ନବୀନଙ୍କ ପାଇଁ ସୁବର୍ଣ୍ଣ ସମୟ

ରବି ଦାସ ଜୁନ୍ ୩ ତାରିଖ ଶୁକ୍ରବାର ଦୀର୍ଘ ୨୨ ବର୍ଷ ହେଲା ଶାସନ କ୍ଷମତାରେ ଥିବା ନବୀନ ପଟ୍ଟନାୟକଙ୍କ ପାଇଁ ଏପରି ଶୁଭଙ୍କର ଫଳ ଆସିଛି ଯେ, ରାଜ୍ୟରେ ନବୀନଙ୍କ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ଦଳ ଓ ନେତାମାନଙ୍କ ଅଭାବ ଦେଖାଦେଇଥିବା ସ୍ପଷ୍ଟ ହୋଇଛି। ଗତ ପଂଚାୟତ ଓ ପୌର ନିର୍ବାଚନରେ ବିଜେଡିର ବିପୁଳ ବିଜୟ ସତ୍ତ୍ୱେ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ବୋଲି ରାଜ୍ୟରେ ବିଚାର କରାଯାଉଥିବା ବିଜେପିକୁ ଶତକଡ଼ା ୩୦ ଭାଗ ସମର୍ଥନ ମିଳିଥିବା […]

Naveen

Debendra Prusty
  • Published: Saturday, 04 June 2022
  • , Updated: 04 June 2022, 04:56 PM IST

ରବି ଦାସ

ଜୁନ୍ ୩ ତାରିଖ ଶୁକ୍ରବାର ଦୀର୍ଘ ୨୨ ବର୍ଷ ହେଲା ଶାସନ କ୍ଷମତାରେ ଥିବା ନବୀନ ପଟ୍ଟନାୟକଙ୍କ ପାଇଁ ଏପରି ଶୁଭଙ୍କର ଫଳ ଆସିଛି ଯେ, ରାଜ୍ୟରେ ନବୀନଙ୍କ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ଦଳ ଓ ନେତାମାନଙ୍କ ଅଭାବ ଦେଖାଦେଇଥିବା ସ୍ପଷ୍ଟ ହୋଇଛି। ଗତ ପଂଚାୟତ ଓ ପୌର ନିର୍ବାଚନରେ ବିଜେଡିର ବିପୁଳ ବିଜୟ ସତ୍ତ୍ୱେ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ବୋଲି ରାଜ୍ୟରେ ବିଚାର କରାଯାଉଥିବା ବିଜେପିକୁ ଶତକଡ଼ା ୩୦ ଭାଗ ସମର୍ଥନ ମିଳିଥିବା ଦେଖାଯାଇଥିଲା। ୨୦୧୯ରେ ନବୀନ ପଟ୍ଟନାୟକ ପଂଚମ ଥର ପାଇଁ କ୍ଷମତା ଦଖଲ କରିଥିଲେ ମଧ୍ୟ ବିଜେପି ଲୋକସଭାରେ ୨୧ଟି ଆସନରୁ ୮ଟି ଓ ବିଧାନସଭାରେ ୧୪୭ଟି ଆସନରୁ ୨୩ଟି ଦଖଲ କରି ମୁଖ୍ୟ ବିରୋଧୀ ଦଳ ଭାବରେ ସ୍ୱୀକୃତି ପାଇଥିଲା। କଂଗ୍ରେସ ଦଳ ସବୁ ସ୍ତରରେ ଏପରି ପରାଜିତ ହୋଇଥିଲା ଯେ, ଏହାର ବିଧାନସଭାର ସଂଖ୍ୟା ୯କୁ ହ୍ରାସ ପାଇଥିଲା ଓ ସମର୍ଥନ ହାର ମଧ୍ୟ ଶତକଡ଼ା ୧୬କୁ ଖସି ଆସିଥିଲା।

ପରବର୍ତ୍ତୀ ଅବସ୍ଥାରେ ରାଜ୍ୟରେ ପ୍ରଥମେ ପାଟକୁରା ବିଧାନସଭା ପାଇଁ ଯେଉଁ ଉପନିର୍ବାଚନ ହେଲା ସେଥିରେ ପରାଜୟର ଆଶଙ୍କା କରି ଖୋଦ୍ ମୁଖ୍ୟମନ୍ତ୍ରୀ ଦୁଇଦିନ କାଳ ନିର୍ବାଚନ ସମୟରେ ପାଟକୁରା ଗସ୍ତ କରିଥିଲେ। କିନ୍ତୁ ସେହି ଉପନିର୍ବାଚନରେ ମୁଖ୍ୟ ବିରୋଧୀ ଦଳ ବିଜେପି ଠିକଣା ଏକତା ପ୍ରଦର୍ଶନ କରିନପାରିବାରୁ ସେଠାରେ ବିଜେପିର ପ୍ରାର୍ଥୀ ଥିବା ବିଜୟ ମହାପାତ୍ର ପରାସ୍ତ ହୋଇଥିଲେ। କଂଗ୍ରେସ ସ୍ଥିତି ସଂପୂର୍ଣ୍ଣ ଧରାଶାୟୀ ହୋଇଯାଇଥିଲା। ପରେ ରାଜ୍ୟରେ ବିଜେପୁର, ବାଲେଶ୍ୱର, ତିର୍ତ୍ତୋଲ ଓ ପିପିଲି ଉପନିର୍ବାଚନ ହେବା ସମୟରେ କେବଳ ନବୀନ ପଟ୍ଟନାୟକ ୨୦୧୯ରେ ବିଜୟ ହୋଇଥିବା ବିଜେପୁର ଆସନ ବ୍ୟତୀତ ଅନ୍ୟ କୌଣସି ସ୍ଥାନକୁ ନିର୍ବାଚନ ଗସ୍ତ କରିନଥିଲେ। ବିଜେଡି ସମସ୍ତ ଉପନିର୍ବାଚନ ଆସନରେ ବିଜୟୀ ହେଲେ ମଧ୍ୟ ବିଜେପି ପକ୍ଷରୁ ପ୍ରତ୍ୟେକ ଆସନରେ ଯେପରି ନିର୍ବାଚନ ଲଢ଼ିଥିଲା ସେଥିରେ ବିଜେପିକୁ ଏକ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଭାବରେ ଗ୍ରହଣ କରାଯାଇଥିଲା। କିନ୍ତୁ ପଂଚାୟତ ଓ ପୌର ନିର୍ବାଚନ ସହିତ ଏବେ ବ୍ରଜରାଜନଗର ଉପନିର୍ବାଚନରେ ବିଜେପି ଆଉ ନବୀନଙ୍କର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ବୋଲି କହିବା କଷ୍ଟକର ହୋଇପଡ଼ିଛି।

କେନ୍ଦ୍ରରେ ୟୁପିଏ ୧୦ବର୍ଷ ଶାସନ କ୍ଷମତାରେ ଥିଲାବେଳେ କଂଗ୍ରେସର ଅବସ୍ଥା ଯେପରି ଧୀରେ ଧୀରେ ଖରାପ ହୋଇଚାଲିଥିଲା ସେହି ଅବସ୍ଥା ଏବେ ବିଜେପିକୁ ଗ୍ରାସ କରିଛି ବୋଲି ଏକ ଧାରଣା ସୃଷ୍ଟି ହୋଇଛି। ଯଦିଓ ବିଜେପି କେବଳ ଯେ ଏକ ଶୃଙ୍ଖଳିତ ଦଳ ତାହା ନୁହେଁ, ଏହାର ଜାତୀୟ ନେତୃତ୍ୱ ଅର୍ଥାତ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଲୋକମାନଙ୍କ ଉପରେ ମଧ୍ୟ ଜବରଦସ୍ତ ଆକର୍ଷଣ ରହିଛି। ତଥାପି ଏହାର ରାଜ୍ୟ ନେତୃତ୍ୱର ଦିଗଦର୍ଶନ ନଥିବା ଫଳରେ ପଂଚାୟତ ଓ ପୌର ନିର୍ବାଚନରେ ଯାହା ଘଟିଲା ତାହାଠାରୁ ଅଧିକ ସାଂଘାତିକ ପରିସ୍ଥିତି ବ୍ରଜରାଜନଗର ଉପନିର୍ବାଚନରେ ହେଲା। ବିଜେପି ପ୍ରାର୍ଥୀ ୨୦୧୯ ନିର୍ବାଚନରେ ଯେଉଁ ଆସନରେ ଶତକଡ଼ା ୪୧ ଭାଗରୁ ଊର୍ଦ୍ଧ୍ୱ ଜନସମର୍ଥନ ପାଇଥିଲେ ସେହି ଆସନରେ ସେହି ପ୍ରାର୍ଥୀ ଶତକଡ଼ା ୧୪ ଭାଗ ସମର୍ଥନ ହାସଲ କରିଛନ୍ତି। ଅନ୍ୟ ସବୁ ଉପନିର୍ବାଚନରେ ଅସ୍ତିତ୍ୱ ହରାଉଥିବା କଂଗ୍ରେସ ଦଳ ଶତକଡ଼ା ୧୮ ସମର୍ଥନ ହାସଲ କରି ଦ୍ୱିତୀୟ ସ୍ଥାନକୁ ଆସିଥିବାରୁ ଖୁସି ହେଉଥିଲେ ମଧ୍ୟ ବାସ୍ତବରେ ଏହି ଦଳ ୨୦୧୪ରେ ଯେତିକି ସମର୍ଥନ ପାଇଥିଲା ସେହି ସମର୍ଥନ ଏଥର ପାଇଲା ନାହିଁ। ବିଜେଡି ପ୍ରାର୍ଥୀ ମୋଟ୍ ଭୋଟର ଶତକଡ଼ା ୬୨ ଭାଗରୁ ଅଧିକ ଭୋଟ୍ ପାଇ ଯେପରି ଏକତରଫା ବିଜୟ ହାସଲ କରିଛନ୍ତି ସେଥିରେ ସବୁ ବିରୋଧୀ ଦଳମାନଙ୍କ ପାଇଁ ତାହା ଏକ ନୂଆ ଆହ୍ୱାନ ସୃଷ୍ଟି କରିଛି। ପଂଚାୟତ ଓ ପୌର ନିର୍ବାଚନ ପରେ ଉପନିର୍ବାଚନରେ ଶତକଡ଼ା ୬୨ ଭାଗ ଭୋଟ୍ ପାଇବାରୁ ଗୋଟିଏ କଥା ପ୍ରମାଣିତ ହେଉଛି ଯେ, ରାଜ୍ୟର ୫୦ ଭାଗରୁ ଊର୍ଦ୍ଧ୍ୱ ସମର୍ଥନ ବିଜେଡି ହାତକୁ ଚାଲିଯିବାକୁ ବସିଛି, ଯାହା ଏକ ନୂଆ ଦିଗକୁ ସୂଚାଉଛି। କଂଗ୍ରେସ କେନ୍ଦ୍ରୀୟ କ୍ଷମତାରେ ଥିବା ବେଳେ ଯେପରି ରାଜ୍ୟରେ ନବୀନଙ୍କ ପାଇଁ କୌଣସି ଅସୁବିଧା ସୃଷ୍ଟି କରିପାରିଲା ନାହିଁ ସେହିପରି ଅବସ୍ଥା ଏବେ ବିଜେପି କ୍ଷେତ୍ରରେ ହେବାକୁ ଯାଉଛି। ଯଦିଓ ବିଜେପିର କେନ୍ଦ୍ରୀୟ ନେତୃତ୍ୱ ଓ ସଂଗଠନକୁ କଂଗ୍ରେସ ଭଳି କେହି ଦୁର୍ବଳ କରିପାରିବେ ନାହିଁ।

ନବୀନଙ୍କ ପାଇଁ ଜୁନ୍ ୩ ତାରିଖରେ ଗତ ଏକମାସ ଧରି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଚାଲିଥିବା ବିବାଦକୁ ସୁପ୍ରିମକୋର୍ଟ ଯେଉଁ ଢଙ୍ଗରେ ରାୟ ଦେଇ ରାଜ୍ୟ ସରକାରଙ୍କ କାର୍ଯ୍ୟକୁ ସମର୍ଥନ କରିଛନ୍ତି ଓ ଏହି ମାମଲାକୁ ଜନସ୍ୱାର୍ଥ ମାମଲା ଭାବରେ ସୁପ୍ରିମକୋର୍ଟକୁ ଆଣିଥିବା ପକ୍ଷମାନଙ୍କ ଉପରେ ଜୋରିମାନା ଆଦେଶ ଦେଇଛନ୍ତି ସେଥିରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସବୁ ଲାଭ ଓ ଫାଇଦା କେବଳ ନବୀନ ପଟ୍ଟନାୟକଙ୍କୁ ହିଁ ମିଳିବ। ପରିକ୍ରମା ପ୍ରକଳ୍ପ କାର୍ଯ୍ୟକାରୀ କରିବାରେ ପ୍ରାଚୀନ କୀର୍ତ୍ତିରାଜି ସୁରକ୍ଷା ଆଇନର ଉଲ୍ଲଂଘନ କରାଯାଉଥିବା ଓ ଏହି ଐତିହ୍ୟ କୀର୍ତ୍ତିକୁ ରକ୍ଷା କରିବା ଦାୟିତ୍ୱରେ ଥିବା ପ୍ରତ୍ନତତ୍ୱ ବିଭାଗ (ଏଏସ୍‌ଆଇ)ର ବିନା ଅନୁମତିରେ ଏହା କରାଯାଉଥିବାର ନିର୍ଦ୍ଦିଷ୍ଟ ଅଭିଯୋଗ ହୋଇଥିଲା। ଉପରୋକ୍ତ ଦୁଇଟି ସଂସ୍ଥା କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଅଧୀନରେ ରହିଛି। ଏଣୁ ବିଜେପିର ଭୁବନେଶ୍ୱର ସାଂସଦ ତଥା ଜାତୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀ ଯେତେବେଳେ ଏହି ପ୍ରସଙ୍ଗକୁ ଉଠାଇ ପଦଯାତ୍ରାରେ ଯାଇ ଜଗନ୍ନାଥ ଦର୍ଶନ କଲେ ଓ ପରେ ପରେ ଆଉ ଜଣେ କେନ୍ଦ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ଯିଏକି ଗତ ନିର୍ବାଚନରେ ପୁରୀ ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିଲେ ସେ ମଧ୍ୟ ଏହାକୁ ଏକ ଜାତୀୟ ପ୍ରସଙ୍ଗରେ ପରିଣତ କରିବା ପାଇଁ ଜଗନ୍ନାଥ ମୂର୍ତ୍ତି ଧରି ପୁରୀରେ ଠାକୁରଙ୍କ ଆଗରେ ଅଧିଆ ପଡ଼ିଲେ। ପୁରୀ ସହରର କିଛି ଆଇନଜୀବୀ ମଧ୍ୟ ଏହି ପ୍ରସଙ୍ଗକୁ ନେଇ ସିଭିଲ୍ ଜଜ୍‌ଙ୍କ ନିକଟରେ ଆଇନ ଭଙ୍ଗକାରୀଙ୍କ ବିରୋଧରେ ମାମଲା ଦାୟର ପାଇଁ ଆବେଦନ କଲେ। ଅଦାଲତ ମଧ୍ୟ ଏହି ମାମଲାକୁ ଶୁଣି ମାମଲା ଦାୟର ପାଇଁ ନିର୍ଦ୍ଦେଶ ଦେଲେ।

ହାଇକୋର୍ଟରେ ଏହି ମାମଲା ଦୀର୍ଘ ଏକମାସରୁ ଊର୍ଦ୍ଧ୍ୱ ଚାଲିବା ପରେ ଗ୍ରୀଷ୍ମ ଛୁଟି ଯୋଗୁ ପରବର୍ତ୍ତୀ ଶୁଣାଣି ସ୍ଥଗିତ ରହିଥିଲେ ମଧ୍ୟ ପରିକ୍ରମା ପ୍ରକଳ୍ପ ନେଇ କୌଣସି ସ୍ଥଗିତାଦେଶ ଦିଆଯାଇନଥିବାରୁ କେତେକ ବ୍ୟକ୍ତି ସିଧାସଳଖ ଜନସ୍ୱାର୍ଥ ମାମଲା ନାମରେ ସୁପ୍ରିମକୋର୍ଟର ଆଶ୍ରୟ ନେଇଥିଲେ। କିନ୍ତୁ ସୁପ୍ରିମକୋର୍ଟ ମାମଲାର ଶୁଣାଣି କରି ଜୁନ୍ ୩ ତାରିଖରେ ଦେଇଥିବା ରାୟ ଫଳରେ ପରିକ୍ରମା ପ୍ରକଳ୍ପ ଆଇନସିଦ୍ଧ ଘୋଷିତ ହେବା ସହିତ ମାମଲାକାରୀଙ୍କ ବିରୋଧରେ ଜୋରିମାନା ଆଦେଶ ଦେଇଛନ୍ତି। ତେଣୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦର ସଂପୂର୍ଣ୍ଣ ଅବସାନ ହେବା ସହିତ ନବୀନ ପଟ୍ଟନାୟକଙ୍କ ଭାବମୂର୍ତ୍ତି ଯଥେଷ୍ଟ ବଢ଼ିଯାଇଛି।

ନବୀନ ପଟ୍ଟନାୟକଙ୍କ ପାଇଁ ସୃଷ୍ଟି ହୋଇଥିବା ଏହିପରି ସୁବର୍ଣ୍ଣ ସମୟର ସୁଯୋଗ ନେଇ ରାଜ୍ୟ ମନ୍ତ୍ରିମଣ୍ଡଳର ଅଦଳବଦଳ ନେଇ ବହୁଦିନ ହେଲା ଚାଲିଥିବା ଚର୍ଚ୍ଚାର ଅବସାନ ଘଟାଇ ସେ ସବୁମନ୍ତ୍ରୀମାନଙ୍କୁ ଇସ୍ତଫା ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏପରିକି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ମଧ୍ୟ ଇସ୍ତଫା ଦେଇଛନ୍ତି। ନବୀନଙ୍କର ୨୨ ବର୍ଷ ଶାସନରେ ଅନେକ ଥର ମନ୍ତ୍ରିମଣ୍ଡଳ ଅଦଳବଦଳ ଘଟିଥିଲେ ମଧ୍ୟ କେବେ ବି ସବୁ ମନ୍ତ୍ରୀମାନଙ୍କୁ ଇସ୍ତଫା ଦେବା ପାଇଁ କେବେ କହିନଥିଲେ। ଏପରିକି ପୂର୍ବରୁ ମଧ୍ୟ କୌଣସି ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ମନ୍ତ୍ରୀମାନଙ୍କୁ ସମୂହ ଇସ୍ତଫା ଦେବା ପାଇଁ କହିନଥିଲେ। ଏହା ସୂଚାଉଛି ଯେ, ନବୀନ ପଟ୍ଟନାୟକ ଯଥେଷ୍ଟ ଶକ୍ତିଶାଳୀ ହୋଇଛନ୍ତି ଓ ସେ ବାର୍ତ୍ତା ଦେବାକୁ ଚାହୁଁଛନ୍ତି ଯେ, ଦଳ ଓ ସରକାରରେ ସେ ହିଁ ଏକମାତ୍ର ବ୍ୟକ୍ତି। ଏ ନେଇ ପୂର୍ବରୁ ଦ୍ୱନ୍ଦ୍ୱ ନଥିଲେ ମଧ୍ୟ ସମସ୍ତ ନେତା ଓ ସଦସ୍ୟମାନେ ତାଙ୍କ ନେତୃତ୍ୱକୁ ଅକୁଣ୍ଠ ସମର୍ଥନ କରୁଛନ୍ତି ଓ ଅନ୍ୟମାନଙ୍କର ସେପରି କିଛି ମୂଲ୍ୟ ଦଳ ବା ସରକାରରେ ନାହିଁ। ବିରୋଧୀ ପକ୍ଷରେ ପ୍ରତିଦ୍ୱନ୍ଦ୍ୱିତା ଶୂନ୍ୟତା ଓ ଦଳ ଭିତରେ ନିଷ୍କଂଟକ ନେତୃତ୍ୱ ନବୀନଙ୍କ ପାଇଁ ପ୍ରକୃତ ସୁବର୍ଣ୍ଣ ସମୟ ଆଣିଛି।

ବରିଷ୍ଠ ସାମ୍ବାଦିକ

ମୋ- ୮୦୧୮୦୯୪୪୫୫

Related story