ପଶୁ ଖାଇବେ ନା ମଣିଷ ?

ଦେବେନ୍ଦ୍ର ପୃଷ୍ଟି ତାଲାବନ୍ଦ ସମୟରେ ସହରର ବୁଲା କୁକୁର ଆଦି ପଶୁଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ପର୍ଯ୍ୟାୟରେ ୧ କୋଟି ୩୩ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଏହି ଟଙ୍କା ମଂଜୁର ହୋଇଛି। ପ୍ରଥମେ ଏହି ପାଣ୍ଠିରୁ ଏହି ଉଦ୍ଦେଶ୍ୟରେ ୫୩ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। ପଛରେ ପୁଣି ୮୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ସରକାରଙ୍କ ଘୋଷଣା ଅନୁସାରେ ଏହି ସମସ୍ତ ଟଙ୍କା ରାଜ୍ୟର ୫ ମହାନଗର […]

7890-1

Debendra Prusty
  • Published: Thursday, 16 April 2020
  • , Updated: 16 April 2020, 08:34 PM IST

ଦେବେନ୍ଦ୍ର ପୃଷ୍ଟି

ତାଲାବନ୍ଦ ସମୟରେ ସହରର ବୁଲା କୁକୁର ଆଦି ପଶୁଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ପର୍ଯ୍ୟାୟରେ ୧ କୋଟି ୩୩ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଏହି ଟଙ୍କା ମଂଜୁର ହୋଇଛି। ପ୍ରଥମେ ଏହି ପାଣ୍ଠିରୁ ଏହି ଉଦ୍ଦେଶ୍ୟରେ ୫୩ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। ପଛରେ ପୁଣି ୮୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ସରକାରଙ୍କ ଘୋଷଣା ଅନୁସାରେ ଏହି ସମସ୍ତ ଟଙ୍କା ରାଜ୍ୟର ୫ ମହାନଗର ନିଗମ, ୪୮ ପୌରପାଳିକା ଓ ୬୧ ବିଜ୍ଞାପିତ ଅଞ୍ଚଳ ପରିଷଦ ଜରିଆରେ ଖର୍ଚ୍ଚ ହେବ। ଏହିସବୁ ସଂସ୍ଥାର ଅଧିକାରୀମାନେ ଏହି ଟଙ୍କାରେ ସେମାନଙ୍କ ସହରାଞ୍ଚଳର ବୁଲା କୁକୁର, ମାଙ୍କଡ଼ ଓ ଅନ୍ୟ ପଶୁଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା କରିବେ।

ମୁଖ୍ୟମନ୍ତ୍ରୀଙ୍କର ଏହି ଆଭିମୁଖ୍ୟ ନିଶ୍ଚୟ ପ୍ରଶଂସନୀୟ। କରୋନା ଭୟରେ ସରକାର ସବୁ ସହର ଓ ଗାଁରେ ତାଲା ପକେଇ ଦେଇଥିବାବେଳେ ବୁଲା ପଶୁଙ୍କ ପାଇଁ ଖାଦ୍ୟାଭାବ ସୃଷ୍ଟି ହୋଇଛି। ସହରର ହୋଟେଲ ଓ ରେସ୍ତୋରାଁ ଆଦିର ବଳକା ଖାଦ୍ୟରେ ଏହିପର ପଶୁମାନେ କ୍ଷୁଧା ନିବାରଣ କରୁଥିଲେ। ସେହିପରି ସହରରେ ଥିବା ମନ୍ଦିର ଓ ପର୍ଯ୍ୟଟନସ୍ଥଳକୁ ଯାଉଥିବା ଲୋକମାନେ ମଧ୍ୟ ଏଭଳି ପଶୁଙ୍କ ପାଇଁ ଖାଦ୍ୟର ଉତ୍ସ ଥିଲେ। ତାଲାବନ୍ଦ ଯୋଗୁଁ ଏସବୁ ଏବେ ବନ୍ଦ। ତେଣୁ ବୁଲା କୁକୁର, ମାଙ୍କଡ଼ ଓ ଷଣ୍ଢଙ୍କ ପାଇଁ ଖାଦ୍ୟ ସଂକଟ ସୃଷ୍ଟି ହେବା ମିଛ କଥା ନୁହେଁ। ଏହି ସମସ୍ୟା ସଂପର୍କରେ ପ୍ରଥମେ ଓଡ଼ିଶା ସରକାର କିମ୍ବା ମାନ୍ୟବର ମୁଖ୍ୟମନ୍ତ୍ରୀ ଅବଗତ ନଥିଲେ। ଏ ସଂପର୍କରେ ପ୍ରଥମେ ମୁହଁ ଖୋଲିଥିଲେ ଏହି କ୍ଷେତ୍ରରେ କାମ କରୁଥିବା ଅନେକ ପ୍ରାଣୀପ୍ରେମୀ। ସେମାନେ ସାମାଜିକ ଗଣମାଧ୍ୟମ ଜରିଆରେ ଏ ପ୍ରଶ୍ନ ଉଠାଇଥିଲେ ଓ ମୁଖ୍ୟ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ମଧ୍ୟ ଅବଗତ କରିଥିଲେ। ରାଜଧାନୀ ଭୁବନେଶ୍ୱରର କେତେକ ପ୍ରାଣୀପ୍ରେମୀ ନିଜ ଉଦ୍ୟମରେ ଖଣ୍ଡଗିରି ମାଙ୍କଡ଼ ଓ ସହରର ବୁଲା କୁକୁରମାନଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା କରିବା ନେଇ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇବାର ମୁଖ୍ୟମନ୍ତ୍ରୀ ବୋଧହୁଏ ବିଚଳିତ ହୋଇ ଏପରି ଏକ ସକାରାତ୍ମକ ନିଷ୍ପତ୍ତି ଗ୍ରହଣ କରିଥିଲେ।

ତେବେ, ତାଙ୍କର ଏହି ନିଷ୍ପତ୍ତି ତୃଣମୂଳ ସ୍ତରରେ କିପରି କାର୍ଯ୍ୟକାରୀ ହେଉଛି ସେ ସଂପର୍କରେ ତାଙ୍କ ଦପ୍ତର ନଜର ରଖିଛି କି ନାହିଁ କହିହେବ ନାହିଁ। ବନ୍ୟା ଓ ବାତ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଯେପରି ଏପରି ବହୁ ଅର୍ଥର ସିଂହଭାଗ ବାଟମାରଣାରେ ବୋହିଯାଏ ଏବେ ସେହିପରି ହେବା ଅସମ୍ଭବ ନୁହେଁ। ପୌର କର୍ମଚାରୀମାନେ ଏହାକୁ ଦୁର୍ନୀତିର ଏକ ସୁଯୋଗ ଭାବେ ଗ୍ରହଣ କରିପାରନ୍ତି। ସରକାର ଦୁଇଟି ପର୍ଯ୍ୟାୟରେ ଯେଉଁ ୧୩୩ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି ତାହା କିଛି କମ୍‌ ଟଙ୍କା ନୁହେଁ। ରାଜ୍ୟର ମୋଟ ୧୧୪ ପୌରାଞ୍ଚଳ ମଧ୍ୟରେ ସମାନ ଭାବରେ ବଣ୍ଟାଗଲେ ପୌରସଂସ୍ଥା ପିଛା ହାରାହାରି ଲକ୍ଷେ ଟଙ୍କାରୁ ଅଧିକ ପଡ଼ିବ। ତେବେ ମହାନଗର ନିଗମ ଓ ପୌରପାଳିକା ଗୁଡ଼ିକ ବଡ଼ ହୋଇଥିବାରୁ ସେଗୁଡ଼ିକ ଭାଗରେ ଅଧିକ ଓ ବିଜ୍ଞାପିତ ଅଞ୍ଚଳ ପରିଷଦଗୁଡ଼ିକ ଛୋଟ ହୋଇଥିବାରୁ ସେମାନଙ୍କ ଭାଗରେ କମ୍‌ ଅର୍ଥ ପଡ଼ିପାରେ। ଯାହା ବି ହେଉ, ପୌରସଂସ୍ଥାଗୁଡ଼ିକର କର୍ମଚାରୀମାନେ ସାଧୁତାର ସହିତ ଏହି ଅର୍ଥ ଖର୍ଚ୍ଚ କଲେ ନିଶ୍ଚୟ ସହରର ବହୁ ବୁଲା କୁକୁର, ଷଣ୍ଢ ଓ ମାଙ୍କଡ଼ଙ୍କ ପରି ପ୍ରାଣୀ କରୋନା ତାଲାବନ୍ଦ ସମୟରେ ଉପକୃତ ହେବେ।

ସରକାରଙ୍କ ବ୍ୟବସ୍ଥା ଅନୁସାରେ କରୋନା ସଂକ୍ରମଣର ବହୁ ପୂର୍ବରୁ ପୌରସଂସ୍ଥାଗୁଡ଼ିକ ନିଜନିଜ ଅଞ୍ଚଳର ବହୁ ବୁଲା କୁକୁରଙ୍କୁ ଖାସୁ କରିସାରିଛନ୍ତି। ସେଥିପାଇଁ ସେମାନଙ୍କର ବଂଶବୃଦ୍ଧି ଘଟୁନାହିଁ। ଅନେକ ସହରର ବୁଲା କୁକୁରଙ୍କ ସହର ବାହାରେ ଦୂର ଜାଗାରେ ଛାଡ଼ି ଦିଆଯାଇଛି। ପୌରାଞ୍ଚଳର ବୁଲା ଗାଈଗୋରୁଙ୍କୁ ଧରିବା ପାଇଁ ବହୁ ପୌରସଂସ୍ଥାରେ ସ୍ୱତନ୍ତ୍ର ଗାଡ଼ି ଓ କର୍ମଚାରୀଙ୍କ ବ୍ୟବସ୍ଥା କରାଯାଇଛି। ଗାଈଗୋରୁଙ୍କୁ ନେଇ ଗୋଶାଳାରେ ରଖିବାର ବ୍ୟବସ୍ଥା ବି ଅଛି। ଅନେକ ପୌରାଞ୍ଚଳରେ କାଞ୍ଜିଆହୁଦା ବି ରହିଛି। ଏସବୁ ବାବଦରେ ସରକାରୀ ସ୍ତରରେ ଅର୍ଥ ମଂଜୁର ହୋଇଥାଏ। ସେସବୁ ବାବଦ ଅର୍ଥ ଯଦି ଠିକ ଭାବରେ ଖର୍ଚ୍ଚ ହୋଇଥିବ ତେବେ ବର୍ତ୍ତମାନର ତାଲାବନ୍ଦରୁ ଏତେ ବଡ଼ ସମସ୍ୟା ସୃଷ୍ଟି ହେବା କଥା ନୁହେଁ। ତଥାପି, ବିଭିନ୍ନ ସହରରେ ଏପରି ସମସ୍ୟା ଦେଖାଦେଇଛି। ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଏ ବାବଦରେ ଯେଉଁ ଅର୍ଥ ମଂଜୁର ହୋଇଛି ତାହାକୁ ସଠିକ ଭାବେ ସାଧୁତାର ସହିତ ଖର୍ଚ୍ଚ କରାଯିବାର ଆବଶ୍ୟକତା ରହିଛି। ଏହାକୁ ଯଦି ମଣିଷ ଖାଇଯିବେ ତେବେ ବଦହଜମି ନହୋଇପାରେ କିନ୍ତୁ ଏହା ମଣିଷ ସୁଲଭ କାମ ତ ହେବ ନାହିଁ, ପଶୁ ସୁଲଭ କାମ ବି ହେବ ନାହିଁ।

Related story