ଦେବ ରଞ୍ଜନ
ଆଲ୍ଲାହାବାଦ ହାଇକୋର୍ଟର ଜଣେ ବିଚାରପତି ୨୦୦୦ ମସିହାରେ ନିଜର ନୂଆ ଅଫିସକୁ ଆସିବାର ପ୍ରଥମ ଦିନ ‘ଗଙ୍ଗାଜଳ’ରେ ‘ପବିତ୍ର’ କରିଥିଲେ। କାରଣ ସେହି ରୁମକୁ ବ୍ୟବହାର କରିଥିବା ତାଙ୍କର ପୂର୍ବବର୍ତ୍ତୀ ବିଚାରପତି ଦଳିତ ବର୍ଗର ଥିଲେ। ଏହି କଥା ହାଇକୋର୍ଟର ଅବସରପ୍ରାପ୍ତ ମୁଖ୍ୟ ବିଚାରପତି ମୁରଲୀଧରନ ଦେଶର ସମ୍ବିଧାନ ଉପରେ ଆଲୋଚନା କରିବା ସମୟରେ କହିବା ପରେ ଏହାକୁ ନେଇ ଆଲୋଚନା ଦେଖାଦେଇଛି।
ଆଲ୍ଲାହାବାଦର ଉକ୍ତ ବିଚାରପତି ଭୁଲିଯାଇଥିଲେ ଯେ କୌଣସି ସରକାରୀ ଅଫିସ ସର୍ବସାଧାରଣଙ୍କ ସମ୍ପତ୍ତି। ପରେ ଅପମାନିତ ଅନୁଭବ କରି ପୂର୍ବ ବିଚାରପତିଙ୍କ ସେହି ଜାତିବାଦୀ ବିଚାରପତିଙ୍କ ବିରୁଦ୍ଧରେ ଅଭିଯୋଗ କରିବା ପରେ ସୁପ୍ରିମକୋର୍ଟଙ୍କ ଅନୁମୋଦନ କ୍ରମେ ତତ୍କାଳୀନ ସରକାର ତାଙ୍କୁ ବାଧ୍ୟତାମୂଳକ ଅବସର ଦେଇଥିଲେ। ଏହା ସେ ସମୟରେ ବେଶ ଚର୍ଚ୍ଚାର ବିଷୟ ହୋଇଥିଲା। ହେଲେ ସେଭଳି ମାନସିକତାଧାରୀ ବ୍ୟକ୍ତିଙ୍କୁ ବିଚାରପତି ଲାଗି ପ୍ରସ୍ତାବ ଦିଆଗଲା କେମିତି?
ସମ୍ବିଧାନର ଧାରା ୧୭ରେ ଉଲ୍ଲେଖ ରହିଛି ଯେ ସମସ୍ତ ପ୍ରକାରର ଭେଦଭାବକୁ ସଂପୂର୍ଣ୍ଣ ବନ୍ଦ କରିଦିଆଯିବ ଓ କୌଣସି ପ୍ରକାରର ଭେଦଭାବ ରହିଥିବା କୌଣସି ବି ପ୍ରଥା ବା ଅଭ୍ୟାସକୁ ବାରଣ କରାଯିବ। ସମ୍ବିଧାନର ଏହି ଧାରା ଉପରେ ବିଳମ୍ବରେ ହେଲେ ବି ଅନୁସୂଚୀତ ଜାତି ଓ ଜନଜାତି ଅତ୍ୟାଚାର ବିରୋଧୀ ଆଇନ (The Scheduled Castes and Scheduled Tribes (Prevention of Atrocities) Act, 1989) ୧୯୮୯ ମସିହାରୁ କାର୍ଯ୍ୟକାରୀ ହୋଇଆସୁଛି। ଏହା ସତ୍ତ୍ୱେ ଆମ ସମୟରେ ଭେଦଭାବ ଜାରିରହିଛି।
କାହିଁକି ସରକାରୀ ଅନୁଷ୍ଠାନମାନଙ୍କରେ ସମ୍ବିଧାନର ଧର୍ମନିରପେକ୍ଷ ଓ ଭେଦଭାବ ବିହୀନ ସମାଜ ନିର୍ମାଣର ଭାବନା ପ୍ରତିଫଳିତ ହୁଏ ନାହିଁ? କୋର୍ଟ, ବ୍ୟାଙ୍କ, ସରକାରୀ ଅଫିସ, ପୋଲିସ ଥାନା, ଜେଲ ସବୁଠାରେ ହିନ୍ଦୁ ପର୍ବ ବେଶ ବିଶ୍ଵାସର ସହିତ ପାଳନ ହୁଏ। ପୂଜାରେ କର୍ତ୍ତା ଭାବରେ କେହି ଉଚ୍ଚ ଜାତିର କର୍ମଚାରୀ ହିଁ ବସିଥାଏ, ଚାହେ ସେଠାରେ ସିନିୟର ଅଫିସର ଜଣକ ଦଳିତ ହୋଇଥାନ୍ତୁ ଅଥବା ମହିଳା ବା ମୁସଲମାନ କି ଖ୍ରୀଷ୍ଟିୟାନ। କାହିଁକି ଏହାକୁ ବନ୍ଦ କରାଯାଇପାରେ ନାହିଁ? ଜଣେ ଦଳିତ ଅଥବା ମହିଳା ଅଫିସରଙ୍କ ଲାଗି ଏହା କିଛି କମ ଅପମାନଜନକ ବିଷୟ ନୁହେଁ।
ସେହିଭଳି ଅନେକ କର୍ମଚାରୀ ଜାତିପ୍ରଥାର ଶିକାର ବିଭିନ୍ନ ପ୍ରକାରରେ ହୋଇଆସୁଛନ୍ତି। ଅଫିସ ମଧ୍ୟରେ ଏକାଠି ଖାଇବା ସମୟରେ, ପାଣି ପାତ୍ର ବ୍ୟବହାରରେ, ବନ୍ଧୁ ମିଳନରେ, ନିଜ ସହକର୍ମଚାରୀଙ୍କ ବିବାହ ଭୋଜିରେ ଅନିମନ୍ତ୍ରିତ ହୋଇ ସେମାନେ ଜାତିପ୍ରଥାର ଘୃଣ୍ୟ ପରମ୍ପରାକୁ ଅନୁଭବ କରିଥାନ୍ତି। କୌଣସି ପ୍ରତିବାଦ ନହେବା କାରଣରୁ ଏହି ସ୍ଥିତି କୋଣ ଅନୁକୋଣରେ ଦେଖାଯାଉଛି ଓ ଆମେ ଏଥିପ୍ରତି ଅଭ୍ୟସ୍ତ ହୋଇଗଲୁଣି।
ହିନ୍ଦୁ ଧର୍ମ ସହିତ ଜାତିବାଦ ଏତେ ଅଙ୍ଗାଙ୍ଗି ଭାବରେ ଜଡ଼ିତ ଯେ କୌଣସି ବି ସର୍ବସାଧାରଣ ସ୍ଥାନ ଅଥବା ଅଫିସରେ ଏହାର କ୍ରିୟାକର୍ମକୁ ନିଷ୍ଠାର ସହିତ ପାଳନ କରିବା ଅର୍ଥ ଦଳିତ, ମହିଳା ଓ ଅନ୍ୟ ଧର୍ମାବଲମ୍ବୀଙ୍କୁ ଅସମ୍ମାନ ଯାହା ଆଲ୍ଲାହାବାଦ ହାଇକୋର୍ଟର ବିଚାରପତିଙ୍କ ଦ୍ଵାରା ହୋଇଥିଲା। ଏହା କିନ୍ତୁ ପିଢ଼ି ପିଢ଼ି ଧରି ହୋଇଚାଲିଛି।
୨୦୦୯ ମସିହାରେ ତାମିଲନାଡୁର ଏକ ସ୍ଵେଚ୍ଛାସେବୀ ସଂସ୍ଥା ଦ୍ଵାରା ବିଭିନ୍ନ ଅଫିସରେ କାମ କରୁଥିବା ୭୭ ଜଣ ଦଳିତ ବର୍ଗର କର୍ମଚାରୀଙ୍କୁ ନେଇ ଏକ ସର୍ଭେ କରାଯାଇଥିଲା ଯେଉଁଥିରେ ଡାକ୍ତର, ବ୍ୟାଙ୍କ କର୍ମଚାରୀ, ଆୟକର ବିଭାଗ ଅଫିସର ଇତ୍ୟାଦି ଥିଲେ। ରାଜ୍ୟର ସମୁଦାୟ ଦଳିତ କର୍ମଚାରୀଙ୍କ ସଂଖ୍ୟା ଅନୁସାରେ ଏହି ସଂଖ୍ୟା ବହୁ ଛୋଟ। ତଥାପି ସେମାନଙ୍କ ତଥ୍ୟ ଅନୁସାରେ ୭୭ ଜଣଙ୍କ ମଧ୍ୟରୁ ୭୫ ଜଣ କର୍ମଚାରୀ ଓ ଅଫିସର ନିଜ ନିଜ କାର୍ଯ୍ୟସ୍ଥଳୀରେ ଜାତିଗତ ଭେଦଭାବର ଶିକାର ହେଉଥିବା ସମସ୍ତଙ୍କ ସାମ୍ନାରେ ଘୋଷଣା କରିଥିଲେ। ସେମାନଙ୍କ ମଧ୍ୟରୁ ୬୨ ଜଣଙ୍କର ପରିବାରର ଅନ୍ୟ ସଦସ୍ୟମାନେ ମଧ୍ୟ ଏହାର ଶିକାର ନିଜେ ରହୁଥିବା ସ୍ଥାନରେ ହେଉଥିବା କଥା କହିଥିଲେ। ୪୬ ଜଣ ଦଳିତ କର୍ମଚାରୀ ଜାତିବାଦୀ ହିନ୍ଦୁ ସଂଗଠନ ଓ ଟ୍ରେଡ ଯୁନିଅନ ନେତାଙ୍କ ଦ୍ଵାରା ଆକ୍ରମଣ ଓ ମାନସିକ ହିଂସାର ଶିକାର ହେବା କଥା ମଧ୍ୟ ପ୍ରକାଶ କରିଥିଲେ।
ସମଗ୍ର ସମାଜରେ ଜାତିଗତ ଭେଦଭାବ ଓ ଜାତିଗତ ହିଂସା ଅତି ଚିନ୍ତାଜନକ ସ୍ତରରେ ରହିଛି। ଦଳିତ ବର୍ଗ ଉପରେ ଉଚ୍ଚ ଜାତି ବର୍ଗ ଦ୍ଵାରା ହିଂସାତ୍ମକ ଆକ୍ରମଣର କାରଣ ମୁଖ୍ୟତଃ ଜାତିଗତ ଭେଦଭାବକୁ ବିରୋଧ କରିବା, ଜମି ହଡପକୁ ବିରୋଧ କରିବା, ଆର୍ଥିକ ଓ ଆଇନଗତ ଅସୁରକ୍ଷା ଇତ୍ୟାଦି। ଏହି କାରଣରୁ ଦଳିତ ବର୍ଗ ପୋଲିସ ଓ ରାଜନୈତିକ ହିଂସାର ସହଜ ଲକ୍ଷ୍ୟ ମଧ୍ୟ ହୋଇଯାନ୍ତି। ଏହି ସମାଜ ମଧ୍ୟରୁ ଉତ୍ପନ୍ନ ଉଚ୍ଚ ଜାତିର ପରିବାରର ସଦସ୍ୟ ଯେତେବେଳେ ସରକାରୀ ଓ ବେସରକାରୀ ଚାକିରିକୁ ଆସୁଛନ୍ତି ସେମାନେ ନିଜର ଜାତିଭାବନାକୁ ନେଇ ଆସୁଛନ୍ତି। ସେମାନଙ୍କ ଜାତିଗତ ଘୃଣାର ଶିକାର ସେମାନଙ୍କ ନିକଟସ୍ଥ କର୍ମଚାରୀ ହୋଇଥାନ୍ତି।
ସମାଜରୁ ଜାତିଗତ ଭେଦଭାବ ଓ ଜାତିଗତ ହିଂସାକୁ ଦୂର କରିବା ଲାଗି ବୁଦ୍ଧ ଓ ମହାବୀର ଜୈନଙ୍କ ସମୟରୁ ଉଦ୍ୟମ ହୋଇଆସୁଛି। ଭାରତ ଭୂଖଣ୍ଡର ବିଭିନ୍ନ ଅଞ୍ଚଳରେ ବିଭିନ୍ନ ମହାପୁରୁଷ ଓ ମହୀୟସୀ ନାରୀ ନିଜର ଜୀବନକୁ ବାଜି ଲଗେଇ ଏହାର ବିରୁଦ୍ଧରେ ସାଧାରଣ ଲୋକଙ୍କୁ ସଚେତନ କରିଛନ୍ତି। ଦକ୍ଷିଣ ଭାରତରେ ଆକ୍କା ମହାଦେବୀ, ନାରାୟଣ ଗୁରୁ, ବେମନା ଓ ପେରିୟାର; ପଶ୍ଚିମ ଭାରତରେ ତୁକାରମଙ୍କ ଠାରୁ ଜ୍ୟୋତିବାବା ଫୁଲେ ଓ ସାବିତ୍ରୀ ଫୁଲେ; ଉତ୍ତର ଭାରତରେ ନାନକ, କବୀର, ରବି ଦାସ ଓ ପୂର୍ବ ଭାରତରେ ମହିମା ଗୋସେଇଁ, ଭୀମଭୋଇ, ଚୈତନ୍ୟ, ହାଡ଼ିଦାସ, ବଳରାମ ଦାସ ପ୍ରମୁଖ ବିରାଟ ତାଲିକା ମଧ୍ୟରୁ କେବଳ କିଛି ନାମ। ସେମାନଙ୍କ ମୃତ୍ୟୁ ପରେ ସେମାନଙ୍କୁ ପରବର୍ତ୍ତୀ ସମାଜ ପୂଜା କରିଛି। କିନ୍ତୁ ପ୍ରତିଥର ଦେଖାଯାଇଛି ଯେ ସେମାନଙ୍କ ବିରାଟ ଆନ୍ଦୋଳନ ପୁଣି ଜାତିପ୍ରଥାର ଖୋଳପା ମଧ୍ୟରେ ପଶିଯାଉଛି। ଏହି ସମାନ କଥା ଜୈନ, ବୁଦ୍ଧ, ଭୀମଭୋଇ, ନାରାୟଣ ଗୁରୁ, କବୀର, ଚୈତନ୍ୟ ଓ ରବିଦାସ ପ୍ରମୁଖଙ୍କ କ୍ଷେତ୍ରରେ ବିଶେଷ ଭାବରେ ହୋଇଛି।
ଦେଶର ସ୍ଵାଧୀନତା ପରେ ସାମ୍ବିଧାନିକ ବେଞ୍ଚ ଅଛୁଆଁ ପ୍ରଥାର ଲୋପ ପାଇଁ ଦୃଢ଼ ନିଷ୍ପତ୍ତି ନେଇଥିଲା। ଏଥିରେ ବାବାସାହେବ ଆମ୍ବେଦକରଙ୍କ ବିଶେଷ ଭୂମିକା ରହିଛି। ଏହା ମୌଳିକ ଅଧିକାରର ବିଷୟ ହୋଇଗଲା। ରାଷ୍ଟ୍ରର ଉଦ୍ୟମ କ୍ରମେ ଦେଶରୁ ଜାତିପ୍ରଥା ସଂପୂର୍ଣ୍ଣ ବିଲୋପ କରିବା ଲାଗି ସମ୍ବିଧାନରେ ପ୍ରସ୍ତାବ ରହିଲା। ଦଳିତ ବର୍ଗଙ୍କୁ ସମାନ ଅଧିକାର ଦେବା ଲାଗି (ଯାହା ପୂର୍ବରୁ ହେଉନଥିଲା) ସମ୍ବିଧାନର ଧାରା ୧୪ (ସମାନତାର ଅଧିକାର), ୧୫ (ଜାତି, ଧର୍ମ, ଲିଙ୍ଗ ଓ ଜନ୍ମ ସ୍ଥାନକୁ କାହାରିକୁ ତାହାର ଅଧିକାରରୁ ବଞ୍ଚିତ କରାଯାଇପାରିବ ନାହିଁ), ୧୬ (ସରକାରୀ ଚାକିରି ପାଇବାରେ ସମାନ ଅଧିକାର ସମସ୍ତଙ୍କର ରହିଛି) ଓ ୧୭ (ଛୁଆଁଅଛୁଆଁ ପ୍ରଥାର ସଂପୂର୍ଣ୍ଣ ବିଲୋପ ଓ ଏହାକୁ କୌଣସି ପ୍ରକାରରେ କାର୍ଯ୍ୟକାରୀ କରିବା ମଧ୍ୟ ଅପରାଧ ଯେଉଁଥି ଲାଗି ପ୍ରମାଣିତ ହେଲେ ଦଣ୍ଡିତ ହେବା ନିଶ୍ଚିତ)ରେ ସ୍ଥାନ ପାଇଲା। ଏହା ସତ୍ତ୍ୱେ ଜାତିପ୍ରଥା ଓ ଜାତିଗତ ଭାବନା ନା ସମାଜରୁ ନା ଅନୁଷ୍ଠାନ ଓ ରାଜନୈତିକ ଦଳ ମଧ୍ୟରୁ ଅପସରୁଛି।
ସମ୍ବିଧାନରେ ଉଲ୍ଲେଖ ହେବା ସତ୍ତ୍ୱେ ଓ ଆଇନ ପ୍ରଣୟନ ହେବା ସତ୍ତ୍ୱେ ପାରସ୍ପରିକତା (ଫ୍ରାଟରନିଟି) ଅଥବା ପରସ୍ପର କାର୍ଯ୍ୟକୁ ସମ୍ମାନ ଦେବା ଓ ମିଳିତ ଭାବରେ ନିଜର ଦାୟିତ୍ଵ ନିର୍ବାହ କରିବା ଯେ ଜରୁରୀ ଏହାକୁ ମୂଳରୁ ଗୁରୁତ୍ଵ ଦିଆଯାଇପରିଲା ନାହିଁ। ଏହା ସମ୍ବିଧାନରର ଘୋଷଣାନାମାରେ ରହିଛି କିନ୍ତୁ ଆଚରଣରେ ଆସିଲା ନାହିଁ।
ରାଜସ୍ଥାନର ଅଲୱାର ଜିଲ୍ଲାରେ ଭାରତୀୟ ଜନତା ପାର୍ଟିର ପୂର୍ବ ବିଧାୟକ ତଥା ଦଳର ରାଜ୍ୟ ଉପସଭାପତି ଜିଲ୍ଲାର ଏକ ମନ୍ଦିରକୁ ଗଲା କିଛି ଦିନ ତଳେ ‘ଧାର୍ମିକ ଉପାୟରେ ପବିତ୍ର’ କରିଥିଲେ କାରଣ ସେହି ମନ୍ଦିରକୁ ଜଣେ ଦଳିତ ନେତା ପ୍ରବେଶ କରିଥିଲେ। ଏହା ଅତି ଘୃଣ୍ୟ ମାନସିକତା। ଏଭଳି ଘଟଣାର ଦୃଢ଼ ନିନ୍ଦା କରାଯିବା ପରେ ବିଜେପି ସେହି ନେତାଙ୍କୁ ପାର୍ଟିରୁ ସସପେଣ୍ଡ କରିଛି। ପ୍ରଶ୍ନ ଆସେ ଯେ ଚାହେଁ ଏମଏଲଏ ଭାବରେ ଟିକେଟ ଦିଆଯିବା ସମୟରେ ହେଉ ଅଥବା ବିଚାରପତି କି ପ୍ରଶାସକ ଭାବରେ ସରକାରୀ ଦାୟିତ୍ଵରେ ନିଯୁକ୍ତି ସମୟରେ ହେଉ, ଉଭୟ କ୍ଷେତ୍ରରେ ସମ୍ବିଧାନର ଘୋଷଣାନାମା ଓ ମୌଳିକ ଅଧିକାର ସମ୍ବନ୍ଧରେ ଯେ ପ୍ରାର୍ଥୀ କେତେ ଅବଗତ, କେତେ ଏହାକୁ ବିଶ୍ଵାସ କରୁଛନ୍ତି ଓ କେତେ ଠିକ ଭାବରେ ବୁଝିଛନ୍ତି ଏହା ପ୍ରାର୍ଥିପତ୍ର ଦାଖଲ ବା ନିଯୁକ୍ତି ପାଇଁ ଆବେଦନ ସମୟରେ ତାହାକୁ ମାନଦଣ୍ଡ ଭାବରେ କୌଣସି ସମୟରେ ରଖାଯାଇନାହିଁ। ଯେଉଁଥି ପାଇଁ ଅଲୱାର ଭଳି ଘଟଣା ଏବେ ବି ଘଟୁଛି। ଏପରିକି ଉଚ୍ଚ କୋର୍ଟଙ୍କ ରାୟରେ ମଧ୍ୟ ଜାତିପ୍ରଥା ଓ ଲିଙ୍ଗଭେଦର ସପକ୍ଷରେ ରାୟ ପ୍ରକାଶିତ ହେଉଛି।
ତଥାପି ଦେଶର ବିଭିନ୍ନ କୋଣରେ ସମସ୍ତଙ୍କୁ ସମାନ ଅଧିକାର ଲାଗି ଲଢେଇ ଚାଲିଛି। କର୍ଣାଟକର କୋଲାର ଜିଲ୍ଲାରେ ‘ଗୃହପ୍ରବେଶ - ଜାତିବାଦ ବିରୋଧୀ ଆନ୍ଦୋଳନ’କୁ ଦଶ ବର୍ଷ ପୂରିଛି। ସମସ୍ତଙ୍କ ଘର ସାମ୍ନାରେ ଉଲ୍ଲେଖ ରହିଛି ‘ଏହି ଘରେ କୌଣସି ଛୁଆଁଅଛୁଆଁ ଭେଦଭାବ ନାହିଁ।’ ଗଲା ଦଶ ବର୍ଷ ହେଲା ମିଳିତ ଭାବରେ ଜିଲ୍ଲାର ସମସ୍ତ ମନ୍ଦିରରେ ସମସ୍ତଙ୍କ ପ୍ରବେଶ ଅଧିକାର, ସମସ୍ତଙ୍କ ଗୃହରେ ସମସ୍ତଙ୍କର ପ୍ରବେଶ ଅଧିକାର, ସମସ୍ତଙ୍କ ଧାର୍ମିକ ଓ ବିବାହ ଆଦି ପାରିବାରିକ କାର୍ଯ୍ୟରେ ସମସ୍ତଙ୍କ ସମାନ ଭୂମିକା, ବ୍ରାହ୍ମଣର ମନ୍ତ୍ର ଉଚ୍ଚାରଣ ଅପେକ୍ଷା ସମାଜର ବୟୋଜେଷ୍ଠ ବ୍ୟକ୍ତିଙ୍କ ଦ୍ଵାରା ଧାର୍ମିକ କାର୍ଯ୍ୟର ସମାପନ ଇତ୍ୟାଦି କାର୍ଯ୍ୟକ୍ରମ ସେମାନେ ନେଉଛନ୍ତି। ଏହି ଆନ୍ଦୋଳନ ପ୍ରଥମେ କୋଲାର ସରକାରୀ ମହିଳା କଲେଜର ଇତିହାସ ବିଭାଗ ଅଧ୍ୟାପକଙ୍କ ଘରୁ ଆରମ୍ଭ ହୋଇଥିଲା।
ମହାରାଷ୍ଟ୍ରର ପୁନେ ଜିଲ୍ଲାରେ ନରେନ୍ଦ୍ର ଦାଭୋଲକରଙ୍କ ଦ୍ଵାରା ଗଠିତି ‘ଅନ୍ଧଶ୍ରଦ୍ଧା ନିର୍ମୂଳନ ସମିତି’ ସେହିଭଳି ଅନର କିଲିଙ୍ଗ ଓ ବାସନ୍ଦ ବ୍ୟବସ୍ଥା ବିରୁଦ୍ଧରେ ସମାଜ ମଧ୍ୟରେ ଲଢ଼େଇ କରୁଛି। ଦାଭୋଲକର ଜଣେ ଡାକ୍ତର ଥିଲେ। କେରଳର କସରଗୋଡ଼ ଠାରେ ଅବସ୍ଥିତ ଭଦ୍ରକାଳୀ ମନ୍ଦିରର ଭିତର ଅଞ୍ଚଳକୁ ଯେଉଁଠି ଦଳିତମାନଙ୍କୁ ପ୍ରବେଶ ବାରଣ ଥିଲା ୩୦ ଜଣ ଦଳିତ ବର୍ଗର ଭକ୍ତ ଏକାଠି ପ୍ରବେଶ କରି ଏହି ପରମ୍ପରାକୁ ଭାଙ୍ଗିଛନ୍ତି। ଦେଶର ବିଭିନ୍ନ ପ୍ରାନ୍ତରେ ଜାତିବାଦ ବିରୋଧୀ ଆନ୍ଦୋଳନ ଏବେ ବି ଚାଲିଛି। ସମସ୍ତେ ଆମ୍ବେଦକରଙ୍କୁ ନିଜର ଆଦର୍ଶ କରିଛନ୍ତି ଓ ସମ୍ବିଧାନର ସୀମା ମଧ୍ୟରେ ନିଜର ଲଢେଇ କରୁଛନ୍ତି। ଏହାର ଅନେକ ଉଦାହରଣ ରହିଛି। ଏହା ନିଜର ପୁରୁଣା ଅନୁଭୂତିରୁ ଶିଖୁଛି ଓ ନୂତନ ଭାବରେ ନିଜର ଅଧିକାରକୁ ସାବ୍ୟସ୍ତ କରୁଛି। ନଚେତ ଯେଉଁ ଭେଦଭାବକୁ ସମାପ୍ତ କରିବା ଲାଗି ସମ୍ବିଧାନ ପ୍ରଣୟନ ହୋଇଥିଲା କେବଳ ଆଇନ ଓ ଧାରା ଉପରେ ନିର୍ଭର କରିଥିଲେ ସେହି ଜାତିବାଦୀ ସମର୍ଥକଙ୍କ ହାତରେ ଏହା କେବେଠାରୁ ଅକାମୀ ହୋଇସାରିଥାନ୍ତା।
ମୋବାଇଲ- ୯୪୩୭୭୬୨୨୭୨
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।