଥିଲା। କିନ୍ତୁ ସରକାର ଲେଖିକାଙ୍କୁ କୌଣସି ସୁରକ୍ଷା ଦେଲେନାହିଁ।
ଭାରତର ମୋଗଲ ଶାସନ ସମ୍ବନ୍ଧରେ ଗବେଷଣା କରୁଥିବା ଆମେରିକାର ଗବେଷିକା ପ୍ରଫେସର ଅଡ୍ରେ (Audrey Truschke) ନିଜର ପୁସ୍ତକ (Aurangzeb : The man and the myth) ଲାଗି ହିନ୍ଦୁ ମୌଳବାଦୀଙ୍କ ଦ୍ଵାରା ଆକ୍ରମଣର ଶିକାର ହୋଇଥିଲେ। ସେ ତାଙ୍କ ପୁସ୍ତକରେ ଆଉରଙ୍ଗଜେବ ସମ୍ପର୍କରେ ପ୍ରଚାର କରାଯାଉଥିବା ଅନେକ ତଥ୍ୟ ଭିତ୍ତିହୀନ ବୋଲି ପ୍ରକାଶ କରିଛନ୍ତି।
କିନ୍ତୁ ୨୦୧୮ ମସିହାରେ ପ୍ରଫେସର ଅଡ୍ରେଙ୍କ ହାଇଦ୍ରାବାଦ କାର୍ଯ୍ୟକ୍ରମକୁ ହାଇଦ୍ରାବାଦ ପୋଲିସ ‘ଅନେକ ବ୍ୟକ୍ତି କାର୍ଯ୍ୟକ୍ରମ ବିରୁଦ୍ଧରେ ଚିଠି ଲେଖିଥିବା କାରଣରୁ’ଆୟୋଜକଙ୍କ ଉପରେ ଚାପ ସୃଷ୍ଟି କରି ବାତିଲ କରାଇଥିଲେ। ଯେଉଁ ଆଇନ ଶୃଙ୍ଖଳା ଲାଗି ପୁଲିସ ସେହି ସମସ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ପଦକ୍ଷେପ ନେବା କଥା ତାହା ନନେଇ କାର୍ଯ୍ୟକ୍ରମକୁ ବାତିଲ କରିବା ଅପରାଧୀଙ୍କୁ ପ୍ରଶ୍ରୟ ଦେବା ସହିତ ସମାନ। ସେହି ସମାନ କଥା ପଶ୍ଚିମବଙ୍ଗରେ ହୋଇଥିଲା। ଲେଖିକା ପରେ ନିଜର ସାମାଜିକ ଗଣମାଧ୍ୟମ ଆକାଉଣ୍ଟରେ ଉଲ୍ଲେଖ କରନ୍ତି, ‘ମୁଁ ଜାଣିନି କେତେଲୋକ ପୋଲିସକୁ ଚିଠି ଲେଖିଥିଲେ। ମୋ ପାଖରେ କିନ୍ତୁ ହସ୍ତଗତ ହୋଇଥିବା ଚିଠିର ପ୍ରେରକ ଜଣେ ବିଜେପି ଓ ଆରଏସଏସର ସଦସ୍ୟ ବୋଲି ତାଙ୍କ ପ୍ରୋଫାଇଲରୁ ଜଣାପଡୁଛି।’
ସେହି ସମାନ ଘଟଣା ୨୦୨୪ ମସିହାରେ ସମ୍ବଲପୁର ସ୍ଥିତ ଜିଏମ ବିଶ୍ୱବିଦ୍ୟାଳୟ ମଧ୍ୟରେ ହୋଇଥିଲା। କାଶ୍ମୀର ପ୍ରସଙ୍ଗରେ ପ୍ରଫେସର ନିବେଦିତା ମେନନଙ୍କର ମନ୍ତବ୍ୟକୁ ବିରୋଧ କରିବାକୁ ଯାଇ ଏବିଭିପିର ଅଳ୍ପ କେତେକ ସଦସ୍ୟ ବିଶ୍ୱବିଦ୍ୟାଳୟ ମଧ୍ୟରେ ହଙ୍ଗାମା ସୃଷ୍ଟି କରିଥିଲେ। କିନ୍ତୁ ସେମାନଙ୍କୁ ସେଥିରୁ ନିବୃତ୍ତ କରିବାର ଅନ୍ୟ କିଛି ଉଦ୍ୟମ କରିବା ବଦଳରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ମେନନଙ୍କର ସଂପୂର୍ଣ୍ଣ କାର୍ଯ୍ୟକ୍ରମକୁ ବାତିଲ କରିଥିଲେ। ତାଙ୍କର ଏହି କାର୍ଯ୍ୟକ୍ରମ ନାରୀବାଦ ସମ୍ବନ୍ଧରେ ଏକ କାର୍ମଶାଳା ଥିଲା। ନିବେଦିତାଙ୍କ ନାରୀବାଦ ସମ୍ପର୍କରେ ଯୁକ୍ତି ବେଶ ତୀକ୍ଷଣ। ତାଙ୍କର ଯୁକ୍ତି ହେଉଛି ଯେ ଆଜିର ସମାଜ ଯେଉଁ ପୁରୁଷତାନ୍ତ୍ରିକ ବ୍ୟବସ୍ଥା ମଧ୍ୟ ଦେଇ ଯାଉଛି ଏଥିରେ ଉଭୟ ପୁରୁଷ ଓ ନାରୀ ଯନ୍ତ୍ରଣାଦାୟକ ଜୀବନ ବିତାଉଛନ୍ତି। ଫରକ ହେଉଛି ଯେ ଶେଷରେ ପୁରୁଷକୁ ‘ଭଲ ସନ୍ତାନ’ ଭାବରେ କିଛି ପୁରସ୍କାର ମିଳୁଛି ଅଥଚ ନାରୀକୁ ତାହା ମଧ୍ୟ ମିଳୁନାହିଁ। କିନ୍ତୁ ତାଙ୍କର କାର୍ଯ୍ୟକ୍ରମ ବାତିଲ ହେବା ହେତୁ ଛାତ୍ରଛାତ୍ରୀମାନେ ଏକ ଭଲ ଆଲୋଚନାର ସୁଯୋଗକୁ ହରାଇଲେ।
ଗଲା ଦଶ ବର୍ଷ ମଧ୍ୟରେ ଘଟିଥିବା ଏହିଭଳି ଅନେକ ଘଟଣା ରହିଛି ଯାହା ସରକାରଙ୍କ ପ୍ରତ୍ୟକ୍ଷ ସହଯୋଗ ନଥିଲେ ଘଟିନଥାନ୍ତା। ସରକାର ଯେହେତୁ ନାଗରିକର ବାକ ସ୍ଵାଧୀନତ୍ତା ଓ ଗବେଷଣା କାର୍ଯ୍ୟ ଦ୍ଵାରା ନିଜ ପ୍ରତି ବିପଦ ମନେକରୁଛନ୍ତି ସେଥିଲାଗି ସେମାନେ ମୌଳବାଦକୁ ବଞ୍ଚାଇ ରଖୁଛନ୍ତି। ହିନ୍ଦୁ ମୌଳବାଦ କ୍ଷେତ୍ରରେ ଉଭୟ ଶାସକ ଓ ଆକ୍ରାମଣକାରୀ ସମାନ। ସରକାର ଯାହା ଆଇନ ଦ୍ଵାରା କରିବାରେ ଅସୁବିଧା ଭାବୁଛନ୍ତି ତାହାକୁ ସେ ମୌଳବାଦୀ ଶକ୍ତି ଦ୍ଵାରା କରାଉଛନ୍ତି। ଏହା ସତ୍ୟ।
ଏହା ସତ୍ୟ ଯେ ଆକ୍ରମଣ ଅଥବା ହତ୍ୟାର ଶିକାର ହୋଇଥିବା ସମସ୍ତ ଲେଖକ, ସାମ୍ବାଦିକ ଓ ସଂଗଠକ ଧର୍ମକୁ ବ୍ୟକ୍ତିଗତ ବ୍ୟାପାର ମନେକରନ୍ତି। ସାମ୍ପ୍ରଦାୟିକ ବିଚାରର ସମସ୍ତେ ବିରୋଧୀ। ସେମାନେ ସମ୍ବିଧାନରେ ଯାହା ଦର୍ଶାଯାଇଛି ଯେ ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର ତାହାକୁ ସେମାନେ ସରକାରଙ୍କୁ ଅନୁପାଳନ କରିବା ଲାଗି ବାରମ୍ବାର ଚାପ ସୃଷ୍ଟି କରିଆସିଛନ୍ତି। ଏପରିକି ଆମେରିକାର ଗବେଷିକା ଦ୍ୱୟଙ୍କ ପୁସ୍ତକ ମଧ୍ୟ ସେହି ଆଧାରରେ ଲିଖିତ। ଅଥଚ ସେମାନଙ୍କର ଏଭଳି ଭାବନାକୁ ଧର୍ମରେ ରହିଥିବା ତଥାକଥିତ ମୁଖ୍ୟମାନେ ବିରୋଧ କରିଆସିଛନ୍ତି।
ଆମ ଲାଗି ଚେତାବନୀର ବିଷୟ ହେଉଛି ଯେ ଗୋଟିଏ ଧର୍ମର ମୌଳବାଦୀଙ୍କ ଆକ୍ରମଣକୁ ବିରୋଧ କରିବାକୁ ଯାଇ ଯେଉଁମାନଙ୍କ ବାକ ସ୍ଵାଧୀନତାର ସୁରକ୍ଷାର ଆବଶ୍ୟକତା ରହିଥିବାର ଯୁକ୍ତି ଆମେ କରିଥାଉ ପୁଣି ସେହିମାନେ ନିଜେ ଧର୍ମ ନାମରେ ଆଉ କାହାର ବାକ ସ୍ଵାଧୀନତାକୁ ହରଣ କରିବାରେ ତିଳେ ମାତ୍ର କୁଣ୍ଠାବୋଧ କରୁନାହାନ୍ତି। ଧାର୍ମିକ ମୌଳବାଦୀ ଶକ୍ତି ପଛରେ ସରକାର ରହିଥିବା ହେତୁ ଏହା ସମ୍ଭବ ହେଉଛି। ନିଜର ଆସନ ବଞ୍ଚାଇବା ଲାଗି ସେମାନେ ମୌଳବାଦୀ ଶକ୍ତିର ଆଶ୍ରୟ ନେଉଛନ୍ତି।
ମୌଳବାଦୀମାନେ ସରକାରୀ ସମର୍ଥନ ବିନା ଯେ ପଙ୍ଗୁ ତାହା ସେମାନେ ଉପଲବ୍ଧ କରିଛନ୍ତି। କାରଣ ସେମାନଙ୍କ ନିକଟରେ ଜନସମର୍ଥନ ନାହିଁ। ପୁଣି ସରକାରୀ ଅର୍ଥରେ ସେମାନଙ୍କ କାର୍ଯ୍ୟ ଚାଲେ। (ସରକାରୀ ଟିକସ ସମସ୍ତ ଧର୍ମର ଲୋକଙ୍କ ଠାରୁ ଆସୁଥିଲେ ବି ତାଙ୍କୁ ସେଥିରେ ଅସୁବିଧା ହୁଏନାହିଁ!) ଆଜି ଯାହାଙ୍କୁ ଆମେ ହିନ୍ଦୁ ଅଥବା ଇସଲାମ ଧର୍ମର ସୁରକ୍ଷା ଲାଗି ଉଦ୍ଦିଷ୍ଟ ସଂଗଠନର ସଦସ୍ୟ ଭାବରେ ଦେଖୁଛୁ ସେମାନେ ହିଂସାର ରାସ୍ତାରେ ସମାଜରେ ବିଭାଜନ କାର୍ଯ୍ୟରେ ଲାଗିଛନ୍ତି। ଏହା ଦ୍ଵାରା ସେମାନେ ଆଉ କାହାର ରାଜନୈତିକ ମହତ୍ଵାକାଙକ୍ଷା ପୂରଣ କରୁଛନ୍ତି। ପ୍ରକୃତରେ ସେମାନେ ଧର୍ମର ସୁରକ୍ଷା ଲାଗି କିଛି କରୁନାହାନ୍ତି। ଯେତେଶୀଘ୍ର ଆମେ ଏହି ଅନ୍ଧ ଓ ହିଂସ୍ର ମଣିଷମାନଙ୍କୁ ସେଭଳି କାର୍ଯ୍ୟରୁ ନିବୃତ୍ତ କରିପାରିବା ସେତେ ଶୀଘ୍ର ଆମେ ସୁସ୍ଥ ଓ ଶାନ୍ତ ସମାଜ ଆଶା କରିପାରିବା। ଆମକୁ ସମସ୍ତ ମୌଳବାଦ ଓ ମୌଳବାଦୀ ଶକ୍ତିଙ୍କ ଠାରୁ ମୁକ୍ତି ଆବଶ୍ୟକ।
ଫୋନ- ୯୪୩୭୭୬୨୨୭୨
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/09/25/javed-akhtar-2025-09-25-12-44-05.jpg)