ବିନା ରସୁଣରେ 'ଗାର୍ଲିକ ଚିକେନ'!

ଦକ୍ଷିଣ ଭାରତୀୟ ଇଡ଼ଲି-ଚଟନୀ-ସମ୍ବର ହେଉ କି ଚାଇନିଜ ଅବା ମୁଗଲାଇ, ବିନା ରସୁଣ ଓ ପିଆଜରେ ପ୍ରସ୍ତୁତ କରିବା ଅସମ୍ଭବ। ଆମର କାର୍ତ୍ତିକ ମାସ ସାତ୍ତ୍ଵିକ ଅରୁଆ ଅନ୍ନ, ଓଉ-କଞ୍ଚା କଦଳୀ-ସାରୁ ପକା ଡାଲମା ହୋଇନି ଯେ, ବିନା ରସୁଣରେ ଦିବ୍ୟ ଭୋଜନ ପ୍ରସ୍ତୁତ ହୋଇଯିବ! ତାମସିକ ଖାଦ୍ୟ ପ୍ରସ୍ତୁତିରେ ପିଆଜ, ରସୁଣ, ଅଦା ନହେଲେ ସବୁ ସ୍ୱାଦହୀନ! ଓଡ଼ିଶାର ଖାଉଟି ବଜାରରେ ଯେବେଠୁଁ ରସୁଣ ଦର ପାଞ୍ଚ ଶହ ଟଙ୍କା ଛୁଇଁଲାଣି, ସେବେଠୁ ନା ଅଛି ବିରିଆନୀର ସ୍ୱାଦ ନା ମହକ!

Garlic

Garlic

Debendra Prusty
  • Published: Tuesday, 20 February 2024
  • Updated: 20 February 2024, 04:20 PM IST

ଜାନକୀଶ ବଡ଼ପଣ୍ଡା

ଖାଦ୍ୟ ପଦାର୍ଥର ଦର ବୃଦ୍ଧି ପାଉଛି, ଯାହା ଖାଉଟିଙ୍କ ଉପରେ ପ୍ରଭାବ ପକାଉଛି। ଟମାଟୋ, ପିଆଜ ଦର ବଢ଼ିଥିଲା, ଏବେ ରସୁଣ ଦର ଉଚ୍ଚା ରହିଛି। ଖାଦ୍ୟ ମୁଦ୍ରାସ୍ଫୀତି ହ୍ରାସର କୌଣସି ଲକ୍ଷଣ ଦେଖାଯାଉନାହିଁ। ରସୁଣ ସହିତ ତାଳ ଦେଇ ବର୍ତ୍ତମାନ ଅଦା ମଧ୍ୟ ମହଙ୍ଗା। ଓଡ଼ିଶାରେ ପ୍ରଚୁର ଉତ୍ପାଦନ ସତ୍ତ୍ୱେ ଅଦା ମୂଲ୍ୟ ଆକାଶଛୁଆଁ।

ରାଜଧାନୀ ଭୁନେଶ୍ୱରରେ ରସୁଣର ଖୁଚୁରା ମୂଲ୍ୟ କିଲୋଗ୍ରାମ ପ୍ରତି ୪୦୦ ଟଙ୍କାକୁ ବୃଦ୍ଧି ପାଇଛି। ସାରା ରାଜ୍ୟରେ ରସୁଣର ପାଇକାରୀ ମୂଲ୍ୟ କିଲୋଗ୍ରାମ ପିଛା ୩୫୦ରୁ ୩୭୦ ଟଙ୍କା ରେକର୍ଡ କରାଯାଇଛି। ରାଜ୍ୟରେ ରସୁଣର ଅଭାବ ହେତୁ ଗତ ଏକ ମାସ ହେଲାଣି ମୂଲ୍ୟ ବୃଦ୍ଧି ପାଇ ଚାଲିଛି। ବ୍ୟବସାୟୀମାନେ କହିଛନ୍ତି ଯେ ଚାହିଦା ପୂରଣ କରିବା ପାଇଁ ସେମାନେ ଗୁଜରାଟ, ରାଜସ୍ଥାନ, ଉତ୍ତର ପ୍ରଦେଶ ଏବଂ ମଧ୍ୟ ପ୍ରଦେଶରୁ ରସୁଣ ଆଣି ଓଡ଼ିଶାର ଗ୍ରାହକଙ୍କୁ ଯୋଗାଉଛନ୍ତି। ତେବେ ଏହିଭଳି ଦର ବୃଦ୍ଧି ଖାଉଟିଙ୍କ ଅଶାନ୍ତିର କାରଣ ହେଉଛି।

ଦକ୍ଷିଣ ଭାରତୀୟ ଇଡ଼ଲି-ଚଟନୀ-ସମ୍ବର ହେଉ କି ଚାଇନିଜ ଅବା ମୁଗଲାଇ, ବିନା ରସୁଣ ଓ ପିଆଜରେ ପ୍ରସ୍ତୁତ କରିବା ଅସମ୍ଭବ। ଆମର କାର୍ତ୍ତିକ ମାସ ସାତ୍ତ୍ଵିକ ଅରୁଆ ଅନ୍ନ, ଓଉ-କଞ୍ଚା କଦଳୀ-ସାରୁ ପକା ଡାଲମା ହୋଇନି ଯେ, ବିନା ରସୁଣରେ ଦିବ୍ୟ ଭୋଜନ ପ୍ରସ୍ତୁତ ହୋଇଯିବ! ତାମସିକ ଖାଦ୍ୟ ପ୍ରସ୍ତୁତିରେ ପିଆଜ, ରସୁଣ, ଅଦା ନହେଲେ ସବୁ ସ୍ୱାଦହୀନ! ଓଡ଼ିଶାର ଖାଉଟି ବଜାରରେ ଯେବେଠୁଁ ରସୁଣ ଦର ପାଞ୍ଚ ଶହ ଟଙ୍କା ଛୁଇଁଲାଣି, ସେବେଠୁ ନା ଅଛି ବିରିଆନୀର ସ୍ୱାଦ ନା ମହକ! ବିରିଆନୀ ପାଇଁ ପ୍ରସିଦ୍ଧି ପାଇଥିବା ହାଇଦ୍ରାବାଦ ଓ ଲକ୍ନୌ ସହରରେ ବିରିଆନୀ ଏବେ ମାହାଙ୍ଗା ହୋଇଯାଇଛି ଖାସ ରସୁଣର ଦର ବୃଦ୍ଧି କାରଣରୁ। ସାଧାରଣ ଲୋକ ଏବେ ପୂର୍ବ ଭଳି ରସୁଣ କିଣି ଘରକୁ ନେଇପାରୁନାହାନ୍ତି। ଭୋଜି ଭାତରେ ମାଛ ମାଂସ ରନ୍ଧା ହେଲାବେଳେ କସା ମସଲାର ମହକ ଏବେ ପାଣିଚିଆ। ନୂଆ ଅମଳ ହେଉଥିବା ରସୁଣ ଆସିଲେ, ବଜାର ଭାଉ କମିଯିବ ବୋଲି ଗ୍ରାହକମାନେ ଆଶାରେ ଅଛନ୍ତି।

ପିଆଜ ଭଳି, ରସୁଣ ଚାଷ କରାଯାଏ ଉଭୟ ଖରିଫ ଓ ରବି ଋତୁରେ। ରସୁଣ ୧୩୦-୧୫୦ ଦିନିଆ ଫସଲ। ଜୁନ-ଜୁଲାଇରେ ଲଗାଯାଉଥିବା ଖରିଫ ଫସଲ ଅମଳ ହୁଏ ଅକ୍ଟୋବର-ନଭେମ୍ବର ମାସରେ, ସେପ୍ଟେମ୍ବର-ନଭେମ୍ବରରେ ଲଗାଯାଉଥିବା ରବି ଫସଲ ଅମଳ ହୁଏ ମାର୍ଚ୍ଚ-ଅପ୍ରେଲ ମାସରେ। ଖରିଫ ଫସଲ ଏବର୍ଷ ଭଲ ହୋଇନଥିବାରୁ ଏପ୍ରିଲ ପରେ ଦର କମିଯିବ ବୋଲି ସଭିଏଁ ଆଶାବାଦୀ।

ଛୋଟ ବଡ଼ ସବୁ ରେସ୍ତୋରାଁଠାରୁ ଆରମ୍ଭ କରି ଖାଓ ଗଳିର ଠେଲା ଗାଡ଼ି ମାଲିକ ସଭିଏଁ ଏବେ ଦ୍ୱନ୍ଦରେ - ରସୁଣ କେତେ ପକେଇବେ ଓ ପ୍ଲେଟ ପିଛା ପୂର୍ବ ଦର ଆଉ କେତେ ଦିନ ସମାନ ରଖି କ୍ଷତି ସହୁଥିବେ? ସେଇଥି ପାଇଁ, ଏବେ ଠେଲା ଗାଡ଼ିରେ ମିଳୁଥିବା ଚଟପଟି ଚାଇନିଜ ମେନୁରେ ରସୁଣ ବ୍ୟବହାର ନକମେଇ, ପ୍ଲେଟର ଦାମ ବଢ଼େଇ ଦେଇଛନ୍ତି ବିକ୍ରେତା। ଖାଦ୍ୟର ମାନ ସ୍ୱାଦ ଓ ବାସ୍ନାରେ ପରିବର୍ତ୍ତନ ହୋଇନି, ଦର ବଢ଼ିଛି କେବଳ। ବଡ଼ ବଡ଼ ହୋଟେଲର ରେସ୍ତୋରାଁରେ ଦର ବଢ଼ିନି; ରସୁଣ ପରିମାଣ କମିଛି। ଠେଲା ଗାଡ଼ିରେ ବିକ୍ରି ହେଉଥିବା ନୁଡୁଲସ ଓ ମୋମୋ ବିନା ରସୁଣରେ ହୁଏନା। ଏସବୁର ଦର ବଢ଼ିଛି; ଗ୍ରାହକଙ୍କୁ ବୁଝେଇ ଦେଲେ ସେମାନେ ବୁଝି ଯାଉଛନ୍ତି। ଠେଲାବାଲା ନିଜେ ବୁଝି, ଗ୍ରାହକଙ୍କୁ ସିନା ବୁଝେଇ ଦେବାକୁ ସକ୍ଷମ ହେଉଛନ୍ତି, ଗୃହିଣୀମାନେ ଅଝଟ ପିଲାଙ୍କୁ ବୁଝେଇବାରେ କିନ୍ତୁ ପୂରା ଅସଫଳ। ପୂର୍ବଭଳି ରୁଚିକର ହେଉନି ତରକାରୀର ସ୍ୱାଦ। ଓଡ଼ିଆ ଘରର ପ୍ରିୟ କାଞ୍ଜିର ଛୁଙ୍କ, ଡାଲିର ବଘରା ଆଉ ସାତଘର ଯାଏଁ ବାସୁନାହିଁ। ଏବେ ତ ଚାଲିଛି ବାହାଘର ଋତୁ। ଏଇ ସମୟରେ ବିନା ରସୁଣରେ କି ଆଇଁଷ ରାନ୍ଧିବେ ରୋଷେୟା? କର୍ତ୍ତାଙ୍କ ପକେଟକୁ ବାଧୁଛି ରସୁଣ ଦର।

ରସୁଣ ଦରବୃଦ୍ଧି ଆମକୁ ପାଣିପାଗ ଓ ଜଳବାୟୁ ପରିବର୍ତ୍ତନ ବିଷୟରେ ସଚେତନ କରିଛି। ତାହା ସହ ପାଣିପାଗ-ଫସଲ ଅମଳ-ବଜାର ଦର ମଧ୍ୟରେ ସମ୍ପର୍କ ବିଷୟରେ ବି ସଚେତନ କରିଛି। ଦେଶର ବିଭିନ୍ନ ପ୍ରାନ୍ତରରେ ଉପଲବ୍ଧ ଚାଷୋପଯୋଗୀ ଜଳବାୟୁ ମଣ୍ଡଳ, ଖାଦ୍ୟ ଯୋଗାଣ-ଶୃଙ୍ଖଳ ସମ୍ପର୍କ ବିଷୟରେ ଆମେ ସମସ୍ତେ ଊଣା ଅଧିକେ ଜାଣୁଛେ; କାହିଁକି ନା, ଚାହିଦା ଅନୁସାରେ ଯୋଗାଣ ନିୟନ୍ତ୍ରିତ ହେଉଛି।

ଏସିଆ-ପ୍ରଶାନ୍ତ ମହାସାଗରୀୟ ଭୂଖଣ୍ଡରେ ସର୍ବାଧିକ ରସୁଣ ଚାଷ ହୁଏ। ୧୨ରୁ ୨୪ ଡିଗ୍ରୀ ସେଲସିଅସ ତାପମାନ ଅଞ୍ଚଳରେ ବିଶ୍ଵର ସର୍ବାଧିକ ରସୁଣ ଚାଷ ହୁଏ। ଚୀନ ଏଥିରେ ଆଗୁଆ ଓ ଏହା ସବୁଠୁ ବଡ଼ ରପ୍ତାନୀକାରୀ ଦେଶ। ଘରେ ଘରେ ରସୁଣର ଚାହିଦା ଥିବାରୁ ଶିଳ୍ପସଂସ୍ଥାମାନେ ରସୁଣ ଆଡ଼କୁ ମୁହାଇଁଲେଣି। ବିଭିନ୍ନ ପ୍ରକାର ଚଟଣି, ଆଚାର, ନାନାଦି ଗୁଣ୍ଡ ତରକାରୀ ମସଲା, ଟିଣ ଡବାରେ ସାଇତା ରନ୍ଧା ପନିପରିବା-ମାଂସ ତରକାରୀ, ଟମାଟୋ କେଚପ୍ ଇତ୍ୟାଦିରେ ନିଶ୍ଚିତ ଭାବେ ଥାଏ ରସୁଣ। ପ୍ରାୟ ସମସ୍ତ ଏସୀୟ ରାଷ୍ଟ୍ରରେ ରସୁଣର ଆଦର।

ରସୁଣର ପିଆଜ ଭଳି ଏକ ଫସଲ ହୋଇଥିଲେ ବି ଏହାର ବାସ୍ନା ଖୁବ କଡ଼ା। ରୋଷେଇରେ ଏହା ଏକ ମସଲା ଭାବେ ବ୍ୟବହୃତ ହୋଇଥାଏ। ଏହାର କଡ଼ା ବାସ୍ନାକୁ ଉପଯୋଗ କରି ଏହାକୁ ପଥି ଭାବେ ବ୍ୟବହାର କରାଯାଏ। ରସୁଣର ବ୍ୟବହାର ପଖାଳ କଂସାଠାରୁ ଆୟୁର୍ବେଦୀୟ ଔଷଧ ଓ ଖାଦ୍ୟ ପ୍ରସ୍ତୁତି ଯାଏଁ ଦେଖିବାକୁ ମିଳେ। ଏହା ଉଚ୍ଚ ରକ୍ତଚାପ କମାଇ ପାରେ।

ସମଗ୍ର ବିଶ୍ଵରେ ମୁଖ୍ୟତଃ ବେକ ଅନୁସାରେ ଦୁଇପ୍ରକାର ରସୁଣ ଦେଖିବାକୁ ମିଳେ। ଗୋଟିଏ ହେଲା - ବେକ ଟାଣ ଓ ଆରଟି ହେଲା ନରମା ବେକ। ସେହିଭଳି, ରସୁଣ ବିଭିନ୍ନ ଭାବରେ ବଜାରରେ ବିକ୍ରି ହୁଏ - ମୁଦା ରସୁଣ, ହିମକୃତ ରସୁଣ, ଶୁଖା ରସୁଣ ଓ ଡବାରେ ସାଇତା ରସୁଣ। ରୋଷେଇରେ ରସୁଣର ବ୍ୟବହାର ବ୍ୟାପକ।

ସ୍ୱାସ୍ଥ୍ୟ ସଚେତନତା କ୍ରମଶଃ ବୃଦ୍ଧି ହେଉଛି। ରସୁଣର ଔଷଧୀୟ ଗୁଣ ବିଷୟରେ ଜାଣିବା ପରେ ଏହାପ୍ରତି ଅନେକେ ଆକର୍ଷିତ ହେଉଛନ୍ତି। ସେଥିପାଇଁ ରସୁଣର ଆଦର ବଢୁଛି। ଏହା ବ୍ୟାକ୍ଟେରିଆ-ମାରକ। ଏହାକୁ ପ୍ରକ୍ରିୟାକରଣ କରାଯାଇ ଦୀର୍ଘଦିନ ବ୍ୟବହାର ହେଉଛି, ରପ୍ତାନୀ କରାଯାଉଛି ଓ ମସଲା ଭାବେ ବ୍ୟବହାର ହେଉଛି। ଏଣୁ ରସୁଣ ଚାହିଦା ବଢୁଛି। ଡାକ୍ତରମାନଙ୍କ ମତରେ ରସୁଣର ଜୀର୍ଣ୍ଣ କରିବାର ଗୁଣ ରହିଅଛି। ମହୀଶୁରଠାରେ ଥିବା କେନ୍ଦ୍ରୀୟ ଖାଦ୍ୟ ଗବେଷଣା କେନ୍ଦ୍ର ରସୁଣର ବିଭିନ୍ନ ପ୍ରକାରର ଖାଦ୍ୟ ତଥା ଔଷଧ ପ୍ରସ୍ତୁତ କରିବା ଦିଗରେ ଅନେକ କାର୍ଯ୍ୟ କରୁଛନ୍ତି। ରସୁଣ ତେଲ ପକ୍ଷାଘାତ ଓ ବାତ ରୋଗୀମାନଙ୍କ ପାଇଁ ଉପକାରୀ। ରସୁଣ ଖାଇବା ଦ୍ଵାରା ରକ୍ତରେ ଥିବା କ୍ଷତିକାରକ କୋଲେଷ୍ଟରଲ ପରିମାଣ କମିଯାଏ। ସେହି ପରି ମୂର୍ଚ୍ଛା ରୋଗୀଙ୍କୁ ମଧ୍ୟ ରସୁଣ ଶୁଂଘାଇ ସୁସ୍ଥ କରାଯାଏ। ସୋରିଷ ତେଲରେ ରସୁଣକୁ ଛେଚି ଓ ଗରମକରି ଘା’ରେ ପ୍ରୟୋଗ କରାଯାଏ। ବିଶ୍ଵ ସ୍ୱାସ୍ଥ୍ୟ ସଙ୍ଗଠନ କହିସାରିଛନ୍ତି ଯେ, ପ୍ରତିଦିନ ରସୁଣ ପଡ଼ିଥିବା ଖାଦ୍ୟ ଖାଇଲେ, କର୍କଟ ରୋଗଠାରୁ ଦୂରେଇ ରହିବା। ଆୟୁର୍ବେଦର ଲୋକପ୍ରିୟତା ଯେଭଳି ବଢୁଛି, ଲାଗୁଛି ଆଗକୁ ରସୁଣର ଚାହିଦା ବଢ଼ିବ ପଛେ, କମିବନି।

ମସଲା ଜାତୀୟ ଫସଲ ରସୁଣ ଓଡ଼ିଶା ସମେତ ଭାରତର ପ୍ରାୟ ସବୁ ପ୍ରଦେଶରେ ଚାଷ କରାଯାଇଥାଏ। ଆମ ରାଜ୍ୟରେ ସାଧାରଣତଃ ଶୀତଦିନେ ରସୁଣ ଚାଷ କରାଯାଇଥାଏ। ଅତି ଥଣ୍ଡା ହେଲେ ରସୁଣ ଭଲ ହୁଏ ନାହିଁ। ଭାରତରେ ଏହା ମଧ୍ୟ ପ୍ରଦେଶ, ତାମିଲନାଡୁ, ଆନ୍ଧ୍ର ପ୍ରଦେଶ, ଉତ୍ତର ପ୍ରଦେଶ ଓ ଗୁଜୁରାଟ ଅଞ୍ଚଳରେ ପ୍ରଚୁର ଚାଷ କରାଯାଏ। ଏହାର ଚାଷ ପାଇଁ ଦୋରସା ଓ ପଟୁମାଟି ଖୁବ୍ ଭଲ। ଦେଶୀ କିସମର ରସୁଣ ପାଖୁଡ଼ାକୁ ବିହନ ଭାବେ ଲଗାଯାଇଥାଏ। ଆଗ୍ରୀଫାଉଣ୍ଡ ହ୍ଵାଇଟ୍, ଯମୁନା ସଫେଦ୍, ପୁଷା ସିଲେକ୍ସନ- ୧୦ ପ୍ରଭୃତି କେତେକ ଉନ୍ନତ କିସମର ରସୁଣ ଚାଷ କରାଯାଇଥାଏ। ରସୁଣ ପ୍ରାୟ ସାଢ଼େ ଚାରିମାସରୁ ୫ ମାସରେ ଅମଳ ହୋଇଥାଏ। ପାକଳ ସମୟକୁ ପତ୍ର ହଳଦିଆ ବା ମାଟିଆ ପଡ଼ିଯାଏ ଏବଂ ଶୁଖା ଆସେ। ଗଛ ଗୁଡ଼ିକୁ ଉପାଡ଼ି ପୁଳା ପୁଳା କରି ବାନ୍ଧି ୩-୪ ଦିନ ପର୍ଯ୍ୟନ୍ତ ଖରାରେ ଶୁଖାଇ ଦିଆଯାଏ। ବାହାରକୁ ନେବା ପୂର୍ବରୁ ରସୁଣ ଉପରୁ କାଣ୍ଡ ଓ ଶୁଖିଲା ପତ୍ର କାଢ଼ି ଦିଆଯାଏ। ଏକର ପିଛା ପ୍ରାୟ ୨୫ କ୍ଵିଣ୍ଟାଲ ପର୍ଯ୍ୟନ୍ତ ରସୁଣ ଅମଳ ମିଳିଯାଏ।

ରସୁଣ ଉତ୍ପାଦନ କ୍ଷେତ୍ରରେ ସମଗ୍ର ଦେଶରେ ଓଡ଼ିଶା ସପ୍ତମ ସ୍ଥାନରେ ରହିଛି। ରାଜ୍ୟରେ ବର୍ଷକୁ ୪୦ ହଜାର ମେଟ୍ରିକ ଟନ୍‍ରୁ ଅଧିକ ରସୁଣ ଫଳୁଥିବାବେଳେ ଏହି ହାର କିନ୍ତୁ ଗତ ତିନିବର୍ଷ ଧରି ଏକ ପ୍ରକାର ସ୍ଥିର ରହିଛି। ଦେଶର ପ୍ରାୟ ୨୦ଟି ରାଜ୍ୟରେ ରସୁଣ ଉତ୍ପାଦିତ ହେଉଥିବାବେଳେ ମଧ୍ୟ ପ୍ରଦେଶ ଏ କ୍ଷେତ୍ରରେ ସବୁଠାରୁ ଆଗରେ ରହିଛି। ସମଗ୍ର ଦେଶରେ ଯେତିକି ରସୁଣ ଫଳୁଛି, ତାହାର ଅଧାରୁ ଅଧିକ ଅବଦାନ ମଧ୍ୟ ପ୍ରଦେଶର। ଗତ ଆର୍ଥିକ ବର୍ଷରେ ସମଗ୍ର ଦେଶରେ ୩୧ ଲକ୍ଷ ୮୪ ହଜାର ମେଟ୍ରିକ ଟନ୍‍ ରସୁଣ ଉତ୍ପାଦିତ ହୋଇଥିବାବେଳେ କେବଳ ମଧ୍ୟ ପ୍ରଦେଶରୁ ୧୯ ଲକ୍ଷ ଟନ୍‍ରୁ ଅଧିକ ଉତ୍ପାଦିତ ହୋଇଥାଏ। ମଧ୍ୟ ପ୍ରଦେଶ ପଛକୁ ରାଜସ୍ଥାନ, ଉତ୍ତର ପ୍ରଦେଶ, ଗୁଜୁରାଟ, ପଞ୍ଜାବ, ଆସାମ ଏବଂ ଓଡ଼ିଶା ରହିଛନ୍ତି। ଓଡ଼ିଶା ତଳକୁ ପଶ୍ଚିମବଙ୍ଗ, ହରିଆନା ଓ ମହାରାଷ୍ଟ୍ର ଭଳି ରାଜ୍ୟ ଅଛନ୍ତି।

ମିଶନ ଫର୍‍ ଇଣ୍ଟିଗ୍ରେଟେଡ ଡେଭଲପମେଣ୍ଟ ଅଫ୍‍ ହର୍ଟିକଲଚର (ଏମ୍‍ଆଇଡିଏଚ୍‍) ଯୋଜନାରେ ଅଦା, ରସୁଣ ଓ ହଳଦୀ ପାଇଁ ସମସ୍ତ ରାଜ୍ୟକୁ କେନ୍ଦ୍ର ସରକାର ପାଣ୍ଠି ଯୋଗାଇ ଦିଅନ୍ତି। କିନ୍ତୁ, ଓଡ଼ିଶାକୁ ଦିଆଯାଇଥିବା ପାଣ୍ଠିରୁ ଆମ ରାଜ୍ୟ ସରକାର ମାତ୍ର ୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲା ବେଳେ ଛତିଶଗଡ଼ ୪୨୩ ଲକ୍ଷ, ହରିଆନା ୧୬୨ ଲକ୍ଷ, ତାମିଲନାଡୁ ୨୬୬ ଲକ୍ଷ, ଉତ୍ତର ପ୍ରଦେଶ ୫୨୯ ଲକ୍ଷ ଟଙ୍କା ବ୍ୟୟ କରିଥିବା କେନ୍ଦ୍ର କୃଷିମନ୍ତ୍ରୀ ସୂଚନା ଦେଇଛନ୍ତି। ଏଥିରେ, ରସୁଣ ଚାଷୀଙ୍କୁ ଯେ କିଭଳି ପ୍ରୋତ୍ସାହନ ମିଳୁଥିବ, ତାହା ସ୍ପଷ୍ଟ।

ଆମେ ଖାଦ୍ୟଶସ୍ୟ ସହିତ ଡାଲି, ତୈଳବୀଜ, ମସଲା ଜାତୀୟ ଅର୍ଥକାରୀ ଫସଲ ଉତ୍ପାଦନ ବୃଦ୍ଧି ପାଇଁ ଚେଷ୍ଟା କରିବା ଆବଶ୍ୟକ। ଆମ ଚାଷୀ ଯଦି ସେମାନଙ୍କ ଉତ୍ପାଦର ଲାଭଜନକ ବିକ୍ରିବଟାର ବ୍ୟବସ୍ଥା ଥିବାର ଅନୁଭବ ଓ ବିଶ୍ୱାସ କରିବେ, ବଜାରରୁ ଉନ୍ନତ ମାନର ଜ୍ଞାନ କୌଶଳ ଗ୍ରହଣ କରି ଉତ୍ପାଦନ ବୃଦ୍ଧିରେ ସମର୍ଥ ହେବେ। ବର୍ତ୍ତମାନ ଓଡ଼ିଶାରୁ ଉତ୍ପାଦିତ ସାମଗ୍ରୀର ବିକ୍ରି କିପରି ଭାବରେ ବାହାର ରାଜ୍ୟ ଓ ବିଦେଶରେ କରାଯାଇପାରିବ, ସେ ବିଷୟରେ ଯୋଜନା ପ୍ରଣୟନ କରାଯିବାର ଆବଶ୍ୟକତା ରହିଛି। ଆମେ ଯଦି କୃଷିଜାତ ପଦାର୍ଥକୁ ଲାଭଜନକ ସ୍ଥିତିରେ ବିକ୍ରି କରିପାରିବାର ବ୍ୟବସ୍ଥା କରି ନ ପାରିବା, ତାହେଲେ ଚାଷଜମି ପଡିଆ ପଡିବ; ଜନତା ଚାଷଠାରୁ ଦୂରେଇ ଯାଇ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯିବାକୁ ବାଧ୍ୟ ହେବେ ଓ ଆମେ ଏମିତି ଅଧିକ ମୂଲ୍ୟରେ ରସୁଣ କିଣି ଖାଉଥିବା।

ଫୋ- ୯୪୩୮୨୯୯୦୩୭

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos