Advertisment

ଲିଙ୍ଗଗତ ସମାନତା: ଏକ ସ୍ୱପ୍ନ ନା ବାସ୍ତବତା?

ସମଗ୍ର ବିଶ୍ୱ ନାରୀ ସଶକ୍ତି କରଣର ବାର୍ତ୍ତା ପ୍ରଚାର କରୁଥିଲା ବେଳେ ତାହା କେବଳ ଏକ ବାର୍ତ୍ତା ହୋଇ ରହି ଯାଉଛି। ଅନେକ କ୍ଷେତ୍ରର ସଶକ୍ତି କରଣର ବାସ୍ତବ ଅର୍ଥ ଦିଗଭ୍ରଷ୍ଟ ହେବାକୁ ଲାଗିଛି।

author-image
Ordigital Desk
ଅଦ୍ୟତନ ହୋଇଛି
Women

Women

  • ରୀନା ରାଉତରାୟ

ଲିଙ୍ଗଗତ ସମାନତା ଆମର ଏପରି ଏକ ଲକ୍ଷ୍ୟ ଯେଉଁଠି ଆମେ ଆଗକୁ ବଢ଼ୁଛୁ ସତ ତଥାପି ଅନେକ ସମସ୍ୟା ଓ ପ୍ରତିବନ୍ଧକ ରହିଛି। ଏହି ଅଭିଯାନ ଆରମ୍ଭ ହୋଇଯାଇଛି ଏବଂ ଏହା ବାସ୍ତବ ହେବା ପାଇଁ ସମସ୍ତଙ୍କ ଅବଦାନ ଦରକାର। ଏହି ସମାନତା କେବଳ ଏକ ଅଧିକାର ନୁହେଁ, ଏହା ଏକ ଆବଶ୍ୟକତା।

Advertisment

ଆଜି ମହିଳାମାନେ ବିଜ୍ଞାନ, ରାଜନୀତି, ଖେଳ, ସାମରିକ ଓ ବ୍ୟବସାୟ ଭଳି ଅନେକ କ୍ଷେତ୍ରରେ ଆଗକୁ ଆସିଛନ୍ତି। ବିଭିନ୍ନ କ୍ଷେତ୍ରରେ ସମାନ ସୁବିଧା ଓ ସୁଯୋଗର ଅବସର ମଧ୍ୟ ପାଉଛନ୍ତି। ବହୁତ ଦେଶରେ ନୂଆ ନିୟମ ଏବଂ ନୀତିଗୁଡ଼ିକ ମହିଳା ଏବଂ ଅନ୍ୟ ଲିଙ୍ଗର ଅଧିକାର ସୁନିଶ୍ଚିତ କରୁଛି। ଏହା ସହ ଲିଙ୍ଗଗତ ସମାନତା କେବଳ ପୁରୁଷ ଏବଂ ମହିଳା ମଧ୍ୟରେ ସୀମିତ ନ ରହି, ଟ୍ରାନ୍ସଜେଣ୍ଡରଙ୍କୁ ମଧ୍ଯ ଏହି ସମାନତାର ଅଧିକାର ମିଳିବା ପାଇଁ ନୂଆ ଆଇନ କାନୁନ ଓ ଅଭିଯାନ ମାନ ଚାଲିଛି। ତଥାପି ଆଜି ମଧ୍ୟ ଅନେକ ମହିଳା ଅସମାନତାର ଶିକାର ହେଉଛନ୍ତି। ପାରିବାରିକ ହିଂସା, ବଳାତ୍କାର, ମାନସିକ ଯନ୍ତ୍ରଣା ଏବଂ ଶାରିରୀକ ଅସୁସ୍ଥତାର ଶିକାର ହେଉଛନ୍ତି। କେବଳ ଘରର ଚାରି କୋଣରେ ସୀମିତ ରହି ନିଜସ୍ଵ ଇଚ୍ଛା ଓ ସ୍ୱପ୍ନକୁ ବଳି ଦେଇ ଚୁପଚାପ୍ ଭାଗ୍ୟକୁ ଆଦରି ପଡ଼ି ରହିଛନ୍ତି। ପରିବାର ପାଇଁ ସନ୍ତାନ ପାଇଁ ଏପରିକି କି ନିଜ ପାଇଁ ମଧ୍ୟ ସ୍ଵାଧୀନ ନିଷ୍ପତ୍ତି ନେବା ସେମାନଙ୍କ ପାଇଁ ସ୍ୱପ୍ନ ହେଇ ଯାଇଛି।

ସମଗ୍ର ବିଶ୍ୱ ନାରୀ ସଶକ୍ତି କରଣର ବାର୍ତ୍ତା ପ୍ରଚାର କରୁଥିଲା ବେଳେ ତାହା କେବଳ ଏକ ବାର୍ତ୍ତା ହୋଇ ରହି ଯାଉଛି। ଅନେକ କ୍ଷେତ୍ରର ସଶକ୍ତି କରଣର ବାସ୍ତବ ଅର୍ଥ ଦିଗଭ୍ରଷ୍ଟ ହେବାକୁ ଲାଗିଛି। ନାରୀ ସଶକ୍ତିକରଣ (Women Empowerment) କେବଳ ଏକ ନାରୀଙ୍କୁ ଶକ୍ତିଶାଳୀ କରିବା ନୁହେଁ, ବରଂ ଏହା ଏମିତି ଏକ ପ୍ରକ୍ରିୟା ଯାହା ମହିଳାମାନଙ୍କୁ ସମାନ ଅଧିକାର, ସ୍ୱାଧୀନ ନିଷ୍ପତ୍ତି, ଆର୍ଥିକ ସ୍ୱାଧୀନତା ଏବଂ ସମ୍ମାନ ପ୍ରଦାନ କରେ। ଏହା କେବଳ ମହିଳାଙ୍କ ପାଇଁ ନୁହେଁ, ବରଂ ସମଗ୍ର ସମାଜର ଉନ୍ନତି ପାଇଁ ଅତ୍ୟନ୍ତ ଆବଶ୍ୟକ।

Advertisment

ଶିକ୍ଷା ସମ୍ପର୍କୀୟ ସଶକ୍ତିକରଣ

ନାରୀମାନଙ୍କୁ ଯଦି ଉଚିତ ଶିକ୍ଷା ଏବଂ ଜ୍ଞାନ ମିଳିବ, ସେମାନେ ସ୍ଵତନ୍ତ୍ର ଭାବରେ ଚିନ୍ତା ଏବଂ ନିଷ୍ପତ୍ତି ନେଇପାରିବେ। ଶିକ୍ଷା ହେଉଛି ଏକମାତ୍ର ଉପାୟ ଯାହା ନାରୀମାନଙ୍କୁ ଏକ ସୁସ୍ଥ ଏବଂ ଉତ୍ତମ ଜୀବନ ଦେଇପାରେ। ଶିକ୍ଷା କହିଲେ କେବଳ କୌଣସି ଡିଗ୍ରୀ ହାସଲ କରିବା ନୁହେଁ, ଏଥି ସହିତ ଆମ ଚାରି ପାର୍ଶ୍ବରେ ଘଟୁଥିବା ପ୍ରତ୍ୟେକ ପରିବର୍ତ୍ତନ ସମ୍ପର୍କରେ ସଚେତନ ରହିବା।ସେ ପରିବର୍ତ୍ତନ ନିଜ ପରିବାର ମଧ୍ୟରେ ହେଉ ବା ସମାଜରେ ଘଟୁଥିବା ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ପରିବର୍ତ୍ତନ ସମ୍ବନ୍ଧୀୟ ସବିଶେଷ ଜ୍ଞାନ ଆହରଣ କରିବା। ଏଥିପାଇଁ ମହିଳାଟି ନିଜେ ଉଦ୍ୟମ ଓ ଆଗ୍ରହ ପ୍ରକାଶ କରିବା ନିତ୍ୟାନ୍ତ ଆବଶ୍ୟକ।

ମହିଳାମାନଙ୍କ ସହିତ ସମାଜର ପ୍ରତ୍ୟେକ ବ୍ୟକ୍ତି ନାରୀ ସମାନତା ବିଷୟରେ ସଚେତନ ହେବା ଅତ୍ୟନ୍ତ ଦରକାର। ଏହା ଏକ ମାନସିକତା। ଯାହା ପ୍ରତିଟି ପରିବାର ମଧ୍ୟରୁ ସଜାଡ଼ିବା ଆରମ୍ଭ ହେବା ଦରକାର। ପରିବାର ମଧ୍ୟରେ ଝିଅ ଟି ସହିତ ପୁଅ ଟିକୁ ମଧ୍ୟ ଛୋଟବେଳୁ ଏହି ସମାନତାର ଅଧିକାର ବିଷୟରେ ପ୍ରତ୍ୟେକ କାର୍ଯ୍ୟ ଶୈଳୀ ମାଧ୍ୟମରେ ସଚେତନ କରାଇବା ପ୍ରତ୍ୟେକ ପିତା ମାତାଙ୍କର ଏକ ଦାୟିତ୍ଵ ହେବା ଉଚିତ। ବିଦ୍ୟାଳୟ ଗୁଡିକରେ ପ୍ରାଥମିକ ସ୍ତରରୁ ନୈତିକ ଶିକ୍ଷା ମାଧ୍ୟମରେ କୋମଳମତି ଶିଶୁ ମାନଙ୍କ ମଧ୍ୟରେ ଏହି ଭେଦଭାବକୁ ମାନସିକ ସ୍ତରରେ ଦୂର କରିବା ପାଇଁ ପ୍ରଚେଷ୍ଟା ହେବା ଜରୁରୀ ଅଟେ।

ଆର୍ଥିକ ସଶକ୍ତିକରଣ

ଆଜି ବହୁତ ମହିଳା ନିଜର ବ୍ୟବସାୟ, ଚାକିରୀ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ଷେତ୍ରରେ ଅଗ୍ରସର ହୋଇଛନ୍ତି।ଏହି ପରିବର୍ତ୍ତନ ଆର୍ଥିକ ସମାନତା ନିମନ୍ତେ ଅତ୍ୟନ୍ତ ଦରକାର। ଏହି ଆର୍ଥିକ ସ୍ଵାଧୀନତା ଓ ସମାନତା ପାଇଁ ସମାଜରେ ମହିଳାମାନଙ୍କ ପାଇଁ ଅଧିକ ନିଯୁକ୍ତିର ଅବସର ଏବଂ ବ୍ୟବସାୟ ଅନୁଷ୍ଠାନ ପ୍ରତିଷ୍ଠା କରିବା ପାଇଁ ପରିବାର ପକ୍ଷରୁ ପ୍ରେରଣା ଓ ସହଯୋଗ ଦେବା ସହିତ ସରକାରୀ ପ୍ରୋତ୍ସାହନ ବ୍ୟାପକ ହେବା ଉଚିତ। ଅର୍ଥନୈତିକ ସ୍ୱାଧୀନତା ଦ୍ୱାରା ମହିଳାମାନଙ୍କ ମଧ୍ୟରେ ଆତ୍ମ ବିଶ୍ୱାସ ବୃଦ୍ଧି ହେବା ସହିତ ଆତ୍ମସମ୍ମାନର ସହ ସମାଜରେ ଏକ ସମ୍ମାନଜନକ ସ୍ଥିତି ସୃଷ୍ଟି ହୋଇ ପାରିବ ।

ମହିଳାମାନେ ଯଦି ଆର୍ଥିକ ଭାବେ ସ୍ୱାଧୀନ ହେବେ, ତାହାଲେ ସେମାନେ ନିଜେ ନିଷ୍ପତ୍ତି ନେଇପାରିବେ ଏବଂ ଅନ୍ୟମାନଙ୍କ ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ। ଫଳତଃ କେବଳ ଘରୋଇ ଜୀବନ ନୁହେଁ, ବରଂ ସମାଜରେ ମଧ୍ୟ ଏକ ଉଲ୍ଲେଖନୀୟ ଭୂମିକା ନେଇପାରିବେ।

ସମାଜିକ ସଶକ୍ତିକରଣ

ନାରୀ ସଶକ୍ତିକରଣର ଏକ ମହତ୍ତ୍ୱପୂର୍ଣ୍ଣ ଅଂଶ ହେଉଛି ଏହି ଅସମାନତା ଓ ଅତ୍ୟାଚାରର ବିରୋଧରେ ଏକ ସଚେତନ ଅଭିଯାନ ଗଠନ କରିବା। ମହିଳାମାନଙ୍କ ସ୍ୱର ଶକ୍ତିଶାଳୀ ହେବା ଏବଂ ସେମାନେ ନିଜର ଅଧିକାର ପାଇଁ ଲଢ଼ିବା ଏହି ସଶକ୍ତିକରଣର ଏକ ମୂଳ ଅଂଶ। ଏଥିପାଇଁ ଉଭୟ ମହିଳା ଓ ପୁରୁଷଙ୍କୁ ସହଭାଗିତା ଓ ସୌହାର୍ଦ୍ଦ୍ୟପର୍ଣ୍ଣ ଭାବରେ ମିଳିମିଶି କାର୍ଯ୍ୟ କରିବା ଉଚିତ।

ରାଜନୈତିକ ସଶକ୍ତିକରଣ

ମହିଳାମାନେ ଯଦି ରାଜନୈତିକ ଏବଂ ସାମାଜିକ କ୍ଷେତ୍ରରେ ଅଧିକ ଅଂଶଗ୍ରହଣ କରିବେ, ତେବେ ସେମାନେ ନିଜ ଅଧିକାର ନିମନ୍ତେ ସ୍ୱୟଂ ସଂଘଟିତ ହୋଇପାରିବେ।

ନେତୃତ୍ୱର ଅବସର ଏବଂ ରାଜନୈତିକ ଅଧିକାର ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରାଯାଇ ପାରିଲେ ସେମାନେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ପାରିବେ।ଅନେକ ଦେଶରେ ମହିଳାମାନେ ଆଜି ରାଜନୈତିକ ନେତୃତ୍ୱର ଅନ୍ତର୍ଭୁକ୍ତ ହୋଇଛନ୍ତି, ଯେଉଁଥିରେ ସେମାନେ ନୂଆ ନୀତି ଏବଂ ନିଷ୍ପତ୍ତି ନେଇ ଅନନ୍ୟ ଉଦାହରଣ ସାଜିଛନ୍ତି।

ନାରୀ ସଶକ୍ତିକରଣ କେବଳ ଏକ ଅଭିଯାନ ନୁହେଁ, ବରଂ ଏହା ଏକ ଆବଶ୍ୟକତା। ଏହି ସଂସ୍କୃତି ଏବଂ ଚେତନା ଗଢ଼ିଉଠିଲେ, ତାହା ନାରୀମାନଙ୍କ ଜୀବନକୁ କେବଳ ସୁଧାରିବା ନୁହେଁ, ବରଂ ସମଗ୍ର ଜଗତକୁ ଆଗକୁ ବଢ଼ାଇପାରିବ। ଏହି ସଶକ୍ତିକରଣ ଏକ ସ୍ୱପ୍ନ ନୁହେଁ, ଏହାକୁ ବାସ୍ତବ ରୂପ ଦେବା ପାଇଁ ସାମୂହିକ ଭାବେ ଆମକୁ ଆହୁରି ଅନେକ ପଦକ୍ଷେପ ନେବାକୁ ପଡିବ।

ଦୃଢ଼ କାନୁନ ଏବଂ ମହିଳା ସୁରକ୍ଷା

ମହିଳା ଓ କନ୍ୟାମାନଙ୍କ ଉପରେ ହେଉଥିବା ଅତ୍ୟାଚାର, ଦୁଷ୍କର୍ମ ଏବଂ ହିଂସା ବିରୋଧରେ କଡ଼ା ଆଇନ ଲାଗୁ ହେବା ଦରକାର। ଏହା ସହ ଏମିତି ଏକ ବ୍ୟବସ୍ଥା କରିବା ଦରକାର, ଯେଉଁଠି ମହିଳାମାନେ ନିଜ ଅଧିକାର ପାଇଁ ସ୍ୱତନ୍ତ୍ର ଭାବରେ ସ୍ୱର ଉତ୍ତୋଳନ କରିପାରିବେ। ମହିଳାମାନଙ୍କୁ ନ୍ୟାୟ ଦେବା ପାଇଁ ନ୍ୟାୟ ବ୍ୟବସ୍ଥା ଅଧିକ ତ୍ୱରିତ ଏବଂ ପ୍ରଭାବଶାଳୀ ହେବା ଦରକାର। ନାରୀମାନକୁ ନେଇ ନକାରାତ୍ମକ ମନୋଭାବ ଓ ପ୍ରଥା ଗୁଡ଼ିରେ ପରିବର୍ତ୍ତନ ଆଣିବା।

ଆଜିବି ଅନେକ ସମାଜରେ ମହିଳାଙ୍କୁ ହୀନ ଦୃଷ୍ଟିରେ ଦେଖାଯାଉଛି ଏବଂ ଏମିତି କିଛି ପ୍ରଥା ଅଛି ଯାହା ମହିଳାମାନଙ୍କ ଉନ୍ନତିରେ ବାଧା ସୃଷ୍ଟି କରେ। ଏହି ମନୋଭାବ ଏବଂ ନିୟମଗୁଡ଼ିକୁ ନୂଆ ଦୃଷ୍ଟିକୋଣ ରଖି ସକାରାତ୍ମକ ପରିବର୍ତ୍ତନ କରିବା ଅତ୍ୟନ୍ତ ଆବଶ୍ୟକ।

ମହିଳାମାନଙ୍କ ପାଇଁ ଏକ ସମ୍ମାନଜନକ ପରିବେଶ ସୃଷ୍ଟି କରିବା ପାଇଁ ଜାତି ଧର୍ମ ବର୍ଣ୍ଣ ନିର୍ବଶେଷରେ ସମାଜର ପ୍ରତ୍ୟେକ ନାଗରିକ ସଚେତନ ହୋଇ ଏଥି ପାଇଁ ଉଦ୍ୟମ କରିବା ଦରକାର। ଏହା ଆମମାନଙ୍କ ନୈତିକ ଦାୟିତ୍ୱ ମଧ୍ୟ।

ଶିକ୍ଷା, ଆର୍ଥିକ ସ୍ୱାଧୀନତା, ମହିଳା ସୁରକ୍ଷା, ରାଜନୈତିକ ଅଂଶଗ୍ରହଣ ଏବଂ ନକାରାତ୍ମକ ମାନସିକତାର ପରିବର୍ତ୍ତନ ଦ୍ୱାରା ଏକ ନୂତନ ଏବଂ ସୁସ୍ଥ ଓ ସୁରକ୍ଷିତ ସମାଜ ଗଠିତ ହୋଇପାରିବ। ଏହି ପରିବର୍ତ୍ତନ କେବଳ ମହିଳାମାନଙ୍କ ପାଇଁ ନୁହେଁ, ବରଂ ସମଗ୍ର ସମାଜର ଅଭିବୃଦ୍ଧି ପାଇଁ ଅତ୍ୟନ୍ତ ଆବଶ୍ୟକ।

ଏହାକୁ ଏକ ଦିନରେ ପରିବର୍ତ୍ତନ କରିବା କିମ୍ବା କେବଳ କିଛି ଆଇନ କାନୁନ ଓ ନିୟମ ତିଆରି କରିଦେଲେ ହେବ ନାହିଁ। ଏହି ପରିବର୍ତ୍ତନ ପାଇଁ ଆମ ମାନସିକତାର ପରିବର୍ତ୍ତନ କରିବାକୁ ପଡିବ।

ଏ ସବୁ ସତ୍ତ୍ୱେ ଅନେକ ମହିଳା ଅଛନ୍ତି, ଯେମାନେ ଅନେକ ସଂଘର୍ଷ ଏବଂ ପରୀକ୍ଷା-ନିରୀକ୍ଷା ଜିତି ଆଜି ସଫଳତାର ଶିଖରକୁ ପହଁଚିଛନ୍ତି। ତାଙ୍କ ସଫଳତା କେବଳ ନିଜ ପାଇଁ ନୁହେଁ, ବରଂ ସମଗ୍ର ଦୁନିଆ ପାଇଁ ଏକ ପ୍ରେରଣା। 

International Women's Day