Advertisment

ଓଡ଼ିଶାରେ ଝୋଟଚାଷର ଭବିଷ୍ୟତ

ଝୋଟଚାଷରେ ଏକର ପ୍ରତି ଖର୍ଚ୍ଚ ପ୍ରାୟ ୩୫ ହଜାର ଟଙ୍କା ହେଲାବେଳେ ମୋଟ ଆୟହୁଏ ପ୍ରାୟ ୫୮ ହଜାର ଟଙ୍କା। ସୁତରାଂ ଏକର ପ୍ରତି ଲାଭ ମିଳେ ପ୍ରାୟ ୨୩ ହଜାର ଟଙ୍କା ବା ଖର୍ଚ୍ଚର ୧୬୬.୮ ପ୍ରତିଶତ।

author-image
Debendra Prusty
Jute Fiber

Jute Fiber

ଜାନକୀଶ ବଡ଼ପଣ୍ଡା

ପଶ୍ଚିମ ବଙ୍ଗର ହୁଗୁଳିନଦୀ କୂଳରେ ଭାରତର ସର୍ବାଧିକ ଝୋଟ ଶିଳ୍ପ ରହିଛି। ପଶ୍ଚିମ ବଙ୍ଗରେ ସର୍ବାଧିକ ଝୋଟଚାଷ ହେଉଥିବା ବେଳେ ତା’ତଳକୁ ଯଥାକ୍ରମେ ଆନ୍ଧ୍ର ପ୍ରଦେଶ, ଉତ୍ତର ପ୍ରଦେଶ, ବିହାର, ଓଡ଼ିଶା, ଆସାମ, ଛତିଶଗଡ଼ ଏବଂ ତ୍ରିପୁରା ରାଜ୍ୟ ରହିଛି। ଝୋଟଶିଳ୍ପ ବା ଚଟକଳ ଗୁଡ଼ିକ ଉଭୟ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ପ୍ରଦାନ କରୁ ଥିଲାବେଳେ ଝୋଟଚାଷ କରୁଥିବା ଲକ୍ଷ ଲକ୍ଷ କୃଷକ ପରିବାର ଏଥିରୁ ଲାଭବାନ ହୁଅନ୍ତି। କୃଷି, ଶିଳ୍ପ ଏବଂ ସେବା କ୍ଷେତ୍ରରେ ଏକ ବିଶାଳ ଶ୍ରମଶକ୍ତିକୁ ନିଯୁକ୍ତି ପ୍ରଦାନ କରିବାକୁ ସମର୍ଥ ଝୋଟଚାଷ।

Advertisment

ଆମ ଦେଶରେ ଝୋଟଶିଳ୍ପ ପ୍ରାୟ ୧୫୦ ବର୍ଷରୁ ଅଧିକ ପୁରୁଣା। ଭାରତ ସରକାର ଜାତୀୟ ଝୋଟଚାଷ ନୀତି ଏବଂ ଝୋଟଚାଷ ବିବିଧତା ଯୋଜନା ଭଳି ପଦକ୍ଷେପ କାର୍ଯ୍ୟକାରୀ କରୁଥିବାରୁ ତାହା ଝୋଟଶିଳ୍ପକୁ ସାହାଯ୍ୟ ଏବଂ ଝୋଟରୁ ପ୍ରସ୍ତୁତ ବିଭିନ୍ନ ପ୍ରକାର ଉତ୍ପାଦନକୁ ପ୍ରୋତ୍ସାହିତ କରିଛି। ଭାରତ ଝୋଟ ଏବଂ ଝୋଟରୁ ଉତ୍ପାଦିତ ବିଭିନ୍ନ ବ୍ୟବହାର୍ଯ୍ୟ ପଦାର୍ଥର ଏକ ପ୍ରମୁଖ ରପ୍ତାନିକାରୀ ରାଷ୍ଟ୍ର। ଏସବୁ ମୁଖ୍ୟତଃ ଆମେରିକା, ୟୁକେ ଏବଂ ଅଷ୍ଟ୍ରେଲିଆକୁ ରପ୍ତାନୀ କରାଯାଏ।

ଓଡ଼ିଶାରେ ଏକଦା ଅର୍ଥକରୀ ଫସଲ ହିସାବରେ ମାନ୍ୟତା ପାଇଥିବା ଝୋଟ ଫସଲ ଆଜି କିନ୍ତୁ ଅବହେଳିତ। ଝୋଟଚାଷରୁ ମୁହଁ ଫେରାଇ ନେଉଛନ୍ତି ପାରମ୍ପରିକ ଝୋଟ ଚାଷୀ। ମୁଖ୍ୟତଃ ବାଲେଶ୍ଵର, କେନ୍ଦ୍ରାପଡ଼ା, କେନ୍ଦୁଝର, କଟକ ଓ ଯାଜପୁର ଜିଲ୍ଲାରେ ବହୁ ବର୍ଷଧରି ବ୍ୟାପକ ଭାବରେ ଏହି ଫସଲ ଚାଷ ହେଉଥିଲା। ଏହାର ମହତ୍ତ୍ଵ ଦୃଷ୍ଟିରୁ ଏହି ଫସଲକୁ ସୁବର୍ଣ୍ଣ ତନ୍ତୁ-ଫସଲ ତଥା ଅର୍ଥକାରୀ ଫସଲ କୁହାଯାଏ। ତଥାପି, ଚାଷୀମାନେ ଝୋଟଚାଷରୁ ମୁହଁ ଫେରାଇ ନେବାର କାରଣ ଥିଲା ଝୋଟକଳ ଅଭାବ। ଓଡ଼ିଶାର ପ୍ରଥମ ଝୋଟକଳ ଓଡ଼ିଶା ଜୁଟ୍ ମିଲସ୍ ପ୍ରତିଷ୍ଠା ପାଇଥିଲା ୨୭.୦୫.୧୯୪୭ ମସିହାରେ। କଟକ ସହରରେ ଏହା ସହିତ ଏହାର ଭଗିନୀ ଶିଳ୍ପସଂସ୍ଥା ଓଡ଼ିଶା ଜୁଟ୍ ଆଣ୍ଡ୍ କଟନ୍ ମିଲସ୍ ମଧ୍ୟ ସେହି ବର୍ଷ ନଭେମ୍ବର ୨୮ ତାରିଖରେ ଖୋଲି ଥିଲା। ଏହା କ୍ଷତି କରିବାରୁ କିଛି ବର୍ଷ ପରେ ବନ୍ଦ ହୋଇଗଲା। ୨୬ ଡିସେମ୍ବର, ୧୯୭୫ ମସିହାରେ ଢେଙ୍କାନାଳରେ ଆରମ୍ଭ ହୋଇଥିଲା କଳିଙ୍ଗ ଜୁଟ୍ ପ୍ରଡକ୍ଟସ୍ ପ୍ରାଇଭେଟ୍ ଲିମିଟେଡ୍, ଯାହା ବିଭିନ୍ନ ସମୟରେ ବହୁ ଲୋକଙ୍କ ମାଲିକାନା ଯାଇ ଏବେ କେବଳ ଝୋଟ ତିଆରି ଅଖା ପ୍ରସ୍ତୁତ କରୁଛି। ଏହାର ଚାରି ବର୍ଷ ପରେ ପ୍ରତିଷ୍ଠା ପାଇଥିଲା ସରକାରୀ ମାଲିକାନାରେ ପରିଚାଳିତ କୋଣାର୍କ ଜୁଟ୍ ମିଲ୍ସ୍ ଲିମିଟେଡ୍। ଯାଜପୁର ଜିଲ୍ଲାର ଧାନମଣ୍ଡଳ ଠାରେ ପ୍ରତିଷ୍ଠା ପାଇଥିବା ଏହି ଝୋଟ କଳ ଏବେ ନୂଆ ମାଲିକଙ୍କ ଲୁହା ପଥରରୁ ତିଆରି ପେଲେଟ୍ ସଇତା ଗୋଦାମ ହୋଇ ଯାଇଛି। ଝୋଟ ଚାଷୀଙ୍କ ଉତ୍ପାଦିତ ଝୋଟ କିଣିବ କିଏ! ଭାରତୀୟ ଝୋଟ ନିଗମ (ଜୁଟ୍ କର୍ପୋରେସନ) ଦ୍ଵାରା ଭଦ୍ରଖ ଅଞ୍ଚଳିକ କ୍ଷେତ୍ରୀୟ ଗୋଦାମ (ଆର୍.ଏଲ୍.ଡି) ଅଧୀନରେ ଭଦ୍ରକ, କେନ୍ଦୁପାଟଣା, ଧାନମଣ୍ଡଳ, ସାଇଲଙ୍ଗା, ଦାନପୁର ଓ ମାର୍ଶାଘାଇଠାରେ ଝୋଟ ସଂଗ୍ରହ କେନ୍ଦ୍ର ସ୍ଥାପିତ ହୋଇଛି। କିନ୍ତୁ, ଝୋଟଚାଷ ଜମି ପରିମାଣ କମିଥିବାରୁ ଝୋଟ ଉତ୍ପାଦନ କମିଯାଇଛି ଏବଂ ଏଗୁଡ଼ିକ କାର୍ଯ୍ୟକ୍ଷମ ହୋଇପାରୁ ନାହିଁ। ପଶ୍ଚିମ ବଙ୍ଗରେ ଅଧିକ ଝୋଟଚାଷ ସହିତ ୧୦୪ଟି ଛୋଟବଡ଼ ଚଟକଳ ରହିଛି ଯାହା ଫଳରେ ଝୋଟଚାଷର ଉନ୍ନତି ହେଉଛି। ସେଥିପାଇଁ ଦେଶର ପ୍ରାୟ ୭୫% ଝୋଟ ପଶ୍ଚିମ ବଙ୍ଗରୁ ଅମଳ ହୋଇଥାଏ।

Advertisment

ଝୋଟ ବା ନଳିତା ଦୁଇ ପ୍ରକାରର। ମଧୁର ନଳିତା ଢିପ ଜମିରେ ଓ ପିତା ନଳିତା ଖାଲ ଜମିରେ ଚାଷ ହୁଏ। ଖରିଫ ଧାନତଳି ରୋଇବା ପୂର୍ବରୁ ଝୋଟ ଚାଷ ହେଉଥିବାରୁ ଏହାର ପତ୍ର କିଆରୀରେ ପଚି ସଢ଼ି ଧାନ ଫସଲକୁ ଖାଦ୍ୟସାର ଯୋଗାଇ ଥାଏ; ଯାହା ଫଳରେ ଧାନ ଅମଳ ମଧ୍ୟ ବୃଦ୍ଧି ପାଏ। ନଳିତା ଫସଲରୁ ଉତ୍ପାଦିତ ତନ୍ତୁର ବହୁମୁଖୀ ବ୍ୟବହାର ଗୁଡ଼ିକ ହେଲା: ବସ୍ତା, ସୁତୁଲି, ଟେକ୍ସଟାଇଲ ବା ବସ୍ତ୍ର ପ୍ରସ୍ତୁତି ଏବଂ ପ୍ୟାକେଜିଂ ସମେତ ବିଭିନ୍ନ ହସ୍ତଶିଳ୍ପ ସାମଗ୍ରୀ ଉତ୍ପାଦନ। ଝୋଟଚାଷ ସ୍ଥାନୀୟ କୃଷି ଅର୍ଥନୀତିକୁ ସମୃଦ୍ଧ କରେ ଓ କର୍ମନିଯୁକ୍ତି ସୃଷ୍ଟି କରେ। ଓଡ଼ିଶାରେ ୧୯୭୦-୭୧ ମସିହାରେ ୪୩,୭୫୦ ହେକ୍ଟର ଜମିରେ ଝୋଟ ଚାଷ ହେଉଥିଲା ବେଳେ ୧୯୮୩-୮୪ ମସିହାରେ ସର୍ବାଧିକ ୫୫,୦୦୦ ହେକ୍ଟର ଜମିରେ ଝୋଟଚାଷ ହୋଇଥିଲା। ସେତେବେଳେ ପ୍ରାୟ ୪,୧୧,୯୬୦ ବେଲ୍ ବା ଗାଣ୍ଠି (୧ ବେଲ୍ ହେଉଛି ୧୮୦ କିଲୋଗ୍ରାମ) ଝୋଟତନ୍ତୁ ଅମଳ ହୋଇଥିଲା। ଏହା ପରଠାରୁ ଝୋଟ ଚାଷ କମିବାକୁ ଆରମ୍ଭ କଲା ଏବଂ ୨୦୨୩-୨୪ରେ ଏହା ୫,୧୧୦ ହେକ୍ଟରରେ ସୀମିତ ହୋଇ ମାତ୍ର ୬୯,୬୦୦ ବେଲ୍ ଝୋଟତନ୍ତୁ ଅମଳ ହୋଇଥିଲା। ସେହି ବର୍ଷ କେନ୍ଦୁଝର ଜିଲ୍ଲାରେ ସବୁଠାରୁ ଅଧିକ ୧,୩୦୦ ହେକ୍ଟର ଜମିରେ ଝୋଟଚାଷ ହୋଇଥିଲା। ଏହାର ବଜାର ନାହିଁ ବୋଲି ଝୋଟ ଚାଷ ଲାଭଜନକ ହେଉନାହିଁ ଓ ଏକଦା ଅର୍ଥକାରୀ ଫସଲ ବୋଲାଉଥିବା ଝୋଟଚାଷରୁ ଚାଷୀ ମୁହଁ ଫେରାଇ ନେଉଛନ୍ତି।

ମେସ୍ତା ବା କାଉଁରିଆ ମଧ୍ୟ ଝୋଟ ପରି ଭାରତର ଗୋଟିଏ ମୁଖ୍ୟ ତନ୍ତୁଜାତୀୟ ଫସଲ। ଏହାର ତନ୍ତୁ କଞ୍ଚାମାଲ ରୂପେ ବ୍ୟବହାର ହେବା ସଙ୍ଗେ ବିଦେଶକୁ ରପ୍ତାନୀ କରାଯାଇ ବିଦେଶୀ ମୁଦ୍ରା ସଂଗ୍ରହ କରାଯାଏ। ଏହାର ତନ୍ତୁରୁ ଏକପ୍ରକାର କାଗଜ ପ୍ରସ୍ତୁତ ହୁଏ, ଯେଉଁଥିରେ ନୋଟ ଛପା ଯାଏ। ଚାଷୀମାନେ ଏହି ତନ୍ତୁରେ ଦଉଡ଼ି ତାଗା, ଡୋର, ଜାଲ, ସଅପ ଇତ୍ୟାଦି ତିଆରି କରନ୍ତି। ଭାରତ ମେସ୍ତା ଚାଷରେ ଅଗ୍ରଣୀ। ଏଠାରେ ୩ରୁ ୩.୩୩ ଲକ୍ଷ ହେକ୍ଟର ଜମିରେ ଚାଷ କରାଯାଏ। ଓଡ଼ିଶାର କୋରାପୁଟ, ଢେଙ୍କାନାଳ, ମୟୂରଭଞ୍ଜ, ସମ୍ବଲପୁର, କେଉଁଝର, ଗଞ୍ଜାମ ଓ ନୟାଗଡ଼ ଜିଲ୍ଲାରେ ମେସ୍ତା ଚାଷ କରାଯାଏ। ଓଡ଼ିଶାରେ ମେସ୍ତା ୫୦,୦୦୦ ହେକ୍ଟର ଜମିରେ ଚାଷହୁଏ। ଏହାକୁ ଖଟା ପାଳଙ୍ଗ ବୋଲି କୁହାଯାଏ। ଉଦ୍ଭିଦବିଜ୍ଞାନ ଦୃଷ୍ଟିରୁ ଝୋଟ ଏବଂ କାଉଁରିଆ ସଂପୂର୍ଣ୍ଣ ଅଲଗା ପ୍ରଜାତିର ହେଲେ ହେଁ ଉଭୟଙ୍କ ଠାରୁ ତନ୍ତୁ ମିଳିଥାଏ।

ବ୍ୟାପକ ଭାବେ ପ୍ଲାଷ୍ଟିକ ବ୍ୟବହାର ଓ ସେଥିରୁ ମୁଣି ପ୍ରସ୍ତୁତ ହୋଇ ବ୍ୟବହାର ହେବାରୁ ଝୋଟ ତିଆରି ଅଖା ଓ ସୁତୁଲିର ଚାହିଦା ହ୍ରାସ ପାଇବାକୁ ଆରମ୍ଭ କରିଥିଲା। ଝୋଟ ଉତ୍ପାଦଗୁଡ଼ିକ ଅନ୍ୟାନ୍ୟ ତନ୍ତୁ ଉତ୍ପାଦ ଭଳି ପ୍ଲାଷ୍ଟିକ ସହିତ ପ୍ରତିଯୋଗିତା କରିପାରିଲା ନାହିଁ। ଅସ୍ଥିର ବଜାର ସହିତ ଅନ୍ୟ ପକ୍ଷରେ ପୁରାତନ ଚାଷ ପଦ୍ଧତି, ଆଧୁନିକ ବୈଷୟିକ କୌଶଳ ପ୍ରୟୋଗ କରା ନଯିବା, ବର୍ଷାଦିନେ ବନ୍ୟା, ଅମଳ ପରବର୍ତ୍ତୀ ଭିତ୍ତିଭୂମି ଅଭାବ ଓ ଜଳବାୟୁ ପରିବର୍ତ୍ତନ ହେଉଥିବାରୁ ଝୋଟ ଫସଲ ଉତ୍ପାଦନ ହାରରେ ହ୍ରାସ ଇତ୍ୟାଦି କାରଣ ଝୋଟଚାଷ କରିବା ପାଇଁ ଚାଷୀମାନଙ୍କୁ ନିରୁତ୍ସାହିତ କଲା। ଝୋଟରୁ ପ୍ରସ୍ତୁତ ବସ୍ତା ଓ ଅନ୍ୟାନ୍ୟ ଉତ୍ପାଦ ଜୈବିକ ପଦାର୍ଥ ହୋଇଥିବାରୁ ପରିବେଶ ପାଇଁ ନିରାପଦ ହୋଇଥିବାବେଳେ ପ୍ଲାଷ୍ଟିକ ନିର୍ମିତ ଉତ୍ପାଦ ପରିବେଶ ପ୍ରତି କ୍ଷତିକାରକ ବୋଲି ସଭିଏଁ ଜାଣୁଥିଲେ ବି ଝୋଟ ଯେଭଳି ଆଦର ପାଇବା କଥା ପାଇନାହିଁ। ଏଣୁ ଝୋଟର ପୂର୍ବ ଗୌରବ ଫେରାଇ ଆଣିବା ପାଇଁ ପ୍ରଚେଷ୍ଟା ହେବା ବାଞ୍ଛନୀୟ।

ନଳିତା ତନ୍ତୁରେ ସେଲ୍ୟୁଲେଜ ପରିମାଣ ଅଧିକ ଥିବାରୁ ପାରମ୍ପରିକ ବସ୍ତ୍ରଠାରୁ ଅଧିକ ମୂଲ୍ୟଯୁକ୍ତ ଉତ୍ପାଦ ପ୍ରସ୍ତୁତି ପାଇଁ ଏହାକୁ ବ୍ୟବହାର କରାଯାଇ ପାରିବ। ଝୋଟ ତନ୍ତୁରୁ ବଜାରମୁଣି, ବସ୍ତା, ଦଉଡ଼ି, ସାଜସଜ୍ଜା ଉପକରଣ ଇତ୍ୟାଦି ପ୍ରକୃତି ଅନୁକୂଳ ଦ୍ରବ୍ୟ ପ୍ରସ୍ତୁତ କରାଯାଏ। ଏଥିରୁ ମଧ୍ୟ ଗାଡ଼ିମଟର ପ୍ୟାନେଲ, ଘର ଆସବାବ , ଜିଓ-ପଲିମର, ଜୈବିକ ଇନ୍ସୁଲିନ୍ ପ୍ୟାନେଲ ଗଢ଼ାଯାଏ। ଝୋଟ ତନ୍ତୁକୁ ମିଶାଇ କପା, ସିଲ୍କ, ସିନ୍ଥେଟିକ ବସ୍ତ୍ର ଏବଂ ଫେସନ ବସ୍ତ୍ର ଇତ୍ୟାଦି ପ୍ରସ୍ତୁତ କରାଯାଏ। ଅଣ-ପାରମ୍ପରିକ ଟେକ୍ସଟାଇଲ ହିସାବରେ କାର୍ପେଟ, ଚଟାଣ ମଶିଣା ଓ କାନ୍ଥଝୁଲା ଉତ୍ପାଦ ମଧ୍ୟ ଝୋଟ ତନ୍ତୁ ବ୍ୟବହାର କରି ତିଆରି କରାଯାଏ। ବିଭିନ୍ନ ହସ୍ତଶିଳ୍ପ ଓ କୃଷି କ୍ଷେତ୍ରରେ ଆଚ୍ଛାଦନ ବା ମଲଚିଙ୍ଗ୍ ପାଇଁ ଝୋଟ ତନ୍ତୁ ବ୍ୟବହାର ହେଲାଣି। ଝୋଟ କାଠି ବା ‘କାଉଁରିଆ’ରୁ ମଣ୍ଡ ପ୍ରସ୍ତୁତ କରାଯାଇ କାଗଜ, ପାର୍ଟିକିଲ ବୋର୍ଡ, ଅଙ୍ଗାର ଓ ବିଭିନ୍ନ ପ୍ରକାର ହସ୍ତଶିଳ୍ପ ସାମଗ୍ରୀ ତିଆରି କରାଯାଏ। ସୁତରାଂ ଝୋଟ ତନ୍ତୁରୁ ବହୁବିଧ ସମାଗ୍ରୀ ପ୍ରସ୍ତୁତି ସୁଯୋଗ ରହିଛି ଏବଂ ଏଗୁଡିକ ପରିବେଶ ପାଇଁ କୌଣସି ବିପଦ ସୃଷ୍ଟି କରେନାହିଁ।

ଝୋଟ ଚାଷରେ ଆଧୁନିକତମ ଗବେଷଣାଲବ୍ଧ କୃଷି-ବୈଷୟିକ ଜ୍ଞାନର ବ୍ୟବହାର, ଅଧିକ ଅମଳକ୍ଷମ ବିହନ ବ୍ୟବହାର, ସଠିକ ଜଳସେଚନ ପରିଚାଳନା, ସାର ପ୍ରୟୋଗ, ରୋଗ ପୋକ ନିୟନ୍ତ୍ରଣ, ଭିତ୍ତିଭୂମି ବିକାଶ, ନଳିତା ଫସଲ କଟାଯିବା ପରେ ତାହାକୁ କଷାଇବାକୁ ଉନ୍ନତ ବ୍ୟବସ୍ଥା, କବକ ସୃଷ୍ଟି ପାଇଁ ‘ଫଙ୍ଗାଲ କଲଚର’ ବ୍ୟବହାର, ଗବେଷଣା ଓ ଉନ୍ନୟନ ଏବଂ କୃଷକ ପ୍ରଶିକ୍ଷଣ ଅତ୍ୟାବଶ୍ୟକ। ସମ ପରିମାଣରେ ଉନ୍ନତ ବିପଣନ ବ୍ୟବସ୍ଥା, ଅଧିକ ଝୋଟ ସଂଗ୍ରହ କେନ୍ଦ୍ର ସ୍ଥାପନ, ଚାଷୀ ସହିତ କ୍ରୟସଂସ୍ଥା ଓ ରପ୍ତାନିକାରୀଙ୍କ ସିଧାସଳଖ ଯୋଗାଯୋଗ, ସରକାରଙ୍କ ଦ୍ଵାରା ଝୋଟକ୍ରୟ କଲାବେଳେ ସର୍ବନିମ୍ନ ସହାୟତା ମୂଲ୍ୟ ଉପରେ ଇନପୁଟ ସହାୟତା, ଏବଂ ଝୋଟ ଆଧାରିତ ନୂତନ ଶିଳ୍ପ ସମାଗ୍ରୀ ପ୍ରସ୍ତୁତି ପାଇଁ ପ୍ରୋତ୍ସାହନ ଦିଆଗଲେ ଝୋଟ ଚାଷର ପୁନରୁଦ୍ଧାର ସମ୍ଭବ। ମଧ୍ୟମ, କ୍ଷୁଦ୍ର ଏବଂ ଅଣୁଶିଳ୍ପ ସଂସ୍ଥାଗୁଡିକରେ ନୂତନ ଝୋଟ ବ୍ୟାଗ୍, ଗୃହ ସାଜସଜା ସାମଗ୍ରୀ ଏବଂ ଫେସନ୍ ସାମଗ୍ରୀ ପ୍ରସ୍ତୁତ କରାଗଲେ ଝୋଟତନ୍ତୁର ଚାହିଦା ବୃଦ୍ଧି ପାଇବ; ଫଳରେ ଝୋଟଚାଷ ପାଇଁ ଚାଷୀମାନେ ଅଧିକ ଉତ୍ସାହିତ ହେବେ।

ଝୋଟତନ୍ତୁର ମାନକୁ ଅଧିକ ଉନ୍ନତ କରିବା ପାଇଁ ଅଧିକ ଗବେଷଣାର ଆବଶ୍ୟକତା ରହିଛି। ନଳିତା ଅମଳ ପରେ ଏହାକୁ ଚହଲା ପାଣିରେ କଷାଇବା ପରେ ପରିଷ୍କାର ପାଣିରେ ଏଥିରୁ ତନ୍ତୁ ବାହାର କରାଯାଏ ଓ ଖରାରେ ଶୁଖାଇବା ପରେ ଗାଣ୍ଠି କରାଯାଏ। ଝୋଟତନ୍ତୁର ଟାଣପଣ ବା ଶକ୍ତି, ଚେର ପରିମାଣ, ରଙ୍ଗ ଏବଂ ସାନ୍ଦ୍ରତା ଅନୁଯାୟୀ ଏହାକୁ ଧଳା ଓ ତୋଷା କିସମ ହିସାବରେ ଚିହ୍ନଟ କରାଯାଏ। ଗୁଣାତ୍ମକ ମାନ ଅନୁସାରେ ଧଳା ଝୋଟ ଓ ତୋଷାକୁ ପାଞ୍ଚଟି ଶ୍ରେଣୀରେ ବିଭକ୍ତ କରାଯାଏ; ଯାହାକି ଆଗରୁ ଆଠଟି ଶ୍ରେଣୀର ଥିଲା। ଶ୍ରେଣୀ ଅନୁସାରେ ସର୍ବନିମ୍ନ ସହାୟକ ମୂଲ୍ୟ ଅଲଗା ରହିଥାଏ ଓ ଭାରତୀୟ ଝୋଟ ନିଗମ ସଠିକ୍ ମୂଲ୍ୟ ଦେଇ ଝୋଟ କ୍ରୟ କରେ। ଚଳିତ ବର୍ଷ ଟି.ଡି-୩ କିସମ ଝୋଟର ମୂଲ୍ୟ କୁଇଣ୍ଟାଲ ପ୍ରତି ୫,୬୫୦ ଟଙ୍କା ରଖାଯାଇଛି। ବିକ୍ରିଯୋଗ୍ୟ ଝୋଟର ଶ୍ରେଣୀକରଣ କରିବା ପାଇଁ ହାତରେ ଧରି ପରୀକ୍ଷା କରିବାକୁ ହୁଏ କିମ୍ବା ଡିଜିଟାଲ ପଦ୍ଧତି ବ୍ୟବହାର କରାଯାଏ; ଯେଉଁଥିରେ ଝୋଟଚାଷୀ ବହୁ ସମୟରେ ଠକାମିର ଶିକାର ହୁଅନ୍ତି। ଝୋଟଚାଷରେ ଏକର ପ୍ରତି ଖର୍ଚ୍ଚ ପ୍ରାୟ ୩୫ ହଜାର ଟଙ୍କା ହେଲାବେଳେ ମୋଟ ଆୟହୁଏ ପ୍ରାୟ ୫୮ ହଜାର ଟଙ୍କା। ସୁତରାଂ ଏକର ପ୍ରତି ଲାଭ ମିଳେ ପ୍ରାୟ ୨୩ ହଜାର ଟଙ୍କା ବା ଖର୍ଚ୍ଚର ୧୬୬.୮ ପ୍ରତିଶତ। ଏହା କେବଳ ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଯୋଗୁ ସମ୍ଭବ ହୋଇଛି। ଝୋଟଚାଷୀ ଅଧିକ ଉନ୍ନତ ଚାଷ କରି ଅମଳ ବୃଦ୍ଧି କରି ପାରିଲେ ଓ ତନ୍ତୁର ଗୁଣାତ୍ମକ ମାନ ବୃଦ୍ଧି କରିପାରିଲେ ନିଶ୍ଚୟ ଅଧିକ ଲଭବାନ ହୋଇପାରିବେ। ଏଣୁ ଝୋଟ ତନ୍ତୁର ମାନ ବୃଦ୍ଧି କରିବାକୁ ଉନ୍ନତ ପ୍ରଣାଳୀରେ ଝୋଟ କଷାଇବା ଓ ଗଛରୁ ତନ୍ତୁ ଅଲଗା କରିବା ଉପରେ ଅଧିକ ଗବେଷଣା ଆବଶ୍ୟକ। ଏତଦ୍ ବ୍ୟତୀତ ତନ୍ତୁର ସୁକ୍ଷ୍ମତା ଓ ଶକ୍ତି (ମାନ) ବୃଦ୍ଧି ପାଇଁ ଯାନ୍ତ୍ରିକ ଏବଂ ରାସାୟନିକ ଉପଚାର ଉପରେ ମଧ୍ୟ ଗବେଷଣା ଆବଶ୍ୟକ। ରାସାୟନିକ ଉପଚାର ଦ୍ଵାରା ପଲିମର ସହିତ ସମକକ୍ଷ ହେବାପାଇଁ ଓ ଏହାକୁ ଜଳ-ସହଣୀ ଏବଂ ବୀଜାଣୁ-ରୋଧୀ କରିବା ପାଇଁ ରାସାୟନିକ ଉପଚାର ଆବଶ୍ୟକ ହୋଇଥାଏ।

ଝୋଟକୁ ଛଣି (ମେସ୍ତା ବା କାଉଁରିଆ) ଓ ନଡ଼ିଆକତା ଭଳି ପ୍ରାକୃତିକ ତନ୍ତୁ ସହିତ ମିଶ୍ରଣ କରି ଦଉଡ଼ି ଓ ସୁତୁଲି ଇତ୍ୟାଦି ବ୍ୟବହାର୍ଯ୍ୟ ବସ୍ତୁ ପ୍ରସ୍ତୁତ କରାଯାଇଥାଏ। ଏପରିକି କୃତ୍ରିମ ତନ୍ତୁ ସହିତ ମଧ୍ୟ ମିଶ୍ରଣ କରାଯାଇଥାଏ। ପରିବେଶ ପାଇଁ ସୁରକ୍ଷିତ ତଥା ସମ୍ପୂର୍ଣ୍ଣ ଭାବରେ ମାଟିରେ ମିଶିଯାଉଥିବାରୁ ଝୋଟର ତନ୍ତୁ ବ୍ୟବହାର ବ୍ୟବହାରକୁ ପ୍ରୋତ୍ସାହନ ଦିଆଯାଉଛି। ତଥାପି, ଝୋଟ ନିର୍ମିତ ବୟନସାମଗ୍ରୀ, ବସ୍ତା ଇତ୍ୟାଦିକୁ ବହୁଳ ବ୍ୟବହାରଯୋଗ୍ୟ କରିବା ପାଇଁ ଝୋଟକୁ ନିଶ୍ଚୟ ହାଲୁକା ଓ ଅଧିକ ଟାଣ କରିବା ଆବଶ୍ୟକ ହୁଏ। ଝୋଟକୁ କୀଟ ଓ ଅଗ୍ନି ନିରୋଧକ କରିବା ପାଇଁ ନାନୋ-ଟେକ୍ନୋଲୋଜିର ପ୍ରୟୋଗ କରାଯାଉଛି।

ଝୋଟର ଅନେକ ବିଶେଷ ଗୁଣ ଥିବାରୁ ତନ୍ତୁ ଆଧାରିତ ପଲିମର, ସେଲ୍ୟୁଲୋଜ, ନାନୋ-ସେଲ୍ୟଲୋଜ, ସକ୍ରିୟ ଅଙ୍ଗାର, ଝୋଟ ମଣ୍ଡରୁ କାଗଜ ଇତ୍ୟାଦି ପ୍ରସ୍ତୁତ ହେଉଛି। ଝୋଟ ପ୍ରକ୍ରିୟାକରଣ ପାଇଁ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ପ୍ରୟୋଗ କରାଗଲେ ଏହାର ଚାହିଦା ବୃଦ୍ଧି ପାଇବା ନିଶ୍ଚିତ। ପ୍ରକ୍ରିୟାକରଣ କ୍ଷେତ୍ରରେ ନୂଆ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ, ସଙ୍କରୀକରଣ ମାଧ୍ୟମରେ ଅଧିକ ଉତ୍ପାଦନକ୍ଷମ ପାଇଁ ନୂଆବିହନ ଉତ୍ପାଦନ କରିପାରିଲେ ଏହାର ବହୁବିଧ ବ୍ୟବହାର ବୃଦ୍ଧି ପାଇବ। ଏଣୁ ଚାଷୀମାନେ ନିଜର ଉତ୍ପାଦ ପାଇଁ ଅଧିକ ଲାଭଯୁକ୍ତ ମୂଲ୍ୟ ପାଇପାରିବେ। ସର୍ବୋପରି କୃତ୍ରିମତନ୍ତୁ ସମକକ୍ଷ ଝୋଟତନ୍ତୁରୁ ବସ୍ତା, ପ୍ୟାକେଜ ପଦାର୍ଥ, ଫେସନ ସାମଗ୍ରୀ, ଇଲକ୍ଟ୍ରୋନିକ ପଦାର୍ଥ, ଚିକିତ୍ସା ସହାୟକ ପଦାର୍ଥ, ବସ୍ତ୍ର ଓ ପୋଷାକ ଦ୍ରବ୍ୟ ପ୍ରସ୍ତୁତ କରିବାରେ ବିନିଯୋଗ ହୋଇ ପାରିବ। ଏହି ବସ୍ତୁ ଗୁଡ଼ିକ ପରିବେଶ ସୁରକ୍ଷା ଦୃଷ୍ଟିରୁ ନିରାପଦ ହୋଇଥିବାରୁ ଏହାର ବଜାର ବ୍ୟବସ୍ଥା ଭବିଷ୍ୟତରେ କ୍ରମଶଃ ବୃଦ୍ଧି ପାଇବାକୁ ଯାଉଛି। ଚାଷୀମାନେ ଏହି ସୁଯୋଗ ହାତଛଡ଼ା ନକରି ଝୋଟ ଉତ୍ପାଦନ ବୃଦ୍ଧି ସହିତ ଏହାର ଗୁଣାତ୍ମକ ମାନ ବୃଦ୍ଧି କରିବା ଆବଶ୍ୟକ। ଏପରି ଉଦ୍ୟମ ନିଶ୍ଚିତ ଭାବରେ ପାରମ୍ପରିକ ଅଞ୍ଚଳରେ ଝୋଟ ଚାଷର ପୁନରୁଦ୍ଧାର କରିବାରେ ସାହାଯ୍ୟ କରିବ।

ଦୈନିକ ୧୦୦ ମେଟ୍ରିକ୍ ଟନ୍ ଝୋଟ ସାମଗ୍ରୀ ଉତ୍ପାଦନ କରୁଥିବା ଗୋଟିଏ ମଧ୍ୟମ ଧରଣର ଝୋଟକଳ ପ୍ରତି ମାସରେ କଞ୍ଚାମାଲ ଭାବେ ୨୩୨୫ ମେଟ୍ରିକ୍ ଟନ୍ ଝୋଟ ଆବଶ୍ୟକ କରୁଥିବାରୁ ବାର୍ଷିକ ସର୍ବାଧିକ ୨୮ ହଜାର ମେଟ୍ରିକ୍ ଟନ୍ ଝୋଟ ଆବଶ୍ୟକ ହୁଏ। ଏବେ ଆମ ରାଜ୍ୟରେ ଝୋଟ ଉତ୍ପାଦନ କମିବା ସତ୍ତ୍ୱେ ୧୩,୫୦୦ ମେଟ୍ରିକ୍ ଟନ୍ ଝୋଟ ଉତ୍ପାଦନ ହେଉଛି; ଯାହାକୁ ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନା ଉପଯୋଗ କରି ପୂର୍ବ ଭଳି ୫୦ ହଜାର ମେଟ୍ରିକ୍ ଟନକୁ ବଢ଼ାଯାଇ ପାରିବ। ଏହାଛଡ଼ା, ଧାନମଣ୍ଡଳଠାରେ ଉପଲବ୍ଧ ଜମିରେ ଘରୋଇ ଶିଳ୍ପପତିଙ୍କ ସହଯୋଗରେ କିମ୍ବା ଶିଳ୍ପ ବିହୀନ କେନ୍ଦ୍ରାପଡ଼ା ଏବଂ କେନ୍ଦୁଝର ଜିଲ୍ଲାରେ ନୂଆ ଝୋଟକଳ ପ୍ରତିଷ୍ଠା କରିବାକୁ ସରକାର ଧ୍ୟାନ କେନ୍ଦ୍ରିତ କରିବା ଆବଶ୍ୟକ। ପଶ୍ଚିମ ବଙ୍ଗର ବାରାକପୁରରେ ଭାରତୀୟ କୃଷି ଅନୁସନ୍ଧାନ ପରିଷଦଙ୍କ ଆନୁକୂଲ୍ୟରେ ଭାରତର ପ୍ରଥମ ଏବଂ ଶ୍ରେଷ୍ଠ ଝୋଟଜାତୀୟ ତନ୍ତୁ ଗବେଷଣା କରାଯାଉଛି। ବର୍ଦ୍ଧମାନ ଜିଲ୍ଲାରେ ମଧ୍ୟ ଝୋଟବିହନ ଉତ୍ପାଦନ ଏବଂ ପରୀକ୍ଷଣ କେନ୍ଦ୍ର ରହିଛି। ଅଥଚ ଆମ ରାଜ୍ୟର କେନ୍ଦ୍ରାପଡ଼ା ଠାରେ ଥିବା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଆନୁକୁଲ୍ୟରେ ଚାଲିଥିବା ଏକମାତ୍ର ଝୋଟ ଗବେଷଣାଗାର ଫାର୍ମ୍ ଅବସ୍ଥା ଉତ୍ସାହଜନକ ନୁହେଁ। ଏହାକୁ ସକ୍ରିୟ ନକଲେ ଓଡ଼ିଶାରେ ଝୋଟ ଚାଷ ଓ ଝୋଟକଳ ଲାଭଜନକ ହେବା ଅସମ୍ଭବ।

ଫୋ- ୯୪୩୮୨୯୯୦୩୭

Odisha jutefarming jute-industry jute-bag