ଜୀବନସଂଗ୍ରାମ ସ୍ୱାଧୀନତା ଜରୁରୀ

ମାୟାଧର ନାୟକ

ମୁକ୍ତିସଂଗ୍ରାମର ସ୍ୱାଧୀନତା ଆମେ ପାଇବା ୭୪ ବର୍ଷରୁ ବେଶି ହେବଣି। ମାତ୍ର ଏପର୍ଯ୍ୟନ୍ତ ଆମ ଜୀବନସଂଗ୍ରାମର ସ୍ୱାଧୀନତା ହାସଲ କରିବାରେ ଗୋଟିଏ ଦିନ କ’ଣ, ଗୋଟିଏ ଘଂଟା କ’ଣ, ଗୋଟିଏ ମିନିଟ୍ କ’ଣ, ଗୋଟିଏ ସେକେଣ୍ଡ୍ ବି ଆମେ ଅତିକ୍ରମ କରିପାରିନାହୁଁ। ରାଜନୈତିକ ମୁକ୍ତିସଂଗ୍ରାମ ସରିଯାଇଛି ବୋଲି ଧାରଣା ହେଲାବେଳକୁ ଅର୍ଥନୈତିକ ପରାଧୀନତା ଆମକୁ ଗୋଟାପଣେ ଗ୍ରାସ କରିସାରିଲାଣି। ଆମ ଦେଶ, ଆମ ପ୍ରଦେଶ ଏହି ଅର୍ଥନୈତିକ ପରାଧୀନତାର ପ୍ରଭାବରେ ହିଁ ଆଜି ପରସ୍ପରଠାରୁ ମାନସିକ ଭାବରେ ବିଚ୍ଛିନ୍ନ। ଯଦି ଦିଲ୍ଲୀର ଭାରତ ସରକାର ଆମ ପ୍ରାଦେଶିକ ରାଜଧାନୀରେ ଶାସନଭାର ସମ୍ଭାଳିଥିବା ରାଜ୍ୟ ସରକାରଙ୍କ ଏକଦଳୀୟ ବା ଦ୍ୱିଦଳୀୟ ରାଜନୈତିକ ଚିହ୍ନ ଓ ଚିତ୍ରରୁ ଭିନ୍ନ ହୋଇଥାନ୍ତି, ତା’ହେଲେ ଦେଶ ଓ ପ୍ରଦେଶ ମଧ୍ୟରେ ଆରମ୍ଭ ହୋଇଯାଏ ବିବାଦ, ବିତର୍କ, ବ୍ୟବଧାନ। ରାଜ୍ୟ ତରଫରୁ ଅର୍ଥନୈତିକ ଦିଗରୁ କେନ୍ଦ୍ର ଉପରେ ଦୋଷତକ ଲଦିଦେଇ ଆମ ପ୍ରାଦେଶିକ ନେତୃବର୍ଗ ନିଜ ଅପାରଗତା ବା ଦାୟିତ୍ୱହୀନତାକୁ ଘଂଟ ଘୋଡାଇବାର ଅଭ୍ୟାସରେ ଗୁଡିଏ ତୁମ୍ବିତୋଫାନ ସୃଷ୍ଟି କରନ୍ତି କେବଳ। କେନ୍ଦ୍ରରେ ଯଦି ଭିନ୍ନ ଦଳର ନେତୃତ୍ୱ ଜାରି ରହିଥାଏ ଏବଂ ସେ ନେତୃତ୍ୱ ଯଦି ପ୍ରକୃତରେ ଜନଗଣଙ୍କ ସ୍ୱାର୍ଥ ପ୍ରତି ସଜାଗ ନଥାଇ କେବଳ ନିଜ ଶାସନଗତ ସୁରକ୍ଷା ବା ରାଜନୈତିକ ଦଳୀୟତା ଦ୍ୱାରା ନିୟନ୍ତ୍ରିତ ହେଉଥାନ୍ତି, ତେବେ କଥା ସରିଲା। ଏ କ୍ଷେତ୍ରରେ ରାଜ୍ୟର ରଡ଼ିକୁ ମୋଟେ କାନ ଦିଏନି କେନ୍ଦ୍ର। ରାଜ୍ୟ ଓ କେନ୍ଦ୍ର – ଏ ଦୁଇ ସ୍ଥିତିରେ ଥିବା ଦୁଇ ସରକାର ଭୋଟରମାନଙ୍କୁ ଦୁଇ ଭାଇ ନହୋଇ ଦୁଇ ଭଗାରି ଭଳି ମନେହେବାରେ ବିଚିତ୍ରତା ନାହିଁ କିଛି। ବରଂ ଭାରତ ଆମେରିକା ବିଶ୍ୱମଂଚରେ ହାତ ମିଳାମିଳି ହେବାର ଦେଖୁ, ମାତ୍ର ନିଜ ରାଷ୍ଟ୍ରୀୟ ମୁକ୍ତିର ମଇଦାନରେ କେନ୍ଦ୍ର ଓ ରାଜ୍ୟ ହତିଆର ଉଠାନ୍ତି ନିଜ ନିଜ ବିରୋଧରେ।

ଉପରୋକ୍ତ ରାଜନୈତିକ ପ୍ରହସନ ଆମ ମୁକ୍ତିସଂଗ୍ରାମର ଚଉସ୍ତରି ବର୍ଷରୁ ଉର୍ଦ୍ଧ୍ୱ ସ୍ୱାଧନତା ପ୍ରତି କେତେବଡ ପ୍ରବଂଚନା ଏବଂ ଏ ପ୍ରବଂଚନାରେ ଯେଉଁମାନେ ପ୍ରକୃତରେ ଘୋର କ୍ଷତିଗ୍ରସ୍ତ ଓ ବିପର୍ଯ୍ୟସ୍ତ – ସେଇ ନିରୀହ ନୟାନ୍ତ ଜନଗଣଙ୍କ ପ୍ରତି ଏହା ଯେ କେଉଁଭଳି ଜଘନ୍ୟ ଅବମାନନା, ଏ ବିଚାର ବିମର୍ଶ ପାଇଁ କ’ଣ ଏଯାବତ୍ ଭାରତୀୟ ରାଜନେତାମାନଙ୍କର ଅବକାଶ ଆସିନି? ପାର୍ଟି ଆଉ ପଲିଟିକ୍‌ସ – ଏ ଦୁଇଟାଯାକ କ’ଣ ଦେଶ ଆଉ ଜାତୀୟ ଜୀବନଠୁ ବଡ଼? ନାଲିବତି ଗାଡ଼ିରେ ଶୋଇଶୋଇ, ହେଲିକେପ୍‌ଟର୍‌ରେ ବସିବସି ଆଉ କେତେକାଳ ଆମ ଶାସନର ସୂତ୍ରଧର ଶ୍ରେଣୀ ଦେଶକୁ ଦେବାଳିଆ କରି ଜାତୀୟସଂପତିକୁ ବ୍ୟକ୍ତିସଂପତି ଭାବରେ ବ୍ୟବହାର କରିଚାଲିଥିବେ?

ଭାରତୀୟ ନେତୃତ୍ୱ ଭୋଟରମାନଙ୍କୁ କେବଳ ଭେଳିକି ଦେଖାଇଚାଲିଛି, ଆଦିବାସୀ ଓ ଅଧିବାସୀ ଉଭୟ ଜନସମୂହକୁ ବଂଚିବାର ସର୍ବନିମ୍ନ ସୁଯୋଗପ୍ରଦାନରୁ ବଂଚିତ କରିଆସିଛି, ବିଭିନ୍ନ ଧର୍ମ ଓ ବର୍ଣ୍ଣର ସଂପ୍ରଦାୟ ଓ ସଂଗଠନଗୁଡିକୁ ନିଜ ଭୋଟ୍ ହାସଲର ଲାଳସାରେ ମତାମତି କରି ବଳିର ବକ୍ରି କି କୂଟଯୁଦ୍ଧର କୁକ୍‌କୁଟ କରିଚାଲିଛି, ବେକାର ଯୁବପିଢିକୁ ଯଦୁବଂଶରେ ପରିଣତ କରିସାରିଛି, ମାଫିଆକୁ ମାଫି ଦେଇ ମାଆଭଉଣୀ ଝିଅବୋହୂମାନଙ୍କ ମାନମହତକୁ ଫେସନ୍ ଶୋ’ରେ ଫାଶରେ ପକାଇଛି, ଗାଁକୁ ନାଆଁକୁ ମାତ୍ର ଭତ୍ତା ଯୋଗାଇ ସହରକୁ ଦରମା ଦେଇଛି, ଚାଷୀମୂଲିଆଙ୍କୁ ଚଉବେଂଟି କରି ମାଲିକ ମହାଜନଙ୍କୁ ମହିମାମୟ କରିଛି, ମାଷ୍ଟ୍ରମାନଙ୍କୁ ଗୁମାସ୍ତା ବନାଇ ପୁଲିସ୍‌ବାଲାଙ୍କୁ ଗୋଲାମ୍ ରଖିଛି, ନାଉଚୋରକୁ ନାକରେ କନ୍ଦାଇ ଡକାୟତଙ୍କୁ ଡେରାକୁ ଡାକିଆଣିଛି, ଠାକୁର ନାଆଁରେ ମଣିଷ ମାରି କୁକୁର ବେକରେ ବକଲିସ୍ ଝୁଲାଇଛି। ଚୂଲି-ଚାଳ-ଚାଉଳର ଭାରତବର୍ଷକୁ ଚୂର୍‌ମାର୍ କରି ଜଳ-ଜମି-ଜଂଗଲର ମହାଭାରତକୁ ଛାରଖାର୍ କରିବାରେ ଲାଗିଛି – ତଂଟିକଟା ଅଂଟିଛୁରୀମାନଙ୍କୁ ଏକାଠି କରିସାରି ଏ ଜାତିର ଘଂଟି ବଜାଇ ଚାଲିଛି ଭାରତୀୟ ନେତୃତ୍ୱ।

ଆଜିର ଭାରତୀୟ ନେତୃତ୍ୱ ଏକପ୍ରକାର ସ୍ୱବିରୋଧର ରାଜନୀତିରେ ସକ୍ରିୟ। ମୁକ୍ତିସଂଗ୍ରାମର ସ୍ୱାଧୀନତା ଆଜି ତେଣୁ ମରୀଚିକା ମାତ୍ର। ଯଦି ଏପ୍ରକାର ମୁକ୍ତିସଂଗ୍ରାମକୁ  ନେଇ ଆମେ ଆମ ପିଲାମାନଙ୍କ ଆଗରେ ଇତିହାସ ବଖାଣିବସୁ, ତା’ହେଲେ ସେ ଇତିହାସଟା ଉପହାସ ଛଡା ଆଉ କ’ଣ ହୋଇପାରେ? ଯଦି ଆମର ମୁକ୍ତିସଂଗ୍ରାମ ଆମ ଜୀବନସଂଗ୍ରାମର ବିଷୟବସ୍ତୁ ଉପରେ ଆଧାରିତ ହେବାର ନଥିଲା, ତା’ହେଲେ ଖାଲି କ’ଣ ରାଜନୈତିକ କ୍ଷମତା ହସ୍ତାନ୍ତରକୁ ନେଇ ଆମେ ଆମର ସ୍ୱାଧୀନତାର ସଂଜ୍ଞା ନିର୍ଦ୍ଧାରଣ କରିପାରିବା କଦାପି?

ଭାରତବର୍ଷର ସବୁଠୁ ବଡ଼ ବିଡ଼ମ୍ବନା ହେଉଛି, ଏଠି ଅନେକ ପ୍ରଶ୍ନ – କିନ୍ତୁ ଉତ୍ତର ପାଇଁ ଅପେକ୍ଷା ନାହିଁ। ଯିଏ ଯେତେବେଳେ ଯାହା ଚାହିଁଲା, କରିପାରିଲା ଆରାମ୍‌ରେ। ହତ୍ୟାର ବାତ୍ୟା, ଧର୍ଷଣର ଧାରାବାହିକତା, ଆତଙ୍କର ଆବର୍ତ୍ତ, ଅନ୍ୟାୟର ଅସମାପ୍ତି, କଳନାହୀନ କଳାଟଙ୍କାର କୂଟଚକ୍ରାନ୍ତରେ ଜନସାଧାରଣ ଯେତେବେଳେ ଜର୍ଜରିତ, ସେତେବେଳେ ଭାରତୀୟ ରାଜନୀତିର ଚରିତ୍ର ନିଜ ସୁବିଧାବାଦର ସୂତ୍ର ବୟନରେ ବ୍ୟସ୍ତ। ଭାରତୀୟ ରାଜନେତାବର୍ଗ ଏକପକ୍ଷରେ ଦେଶର ଦଳପତି ହେଲେହେଁ ଅପରପକ୍ଷରେ ବିଦେଶର ବିଦୂଷକ। ସେମାନେ ଆମର ମାମୁଲି ମଣିଷମାନଙ୍କୁ ଗୁଳି କରିଦେବାର ହୁକୁମ୍ ଦେବାକୁ ପଛାଇବେ ନାହିଁ, କିନ୍ତୁ ବିଦେଶରୁ ଯଦି କୌଣସି ଅଚିହ୍ନା ଅତିଥି ଆସିଗଲେ, ତାଙ୍କୁ ମୁଣ୍ଡରେ ବସାଇବାର ବାଦିପାଲା ଆରମ୍ଭ କରିଦେଇଥାନ୍ତି।

ମୁକ୍ତି ସଂଗ୍ରାମର ବିଦେଶୀ ଶାସନକୁ ବଦଳାଇ ଦେଶୀଶାସନକୁ ଦେଶର ଦଖଲଦାରି ଦେବା ଥିଲା ସେଦିନର ଲକ୍ଷ୍ୟ। ମାତ୍ର ସେ ଲକ୍ଷ୍ୟ ପୂରଣ ହେବା ପରେ ଆମେ ଏବେ କ’ଣ ଦେଖୁଛୁ? କେବଳ ଗୋଟାଏ ପ୍ରତାରିତ ଭାରତବର୍ଷ। ପ୍ରଥମେ ସ୍ୱାଧୀନତାର ବଳିବେଦୀ ଉପରେ ଶହୀଦ କରିଦିଆଗଲା ମହାତ୍ମା ଗାନ୍ଧୀଙ୍କୁ। ଏବେ ତାଙ୍କ ପୁରୁଣା ଆସବାବପତ୍ରରୁ ବିଦେଶକୁ ଚାଲାଣ ହୋଇଯାଇଥିବା କିଛି ସାମଗ୍ରୀକୁ ୯ କୋଟି ଟଙ୍କାରେ ନିଲାମ ନେଇ ଭାରତ ସରକାରଙ୍କୁ ଉପହାର ଦେଇଦେଲେ ମଦସାମ୍ରାଜ୍ୟର ମାଲିକ ବିଜୟ ମାଲ୍ୟା! ଖବରକାଗଜରେ ବଡ଼ବଡ଼ ହରଫ୍‌ରେ ହଜାରେ ପ୍ରଶଂସା ଅଜାଡି ଦିଆଗଲା ମାଲ୍ୟା ମହାଶୟଙ୍କ ନାଆଁରେ। ଯେଉଁ ମଦ, ଅଫିମ, ଗଂଜେଇ, ନିଶାଦ୍ରବ୍ୟ ନିବାରଣ ପାଇଁ ମହାତ୍ମା ଗାନ୍ଧୀ ଦିନେ ଭାରତବର୍ଷର ଗଳିଗଳିରେ ଆନ୍ଦୋଳନ ପାଇଁ ଆହ୍ୱାନ ଦେଇଥିଲେ, ଆଜି ତାଙ୍କ ବ୍ୟବହୃତ ସାମଗ୍ରୀର ବିକାକିଣା ବ୍ୟବସାୟ ଚାଲିଛି ଦିନ ଦିପହରେ ଏବଂ ତାର ନାୟକତ୍ୱ ନେଇଛନ୍ତି ଖୋଦ୍ ଜଣେ ମଦ୍ୟ ବିକ୍ରେତା! କି ନିର୍ଲଜ୍ଜ ନାଟକୀୟତା! କୁଆଡ଼େ ଗଲା ଆମ ଭାରତୀୟ ମାନସିକତାର ସଂଗ୍ରାମୀ ମୂଲ୍ୟବୋଧ?

ବିଦେଶର ବନ୍ଦୀବଖରାରେ ମିଆଦ ପୂରିଯିବା ପରେ ମୁକ୍ତଭାରତର ଜନଗଣ ଯେଉଁ ନୂଆ ସକାଳର ଚେହେରା ଦେଖିବେ ବୋଲି ରାତି ବାରଟାରେ ସ୍ୱପ୍ନ ଦେଖୁଥିଲେ, ସେ ସ୍ୱପ୍ନ କୁହୁଡ଼ି କେବଳ। ଗାନ୍ଧୀଙ୍କ ଦ୍ୱାରା ଜୀବନ୍ୟାସ ପାଇଥିବା କଂଗ୍ରେସ୍ ଦଳକୁ ସ୍ୱାଧୀନତା ପରବର୍ତ୍ତୀ ଭାରତବର୍ଷର ନେହରୁତନ୍ତ୍ର ସଂପୂର୍ଣ୍ଣ କବଳିତ କରିଦେଇ ଦେଶକୁ ଠେଲିଦେଲା ଗୋଟାଏ ପ୍ରବଂଚନାପୂର୍ଣ୍ଣ ପ୍ରଶାସନବ୍ୟବସ୍ଥା ମଧ୍ୟକୁ। ଗାନ୍ଧୀଙ୍କ ଗ୍ରାମସ୍ୱରାଜ୍ୟର ରାମରାଜ୍ୟ ପଡ଼ିଲା ରାଜନୈତିକ ରାବଣମାନଙ୍କ ସୁବିଧାବାଦୀ ଚକ୍ର ମଧ୍ୟରେ। ଅତୀତର ସ୍ୱାଧୀନତା ସଂଗ୍ରାମୀମାନଙ୍କ ମଧ୍ୟରୁ ଅଳ୍ପକେତେକଙ୍କୁ ତାମ୍ରଫଳକ, ମାନପତ୍ର ଓ ପେନ୍‌ସନ୍ ଧରାଇଦେଇ ବର୍ତ୍ତମାନର ଧୂର୍ତ୍ତ ଶାସକବର୍ଗ ଏମ୍‌ଏଲ୍‌ଏ-ଏମ୍‌ପି- ମନ୍ତ୍ରୀଜାତୀୟ ଜୀବମାନଙ୍କ ପାଇଁ ଖଂଜିଦେଲେ ଯାବଜ୍ଜୀବନ ଯାବତୀୟ ସୁଖସ୍ୱାଚ୍ଛନ୍ଦ୍ୟ ସହିତ ଲୋଭନୀୟ ବେତନ ଓ ଭତ୍ତା। କିନ୍ତୁ ଲୋକମାନଙ୍କ ପାଇଁ ସେମାନେ କ’ଣ କଲେ, ନକଲେ, ସେ ବାବଦରେ ପ୍ରଶ୍ନଟିଏ ପଚାରିବା ଏଠି ଆଇନବିରୋଧୀ କାର୍ଯ୍ୟକ୍ରମ ଭାବରେ ଗଣାଗଲା। ଇଏ କି ଦୃଷ୍ଟିଭଂଗୀ? ଦେଶକୁ ଭଲପାଇବା ନା ଦଳକୁ ଭଲା ପାଇବା? ଜାତିକୁ ଭଲପାଇବା ନା ଜାତିଆଣକୁ ଭଲପାଇବା? ପାର୍ଟି ପତାକାଠୁ କ’ଣ ଜାତୀୟ ପତାକା ଏତେ ସାନ? ଶୋଷକ ଶାସକମାନଙ୍କଠାରୁ କ’ଣ ଶୋଷିତ ଶାସିତବର୍ଗ ଏତେ ହୀନ?

ବିଦେଶୀ ଶାସନକୁ ଶେଷ କରିଦେଲା ପରେ ଆରମ୍ଭ ହେଲା ବିଦେଶୀ ଶିଳ୍ପପତିମାନଙ୍କୁ ଆମନ୍ତ୍ରଣ। ଏମିତି ଦିନେ ବଣିକ ବେଶରେ ଭାରତକୁ ଆସିଥିଲେ ବିଦେଶୀ ବାହିନୀ। ଏବେ ଏ ନବ୍ୟବଣିକବର୍ଗଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦେବାର ପରବର୍ତ୍ତୀ ବିଷମୟ ପରିଣାମ ଭୋଗିବାକୁ ପ୍ରସ୍ତୁତ କି ଭାରତୀୟ ଶାସନର ନେତୃପକ୍ଷ? ବର୍ତ୍ତମାନ କେବଳ ବଣିକ ଦେଶରେ ବିଦେଶୀମାଲିକମାନେ କେବଳ ଭାରତର ମହାନଗରମାନଙ୍କୁ ମୁହାଉଁନାହାନ୍ତି, ଧର୍ମଯାଜକ ରୂପରେ ମଧ୍ୟ ସେମାନେ ଆମ ଆଦିବାସୀ ଗାଆଁଗଣ୍ଡା ଆଉ ଅନ୍ଧାରିମୂଲକ ମଧ୍ୟକୁ ପଶିଆସିଲେଣି। ଶିଳ୍ପଠାରୁ ଆରମ୍ଭ କରି ସଂସ୍କୃତି ପର୍ଯ୍ୟନ୍ତ – ଆମ ଜୀବନର ସବୁ କ୍ଷେତ୍ର କାଲି କୁରୁକ୍ଷେତ୍ରର ପାଉଁଶଗଦା ପାଲଟିବାକୁ ଯାଉଛି। ଯଦି ଏ ବାବଦରେ ଠିକଣା ବେଳରେ ପଦକ୍ଷେପ ନିଆ ନଯାଏ, ତା’ହେଲେ କନ୍ଧମାଳ ଓ ଅନ୍ଧମାଳ ମିଶି ଭବିଷ୍ୟତରେ ଗଢିଉଠିବ ଗୋଟାଏ ମୃତ ମନୁଷ୍ୟତାର ମରୁମୟ ମାନଚିତ୍ର – ଭସ୍ମୀଭୂତ ଭାରତବର୍ଷ!

ଆଜି ଜୀବନସଂଗ୍ରାମର ସ୍ୱାଧୀନତା ପାଇଁ ଦେଶବାସୀ ଶପଥବଦ୍ଧ ନହେଲେ ଆସନ୍ତାକାଲି ନାତି-ଅଣନାତି-ପଣନାତିମାନଙ୍କର ଉତପ୍ତ ଉତରପିଢି ଆଗରେ ଆମ ଇତିହାସ ହେବ ନିତାନ୍ତ ଲାଂଛିତ ଓ ଲଜ୍ଜାବନତ।

ଯାଜପୁର ରୋଡ, ଯାଜପୁର

ମୋ : ୯୮୬୧୦୩୪୧୬୩

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।