/odisha-reporter/media/post_attachments/uploadimage/library/16_9/16_9_0/IMAGE_1751885459.jpg)
Prime Minister Modi
ରବି ଦାସ
ବିଶ୍ୱର ସବୁଠାରୁ ଅଧିକ ପ୍ରଗତିଶୀଳ ଅର୍ଥନୀତି ହେଉଛି ଭାରତ। ଏହାର ସମୁଦାୟ ଘରୋଇ ଉତ୍ପାଦ (ଜିଡିପି) ଗତବର୍ଷ ବିଶ୍ୱରେ ସବୁଠାରୁ ଆଗୁଆ ରହିଥିଲା। ଚଳିତ ବର୍ଷ ମଧ୍ୟ ଭାରତର ପ୍ରକୃତ ଜିଡିପି ୬.୫ ପ୍ରତିଶତ ହାରରେ ଅଗ୍ରଗତି କରିବ ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଦୃଢ଼ ଘରୋଇ ଚାହିଦା, ମୁଦ୍ରାସ୍ଫୀତିରେ ହ୍ରାସ, ଦୃଢ଼ ପୁଞ୍ଜି ବଜାର ଏବଂ ବର୍ଦ୍ଧିତ ରପ୍ତାନି ଦ୍ୱାରା ଦେଶରେ ଏହି ଅର୍ଥନୈତିକ ସ୍ଥିରତା ଏବଂ ସନ୍ତୁଳନ ରକ୍ଷା କରାଯାଇପାରିଛି। ସୁସ୍ଥ ବୈଦେଶିକ ମୁଦ୍ରା ଭଣ୍ଡାର, ଏକ ପରିଚାଳନାଯୋଗ୍ୟ ଚଳନ୍ତି ଖାତା ନିଅଣ୍ଟ ଏବଂ ବର୍ଦ୍ଧିତ ବିଦେଶୀ ପୁଞ୍ଜି ନିବେଶ ଭଳି ପ୍ରମୁଖ ସୂଚକଗୁଡ଼ିକ ଭାରତର ଦୀର୍ଘକାଳୀନ ସମ୍ଭାବନାକୁ ଅଧିକ ସୁଦୃଢ଼ କରିବା ସହ ଭାରତୀୟ ଅର୍ଥନୀତି ପ୍ରତି ବିଶ୍ୱର ଆସ୍ଥା ବୃଦ୍ଧି କରୁଛି।
ଅର୍ଥନୀତିର ଏହି ପ୍ରଗତି ଓ ଦୃଢ଼ତାକୁ ନଜରରେ ରଖି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା କହିଛନ୍ତି, "ଏହି ବୈଶ୍ୱିକ ପରିବେଶରେ ଭାରତୀୟ ଅର୍ଥନୀତି ବିଶ୍ୱ ଅଭିବୃଦ୍ଧିର ଏକ ପ୍ରମୁଖ ବାହକ ହୋଇଛି। ଦୃଢ଼ ଘରୋଇ ଅଭିବୃଦ୍ଧି କାରକ, ଉନ୍ନତ ମାକ୍ରୋଇକୋନୋମିକ ମୂଲ୍ୟତତ୍ତ୍ୱ ଏବଂ ସମୟୋପଯୋଗୀ ନୀତିଗୁଡ଼ିକ ଅଭିବୃଦ୍ଧିର ଗତିକୁ ପରିଚାଳନା କରୁଛନ୍ତି।’ ଭାରତର ଏହି ଲଗାତାର ଆର୍ଥିକ ଅଭିବୃଦ୍ଧିକୁ ଅନ୍ୟ ଏଜେନ୍ସୀମାନେ ମଧ୍ୟ ସମର୍ଥନ କରିଛନ୍ତି। ସଂଯୁକ୍ତ ରାଷ୍ଟ୍ର ଭାରତର ଅର୍ଥନୀତିକୁ ଅନୁଶୀଳନ କରି ବାର୍ଷିକ ଜିଡିପି ଅଭିବୃଦ୍ଧି ୬.୪ ପ୍ରତିଶତ ରହିବ ବୋଲି ପୂର୍ବାନୁମାନ କରିଛି। ସେହିପରି ଭାରତୀୟ ଉଦ୍ୟୋଗ ମହାସଂଘ ଚଳିତ ଆର୍ôଥକ ବର୍ଷରେ ଅଭିବୃଦ୍ଧିହାର ୬.୭୦ ରହିବ ବୋଲି ପୂର୍ବାନୁମାନ କରିଛନ୍ତି।
ନିରନ୍ତର ଭାବେ ଭାରତର ଅର୍ଥନୀତି ଦ୍ରୁତ ଗତିରେ ବଢ଼ିଛି। ଯଦି ଭାରତର ସମୁଦାୟ ଘରୋଇ ଉତ୍ପାଦର ମୂଲ୍ୟକୁ ଆକଳନ କରାଯାଏ ତେବେ ୨୦୧୪-୧୫ରେ ଏହା ୧୦୬.୫୭ ଲକ୍ଷ କୋଟି ଟଙ୍କା ଥିଲା। ୨୦୨୪-୨୫ ଆର୍ଥିକ ବର୍ଷରେ ଏହା ୩୩୧.୦୩ ଲକ୍ଷ କୋଟି ଟଙ୍କା ପହଞ୍ଚିବା ଆଶା ରହିଛି। ଅର୍ଥାତ୍ ଏହି ୧୦ ବର୍ଷରେ ଆର୍ଥିକ ପ୍ରଗତି ତିନିଗୁଣା ବଢ଼ିଛି। ରିଜର୍ଭ ବ୍ୟାଙ୍କ ଭାରତୀୟ ଅର୍ଥନୀତିର ଯେଉଁ ସୁନେଲି ଚିତ୍ର ଓ ବିଶେଷ ଭାବରେ ମୋଦୀଙ୍କର ୧୦ ବର୍ଷ ଶାସନ କାଳର ଅର୍ଥନୀତିରେ ପ୍ରଗତିର ଯେଉଁ ବାର୍ତ୍ତା ବହନ କରିଛି ସେଥିରେ ଯେକେହି ଖୁସିହେବା ସ୍ୱାଭାବିକ। କିନ୍ତୁ ଭାରତର ସାଧାରଣ ଲୋକ ଯେଉଁମାନେ ଆର୍ଥିକ ସଂର୍ଘଷ ଭିତରେ କାମ କରୁଛନ୍ତି ଓ ସୁଖ ଜୀବନଯାପନ ପାଇଁ ସର୍ବନିମ୍ନ ଆବଶ୍ୟକତା ପୂରଣ କରିପାରୁନାହାନ୍ତି ସେମାନେ ଏହି ଆର୍ଥିକ ଚିତ୍ର ଦ୍ୱାରା ଖୁସି ହୋଇ ପାରିବେନାହିଁ।
ଭାରତର ବିଶ୍ୱସ୍ତରରେ ଅଧିକ ଆକାରର ଉତ୍ପାଦନ ଯୋଗୁ ଦୃଷ୍ଟି ଆକର୍ଷଣ କରାଯାଉଥିଲେ ମଧ୍ୟ ଭାରତ ପରି ୧୪୦ କୋଟିରୁ ଉର୍ଦ୍ଧ୍ୱ ଜନସଂଖ୍ୟା ପାଇଁ ଏହି ଉତ୍ପାଦନ ଆକାର ବୃଦ୍ଧିର ପ୍ରଭାବ ବଡ଼ ସୀମିତ। ଯେତେଯାହା ଅର୍ଥନୈତିକ ମାପକାଠିରେ ବିଚାର କଲେ ମଧ୍ୟ ଭାରତ ଏବେ ବି ଏକ ଗରିବ ଦେଶ। କାରଣ ଡଲାର୍ ମୂଲ୍ୟରେ ଭାରତରେ ମୁଣ୍ଡପିଛା ଆୟ ହାରାହାରି ୨୮୮୦ ଡଲାର୍ ରହିଛି। ଆଇଏମ୍ଏକ୍ସ ଏହି ତଥ୍ୟ ପ୍ରକାଶ କରିଛି। ବ୍ରିକ୍ସ ଦେଶମାନଙ୍କ ଭିତରେ ଭାରତ ଓ ଜି-୨୦ରେ ଥିବା ଦେଶମାନଙ୍କ ଭିତରେ ଭାରତ ସବୁଠାରୁ ଦରିଦ୍ରତମ। ବିଶ୍ୱରେ ଯେତେ ଗରିବ ଅଛନ୍ତି ତାହା ବିଶ୍ୱର ଅନ୍ୟ ଯେକୌଣସି ଦେଶଠାରୁ ଅଧିକ। ଆମ ଦେଶର ପ୍ରଗତିହାର ଅଧିକ ଥିବା କଥା ବାରମ୍ବାର କୁହାଯାଉଅଛି। ବିଶ୍ୱ ଅର୍ଥନୀତିରେ ଏହା ଜଣା ଯେ, ଗରିବ ଦେଶର ପ୍ରଗତିହାର ସବୁବେଳେ ଅଧିକ ହୁଏ। ଯେପରି ପିଲାଟି ଯେତେବେଳେ ଛୋଟଥାଏ ସେ ଯେତିକି ଦ୍ରୁତଗତିରେ ବଢ଼େ ସେହି ଅନୁସାରେ ପ୍ରାପ୍ତ ବୟସ ହେଲାପରେ ବଢ଼ିପାରେ ନାହିଁ।
ଭାରତ ପ୍ରକୃତରେ ଏକ ବିକଶିତ ରାଷ୍ଟ୍ରରେ ପରିଣତ ହେବାକୁ ହେଲେ ଶତକଡ଼ା ୭ ବା ୮ ହାରରେ କ୍ରମାଗତ ଭାବରେ ୨୫ ବର୍ଷର ଅଭିବୃଦ୍ଧି ଆବଶ୍ୟକ। କିନ୍ତୁ ଆନ୍ତର୍ଜାତିକ ମୁଦ୍ରାପାଣ୍ଠିର ହିସାବ ଅନୁସାରେ ଦେଶରେ ୧୯୯୧ ରେ ଆର୍ଥିକ ସଂସ୍କାର ହେଲାପରେ ମାତ୍ର ୭ ଥର ଭାରତର ଅଭିବୃଦ୍ଧି ହାର ଶତକଡ଼ା ୭.୪ ହାରରେ ବୃଦ୍ଧିପାଇଛି। କିନ୍ତୁ ଏହି ବୃଦ୍ଧିହାରକୁ କେବେ ବି ଦେଶ ଅଧିକ ସମୟ ରଖିପାରିନାହିଁ। ଭାରତର ଏବେ ଯେଉଁ ଆର୍ଥିକ ପ୍ରଗତି ହାସଲ ହେଉଛି ତାହା ସରକାରୀ ବିନିଯୋଗ ବୃଦ୍ଧି ଯୋଗୁ ମୁଖ୍ୟତଃ ସମ୍ଭବ ହେଉଛି। ଦେଶର ଘରୋଇ ଉଦ୍ୟୋଗ ଓ ଘରୋଇ କ୍ଷେତ୍ରର ସବୁସ୍ତରରେ ବିନିଯୋଗ ଏବେ ବି ଆକର୍ଷଣୀୟ ନୁହେଁ। ମୋଦୀଙ୍କ ସମୟରେ ଯେଉଁ କେତେଗୁଡ଼ିକ ଆନୁଷ୍ଠାନିକ ସଂସ୍କାର କରାଯାଇଛି ସେଗୁଡ଼ିକ ମଧ୍ୟରୁ ଜିଏସ୍ଟି, ବ୍ୟାଙ୍କର୍ଅପ୍ସି କୋଡ୍ ଓ ମନିଟାରୀ ପଲିସି ପ୍ରଭୃତି କାର୍ଯ୍ୟ ପୂର୍ବ ମନମୋହନଙ୍କ ସରକାର ସମୟରେ ସମସ୍ତ ପ୍ରସ୍ତୁତି ସରିଥିଲା। କେବଳ ଏଗୁଡ଼ିକ ଟ୍ରେନ୍ରେ ବସାଇଦେବା କାର୍ଯ୍ୟ ମୋଦୀ ସରକାର କରିଛନ୍ତି।
ସେହିପରି ଡିଜିଟାଲାଇଜେସନ୍ ବିଷୟରେ ସରକାର ଯାହା କହୁଛନ୍ତି ତାହାର ପୃଷ୍ଠଭୂମି ଓ କାର୍ଯ୍ୟକାରୀତା ପୂର୍ବ ସରକାର ଆରମ୍ଭ କରିଦେଇ ଯାଇଥିଲେ। ବରଂ ମୋଦୀ ସରକାର ନିଜ ଦକ୍ଷତା ପ୍ରଦର୍ଶନ କରିବା ପାଇଁ କଳାଟଙ୍କା ଲୋପକରିବା ସ୍ଳୋଗାନ ଉପରେ ଯେଉଁ ବିମୁଦ୍ରାକରଣ ନିଷ୍ପତି ନେଲେ ସେଥିରେ ଦେଶର ଅର୍ଥନୀତି କ୍ଷତିଗ୍ରସ୍ତ ହେଲା ଓ ସାଧାରଣ ଖଟିଖିଆ ଲୋକମାନେ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେଲେ। ଅପରପକ୍ଷରେ ଏହାଫଳରେ କଳାଧନ ଲୋପ ପାଇଥିବା ବା ନିୟନ୍ତ୍ରିତ ହୋଇଥିବାର କୌଣସି ତଥ୍ୟ ବା ସୂଚନା ଆସିନାହିଁ। ଏବେ ବି କଳାଧନ ଭାରତୀୟ ଅର୍ଥନୀତିରେ ଏକ ସମାନ୍ତର ଅର୍ଥନୀତି ଭାବରେ ଚାଲିଛି।
ଭାରତୀୟ ଅର୍ଥନୀତିରେ ଏବେ ଦୁଇଟି ବଡ଼ ସମସ୍ୟା ଭାବରେ ଅର୍ଥନୀତି ପ୍ରତି ଆହ୍ୱାନ ସୃଷ୍ଟି କରିଛି। ଗୋଟିଏ ହେଉଛି ଆର୍ଥିକ ପ୍ରଗତି ବା ପ୍ରଗତିହାର ବିଷୟରେ ଯାହା କୁହାଯାଉଛି ସେହି ଅନୁସାରେ ଅର୍ଥନୀତିରେ ନିଯୁକ୍ତି ସୃଷ୍ଟି ହେଉନାହିଁ। ଦେଶରେ କୋଟି କୋଟି ଯୁବକ ଯୁବତୀ ନିଯୁକ୍ତି ନପାଇ ବେକାର ହୋଇ ବୁଲୁଛନ୍ତି। ୨୦୧୪ରେ ମୋଦୀ ଯେତେବେଳେ ଦେଶର ପ୍ରଧାନମନ୍ତ୍ରୀ ହେବାପାଇଁ ନିର୍ବାଚନ ପ୍ରଚାର କରୁଥିଲେ, ସେତେବେଳେ ସେ ସବୁ ସଭାରେ କହୁଥିଲେ ଯେ, ସେ କ୍ଷମତାକୁ ଆସିଲେ ବେକାରୀ ଦୂର କରିବେ। ବର୍ଷକୁ ୨ କୋଟି ଚାକିରୀ ଦେବାକଥା ମଧ୍ୟ ପ୍ରତିଶ୍ରୁତି ଦିଆଗଲା। କିନ୍ତୁ ତାଙ୍କ ଶାସନର ୧୦ ବର୍ଷ ଭିତରେ ଦେଶରେ ବେକାରୀହାର ଆଦୌ କମିନାହିଁ। ଯେଉଁମାନେ ନିଯୁକ୍ତି ପାଇଛନ୍ତି ସେମାନେ ଯୋଗ୍ୟତାକୁ ଦେଖିଲେ ଖୁବ୍ କମ୍ ମଜୁରୀରେ ଅଣସଂଗଠିତ କ୍ଷେତ୍ରରେ କାମ କରୁଛନ୍ତି। ଏମାନେ ନିଯୁକ୍ତି ପାଇଛନ୍ତି ବୋଲି ହିସାବ କରିଦେଲେ ହେବନାହିଁ। ନିଯୁକ୍ତି କ୍ଷେତ୍ରରେ ଦୟନୀୟ ସ୍ଥିତି ଯୋଗୁ ଯୁବକମାନଙ୍କ ଭିତରେ ଓ ଦକ୍ଷତା ଥିବା ଲୋକମାନଙ୍କ ଭିତରେ ଏକ ଅସନ୍ତୋଷ ରହିଛି।
ଗୋଟିଏ ପକ୍ଷରେ ବେକାରୀ ଯେତିକି ଉତ୍କଟ ସେହିପରି ଭାବରେ ଦେଶରେ ଆର୍ଥିକ ଅସମାନତା ମଧ୍ୟ ଭୟଙ୍କର ରୂପଧାରଣ କରିଛି। ବିଶ୍ୱ ଅସମାନତା ଲାବ୍ର ତଥ୍ୟ ଅନୁସାରେ ଭାରତରେ ଆର୍ଥିକ ଅସମାନତାର ସ୍ତର ସାରାବିଶ୍ୱରେ ସବୁଠାରୁ ଅଧିକ। ଏପରିକି ବ୍ରିଟିଶ୍ ଲୋକମାନେ ଭାରତରେ ଉପନିବେଶ ଶାସନ ଚଳାଇବା ସମୟରେ ଦେଶରେ ଯେଉଁ ଆର୍ଥିକ ଅସମାନତା ଥିଲା ତାହାଠାରୁ ବର୍ତମାନର ଅବସ୍ଥା ଯଥେଷ୍ଟ ଅଧିକ। ବିଶ୍ୱର ପ୍ରଗତିରେ ଗୋଟିଏ କଥା ସମସ୍ତଙ୍କୁ ଜଣାଅଛି ଯେ, ଅସମାନତା ହ୍ରାସ ନକଲେ ଦେଶର କ୍ରମାଗତ ବିକାଶ ସମ୍ଭବ ହେବନାହିଁ। ଏହି ଗଣତାନ୍ତ୍ରିକ ରାଷ୍ଟ୍ରରେ ସରକାରଙ୍କର ଏହା ଏକ ନୈତିକ ଦାୟିତ୍ୱ। କିନ୍ତୁ ଏହି ନୈତିକ ଦାୟିତ୍ୱକୁ ପାଳନ କରିବାରେ କିଛି ସରକାରୀ ଅର୍ଥ ବିଭିନ୍ନ ବର୍ଗକୁ ଭୋଟ୍ ପାଇବା ପାଇଁ ବାଂଟିଦେବା ଦ୍ୱାରା ସମ୍ଭବ ହେବନାହିଁ। ଏକ ବିକଶିତ ଭାରତ ଲକ୍ଷ୍ୟ ହାସଲ କରିବାକୁ ହେଲେ ସବୁ ରାଜ୍ୟଗୁଡ଼ିକର ସହଯୋଗ ସହିତ ଧ୍ରୁବୀକରଣ ରାଜନୀତିକୁ ଦେଶରୁ ଦୂରରେ ରଖିବାକୁ ପଡ଼ିବ। ଏ ଦିଗରେ ସରକାରଙ୍କର କାର୍ଯ୍ୟକଳାପଗୁଡ଼ିକ ଏପର୍ଯ୍ୟନ୍ତ ଆକର୍ଷଣୀୟ ହୋଇନାହିଁ।
ମୋ- ୮୦୧୮୦୯୪୪୫୫
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
